Subal Mohapatra

Others


5.0  

Subal Mohapatra

Others


ୱାଟର ରାଇସ ବନାମ ପଖାଳ ଥାଳି

ୱାଟର ରାଇସ ବନାମ ପଖାଳ ଥାଳି

3 mins 4.8K 3 mins 4.8K

ୱାଟର ରାଇସ ବନାମ ପଖାଳ ଥାଳି

ସୁବଳ ମହାପାତ୍ର


ପଖାଳ କଥା ପଡିଲେ ମନେ ପଡେ "ଆଇ" କଥା। ସ୍କୁଲ ରୁ ଫେରି ଆମେ ଦି ଭାଇ ଯେତେ ଖାଇଥିଲେ ବି ଆଇ ର ଅଇଁଠା ହାତ ରୁ ପଖାଳ ଗୁଣ୍ଡେ ଖାଇଦେଲେ ଯେଉଁ ତୃପ୍ତି ମିଳେ , ତାହାର ଲୋଭ ସମ୍ଭାଳି ନପାରି ମା କୁ ଲୁଚେଇ ଲୁଚେଇ ଦି ଗୁଣ୍ଡା ଖାଇଦେଇ , ପାଟି କୁ ଆସ୍ତେ ବୁଲେଇ କେହି ନଦେଖିଲା ପରି ଖେଳ ପଡିଆ କୁ ପଳାଉ।

ଆଇ ର ସେ ବାସି ପଖାଳ କଂସା, ପାଗ (ପୋଡା ବିଲାତି, ପୋଡା ଆଳୁ, ପୋଡା ବାଇଗଣ, କଞ୍ଚାଲଙ୍କା, ରସୁଣ ସହ ଆମ୍ବୁଲ କି ତେନ୍ତୁଳି ଖଟା ଚକଟା), ଖାର ପାଣିଆଁ ଶୁଖୁଆ ଖଣ୍ଡେ ସହ ପିଆଜ ଆଉ ବାଡ଼ି ରୁ ଲଙ୍କା ଖଣ୍ଡେ ସହ ସେ ବସିଯାଏ, ଆଉ ଆମେ ଦି ଭାଇ ତା'ର ଗ୍ରାହକ। ଦିନେ କି ଦି ଦିନର ବାସି ପଖାଳ କୁ ସେ କେମିତି କଣ କରେ ଯେ ଏତେ ସ୍ୱାଦ ଆସେ ଜାଣିନି, କିନ୍ତୁ ସେ ସ୍ୱାଦ କାହିଁ ଆଜି ଯାଏଁ ମୁଁ ଆଉ କେଉଁଠି ପାଇନି।


ଆଜି ପଖାଳ ଦିବସ ରେ ଅଫିସ ଯିବାବେଳେ ଫେସବୁକ ରୁ ପଖାଳ କଂସା ଦେଖି ମନ କ'ଣ ହେଇଯାଉଥାଏ। ଏହା ବୋଧେ ଓଡିଶା ବାହାରେ ଏକୁଟିଆ ରହୁଥିବା ସବୁ ଅବିବାହିତ ଓଡ଼ିଆ ପିଲାଙ୍କର ଦୁଃଖ ଯେ "ପଖାଳ ଗଣ୍ଡେ ଖାଇ ହେବନି"। ଆହୁରି ଭାରତ ର ପଶ୍ଚିମ ଓ ଉତ୍ତର ରେ ରହୁଥିବା ଲୋକଙ୍କ ର ଦୁଃଖ ଯେ ଏଠି ଲୋକ ରୁଟି ଖାଆନ୍ତି। ପଖାଳ ସ୍ୱପ୍ନ।


ଲଞ୍ଚ ରେ ହୋଟେଲ କୁ ଗଲି ଖାଇବା ପାଇଁ I ସବୁଦିନ ପରି ସେ ଥାଳି ଆଉ ଗିନା ତିନୋଟି ଥୋଇ ଦେଇ ଚିରାଚରିତ ଭାବରେ ତିନିପ୍ରକାର ତରକାରୀ, ଡାଲି, ପାମ୍ପଡ, ଲଙ୍କା, ପିଆଜ, ଆଚାର ରୁ ଟିକେ ଥୋଇଦେଇ ଗଲା ରୁଟି ଆଣିବାକୁ I ଆଉ ଜଣେ ଛାସ (ଘୋଳଦହି) ରୁ ଗ୍ଲାସେ ଥୋଇଦେଇ ଚାଲିଗଲା I ଏବେ ଅପେକ୍ଷା ରୁଟି ଆସିବାକୁ I ପାଖରେ ଜଣେ ଗୁଜରାଟୀ ସହକର୍ମୀ I ସାମ୍ନା ଚୌକି ରେ ଦୁଇଜଣ ପୁଅ ଆଉ ଝିଅ ଆସି ବସିଲେ I ପାଖ ଟେବୁଲ ରେ ଦୁଇଜଣ ଖାଇ ସାରିବା ଉପରେ I ସେମାନେ ରୁଟି ଖାଇ ସାରି ଭାତ ଦୁଇ ଚାମଚ ପାଇଁ ଅପେକ୍ଷା କରିଥାନ୍ତି I ଗୁଜରାଟୀ ଲୋକ ଆଗ ତରକାରୀ ସହ ରୁଟି ଖାଇ ସାରି ଚାମଚେ ଭାତ ସହ ଡାଲି ଲଗେଇ ଖାଆନ୍ତି I ମୁଁ ବି ସାତବର୍ଷ ରହିବା ଭିତରେ ବୋଧେ ଗୁଜରାଟୀ ହୋଇ ଯାଇଛି I ଘରକୁ ଗଲେ ଓଡ଼ିଆ ହୋଇଯାଏ ପୁଣି ଏଠିକି ଆସିଲେ ଗୁଜରାଟୀ ହୋଇଯାଏ I ସବୁଦିନ ଲଞ୍ଚ ରେ ଗୁଜରାଟୀ ଥାଳି I ରୁଟି ଖାଇସାରି ଭାତ ଦି ଚାମଚ I


ଏବେ ସେ ପିଲାଟି ଭାତ ଧରି ସେମାନଙ୍କୁ ଦେବା ପାଇଁ ଆସିଲା I ଭାତ ଆଉ ଛାସ (ଘୋଳଦହି) ଏକାଠି ଦେଖି ଆଜି କିଛି ଅଲଗା କରିବା ପାଇଁ ଇଛା ହେଲା I ସେମାନଙ୍କ ଆଗରେ କେମିତି କରିବି? କିଏ କଣ ଭାବିବ? କିଛି ଚିନ୍ତା ବି ମୁଣ୍ଡରେ ନଥିଲା, ଥିଲା ତ ଖାଲି ପଖାଳ ଗଣ୍ଡେ ଖାଇବାର ସ୍ବପ୍ନ I ପିଲାଟିକୁ ଡାକିଲି ଆଉ ଥାଳି ରେ ଭାତ ଦେବା ପାଇଁ କହିଲି I ସେ ଚାମଚେ ଦେଇ ଥରେ ଚାହିଁଲା I ମୁଁ କହିଲି, " ଆଉ.." I ପୁଣି ଦୁଇ ଚାମଚ I ପୁଣି କହିଲି, "ଆଉ.." I ପୁଣି ଦୁଇ ଚାମଚ I ସେ ଅଟକି ଯିବାର ଦେଖି ତା ହାତରୁ ଭାତ ଜାଗା ନେଇ ପ୍ରଥମେ ଅଧା ଭାତ ଢାଳି ଦେଲି ମୋ ଥାଳି ରେ I ଆଉ ଗୋଟେ ଗ୍ଲାସ ଛାସ ଆଣି, ଥାଳିରେ ସବୁଯାକ ଛାସ ଢାଳିବାର ଦେଖି ସେ ପିଲା ସହ ମୋ ସହକର୍ମୀ, ସାମ୍ନାରେ ବସିଥିବା ସେ ପୁଅ ଆଉ ଝିଅ ଆଉ କିଛି ଯିବା ଆସିବା ଲୋକ ବି ଚାହିଁଲେ I ଟିକେ ଲାଜ ଲାଗିଲା I ହେଲେ ପଖାଳ... ପଖାଳ...I କାହାକୁ ନ ଅନେଇ ମୁଁ ଲଙ୍କା ଦଳିଦେଲି ସେଥିରେ I ଆଚାର ବି ମିଶେଇ ଦେଲି ଆଉ ଲୁଣ ପକେଇ ପ୍ରଥମ ଗୁଣ୍ଡା ଟା ପାଟିରେ ପକେଇ ସାରି ଦେଖିଲା ବେଳକୁ, ହୋଟେଲ ଭିତରେ ବାଘ ଦେଖିଲା ପରି ମୋତେ ଅନେଇଥିଲେ ପ୍ରାୟ ଦଶ ବାରଜଣ ଲୋକ I ସାମ୍ନା ରେ ବସିଥିବା ଝିଅଟି କହି ଉଠିଲା, "I know this. This is called as water-rice. ମେରୀ ମମ ୟେ କଭି କଭି ଖାତି ହେ " I ସାହସ ବଢିଯାଇଥିଲା I କହିଲି, " Do you want to try ?", "Sure " କହି ସେ ମୋ ଥାଳି ରୁ ଗୂଂଡେ ନେଇ ପାଟିରେ ପକେଇଲା ଆଉ ଆଙ୍ଗୁଠି ରେ superb ର symbol ଦେଖେଇଲା ବେଳକୁ ମୋତେ ଆଉ ତାକୁ ଦେଖୁଥିବା ଲୋକଙ୍କ ପାଟିରେ ବୋଧେ ଲାଳ ଆସି ସାରିଥିଲା I ସେମାନେ ରୁଟି ସହ ତରକାରୀ ଖାଇବାକୁ ହାତ ବଢା଼ଉଥିଲେ I ମୋ ସହକର୍ମୀ ଆଉ ସେ ଝିଅ ସହ ଥିବା ପିଲାଟି ବି ଚାମଚ ରେ ଚାମଚେ ଚାମଚେ ନେଇ ପାଟି ରେ ପକେଇ ସାରିଥିଲେ I ହଠାତ ଝିଅଟି ପାଟିରୁ ଶୁଣିଲି, "ଭୈୟା, ମେରେଲିଏ ଭି ଐସା ଲେ କେ ଆଓ" I ଶଙ୍କି ଯାଇଥିବା ଛାତିଟା ଗର୍ବ ରେ ଫୁଲି ଉଠୁଥିଲା I ଓଡ଼ିଆ ପଖାଳ ଖିଆଟା ମୋ ପାଖରୁ ଆଉ ଜଣେ ନର୍ଥ ଇଣ୍ଡିଆନ ପାଖକୁ ସଂକ୍ରମିତ ହୋଇ ସାରିଥିଲା I

ପଖାଳ ପାଇଁ ଦିଜଣ ଅପରିଚିତ ଏବେ ସାଙ୍ଗହୋଇ ସାରିଥିଲେ.....

--X--


ସୁବଳ ମହାପାତ୍ର

ଖଲାରୀ, ଅନୁଗୁଳ, ଓଡିଶା

ଦୂରଭାଷ – ୯୩୭୬୦୧୨୫୦୦

ଇମେଲ – subal.mohapatra@gmail.com



Rate this content
Originality
Flow
Language
Cover Design