Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଭୋକ ପାଇଁ
ଭୋକ ପାଇଁ
★★★★★

© Balaram Barik

Tragedy

3 Minutes   7.6K    13


Content Ranking

ଗାଁ ମଝିର ରାସ୍ତା କଡ଼ରେ ଥିବା ଜଳଖିଆ ଦୋକାନ ନିକଟରେ ସେଦିନ ମୁଁ କେଜାଣି କାହିଁକି ଅଟକି ଗଲି... ସକାଳର ଜଳଖିଆ ସବୁଦିନ ମୁଁ ନିଜ ଘରେ ହିଁ ଖାଇଥାଏ । ଭାରି ଇଚ୍ଛା ହେଲା ବରା ଘୁଗୁନି ଟିକେ ଖାଇବାକୁ । ସେଥିପାଇଁ ଜଳଖିଆ ଦୋକାନର ନିକଟତର ହେଲି ।

ବରା ଘୁଗୁନିର ବାସ୍ନା ଯେମିତି ମୋତେ ସେଠାକୁ ଟାଣି ନେଉଥିଲା । ବସିବା ପାଇଁ ଉଦିଷ୍ଟ ଥିବା ଚୌକିରେ ବସିଗଲି । ଆଉ ଚାରୋଟି ବରା ଆଉ ଘୁଗୁନି ଦେବାକୁ କହିଲି ।

ଟେବୁଲ ଉପରେ ବିଟଲୁଣ ଆଉ କଞ୍ଚାଲଙ୍କା ବି ଥିଲା । ଭାବିଲି ଆଜି ସଖାଳ ଜଳଖିଆର ମଜା ଆସିଯିବ । ଜଳଖିଆ ଦୋକାନୀ ବିଶୁ ଭାଇ ମୋର ଭାରି ପରିଚିତ ଲୋକ । ମୁଁ ଯେତେବେଳେ ସେଇ ରାସ୍ତା ଦେଇ ଯାଏ ତା ଦୋକାନରୁ ଜଳଖିଆ ଖାଏ ,ଆଉ ତାର ଜଳଖିଆ ସ୍ୱାଦର ନିଶ୍ଚିତ ପ୍ରଶଂସା କରିଯାଏ । ବଂଶାନୁକ୍ରମରେ ବିଶୁ ପାଇଥିବା ଜଳଖିଆ ଦୋକାନଟି ଯେପରି ତା ପାଇଁ ବରଦାନ ।

ଦିନେ ଏହି ଜଳଖିଆ ଦୋକାନରୁ ରୋଜଗାର କରି ତାର ବାପା ନିଧି ସାହୁ ଛ -ଛଟା ଝିଅ ବାହା ଦେଇଛି ।

ଜାନି ଯୌତୁକରେ କେବେ ଉଣା କରିନି । ଏକ ମାତ୍ର ସନ୍ତାନ ବିଶୁ ବି ବାପାଙ୍କ ପ୍ରକୃତ ଉତ୍ତରାଧିକାରୀ । ବାପା ଆରପାରିକୁ ଗଲାପରରୁ ବିଶୁ ଦୋକାନକୁ ସମ୍ଭାଳି ଆସିଛି । ଆଉ ନିଜ ବାପାଙ୍କର ଯେଉଁ ନାଁ ଥିଲା ତାକୁ ବହୁତ୍ ଉପରକୁ ନେଇ ଯାଇଛି । ଲୋକେ ଆଜି ବି ନିଧି ସାହୁ ଦୋକାନକୁ ପିମ୍ପୁଡ଼ି ପରି ଧାଡି ବାନ୍ଧି ଦୌଡନ୍ତି ,ଜଳଖିଆ ଖାଇବା ପାଇଁ । ବିଶୁ ଏବେ ଦୋକାନକୁ ପୁରା ଆଧୁନିକ କରି ଦେଇଛି । ଗରାଖଙ୍କୁ ଆକୃଷ୍ଟ କରିବାକୁ ଚଳଚିତ୍ର ତାରକାଙ୍କ ଫୋଟୋ କାନ୍ଥରେ ଲଗାଇଛି । ଆଉ ଦୋକାନରେ ସଙ୍ଗୀତ ବ୍ୟବସ୍ଥା ମଧ୍ୟ କରିଛି । ସବୁଠୁ ବଡ଼ କଥା ହେଲା ବିଶୁ ତା ଦୋକାନରେ ସି :ସି :ଟି:ଭି କ୍ୟାମେରା ଲଗେଇଛି । ବିଶୁକୁ ଥରେ ପଚାରିଲି ସି:ସି:ଟି:ଭି କାହିଁକି ଲଗାଇଛୁ । ସେ ବଡ଼ ଚମତ୍କାର ଉତ୍ତର ଦେଲା । କହିଲା ଭାଇ ଏହା ଲଗାଇବାର ଅନେକ କାରଣ ଅଛି କିନ୍ତୁ ମୁଖ୍ୟ କାରଣ ହେଉଛି ,ଅଜିକାଲି କାହାକୁ ବିଶ୍ୱାସ ନାହିଁ । ଖାସ୍ କରି ମୋ ଦୋକାନର କର୍ମଚାରୀ ମାନଙ୍କ ଉପରେ । ମୁଁ ବି ଟିକେ କୁଆଡେ ବାହାରକୁ ଅନ୍ୟକାମରେ ବି ଚାଲିଯାଉଛି । ମୋ କର୍ମଚାରୀଙ୍କ ଭାରି ଭୟ ,କାରଣ ସି:ସି:ଟି:ଭି କ୍ୟାମରା ସବୁ ଦେଖୁଛି । ତେଣୁ ମୁଁ ଦୋକାନ ନଥିବା ବେଳେ ଜମାରୁ ଗଡ଼ବଡ଼ ହୁଏନି ।

ଭାବିଲି ଯାହା ହେଉ ଦେଶ ବଦଳୁଛି । ଆଉ ମନୁଷ୍ୟର ଚିନ୍ତାଧାରା ବି ।

ବିଶୁ ବହୁତ୍ ବଦରାଗୀ ସବୁ ବେଳେ ଗରଗର ହେଉଥାଏ ତାର କର୍ମଚାରୀଙ୍କ ଉପରେ । କେହି କର୍ମଚାରୀ ଜଳଖିଆ ଟିକେ ଖାଇବାକୁ ଥିଲେ ବି ବିଶୁକୁ ପଚାରିକି ଖାଏ । ଆଉ ଠିକ୍ ସମୟରେ ଖାଏ । ଗରାଖ ଭିଡ଼ ଥିବା ସମୟରେ ଯିଏ ଖାଇବାକୁ ବସିଗଲା ଆଉ ବିଶୁ ହାବୁଡ଼ରେ ପଡିଗଲା ,ବିଶୁ ସେ ଦିନଟା ସାରା ତାକୁ ଗାଳି ଶୁଣାଏ।

ଗୋଟେ ବାର ତେର ବର୍ଷର ବାଳକ ହାଲ୍ଫ ପ୍ୟାଣ୍ଟ ଖଣ୍ଡେ ଆଉ ଅଧା ଚିରା ଗଂଜି ଖଣ୍ଡେ ପିନ୍ଧି ଶେଷ ଵେଞ୍ଚର ଗୋଟେ କୋଣରେ ବସି ତର ତର ହୋଇ କଣ ଖାଇ ଯାଉଥିଲା । ମୁଁ ତାକୁ ଲକ୍ଷ୍ୟ କଲି,ଲାଗୁଥିଲା ଯେମିତି ସେ କେଉଁ ଯୁଗରୁ ଖାଇ ନାହିଁ । ପ୍ଲେଟରେ ଥିଲା ବରା ,ସିଙ୍ଗଡ଼ା ମିଶାଇ ଚାରି-ଛ ଟା ।ଏମିତି ତର ଭର ହୋଇ ଖାଇ ପକାଉଥାଏ,ଯେମିତି ତାକୁ ଉଡାଯାହାଜ ଧରିବାରେ ଅଛି । ନାକକୁ ସଁ ସଁ ବି କରୁଥିଲା । ବୋଧହୁଏ ଟିକେ ଥଣ୍ଡା ହେଇ ଯାଇଥିଲା ନା କଣ । ସେଥିପାଇଁ ତା ଇଚ୍ଛା ବିରୁଦ୍ଧରେ ଦୁଇ ଧାରା ବୋହି ଯାଉଥିଲା ତାର ଦୁଇ ପୁଡ଼ାରୁ ।

ବିଶୁ କୁଆଡେ ବାହାରକୁ ଯାଇଥିଲା । ମୋତେ ଦେଖି କହିଲା... ଭାଇ କେମିତି ଅଛ । ଏତେ ଦିନ ପରେ ମୋ ଦୋକାନରେ ପାଦ ପଡିଲା । କଣ ରାଗିଛ ନା କଣ । ମୁଁ କହିଲି ନାଇଁମ ରାଗିବି କଣପାଇଁ ଯେ !!! ଘରଣୀ ଆମର ତେଲଭାଜି ଜଳଖିଆ ଖାଇବାକୁ ମନା କରୁଛନ୍ତି ପେଟ ଆଗକୁ ବାହାରି ଯାଉଛି ବୋଲି ମୋର ।

ବିଶୁ ସ୍ମିତ ହସି କହିଲେ....ସମସ୍ତେ ଯଦି ଭାଉଜଙ୍କ ପରି ଚିନ୍ତା କରିବେ ତାହେଲେ ଆମର ତ କପାଳ ଫାଟିଲା । ବିଶୁ ସି:ସି :ଟି:ଭି ଯାଞ୍ଚ କରୁଥିଲା।ତାର ନଜରରେ ପଡ଼ିଲା,ତା ଦୋକାନରେ ପ୍ଲେଟ ଧୋଉଥିବା ବାପ ଛେଉଣ୍ଡ ବାଳକ ସୁଦାମ ଉପରେ । ଶେଷ କୋଣରେ ଲୁଚକରି ବସି କଣ ଖାଇ ଯାଉଛି । ବିଶୁ ଗର୍ଜନ କରି ଉଠିଲା । ତା ପାଟିରୁ ବି ସେ ପିଲା ପାଇଁ ଉଦିଷ୍ଟ ଦୁଇଟି ଅଲୋଡ଼ା ଶବ୍ଦ ବି ସେ କଲା । ଆଉ ପାଖକୁ ତାଗିଦ୍ କରି ଡାକିଲା । ସୁଦାମ ଗୋଟାପୁଣି ଥରୁଥାଏ । ତା ହାତରେ ପ୍ଲେଟ ବି ଥରୁଥାଏ । ଆଉ ବରା ,ସିଙ୍ଗଡ଼ା ଗୁଡିକ ବି ଇତଃସ୍ତତ ହୋଇ ଯାଉଥାନ୍ତି । ମୁଣ୍ଡ ତାର ତଳକୁ ନଇଁ ଯାଇଥାଏ । ସେ ପୁରା ପୁରି ଛାନିଆ । ବିଶୁ ଗୋଟେ ଶକ୍ତ ଚାପୁଡ଼ା ମାରିଲା ତାକୁ।

ପ୍ଲେଟଟି ତା ହାତରୁ ଖସି ଗଲା ଆଉ ଅଧା ବାହାରିଥିବା ତାର ସିଙ୍ଘାଣି ଦୁଇ ଧାରା ସମ୍ପୂର୍ଣ ଶାଖା ପ୍ରଶାଖା ମେଲାଇ ପଦାକୁ ବାହାରି ଆସିଲା କେଇ ବୁନ୍ଦା ଲୁହ ସାଙ୍ଗରେ ।

ସୁଦାମକୁ କହିଲା ହାରାମଜାଦା ,ରାଣ୍ଡି ପୁଅ ଅନନ୍ତା ପରି ଯେତେବେଳେ ଦେଖୁଛି ଗେଫି ଯାଉଛୁ । କାମ କେତେବେଳେ କରୁଛୁ ବେ । ଏମିତି ଯଦି ଖାଇବୁ ମୋ ଦୋକାନ ଖୋଳ କରିଦେବୁ । ଯାଉଛୁ ନା ଦେଖିବୁ ଏଠି ଖୁଣ୍ଟଟା ପରି ଠିଆ ହେଇଛୁ ।

ମୋ ଆଖି ସାମ୍ନାରେ ଏସବୁ ନିମିଷକେ ମଧ୍ୟରେ ଘଟିଗଲା । ମୁଁ ସୁଦାମର ମୁଁହକୁ ଅନାଇଥାଏ । ତାର କରୁଣ ଆଖିକୁ ଚାହିଁଥାଏ । ତଳେ ପଡିଥିବା ସେ ବରା ,ସିଙ୍ଗଡ଼ାକୁ ଦେଖି ସୁଦାମର ମୁଁହ ସହ ତାକୁ କେଂଦ୍ରିତ କରୁଥାଏ ଆଉ ଭାବୁଥାଏ ମୁଁ ଶୁଣିଥିଲି ଜଣେ ମହାପୁରୁଷ ବୋଧେ ଗୋଟେ ସତସଂଘରେ କହିଥିଲେ ,ଖାଦ୍ୟର ପ୍ରତିଟି କଣିକାରେ ଖାଇବା ଵାଲାର ନାଁ ଲେଖା ହୋଇଥାଏ ।

ଚିନ୍ତା କଲି ବିଚରା ସୁଦାମ ନାଁ ଟା କିଏ ଲିଭାଇଦେଇଥିଲା ।

✍ବଳରାମ ବାରିକ

ଜଳଖିଆ ବିଶୁ ସୁଦାମ

Rate the content


Originality
Flow
Language
Cover design

Comments

Post

Some text some message..