Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Abhiram Mandal

Inspirational

2  

Abhiram Mandal

Inspirational

ଚାକିରୀ

ଚାକିରୀ

8 mins
487


ହିଡ଼ ମୁଣ୍ଡେ ବସିଥିଲା ରାଜୁଆ । ମନଟା ତାର ଭଲ ନଥାଏ । ମୁହଁ ଚିନ୍ତାଗ୍ରସ୍ତ ଲାଗୁଥାଏ । ବିଲ ଭିତରେ ୪-୫ ଜଣ ମୁଲିଆ କାମ କରୁଥାନ୍ତି, ସେ ଆଡେ ବି ତା' ଧ୍ୟାନ ନଥାଏ । କେଉଁ ଏକ ଭାବନା ରାଇଜରେ ବୁଡି ରହିଥିଲା ସେ ।

-"ସାନ ସାଆନ୍ତେ ସାନ ସାଆନ୍ତେ " କାହା ଡାକରେ ଚମକି ଉଠିଲା ସେ । ଚାହିଁ ଦେଖିଲା- ରତନା, ସେ ମୂଲିଆଙ୍କ ଭିତରୁ ଜଣେ ତାକୁ ଡାକୁଛି ।

-"କଣ ହେଲା କି ରତନା ?" ପଚାରିଲା ରାଜୁଆ ।

-"ସାନ ସାଆନ୍ତେ କାମ ସରିଲାଣି ଘରକୁ ଯିବାନି ?" ରତନା କହିଲା ।

-"ହଁ ଚାଲ "


ବିଲ ଡେଇଁ ରାସ୍ତା ଉପରକୁ ଆସିଲା ରାଜୁଆ । ରାସ୍ତା କଡ଼ ନିମ ଗଛ ମୂଳେ ସାଇକଲଟା ଡେରି ଥିଲା । ସେଇଟିକୁ ଆଣି ଚାଲିଲା ସେ ଘରକୁ ଏକମୁହାଁ ହେଇ । ଏଇ ରାଜୁଆ ସୁନ୍ଦର ସାମନ୍ତରାୟଙ୍କ ଗୋଟିଏ ବୋଲି ପୁଅ । ଗାଁରେ ତାଙ୍କ ଘରର ନାଁ ଡାକ । ଅଭିଜାତ୍ୟ ଘର ତାଙ୍କର । ବାପା ଅଜା ଜମିଦାର ଥିଲେ । ହେଲେ ଏବେ କର୍ପୁର ଯାଇ କନା ପଡ଼ିଛି । ତଥାପି ତାଙ୍କର କୌଣସିଥିରେ ଅଭାବ ନାହିଁ । ଜମିଦାରୀ ଉଛେଦ ହେଇ ଯାଇଛି ସତ ହେଲେ ଏବେବି ତାଙ୍କର ପ୍ରତିପତ୍ତି କମ ନୁହେଁ । ଆଜି ବି ତାଙ୍କ ଘରେ ପ୍ରତିଦିନ ଆଠ ଦଶ ମୁଲିଆ ହଳିଆ କାମ କରନ୍ତି । ୩୦ ମାଣ ସମ୍ପତ୍ତି । ଚାରି ଚାରିଟା ଆମ୍ବ ତୋଟା । ଘରକୁ ଲାଗି ଦୁଇ ଏକର ସରିକି ବଗିଚା । ଯେଉଁଥିରେ ବିଭିନ୍ନ କିସମର ଫଳ ଫୁଲ ଭର୍ତ୍ତି । ଦୁଇ ମହଲା ସୁଦୃଶ୍ୟ କୋଠା ଘର । ଘରେ ୭/୮ ଟି ଗାଈ, ୪ ଯୋଡ଼ା ବଳଦ । ଆଉ ସେମାନଙ୍କ ଦେଖା ରଖା ପାଇଁ ଖଞ୍ଜା ହେଇଛନ୍ତି ଚାରି ଚାରିଟା ଚାକର ।


ସୁନ୍ଦର ସାମନ୍ତରାୟଙ୍କ ବାପା ଥିଲେ ବଳଭଦ୍ର ସାମନ୍ତରାୟ । ତାଙ୍କର ପ୍ରତିପତ୍ତି ଏତେ ଥିଲା ଯେ ରାସ୍ତାରେ ଗର୍ଭିଣୀ ଗାଈ ବି ବାଟ ଛାଡି ଦେଉଥିଲା । ସେ ଜମିଦାରୀ ଇଲାକା ଗସ୍ତ କରିବା ପାଇଁ ଏକ ଘୋଡା ଗାଡି ରଖିଥିଲେ । ଦୁଇଟା ଘୋଡା ବି ପୋଷା ହେଇଥିଲା । ଏବେ ଅବଶ୍ୟ ଘୋଡା ନାହିଁ । ହେଲେ ତାଙ୍କ ସ୍ମୃତି ସ୍ୱରୂପ ଗାଡିଟି ତାଙ୍କ ଘର ଅଗଣାରେ ଥୁଆ ହେଇଛି ।


ସୁନ୍ଦର ସାମନ୍ତରାୟ ଏବେ ବୁଢା ହେଇ ଆସିଲେଣି । ବଳ ବୟସ ହଟିଲାଣି । ଆଉ କାମ ଦାମକୁ ପାରୁନାହାନ୍ତି । ତାଙ୍କର ଆଶା ରାଜୁଆ ତାଙ୍କର ମଣିଷ ହେଇ ଏ ସବୁ ସମ୍ପତ୍ତିର ଦେଖା ରଖା କରିବ । ସେଥିପାଇଁ ଏବେ ବିଲବାଡ଼ି କାମରେ ନିଜେ ନଯାଇ ମୁଲିଆ ମାନଙ୍କ ସହ ରାଜୁଆକୁ ପଠାଉଛନ୍ତି ।


ଏବେ ରାଜୁଆ କଥା ଟିକେ ଆଲୋଚନା କରିବା । ସୁନ୍ଦର ସାମନ୍ତରାୟଙ୍କ ଏକମାତ୍ର ସନ୍ତାନ । ଏତେ ସମ୍ପତ୍ତିର ଏକମାତ୍ର ଉତ୍ତରଧିକାରୀ । ବଡ଼ ଗେଲ ବସରରେ ବଢିଛି ସେ । ଜମିଦାରୀ ପରିବାର ତେଣୁ ଅଭାବ କଣ ସେ ଜାଣିନି । ଯେତେବେଳେ ଯାହା ଚାହିଁଛି ତା' ବାପା ମା' ତାକୁ ଯୋଗେଇ ଦେଇଛନ୍ତି । ଅବଶ୍ୟ ପିଲାଟା କୁସଙ୍ଗରେ ପଡିନି କି ବଡ଼ଲୋକୀ ଅହମିକା ତାର ନାହିଁ । ଏମ.ଏସ.ସି ପାଠ ପଢିଛି । ସେ ଚାହିଁଥିଲା ଏମ.ବି.ଏ ,ଏମ.ସି.ଏ କିମ୍ବା ସେହିପରି କିଛି ପ୍ରଫେସନାଲ କୋର୍ସ କରିବା ପାଇଁ । କିନ୍ତୁ ସୁନ୍ଦର ସାମନ୍ତରାୟ ଏଥିପାଇଁ ରାଜି ହେଇ ନଥିଲେ । ତାଙ୍କର କହିବା କଥା ହେଲା ଏସବୁ ପାଠ ସେହିମାନେ ପଢ଼ନ୍ତି ଯାହାର ଚାକରୀ ଦରକାର । କିନ୍ତୁ ରାଜୁଆର ଚାକିରୀ କଣ ହେବ ? ସେ ପଢୁଛି ଖାଲି ଜ୍ଞାନ ହାସଲ ପାଇଁ , ଚାକିରୀ ପାଇଁ ନୁହେଁ । ସତ କହିବାକୁ ଗଲେ ସୁନ୍ଦର ସାମନ୍ତରାୟ ଚାହାନ୍ତିନି ତାଙ୍କ ଖାନଦାନରେ କେହି ଚାକିରୀ କରୁ । ଜମିଦାର ଖାନଦାନୀ ତାଙ୍କର । ତାଙ୍କ ପାଖରେ କେତେ କେତେ ଲୋକ ଚାକିରୀ କରୁଛନ୍ତି । ସେ ପୁଣି ଯିବେ ଅନ୍ୟ ପାଖରେ ଚାକିରୀ କରିବାକୁ ?


ହେଲେ ରାଜୁଆର ଚିନ୍ତା ଧାରା ତା' ବାପାଙ୍କ ଚିନ୍ତା ଧାରା ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ସେ ତା' ଜୀବନକୁ ଗାଁରେ ରହି ମାଟି କରି ଦେବାକୁ ଚାହୁଁ ନଥିଲା । ଗାଁ ରେ ଅଛି କଣ ? ଧୂଳି ଧୂସର ଦାଣ୍ଡ, ମାଟି କାଦୁଅ ବିଲ, କଣ ଏଇଥିରେ ସେ ସାରା ଜୀବନ ବିତେଇବ ? ତା'ହେଲେ ସେ ପାଠ ପଢୁଥିଲା କାହିଁକି ? ସେ ଚାହୁଁଛି ସହରକୁ ଯିବ । ଜୀବନର ଭରପୁର ମଜା ନେବ । ପାଠ ପଢିଲା ବେଳେ ସେ ସହରରେ ରହିଛି । ସହରର ସୁବିଧା ସୁଯୋଗ ବିଷୟରେ ସେ ଜାଣିଛି । ତେଣୁ ତାକୁ ଏ ଗାଁ ବିଲକୁଲ ପସନ୍ଦ ନୁହେଁ । ଗାଁରେ କଣ ଜୀବନକୁ ଉପଭୋଗ କରି ହୁଏ ? ଜୀବନକୁ ଉପଭୋଗ କରିବାକୁ ଅଛି ତ ସହର ଚାଲ । ସେଠି ସବୁ କିଛି ଅଛି । ପାର୍କ, ସିନେମା, କ୍ଲବ, ହୋଟେଲ ଆହୁରି ଅନେକ ଜିନିଷ । ଜୀବନକୁ ରଙ୍ଗୀନ କରିବା ପାଇଁ ଅନେକ ସାଧନ । ସହରରେ ରହିଲେ ମନରେ ଲାଗିଯାଏ ପ୍ରଜାପତିର ଡେଣା । ହେଲେ ଏ ସବୁ ଗାଁରେ କାହିଁ ?


ରାଜୁଆର ସବୁ ସାଙ୍ଗମାନେ ଚାକିରୀ ବାକିରି କରି ସହରରେ ରହୁଛନ୍ତି । ଅୟସ ଜୀବନ ଯାପନ କରୁଛନ୍ତି । ଖାଲି ଯା ରାଜୁଆଟା ଗାଁରେ ପଡି ରହିଛି । ତା' ମନ ବି ଚାହୁଁଚି ସେ ଚାକିରୀ କରିବ । ସହରରେ ରହିବ । ହେଲେ ବାପାଙ୍କ ଡରରେ ସେ କିଛି କରି ପାରୁନି । ଖାଲି ମନେ ମନେ ସନ୍ତୁଳି ହଉଛି । ଏ ଗାଁର ବିଲ ବାଡ଼ି କାମରେ ତାର ବିଲକୁଲ ମନ ନାହିଁ । ସେ ଚାକିରୀ କରିବ ନିଶ୍ଚୟ କରିବ ହେଲେ ବାପାଙ୍କୁ କେମିତି ବୁଝେଇବ ? ବାପା ତାର କେବେ ବି ରାଜି ହେବେନି । ତେବେ କିଛି ଗୋଟେ ଉପାୟ ତ ଭାବିବାକୁ ପଡିବ । ନହେଲେ ତା' ଆଶାଟା ଆଶାରେ ହିଁ ରହି ଯିବ ।


ସେ ତା' ସାଙ୍ଗ ମନୁଆ ସହ ଯୋଗାଯୋଗ କଲା । ଯିଏ କି ଭୁବନେଶ୍ୱର ସେକ୍ରେଟେରିଏଟରେ ଚାକିରୀ କରେ । ସବୁ ଶୁଣିଲା ପରେ ସେ ରାଜୁଆକୁ କହିଲା -" ଏତେ ସହସା ଭଲ ଚାକିରିଟିଏ ଯୋଗାଡ଼ କରିବା ସମ୍ଭବ ନୁହେଁ । ତା' ପରେ ତୋ ପରି ଉଚ୍ଚ ଶିକ୍ଷିତ ପିଲା ଏଣୁ ତେଣୁ ଛୋଟମୋଟ ଚାକିରୀ କରିବା ଭଲ ଲାଗିବନି ।" ମନୁଆ କଥା ଶୁଣି ରାଜୁଆ ହତାଶ ହେଇ ପଡିଲା । ହେଲେ ତାକୁ ତ ସହରରେ ରହିବାର ନିଶା ଘାରିଛି । ଯେମିତି ବି ହେଉ ସହର ଯିବ । ହେଲେ ବିନା ଚାକିରୀରେ ସେ ସେଠି ରହିବ କେମିତି ? ବାପା ଚାହିଁଲେ ସେ କିଛି ଟଙ୍କା ନେଇ ସେଠି ବ୍ୟବସାୟ କରି ପାରନ୍ତା । କିନ୍ତୁ ସେ ଜାଣିଛି ତା' ବାପା ତାକୁ ୫ ପଇସା ବି ଦେବେନି । ସେ ନିଜେ ଯେମିତି ପୁଅଟାକୁ ବି ସେମିତି ଗଢିବାକୁ ଚାହୁଁଛନ୍ତି । ନା..ନା.. ଏସବୁ କେବେ ହେବନି । ସେ ମନୁଆକୁ ବହୁତ ଅନୁରୋଧ କଲା ପରେ ସେ କହିଲା କି ତା' ଅଫିସରେ ଏକ ପିଅନ ପୋଷ୍ଟ ଖାଲି ଅଛି । ସେ କଣ ପିଅନ ଚାକିରୀ କରିପାରିବ ? ମନୁଆ କଥାରେ ହଁ ମାରିଥିଲା ସେ । ସହରରେ ରହିବା ନିଶା ତାକୁ ଏମିତି ପାଗଳ କରିଥିଲା କି ସେ ପିଅନ କଣ ଦରକାର ପଡିଲେ ଦରୱାନ ହେଇ ସାଲୁଟ ମାରିପାରିବ । ସେ ଭୁଲିଗଲା ତା' ବଂଶ ଆଭିଜାତ୍ୟକୁ । ଏ ତୁଛା ଆଭିଜାତ୍ୟରୁ କଣ ମିଳିବ ତାକୁ ? ୩୦ ଏକର ସମ୍ପତ୍ତିର ମାଲିକ ହେଇ ବି ସେ ପ୍ରସ୍ତୁତ ହେଇଗଲା ପିଅନ ଚାକିରୀ କରିବା ପାଇଁ ।

ହେଲେ ମନୁଆର ଆଉ ଏକ କଥା ତାକୁ ଚିନ୍ତିତ କରିଦେଲା । ସେ କହିଲା -" ତୁ କହୁଛୁ ଯେତେବେଳେ ମୁଁ ଯୋଗାଯୋଗ କରିବି,କିନ୍ତୁ...."

-"ପୁଣି କିନ୍ତୁ କଣ ?"

-"ସେଇ ପୋଷ୍ଟ ପାଇଁ ଅନେକ ଆଶାୟୀ ଅଛନ୍ତି । ଯିଏ ମାଲ ଅଧିକ ଦେଇ ପାରିବ, ସେ ପାଇବ ।"

-"କେତେ ଟଙ୍କା ଦରକାର?"

-"ସବୁ ଲକ୍ଷେ ଉପରେ କାରବାର । ତୁ ଦେଇ ପାରିବୁ ଯଦି କହ ତେବେ ମୁଁ କଥା ଆଗକୁ ବଢେଇବି ।"


ସାମାନ୍ୟ ପିଅନ ଚାକିରୀ ପାଇଁ ଲକ୍ଷେ ଟଙ୍କା ? ଅବଶ୍ୟ ଲକ୍ଷେ ଟଙ୍କା ତା' ପାଇଁ ବଡ଼ କଥା ନୁହେଁ । କିନ୍ତୁ ବାପା ତ ଚାକିରୀ ନାଁ ଶୁଣିଲେ ଡେଉଁଛନ୍ତି । ସେ ଟଙ୍କା କେଉଁଠୁ ଆଣିବ ? କିନ୍ତୁ ରାଜୁଆ ସୁଯୋଗଟା ହାତ ଛଡା କରିବାକୁ ଚାହୁଁନଥିଲା । ଯେମିତି ବି ହେଉ ତାକୁ ଏ ଗାଁ ଛାଡି ସହରକୁ ଯିବାର ଅଛି । ସେ ମନୁଆକୁ ହଁ କରିଦେଲା । ତା' ପରେ ମନୁଆ କହିଲା -"ତୋ ଵାୟୋଡ଼ାଟା ମୋ ପାଖକୁ ପଠେଇ ଦେ । ଆଉ ଯେଉଁଦିନ କହିବି ତୁ ଟଙ୍କା ନେଇ ଚାଲି ଆସିବୁ, ତୋ କାମ ହେଇ ଯିବ ।"


କିଛିଦିନ ଗଲା ଉତ୍ତାରୁ ମନୁଆ ରାଜୁଆକୁ ଯୋଗାଯୋଗ କଲା । ସେ କହିଲା ଦେଢ଼ ଲକ୍ଷ ଟଙ୍କାରେ ଡ଼ିଲ ଫାଇନାଲ ହେଇଛି । ଦେଢ଼ ଲକ୍ଷ କଥା ଶୁଣି ରାଜୁଆ କହିଲା-" ଏତେ ଟଙ୍କା କଣ..? ତୁ ପରା କହୁଥିଲୁ ଲକ୍ଷେ ଟଙ୍କା ବୋଲି ?"

-" ଦେଢ଼ ଲକ୍ଷ ଟଙ୍କା ତ ବହୁତ କମ । କେତେ ଜଣ ୟା ଠୁ ବି ଅଧିକା ଦେବାକୁ ରାଜି ଅଛନ୍ତି । ତା' ଛଡା ତୋ ପାଇଁ ଦେଢ଼ ଲକ୍ଷ କଣ ଯେ? ଜମିଦାର ଛୁଆ ତୁ ..." ତା' କଥା ରାଜୁଆକୁ ଚୁପ କରିଦେଲା । ସତରେ ତା' ପାଇଁ ଦେଢ଼ ଲକ୍ଷ କଣ ? ହେଲେ ମନୁଆ କଣ ଜାଣିଛି ଏଇ ଦେଢ଼ ଲକ୍ଷ ଯୋଗାଡ଼ କରିବା ପାଇଁ ତାକୁ କେତେ ପାମ୍ପଡ଼ ବେଲିବାକୁ ପଡିବ ।


ସେଦିନ ସନ୍ଧ୍ୟାରେ ରାଜୁଆ ତା ବୋଉ କାନରେ ଏ କଥା ପକେଇଲା କି ସେ ଚାକିରୀ କରିବ ଆଉ ତାକୁ ଦେଢ଼ ଲକ୍ଷ ଟଙ୍କା ଦରକାର । ତା' ବୋଉ ତାକୁ କହିଲା -"ଆମର କଣ ଅଭାବ ଅଛି ଯେ ତୁ ଚାକିରୀ କରିବୁ ତା' ପୁଣି ଲାଞ୍ଚ ଦେଇ ?"

-"ମତେ ଏ ଗାଁ ଭଲ ଲାଗୁନି ମୁଁ ସହରରେ ରହିବି " ରାଜୁଆର କଥା ଶୁଣି ଆଶ୍ଚର୍ଯ୍ୟ ହେଇଗଲା ତା' ବୋଉ । ସେ ଭାବିଲା ରାଜୁଆର ଏ କି ଲକ୍ଷଣ । ତାକୁ ତା' ଜନ୍ମ ମାଟି ଭଲ ଲାଗୁନି । ବେଳ ପଡିଲେ ବାପା ମା ବି ପର କରିଦେବ । ହେଲେ ମନ କଥା ମନରେ ରଖି ସେ କହିଲା କି ଏ କଥା ତା ବାପାଙ୍କୁ ଜଣେଇବ ।


ସୁନ୍ଦର ସାମନ୍ତରାୟ ଯେତେବେଳେ ଏ କଥା ଜାଣିଲେ ସେ ରାଗିପାଚି ନିଆଁ ବାଣ ହେଇଗଲେ । ସେ ରାଜୁଆକୁ ଖୁବ ଗାଳି ଦେଇ କହିଲେ -" ଜମିଦାର ବଂଶରେ ଜନ୍ମ ହେଇ ତୁ କୂଳକୁ କଳଙ୍କିତ କରିବାକୁ ବସିଛୁ । ରାଜା ହେଇ ଗୋଲାମ ସାଜିବୁ ? ଲାଜ ଲାଗୁନି ତତେ ? ତତେ ପାଠଶାଠ ପଢ଼େଇଥିଲି କଣ ଏଇ କଥା ଶୁଣିବାକୁ ? ଦେଢ଼ ଲକ୍ଷ ଟଙ୍କା ଦବୁ ଆଉ ପରର ଗୋଲମଗିରି କରିବୁ ? ଆରେ ମୂର୍ଖ ତୁ ପରା କେତେ ଲୋକଙ୍କୁ ଗୋଲାମ କରି ରଖି ପାରିବୁ । ଅପଦାର୍ଥ କୁଳାଙ୍ଗାର କୋଉଠିକାର ଦେଢ଼ ଲକ୍ଷ କଣ ତତେ ଦେଢ଼ ପଇସା ବି ଦେବିନି । କେତେ ଆଶା କରିଥିଲି ମୋ ଅନ୍ତେ ଏ ସମ୍ପତି ବାଡ଼ିର ଦେଖା ରଖା କରିବ ...ହେଲେ...ଛି..ଛି..ଛି.."


ବାପାଙ୍କର ତିରସ୍କାର ପାଇବା ପରେ ରାଜୁର ସ୍ୱପ୍ନ ଭାଙ୍ଗି ଗଲା । ତାର ସହର ଯିବା ଆଶାଟା ମଉଳିଗଲା । ନା ସେ ଦେଢ଼ ଲକ୍ଷ ଟଙ୍କା ଯୋଗାଡ଼ କରି ପାରିବ ନା ସେ ଚାକିରୀ କରିବ । ମୁଣ୍ଡରେ ହାତ ଦେଇ ବସିଗଲା ସେ । ସତରେ କଣ ତା ଭାଗ୍ୟରେ ସହରରେ ରହିବା ଯୋଗ ନାହିଁ ? ହାତ ପାପୁଲିକୁ ଆଖି ଆଗକୁ ଆଣି ସେଥିରେ ଥିବା ରେଖା ଗୁଡିକୁ ସେ ଦେଖିବାକୁ ଲାଗିଲା । ଏଇ ତେବେ ତାର ଭାଗ୍ୟ ରେଖା ? ରେଖା ଗୁଡିକୁ ସେ ସିନା ଦେଖିବାରେ ଲାଗିଲା, ହେଲେ ସେଥିରୁ ସେ କଣ ବୁଝିବ ? ସେ କଣ ଜ୍ୟୋତିଷ ? ହଠାତ ତାର ଲକ୍ଷ୍ୟ ପଡିଲା ସେ ପିନ୍ଧିଥିବା ସୁନା ମୁଦି ଉପରେ । ଅଥଳ ସାଗରରେ ଭାସୁଥିବା ଜାହାଜକୁ ଯେପରି ବତୀଘର ମିଳିଗଲା । ତାର ସହର ଯିବା ଆଶାଟା ପୁନର୍ବାର ଉଦ୍ଜୀବିତ ହେଇ ଉଠିଲା । ଆଉ ସେ କାହାରିକୁ କିଛି ନଜଣାଇ ସେହିଦିନ ଗାଁ ଛାଡି ଭୁବନେଶ୍ୱର ଚାଲିଗଲା ।


ଭୁବନେଶ୍ୱରରେ ପହଂଚିବା ପରେ ସେ ନିଜର ସୁନା ଚେନ ଓ ମୁଦି ବିକ୍ରି କରି ଦେଢ଼ ଲକ୍ଷ ଟଙ୍କା ମନୁଆକୁ ଦେଲା । ତା' ପରେ ରାଜୁଆ ସେକ୍ରେଟେରିଏଟରେ ପିଅନ ଭାବେ ପୋଷ୍ଟିଙ୍ଗ ପାଇଗଲା । ଖୁବ ଖୁସି ହେଇଗଲା ସେ । ଯାହା ହେଉ ସେ ରାଜଧାନୀରେ ରହିବ ଆଉ ଅୟସ କରିବ । ହେଲେ ଖୁବ କମ ଦିନ ଭିତରେ ତା' ନିଶାଟା ଉତୁରି ଗଲା । ସେ ବୁଝି ପାରିଲା ଚାକିରୀ କରି କେହି ଅୟସ କରି ପାରନ୍ତିନି । ଆଉ ତା' ପରି ପିଅନ ତ ବିଲକୁଲ ନୁହେଁ । ସ୍ୱଳ୍ପ ଦରମାରେ ନିଜର ଗୁଜୁରାଣ ମେଣ୍ଟାଇବା ଯେଉଁଠି ଅସମ୍ଭବ ସେଠି ସେ ଅୟସ କଣ କରିବ ?


ସେ ଭାବିବାକୁ ଲାଗିଲା ସେ କଣ ଏ ସହର ଆସିଥିଲା ଦିନରାତି ଖଟି ଏଇ କେତେଟା ଟଙ୍କା ରୋଜଗାର ପାଇଁ ? ସେ ତ ଗାଁରେ ଥିବା ବେଳେ ଏହାଠାରୁ ଅଧିକ ଟଙ୍କା ଖର୍ଚ୍ଚ କରିଦିଏ । ସେ ତୁଳନା କରୁଥିଲା ଗାଁ ଜୀବନ ସହ ସହରୀ ଜୀବନକୁ । ଗାଁରେ ତା' ଖାତିର ରାଜା ପରି ଥିଲା । ସମସ୍ତେ ତାକୁ ସାନ ସାଆନ୍ତେ ବୋଲି ଡାକୁଥିଲେ । ତା' ପକେଇଲା ଛିପକୁ ହାତ ପାତୁଥିଲେ । ହେଲେ ଏଠି ସମସ୍ତେ ତାକୁ ତୁ ତାକର କରି ଡାକୁଛନ୍ତି । ଚାକର ଭଳି ଖଟାଉଛନ୍ତି । ସେ ତ ନିଜେ ଅର୍ଜିଛି , କହିବ କାହାକୁ ? ବାପା ତାର ଠିକ କହୁଥିଲେ...ଟଙ୍କା ଦେଇ ପରର ଗୋଲାମ ଗିରି କରିବୁ ? ସତ କଥା.. ସେ ଏବେ ଟଙ୍କା ଦେଇ ଗୋଲାମ ସାଜିଛି । ଗାଁର ଦୁଧ ଭାତ ତାକୁ ରୁଚୁ ନଥିଲା ଯେ ଏଠି ପର ହାତ ଟେକା ଚିଜକୁ ଅନେଇ ରହିଛି ।


ମୋହଭଙ୍ଗ ହେଲା ରାଜୁଆର । ସେ ବୁଝିଗଲା ମା' କୋଳ ଆଉ ମାଉସୀ କୋଳ ଭିତରେ ଫରକ । ମା' କୁ ପର କରି ମାଉସୀ ପାଖରେ କେହି ଖୁସିରେ ରହି ପାରେନା । ଗାଁଟା ତାର ମା' ହେଲେ ସହର ମାଉସୀ । ସେ ଠିକ କଲା ସେ ଫେରିଯିବ ପୁଣି ମା କୋଳକୁ । ତାର ଆପଣାର ଗାଁ କୁ । ବହୁତ ହେଇଗଲା ଚାକିରୀ । ଦରକାର ନାହିଁ ତାର ପକ୍କା ସଡକ... ସେହି ଧୂଳି ଧୂସର ମାଟି ରାସ୍ତା ତା' ପାଇଁ ଅନେକ ଭଲ ।


ତା' ପରେ ରାଜୁଆ ଫେରିଆସିଲା ଗାଁ କୁ । ଆଉ ତା' ଜମିରେ ନିଜ ବିଦ୍ୟା ବୁଦ୍ଧି ଉପଯୋଗ କରି ସୁନାର ଫସଲ ଫଳେଇ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ହେଇଗଲା


Rate this content
Log in

Similar oriya story from Inspirational