Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ସ୍ତୁତିରେଖା ମିଶ୍ର

Others

3  

ସ୍ତୁତିରେଖା ମିଶ୍ର

Others

ବି ପଜିଟିଭ

ବି ପଜିଟିଭ

13 mins
5.9K


■ ବି ପଜିଟିଭ୍ ■

- ସ୍ତୁତିରେଖା ମିଶ୍ର

―ଗେଟ୍ ଆଉଟ୍ ଫ୍ରମ୍ ମାଇଁ ରୁମ୍ !

ପାପା ! ପାପା ! ଏ ପାଗଳ , ମୋ' ରୁ୍ମ୍ ରେ ପଶି ଯାଉଛି ଦେଖ ! ମୋ' ଆସୋସରିଜ୍ ସବୁ ନଷ୍ଟ କରି ଦେବ !!

କ୍ଲିନିକ୍ ରୁ ଉଠି ଆସିଲେ ଡ଼ଃ ଦିପେଶ୍ ,ନିଜ ଗେହ୍ଲୀ ଝିଅର ପାଟିଶୁଣି । 'ନିକୁ' କୁ ଟାଣିଟାଣି ନେଇ ବନ୍ଦ କରିଦେଲେ ତା' ରୁମ୍ ରେ ! ଚାକରମାନଙ୍କୁ ମନଇଚ୍ଛା ଶୁଣେଇ ଦେଲେ ଦୁଇଚାରି ପଦ !

―ସରି ବେବି ! ତୁମେ ପାଠ ପଢ଼ । ଆଉ ସେ ଆସିବନି ! ତା'କୁ ଲକ୍ କରିଦିଆଗଲା ତା' ରୁମ୍ ରେ ।

― ନୋ ପାପା , ଆଜି ମାମା ଆସୁ ଏ ପାଗଳକୁ ନେଇ ଫାଇନାଲ ଡିସିସନ୍ ହେବ ! ଆଇ କାଣ୍ଟ ଷ୍ଟେ ବିଥ ହିମ୍ ଇନ୍ ଏ ସିଙ୍ଗଲ ହାଉସ !

★★★

ଘରକୁ ଫେରୁଫେରୁ ବାରଟା ! ଚାମ୍ବରଟା ଘରଠୁ ଢେର୍ ଦୂର ! କାରରେ ଯିବା ଆସିବା କରନ୍ତି ଅନିକା !! ସହରର ନାମୀ ଓକିଲ । କେଶ୍ ରେ ଜିତିବାର ଜିଦ୍ ,ତାଙ୍କୁ ଅନ୍ୟ ମାନଙ୍କଠାରୁ ଅଲଗା ପରିଚୟ ତିଆରି କରିଦିଏ । ଅଥଚ , କୋର୍ଟରେ ସବୁବେଳେ ଜିତୁଥିବା ମଣିଷଟିଏ ନିଜ ଭିତରର ଅନେକ ଯୁଦ୍ଧରେ ହାର୍ ମାନୁଥାଏ ଅନେକ ସମୟରେ ! ପ୍ରତିଥର ଭୀଷଣ ଭାବେ ହାରି ମଧ୍ୟ ଠିଆ ହେବାକୁ ପଡେ !

ଆଜି ବି ସମାନ ସେଇ ଜୀବନଯୁଦ୍ଧ । ଅନେକ କିଛି ଶୁଣେଇ ଦେଲେ ଦୀପେଶ୍ । ଚୁପ୍ ଚାପ୍ ଶୁଣିନେଲେ ଅନିକା !

- ଏଠି ସେ ରହିବ , ନହେଲେ ଆମେ !

ଡୋର୍ ଖୋଲୁ ଖୋଲୁ କୁଣ୍ଢେଇ ଧରିଲା ନିକୁ ! କାନ୍ଦି କାନ୍ଦି ଏକ ରକମ ନୟାନ୍ତ ହୋଇପଡିଥିଲା ସେ । ତା ଭିତରର ଵିଵଶତାକୁ ଠିକ ବୁଝିପାରନ୍ତି ଅନିକା । ସେ ବି ବୁଝିପାରେ ଅନିକାଙ୍କ କଷ୍ଟ । ଟିକେ କିଛି ଖୁଆଇଦେବାକୁ ଅନେକ ଚେଷ୍ଟା କଲେ ଅନିକା । କିନ୍ତୁ ନ ଖାଇ ଶୋଇପଡ଼ିଲା ଅନିକାଙ୍କ କୋଳରେ ମୁହଁ ଗୁଞ୍ଜି । ମାତୃତ୍ୱ ନିଜକୁ ଧିକ୍କାରୁଥିଲା ଅନିକାଙ୍ ଭିତରେ ।

ଚାରିବର୍ଷ ହୋଇଗଲାଣି ତଥାପି ନିକୁକୁ ଗ୍ରହଣ କରି ପାରୁନଥିଲେ ମୋନି ଆଉ ଦିପେଶ୍ । କେଜାଣି କେମିତି ଏତେ ନିରୀହ ପିଲାଟିର ନିର୍ମଳ ମନଟିକୁ ବୁଝିପାରନ୍ତିନି ସେମାନେ ?

ନିକୁ ଜନ୍ମିତ ନୁହେଁ , କି ସାଧାରଣ ନୁହେଁ ତେଣୁ ଗ୍ରହଣୀୟ ନୁହେଁ ????????

ନାରୀ କୋମଳ । ହଁ ! ନାରୀ ସବୁବେଳେ ନରମ ଓ ଆଦ୍ର । କିନ୍ତୁ ସେଇ ସ୍ନେହସିକ୍ତ ଆଦ୍ରତା ହିଁ ନାରୀର ଶକ୍ତି । ନାରୀ ଭିତରର ନାରୀ ଟି ହୁଏତ କେଉଁଠାରେ ଦୁର୍ବଳତାକୁ ସାମ୍ନା କରୁଥାଇ ପାରେ କିନ୍ତୁ ମାତୃତ୍ୱ କଦାପି ସହିପାରେନି ଦୁର୍ବଳତା ।

ଅନିକାଙ୍କ ମାତୃତ୍ୱ ବି ସେଦିନ ନିକୁକୁ ଛାଡି ପାରିନଥିଲା ରାସ୍ତା ଉପରେ । ଡିସେମ୍ବର ରାତିର ଡ୍ରାଗନ୍ ପରି ଶୀତ ଯେତେବେଳେ ନିଜ ପ୍ରଶ୍ୱାସରେ ସାରା ସହରକୁ ହିମାସକ୍ତ କରୁଥିଲା , ଏଣେ ନୀରବତାକୁ ସାମର୍ଥ୍ୟ କରି , ରାସ୍ତା କଡରେ ପଡି ରହିଥିଲା ଶିଶୁଟିଏ । ହୁଏତ ନିୟତିର କେଉଁ ଏକ ଅଜଣା ନିର୍ଦ୍ଦେଶରେ ,ସେଇଠାରେ ହିଁ ଷ୍ଟାର୍ଟ ବନ୍ଦ୍ ହୋଇଗଲା ଅନିକାଙ୍କ ଗାଡି ! ଡ୍ରାଇଭର ଉପରେ ମନେ ମନେ ବିରକ୍ତ ହେଉହେଉ, ହଠାତ୍ ଝୁଣ୍ଟି ପଡିଲେ ଅନିକା ! ଷ୍ଟ୍ରିଟ୍ ଲାଇଟ୍ ର ଝାପସା ଆଲୁଅରେ, ସ୍ପଷ୍ଟ ଦିଶିଗଲା ଗୋରା ତକ୍ ତକ୍ କୁନି ଦେହଟାଏ। ଫୁଙ୍ଗୁଳା ଦେହସାରା ମାଡ଼ର ଦାଗ !! ବରଫ ପରି ଥଣ୍ଡା ଦେହଟାକୁ ଛାତିରେ ଚାପି ଧରିଲେ ଅନିକା ! କଳା କୋର୍ଟରେ ଘୋଡାଇ କାର୍ ରେ ପିଲାଟିକୁ ବସେଇ , ଫୋନ୍ କଲେ ଦିପେଶ୍ ଙ୍କୁ !!

―ଓଃ ଦିପେଶ୍ !! ଫୋନ୍ ତ ଉଠାଅ !!

ଫୋନଟି କଟିଯିବା ସହ ଇନ୍ ଆନ୍ ଏର୍ମଜେନ୍ସିର ମେସେଜ ଟାଏ ବିପ୍ କରୁଥିଲା ମୋବାଇଲ ସ୍କ୍ରିନ ଉପରେ !!

ଅନିକା ସବୁବେଳେ ଏମିତି ଅଭାବିର ଦୁଃଖ ବୁଝିପାରନ୍ତି ! ଦରଦୀ ମନଟିଏ ଛାତି ଭିତରେ ଧରି, ଅନେକ ଦରଦ ଭୋଗି ଥିଲେ ବି କାହାରି କଷ୍ଟ ସହି ପାରନ୍ତି ନାହିଁ। ଅନେକ ଗରିବଙ୍କ ମକଦ୍ଦମା , ମାଗଣାରେ ଲଢ଼ୁଥିବାରୁ ସବୁବେଳେ ଆଶାର କିରଣଟିଏ ପରି ଜଳୁଥାନ୍ତି ସେ , ଭସ୍ମାଭିମୁଖୀ ସଳିତା ଟିଏ ପରି ନିଜକୁ କଷ୍ଟ ଦେଇଦେଇ !! ଦିପେଶ୍ କୁହନ୍ତି ପେଶାଗତ ଜୀବନରେ ଦୟା କଲେ ଖାଇବା କଣ ?? ବେପାରରେ ବାକି ଦେବା ମୂର୍ଖାମୀ !! ତୁମେ ତ ମାଗଣା ସେବା କରି ଆସୁଛ !!

ଅନିକା କିନ୍ତୁ ବୁଝିପାରନ୍ତିନି କଷ୍ଟ ଦେଇ ରୋଜଗାର ର ମୂଲ୍ୟ କ'ଣ ??

ଓଲାଟାଏ ବୁକ୍ କରି ପିଲାଟିକୁ ଧରି ଘରକୁ ଆସିଗଲେ ଅନିକା !! ତୁରନ୍ତ କ୍ଲିନିକକୁ ଟେକିନେଲେ !! ହଠାତ୍ କେଉଁ ଏକ ଏର୍ମଜେନ୍ସି ରୋଗୀର ଚିକିତ୍ସାରେ ବ୍ୟସ୍ତ ଦିପେଶ୍ ବିରକ୍ତି ମିଶା ଆଖିରେ ଚାହିଁଲେ ସତ , କିନ୍ତୁ ଚୁପ୍ ରହିଲେ ରୋଗୀର ଉପସ୍ଥିତି କାରଣରୁ !! ଅନିକା ଆଶ୍ଚର୍ଯ୍ୟ ହେଉଥିଲେ ପ୍ରେମର କବିତା ଲେଖୁଥିବା ମନଟିଏ ଆଜି ସାମାନ୍ୟ ଦୟାରେ ଆଦ୍ର ହୋଇପାରୁନି କାହିଁକି !! ହାତରେ ଏବେ ବି କଲମ ଅଛି କିନ୍ତୁ ଶବ୍ଦରୁ ଭାବ ନୁହେଁ ଅଭାବର ଚିତ୍କାର ଶୁଣାଯାଉଛି କେବଳ ।। ଏ ବ୍ୟକ୍ତିଗତ ଓ ପେଶାଗତ ଜୀବନର ପାର୍ଥକ୍ୟ ବୁଝିପାରନ୍ତିନି ଅନିକା !! ଗରିବ ମଣିଷଟେ ଠାରୁ ଏତେ ଦାମ୍ ନେବା ସହି ପାରନ୍ତିନି ଅନିକା !! ତାଙ୍କୁ ବୁଝିପାରନ୍ତିନି ଦିପେଶ୍ !! ବଢିଚାଲେ ଦୂରତା !!

ପେନ୍ କିଲର୍ ଓ ଆଣ୍ଟି ବାଇଓଟିକ୍ ଇଞ୍ଜେକ୍ସନ ଦେଇ , ଗ୍ଲୁକୋଜଟାଏ ଲଗାଇଦେଲେ ଦିପେଶ୍ !! ତଥାପି ହୋସ୍ ନାହିଁ ପିଲାଟିର !! ଦେହସାରା ମାଡ଼ର ଦାଗ ,ମୁଣ୍ଡରେ ଏକ ଅଜବ ଚେଙ୍କା ଲାଗିବା ପରି ଦାଗ !! ଏତେ ସୁନ୍ଦର ନିରୀହ ପିଲାଟିକୁ କିଏ କାହିଁକି ମାରି ଏ ଅବସ୍ଥା କରିଛି !! ପାଆନ୍ତେ ଯଦି ସର୍ବାଧିକ ଦଫା ଲଗାଇ ଦଣ୍ଡିତ କରାନ୍ତେ ତାକୁ !!

ଗରମ ଲୁହ ଓଦା କରୁଥିଲା ମୁହଁରୁ ମନ ଯାଏଁ !! ମୋନି ପରେ ଭାରି ଇଚ୍ଛା ଥିଲା ପୁଅଟିଏ । ଯାହାକୁ ସେ ନିଜ ପରି ଓକିଲ କରାନ୍ତେ । ମୋନି ତ ବିଲକୁଲ ତା' ବାପାଙ୍କ ପରି !! ତା ଆଗରେ ସବୁବେଳେ

ହାର୍ ମାନିବାକୁ ହୁଏ ଅନିକାଙ୍କୁ !! ଦିପେଶ୍ ଇଚ୍ଛା କଲେନି !! ଅଟକିଗଲା ଅନିକାଙ୍କ ଇଚ୍ଛା !! କେଜାଣି କାହିଁକି ନିଜର ଲାଗୁଥିଲା ପିଲାଟି !! କାର୍ଯ୍ୟବ୍ୟସ୍ତତା ଭିତରେ ଫିକା ପଡୁଥିବା ମାତୃତ୍ୱ ଆଜି ପୁଣି ସବୁଜ ହୋଇ ଉଠୁଥିଲା !!

ଅଧା ରାତିରେ ହୋସ୍ ଆସିଲା ପିଲାଟିର ;କିନ୍ତୁ ଏ କଣ ଖାଲି ମିଟିମିଟି କରି ଦେଖୁଛି !! କୁଁ କୁଁ କରି କିଛି ଶବ୍ଦ କରୁଛି ! କିଛି କହୁନାହିଁ କାହିଁକି ?? ହୁଏତ ଦୁର୍ବଳତା ! କିଛି ଖୁଆଇଦେବାକୁ ବିଫଳ ଚେଷ୍ଟା କଲେ ଅନିକା ! ପିଲାଟି ସବୁ ଯାକ ଖାଦ୍ୟ ନିଜ ଦେହରେ ବୋଳି ହୋଇ ଖୁବ୍ ଗୋଟାଏ ହଇରାଣ କରେଇ ଦେଲା।। ବିରକ୍ତ ହେଲେ ଦିପେଶ୍ ବେଡ଼ରୁମ ରେ ଏସବୁ ଦେଖି !!

― ପିଲାଟି ବୋଧେ ଡରି ଯାଉଛି !! ଧୀରେ ଧୀରେ ସବୁ ଠିକ୍ ହୋଇଯିବ ।

―କାଲି ପୋଲିସ ଥାନାରେ ଏଫ୍ . ଆଇ . ଆର୍ ଦେଇ , ଚାଇଲ୍ଡ କେୟାରରେ ଛାଡିଦେଵ ତାକୁ !! ଅନ୍ତତଃ ଓକିଲଟିଏ ଭାବେ ଏତକ ତୁମେ ବେଶ୍ ଜାଣିଥିବ !!

ପଦୁଟିଏ କଥା ମଣିଷକୁ ଅନେକ ଖୁସି ଓ କଷ୍ଟ ଉଭୟ ଦେଇପାରେ !! ଶଲ୍ୟ ଚିକିତ୍ସକଙ୍କ କଥା ଗୁଡିକ ଠିକ୍ ସର୍ଜିକାଲ୍ ଛୁରୀ ପରି ଅନିକାର ଛାତି ଚିରି ହୃଦୟଟାକୁ କାଢି ଆଣିଥିଲା ବାହାରକୁ !! ଇଏ ସେଇ ଦିପେଶ୍ ଯିଏ ଟାଣ କରି ପଦେ କଥା କହିପାରୁନଥିଲେ !! ଅନିକାଙ୍କୁ କଷ୍ଟ ଦେବା କଥା ସ୍ୱପ୍ନରେ ବି ଭାବୁନଥିଲେ । ନିଜ ପରିଶ୍ରମରେ ନିଜ ଇଚ୍ଛାରେ ଅନିକାଙ୍କୁ ପାଠ ପଢିବା ପାଇଁ ବାଧ୍ୟ କରିଥିଲେ !!ତାଙ୍କରି ଇଚ୍ଛାକୁ ସମ୍ମାନ ଦେଇ ଅନିକା ଆଜି ଏତେ ଆଗରେ । ଏତେ ସୁନାମଧନ୍ୟା ।। କେଜାଣି କେଉଁଠୁ ଏତେ ନିଷ୍ଠୁରତା ପଶି ଆସିଲା ଏତେ ନିଃସ୍ୱାର୍ଥ ପ୍ରେମରେ ? ସର୍ତ୍ତହୀନ ପ୍ରେମ ବୋଲି ବୋଧେ କିଛି ଗୋଟାଏ ନଥାଏ !! ନାରୀକୁ ନିଜ ଇଛାରେ ପରିଚାଳିତ କରିବା ଭିନ୍ନ ଅନ୍ୟ କିଛି ଇଚ୍ଛା ନ ଥାଏ ପୁରୁଷର !! ସେ ଚାହିଁଲେ ନାରୀ ସଫଳ ହେବ ଅଥବା ଲୁଚିବସିବ ଅସୂର୍ଯ୍ୟଂପଶ୍ୟା ହୋଇ !!

ଦିପେଶ୍ ଆଉ ଇଚ୍ଛା କରୁନଥିଲେ ପିଲାଟିର ଚିକତ୍ସା !! ଅନିକା ନିଜେ ନେଲେ ଅନ୍ୟଏକ ଡାକ୍ତରଙ୍କ ପାଖକୁ !! ମେଞ୍ଚେ ଔଷଧ ତାଲିକା ସହ ମିଳିଲା ମାନସିକ ବିଭାଗର ପ୍ରସ୍ତାବ ।।

ତିନିଥର ସ୍କାନିଙ୍ଗ , ଇ .ସି .ଜି. ଓ ଏମ୍. ଆର୍ .ଆଇ. ପରେ ସ୍ପଷ୍ଟ ହେଲେ ଡାକ୍ତର !! ତିନିବର୍ଷର ଛୋଟ ପିଲାଟିଏ କେତେବା ସହନ୍ତା ଏତେସବୁ ପରୀକ୍ଷା ନିରୀକ୍ଷା !! ଉତ୍ତକ୍ଷିପ୍ତ ହୋଇପଡୁଥିଲା ବେଳକୁବେଳ !! ବାଧ୍ୟ ହୋଇ ଇଞ୍ଜେକ୍ସନ ଦେଇ ନିଷ୍କ୍ରିୟ କରି ଶୁଆଇ ଦେଲେ ଡାକ୍ତର !! ସବୁ ଯାକ ସ୍କାନ୍ ସିଟ୍ , ରିପୋର୍ଟ ଓ ଗ୍ରାଫ ଖେଳେଇ ହୋଇପଡିଥିଲା ଟେବୁଲ ଉପରେ !

―କେବେଠୁ ଦେଖିଲେଣି ପିଲାର ଭିନ୍ନ ବ୍ୟବହାର !!

― ନା ! ସାର୍ ! ସେ ମୋ ଜନ୍ମିତ ସନ୍ତାନ ନୁହେଁ ! ଦୁଇଦିନ ତଳେ କୋଳକୁ ଆସିଛି ଅତି ଅକସ୍ମାତ ଭାବେ ! ତେବେ ବ୍ୟସ୍ତ ହେବାର କିଛି ନାହିଁ ମୁଁ ଆଇନଗତ କାର୍ଯ୍ୟ କରିଦେଇଛି ଆପଣ ଚିକିତ୍ସା କରିପାରିବେ !!

ଡାକ୍ତରଖାନା ଫର୍ମରେ ଏନ୍.ଓ.ସି. ଦେଇଦେଇଛି ଆଗରୁ ।

― ଆପଣ ଆଡ଼ପ୍ଟ କରିଛନ୍ତି କି ତାକୁ ?

― ଏ ପର୍ଯ୍ୟନ୍ତ ନୁହେଁ ।।

― ରୋଗଟା ଆପଣଂକୁ ବୁଝିବାକୁ ହେବ ମ୍ୟାଡାମ୍ ! ଆମ ମୁଣ୍ଡ ଭିତରଟା ଆଦୌ ସାଧାରଣ ନୁହେଁ ! ଅନେକ ଗୁଡିଏ ଜଟିଳ ଅଂଶ ଓ ତତ୍ତ୍ୱକୁ ନେଇ ସଜେଇ ହୋଇଥିବା ଯନ୍ତ୍ରଟିଏ । ଆମ ଫୋର୍ ବ୍ରେନ୍ ର ଆକ୍ସେସୋରି ଏରିୟା ଆମ ଶରୀରର ସମସ୍ତ ସମ୍ବେଦନଶୀଳ ଅଙ୍ଗର ସମ୍ବେଦନକୁ ଗ୍ରହଣ କରେ । ଡେଂଡ୍ରାଇଟ୍ ଓ ଆକ୍ସନ୍ ଦ୍ୱାରା ଗଠିତ ସ୍ନାୟୁ ତନ୍ତ୍ର ମାଧ୍ୟମରେ ମିଡ଼୍ ବ୍ରେନ୍ ର ୱେର୍ନିକ୍ସ ଏରିୟାକୁ ପ୍ରେରିତ ହୁଏ ନିର୍ଦ୍ଦେଶ । ନିର୍ଦ୍ଦେଶକୁ ବୁଝି ଆବଶ୍ୟକୀୟ ତରଙ୍ଗ ପୁଣି ଫେରି ଆସେ ଆକ୍ସେସୋରି ଏରିୟାକୁ । ପୁନଶ୍ଚ ଆକ୍ସେସୋରି ଏରିୟାରୁ ବ୍ରୋକାସ୍ ଏରିୟାକୁ ପ୍ରେରିତ ହୁଏ ତରଙ୍ଗ ରୂପେ ନିର୍ଦ୍ଦେଶ । ବ୍ରୋକାସ୍ ଏରିୟା ନିର୍ଦ୍ଦେଶକୁ ପରିଣତ କରେ ଆଦେଶରେ । ପୁଣି ଆକ୍ସେସୋରି ଏରିୟା ଆଵଶ୍ୟକୀୟ ବାହ୍ୟ ବା ଆଭ୍ୟନ୍ତରୀଣ ଅଙ୍ଗକୁ କାର୍ଯ୍ୟ କରିବାର ସମ୍ବେଦନ ପ୍ରଦାନ କରେ ।

ଏ ପୁରା ଜଟିଳ ପ୍ରକ୍ରିୟା ପରେ ହିଁ ମଣିଷ ସାଧାରଣ କଥା ପଦେ କହିପାରେ ବା ବୁଝିପାରେ । ଏହି ପ୍ରଣାଳୀରେ ସମସ୍ୟା ରହିଲେ ମଣିଷ ବୁଝିବା ଅନୁଭବ କରିବା ସାମର୍ଥ୍ୟ ହ୍ରାସ ପାଏ ! ଏହି ପିଲାଟି କ୍ଷେତ୍ରରେ ତାହାହିଁ ଘଟିଛି । ମେଡ଼ିକାଲ ଟର୍ମ ରେ ରୋଗର ନାମ " ଅଟିଜିମ୍ " ।

ସ୍ତବ୍ଧ ହୋଇସାରିଥିଲେ ଅନିକା ! ତାଙ୍କ ମୁଣ୍ଡର ଆକ୍ସେସୋରି, ୱେର୍ନିକ୍ସ, ବ୍ରୋକାସ୍ ସବୁ କାମ କରିବା ବନ୍ଦ କରିଆସୁଥିଲେ ପ୍ରାୟ ! ସେ ବୁଝି ବି ବୁଝିପାରୁ ନ ଥିଲା ପିଲାଟିର ଅସହାୟତା !!

― ଚିକିତ୍ସାର ବାଟ ?? କିଛି ତ ନିଶ୍ଚୟ ଥିବ ଏ ନିରୀହ ଟିର ଆରୋଗ୍ୟ ନିମନ୍ତେ !!

― ଏ କେଶ୍ ବଡ଼ କ୍ରିଟିକାଲ ! ଅଟିଜିମ୍ ର ଅନେକ ପର୍ଯ୍ୟାୟ ଥାଏ । ପ୍ରାରମ୍ଭିକ ଅବସ୍ଥାରେ ଚିନ୍ହଟ ହେଲେ ଅନେକ ମାତ୍ରାରେ ନିଦାନ ସମ୍ଭବ । ଏହା ଏକ ବିକାଶଗତ ସମସ୍ୟା ଯାହା ସାମାଜିକ ବ୍ୟବହାରକୁ ରଦ୍ଧ କରେ । ଅନେକ କ୍ଷେତ୍ରରେ ରୋଗୀ ବାରମ୍ବାର ଗୋଟିଏ କାମ କରିବାକୁ ଲାଗେ । ବାରମ୍ବାର ହସିବା , କାନ୍ଦିବା ,କୌଣସି ଜିନିଷକୁ ଘୋଷିବା ଇତ୍ୟାଦି !!

ଅନିକାଙ୍କର ବ୍ୟସ୍ତତା ଚରମ ସୀମା ଛୁଇଁ ସାରିଥିଲା ! ବଡ଼ ବଡ଼ ମର୍ଡର କିମ୍ବା ରେପ୍ କେଶ୍ ର ଜେରା ସମୟରେ ବି ଏତେ ମାନସିକ ଚାପ ଭୋଗି ନ ଥିଲେ ସେ ଏଯାବତ୍ !!

ମା' ଏ ସୃଷ୍ଟିର ସବୁ ଠାରୁ ଶକ୍ତ ଓ ଦୁର୍ବଳ ବ୍ୟକ୍ତିତ୍ୱ !!

କୁହାଯାଏ ରକ୍ତ ସମ୍ପର୍କ ଖୁବ୍ ଶକ୍ତ, ବିଶେଷ କରି ଜନନୀ ଓ ଜନ୍ମିତର !! କିନ୍ତୁ ଗଭୀର ଭାବେ ଦେଖିଲେ ସୃଷ୍ଟି ଓ ସୃଜନ ମାନସ ସମ୍ପର୍କ ଉପରେ ଅବସ୍ଥାପିତ ।। କେଜାଣି କାହିଁକି ମାନସ ସମ୍ପର୍କ ଟିଏ ଯୋଡି ହୋଇ ସାରିଥିଲା ଏ ନିରୀହ ଚେହେରା , ନିର୍ବୋଧ ମନ ଓ ଅନିକାଙ୍କ ଭିତରେ !!

ନିରୁଦ୍ଧିଷ୍ଟ ବିଜ୍ଞାପନ ଛପା ସରିଥିଲା । ତିନି ସପ୍ତାହ ବିତି ସାରିଥିଲା । ପିତାମାତାଙ୍କ କୌଣସି ଖବର ନାହିଁ । ମିଳିବ ବା କିପରି ?? ତେଜ୍ୟ ପଦାର୍ଥକୁ କେହି କେବେ ସାଉଁଟି ନିଏନା !! ଦିପେଶ୍ ଙ୍କ ସମସ୍ତ କଠୋରତା ଭିତରେ ବି କେଉଁଠି ଗୋଟାଏ ଲୁଚି ରହିଥିଲା ଅନିକାଙ୍କ ନୀରବ ପ୍ରେମିକଟିଏ । ଛୋଟ ପାଣିର ଧାର ପଥର ଫଟେଇ ବାହାରି ଆସିବା ବେଶୀ କିଛି ଅସାଧାରଣ ନୁହେଁ । ଅନେକ ଚେଷ୍ଟା ପରେ ରାଜି ହେଲେ ଦିପେଶ୍ ।

― ମୋନି ଏ ତୋ ନୂଆ ଭାଇ !!! ତୁ ଖେଳିବୁ ନା ତା ସହ ??

― ନା ! କଦାପି ନୁହେଁ । ଏ ଖରାପ ପିଲାଟା ମୋ ଭାଇ ହେବନି । ସେ ମୋ ଟୟ ଭାଙ୍ଗିଦେଲା । ସେ ମୋ ରୂମକୁ ଆସିଲେ ମୁଁ ଡ୍ରାକୁଲା ଗନ୍ ରେ ସୁଟ୍ କରିଦେବି !!

ଦୌଡ଼ି ଚାଲିଗଲା ମୋନି ନିଜ ରୂମ ଆଡେ । ଦିପେଶ୍ ଙ୍କ ବିରକ୍ତି ଭରା ମୁଂହ ସ୍ପଷ୍ଟ ଥିଲା । କିନ୍ତୁ ଏ ସମସ୍ତ ଅପ୍ରତ୍ୟାଶିତ ନୁହେଁ। ପ୍ରସ୍ତୁତ ଥିଲା ଅନିକା । ଯେଉଁ ଯୁଦ୍ଧ ସେ ଆରମ୍ଭ କରିଥିଲେ ତା ପ୍ରଥମେ ସେ ଲଢ଼ିବେ ନିଜର ସର୍ବାଧିକ ଅନ୍ତରଙ୍ଗ ମାନଙ୍କ ସହ । କିନ୍ତୁ ହାର୍ ମାନିବା ତାଙ୍କ ଅଭ୍ୟାସ ନୁହେଁ ।

ଷ୍ଟେମ୍ ସେଲ୍ ଥେରାପି ବା ନ୍ୟୁରୋଜେନେସିସ୍ । ଅଟିଜିମ୍ ର ଚିକିତ୍ସା ପାଇଁ ସବୁଠାରୁ ଉପଯୋଗୀ । ମସ୍ତିଷ୍କ ମଧ୍ୟରେ ଆକ୍ରାନ୍ତ ଅଂଶ ଗୁଡିକରେ ଅମ୍ଳଜାନ ଓ ରକ୍ତର ପ୍ରବାହ ବୃଦ୍ଧି କରି ନୂଆ ବ୍ରେନ୍ ମାଟ୍ରିକ୍ସ ତିଆରି କରିବାକୁ ଚେଷ୍ଟା କରିବା ।

― ଏଥିରେ ରିସ୍କ ନାହିଁ ତ ! ନିକୁର ଜୀବନ ସୁରକ୍ଷିତ ତ ଡକ୍ଟର ?

― ଯଦିଓ ନିକୁ ସୁରକ୍ଷିତ । କିନ୍ତୁ ଏ ଚିକିତ୍ସା ଖୁବ୍ ସମୟ ସାପେକ୍ଷ । ଧର୍ଯ୍ୟ ହିଁ ଅସଲରେ ଏ ରୋଗର ପ୍ରଥମ ଚିକିତ୍ସା । ଆପଣଂକୁ ମା ' ଡାକ୍ତର ହେବାକୁ ହେବ କିଛି ସମୟ ପାଇଁ।।

ମା ଶବ୍ଦ ଟି କ୍ଷୁଦ୍ରତମ ହେଲେ ମଧ୍ୟ ମାତୃତ୍ୱ ଠାରୁ ବିଶାଳ ଆଉ କିଛି ନାହିଁ। ରୋଗକୁ ଔଷଧ ଠାରୁ ଅଧିକ ଆବଶ୍ୟକ ହୁଏ ଦୃଢ଼ ମନୋବଳ। ବିଶେଷ କରି ମାନସିକ ରୋଗ କ୍ଷେତ୍ରରେ ।ଅଣ୍ଟା ଭିଡି ସାରିଥିଲେ ଅନିକା , ପଛକୁ ଫେରିବାର ଅବକାଶ ନାହିଁ । ଅକ୍ଷମ ବୋଲି ନିନ୍ଦିତକୁ ଭିନ୍ନକ୍ଷମ ବୋଲି ପ୍ରମାଣ କରିବାକୁ ହେବ , ଅନ୍ତତଃ ନିଜ ଅନ୍ତରଙ୍ଗ ମାନଙ୍କ ଆଗରେ ।

ଚିକିତ୍ସା ସମୟରେ ରାଗି ଯାଏ ନିକୁ । ଅନେକ କିଛି ଭଙ୍ଗାତୁଟା କରେ । ବିଭିନ୍ନ ଥେରାପି , କାଉନ୍ସିଲିଂ ଓ ଶିକ୍ଷା ପ୍ରଣାଳୀ ମାଧ୍ୟମରେ ଚେଷ୍ଟା କରନ୍ତି ଡାକ୍ତର ଓ ଅନିକା । ଦିପେଶ୍ ଙ୍କ ବିତସ୍ପୃହତା ଓ ମୋନିର ବିରୋଧ ସବୁକୁ ଆପଣେଇ ନେଇଥିଲେ ସେ । ପ୍ରତିଦିନ ଅପମାନକୁ ଆକଣ୍ଠ ପାନ କରି ପରିଶ୍ରମ କରିଚାଲିଥିଲେ କେବଳ ।

★★★

ହଠାତ୍ ଚମକି ପଡିଲା ନିକୁ। ଥାପୁଡ଼ାଇ ଦେଲେ ଅନିକା । ଜାବୁଡି ଧରିଲା ଅନିକାଙ୍କ ହାତ । ମା ହାତଟା ବି ବଡ଼ ଯଦୁଗରୀ ଶକ୍ତି ପାଇ ଆସିଥାଏ କେଉଁଠୁ କେଜାଣି । ନିକୁ ନୁହେଁ ସଂସାରର ସବୁ ସନ୍ତାନ ସେଇ ହାତର ଛୁଆଁରେ ସ୍ୱର୍ଗର ଆନନ୍ଦ ଖୋଜି ନିଅନ୍ତି । ସେ ଅନୁଭୂତି ନିଶ୍ଚିତ ସମସ୍ତଙ୍କର ଥିବ। ସକାଳ ପାଞ୍ଚଟା , ମୋନିକୁ ଉଠାଇବାକୁ ହେବ। ସ୍କୁଲ ବସ୍ ଛ ଟା ପନ୍ଦରରେ ।ସପ୍ତମ ଶ୍ରେଣୀ ହେଲାଣି ତାର । ସେ ବି ପଢ଼ାରେ ବିଶେଷ ମନ ଦେଉନି। ଦିପେଶ୍ ଙ୍କ ଅତ୍ୟଧିକ ସ୍ନେହ ସ୍ବେଚ୍ଛାଚାରୀ କରିଦେଉଛି ତାକୁ। କିଛି କରିପାରନ୍ତିନି ଅନିକା । ସେ ପାଟି ଖୋଲିଲେ ଦୋଷୀ ହୁଏ ନିକୁ ।

― ନିକୁ କାଲି ଠାରୁ କିଛି ଖାଉନାହିଁ ସାର୍ ! ମେଡ଼ିସିନ ବି ଦେଇ ହେଉନି ।

― କ୍ଷମା କରିବେ ମିଶେସ୍ ଅନିକା ! ଖୁବ୍ ଡରି ଯାଇଛି ସେ । ଆପଣ ବି ବୁଝିପାରୁଥିବେ ଏଭଳି ଘଟଣା ନିକୁ ପାଇଁ ଠିକ ନୁହେଁ । ଘରେ ଏପରି ପରିସ୍ଥିତି ରହିଲେ ତା ଚିକିତ୍ସାର ବିଶେଷ ଲାଭ ହେବ ନାହିଁ।

―ନୋ ! ଡକ୍ଟର ନିକୁ ଏବେ ଅନେକ କିଛି ବୁଝିପାରୁଛି ।

― ମୁଁ ବୁଝୁଛି ମ୍ୟାଡାମ୍ । ଆପଣ ତାକୁ ନେଇ ବେଶ୍ ଆଶାୟୀ । କିନ୍ତୁ ମୁଁ ଆଗରୁ ବି କହିଛି ସମ୍ପୂର୍ଣ୍ଣ ସଯଯୋଗୀ ପରିବେଶ ନ ହେଲେ ଚିକିତ୍ସା ସହଜ ନୁହେଁ ।

― କିନ୍ତୁ !

― ଆପଣ ଆଉ ଥରେ ଭାବନ୍ତୁ, ମୁଁ ଆଗରୁ ବି କହିଛି ।ଆସାଇଲେନ୍ ରେ ତାର ଚିକିତ୍ସା ସହଜ ହେବ । ତା ଛଡା ଗୋଟିଏ ସହର ଯେତେବେଳେ ଇଚ୍ଛା ଭେଟିପରିବେ ଆପଣ ।

ଅନିକା ପୁଣି ସାମ୍ନା କଲେ ଆଉ ଏକ ଯୁଦ୍ଧ । ଏତେ ବର୍ଷର ପରିଶ୍ରମ ନଷ୍ଟ ହେବାକୁ ସେ ଦେଇପାରିବେ ନାହିଁ। ନିକୁକୁ ଠିକ୍ ହେବାକୁ ହେବ। ଅନ୍ତତଃ ନିଜ ମା 'କୁ ବୁଝିବା ନିମନ୍ତେ , ମା' ର ତପସ୍ୟାର ପ୍ରତିଦାନ ହୋଇ। କିନ୍ତୁ ଦିପେଶ୍ ସେ ବି ବୁଝିପାରନ୍ତିନି କିଛି। ପେଶା, ରୋଜଗାର , ଭବିଷ୍ୟତ ଏ ସବୁରେ ନିଜକୁ ନିଜେ ବନ୍ଦୀ କରିନେଇଛନ୍ତି । ସେ ବଳୟକୁ ଟପି ପହଞ୍ଚି ପାରେନା ଅନିକାଙ୍କ ପ୍ରେମ। ହୁଏତ ଦିପେଶ୍ ବି ସମାନ କଷ୍ଟ ପାଉଥିବେ ନିଶ୍ଚୟ କିନ୍ତୁ ଟପି ଆସିବାକୁ ରାଜି ହେବେନି ।

ପୁରୁଷ ସର୍ବଦା ପ୍ରେମକୁ ସାବ୍ୟସ୍ତ କରିବାରେ ବିଶ୍ୱାସ ରଖେ , ବ୍ୟକ୍ତ କରିବାରେ ନୁହେଁ ।

ମୋନି ବି ଠିକ ଏଇ ବାଟରେ ଚାଲିବାକୁ ଲାଗୁଥିଲା । ସାମାଜିକ ଷ୍ଟେଟସ ଆଗରେ ସମ୍ପର୍କ ସବୁବେଳେ ତୁଚ୍ଛ ହୋଇପଡେ ତା ପାଇଁ । ଏତେ ସୁନାମଧନ୍ୟ ଓକିଲ ଯାହାଙ୍କୁ ନେଇ ପୁରା ବାର୍ ଆସୋସିଏସନ୍ ଗର୍ବ କରେ ତାଙ୍କରି ପାଇଁ ଏମ୍ବାରେସ୍ଡ ହୁଏ ମୋନି। ଓଲ୍ଡ ଫ୍ୟାସନ୍ଡ କୁହେ । ନିକୁ କିନ୍ତୁ କିଛି କୁହେନି ବାସ୍ ମା'ର କାନିଟା ତାର ସବୁକିଛି । ଓଲ୍ଡ ଫ୍ୟାସନ୍ଡ ହେଉ କି ଡିଜାଇନର୍ ।ହୁଏତ ସକ୍ଷମ ପିଲା ମାନଙ୍କୁ ସନ୍ତୁଷ୍ଟ କରିବା ବେଶୀ କଷ୍ଟ । ଫୋନର ରିଂ ଶବ୍ଦରେ ଭାବନାର ସ୍ଥିର ଜଳଟା ଚହଲି ଗଲା।

― ମ୍ୟାଡାମ୍ । ଗାଡି ପାର୍କିଂ ରେ ରଖି ଦେଇଛି।

― ଗାଡି ରଖିଦେଲ ମାନେ ? ସାର୍ ଆଉ ବେବି କୁଆଡେ ଗଲେ ।

― ହୋଟେଲ୍ ରେ । ମତେ କହିଲେ ଗାଡି ଘରକୁ ନେଇଯିବା ପାଇଁ ।

★★★

― ଏଇଠି ଦସ୍ତଖତ କରନ୍ତୁ ।

ବ୍ୟସ୍ତ ହୁଅନ୍ତୁ ନାହିଁ ମିସେସ୍ ଅନିକା । ବିଶ୍ୱାସ ରଖନ୍ତୁ ନିକୁ ଭଲ ରହିବ । ଜଲଦି ରିକଭର୍ କରିବ। କିନ୍ତୁ ତଥାପି କହିବି ଧର୍ଯ୍ୟ ରଖିବେ ଚିକିତ୍ସା ସହଜ ନୁହେଁ ।

ଫେରି ଆସିଲେ ଏଥର ମୋନି ଓ ଦିପେଶ୍ ହୋଟେଲ୍ ରୁ । ଖୁବ୍ ଖୁସି ଥିଲା ମୋନି । ସଜାଡି ହୋଇଯାଇଥିଲା ତା ଏକଚାଟିଆ ଘର । ସାଧାରଣ ହୋଇ ଆସୁଥିଲା ସବୁକିଛି । କିନ୍ତୁ କେବଳ ବାହାରେ । ବିରାଟ ବାତାବର୍ତ୍ତ ଟାଏ ବୋହି ଚାଲିଥିଲା ଅନବରତ ଅନିକାଙ୍କ ଆଭ୍ୟନ୍ତରରେ । ମୋନିର ଦାୟିତ୍ୱ ,ନିଜର କାମ ଓ ନିକୁ ଖୁବ୍ କଷ୍ଟ କରି କିନ୍ତୁ ସଠିକ୍ ଭାବରେ ସମ୍ଭାଳିବାକୁ ଚେଷ୍ଟା କରୁଥିଲେ ଅନିକା ।

ଚଉଦ ନମ୍ବର ବାର୍ଷିକ ଡାଏରି ରେ ଡିସେମ୍ବର ବାଇଶ୍ ତାରିଖ ଆଜି । ଆଜି ହିଁ ନିକୁକୁ କୋଳେଇ ଆଣିଥିଲେ ନିକୁକୁ ।ବନବାସରେ ରାମଙ୍କ କଷ୍ଟ କୁ ତ ଅନେକ ପୁରାଣକାର ବର୍ଣ୍ଣନା କରିଛନ୍ତି କିନ୍ତୁ କୌଶଲ୍ୟାଙ୍କ ଅକଥନୀୟ ଯନ୍ତ୍ରଣା ନବୁଝି ବୁଝିହେବନି ରାମାୟଣ। ଅନେକ ଠିକ୍ ହେଲାଣି ନିକୁ। ସେ ଚିହ୍ନିପାରେ ଅନିକା , ତା ସାଥି ପିଲା, ଡାକ୍ତର ସମସ୍ତଙ୍କୁ । ନିଜ ମେଡ଼ିସିନ ନିଜେ ଖାଏ । ବହି ପଡି ଗପର ଅଭିନୟ କରି ଦେଖାଏ । ଚିତ୍ର ଆଙ୍କେ , ପ୍ରତି ସପ୍ତାହରେ କିଛି ନା କିଛି ଚିତ୍ର କରି ରଖିଥାଏ ଅନିକାଙ୍କ ପାଇଁ। ତାକୁ ହିଁ ଡାଏରି ରେ ସଜାଡି ରାଖନ୍ତି ଅନିକା । ଅମୁଲ୍ୟ ସମ୍ପତ୍ତି ପରି ତେର ବର୍ଷ ହେଲା ।

★★★

【ଚଉଦ ବର୍ଷ ବିତିଯିବା ପରେ 】

― ଆଖି ଖୋଲ ମା !! ଅନିକା ଅନିକା ! ଜଲଦି ଆସ । ମୋନି ଆଖି ଖୋଲୁନି।

ସାଙ୍ଗେ ସାଙ୍ଗେ କ୍ଲିନିକ୍ କୁ ଟେକି ନେଲେ ଦିପେଶ୍ । ଆଶ୍ଚର୍ଯ୍ୟ ହୋଇଯାଇଥିଲା ଅନିକା।

― ଦିପେଶ୍ ! ଫେଣ ବାହାରୁଛି ତା ପାଟିରୁ ।

ଆଉ କିଛି କହିପାରିଲେନି ଅନିକା ।ସ୍ୱରଯନ୍ତ୍ରର କମ୍ପନ ବନ୍ଦ୍ ହୋଇଗଲା ବୋଧେ । ଦୀପେଶ୍ ଡାକ୍ତର କିନ୍ତୁ ବାପା ବି ! ଅଭ୍ୟସ୍ତ ହାତ ବି ଧୋକା ଦେଇଗଲା ସାମାନ୍ୟ ଇଞ୍ଜେକ୍ସନ ଟିଏ ଦେବା ପାଇଁ। କେବଳ ଷ୍ଟିଅରିଂ ଧରି ମେଡିକାଲ ଆଣି ପାରିଲେ ଯାହା । ଦେଢ଼ ଘଣ୍ଟା ଓଟି ବାହାରେ ; ଯୁଗ ଟାଏ ବି କମ୍ ଲାଗିଥାନ୍ତା ବୋଧ ହୁଏ ।

― କଣ ହୋଇଛି ଡାକ୍ତର ? କୁହନ୍ତୁ ମୋ ଝିଅର କଣ ହେଲା ? ଗୋଟେ ହିଁ ପିଲା ମୋର କୁହନ୍ତୁ କଣ ହେଲା ?

―ଡ୍ରଗ୍ସ ଓଭର ଡୋଜ୍ । ଡ଼ଃ ଦୀପେଶ୍ ଆପଣ ଜଣେ ସର୍ଜନ । ଜାଣି ପାରିଲେନି କେମିତି ??

ଅବସ୍ଥାରୁ ଲାଗୁଛି ବର୍ଷେରୁ ଅଧିକ ହେବ ସେ ଡ୍ରଗ୍ସ ନେଉଛି। ଲିଭର୍ ପୁରା ନଷ୍ଟ ହୋଇସାରିଛି। ନ୍ୟୁରୋ ସିଷ୍ଟମ୍ ବି ବହୁତ କ୍ଷତି ହୋଇଛି। ଅନ୍ୟୁନ ପଚାଶ୍ ଭାଗ ଲିଭର୍ ନିଶ୍ଚିତ ଦରକାର ।

― ମୋର ପୁରା ଲିଭର ନେଇ ଯାଆନ୍ତୁ ଡକ୍ଟର ।

― ପାଗଳ ହୁଅନ୍ତୁନି ମିସେସ୍ ଅନିକା । ବ୍ଲଡ଼ ଗ୍ରୁପ ବି ନେଗେଟିଭ । ବହୁତ କଷ୍ଟ ହେବ ଲିଭର୍ ମିଳିବା। କିନ୍ତୁ ନିହାତି ଜରୁରୀ !

ସ୍ନେହ ଅତ୍ୟାବଶ୍ୟକ କିନ୍ତୁ ଅତ୍ୟଧିକ ସ୍ନେହ କ୍ଷତିକାରକ । ପିତାମାତାଙ୍କ ମନୋମାଳିନ୍ୟ କେବେକେବେ ପିଲାମାନଙ୍କ ଏତେ ଗଭୀର ଖାତ ଭିତରକୁ ଟାଣି ନିଏ ଯାହା ନିଜେ ବାପା ମା' ବି ଜାଣି ପାରନ୍ତିନି । ଅନିକାଙ୍କ ଅକ୍ଲାନ୍ତ ପରିଶ୍ରମ ପରେ ବି ଦୋଷ ଦିଅନ୍ତି ଦୀପେଶ୍ । ମଣିଷର ହୀନମନ୍ୟତା ବଡ଼ ବିଚିତ୍ର । କେହି ଜଣେ ସମାଜସେବା କଲେ ଆମେ ତାଳି ମାରୁ , ସାବାସୀ ଦେଉ । ନିଜ ପରିବାରରୁ କେହି କଲେ ସମୟ ନଷ୍ଟ ଓ ଅର୍ଥକ୍ଷୟ କହୁ। କେବେକେବେ କିଛି ଟଙ୍କା ଦାନ କରି ନିଜକୁ ମହାନ୍ ଭାବୁ ।କିନ୍ତୁ ଦାୟିତ୍ୱ ନେବାକୁ ପଛେଇ ଯାଉ । ସେଇ ଦାୟିତ୍ୱ ଟିକକ ଯିଏ ନେଇପାରେ ସେ ବି ଭୋଗେ ଅକଥନୀୟ ଚାପ । ଅନିକାଙ୍କୁ ଦୋଷ ଦେଇ ମନାଇଛା କାମ କରନ୍ତି ଦୀପେଶ୍ ଓ ମୋନି । ବାପାଙ୍କ ଅତ୍ୟଧିକ ସ୍ନେହ ସ୍ବେଚ୍ଛାଚାରୀ କରି ସାରିଥିଲା ମୋନିକୁ । ପରିଣାମ ଆଜି ସ୍ପଷ୍ଟ।

ସାତ ଦିନ ବିତିଗଲା ଅର୍ଗାନ୍ ଡୋନର୍ କେହି ବି ମିଳିଲେନି । କାହାକୁ କହିବେ କିଏ ବୁଝିବ ? ସେଇ ଅବୁଝା ନିକୁ ଆଗରେ ଗପି ବସିଲେ ସବୁ । କେଜାଣି କଣ ବୁଝିଥିବ ସେ !! ଅନିକାଙ୍କ କାନ୍ଦି କାନ୍ଦି ନଇଁ ପଡୁଥିବା ମୁଣ୍ଡକୁ ନିଜ କାନ୍ଧରେ ବୋହି ଧରିଲା ଚୁପ୍ ଚାପ୍ ।

― ଏ ପାଗଳ ଟାକୁ ଏଠିକି କାହିଁକି ଆଣିଛ ? ତୁମେ କଣ କିଛି ବୁଝିପାରନି ଅନିକା ! ମୋନିର ଅବସ୍ଥା କଣ , ଏଟା ହସ୍ପିଟାଲ୍ । ତୁମ ମୁଣ୍ଡରେ ଟିକେ ବି ବୁଦ୍ଧି ନାହିଁ ।

― ସେ ମତେ ଛାଡିଲାନି । ଖୁବ୍ ଜିଦି କଲା ଆସିବାକୁ । ମୋନି ତାର ବି ତ ଭଉଣୀ । କେମିତି ଥୟ ଧରିଥାନ୍ତା ଏସମୟରେ ??

― ଓଃ । ଗଡ୍ ! ତୁମେ ରହିଯାଇ ଥାନ୍ତ ସେଠି । ମୋନି ତାର ଭଉଣୀ ନୁହେଁ କି ତୁମ ଝିଅ ନୁହେଁ। ସାମ୍ନାରେ ଡୋନର୍ ଫର୍ମ ଖାଲି ପଡ଼ିଛି , ଅଥଚ ତୁମେ ଏ ପାଗଳକୁ ଧରି ବୁଲୁଛ।

ଏଥର ଟେବୁଲ ଟାକୁ ଖୁବ୍ ଜୋର୍ କରି ବାଡେଇ ଦେଲା ନିକୁ । ବିରକ୍ତ ହୋଇ ଚାହିଁଲେ ଦୀପେଶ୍ ତା' ଆଡେ।

― ଓଃ ! ଦେଖଦେଖ ସେ ଲିଭର୍ ଡୋନେଟ୍ ଫର୍ମରେ ବି ଗାରେଇ ଦେଲା ଏ ପାଗଳ ।

ବ୍ୟସ୍ତହୋଇ ଉଠେଇ ଆଣିଲେ ଫର୍ମଟାକୁ ଯାଇ ଦୀପେଶ୍ । ଖୁବ୍ ସାଇଜ୍ କ୍ୟାପିଟାଲ୍ ଲେଟରରେ ଲେଖାଯାଇଥିଲା ତିନି ଚାରୋଟି ଶବ୍ଦ ।

ହାତରୁ ଫର୍ମଟା ଭିଡି ନେଲେ ଅନିକା । କେବଳ ଏତିକି ମନେ ପଡ଼ିଲା ଅନେକ ବର୍ଷ ତଳେ ଥରେ ରକ୍ତ ପରୀକ୍ଷା ସମୟରେ ବାରମ୍ବାର ଘୋଷି କହୁଥିଲା ନିକୁ , ବି ନେଗେଟିଭ୍ , ବି ନେଗେଟିଭ୍ , ବି ନେଗେଟିଭ୍ !!!

ଏବେ ଅନୁତାପ , ଅବଶୋଷ ର ଏକ ଫେଣ୍ଟାଫେଣ୍ଟି ବେଳକୁ ସାମ୍ନା କରିବାଛଡା ବିଶେଷ କିଛି କରିବାକୁ ନଥିଲା ଦୀପେଶ୍ ମନିକା ଙ୍କ ହାତଗଢା ସଂସାର କୁ । କେବଳ ନୀରବତାର କୋହଲୁହରେ ତରଙ୍ଗାୟିତ ହେଉଥିଲା ହସପିଟାଲ୍ ର କ୍ୟାବିନ୍ ।କେବଳ ଦସ୍ତଖତ ଟିଏ କରିପାରିଲେ ଅନିକା ଅଭିଭାବକ ଜାଗାରେ । ନିକୁର ତ୍ୟାଗକୁ ଯଥେଷ୍ଟ ସମ୍ମାନ ଦେଇ। ସ୍ନେହ ଆଦରର ବଳନେଇ ଅସହଜରୁ ସହଜ ହୋଇପାରିଥିବା ନିକୁ ଚୁପଚାପ୍ କ୍ୟାବିନ୍ ରୁ ବାହାରିଯାଇ ସାମ୍ନା ବେଞ୍ଚ୍ ରେ ମୁହଁପାତି ମା ର ପରଶକୁ ଅପେକ୍ଷା କରିରହିଥିଲା କେବଳ !!!!!!


Rate this content
Log in