ମତେ ଆଗକୁଯିବାକୁ ବାଧ୍ୟକଲା ଏଇଘଟଣା
ମତେ ଆଗକୁଯିବାକୁ ବାଧ୍ୟକଲା ଏଇଘଟଣା
ମତେ ଆଗକୁଯିବାକୁ ବାଧ୍ୟକଲା ଏଇ ଘଟଣା ।
ମୁଁ ଗାଁ ରେ ଥାଏ ଓ ହାଇସ୍କୁଲ୍ ରେ ପଢୁଥାଏ । ମୋର ଭାଇ ନଥିବାରୁ ରାଖି ପୁନେଇଁରେ ମନଦୁଃଖ ହୁଏ କିନ୍ତୁ କାହାକୁ ରାଖିବାନ୍ଧି ମୁହଁ ବୋଲା ଭାଇ କରିନି । ସାଙ୍ଗ ସାଥୀରେ ଓ ପାଖ ପଡିଶାରେ ମତେ ଓ ମୋ ବାପା ବୋଉଙ୍କ ସହ ଅନ୍ୟ ୪ ଭଉଣୀଙ୍କୁ ସର୍ବଦା ହୀନମନ୍ୟତାର ଶୀକାର ହେବାକୁ ପଡେ । ମୁଁ ମନେ ମନେ ପ୍ରତିବାଦ କରେ କିନ୍ତୁ କିଛି କହି ପାରେନି କି କରି ପାରେନି ।
କିନ୍ତୁ ମୋ ଭିତରେ ଗୋଟିଏ ପ୍ରତିବଦ୍ଧତା ଧିରେଧିରେ ମୁଣ୍ଡଟେକୁଥାଏ ଯେ ପୁଅ ଥିବା ବାପ ମା ଯେମିତି ନିଜକୁ ଧନ୍ୟମନେ କରୁଛନ୍ତି ଓ ଗର୍ବ ଅନୁଭ ବ କରୁଛନ୍ତି ଝିଅର ବାପା କାହିଁକି ନୁହେଁ ???
ଛୋଟ ମୁଣ୍ଡରେ ଏଇ ପ୍ରଶ୍ନ ବାରବାର ଆସେ । ପୁଅଥିବା ବାପା ମା କଣ ପାଇଁ ଗର୍ବିତ ,ତାର କାରଣ ଖୋଜେ ମଧ୍ୟ ।
ସ୍କୁଲରେ ସବୁ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓ ବାର୍ଷିକ କ୍ରୀଡାରେ ଭାଗନିଏ । ନିଜକୁ ପୁଅଭଳି ଯୋଗ୍ୟର କରି ବାପ ମା ଙ୍କର ଗୌରବ ରଖିବାକୁ ମନପ୍ରାଣ ଦେଇ ଚେଷ୍ଟାକରେ ।
ମୋ ମାଉସୀର ୫ ପୁଅ ଥାନ୍ତି । ମଉସା ଚାଷବାସ କରନ୍ତି ଓ ପରିବାର ଚଳେଇ ତାଙ୍କୁ ପାଠ ପଢେଇବା କଷ୍ଟହୁଏ । ସେ ଭାଇମାନେ ମଝିରେ ମଝିରେ ଆମ ଘରକୁ ଆସି ବୋଉପାଖରୁ କିଛି ଆର୍ଥିକ ସାହାଯ୍ୟ ନିଅନ୍ତି ।ବାପା କଲିକତାରେ ରେଲଓ୍ବେରେ ଚାକିରୀ କରୁଥିଲେ ତେଣୁ ବୋଉ ପୁତୁରାକୁ କିଛି ପଇସା ସବୁ ମାସରେ ଦିଏ ପାଠପଢା ପାଇଁ । ଥରେ ମାଉସୀ ବୋଉକୁ କହିଲା; ମୋ ପୁଅରୁ ଜଣକୁ ନେଇ ପୁଅକରି ରଖ । ତୋରତ ୫ ଝିଅ ,ପିଣ୍ଡପାଣି ଦେବାକୁ ପୁଅଟିଏ ଦରକାର । ବୋଉ କୌଶଳକ୍ରମେ ଏଇ ପ୍ରସ୍ଥବକୁ ଏଡେଇଗଲା ।ମାଉସୀର ବୋଉ ଉପରେ ରାଗହେଲା ।ଥରେ ମାଉସୀର ଗୋଟିଏପୁଅ (ରାଉରକେଲାରେ ତାଙ୍କ ବଡବାପା ପାଖେ ରହୁଥିଲା)ଗାଁ କୁ ଆସି ଆମଘରକୁ ଆସିଥିଲେ । ସେତେବେଳେ ରାଖି ପୁନେଇଁ ହୋଇଥାଏ ।ସେ କହିଲେ ମତେ ରାଖି ବନ୍ଧି ଦେ ।ମୁଁ ମନାକଲି କାରଣ ବୋଉ କହିଲା 'ବଡଘର ଝୁଅ ଚାଉଳ ଚୋବେଇଲେ ,ସମସ୍ତେ କହିବେ ଖୁସିରେ ଚୋବୋଉଚି।ଗରୀବଘର ଝୁଅ ଚାଉଳ ଚୋବେଇଲେ ସମସ୍ତେ କହିବେ ,ଭୋକରେ ଚୋବୋଉଚି । ସେମିତି -ଯାହାର ଭାଇଅଛି ସେ ଦିଗଣ୍ଡା ଧରମ ଭାଇ କଲେ କେହିକିଛି କହିବେ ନାହିଁ ,ଯାହା ଭାଇନାହିଁ ସେ କାହାକୁ ରାଖି ବାନ୍ଧିଲେ କହିବେ ନିଜର ଭାଇନାହିଁ ବୋଲି ବାନ୍ଧୁଚି ।
ସେ ଭାଇ ବହୁତ କାନ୍ଦିଲେ ମାଉସୀ ମତାପର ଭାବୁଚି କହି । ତା ପରେ ବୋଉ କହିଲା ,ହଉ କହୁଚିତ ବାନ୍ଧି ଦେ ' ।
ସେ ଭାଇଙ୍କୁ ତା "ପର ବର୍ଷ ଡାକରେ ରାଖି ପଠେଇଦେଲି ,ଏକଥା ବଡ ଭାଉଜ ଦେଖି କେଁ"ବାହାର କଲା ।ମୁଁ କିନ୍ତୁ ସବୁ ଭାଇଙ୍କ ପାଇଁ ପଠାଇଥିଲି ।ମାଉସୀ ପାଖରେ ଖବର ପହଁଚିଲା ଓ ସେ ମୋ ବୋଉକୁ ଘରକୁ ଡାକି ଅପମାନିତ କରି କହିଲା 'ପୁଅ ଯେବେ ଛୋଟ ହେଇଥିଲା କହିଲି ନେଲୁନାହିଁ ,ବଡ ହୋଇଗଲାରୁ ଝିଅକୁ ଶିଖେଇ ମୋ ପୁଅକୁ ନେବାକୁ ଚେଷ୍ଟା କରୁଚୁ !ଏକଥା ଶୁଣି ବୋଉ ଘରକୁ ଆସିଲା ଏବଂ ମୁଁ କଣହେଲା ପଚାରିବାରୁ ମତେ ଝାଡୁରେ ପାହାରେ ଦେଲା । କହିଲା ମୋର ପୁଅ ଦରକାର ନାହିଁ ,ତୁ ଆଜିଠୁ ତାଙ୍କ ସହ ସମ୍ପର୍କ ରଖିବୁ ନାହିଁ । ସେ ସମ୍ପର୍କ ସେଇଠୁ କଟିଲା ଏବଂ ପୁଅଭଳି ବାପାମା ଆଙ୍କ ଦାୟୀତ୍ୟନେବା ନିଜେ ଜଣେ ଲେଖିକା,ସଂମ୍ପାଦିକା ଓ ପ୍ରକାଶିକାଭାବେ ପ୍ରତିଷ୍ଠାକରି ମୁଁ ମୋ ବାପା ବୋଉଙ୍କ ନାମ ରଖିଚି । ସାନ ଭଉଣୀକୁ ଘରଜ୍ବାଇଁକରି ରଖି ବାପା ବୋଉଙ୍କ ଶେଷ ସମୟ ବହୁତ ଭଲରେ ସରିଚି । ଯେଉଁ ମାଉସୀ ବା ପଡିଶାଘର ଲୋକ ପୁଅ ଥିବାର ଗର୍ବକରୁଥିଲେ ଶେଷ ସମୟରେ ବହୁ ଦୁର୍ଦଶାର ସମ୍ମୁଖୀନହୋଇ ମୃତ୍ୟୁ ବରଣ କରିଛନ୍ତି । ପୁଅମାନେ ବାପମା ଙ୍କୁ ଭାଗ କରିଦେଇଛନ୍ତି ମୁଁ ଦେଖିଛି ।
ସେଇମାନଙ୍କର ତାତ୍ସଲ୍ୟ,ଘୃଣା ଓ କଟାକ୍ଷ ମତେ ସମାଜରେ ସ୍ବତନ୍ତ୍ର ପରିଚୟର ଅଧିକାରୀ କରିଛି । ସେଇ ଘଟଣା ମୋ ମନରେ ଦୃଢତାଦେଇ ମୋ ଭାଗ୍ୟ ବଦଳେଇ ଦେଇଚି ।
*****:
ବାସନ୍ତୀ ଦାସ,ସଂ-ଶିଳାଶ୍ରୀ କବିତାୟନ,ଭୀମଟାଙ୍ଗୀ-୧,ପ୍ଲଟ୍ ନଂ -୨୩୮୦,ଭୁବନେଶ୍ବର-୨
ମୋ-୯୮୫୩୯୯୩୯୯୩,୮୨୪୯୦୦୫୬୯୩,
email:basanti.das91@yahoo.com