Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ମାତାଲିଜିମ୍
ମାତାଲିଜିମ୍
★★★★★

© Arabinda Rath

Others

13 Minutes   573    51


Content Ranking

ଲେଖକ- ଅରବିନ୍ଦ ରଥ

ମଦନା ଘର ସାମନା ରେ ଗାଁଆଟା ଯାକର ଲୋକ ଟୁପୁରୁ ଟାପର ହେବାରେ ବ୍ଯସ୍ତ ଥିଲେ। ସନିଆ ମାଆ ପାକୁଆ ପାଟି ପାକୁପାକୁ କରି କହୁଥିଲା-- ଆହାଃ, ଆଜି କି ନ ଦେଖିଲା ଏ ନେତ- - ମୁଁ ଯଦି ଏ ଗୁପତ କଥାଟା ଆଗରୁ ଜାଣି ଥାଆନ୍ତି ସାରା ଜୀବନ ଏମିତି ଦହଗଞ୍ଜ ହୋଇ ନ ଥା'ନ୍ତି। ତିର୍ଲାଟା କି ଯାଦୁ ନ କଲା ଭଲା! !!

ବାକି ଯୁଆନ ଟୋକାମାନେ ଆଖି ମିଟିମିଟି କରି, ସାମନାରେ ଘଟି ଯାଉଥିବା ଅଭୂତପୂର୍ବ ଘଟଣାବଳୀକୁ ଆକଣ୍ଠ ପାନ କରିବାରେ ବ୍ଯସ୍ତ ଥିଲେ। ଘର ଭିତରୁ ଜିନିଷପତ୍ର ଫିଙ୍ଗା ଫୋପଡାର ଶବ୍ଦ ଭାସି ଆସିବା ସହ ମଦନାର କରୁଣ ଚିତ୍କାର ମଧ୍ଯ ଶୁଭୁ ଥିଲା-- ମୋତେ ଛାଡି ଦେ, ଆଉ ଦିନେ ଏମିତି ଭୁଲ କରିବିନି। ମାଆ ଓଢଣେଶ୍ବରୀଙ୍କ ନିୟମ ଖାଇ କହୁଛି। ଆଜି ଦିନଟା ଛାଡି ଦେ.....ଇଲୋ ମାଆ ଲୋ......ମରି ଗଲି ଲୋ ମାଆ......। କିନ୍ତୁ ଏମିତି ପରିସ୍ଥିତିରେ ମଦନା ପିଲାମାନଙ୍କର ତାଳି, ସୁସୁରୀ ମାରି ଖୁସିରେ ଡେଇଁବାର ଶବ୍ଦ ଦେଖଣାହାରୀଙ୍କ ମନ ଭିତରେ ଅସମ୍ଭବ ଉତ୍କଣ୍ଠା ଜାତ କରାଉଥିଲା ।

ତତେନେଇପୁର ଗାଁଆର ମଦନା ଥମ୍ବ। କଳା ମଚମଚ ମଜଭୁତିଆ ଚେହେରା - - କୁମ୍ଭାଟୁଆ ପରି ଲାଲ୍ ଆଖି ଓ କାନ୍ଧ ଯାଏଁ ଲମ୍ବି ଆସିଥିବା କେଶରାଶି କୁ ଦେଖିଲେ, କୁକୁଡା କଲିଜା ବିଶିଷ୍ଟ ଲୋକର ପାଟିରେ ଯାବ ପଡିଯିବାଟା ଆଦୌ ଅସମ୍ଭବ ନୁହଁ। ତା ଫଟା ଢୋଲ ପରି ସ୍ବର ଯିଏ ଶୁଣିବ, ଭାବିବ ଈନ୍ଦିର ଦେବଙ୍କ ପେଟ ଗୋଳମାଳ ହୋଇଛି କି ଆଉ? ରୂପଟା ଅର୍ଘାସୁରିଆ ପରି ହେଲେ କଣ ହେବ, ମଦନାଟା ଭାରି ପାରିବାର ପିଲା। ତା ଦେହ ରେ ଅସୁର ପରି ବଳ। କୌଣସି କାମରେ ପଛକୁ ହଟିଯିବା ପିଲା ସେ ନୁହଁ। ମନ ପାଇଲେ ଦୁଇ କାନ୍ଧରେ କାଠ ଗଣ୍ଡି ଟେକି ସେ ପାହାଡ ଚଢି ଯିବ । ଇଟା,ସିମେଣ୍ଟ ବସ୍ତା ଆଦି ବୋହି ନେବା ତା ପାଇଁ ପିଲା ଖେଳ ପରି। ସେଥିପାଇଁ ଠିକାଦାରମାନଙ୍କ ପାଖରେ ତାର ବେଶ୍ କାଟତି। ସେମାନେ ଜାଣିଛନ୍ତି ଯେ ତତନେଇପୁର ଗାଁଆ ରେ କେବଳ ଜଣିଏ ଷେଣ୍ଢ ଅଛି, ତା ନାଁଆ ହେଲା ମଦନା। ଏକବାଗିଆ ମଦନାକୁ କିଛି ବୁଝାଇବାଟା କାଠିକର ପାଠ ବୋଲି ସଭିଏଁ ଜାଣନ୍ତି। ସେ ଯାହା ବୁଝିଥିବ ସେଇଆ … ଯିଏ ଯାହା କହିଲେ ବି ସେ ହଲଚଲ ହୁଏନି। ତାକୁ ଗେହ୍ଲେଇ, ଭୁଲେଇ କଥା କହିଲେ ସେ ନ କଲା କାମ ବି କରିଦେବ, କିନ୍ତୁ କଥା ବେଲାଇନ୍ ହେଲେ ପରିସ୍ଥିତି ଅସମ୍ଭାଳ କରିଦେବ। ସବୁ ଗୁଣ ଭଲ ଯେ, କିନ୍ତୁ ଗୋଟିଏ ଦୁର୍ଗୁଣ ପାଇଁ ସେ ବଦନାମ ଥିଲା। ଟିକେ ନିଶାପାଣି ନ ହେଲେ ମଦନା ବସିବା ଥାନ ରୁ ଉଠିବନି। ଯୁଆନ ଥିଲା ବେଳେ ମୂଲ ମଜୁରୀ ଲାଗି ଯେତିକି ପଇସା ପାଏ ସବୁ ନିଶା କରିବାରେ ଉଡିଯାଏ। ତା ବାପା ମାଆ ପିଲା ଦିନରୁ ତାକୁ ଅନାଥ କରି ଚାଲି ଯାଇଥିଲେ। ପାଠ ଶାଠ ନ ପଢି ଗାଁଆ ର ବାତରା ପିଲାଙ୍କ ମେଳରେ ବଢି ସେ ପୋଖତ ନିଶାଡି ହୋଇ ଯାଇଥିଲା। ଏମିତି କିଛି ନିଶା ନାହିଁ ଯାହା ସେ ନ କରିଛି। ମଦ, ମହୁଲୀ, ଗଞ୍ଜେଇ, ଅଫିମ ଆଦି ତା ପାଇଁ ଖାଦ୍ଯ ପାନୀୟ ଉଭୟ ଥିଲା। ସକାଳୁ ଉଠିବା ରୁ ରାତି ରେ ଶୋଇବା ଯାଏ ସେ ନିଶାରେ ଚୁର୍ ରହୁଥିଲା। ରାତିରେ ମଦ ପିଇ କେତେ ବେଳେ ଭାଟି ସାମନା ରେ ପଡିଥାଏ, ତ କେତେବେଳେ ନଳା ପାଖରେ। କେବେ କେମିତି ଗାଁଆ ଲୋକେ ଦୟା କରି ତାକୁ ଟେକି ଆଣି ଘର ସାମନା ରେ ଫୋପାଡି ଦେଇ ଯାଆନ୍ତି।

ସିନେମା ଦେଖି ମଦନା ଦୁନିଆ ବିଷୟରେ କିଛି ଜ୍ଞାନ ଆହରଣ କରିଥିଲା। କେବେ କେବେ ଖଣ୍ଡି ଇଂରାଜୀ ବା ହିନ୍ଦୀରେ କଥାଭାଷା ହେବାକୁ ସେ ସୁଖ ପାଉଥିଲା। କଥାରେ ଅଛି, ଓଡିଆ ରାଗିଲେ ହିନ୍ଦି ଇଂରାଜୀ ବାହାରେ। ସେ ଟଳମଳ ହେବା ଅବସ୍ଥାରେ କିଏ ଛୋପରାମୀ କରି ତା ସହ ଲାଗିଲେ ନନ୍ ସେନସ୍, ଇଡିୟଟ୍, ଆଇ ଆମ ଗୋଇଙ୍ଗ, ୟୁ ସଟ ଅପ୍ ପରି ଇଂରାଜୀ ଗାଳି ତା ପାଟି ରୁ ବୋହି ପଡେ । ବିହାରୀ ମିସ୍ତ୍ରୀ ମାନଙ୍କ ପାଖରୁ ଶିଖିଥିବା ହିନ୍ଦି କଥା ର ଉପଯୋଗ ସେ ସ୍ଥାନ କାଳ ପାତ୍ର ଦେଖି କରେ। ମଦ ପିଇବାରୁ କିଏ ବାରଣ କଲେ ସେ ଚିଡିଯାଇ କୁହେ-- - ହମ୍ ମଦ୍ ପିଏଗା। କାହା ବାପ୍ ସେ ନେହି ଡରତା ମୈ। କାହା ସେ ପୈସା ଲେକେ ନେହି ପିତା । ମୋର ପଇସା ଖର୍ଚ୍ଚ କରକେ ପିତା ହେ । ତୁମ୍ ଲୋଗ୍ ମୁଣ୍ଡ ନେହି ଖେଳାଓ, ନେହିତୋ ତୁମ୍ଭାରେ ମୁଣ୍ଡ ମେ ପିସ୍ତଲ୍ ଫୁଟାକେ ମାର୍ ଦୁଙ୍ଗା। ପାଠ ଶାଠ ନ ପଢିଥିଲେ କଣ ହେବ, ମଦନାର ଦୁନିଆଦାରୀ ବିଷୟରେ ଢେର୍ ଜ୍ଞାନ ଥିଲା। ବେଳ ଅବେଳ ରେ ଲୋକଙ୍କୁ ସାହାଯ୍ଯ କରିବା, ତାଙ୍କ ବିପଦରେ ଛିଡା ହେବା ଆଦି ଭଲ ଗୁଣ ତା ପାଖରେ ଭରପୁର ହୋଇଥିଲା। ତେଣୁ ଗାଁଆ ଲୋକେ ତାକୁ ଭଲ ପାଉଥିଲେ ଓ ତା ପାଇଁ ଚିନ୍ତା ମଧ୍ଯ କରୁଥିଲେ। ମୁଖିଆ ଶ୍ରେଣୀ ର ଲୋକେ ଜାଣିଥିଲେ ଯେ, ମଦନାକୁ ଗାଁଆ ମଦଭାଟି ପାଖକୁ ଯିବାରୁ ରୋକା ନ ଗଲେ ତା ଜୀବନଟା ନଷ୍ଟ ହୋଇଯିବ। ମଦ ପିଇ ପିଇ ସେ କେତେ ଦିନ ବା ବଞ୍ଚିବ।

କିଛି ପୁରୁଖା ଲୋକେ ଦିନେ ତାକୁ ମଦ ନ ପିଇବା ପାଇଁ କହିବାରୁ ସେ କହିଲା – – ହୋଃ ମଉସା ତୁମ ଉପଦେଶ ତୁମ ପାଖରେ ରଖ। ମୋ ନାମଟା କଣ ଜାଣିଛ ତ? ମଦନା ଥମ୍ବ। ଦିନ କୁ ଦିନ ମୋ ବୟସ ଯେତିକି ବଢୁଛି "ଥ ” ଅକ୍ଷର ମଦନା ପାଖକୁ ମାଡି ଆସୁଛି। ମ୍ବ କେବଳ ଏକୁଟିଆ ଚାହିଁ ରହିଛି। କିଛି ବୁଝି ନ ପାରି ପାଚିଲା ବାଳିଆ ବୁଢା ମାନେ ଆଖି ତରାଟି ଚାହିଁ ରହିବା ଦେଖି, ସେ ପୁଣି କହିଲା-- ଏବେ ହମ୍ ମଦନା ସେ ମଦନାଥ ହୋ ଗୟା ହୁଁ। ତୁମେ ହିନ୍ଦୀ ଭାଷା ବୁଝୁଛ ତ? ଆରେ ମୁଁ ମଦର ନାଥ ମଦନାଥ ହୋଇ ଗଲିଣି। ମୋତେ ମଦ ପିଇବାରୁ କୌନ୍ ମାଇକାଲାଲ୍ ରୋକେଗା ହୋଃ। ପେଟ୍ ମେ ରାମପୁରୀ ଚଲାଦୁଙ୍ଗା, ଘର ମେ ବମ୍ ପିଙ୍ଗ କେ ଉଡା ଦୁଙ୍ଗା। ମାଇଁ ମୁଣ୍ଡ ଇଜ୍ ବିନ୍ଧିଙ୍ଗ, ତୁମେ ସବୁ ବୁଢା ଏ ଯାଗାରୁ ଗେଟ୍ ଆଉଟ୍ ହୋଇଯାଅ। ବେଶି ପାଟି ନ କରି ସଟ୍ଅପ୍। ଏକେସୁଇଜିମି, ତୁମେ ସବୁ ମୋ ନିଶା ରେ ପାଣି ମିଶେଇଦେଲ। ପୁଣି ଗୋଟେ ଚଢେଇବାକୁ ହେବ।

ଗାଁଆ ସବୁଠାରୁ ବୃଦ୍ଧ ଗୋତ୍ରମାରୁ ମାହାନ୍ତି ମଦନା ର ଆଖି ଯୋଡିକ ଦେଖି ଜିଭ କାମୁଡି ଦେଲେ। ଭୁଲ ସମୟ ରେ ଉପଦେଶ ଟା ଢାଳି ଦେବାରୁ ଏମନ୍ତ ଅବସ୍ଥା ହେଲା ସିନା। ଉପଦେଶ ନେବା ଲୋକ ଯେତେ ବେଳେ ଟାଙ୍କେ ପିଇ ଦେଇଛି, ତାକୁ ସ୍ବୟଂ ବ୍ରହ୍ମା ଆସି କିଛି କହିଲେ ବି ସେ ଇଂରାଜୀ ଗାଳି ଦେଇ ଘଉଡି ଦେବ। କିନ୍ତୁ ମଦନା ର ହିଂରାଜୀଆ ଓଡିଆ ଗାଳି ତାଙ୍କ ପ୍ରାଣ କୁ ବେଶ୍ ବାଧିଲା।ସମସ୍ତଙ୍କ ଅଗୋଚରରେ ସେ ତାଙ୍କ ମଳିଛିଆ ଧୋତି ରେ ଗଣ୍ଠିଟେ ପକେଇ ମନେମନେ କହିଲେ-- ହଉରେ ପୁଅ, ମାଲ୍ ପିଇ ତୁ ଷେଣ୍ଢ କୁ ଭାଗବତ ପଢାଉଛୁ ନାହିଁ? ଆମ ସମୟ ରେ ଆମେ ଯେତିକି ବୋତଲ ଟେକିଛୁ ସେତିକି ଗଦେଇ ଦେଲେ ହିମାଳୟ ପର୍ବତ ଲୁଚିଯିବ, ତୁ ଆମକୁ ମଦ ଦେଖଉଛୁ? ଆମ ସମୟ ରେ କେତେ ସାପ,ବିଛା, କଣ୍ଟିଆ ଆମକୁ କାମୁଡି ମରିଛନ୍ତି ତାର ହିସାବ ଖୋଜିଲେ ଚିତ୍ରଗୁପ୍ତ ପାଞ୍ଜିର ପୃଷ୍ଠା କମ୍ ପଡିଯିବ, ଇଏ ଆମକୁ ହାର୍କିନି ଦେଖଉଛି। ସେ ସମୟରେ ଆମ ଦିହରେ ରକତ ନ ବୋହି ନିଶା ବୋହୁଥିଲା, ୟାପ ମଶା କାମୁଡିଲେ ପରା ନିଶାରେ ଗାଳି ଫଜିତ୍ କରୁଥିଲା। ତୋତେ ଯଦି ଭଲରେ ପାନେ ନ ଦେଇଛି ମୋ ନାମ କି ଗୋତ୍ରମାରୁ। ତାଙ୍କ ମନ ଭିତର କଥା ସବୁ ବାହାରକୁ ଶୁଭିଲା କି କଣ, ଧେଣ୍ଡୁଆ ମିଶ୍ରେ ଚିମୁଟି ଦେଇ କହିଲେ-- ମାଲିକେ, ଟିକେ ଧିରେ କୁହ। ମଦନା ଶୁଣିଲେ ଏହି କ୍ଷଣି ତୁମ ଧୋତିହରଣ କରି କବାଡି ଖେଳେଇ ଦେବ। ସେତିକି ରେ ଗୋତ୍ରମାରୁ ଜିଭ କାମୁଡି ବସି ପଡିଲେ, ମାତ୍ର ମନ ଭିତରେ ପ୍ରତିଶୋଧ ର ବହ୍ନି ଚିଲମ ନିଆଁ ପରି ଜଳି ଚାଲିଥିଲା।

ତହିଁ ଆର ଦିନ ସକାଳୁ, ମଦନା ର ଖାସ୍ ସାଙ୍ଗ ଟିଙ୍ଗାଳୁ କୁ ନାଲି ପାଣି ବୋତଲେ ଧରେଇ ଦେଇ, ମଦନା କୁ ବାହାଘର କରାଇ ଦେବା ପାଇଁ ସେ ଉସୁକାଇବାରେ ଲାଗିଲେ। ଟିଙ୍ଗାଳୁ ପ୍ରଥମେ ଅମଙ୍ଗ ହେଉଥିଲା, କିନ୍ତୁ ଯେତେ ବେଳେ ଗୋତ୍ରମାରୁ କହିଲେ-- ଏମିତି ମଦୁଆ ସାଙ୍ଗ ସହ ମିଶୁଛୁ, ତୋ କନିଆ କୁ ସେ ଭଲ ନଜର ରେ ଦେଖୁଥିବ ତ? ନିଶାପାଣି କଥା, ଯଦି ମଦନା କେତେବେଳେ କିଛି କଳଙ୍କିଆ କାମ କରିଦେବ ଗାଁଆ ରେ ମୁଣ୍ଡ ଉଠେଇ ଚାଲି ପାରିବୁ ତ? ମୁଁ ଦେଖୁଛି ସେ ସଦାବେଳେ ତୋ ଘରେ ବସୁଛି, ତୋ କନିଆ ବି ମଦନାଇ ମଦନାଇ କହି ତା ଆଗେ ପଛେ ଡେଉଁଛି।

କଥାଟା ଶୁଣି ଟିଙ୍ଗାଳୁ କି ଦୃଶ୍ଯର କଳ୍ପନା କଲା କେଜାଣି, ତା ହାତରୁ ଖାଲି ବୋତଲଟା ଖସି ପଡିଲା। ସେ ଘରକୁ ଦୌଡି ଯିବା ଅବସରରେ କହିଲା-- ମୁଁ କଥା ଦଉଛି ମହାନ୍ତିଏ, ଦିନ ସାତଟାରେ ମଦନା ଘରେ ଖାସି ମାଉଁସ ଭୋଜିଟେ ହେବ। ଗୋତ୍ରମାରୁ ନିଜ ଧୋତିରେ ଗଣ୍ଠି କୁ ଟିକେ ଚାମୁଡି ଦେଇ କହିଲେ-- ଏଥର କୀଳା ସମ୍ଭାଳ ରେ ମଦନା। ଘରକୁ ମାଇପ ଆସିଲେ ତୋ ବହପ କେମିତି ଛାଡିବ ଦେଖିବୁ। ମୋ ପରି ଜଙ୍ଗଲୀ ସିଂହ କୁ ମୋ ମାଇପ ଛାଲଛାଡି ବିଲେଇ କରିଦେଲା ବରଷ କେଇଟା ରେ। ସିଂହନାଦ ଭୁଲି ମୁଁ ଦିନରାତି ମିଆଉଁ ମିଆଉଁ କରି କାଳ କାଟୁଛି। ବେକ ରେ ଏମିତି ଘଣ୍ଟି ବାନ୍ଧିଛି ଯେ ବାହାରେ ବୁଲାଚଲା କଲାବେଳେ ବି ଟୁଁ ଟୁଁ ଶୁଭୁଛି। ମୋ ନିଶାପାଣି ଅଭ୍ଯାସ ଛଡେଇବାକୁ ପିଠିରେ ତତଲା ଚିମୁଟାରେ ପାହାର ଦେଇ ମାଉଁସ ମେଞ୍ଚା କରିଦେଇଛି। ତା କହୁଣୀ ଠେସା ମାଡ ଖାଇ ବତିଶି ଦାନ୍ତରୁ କୋଡିଏ ଟା ହଜି ସାରିଲେଣି। ଏବେ ପାନ, ଗୁଟୁଖା ବି ପାଟିରେ ପଶିଲେ ହସି ହସି ବାହାରକୁ ଚାଲି ଆସୁଛନ୍ତି। କିହୋ ଚୋବେଇବା ଦାନ୍ତ ମାନେ ତ ହଜି ଗଲେଣି , ପାନ ଗୁଟୁଖାଙ୍କ ଗର୍ବ ଭାଙ୍ଗିବ କିଏ? ମୋ ଅବସ୍ଥା ଯାହା ହେଉଛି, ତା ଠାରୁ କେଇ ଗୁଣ ଭୟଙ୍କର ଅବସ୍ଥା ତୋର କରିଦେବି। ତା ପରେ ଜାଣିବୁ ମୁଁ କିଏ।

ତେଣେ ଟିଙ୍ଗାଳୁ କେତେ ଝିଅଙ୍କ ପଛରେ ମଦନାକୁ ବାହା କରାଇବା ପାଇଁ ଲାଗି ପଡିଲା ତାର ହିସାବ ନାହିଁ। ଶେଷରେ ଗୋତ୍ରମାରୁଙ୍କୁ ଦୁଃଖ ଜଣାଇଲା। ସେ ବି ଚାହିଁ ରହିଥିଲେ କେବେ ଟିଙ୍ଗାଳୁ ତାଙ୍କ ଶରଣ ପଶିବ। କାଳ ବିଳମ୍ବ ନ କରି ସେ ପାଖ ଗାଁଆରେ ରହୁଥିବା ଅକାଟଖିଆ ସାହୁଙ୍କ ଏକମାତ୍ର ପରମ କାଣ୍ଡେଇ କନ୍ଯା ମିସ୍ ଆଣ୍ଡ୍ରୁଲିନା ସହିତ ମଦନାର ବାହାଘର କରିବାକୁ ପ୍ରସ୍ତାବ ଦେଲେ। ଝିଅର ନାମ ଟା ଶୁଣି ଟିଙ୍ଗାଳୁ ମୁଣ୍ଡ ଘୁରାଇ ଦେଲା ପରି ଲାଗିଲା। ସେ କିଛି ବୁଝି ନ ପାରି ବଲବଲ କରି ଚାହିଁବାରୁ ମହାନ୍ତିଏ ସନ୍ଦେହ ମୋଚନ କରି କହିଲେ-- – – ବାବୁ ଟିଙ୍ଗାଳୁ ଝିଅ ଟି ଗୋଟିଏ ଚାଉଳ ରେ ଗଢା। ତା ରୂପ ର ବର୍ଣ୍ଣନା କରିବାକୁ ମୋ ପାଖରେ ଭାଷା ନାହିଁ। ହୋଲି ରେ କଳା ମୁଣ୍ଡଫଟା ରଙ୍ଗ ଉପରେ ବାର୍ଣ୍ଣିସ୍ ରଙ୍ଗ ଢାଳିଦେଲେ ଯେଉଁ ନୂଆ ରଙ୍ଗ ବାହାରିବ ଝିଅଟି ଦେଖିବାକୁ ସେମିତି। ଗାଁଆ ଝିଅ ହେଲେ କଣ ହେବ ତା ରୂପ ଢଙ୍ଗ ସବୁ ଗୋରା ସାଇବ ପରି। ନୂଆ ଦେଖିଥିବା ଲୋକ ଭାବିବ ଇଏ ବୋଧେ ଇଂଲଣ୍ଡ,ହଲାଣ୍ଡ କି ପୋଲାଣ୍ଡ ରୁ ଆସିଛି। ତାଙ୍କ ଗାଁଆ ପିଲେ ତ କୁହନ୍ତି ଏମିତି ପ୍ରାଣୀ ମାନେ ଗ୍ରୀନଲ୍ଯାଣ୍ଡ, ନେଦରଲ୍ଯାଣ୍ଡ, ଆଇସଲ୍ଯାଣ୍ଡରେ ବହୁ ପରିମାଣ ରେ ଦୃଶ୍ଯ ହୁଅନ୍ତି ବୋଲି ବହିରେ ଲେଖା ଅଛି। ସେ ଝିଅ ଓଠରେ ନାଲି ରଙ୍ଗ ନ ମାରିଲେ ବାହାରକୁ ବାହାରେନି। ଆମେ ଯେତିକି ଅଟା, ଚାଉଳ,ଡାଲି ନ କିଣୁଛେ ତାଠାରୁ ବେଶି ସେ ନଖପାଲିସି, ସାମ୍ପୋ, କନା ଡିନସର, କାଖ ବାସ୍ନା ଅତର ଓ କେତେ ଜାତିର କିରିମ୍ କିଣା ରେ ଖର୍ଚ୍ଚ କରେ। ଅକାଟଖିଆର ଭାଗ୍ଯ ଟା ମନ୍ଦ। ଏମିତି ଛୁଆଟେ ତା ଓୌରସ ରୁ କେମିତି ବାହାରିଲା ବୋଲି ଖୋଳତାଡ କଲା ପରେ ଅସଲ କଥା ଟା ଜଣା ପଡିଲା। ଦିନରାତି ଅକାଟଖିଆ ମଦଭାଟିରେ ଅଧିଆ ପଡିଲା ବେଳକୁ ତା ମାଇପ ଲୋକଙ୍କ ଘରେ କାମ ପାଇଟି କରେ। ଆଣ୍ଡରସନ ବୋଲି ଜଣେ ବିଲାତି ସାଇବ ଘରେ ତା ମାଇପ କିଛି ଦିନ କାମ କରିଥିଲା। ସେ ସାଇବ ମଜୁରୀ ସାଙ୍ଗକୁ କି ବକସିସ୍ ଦେଲା ଭଗବାନ ଙ୍କୁ ଜଣା, କିନ୍ତୁ ଅକାଟଖିଆ ଘରେ କୁଆଁ ଡାକ ଶୁଭିଲା। କଥା ଟା କଣ ଅନୁମାନ କରି ଅକାଟଖିଆ ମାଇପ କୁ ଗାଳିଫଜିତ୍ କରି ମାରିବାକୁ ବାହାରିବାରୁ ସାଇବ ଆସି ତାକୁ ରକ୍ଷା କଲା। ତା ସାମନା ରେ ସାଇବ ମାନିଲା ଯେ ସେ ଦୂର ଦେଶରୁ ଆସିଛି ଓ ଶୀଘ୍ର ଚାଲିଯିବ। କିନ୍ତୁ ଅକାଟଖିଆ ଘରେ ସେ ଲଗେଇଥିବା ଗଛଟି ଛାଡି ଦେଇ ଯାଉଛି। ସେଗଛ ବଢାଇବାରେ ଯେମିତି କିଛି ଅସୁବିଧା ନ ହୁଏ ବୋଲି ଛପର ଫାଡି ପଇସା ମଧ୍ଯ ଦେଇଥିଲା। ସେଇ ସାଇବ ହିଁ ଝିଅର ନାମ ଆଣ୍ଡ୍ରୁଲିନା ଦେଇଥିଲା। ଏତେ ଗୁଡେ ଟଙ୍କା ଦେଖି ଅକାଟଖିଆ , ରାଗରୁଷା ଭୁଲି ସାଇବ କୁ ଭାତ ମାଉଁସ ଖୁଏଇ ବିଦାୟ ଦେଲା। କିନ୍ତୁ ତା ଅଭିଶାପ ପଡିଲା କି କଣ, ସାଇବ ଟା ମେଲେରିଆ ରେ ପଡି ମରିଗଲା। ଏବେ ସେହି ସାଇବ ର ଝିଅ ବାହା ହେବ ମଦନା କୁ , ଏହା କଣ କମ୍ ଗୌରବ ର କଥା? ଟିଙ୍ଗାଳୁ ମନେ ମନେ ଗୋତ୍ରମାରୁ କୁ ଗାଳି ଦେଇ କହୁଥାଏ-- ମୋ ବେଳକୁ ତୋ ମୁଣ୍ଡରେ ଏତିକି କଥା କଣ ପାଇଁ ପଶିଲାନି ରେ ଟୁହିଁପେଟିଆ ଗୋତ୍ରମାରୁ। ମୁଁ ସେ ସାଇବାଣୀ କୁ ବାହା ହେଇଥିଲେ କେତେ ଭଲ ହେଇ ଥାଆନ୍ତା। ଦୀର୍ଘ ନିଶ୍ବାସ ଟେ ପକେଇ ସେ ମଦନା କୁ ଖୁସି ଖବର ଦେବା ପାଇଁ ସେ ଚାଲିଗଲା।

ଗୋତ୍ରମାରୁ ମହାନ୍ତିଙ୍କ ପେଞ୍ଚୁଆ ବୁଦ୍ଧିର କୂଳକିନାରା ନ ପାଇ ଅକାଟଖିଆ ତାଙ୍କ ଏକ ମାତ୍ର ଝିଅକୁ ମଦନା ହାତକୁ ଟେକି ଦେଲେ। ବାହାଘର ଦିନ ମଦନା ପେଟେ ମଦ ପିଇ ଗଞ୍ଜେଲ ଟାଣି ବେଦୀରେ ଧିରସ୍ଥିର ହୋଇ ବସିଲା। ତା ଦାରୁଭୂତ ମୁରାରୀ ରୂପ ଦେଖି କନ୍ଯାପିତା ଭାରି ଖୁସି ହେଲେ। ଭାବିଲେ ମୋ ଝିଅ ଖେଳିବା ପାଇଁ ଭଲ ଖେଳନା ଟେ ଯୋଗାଡ କରିଦେଲେ ଗୋତ୍ରମାରୁ। ଭୋଜିଭାତ, ହସଖୁସି ରେ ଦିନ କେତେ ଟା ବିତିଗଲା। ଧିରେ ଧିରେ ଆଣ୍ଡ୍ରୁଲିନା ଓ ମଦନା ନିଜ ନିଜ ରୂପ ପ୍ରକଟ କରିବାକୁ ଆରମ୍ଭ କରିବାରେ ଲାଗିଲେ। ପ୍ରେମନିଶାରେ କିଛି ଦିନ ଡୁବି ରହିବା ପରେ ମଦନାକୁ ଗାଁଆ ଭାଟି ବିକଳ ହୋଇ ଡାକିଲା। ତା ନିଶାଖୋର ସାଙ୍ଗ ସାଥୀ ମାନେ ଘର ଚାରି ପାଖରେ ଚକ୍କର ମାରିବା ଆରମ୍ଭ କରିଦେଲେ। ଶେଷରେ ମଦନା ଭାଟି ରେ ଆସର ଜମାଇବାକୁ ପହଞ୍ଚିଗଲା। ଭାଟି ମାଲିକ ତାକୁ ଦେଖି କୁଣ୍ଢାଇ ପକାଇ ସୁକୁ ସୁକୁ ହୋଇ କାନ୍ଦି ପକାଇ କହିଲେ-- ମୋ ଧନ ଟା ପରା, କେତେ ଦିନ ହେଲାଣି ମାଲ୍ ଟିକେ ମାରିନୁ ବୋଲି କେମିତି ଶୁଖିଲା ଦିଶୁଛୁ। ଆଜି ପଇସା ନ ଦେଇ ମନ ଭରି ମାଲ୍ ପିଇଦେ। ତୋତେ ନ ଦେଖି ମୋ ମନ ଟା କେତେ ଆଟାପାଟା ହେଉଥିଲା ରେ ମଦନା। କଥା ସରିବା ସହିତ ମଦନା ହାତକୁ ଚାଖଣା ଓ ବୋତଲ ଟେକି ଦେଇ ସେ ନିଜ କାମରେ ମାତିଗଲେ। ଢୋକେ ମଦ ପିଇ ମଦନା ଭାବିଲା-- ଆହା କି ଇଶ୍ବର ପରି ଲୋକ ଏ ଭାଟି ମାଲିକ। କି ସୁନ୍ଦୁରିଆ ରସଗୋଲିଆ କଥା! ଘରେ ମାଇପ ଟା ଫଟା ରେଡୁଓ ପରି ଖଟର ଖଟର ହେଇ କାନ ମୁଣ୍ଡ ଭାଁ ଭାଁ କରିଦେଲାଣି। ଟିକେ ଭଲରେ ମାଲ ନ ଚଢେଇଲେ ନିସ୍ତାର ନାହିଁ। ପେଟେ ମଦ ଟାଙ୍କି ଦେଇ ଟଳମଳ ହୋଇ ସେ ଘରକୁ ଫେରିଲା। ଆଣ୍ଡ୍ରୁଲିନା କବାଟ ପାଖରେ ଜଗି ବସିଥିଲା, କାରଣ ସେ ଲିପଷ୍ଟିକ୍ , ଅତର, ସାମ୍ପୁ ଆଣିବାକୁ ବରାଦ ଦେଇଥିଲା। ମଦନା ର ଟଳମଳ ପାଦ ଦେଖି ସେ ରାହା ଧରି କାନ୍ଦିଲା। ମୁଣ୍ଡ ଉପରେ ହାତ ଥୋଇ କାନ୍ଥରେ ମୁଣ୍ଡ ବାଡେଇଲା। କିନ୍ତୁ ମଦନା ତ ଅଚଳ ମହାମେରୁ, ସେ କୌଣସି ପ୍ରତିକ୍ରିୟା ନ ଦେଖାଇ ଖଟ ଉପରେ ଗଡି ପଡିଲା। ତାକୁ ଉଠାଇବାରୁ କେତେ କଣ ହିନ୍ଦୀ, ଇଂରାଜୀରେ କହି ତକିଆରେ ମୁହଁ ମାଡି ପଡିଲା। ଆଣ୍ଡ୍ରୁଲିନା କି ଛାଡିବାର ଲୋକ! ତା ରକ୍ତରେ ସାଇବ ଗୁଣ ବୋହୁଛି। ପାଠରେ ବି ସେ ମଦନା ଠୁ ଢେର୍ ଆଗରେ। ତିନି ଥର ମେଟ୍ରିକ୍ ରେ ଗୁଡୁମ୍ ମାରିଛି। ହେଲେ କଣ ହେବ, ଏଇ ତିନି ବର୍ଷ ସେଇ ଏକା ପାଠ କୁ ଘୋଷି ବେଶ୍ କିଛି ଜ୍ଞାନ ଲାଭ କରିଛି। ସେ ମଦନା ର ଚୁଟି ଝିଙ୍କି ପଚାରିଲା – ମୋ ଲିପିଷ୍ଟିକ୍ ଅତର କୁଆଡେ ଗଲା। ଏଥର ମଦନା ଚିହିଁକି ଉଠି ତା ମୁଣ୍ଡରେ ଗୋଟାଏ ଖୁନ୍ଦା ମାରିଲା। ବିଚାରି ତଳେ ପଡି ଅଚେତ୍ ହୋଇଗଲା ଓ ତା ପର ଦିନ ସକାଳୁ ତା ଚେତା ଫେରିଲା। କିଛି ଦିନ ଯାଏ ଦୁଇ ପ୍ରାଣୀ ଙ୍କ ଭିତରେ କଥାଭାଷା ବନ୍ଦ ରହିଲା।

ଦିନ କୁ ଦିନ ମଦନା ବେଶି ମଦ ପିଇ ମାତାଲ ହୋଇ ଘରକୁ ଫେରିଲା ଓ ଆଣ୍ଡ୍ରୁଲିନା କୁ ବିଧା, ଗୋଇଠା, ଚାପୁଡା ଆଦିରେ ପୋତି ପକାଇଲା। ସବୁ ଦିନ ରାତିରେ ମଦନା ର ପାଟି ଓ ଆଣ୍ଡ୍ରୁଲିନା ର କାନ୍ଦ ଗାଁଆ ପରିବେଶ କୁ ସରଗରମ କରି ରଖିଥାଏ। ମଦନା ଘରକୁ ଫେରିବା ସାଙ୍ଗକୁ ଗାଁଆ ଲୋକେ ତା ପଛରେ ଲୁଚିଛପି ତା ଘର ପାଖକୁ ଯାଆନ୍ତି। ମାଡଗୋଳ, କନ୍ଦାବୋବା ସରିବା ପରେ ନିଜ ନିଜ ଘରକୁ ଫେରି ଯାଆନ୍ତି। ଦିନ ପରେ ଦିନ ବିତି ଚାଲିଲା। ସେମାନଙ୍କ ଓୌରସରୁ ପୁଅଟିଏ ଓ ଝିଅଟିଏ ଜନ୍ମ ନେଲେ। ସେମାନେ ବି ବଡ ବଡ ହୋଇ ଗଲେଣି। କିନ୍ତୁ ମଦନା ଦିନ କୁ ଦିନ ବେଶି ଉତ୍ପାତ ହେବା ଆରମ୍ଭ କରି ଦେଇଥିଲା। ସବୁ ଦିନ ରାତିରେ ଆଣ୍ଡ୍ରୁଲିନା କୁ ମାରିବା ଓ ପିଲାଙ୍କୁ ଗାଳି ଫଜିତ୍ କରିବା ତାର ନିତି ଦିନିଆ ଅଭ୍ଯାସ ହୋଇ ଯାଇଥିଲା । ସେ ଏବେ କଣ୍ଟ୍ରାକ୍ଟର କାମ କରିବା ଆରମ୍ଭ କରିଦେଇଥିଲା ଓ ବେଶ୍ ପଇସା ରୋଜଗାର ମଧ୍ଯ କରୁଥିଲା। କିନ୍ତୁ ସବୁ ଟଙ୍କା ନିଶା ପାଣିରେ ଉଡି ଯାଉଥିଲା। ତେଣେ ଗୋତ୍ରମାରୁ ମଦନା ର ଏ ଅବସ୍ଥା ଦେଖି, ମଦନା କୁ ତା ମାଇପ ସମ୍ଭାଳି ପାରିଲାନିି ବୋଲି ଢେର୍ ଦିନ ଯାଏ ଗାଁଆ ରେ କହି ବୁଲିଲେ। ଶେଷରେ ଅବଶୋଷରେ ଇହଧାମ ତ୍ଯାଗ କଲେ।

ଦିନେ ସହରରୁ ମଦନା ର ଜଣେ ସାଙ୍ଗ ଓ ତାଙ୍କ ସ୍ତ୍ରୀ ଆସିଥିଲେ। ସ୍ତ୍ରୀ ଲୋକଟି ଆଣ୍ଡ୍ରୁଲିନା ସହ କଥା ହୋଇ ସବୁ ଘଟଣା ଜାଣି ବହୁତ ମନ ଦୁଃଖ କଲା। କାନ ରେ ଫିସଫିସ ହୋଇ କିଛି କହିଲା ଓ ବିଦାୟ ନେଲା ବେଳକୁ କହିଲା-- ଭଉଣୀ ମୁଁ ଯାହା କହିଲି ସେଇଆ କରିବ। ଅସୁବିଧା ହେଲେ ସିଧା ମୋ ପାଖକୁ ଚାଲି ଆସିବ। ଏବେ ବହୁତ୍ ହୋଇ ଗଲା, ଆଉ ଏ ଅନ୍ଯାୟ ସହିବା ଦରକାର ନାହିଁ। ବିରସ ବଦନ ରେ ଶୁଖୁଲା ହସ ଫୁଟାଇ ଆଣ୍ଡ୍ରୁଲିନା ସେମାନଙ୍କୁ ବିଦାୟ ଦେଲା।

ସେଦିନ ରାତିରେ ମଧ୍ଯ ପୁଣି ମଦନା ମାତାଲ ହୋଇ ଆସିଲା ଓ ପିଟାମରା ଆରମ୍ଭ କରିଦେଲା। ପିଲା ମାନେ ଗାଳି ଖାଇ କାନ୍ଦବୋବାଳି ଛାଡିଲେ। ସେମାନଙ୍କ ମୁଣ୍ଡ ଆଉଁସି ଆଣ୍ଡ୍ରୁଲିନା କହିଲା – ପିଲା ମାନେ ଆଜି ରାତି ଟା ସହି ନିଅ। କାଲି ଠାରୁ ଏସବୁ ଜିନିଷ ସବୁ ଦିନ ପାଇଁ ବନ୍ଦ ହୋଇଯିବ। ଢେର୍ ରାତି ଯାଏଁ ଆଣ୍ଡ୍ରୁଲିନା ପିଲାଙ୍କ ସହ କିଛି ଗମ୍ଭୀର ଆଲୋଚନା ରେ ବ୍ଯସ୍ତ ରହିଲା। ତା ପର ଦିନ ସକାଳୁ ପୁଅ ମଦଭାଟିରୁ ତିନୋଟି ବୋତଲ ଧରି ଆସିଲା। ଭାଟି ମାଲିକ ପଚାରିବାରୁ ସେ କହିଲା-- ବାପା ଙ୍କୁ କହିବନି ଏ କଥା। ମାଲିକ ହସି ହସି କହିଲା – ତୁ ଚିନ୍ତା କରନି ରେ ପୁଅ। ଯାହା ବାପ ଚଢେ ଘୋଡା, ପିଲା ଚଢେ ଥୋଡା ଥୋଡା। ତୁ ଆରମ୍ଭ କର୍, ତୋ ପଛରେ ମୁଁ ଅଛି। ସିଧା ମୋ ପାଖକୁ ଆସିବୁ ମାାଲ୍ ନେଇ ଚୁପଚାପ ଚାଲିଯିବୁ। କଥା ଏ କାନ କୁ ସେ କାନ ହେବନି। କିନ୍ତୁ ମନେ ମନେ ସେ ଭାବୁଥିଲା ଏ ତିନି ବୋତଲ କାହା ପାଇଁ? ମଦନାର ମାଇପ ନିଶାପାଣି ଆରମ୍ଭ କରିଦେଲା କି ଆଉ?

ସେଦିନ ରାତିରେ ମଦନା ଭୋଜି ଖାଇବାକୁ ଯାଇଥିଲା। ସାଙ୍ଗସାଥୀଙ୍କ ମେଳରେ ଏତେ ପିଇଲା ଯେ ଘରକୁ ଫେରିବା ମୁସ୍କିଲ୍ ହୋଇଗଲା। ସାଙ୍ଗ ମାନେ ଗାଡି ରେ ଆଣି ତାକୁ ଘରେ ଛାଡି ଦେଇ ଗଲେ। ଘରକୁ ପଶିବା ମାତ୍ରେ ତା ପୂର୍ବ ରୂପ ଫେରି ଆସିଲା। କବାଟ ଖୋଲିବାରେ କାହିଁକି ଡେରି ହେଲା ବୋଲି ସେ ଆଣ୍ଡ୍ରୁଲିନା କୁ ଚାପୁଡେ କଷିଦେଲା। କିନ୍ତୁ କିଛି କ୍ଷଣ ପରେ ତା ଆଖିରୁ ଜୁଳୁଜୁଳିଆ ପୋକ ବାହାରିବା ପରି ଲାଗିଲା। ସେତେବେଳକୁ ଆଣ୍ଡ୍ରୁଲିନା ଗୋଟେ ଚଉକଷିଆ ଚାପୁଡା ମାରି ସାରି ଆଉ ଗୋଟିଏ ଦେବା ପାଇଁ ସଜବାଜ ହେଉଥାଏ। ମଦନା ଚିତ୍କାର କରି କହିଲା-- କଣ ହେଲା, ତୁ ମୋତେ ଚାପୁଡା ମାରିଲୁ?

ଆଣ୍ଡ୍ରୁଲିନା ମଦନିଶା ରେ ଚୁର୍ ଥାଇ କହିଲା-- ଆବେ ଚୁପ୍। ସଟ୍ ଅପ୍, ଇଡିୟଟ୍। କାହାକୁ ଧମକାଉଛୁ। ମୁଁ ବି ମାଲ୍ ପକେଇଛି। ଏଥର ସବୁଦିନ ପକେଇବି। ପିଲା ମାନେ ବି ବୋତଲ ଟେକିଛନ୍ତି। ଆଜି ମାର୍ କାହାକୁ ମାରିବୁ। କିଛି ସମୟ ଭିତରେ ଘର ଭିତରଟା ରଣକ୍ଷେତ୍ର ପାଲଟି ଗଲା। ମାଆ ଛୁଆ ମିଶି ମଦନା କୁ ନଡିଆ କୋରି ପକେଇଲା କୋରି ପକେଇଲେ। ବିଧା, ଗୋଇଠା, ଆଞ୍ଚୁଡା, ଚିମୁଟା, ଖୁନ୍ଦା ମାନ ଅହରହ ବର୍ଷଣ ହୋଇ ଚାଲୁଥିଲା। ଆଣ୍ଡ୍ରୁଲିନା ର ବାଇଶି ମହଣିଆ ବିଧା ଗୁଡାକ ମଦନା ପିଠିରେ ଅହରହ ବର୍ଷି ଚାଲିଥିଲା ଓ ମଦନାର ନିଶ୍ବାସ ବନ୍ଦ ହୋଇ ଯିବା ପରି ଲାଗୁଥିଲା। ବେତାଳ ପିଲା ପରି ଛୁଆ ଦୁଇଟା ମଦନା କୁ ରାମ୍ପୁଡି କାମୁଡି ତାଙ୍କ ପ୍ରତି ହୋଇଥିବା ଅତ୍ଯାଚାର ର ପ୍ରତିଶୋଧ ନେଇ ଚାଲିଥିଲେ। ଏମିତି ଶଣ୍ଢୁଆସି ଆକ୍ରମଣ ର ଶିକାର ହେବ ବୋଲି ସେ ସ୍ବପ୍ନରେ ସୁଦ୍ଧା ଭାବି ନ ଥିଲା। ଶେଷରେ ବିକଳ ହୋଇ ସେ କାନ୍ଦି ବାରେ ଲାଗିଲା ଓ ତାକୁ ଛାଡି ଦେବା ପାଇଁ ନେହୁରା ହେଲା। ତା ମଦନିଶା ସିନା ଉତୁରି ଯାଇଥିଲା କିନ୍ତୁ ଆଣ୍ଡ୍ରୁଲିନା ଓ ପିଲାମାନେ ସେମାନଙ୍କ ନିଶା ଉତୁରିବା ଯାଏ ଛେଚାକୁଟା ଚଳାଇଲେ।

ତତନେଇପୁର ଗାଁଆରେ ମଦନା ଘରେ ଏମିତି ଯେ ଏକ ବିରାଟ ନାଟ୍ଯଲୀଳା ଚାଲିବ ବୋଲି ଲୋକେ ଜାଣିଥିଲେ ଖିଆପିଆ ସାରି ଆସି ଥାଆନ୍ତେ। ଭୋକରେ ପେଟ ଭିତରେ ମୂଷା ଦୌଡିବା ଆରମ୍ଭ କଲେ ବି ଲୋକେ ସେ ସ୍ଥାନ ଛାଡି ଯାଉ ନ ଥାନ୍ତି। କିଛି ସମୟ ପରେ ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଲହୁଲୁହାଣ ଅବସ୍ଥାରେ ମଦନା ବାହାରକୁ ଆସିଲା। ଗାଁଆର ସବୁ ଲୋକଙ୍କ ସାମନା ରେ ଆଣ୍ଡ୍ରୁଲିନା ଓ ପିଲାଙ୍କ ଗୋଡ ତଳେ ପଡି ଭୁଲ ମାଗିଲା। ଜୀବନ ଥିବା ଯାଏଁ କେବେ ନିଶା କରିବନି ବୋଲି ଶପଥ ନେଲା ପରେ ପରିସ୍ଥିତି ଶାନ୍ତ ପଡିଲା। ଗାଁଆ ବରଗଛରେ ଗୋତ୍ରମାରୁଙ୍କ ପ୍ରେତ ର ମନ ନା ଖାଲି ଗୋଳେଇ ଘାଣ୍ଟି ହୋଇ ଯାଉଥାଏ। ଯମରାଜଙ୍କୁ ବହେ ଶୋଧାବକା କରି ସେ କହୁଥାଆନ୍ତି-- ଆଉ କିଛି ଦିନ ମୋତେ ବଞ୍ଚିବାକୁ ଦେଇଥିଲେ ମୁଁ ମଦନା ର ଏ ରୂପ ଦେଖି ବହେ ଖୁସି ହୋଇ ଥାଆନ୍ତି ଓ ମୋ ଧୋତି ର ଗଣ୍ଠି ଟା ଫିଟାଇ ମରି ଥାଆନ୍ତି। ତୁମ ପାଇଁ ମୁ ମଲା ବେଳକୁ ଧୋତି ଗଣ୍ଠିଆ ହେଇ ମଲି।

ଘଟଣା ପରଦିନ ମଦନା ଏକ ଶାନ୍ତଶିଷ୍ଟ ଲାଙ୍ଗୁଡ ବିଶିଷ୍ଟ ପ୍ରାଣୀ ରୂପରେ ରୂପାନ୍ତରିତ ହେଲା। ତାକୁ ଗାଁଆ ଭାଟିର ଆଖ ପାଖ ଦେଇ ଯିବାର କେହି କେବେ ଦେଖୁ ନ ଥିଲେ। ତା ଘରେ ଖୁସି ର ଲହରୀ ଛୁଟିଥିଲା। କିଛି ଦିନ ଉତ୍ତାରୁ ପୁଣି ସେହି ସାଙ୍ଗ ଓ ତାଙ୍କ ସ୍ତ୍ରୀ ଆସିଲେ। ନାରୀ ଜଣକ ଆଣ୍ଡ୍ରୁଲିନା କୁ ପଚାରିଲେ – କଣ ଭଉଣୀ ମୋ ମାତାଲିଜିମ୍ ମେଡିସିନ୍ ଟା କେମିତି କାମ ଦେଲା। କିଛି ବର୍ଷ ତଳେ ଫକିରମୋହନଙ୍କ ପେଟେଣ୍ଟ ମେଡିସିନ ଟା ଭଲ କାମ ଦେଉଥିଲା। କିନ୍ତୁ ସେ ମେଡିସିନ୍ ଖାଇ ଖାଇ ଏ ମଦୁଆ ଗୁଡାକ ଗାଲୁଆ ହୋଇଗଲେ। ତେଣୁ ଏଇ କିଛ ଦିନ ହେଲା ନୂଆ ମାତାଲିଜିମ୍ ମେଡିସିନ୍ ବଜାରକୁ ଆସିଛି। ମାତାଲିଆଙ୍କ ପାଇଁ ଏହା ଏକ ଅବ୍ୟର୍ଥ ଓୌଷଧ।

ଆଣ୍ଡ୍ରୁଲିନା ହସିହସି କହିଲା – ଭଉଣୀ ତୁମ ମାତାଲିଜିମ୍ ମେଡିସିନ ମୋ ପରିବାର କୁ ବଞ୍ଚାଇ ଦେଲା। ନୋହିଲେ ମୁଁ ନିଷ୍ପତ୍ତି ନେଇ ସାରିଥିଲି ୟାଙ୍କୁ ସବୁଦିନ ପାଇଁ ଛାଡି ପିଲାଙ୍କୁ ଧରି ବାପ ଘରକୁ ଚାଲିଯିବା ପାଇଁ।

*****************

ଦହଗଞ୍ଜ କହୁଣୀ ଚିତ୍ରଗୁପ୍ତ

Rate the content


Originality
Flow
Language
Cover design

Comments

Post

Some text some message..