Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

sushama Parija

Inspirational Others

3  

sushama Parija

Inspirational Others

ଭିନ୍ନ ଏକ ଶ୍ରବଣକୁମାର

ଭିନ୍ନ ଏକ ଶ୍ରବଣକୁମାର

5 mins
593



କଥାରେ ଅଛି ଛେଳି ମାନଙ୍କ ଯୁଦ୍ଧ, ଋଷି ମାନଙ୍କ ଶ୍ରାଦ୍ଧ, ସକାଳୁଆ ବିଜୁଳି ଘଡଘଡି ଆଉ ଦାମ୍ପତ୍ୟ କଳହ, ଏସବୁ କଥା ସାଧାରଣ ଏବଂ କ୍ଷଣସ୍ଥାୟୀ, ମାତ୍ର ବେଳେବେଳେ ଏଇ ସବୁ ଛୋଟ ଛୋଟ ସାଧାରଣ କଥା ବିରାଟ ଆକାର ଧାରଣ କରି ଜୀବନର ଗତିପଥକୁ ବଦଳାଇ ଦେଇଥାଏ । ଏଇ ଯେମିତି ଘଟିଥିଲା ମଧ୍ୟପ୍ରଦେଶର ଇନ୍ଦୋର ନିକଟବର୍ତ୍ତୀ ଦତୌଦା ଗ୍ରାମ ନିବାସୀ ଜୈତରାମ୍ ଆଉ କୋଶଲ୍ୟାଙ୍କ ଜୀବନରେ।


ଜୈତରାମ୍ ଥିଲେ ଜଣେ କ୍ଷୁଦ୍ର ଚାଷୀ । ସ୍ତ୍ରୀ କୌଶଲ୍ୟା ଆଉ ତିନି ବର୍ଷ ର ପୁଅ ବାଳକୃଷ୍ଣ, ଆଠମାସର ଝିଅ ମଞ୍ଜୁ କୁ ନେଇ ତାଙ୍କର ଛୋଟ ପରିବାର । ଚାଷବାସ ରୁ ଯାହା ଆୟ ହୁଏ ସେତକ ସଂସାର ଚଳେଇବାକୁ ଯଥେଷ୍ଟ ହୁଏନାହିଁ, ତେଣୁ ପରିବାର ରେ ସବୁବେଳେ ଅଭାବ ଅନାଟନ ଲାଗି ରହିଥାଏ । ଅଭାବରୁ ସ୍ୱଭାବ ନଷ୍ଟ ହେଲା ପରି ନିଅଣ୍ଟ ପଡିଲା ବେଳେ ସ୍ୱାମୀ ସ୍ତ୍ରୀ ଦୁହିଁଙ୍କ ମଧ୍ୟରେ କଳି ଗୋଳ ଲାଗେ । ସେଦିନ ରାତିରେ ସେମିତି କଳିଗୋଳ ଲାଗିଥିଲା, ଦୁହିଁଙ୍କ ଭିତରେ ପାଟିତୁଣ୍ଡ, ହୋ ହଲ୍ଲା ଚାଲିଥାଏ, କଥା ବଢି ବଢି ଏତେ ବାଟ ଗଲା ଯେ ଜୈତରାମ୍ ମୁଣ୍ଡ କୁ ପିତ୍ତ ଚଢିଗଲା ଆଉ ସେ ଘର କୋଣରେ ଥୁଆହୋଇଥିବା ବାଡିଟିଏ ଉଠେଇ ଆଣି କପା ବାଡେଇଲା ଭଳିଆ ପିଟି ଦେଇଗଲା କୌଶଲ୍ୟାକୁ । ମାଡ ଖାଇ ଖାଇ କୌଶଲ୍ୟା ବେହୋସ ହୋଇଗଲା, ତେବେ ବି ରାଗ କମିଲା ନାହିଁ ଜୈତରାମର । ଆଉ କୌଶଲ୍ୟା ର ମୁହଁ ଚାହିଁବ ନାହିଁ ବୋଲି ପଣ କରି ରାଗରେ ଏକମୁହାଁ ହୋଇ କୁଆଡେ ବାହାରିଗଲା ଘରୁ । 


ରାତି ପାହି ସକାଳ ହେଲା, କୌଶଲ୍ୟା ର ଚେତା ଫେରିଲା, ସେ ବିଛଣାରୁ ଉଠି ଦେଖିଲା ଜୈତରାମ୍ ନାହିଁ, ପିଲା ଦୁଇଜଣ ଶୋଇ ରହିଛନ୍ତି ତା’ପାଖରେ । ସେ ନିଜକୁ ସଜାଡି ବିଛଣାରୁ ଉଠିଲା, ଗତ ରାତିରେ ଜୈତରାମର ବାଡିର ମାଡରେ ତା’ର ଦେହ ହାତ ଫାଟି ଯାଇଥିଲା, ଶରୀରଟା ଦରଜରେ ଭରିଯାଇଥିଲା, କଷ୍ଟେ ମଷ୍ଟେ ସେ ଘୋଷାରି ହୋଇ ନିତ୍ୟକର୍ମ କରିବାକୁ ଗଲା। ସେଠାରୁ ଫେରିବା ବେଳକୁ ମଧ୍ୟ ଜୈତରାମ୍ ଘରକୁ ଫେରି ନଥିଲା । ସେ ଭାବିଲା ଜୈତରାମ୍ ବୋଧହୁଏ ବିଲ ଆଡେ ଯାଇଛି, ରାଗରୁଷା ଯୋଗୁଁ ଜାଣି ଜାଣି ଡେରି କରୁଛି । ଜୈତରାମ୍ ଉପରେ ଭାରି ରାଗ ଆସୁଥିଲା କୌଶଲ୍ୟାର , ତା’କୁ ଠେଙ୍ଗାଧରି ଗାଇ ଗୋରୁ ଭଳି ପିଟି ପିଟି ଦରମରା କରି ପକେଇ ଦେଇ ଯାଇଛି , ମଲା କି ବଞ୍ଚିଲା ପଚାରିବାକୁ ମଧ୍ୟ ଆସୁନି, କେମିତିଆ ମରଦଟେ କେଜାଣି, ଆଜି ଆସୁ, ତା’କୁ ଭଲକରି ଶୁଣେଇଦେବ ବୋଲି ମନେ ମନେ ଭାବି , ରୋଷେଇବାସ କରି ପିଲାଙ୍କୁ ଖୁଆଇଲା , ନିଜେ ରାଗ ଗରଗର ହୋଇ ବସି ରହିଲା ।


 ଦି’ପହର ଯାଇ ସଞ୍ଜ ଗଡି ଗଲା ତଥାପି ଜୈତରାମ୍ ଫେରିଲାନି , ସେଇଠୁ କୌଶଲ୍ୟାର ମୁଣ୍ଡକୁ ତେନ୍ତୁଳିଆ ବିଛା କାମୁଡିଲା , ସେ ନିଜେ ଯାଇ ବିଲ ଆଡେ ଖୋଜିଲା ଜୈତରାମକୁ, ସାଇଭାଇ ସମସ୍ତଙ୍କୁ ପଚାରିଲା, କେହି କାଳେ ଦେଖି ଥିବେ ଜୈତରାମକୁ, ସେଠାରୁ ମଧ୍ୟ ନିରାଶ ହେଲା । ବନ୍ଧୁ ବାନ୍ଧବ ବୋଲି କେହି ନଥିଲେ ସେମାନଙ୍କର , ତଥାପି ପାଖ ପଡୋଶୀ, ଲେଖାଯୋଖା ଯିଏ ଯେଉଁଠି ଥିଲେ , ସେଠାରୁ ଖବର ପଚାରି ବୁଝିଲା, ତେବେ ବି କୌଣସି ସନ୍ଧାନ ମିଳିଲାନି ଜୈତରାମର। କାନ୍ଦି କାନ୍ଦି ନୟାନ୍ତ ହେଲା, ପଡୋଶୀ ମାନଙ୍କୁ ସାଥିରେ ଧରି ଥାନା, ପୋଲିସରେ ରିପୋର୍ଟ ଲେଖାଇଲା, ବାବୁ ମାନଙ୍କ ପାଦରେ ନେହୁରା ହୋଇ କହିଲା ତାଙ୍କୁ କେଉଁଠୁ ହେଲେ ବି ଖୋଜି ବାହାର କରି ଆଣ , ଯାହା ଖର୍ଚ୍ଚ ହେବ ମୁଁ ଦେବି । ହେଲେ କୌଣସି ଫଳ ମିଳିଲାନି, ସମସ୍ତେ କହିଲେ “ ଜୈତରାମ୍ ପତ୍ନୀର କଟୁବାକ୍ୟ ସହି ନପାରି ଆତ୍ମହତ୍ୟା କରି ଦେଇଛି “। କୌଶଲ୍ୟା ଯେତେ ନିଜର ନିର୍ଦ୍ଦୋଷ ପଣିଆ ସାବ୍ୟସ୍ତ କରିବାକୁ ଚାହିଁଲା, ସେତେ ଅଧିକ ବଦନାମ୍ ହେଲା। ତା’ର କିନ୍ତୁ ମୋଟେ ବିଶ୍ୱାସ ହେଉ ନଥିଲା ଯେ ଜୈତରାମ୍ ଆତ୍ମହତ୍ୟା କରିଛି,କାରଣ ସେ ଜାଣିଥିଲା ସ୍ୱଭାବରେ ରାଗୀ ହୋଇଥିଲେ ମଧ୍ୟ ଜୈତରାମ୍ ତା’କୁ ଆଉ ତା’ର ପିଲାମାନଙ୍କୁ ଖୁବ୍ ଭଲପାଏ । ତାଙ୍କୁ ଦୁନିଆରେ ଏକା ଛାଡିଦେଇ ସେ ମରି ପାରିବନି । ଏମିତି ଆଗରୁ କେତେଥର କୌଶଲ୍ୟାକୁ ମାର ପିଟ୍ କରିଛି ସେ, ହେଲେ ଘର ଛାଡ଼ି ଯାଇ ନଥିଲା କେବେ, ଦିନେ ଦୁଇଦିନ ରାଗରୁଷା ରହେ ପୁଣି ଧୀରେ ଧୀରେ ମିଳେଇ ଯାଏ। 

ଏଥରକ କିନ୍ତୁ ସୀମା ଟପି ଯାଇଛି ସବୁର ।


ଚାରି ପାଞ୍ଚ ଦିନ ହେଲା ସେ ସେମିତି ଖାଡାଖାଡା ଉପାସ ବସିଛି, ପିଲା ଦୁଇଟିଙ୍କୁ ଯାହା ଘରେ ଥିଲା ସେଇ ଜିନିଷକୁ ଦେଇଛି ଖାଇବାକୁ, ଏବେ ଆଉ କିଛି ନାହିଁ ଘରେ, ଛୁଆ ଦିଇଟା ଖାଇବାପାଇଁ ଡହକବିକଳ ହେଲେଣି । ଆଉ ସହି ପାରିବ ନାହିଁ ସିଏ । ପଡିଶା ଘର ଲକ୍ଷ୍ମୀ ଦିଦିକୁ ଚୁଡା ତାଟିଆଏ ମାଗି ପିଲାଙ୍କୁ ଖାଇବାକୁ ଦେଇ କାମ ଖୋଜିବାକୁ ବାହାରିଗଲା କୌଶଲ୍ୟା। ପୁଅ ବାଳକୃଷ୍ଣକୁ ଘରେ ଜଗାଇ ଦେଇଗଲା ମଞ୍ଜୁକୁ। ନିଜେ ଅଣ୍ଟାରେ ଲୁଗା ଭିଡିଲା ଦୁଇ ଦୁଇଟି ଛୁଆଙ୍କୁ ମଣିଷ କରିବା ଲାଗି । କ୍ଷେତରେ କାମ କଲା , ପରଘରେ ବାସନମାଜି, ଝାଡୁପୋଛା କରି ପିଲାମାନଙ୍କୁ ପାଳିଲା ପୋଷିଲା , ନିଜେ ଚଳିଲା । ସେଇ ଭିତରେ ବି ସେ ଜୈତରାମ୍ କୁ ଖୋଜିବା ଜାରି ରଖିଥିଲା । ପୁଅ ଝିଅଙ୍କୁ ସାଥିରେ ଧରି ଯେଉଁଠି ମେଳା ମଉଛବ ଲାଗୁଥିଲା ସେଠିକି ଛୁଟି ଯାଉଥିଲା ଜୈତରାମକୁ ଖୋଜିବାପାଇଁ ।

ଦିନ ବର୍ଷ ରେ ପରିଣତ ହୋଇ ଆଗେଇ ଚାଲିଥିଲା, ପିଲାମାନେ ପାଠଶାଠ ପଢି ବଡ ହୋଇ ଯିଏ ଯାହାର ସଂସାର କରିଥିଲେ, ହେଲେ କୌଶଲ୍ୟା ର ଅପେକ୍ଷା ଶେଷ ହେଉ ନଥିଲା ।


 କୌଶଲ୍ୟାର ପୁଅ ବାଳକୃଷ୍ଣ ହେତୁ ହେଲାଦିନୁ ମାଆର ଜୀବନ ସଂଗ୍ରାମ ଦେଖୁଥିଲା । ମାଆର ଦୁଃଖ କଷ୍ଟ ଦେଖି ଦେଖି ଖୁବ୍ ଦୁଃଖିତ ହେଉଥିଲା, ମନେ ମନେ ପଣ କରୁଥିଲା ଯେ ବଡ ହେଲେ ଯେକୌଣସି ପ୍ରକାରେ ହେଉ ଖୋଜି ବାହାର କରିବ ତା’ର ବାପାଙ୍କୁ। ମାଆକୁ ବାପାଙ୍କୁ ଫେରାଇ ଦେଇ ସେ ମାତୃଋଣ ଶୁଝିବ। ସେଥିପାଇଁ ମାଟ୍ରିକ୍ ପଢିଲା ଦିନୁ ସେ ତା’ର ଚେଷ୍ଟା ଆରମ୍ଭ କରି ଦେଇଥିଲା । ନିଜର ଚିହ୍ନା ପରିଚିତ ଲୋକ, ସାଙ୍ଗସାଥିଙ୍କ ପରିବାର ଆଉ ସେମାନଙ୍କ ବନ୍ଧୁ ବାନ୍ଧବ ମାନଙ୍କୁ ତା ବାପାଙ୍କ ହୁଲିଆ ବତେଇ କହୁଥିଲା ଏମିତି ଲୋକଟିର ସନ୍ଧାନ ମିଳିଲେ ତା’କୁ ଜଣାଇବା ଲାଗି। 

ଧୀରେ ଧୀରେ ସମୟ ଗଡି ଚାଲିଥିଲା, ସମୟ ସହିତ ତାଳ ଦେଇ ଯୁଗ ବି ବଦଳି ଚାଲୁଥିଲା,ଟେଲିଫୋନ୍, ଟେଲିଗ୍ରାମ୍ ବଦଳରେ କମ୍ପ୍ୟୁଟର ଆସିଗଲା, ତା’ ସହିତ ଅନ୍ୟାନ୍ୟ ସୋସିଆଲ୍ ମିଡ଼ିଆବି। ବାଳକୃଷ୍ଣ ଏବେ ତା’ର ବାପା ଙ୍କର ଫଟୋ ଉଠାଇ ସବୁ ସୋସିଆଲ୍ ମିଡିଆରେ ଦେଇଦେଲା, ମନ୍ଦିର ଆଉ ଆଶ୍ରମ ମାନଙ୍କୁ ପଠାଇଦେଲା , ଖୁବ୍ ଭଲ ପରିଣାମ ଆସୁଥିଲା ଏଥର। ବିଭିନ୍ନ ସମୟରେ ବିଭିନ୍ନ ଜାଗାରୁ ଖବର ଆସୁଥିଲା ବାଳକୃଷ୍ଣ ପାଖକୁ, ଏମିତି ଚେହେରା ର ଲୋକ ଟିଏ ଏଠି ଦେଖିଥିଲୁ, ସେଠି ଦେଖିଥିଲୁ ବୋଲି। ବାଳକୃଷ୍ଣ ଦୌଡି ଯାଉଥିଲା ସେଇ ସବୁ ସ୍ଥାନକୁ । କେଉଁଠି ଲୋକଟି ଅଲଗା ଥିଲା ତ କେତେବେଳେ ଲୋକଟି ସେଇ ସ୍ଥାନ ଛାଡି ଦେଇଥିଲା, ଏମିତି ନିରାଶ ହୋଇ ଫେରୁଥିଲା ସେ। ତଥାପି ଈଶ୍ବରଙ୍କ ଉପରେ ଭରସା ରଖିଥିଲା ଦିନେ ନା ଦିନେ ତା’ର ବାପା ନିଶ୍ଚୟ ମିଳିବେ ବୋଲି । 


କଥାରେ ଅଛି ନିଷ୍ଠାର ସହିତ ପରିଶ୍ରମ କଲେ ସେ ପରିଶ୍ରମ କେବେ ବ୍ୟର୍ଥ ଯାଏନା । ଏବେ ସେମିତି ଗୋଟିଏ ଘଟଣା ଘଟିଲା ବାଳକୃଷ୍ଣ ସହିତ। ଗତ ଏପ୍ରିଲ ମାସ ଏକ ତାରିଖରେ ବାଳକୃଷ୍ଣଙ୍କର ଜଣେ ବନ୍ଧୁ ଖବର ଦେଲେ ଯେ ଜୈତରାମଙ୍କ ଚେହେରା ସହିତ ମେଳ ଖାଉଥିବା ଜଣେ ଲୋକଙ୍କୁ ସେ ଦେଖିଲେ ଖଟ୍ଟୁରାମ ମନ୍ଦିରରେ। ଖବର ପାଇ ତୁରନ୍ତ ଦୌଡିଗଲେ ବାଳକୃଷ୍ଣ ହେଲେ ସେତେବେଳକୁ ବିଳମ୍ବ ହୋଇ ଯାଇଥିଲା, ସେ ଲୋକ ଜଣକ ମନ୍ଦିର ରୁ କୁଆଡେ ଚାଲି ଯାଇଥିଲେ । ନିରାଶ ହୋଇ ଫେରିଲେ ବାଳକୃଷ୍ଣ । ଏବେ ସେ ଆଉ ଟିକିଏ ସଜାଗ ହେଲେ, ଯିଏ ତାଙ୍କୁ ଖବର ଦେଉଥିଲେ ,ସେମାନଙ୍କୁ ହ୍ୱାଟ୍ସ ଅପ୍ ରେ ତୁରନ୍ତ ଫଟୋଟିଏ ପଠାଇବା ପାଇଁ ଅନୁରୋଧ କରୁଥିଲେ । ପୁରାପୁରି ନିଶ୍ଚିତ ହେଲେ ସେ ବାହାରୁଥିଲା ଘରୁ। ଏପ୍ରିଲ୍ ଚାରି ତାରିଖ ରେ ଜଣେ ଅଜଣା ବ୍ୟକ୍ତି ଫୋନ୍ କଲେ ଆପଣଙ୍କ ବାପାଙ୍କ ଭଳି ଚେହେରା ଥିବା ଜଣେ ଲୋକ ମନ୍ଦିର ସମ୍ମୁଖରେ ଛିଡା ହୋଇଛନ୍ତି । ସେ ତୁରନ୍ତ ସେଇ ଲୋକଟିର ଫଟୋ ଆଉ ଭିଡିଓ ଟିଏ କରି ଅପ୍ ଲୋଡ୍ କରିଦେଲେ ହ୍ୱାଟ୍ସଆପରେ। ବାଳକୃଷ୍ଣ ଏଥର ଠିକ୍ ଚିହ୍ନି ପାରିଲେ ତାଙ୍କ ବାପାଙ୍କୁ, ସଂପୃକ୍ତ ଭଦ୍ରଲୋକଙ୍କୁ ସେଇ ଲୋକ ଟିକୁ କିଛି ସମୟ କୌଣସି ପ୍ରକାର ଅଟକାଇ ରଖିବାକୁ ଅନୁରୋଧ କରି ବାଳକୃଷ୍ଣ ଟ୍ୟାକ୍ସି ଟିଏ କରି ମାଆଙ୍କୁ ସାଥିରେ ନେଇ ପହଞ୍ଚି ଗଲେ ସେଇ ସ୍ଥାନରେ।


ଦୀର୍ଘ ଅଠେଇଶି ବର୍ଷ ପରେ ହେଲେ ମଧ୍ୟ କୌଶଲ୍ୟା ନିଜର ସ୍ୱାମୀଙ୍କୁ ଠିକ୍ ଚିହ୍ନି ପାରିଲେ । କାନ୍ଦି କାନ୍ଦି ଲୋଟିଗଲେ ତାଙ୍କର ପାଦତଳେ, ନିଜର ସବୁ ଦୋଷ ପାଇଁ ବାରମ୍ବାର କ୍ଷମା ମାଗି ବହୁତ କଷ୍ଟ ରେ ମନେଇଲେ ତାଙ୍କର ଋଷିଥିବା ସ୍ୱାମୀଙ୍କୁ। ଦୀର୍ଘ ଦିନ ପରେ ନିଜର ସ୍ତ୍ରୀ ଆଉ ପୁଅକୁ ସାମ୍ନାରେ ଦେଖି ନିଜକୁ ଆଉ ରୋକିବାକୁ ପାରିଲେନି ଜୈତରାମ୍ । ସବୁ ରାଗ ତାଙ୍କର ଲୁହ ହୋଇ ବୋହିଗଲା । ସ୍ୱାମୀ, ସ୍ତ୍ରୀ ,ବାପ ପୁଅଙ୍କର ଅପୂର୍ବ ମିଳନ ଦେଖି ସମସ୍ତେ ତଟସ୍ଥ ହୋଇ ଚାହିଁ ରହିଥିଲେ । ସମସ୍ତେ ଧନ୍ୟ ଧନ୍ୟ କରୁଥିଲେ ବାଳକୃଷ୍ଣଙ୍କୁ, ଏ ଯୁଗର ଆଉ ଜଣେ ଶ୍ରବଣକୁମାର ବୋଲି କହି ପ୍ରଶଂସା କରୁଥିଲେ ହେଲେ ବାଳକୃଷ୍ଣ ଧନ୍ୟବାଦ ଦେଉଥିଲେ ହ୍ୱାଟ୍ସ ଅପ୍ ସୋସିଆଲ୍ ମିଡ଼ିଆକୁ , କାରଣ ସୋସିଆଲ୍ ମିଡିଆର ସାହାଯ୍ୟ ମିଳିନଥିଲେ କସ୍ମିନ୍ କାଳେ ସେ ତାଙ୍କ ବାପାଙ୍କୁ ଖୋଜି ପାଇ ନଥାନ୍ତେ ବୋଲି କହିଥିଲେ । ଏହି ଅଭାବନୀୟ ସମ୍ବାଦ ଟି ଦେଶର ସବୁ ପ୍ରମୁଖ ସମ୍ବାଦପତ୍ରରେ ପ୍ରକାଶିତ ହୋଇଥିଲା ଏବଂ ସୋସିଆଲ୍ ମିଡ଼ିଆର ସଦ୍ ଉପଯୋଗ କିଭଳି ଅସମ୍ଭବ କୁ ସମ୍ଭବ କରିପାରେ ତାହା ପ୍ରତିପାଦିତ କରିଥିଲା।



Rate this content
Log in

Similar oriya story from Inspirational