Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରଶାନ୍ତ କୁମାର ବେହେରା

5.0  

ପ୍ରଶାନ୍ତ କୁମାର ବେହେରା

ଅଲାଜୁକି

ଅଲାଜୁକି

5 mins
538


ଆଜିକାଲି କଲେମାନଙ୍କରେ ପୂର୍ବର ପରିବେଶ ଓ ପରିସ୍ଥିତିରେ ଢେର୍ ପରିବର୍ତ୍ତନ ଆସିଲାଣି । ଏ ପରିବର୍ତ୍ତନ ସବୁ କ୍ଷେତ୍ରକୁ ବ୍ୟାପି ଗଲାଣି । କଲେଜରେ ପଢିବା ସମୟରେ ପ୍ରେମ କରିବା ବା ପ୍ରେମରେ ପଡିବା ଏକ ସାଧାରଣ କଥା । ଏହି ପ୍ରେମ ହୋଇପାରେ ଏକ ପାଖିଆ ବା ଦୁଇ ପକ୍ଷଙ୍କ ସହମତି ଭିତ୍ତିକ । କିଛି ଦୁଇ ପାଖିଆ ପ୍ରେମ କେତେବେଳେ ଏକ ପାଖିଆରେ ବା ଆଉ କିଛି ଏକ ପାଖିଆ ପ୍ରେମ ଦୁଇ ପାଖିଆରେ ରୂପାନ୍ତରିତ ହୋଇଯାଏ ସେମିତି କହି ହୁଏନି । କିଛି ପ୍ରେମ କରାଳି କଲେଜ ଜୀବନ ଭିତରେ ଏତେ ବେଗରେ ସେମାନଙ୍କ ପ୍ରେମକୁ ଧାବମାନ କରାନ୍ତି ଯେ, ସେଇ ସମୟରେ ହିଁ ଦୁହେଁ କିଛି ଦିନ ଫେରାର୍ ହୋଇ ସିଧା ବାହା ହୋଇ ଫେରନ୍ତି । ଜୀବନର ପନ୍ଥା ନିରୁପିତ ହୋଇ ନଥିବା କାରଣରୁ ବାପ ମାଆଙ୍କ ଉପରେ ଉଭୟ ପୁଅ ବୋହୁ ବୋଝ ହୋଇଯାଆନ୍ତି । ସେତେବେଳେ ବାପ ମାଆ ମାନଙ୍କ ପାଖରେ ସେ ବୋଝ ମୁଣ୍ତାଇବା ବ୍ୟତୀତ ଅନ୍ୟ କିଛି ବିକଳ୍ପ ନଥାଏ ।

ଆଉ କିଛି ଦୁଇ ପାଖିଆ ପ୍ରେମ କଲେଜରେ ପଢା ସରିବା ପରେ ମଧ୍ଯ ଚାଲେ । ଏ କାଟେଗୋରୀରେ ଆସୁଥିବା ଯୋଡି ମାନଙ୍କ ମଧ୍ଯରୁ କିଛି ପ୍ରେମ ସଫଳ ହୋଇ ବାହାଘର ହୋଇଯାଏ । ଆଉ କିଛି ସମୟ ସ୍ରୋତରେ ଅସଫଳ ହୋଇ ସେ ପ୍ରେମ ଅମର ହୋଇଯାଏ । ସେଇ କଲେଜ ଜୀବନରେ ଏମିତି କିଛି ଏକ ପାଖିଆ ପ୍ରେମ ଥାଏ, ଯେଉଁଠି ଆର ପକ୍ଷ ଜାଣିପାରେନି ତାକୁ କିଏ ପ୍ରେମ କରୁଛି ବୋଲି । ଏ କିସମର ପ୍ରେମ ସେଇ ଅନ୍ଧାର ଭିତରେ ରହିଯାଏ, ଦିନର ଆଲୁଅ କେବେ ଦେଖି ପାରେନା ।

କଲେଜ ଜୀବନରେ ଘଟୁଥିବା ପ୍ରେମ ମଧ୍ଯରୁ ଯେତିକି ସଫଳ ହୁଏ ତା' ଠାରୁ ଢେର୍ ଅଧିକ ଅସଫଳ ହୋଇ ତାଙ୍କ ପ୍ରେମ ଅମର ହୋଇଥାଏ । ପ୍ରେମ କରି ସଫଳ ହୋଇ ବିବାହ ପରେ ତାଙ୍କ ପ୍ରେମ ସମୟରେ ଦେଖିଥିବା ସ୍ୱପ୍ନ ସବୁ ଧୁ ଧୁ ଖରା ମରୁଭୂମିରେ ପୋଡିଯାଇ ଧୁଳିସାତ୍ ହୋଇଯାଏ । ସେମାନେ ବିବାହ ପରେ ପସ୍ତେଇବା ଆରମ୍ଭ କରନ୍ତି ଆଉ କିଛି କେସ୍ ରେ ବିବାହ ବିଚ୍ଛେଦ ଯାଏ କଥା ବି ଯାଏ । ଆଉ କିଛି ପ୍ରେମ କ୍ଷେତ୍ରରେ ଏମିତି ହୁଏ ସେ ପ୍ରେମି ଯୁଗଳଙ୍କ ଭିତରୁ ଗୋଟେ କିଏ ଅତ୍ମହତ୍ୟା କରିବା ଯାଏ କଥା ଯାଏ ।

ଏ ପ୍ରେମ କରିବା କିଛି ନୂଆ କଥା ନୁହେଁ । ଆମେ କଲେଜରେ ପଢୁଥିବା ସମୟରେ ଥିଲା, ଆମ ପୂର୍ବରୁ ଥିଲା, ଏବେ ବି ଅଛି । କିନ୍ତୁ ସମୟର ସ୍ରୋତରେ ତାଳଦେଇ ପ୍ରେମର ସଜ୍ଞାରେ ବହୁତ କୁଛି ପରିବର୍ତ୍ତନ ଘଟିଛି । ଆମ ସମୟରେ ବା ଆମ ପୂର୍ବରୁ ଅାଜିକାଲି ପରି ପ୍ରେମରେ ଏତେ ଗପସପ ବା ଏକାନ୍ତ ହେବା ନଥିଲା । ଏବେ କିନ୍ତୁ ସେସବୁ ଖୁବ୍ ସାମାନ୍ୟ କଥା । କଲେଜରେ ପଢୁଥିବା ଆଉ ପ୍ରେମରେ ପଡିଥିବା ପିଲା ମାନେ କେବଳ ଯେ କଲେଜରେ କଥା ହେଉଛନ୍ତି, ଏକାନ୍ତ ହେଉଛନ୍ତି ତାହା ନୁହେଁ, ବରଂ ବାହାର କିଛି ପିଲା ବି କଲେଜ ପରିସରରେ ଆସି ପହଞ୍ଚିଯାଉଛନ୍ତି । ଏମିତି ବି ହେଉଛି, କଲେଜରେ ଝିଅଟି ପଢୁଛି, ଗାଁଆଁ ବା ଅନ୍ୟ କେଉଁ ବନ୍ଧୁଘର ଗାଁଆଁ ର ଗୋଟେ ପୁଅକୁ ପ୍ରେମ କରୁଛି, ସେଠି କଥାବାର୍ତ୍ତା ହୋଇ ହେଉନି ତେଣୁ ପ୍ରେମିକଟି ଝିଅର ପଛେ ପଛେ ଆସି କଲେଜରେ ହାଜର୍ । ତାମାନେ ତାଙ୍କର ପ୍ରେମକୁ ଲାଳନ ପାଳନ କରି ଆଗେଇ ନେବାକୁ କଲେଜ ପରିସରକୁ ଉପଯୁକ୍ତ ସ୍ଥାନ ବୋଲି ଧରି ନେଉଛନ୍ତି । ଏଠି କଲେଜରେ ସେଭଳି ପ୍ରେମକୁ ନେଇ ସମୟ ସମୟ ବଡ ଧରଣର ଗଣ୍ତଗୋଳ ବି ହୁଏ । କଲେଜର କିଛି ପୁଅ ମାନେ କୁହନ୍ତି ବାହାର ଟୋକାଟା ଆମ କଲେଜକୁ କାଇଁ ଆସି ଏମିତି ଗପସପ ହୋଇ ଆମ କଲେଜ ପରିବେଶକୁ ନଷ୍ଟ କରିବ ? କଲେଜରେ ପଢୁଥିଲେ କଥା ଅଲଗା । ତେଣୁ କିଛି କଲେଜ ପିଲା କଲେଜ ପରିବେଶକୁ ରକ୍ଷା କରିବାକୁ ଆଗେଇ ଆସି ପୁରା ତାଲିବାନି ଷ୍ଟାଇଲ୍ ରେ ସେଇ ବାହାରୁ ଆସିଥିବା ପ୍ରେମିକଟିକୁ ମାରିବାକୁ ଗୋଡାନ୍ତି । ଅବଶ୍ୟ ସେ ପୁଅଟି ଯଦି ଲୋକାଲ୍ ପିଲା ହୋଇଥିବ ତାହେଲେ ସେଇ ତାଲିବାନି ପିଲାମାନେ ଚୁପ୍ ଚାପ୍ ରହିବାକୁ ଶ୍ରେୟ ମଣନ୍ତି । ଅର୍ଥାତ୍ ବାହରୁ ଆସିଥିବା ପ୍ରେମିକଟି ଯଦି ଦୃବଳ ହୋଇଥିବ ତାହେଲେ ବହେ ମାଡ ଖାଇବା ନିଶ୍ଚିତ ଆଉ ଯଦି ସବଳ ହୋଇଥିବ ତେବେ ତାଲିବାନି କଲେଜ ଛାତ୍ରମାନେ ଲାଙ୍ଗୁଡ ଯାକି ପଳାୟନ କରିବାକୁ ଉଚିତ୍ ମଣନ୍ତି । ଏମିତି ବି ସମୟ ସମୟ ହୁଏ, ଗୋଟେ ଝିଅକୁ ଦୁଇ ବା ତଦୁର୍ଦ୍ଧ ପୁଅ ପ୍ରେମ କରି ବସନ୍ତି ଆଉ ତା ଫଳରେ ଧୁମ୍ ମାଡଗୋଳ, ହଣା କଟା ବି ହୁଅନ୍ତି । ଏମିତି ଘଟଣା ସବୁ କଲେଜରେ ଆଜିକାଲି ଘଟୁଛି ।

ଏବେ ଆମେ ଗୋଟେ ଘଟଣା ଉପରେ ଆଲୋଚନା କରିବା । କାରୁ ମାଡାମ୍ ଖୁବ୍ ଷ୍ଟ୍ରିକ୍ଟ୍ । ପାଠ ବି ସେମିତି ଭଲ ପଢାନ୍ତି । ଛାତ୍ରଛାତ୍ରୀଙ୍କୁ ନିଜ ପୁଅ ଝିଅଙ୍କ ପରି ଭଲ ପାଆନ୍ତି । ପିଲାମାନେ ତାଙ୍କୁ ସେଥିପାଇଁ ବହୁତ ଲାଇକ୍ କରନ୍ତି । ମାନନ୍ତି ବି । କଲେଜର ସାଇନ୍ସ କ୍ଳାସ୍ ଗୋଟେ ଦୁଇ ମହଲା କୋଠାରେ ହୁଏ । ତୃତୀୟ ମହଲାକୁ ଯିବାକୁ ପାହଚ ସବୁ ହୋଇଥିଲେ ବି ଛାତ ଉପରକୁ ଯିବା କବାଟରେ ସବୁବେଳେ ତାଲା ପଡିଥାଏ ।

ଦିନେ ସବୁ କ୍ଲାସ୍ ସରିବା ପରେ କାରୁ ମାଡାମ୍ ସେ ସିଡି ପାଖା ପାଖି ଯିବା ବେଳେ କିଛି ଅଦ୍ଭୁତ ଶବ୍ଦ ଶୁଣିଲେ । ପାଲାମାନେ ସମସ୍ତେ ଯିଏ ଯୁଆଡେ ଘରକୁ ଯାଇ ସାରିଲେଣି । ସମୟ ସେଇ ୨ଟା ୩୦ ହେବ । ଏ ସମୟରେ ସେ ନିର୍ଜନ ସିଡି ପାହାଚ ଉପରୁ ଏମିତି ଅଦ୍ଭୁତ ଶବ୍ଦ କାହିଁକି ଆସିଲା ? କାରୁ ମାଡାମ୍ ସାହସ କରି ସିଡି ପାହଚ ଉପରକୁ ଉଠିଗଲେ । ସେଠି ଯାହା ଦେଖିଲେ ତାଙ୍କ ମୁଣ୍ତ ପୁରା ଝାଇଁଝାଇଁ ହୋଇଗଲା । କଣ କରିବେ କିଛି ବୁଦ୍ଧି ମଧ୍ଯ ମୁଣ୍ତରେ ପଶିଲା ନାହିଁ । ଢେମା ଢେମା ଆଖି କରି ଗୋଟେ ମୂର୍ତ୍ତି ପରି ଠିଆ ହୋଇଥାନ୍ତି ।

ଯେହେତୁ ସିଡି ପାହଚର ଉପର କବାଟରେ ତାଲା ପଡିଛି, ତେଣୁ ସେଠୁ ଓଲ୍ହାଇବାର ଗୋଟେ ବାଟ ଆଉ ତାହା ହେଉଛି କାରୁ ମାଡାମ୍ ଠିଆ ହୋଇଥିବା ବାଟ । ସେଠି ଏକୁଟିଆ କାରୁ ମାଡାମ୍ କିଂକର୍ତ୍ତବ୍ଯମୁଢ ହୋଇ ଠିଆ ହୋଇ ନଥିଲେ । ତାଙ୍କ ସାମ୍ନାରେ ଆଉ ଦୁଇ ଜଣ ମଧ୍ଯ ସେମିତି ହତବାକ୍ ହୋଇ ମୁହଁ ତଳକୁ କରି ଠିଆ ହୋଇଥିଲେ । ସେମାନଙ୍କ ଭିତରୁ ଜଣେ ତାଙ୍କ ଛାତ୍ରୀ ଆଉ ଆର ଜଣକ ଅର୍ଥାତ୍ ପୁଅ ପିଲାଟି ଆଉଟସାଇଡର୍ ଥିଲା । ଏ ଭିତରେ ପୁଅ ଜଣଙ୍କ ସାହସ କରି ନିଜ ପୋଷାକ ପତ୍ରକୁ ଠିକ୍ ଠାକ୍ କରି କାରୁ ମାଡମ୍ ଙ୍କ କଡ ଦେଇ ଡିଆଁ ମାରି ଦୌଡି ପଳାଇଲା । ପୁଲିସ୍ କୁ ଦେଖିଲେ ଚୋର ଯେମିତି ଜୀବନ ବିକଳରେ ଦୌଡେ ଠିକ୍ ସେଇ ଢଙ୍ଗରେ ସେ ଟୋକାଟା କୁଆଡେ ପବନରେ ମିଳେଇ ଗଲା ।

ସେ ଟୋକା ଯିବା ପରେ ଗୋଟେ ବାଘୁଣୀ ପରି ଗର୍ଜନ କରିବା ଆରମ୍ଭ କରିଦେଲେ କାରୁ ମାଡାମ୍ । ସେ ଝିଅ ଖୁବ୍ ଭଲ ପଢେ ଆଉ ତା ବ୍ୟବହାର ସହିତ ଚାଲିଚଳନ ମାର୍ଜିତ ଥିବାରୁ କାରୁ ମାଡାମ୍ ତାକୁ ବହୁତ ଭଲ ପାଉଥିଲେ । ତାକୁ ଏମିତି ଅବସ୍ଥାରେ ଦେଖିବେ ସେକଥା ସେ କେବେହେଲେ ସ୍ୱପ୍ନରେ ବି ଭାବି ନଥିଲେ । ତେଣୁ ସେ ଏଇ କିଛି ସମୟ ପୂର୍ବରୁ ଦେଖିଥିବା ଦୃଶ୍ୟ ପାଇଁ ତାଙ୍କ ଭିତରେ ସୃଷ୍ଟି ହୋଇଥିବା ସମସ୍ତ ରାଗ ଯେମିତି ଗୋଟେ ମୁହୂର୍ତ୍ତରେ ନିଜ ପାଟି ମଧ୍ଯମରେ ବାହାରି ଆସିଲା । କାରୁ ମାଡାମ୍ ଙ୍କ ଗର୍ଜନରେ ସେ ସାଇନ୍ସ୍ ବ୍ଲକ୍ ପୁରା ଯେମିତି ହୁଲ୍ ସ୍ଥୂଲ ହୋଇ ଉଠିଲା ।

କାରୁ ମାଡାମ୍ ଙ୍କର ଯୋରଦାର ଗର୍ଜନ ଶୁଣି ଦୁଇଟା ରୁମ୍ ସେପଟେ ତାଙ୍କ ଡିପାର୍ଟମେଣ୍ଟ୍ ରେ ବସିଥିବା ଦୁଇ ଜଣ ସାର୍ ସେଠିକି ଦୌଡି ଆସିଲେ । କାରୁ ମାଡାମଙ୍କୁ ଦେଖିବା ସମୟଠାରୁ ସେ ଝିଅଟି ନିଜର ସମସ୍ତ ହିତାହିତ ଜ୍ଞାନ ଭୁଲି ସେମିତି ମୁର୍ତ୍ତିଟିଏ ପରି ଅସଂଯତ ଅବସ୍ଥାରେ ଠିଆ ହୋଇଥାଏ । ଏ ଦୁଇ ଜଣ ସାର୍ ସେଠି ପହଞ୍ଚି ଝିଅଟିର ସେ ଅବସ୍ଥା ଦେଖି ପୁରା ତାଜୁବ୍ ହୋଇଗଲେ ।

କାରୁ ମାଡାମ୍ ହଠାତ୍ ଝିଅଟିର ଅସଂଯତ ଅବସ୍ଥା ସହିତ ଦୁଇ ଜଣ ପୁ୍ରୁଷ ସାର୍ ଙ୍କ ଉପସ୍ଥିତିକୁ ଲକ୍ଷକରି କହିଲେ, " କେଡେ ଅଲାଜୁକିଟାଏ କିଲେ ? ସେ ସାର୍ଟକୁ କାଇଁ ସେମିତି ଟେକିକି ଧରିଛୁ ? ତାକୁ ତଳକୁ ପକା ।"

ଝିଅଟି କାରୁ ମାଡାମଙ୍କ କଥାରେ ଚୁପ୍ ଚାପ୍ ନିଜର ଅସଂଯତ ଅବସ୍ଥାକୁ ଗୁଡେ ଲାଜ ଆଉ ଭୟ ଭିତରେ ସଂଯତ କରାଇ ତଳକୁ ମୁହଁ ପୋତି ପଳାଇଲା ।

ଏହି ଘଟଣାର ଠିକ୍ ୩ ବର୍ଷ ପରେ ସେ ଟୋକାଟା ତାକୁ ପ୍ରେମରେ ଧୋକା ଦେଇ ଅନ୍ୟତ୍ର ବିବାହ କରିବାରୁ ଝିଅଟି ଅତ୍ମହତ୍ୟା କରିବାକୁ ବାଧ୍ଯ ହେଲା । ତେଣୁ ପ୍ରେମ କର ମନା ନାହିଁ, କିନ୍ତୁ ନିଜ ସୀମା ସରହଦ୍ ବା ଲକ୍ଷ୍ମଣ ରେଖା କେବେହେଲେ ଡେଇଂବ ନାହିଁ , ଏମିତି ଅବସ୍ଥାକୁ କେବେ ଯିବନି, ଯଦି ପ୍ରେମିକ ଧୋକା ଦେଲା, ତାହେଲେ ନିଜ ଓଢୁ଼ଣୀ ନେଇ ଫ୍ୟାନ୍ ପାଖକୁ ଯିବା ଛଡା ଅନ୍ୟ କିଛି ବିକଳ୍ପ ନଥିବ । "

******************************

ପ୍ରଶାନ୍ତ କୁମାର ବେହେରା

ଅଧ୍ଯାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,

ଜଗତସିଂହପୁର ।

ଦୂରଭାଷ - ୯୪୩୭୧୩୫୯୧୬


Rate this content
Log in