Rasmi Rekha Tripathy

Inspirational Tragedy


3  

Rasmi Rekha Tripathy

Inspirational Tragedy


ବଡ ବଡିଆ ହୋ....

ବଡ ବଡିଆ ହୋ....

3 mins 13.9K 3 mins 13.9K

: ସେ ଶିବର ଫ୍ୟାମିଲି ଆମ ଫ୍ୟାମଲିଟାକୁ ଧ୍ୱଂସ କରିଦେଲା l ମୁନିର କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲା ସୁଧା l  ସଞ୍ଜୀବ୍ ମରିବା ପରେ ପ୍ରଥମ ଥରେ ବୋଧହୁଏ କିଛି କହିଲା ମୁନି : ତା’ର ଦଶ ବର୍ଷର କୁନି ଝିଅ l

       କେତେ ସୁନ୍ଦର ଚାଲିଥିଲା ସେମାନଙ୍କର ଜୀବନ ନୌକାଟି l ସଞ୍ଜୀବ୍ : ଏକ ଭଲ ସ୍ୱାମୀ, ଭଲ ପୁଅ, ଭଲ ଜୋଇଁ, ଭଲ ବାପା ଏବଂ ଅଫିସରେ ଭଲ କର୍ମଚାରୀ l ସବୁ ଭଲ ଭିତରେ ଏମିତି ହଠାତ୍ କଳାବାଦଲଟିଏ ସେମାନଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିଦେବ, ଏ କଥା କେହି କ’ଣ କେବେ ଭାବିଥିଲେ ? ଦୁର୍ଘଟଣା ହୁଏ ବୋଲି ପେପରରେ ପଢୁଥିଲା l ଟି.ଭି.ରେ ଦେଖୁଥିଲା l କିନ୍ତୁ ନିଜ ଜୀବନରେ ଯେତେବେଳେ ଘଟଣାଟି ଘଟିଗଲା, ସେତେବେଳେ ସୁଧା ଉପଲବ୍ଧିର ଉର୍ଦ୍ଧ୍ୱରେ ହୋଇ ଯାଇଥିଲା l ସଞ୍ଜୀବର ଶବ ପାଖେ ପୁଅ ଦୀପୁ ସହ ଅନ୍ୟ ସମସ୍ତେ କାନ୍ଦୁଥିଲେ , କିନ୍ତୁ ମୁନି ଆଖିରେ ଲୁହ ନ ଥିଲା l ସତେ ଯେମିତି ତା’ ବାବା ଶୋଇଛନ୍ତି l ଟିକିଏ ରେଷ୍ଟ୍ ନେବା ପରେ ଉଠି ପଡିବେ l ଏହି ଭାବ ଥିଲା ତା’ ମୁହଁରେ l ନିଜର ଏତେ ଦୁଃଖ ସତ୍ତ୍ୱେ ବି ମୁନି ପାଇଁ ଚିନ୍ତିତ ହୋଇ ପଡୁଥିଲା ସୁଧା l

       ମୃତ୍ୟୁ କ’ଣ ଏମିତି ଆସେ ? ରୋଗବୈରାଗ ନାହିଁ, ଦୁର୍ଘଟଣା ନାହିଁ l ମଣିଷଟେ ମନ୍ଦିରକୁ ଯାଉଛି ମୁଣ୍ଡିଆ ମାରିବା ପାଇଁ l ଆଉ ଫେରୁଛି ଶବଟିଏ ହୋଇ l ମୃତ୍ୟୁ କ’ଣ ଏମିତି ଆସେ ?

       ସେ ଦିନ ଗଣେଶ ପୂଜା l ରାତିରେ ସେମାନେ ବାହାରିବେ ବାଙ୍ଗାଲୋର୍ l ଦୀପୁ ସେଠି ଇଣ୍ଟିଗ୍ରେଟେଡ୍ ଲ ପଢିବ l ତେଣୁ ତା’କୁ  ଛାଡିବା ବାହାନାରେ ବାଙ୍ଗାଲୋର୍ ବି ବୁଲି ଆସିବେ ସମସ୍ତେ l ଶୁକ୍ରବାର l ସନ୍ତୋଷୀ ମାଆ ପୂଜା l ସକାଳୁ ସକାଳୁ ସଞ୍ଜୀବ୍ ମନ୍ଦାର ଫୁଲ ସହ  ଅନ୍ୟ ବହୁତ ପ୍ରକାର ଫୁଲ ଆଣି ଗଦେଇ ଥିଲେ ବାରି ଘରେ l ସବୁ ଦିନ ଭଳି ବାହାରି ଗଲେ ନିକଟସ୍ଥ ଶିବ ମନ୍ଦିରକୁ ମୁଣ୍ଡିଆ ମାରିବେ ଓ ଦୀପୁ ତଥା ମୁନି ପାଇଁ ଜଳଲାଗି କରି ଆସିବେ l କିନ୍ତୁ ମୁଣ୍ଡିଆ ମାରିବା ପରେ ଗୋଟିଏ ଷ୍ଟ୍ରୋକରେ ହିଁ ସେଠି ଟଳି ପଡିଥିଲେ ସିଏ l

       କେମିତି ବାର ଦିନ ଚାଲିଗଲା ଜାଣି ପାରୁ ନ ଥିଲା ସୁଧା l ବାର ଦିନ ତା’କୁ ବାର ବର୍ଷ ପରି ଲାଗୁଥିଲା l କେମିତି କଟିବ ବଳକା ଦିନ ସବୁ ? କେମିତି ମଣିଷ ହେବେ ଦୀପୁ ଆଉ ମୁନି ? ପନ୍ଦର ଦିନ ପରେ ଦୀପୁକୁ ଭଣଜା ସାଙ୍ଗରେ ପଠେଇଦେଲା ବାଙ୍ଗାଲୋର୍ l ବନ୍ଧୁବାନ୍ଧବ ସବୁ ଆସ୍ତେ ଆସ୍ତେ ଚାଲି ଯାଇଥିଲେ l ଘରେ କେବଳ ସେ ଆଉ ମୁନି l ଶୁକ୍ରବାର ଦିନ ଆଗ ଦିନ ଭଳି ପୂଜା କରିବା ପାଇଁ ଆୟୋଜନ କଲା ସୁଧା l ମୁନିକୁ କହିଲା ଫୁଲ ତୋଳି ନେଇ ଆସିବା ପାଇଁ l

       ପ୍ରଥମ ଥର ମୁନି ପ୍ରତିକ୍ରିୟା ପ୍ରଦର୍ଶନ କଲା l ତା’ କଥା ଶୁଣି ସୁଧା ଖୁସି ହେବ ନା ଦୁଃଖ କରିବା ଜାଣି ପାରିଲା ନାହିଁ l ଶିବଙ୍କ ପୁଅ ଗଣେଶ ଓ ଗଣେଶଙ୍କ ଝିଅ ସନ୍ତୋଷୀ ମାଆ l ତା’ ବାବା ଯେଉଁ ଦିନ ମଲେ ସେ ଦିନ ଗଣେଶ ପୂଜା ଓ ଶୁକ୍ରବାର ଥିଲା l ପୁଣି ତା’ ବାବାଙ୍କ ମୃତ୍ୟୁ ହେଲା ଶିବ ମନ୍ଦିରରେ l ଦଶ ବର୍ଷ ଛୁଆଟିର ଏହି ବ୍ୟାଖ୍ୟା ଶୁଣି ଚକିତ ହୋଇଗଲା ସୁଧା l ଛୁଆମାନେ କେତେ ସରଳ l କେତେ ସହଜରେ ଠାକୁରଙ୍କ ପ୍ରତି ସେ ତା’ର କ୍ଷୋଭ ପ୍ରକାଶ କରିଦେଲା l କିନ୍ତୁ ସେ ଚାହିଁଲେ ବି ତା’ ମନରେ ଭୟ , କାଳେ ଠାକୁରେ ଆଉ କିଛି କ୍ଷତି କରି ଦେବେ କି ? ଭକ୍ତି ଯେତିକି ନୁହେଁ, ଶ୍ରଦ୍ଧା ଯେତିକି ନୁହେଁ, ଭୟରେ ହିଁ ସେ ଠାକୁର ପୂଜା କରୁଛି l ମୁନିକୁ ସେ ଠାକୁର ପୂଜା ପାଇଁ ବାଧ୍ୟ ନ କରିବା ନିମନ୍ତେ ନିଷ୍ପତ୍ତି ନେଲା

ସୁଧା l

ସଞ୍ଜୀବଙ୍କ ମୃତ୍ୟୁର ବର୍ଷେ ପର୍ଯ୍ୟନ୍ତ ଘରେ କିଛି ପର୍ବ ପାଳନ କରାଯିବ ନାହିଁ l  ତେଣୁ ସେ ଦୃଷ୍ଟିରୁ ମୁନି ପାଇଁ ଆଉ କିଛି ବ୍ୟସ୍ତ ହେବାର ନ ଥିଲା l କିନ୍ତୁ ଦୀପାବଳି ଦିନ ବଡବଡିଆଙ୍କୁ ଡାଙ୍ଗ ଦେଖେଇ ପରିବାରର ଶୁଭକାମନା କରାଯାଇପାରିବ ବୋଲି ପୁରୋହିତେ କହିଗଲେ l

ସୁଧା ଚିନ୍ତିତ ଥିଲା ମୁନି ପାଇଁ l ଶେଷରେ ସେ ନିଷ୍ପତ୍ତି ନେଲା ମୁନିକୁ କିଛି କହିବ ନାହିଁ l ନିଜେ ହିଁ ବିଧି ପାଳନ କରିବ l

: ମାମା ! ମରିଗଲେ ସମସ୍ତେ କ’ଣ ଠାକୁର ହୋଇଯାଆନ୍ତି ?

ମୁନିର ପ୍ରଶ୍ନରେ ବୁଲି ଚାହିଁଲା ସୁଧା l

: ପୁରୋହିତ ମାମୁଁ କହୁଥିଲେ, ଦୀପାବଳି ଦିନ ଡାଙ୍ଗ ଦେଖେଇଲେ ବାବାଙ୍କ ଆତ୍ମା ଖୁସି ହେବ l ସେ ଆମକୁ ଆଶୀର୍ବାଦ କରିବେ l ସତ ନା ମାମା ? ଲୁହ ଭର୍ତ୍ତି ଆଖିରେ ସମ୍ମତି ସୂଚକ ମୁଣ୍ଡ ହଲେଇଲା ସୁଧା l

ଦୀପାବଳି ଦିନ ସନ୍ଧ୍ୟାରେ ହାତରେ ଡାଙ୍ଗ ଧରି ପୁରୋହିତଙ୍କ ସ୍ୱର ସହ ସ୍ୱର ମିଳେଇ ମୁନି କହୁଥିଲା, ବଡବଡିଆ ହୋ.....


Rate this content
Originality
Flow
Language
Cover Design