Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Matrudatta Mohanty

Tragedy

3  

Matrudatta Mohanty

Tragedy

ଦୁଃଖ ତୋଳା

ଦୁଃଖ ତୋଳା

17 mins
624


ମୁହଁଫଟା ରସ ନୋଟାରେ ନୋଟାଏ ପାଣି ପୂରେଇ ଗାଈଗୋଠ ଆଡେ ନଜର ବୁଲେଇ ଆଣିଲା ତିଳ । ରାତିରେ କେହି ବୋଧେ ଗୋବର ନଣ୍ଡାକ ଝାମ୍ପି ନେଇଛି ଗୋଠରୁ । ନହେଲେ ଶୋଇଲା ବେଳେ ଦେଖିଥିଲା ଦି ଚାରି ନଣ୍ଡା ସଜ ଗୋବର ପଡିଥିଲା । ଏବକୁ ନାହିଁ । ଖାତରେ ପୋକ ସାଲୁବାଲୁ ବାସି ଗୋବରରେ କଣ ପବିତ୍ରପାଣି କରିବ ନା କଣ । ସକାଳୁ ସକାଳୁ ଏମିତି କଥା । ପୁଣି ଦିନ ଗୋଟାକ ଅଛି । ‘ଏ ସାହି ପୁଳାକରେ ଏମିତି ହଉଛନ୍ତି ଲୋ ମା । ଘୁଅକୁଟା ପାଇଲେ ବି ଘରେ ପୂରେଇ ଦେବେ । କେମିତି ଚଳିବ ମଣିଷ ଏଠି । ମୁଁ ତ କାହା ଥିଲା ନଥିଲାକୁ ବୁଲି ଚାହୁଁନି । ମୋ ଜିନିଷକୁ ଦେଖି ତମର ଛାତି କାହିଁ ଫାଟି ପଡୁଛି ବା’ । ତେଣେ ପିଣ୍ଡାରେ ବନ୍ଧା ହୋଇଥିବା ଛେଳି ଗଣ୍ଡାକ ଗୋଡ କଚାଡୁଥିଲେ । ମେ ମେ ଚିତ୍କାର କରି ଡାଳପତ୍ର ପାଇଁ ଡହଁସି ହଉଥିଲେ । ତିଳ ପାଣି ନୋଟା ଟା କଚାଡି ଦେଲା ପିଣ୍ଡାରେ । ଘରେ ପଶି ଯାଇ ଚିଲେଇ ଉଠିଲା ଗେରସ୍ତ ଉପରେ । ନିଦରୁ ଉଠି ବସିଲା ଶଙ୍କରା । କାହିଁ ଏମିତି ରଡି ଛାଡୁଛୁ ସକାଳୁ ସକାଳୁ । କଣ କିଏ ମରିଗଲା ନା କଣ । ହଁ ମରିଗଲା । ମରିଗଲା ବୋଲି ତ ଗୋଠରେ ଗୋବର ନଣ୍ଡାବି ରଖେଇ ଦଉ ନାହାନ୍ତି । ରାତି ଅଧରୁ ଉଠି ପୋଛି ନଉଛନ୍ତି ସକଳଖାଇ ଯାକ । ଯା ଦେଖିବ ଗୋଠ ଖାଲି । ତିଳର ରଡିରେ ଶଙ୍କରା ନିଦ ପୂରାପୂରି ଛାଡି ଗଲା । ବିଛଣାରୁ ଉଠି ପାଣି ନୋଟାକ ନେଇ ମୁହଁ ଧୋଇଲା ସେ । ଟେଳାଏ ଗୁଡାଖୁ ଆଙ୍ଗୁଠିରେ ଦଳି ଦଳି କହିଲା ହଉ ରହ ମୁଁ ଯାଏ ଦେଖେ ଆଉ କାହା ଗୋଠରେ ଥିବ କାଳେ ।

ଥାଉ ତମର ଯିବା ଦରକାର ନାହିଁ । ଅଳସୁଆ କୋଉଠିକାର । କପିଳା ଷଣ୍ଡ ବାଗିଆ ଶୋଇକି ଘୁଙ୍ଗୁଡି ପେଲିବ । ଜିନିଷକୁ ନଜର କରିବ କାହିଁକି । ଏ ଗାଁ ଗୋଟାକର ମର୍ଦ୍ଧମାନେ ଘର ପାଇଁ କଣ ନାହିଁ କଣ କରୁଛନ୍ତି । ତାଙ୍କ ମାଇପମାନଙ୍କ ହାତରେ ପାଣି ବାଜୁନି । ତମେ ଖାଲି ଝାଡି ଝୁଡି ହୋଇ ପିଣ୍ଡାକୁ ଗୋଡ ଟେକିଦିଅ । ଛି ଛି କିଛି ହବନି ତମ ଦେଇ । କି ବେଳାରେ ଏ ଲୋକଟାର ହାତ ଧରିଲି କେଜାଣି ।

ସ୍ତ୍ରୀର ନାଲି ଆଖି ଆଗରେ ଶାଙ୍କୁଡି ଗଲା ଶଙ୍କରା । ବର୍ଷକ ବାର ମାସ ତିନିଶ ପଁଷଠି ଦିନ ତିଳ ଏମିତି ଗାରୁ ଗାରୁ ହୁଏ । ତା ପାଟିରେ ବାଡ ବତା ନଥାଏ । କାହାକୁ କଣ କହେ ଜାଣି ପାରେନା । କାହା ଉପରେ କୋଉଠି ରାଗିଲେ ସୁଝାଏ ଶଙ୍କରା ଉପରେ । ଝଡ ଆସିଲେ ତା ଆଗରେ ମୁଣ୍ଡ ଟେକି ଛିଡା ହେବାର ସାହସ ହୁଏତ ଶଙ୍କରାର ଅଛି କିନ୍ତୁ ତିଳ ରାଗ ଆଗରେ ସେ ଛିଡା ହେବା କଥା ସ୍ୱପ୍ନରେ ସୁଦ୍ଧା ଭାବି ପାରେନା । ଅଣ୍ଟାରେ ନାଲି ଗାମୁଛା ଗୁଡେଇ ଗୁଡାଖ ଟେଳାକ ଦାନ୍ତରେ ରଗଡି ରଗଡି ବାଉଁସବୁଦା ଆଡେ ଚାଲିଗଲା ଶଙ୍କରା । ତିଳ ପାଟି କିନ୍ତୁ ବନ୍ଦ୍ ହେଉ ନଥିଲା ।

ସକାଳୁ ତଳା ବିଲରେ ପଡି ଆଙ୍ଗୁଠି ସନ୍ଧି ସବୁ ବତୁରି ଛେନା ପରି ହେଇଛି । ଏଣେ ଏ ବିଲରୁ ସେ ବିଲକୁ ତଳା ବୋହି ବୋହି କାନ୍ଧ ଧିଅ ଦରଜ । ନାଲି ଚା ଗିଲାସେ ମାଇଲା ପରେ ବି ଧିଅ ଦରଜ ମଲାନି । ରୋଷେଇ ଘରେ ତିଳ କଣ କରୁଛି । ଡିବି ଆଲୁଅରେ ତା ମୁହଁଟା ଜଳନ୍ତା ଇଟା ଭାଟି ପରି ଲାଲ୍ ଦୁଶୁଛି । ତିଳ ମୁହଁ ଉପରକୁ ଝୁଲି ପଡିଥିବା ଅନାବନା ବାଳ କେରାଏ ବି ଲୁଚାଇ ପାରୁନି ତା ମୁହଁର ରୁକ୍ଷତାକୁ । ଏ ଘରକୁ ଆସିଲା ବେଳେ ତିଳ ମୁହଁଟି ପଦମପୁଲ ପରି ଦିଶୁଥିଲା । ସତେ ଯେମିତି ଗୋଟିଏ ଚାଉଳରେ ଗଢା । ନୂଆ ନୂଆ ଥରେ ଅଧେ ଦିନ ଦି ପହରେ ବି ଶଙ୍କରା ତିଳ ଗାଲରେ ଚୁମାଟିଏ ଦେବାର ଲୋଭକୁ ଏଡାଇ ପାରିନି । ଧିରେ ଧିରେ କଣ ହେଲା କେଜାଣି ମାଇକିନାଟା ରାଉ ରାଉ ହେଇ ସବୁ ରୂପ ଯୌବନ ସାଇଲା । ଫୁଲ ପରି ଝଟକୁଥିବା ତାର ରୁପ ବେରୁପିଆ ଦେଖାଗଲା । ଶଙ୍କରା ଆଖିରେ ନାଚି ଉଠୁଥିଲା ସେଦିନର ସ୍ମୃତି ସବୁ ।

ତିଳକୁ ପାଖକୁ ଡାକି ଧିଅରେ ଟିକେ ହାତ ବୁଲେଇ ଆଣିବା ପାଇଁ କହିବାକୁ ସାହସ କରି ପାରିଲାନି ଶଙ୍କରା । ତେଣେ ରୋଷେଇ ଘରେ ଚୁଲିରେ କୁହୁଳୁଥିବା ଘସି ନିଆଁର ଦାଉଦାଉ ରଡରେ ପୋଡା ତାଟିଆକୁ ଥୋଇ ସେଥିରେ ସୋରିଷ ତେଲ ଟିକେ ପକେଇ ଦେଲା ତିଳ । ତା ସାଙ୍ଗକୁ ରସୁଣ ଦି ପାଖୁଡା ପୁଣି କଞ୍ଚା ବିରି ଦିଟା ଛାଟି ଦେଲାରୁ ସେଁ ସାଁ ଆବାଜରେ କମ୍ପିଗଲା ସାରା ଘର । ପୋଡା ରଶୁଣ ବାସନାରେ ଘର ଗୋଟାକ ଫାଟି ପଡିଲା । ନୁଗା କାନିରେ ତାଟିଆକୁ ଟାଣି ଆଣିଲା ଝିଙ୍କା ଉପରକୁ । ତତଲା ତାଟିଆକୁ ଆଣି କଚାଡି ଦେଲା ଶଙ୍କରା ପାଖରେ । ଦେଖା ତମ ଗୋଡରେ ଟିକେ ତେଲ ମାରିଦିଏ । ଶଙ୍କରା ବୁଝି ପାରିଲାନି ତିଳ ଭିତରେ ଏ ମଣିଷ ପଣିଆ କୋଉଠି ଲୁଚିଥିଲା । ସେ ଯାହା ବି ହେଉନା କାହିଁକି ଧିଅରେ ଉଷୁମ ତେଲ ଟିକେ ବାଜିଲେ ବେଶ୍ ଉଶୁଆସ ଲାଗିବ ଭାବି ବଗ ପରି ନଳି ଗୋଡ ହଳକ ନମ୍ବେଇ ଦେଲା ତିଳ ଆଡକୁ । ପାଦରେ ତେଲ ମାରୁମାରୁ ତିଳ କହିଲା ଶୁଣୁଛ ଆଉ ଦିନ କେଇଟାରେ ନଛିଆ ପାଳି ପୂରିଯିବ ।

କି ପାଳି । ବୋକାଙ୍କ ପରି ପଚାରିଲା ଶଙ୍କରା ।

କି ପାଳି କଣ ଜାଣି ପାରୁନ । ହାଟତୋଳା ପାଳି । ପାଞ୍ଚ ବର୍ଷ ହେଲା ସେ ହାଟ ତୋଳୁଛି । ଏଇ ଫଗୁଣରେ ତା କାଳ ପୂରିଯିବ । ତିଳ କଥା କାହିଁ କେଜାଣି ଶଙ୍କରାକୁ ଆଜି ଭାରି ମିଠା ମିଠା ଲାଗୁଥିଲା ।

ହଁ କଣ ହେଇଗଲା ସେଠୁ । ଶଙ୍କରାର ଏ ପ୍ରଶ୍ନରେ ଚିଡି ଉଠିଲା ତିଳ ।

କଣ ହେଲା ମାନେ । ଖାଲି ସେ କଣ ଠିକା ନେଇଛି ହାଟ ତୋଳିବାକୁ । ଏ ପାଞ୍ଚ ଖଣ୍ଡି ଗାଁରେ ଆଉ କଣ କେହି ମରଦ ନାହାନ୍ତି ହାଟ ତୋଳିବା ପାଇଁ । ମାଗଣା ମାଗଣା ସବୁଦିନ ଏମିତି ଖାଉଥିବ ।

ତିଳ କଥାରେ ପୂର୍ଣ୍ଣଛେଦ ପକାଇ ଶଙ୍କରା କହିଲା ଆଲୋ ହୁଣ୍ଡି ମହନ୍ତ ପରା ତାକୁ ଦାୟିତ୍ୱ ଦେଇଛନ୍ତି ହାଟ ତୋଳିବା ପାଇଁ । ତୋର ମନେ ନାହିଁ କିଲୋ ସେ ସନ ପଞ୍ଚାୟତ ବସିଥିଲା । ସମତିଙ୍କ ହାଜିରାରେ ମହନ୍ତ ଶୁଣେଇ ଦେଲେ ଆଗିଲା ପାଞ୍ଚ ବର୍ଷ ପାଇଁ ଫକିରପଡାର ନଛିଆ ନାଥ ଗୋପୀନାଥଙ୍କ ହାଟ ତୋଳା ଦାୟିତ୍ୱ ନେବ । ସେ ତୋଳୁଥିବା ହାଟ ମାଲ୍ ରୁ ଅଧା ତାର ଅଧା ମଠର । ବାସ୍ । କଥା ସରିଲା । ତିଳ ତେଲ ତାଟିଆ ପେଲି ଦେଇ ଶଙ୍କରା ଆଡକୁ ନାଗି ଆସିଲା । ଫୁସଫୁସ ହୋଇ କହିଲା, ‘ହୁଁ ପାଞ୍ଚ ବରଷ ପୂରିବାକୁ ଆଉ ଅଳ୍ପ ଦିନ ବାକି । ତମେ ମହନ୍ତକୁ କୁହାବୋଲା କରି ହାଟତୋଳା କାମଟା ହାତକୁ ନିଅନ୍ତନି । ସେ କୁଳବୁଡା ନଛିଆ ପରା ହପ୍ତାରେ ଦି ଥର ସଜସଜ ପରିବା ଘରକୁ ଭୋଇ ନଉଚି । ମୁଁ କଣ ଦେଖୁନି ସେ ତୋଳୁଛି କେତେ ମଠକୁ ଦଉଛି କେତେ । ଜମି ବୋଇଲେ ଗୁଣ୍ଠେ କି ବିଶୁଆ ହବନି । ତା ଚଳଣି ଦେଖୁନ । କେମିତି ଜମିଦାର ବାଗିଆ ଠାଣି ମାରୁଛି । ସେଥିରେ ପୁଣି ତା ମାଇପର ଫୁଟାଣି କଣ କମ ନା କଣ । ଗେରସ୍ତ ତଟକା ପରିବା ଘରକୁ ବୋହି ଆଣୁଛି ବୋଲି ଆ ତା ପିଣ୍ଡାରେ ବସି ଢମ ଗପୁଛି । ହାଟପାଳିରେ ପରିବା ଦିଟା ଆମଦାନି କରୁଛି ବୋଲି ସିନା ତା ଛୁଆ ମାଇପ ଭଲରେ ଚଳୁଛନ୍ତି । ନହେଲେ ଏ ମହଙ୍ଗା ଯୁଗରେ ପାଟିରେ ଟିକେ ତିଅଣ ବାଜିବା ସାତ ସପନ’ । ଶଙ୍କରା ତିଳ ହାତରୁ ନିଜକୁ ମୁକ୍ତ କରି ଗାମୁଛାରେ ନିଜ ପାଦ ପୋଛୁ ପୋଛୁ କହିଲା ‘ତାର ସିନା ପିଲା ମାଇପ ଘର, ବେତୁଲିଏ ପରିବା ନହେଲେ ଘର ଅଚଳ । ଆମର ପରା ଦି ପରାଣି । ବାଡିରେ ଯୋଉ ଭେଣ୍ଡି ଜହ୍ନି ଗଛ ଦିଟା ପୋତିଛି ଫଳିଲେ ଖାଇବାକୁ ପେଟ ନାହିଁ’ । ତିଳ ଚିଡି ଉଠିଲା । ଉଠିଯାଇ ରୋଷେଇ ଘରେ ପସୁ ପସୁ ଚରମବାଣୀ ଶୁଣାଇ ଦେଲା ଶଙ୍କରାକୁ । ‘ମୁଁ ସେସବୁ କିଛି ଜାଣେନା । କାଲି ସକାଳୁ ସକାଳୁ ଯାଇ ମହନ୍ତଙ୍କ କାନରେ କଥାଟା ପକେଇ ଦେଇ ଆସିବ କହିଲି । ନହେଲେ ଚିହ୍ନିବ ମୋତେ’ ।

ରାତି କଣେ ପାହିନି ତିଳ ପବିତ୍ର ପାଣି ଛାଟିଲା ଘର ବାଡି । ବାସି କାମ ସାରି ଘର ଭିତରକୁ ଯାଇ ଶଙ୍କରାକୁ ଡାକିଲା । ଧିଅରେ ହାତ ମାରି ହଲେଇ ହଲେଇ ଡାକିଲା । ମହନ୍ତଙ୍କ ପାଖକୁ ଯିବା ପାଇଁ ଶଙ୍କରାକୁ ବିଛଣାରୁ ଉଠାଇଲା । ଗଲା ରାତିରେ ତିଳର ଚେତାବନି କଥା ଭୁଲି ନଥିଲା ଶଙ୍କରା । ସୁନା ପିଲା ପରି ବିଛଣାରୁ ଉଠି ନିତ୍ୟକର୍ମ ସାରି ବାହାରି ପଡିଲା ମଠ ଆଡେ ।

‘ମହନ୍ତ ମହାରାଜ ଉଠି ନାହାନ୍ତି । ଏଇଠି ଅପେକ୍ଷା କର । ଉଠିଲେ ଖବର ଦେବି’। ମଠ ଗୁମାସ୍ତା ଶଙ୍କରାକୁ ମଠ ସାମନା ବଉଳ ଗଛ ତଳେ ବସିବା ପାଇଁ ନିର୍ଦ୍ଧେଶ ଦେଇ ଚାଲିଗଲା ଭିତରକୁ । ଧିରେ ଧିରେ ଖରା ଟାଣ ହେଲା । ମଠ ଆଗରେ ଥିବା ନଡିଆ ଗଛ ଫାଙ୍କରେ ଧାରେ ଖରା ଛିଟିକି ଆସି ବିଞ୍ଚି ହୋଇ ପଡିଲା ମାଟିରେ । ସୁନା ପାତ ପରି ପାଚିଲା ଚାକୁଣ୍ଡା ପତ୍ର ସବୁ ମାଟିରେ ଲୋଟୁଥିଲେ । ଶଙ୍କରା ନଜର କିନ୍ତୁ ଲାଖି ରହିଥିଲା ମଠପିଣ୍ଡାରେ ପଡିଥିବା ମହନ୍ତଙ୍କ ଖଟୁଲି ଉପରେ । କାଉଟା କୋଉଠି ଥିଲା ଉଡି ଆସି ଲଥ କିନା ବସି ପଡିଲା ମଠପିଣ୍ଡାରେ । ଶଙ୍କରା ମୁହଁକୁ ଚାହିଁ କା କା ରଡି କଲା । ଶଙ୍କରା ମନରେ ଛନକା ପଶିଲା । ଅପଦଶିଆ କାଉଟା ରା ରା ହେଲାଣି । ହବା କାମ ବି ବିଗିଡି ଯିବ । ପାଦ ପାଖରେ ଗଡୁଥିବା ନଡିଆ ଗେଟମା ଉଠେଇ ହୁସ୍ ହୁସ୍ କହି ଛାଡିଲା କାଉ ଉପରକୁ । କାଉ ସେଠୁ ଉଡି ଯାଇ ବସିଲା ମଠ ଗୁହାଳ ଚାଳିରେ । ସିଆଡେ ଧ୍ୟାନ ନଦେଇ ମହନ୍ତଙ୍କ ଆସିବା ବାଟକୁ ଏକ ଲୟରେ ଚାହିଁ ରହିଲା ଶଙ୍କରା । ଏଣେ ସମୟ ଗଡି ଯାଉଛି । ଗୋଠରୁ ଗାଈ ଫିଟେଇବ । ଆଜି ପୁଣି ଅମୃତ ମଣୋହୀ ରୁଆ ହେବ । ଏତେ ସବୁ କାମ । ମହନ୍ତଙ୍କୁ ଚାହିଁ ବସିଲେ କି ଲାଭ । ଏ ସବୁ ମନରେ ଭାବିଲା ବେଳେ ତିଳର ରାଗ ତମତମ ମୁହଁଟା ଶଙ୍କରା ଆଖି ଆଗରେ ନାଚି ଉଠିଲା । ମଠ ଖଞ୍ଜାରୁ ମହନ୍ତ ଆସୁଥିବା ପରି ମନେ ହେଲା । ଗୋରା ତକତକ ଚେହେରା । ଲଣ୍ଡା ମୁଣ୍ଡ । ଘୁମ ଭଳିଆ ପେଟ ଉପରେ ଲଦା ହେଉଛି ଚଉଡା ଛାତିଟା । ଅଣ୍ଟା ତଳକୁ ଖସେଇ ଖଣ୍ଡେ ଗାମୁଛା ଗୁଡା ହୋଇଛି । ବାସ୍ । ମହନ୍ତ ବାମ ଜଙ୍ଘ ଉପରକୁ ଡାହାଣ ଗୋଡ ଉଠେଇ ଚକା ମାଡି ବସି ପଡିଲେ ଖଟୁଲି ଉପରେ । ଗୁମାସ୍ତା ମହନ୍ତଙ୍କ ପାଖକୁ ଲାଗି ଯାଇ କାନରେ କଣ ଫୁସ ଫୁସ ହୋଇ କହିଗଲା । ମହନ୍ତ ହାତି ପରି ମୁଣ୍ଡ ଟୁଙ୍ଗାରିଲେ । ଗୁମାସ୍ତା ହାତ ଠାରିଲା ଶଙ୍କରାକୁ । ଶଙ୍କରା ବସିବା ଥାନରୁ ଉଠି ଛିଡା ହେଲା । ମହନ୍ତଙ୍କ ପାଖକୁ ଧିରେ ଚାଲି ଯାଇ ଦୁଇହାତ ଜୋଡି ଅଧା ନଇଁ ଛିଡା ହୋଇ ରହିଲା । ଜିଭ ଅଗରେ ବାମ କଳରୁ ଡାହାଣ କଳକୁ ପାନ ଟେଳାଟା ଆଣୁ ଆଣୁ ମହନ୍ତ ଆଖିନଚେଇ ପଚାରିଲେ କଣ ହେଲା କିରେ ଶଙ୍କରା? ଶଙ୍କରା ହଠାତ୍ ସାହସ ଜୁଟାଇ ପାରିଲାନି ମନ କଥା ଖୋଲି କହିବାକୁ । ଗୁଁ ପୁଁ ହେଲା । ମୁଣ୍ଡ କୁଣ୍ଡେଇଲା । ତା କାନରେ ପିଟି ହେଉଥିଲା ତିଳର କଥା କେଇ ପଦ । ସେପଟେ ତିଳ ଏପଟେ ମହନ୍ତ । ଉଭୟ ପଟେ ଭୟଙ୍କର ଦୁଇଟି ଚେହେରା । ପାଖରେ ଥିବା ପିକଦାନିରେ ମହନ୍ତ ଗଳଗଳ କରି ମେଞ୍ଚାଏ କସରା ଛେପ ଗାଳି ପକେଇଲେ ।

ଆରେ କହ କାହିଁ ଆସିଥିଲୁ ।

ମହନ୍ତଙ୍କଠାରୁ ସାହସ ପାଇ ଶଙ୍କରା ପାଟି ଖୋଲିଲା । ମହାରାଜ ଏ ସନ ହାଟତୋଳା କାମଟା ମୋତେ ମିଳନ୍ତାନି । ଆଗିଲା ଫଗୁଣକୁ ନଛିଆର ପାଳି ସରି ଯାଉଛି ।

ମହନ୍ତ ଗମ୍ଭୀର ଦିଶିଲେ । ହଁ ଦେଖିବା ।

ଗରିବ ଲୋକ ଆଜ୍ଞା । ଭାରି କଷ୍ଟରେ ଚଳୁଛି । ଆପଣଙ୍କ ସେବା ଆଦେଶ ହେଲେ ବଞ୍ଚି ଯାଆନ୍ତି ।

ହଉ ଠିକ୍ ଅଛି ତୁ ଯା । କିଛି ଦିନ ପରେ ମୋର ମନେ ପକେଇ ଦବୁ ।

ଶଙ୍କରା କଣ କହିବ କିଛି ଜାଣି ପାରିଲାନି । ବଲ ବଲ କରି ମହନ୍ତଙ୍କ ମୁହଁକୁ ଚାହିଁ ରହିଲା । ମହନ୍ତ ମହାରାଜ ପାନ ବଟାରୁ ଆଉ ଖଣ୍ଡେ ପାନ ବାହାର କରି ପାନକୁଟାରେ ଭର୍ତ୍ତି କଲେ । ଠକ୍ ଠକ୍ କରି କୁଟିବା ଆରମ୍ଭ କଲେ । ମହନ୍ତଙ୍କ ବାଘ ପରି ଢ଼ିମା ଢ଼ିମା ଦୁଇ ଆଖି ସହିତ ଅଧିକ ସମୟ ଆଖି ମିଶାଇବା ପାଇଁ ଶଙ୍କରାର ସାହସ ନଥିଲା । ମୁଣ୍ଡିଆ ମାରି ପଛକୁ ଫେରିଲା ।

ରାତି ଅଧରେ ତିଳ ନିଦ ଭାଙ୍ଗିଗଲା । ବିଛଣାରେ ଶୋଇ ଶୋଇ ଶଙ୍କରାକୁ ପ୍ରଶ୍ନ କଲା । ମହନ୍ତ କଣ କହିଲେ କିଛି କହିଲନି ଯେ । ଶଙ୍କରା କିଛି ଉତ୍ତର ଦେବା ଆଗରୁ ତିଳ ଗେରସ୍ତର ଖୁଆ ଧରି ତା ଆଡକୁ ଭିଡି ଆଣିଲା । କଣ ଶୋଇ ପଡିଲ ନା କଣ ।

ମହନ୍ତ କହିଲେ ଆଉ କିଛି ଦିନ ପରେ ମନେ ପକେଇ ଦବାକୁ । ବାସ୍ । ପଳେଇ ଆସିଲି ।

ଭଲ କଲ । ପଳେଇ ଆସିଲ କଣ । ମହନ୍ତଙ୍କ ପାଖରେ ଜିଗର କଲନି । ହାଟତୋଳା କାମଟା ମୋତେ ନଦେଲେ ହବନି ।

ଆଲୋ ପାଗିଳି ମହନ୍ତ କଣ ଛୋଟିଆ ଲୋକ ତାଙ୍କ ପାଖରେ ଜିଦି କରିବି । କହିଲି ତ । ସେ କହିଲେ ଯାଉ କିଛି ଦିନ ମନେ ପକେଇ ଦବୁ ।

ଗାରୁ ଗାରୁ ହେଇ ତିଳ ଶଙ୍କରାକୁ ପଛ କରି ଶୋଇ ପଡିଲା ।

ନଛିଆର ଗୋଡ ଏବେ ତଳେ ଲାଗୁନି । ଶୀତ ଦିନିଆ ପରିବାରେ ଘର ଫାଟି ପଡୁଛି । ପ୍ରତି ହାଟ ପାଳିରେ ବେତୁଲି ବୋଝେଇ କରି ପନି ପରିବା ଘରକୁ ଭୋଇ ନଉଛି । ଛ ତିଅଣ ନ ଭଜା ସାଙ୍ଗକୁ ଜହ୍ନି ପୋଡା, ବାଇଗଣ ଭର୍ତ୍ତା, ସାରୁ ସିଝା ଏମିତି କେତେ କଣ ପରସି ଦଉଛି ତା ଘରଣୀ । ସେଦିନ ସନ୍ଧ୍ୟା ନଇଁ ଆସୁଥାଏ । ଗୋପୀନାଥଙ୍କ ହାଟର ଭିଡ ପତଳା ହେବାରେ ଲାଗିଥାଏ । କାଁ ଭାଁ ଲଣ୍ଠନ ଅଥବା ଚେମଣି ଟାଏ ଜାଳି ବସିଥାଆନ୍ତି ଚାଷୀମାନେ । ତାଳବାହୁଙ୍ଗା ଛପର ତଳେ କୋଳାହଳ କମିବା ଆରମ୍ଭ କରିଥାଏ । ନଛିଆ ଦି ଟୋକେଇ ପରିବା ତୋଳି ସାରି ହାଟ ମଝିରେ ଥିବା ସିମେଣ୍ଟ ଚଟାଣ ଉପରେ ଥୋଇ ଦେଲା । ପାଖରେ ପାନ ଝୁଡି ସଜାଡୁଥିବା ବୁଢାକୁ ଠାରି ଦେଇ ଗଲା, ଅନେଇ ଥା ଆସୁଛି । ଓସ୍ତଗଛ ତଳେ ଥିବା ଛୋଟା ବାଆଜି ତେଲଭାଜି ଦୋକାନ ଆଡେ ଚାଲି ଗଲା ସେ । କୋଇଲା ଆଞ୍ଚରେ ହାତ ସେକୁ ସେକୁ ଚା ଗିଲାସେ ବରାଦ କଲା । ଛୋଟା ବାଆଜି ଏକ ନମ୍ବର ଚା ଗିଲାସେ କରି ବଢେଇ ଦେଲା ନଛିଆ ହାତକୁ । ମହନ୍ତଙ୍କ ପ୍ରତିନିଧି ବୋଲି ନଛିଆର ହାଟରେ ବେଶ୍ ଖାତିରି । ଯୋଉ ଚାଳିରେ ପଶିଲା ଜିନିଷ ଉଠେଇଲା । କାହାର କିଛି ଆପତ୍ତି ନାହିଁ । ସବୁ ଚାଷୀଙ୍କ ପସରାରୁ ସେ ହାତ ପୂରେଇ ଜିନିଷ ଝାମ୍ପି ନିଏ । ସବୁଠି ତାର ହାତପୂରା କାରବାର । ହାଟରେ ଚାଷୀ ଓ ବ୍ୟବସାୟୀମାନଙ୍କର ନଛିଆକୁ ଭାରି ଡର । ନଛିଆ ଚା ଗିଲାସ ବାମ ହାତରେ ଧରି ଡାହାଣ ହାତରେ କମରଅଲ୍ଲୀ ବିଡିଟାକୁ ଦଳି ଦଳି ଡିବିରିରେ ନିଅାଁ ଧରାଇଲା । ଚା ଢୋକ ପଶିଲା ବେଳକୁ ପାଟି ଭିତରୁ ଭସ ଭସ ଧୂଅାଁ ବାହାରି ଆସିଲା । ହାଟର ଝାପସା ଗହଳି ଆଡେଇ ନଛିଆ ଆଡେ ମାଡି ଆସିଲା ମଠ ହଳିଆ । ନଛିଆକୁ ଦେଖି କହିଲା ହଜିଲା ବଳଦ ଖୋଜିଲା ଠେଇଁ । ତତେ ସଞ୍ଜ ପହରୁ ଖୋଜୁଛି ରେ ନଛିଆ । ଏବେ ଦର୍ଶନ ପାଇଲି । ତୁ ତ ଏବେ ବାବୁ ହେଇ ଗଲୁଣି । ତୋ ଦର୍ଶନ କାହିଁ ମିଳିବ । ମହନ୍ତଙ୍କ ପରେ ମଠର ମାଲିକ ତୁ । ନା ଭୁଲ କହିଲି ।

ନଛିଆ କହିଲା ନାଇମ କାଳିଆ ଭାଇ ସେମିତି କିଛି ନୁହଁ । ମୁଁ ହାଟ ତୋଳାରେ ପରା ଲାଗିଥିଲି । ଚାଷ ବାସ ଗାଈ ଗୋରୁ କାମ ନାଗିଛି । ମରିବାକୁ ବେଳ ନାହିଁ । କଣ ହେଲା କହୁନ ।

କିଛି ନାଇଁମ । ଗୁମାସ୍ତା ତତେ ଖୋଜୁଥିଲେ । ଆଜି ଭେଟିବୁ । ଜରୁରି ଅଛି । ଏତକ ଖବର ଦେଇ ମଠ ହଳିଆ ଅନ୍ଧାରରେ କେଉଁଠି ହଜିଗଲା ।

ନଛିଆ ତରତର ହେଇ ପରିବା ଝୁଡିଏ ଧରି ମଠରେ ହାଜର ହେଲା । ଗୁମାସ୍ତାଙ୍କ ଖଟ ପାଖରେ ପହଞ୍ଚି ସାଷ୍ଟାଙ୍ଗ ମୁଣ୍ଡିଆଟିଏ ମାରି ନିରବରେ ଛିଡା ହେଲା । ଗୁମାସ୍ତା ଚସମା ଫାଙ୍କରୁ ନଛିଆକୁ ଚାହିଁଲେ । କଣ କିରେ ଏତେ ଦିନ ହେଲା କୋଉଠି ଥେଲୁ । ତୋର କାହିଁ ଦେଖା ସାକ୍ଷାତ ନାହିଁ । ନଛିଆ ନିରବ ରହିଲା । ହଉ ତୁ ତୋ କାମରେ ବ୍ୟସ୍ତ ରହ । ଏଣେ ତୋ କ୍ଷେତ ଉଜୁଡିବାକୁ ବସିଲାଣି ।

ମାନେ ବୁଝି ପାରିଲିନି । ମୋ କ୍ଷେତରେ ପୁଣି କାହାର ଅପଦଶିଆ ଆଖି ପଡିଲାଣି ବା ।

ସେହି ଶଙ୍କରାର । କିଛି ଦିନ ତଳେ ଆସି ମହନ୍ତଙ୍କୁ ଗୁହାରି ହେଉଥିଲା । ହାଟତୋଳା କାମଟା ମାଗୁଥିଲା । ତୋର ଆଗିଲା ଫଗୁଣକୁ ସରି ଯାଉଛି ନା । ସେ ଏବେ ହାଟ ତୋଳିବାକୁ ଜିଦି କରୁଛି ।

ନଛିଆର ଆଖି ଅନ୍ଧାରରେ ଜଳି ଉଠିଲା । ତାର ଏଡେ ସାହସ । ମୋ ଦାନାରେ ଧୂଳି ଦଉଛି । ତା ବଉଁଶ ନିପାତ କରିଦେବି ଆଜ୍ଞା ।

ଗୁମାସ୍ତାଙ୍କ ବାଣଟା ଠିକ୍ ଜାଗାରେ ବାଜିଗଲା । ଗୁମାସ୍ତା ନଛିଆକୁ ପାଖକୁ ଆଉଜି ଆସିବାକୁ ଇସାରା କଲେ । ତୁ କାଇଁ ବ୍ୟସ୍ତ ହଉଚୁ । ମୁଁ ଅଛି ପରା । ପାଟିରୁ ପାନ ଖଦଡା କାଢି ପିଣ୍ଡା ତଳକୁ ଛାଟି ଦେଉ ଦେଉ ଗୁମାସ୍ତା କହିଲେ ବୁଝିଲୁ ତୋ କ୍ଷେତ ଏବେ ତୋ ହାତରେ । ତୁ ଚାହିଁଲେ ରଖିବୁ । ତୁ ଚାହିଁଲେ ଉଜାଡିବୁ ।

ମାନେ ବୁଝି ପାରିଲିନି ଆଜ୍ଞା ।

ତୁ ଏମିତି ଅବୁଝା ହେଲେ ଚଳିବନି ନଛିଆ । ସବୁ ଜିନିଷକୁ ନଜର କରିବୁ ନା । ହଉ ଶୁଣୁ । ମୁଁ ତୋ କଥାଟା ମହନ୍ତଙ୍କ କାନରେ ପକେଇ ଦେଇଛି । ବାକି ରହିଲା ତୋ କାମ ।

ମୁଣ୍ଡ କୁଣ୍ଡେଇ କୁଣ୍ଡେଇ ନଛିଆ କହିଲା କଣ କରିବି କହୁ ନାହାନ୍ତି ।

ହୁଣ୍ଡାଟା । ତୁ କିଛି କରିବୁନି । ଯାହା କରିବ ତୋ ମାଇକିନା କରିବ । ଯା ତାକୁ ପଠେଇବୁ । ସେ ଟିକେ ମହନ୍ତଙ୍କ କାନରେ କଥାଟା ପକେଇ ଦେଲେ ସବୁ ଶେଷ । ସବୁ ବୁଝି ଗଲା ପରି ନଛିଆ ଉଠିଗଲା ମଠ ପିଣ୍ଡାରୁ । ହାଟ ପିଣ୍ଡିରେ ଛାଡି ଆସିଥିବା ନିଜ ଭାଗର ପରିବା ଟୋକେଇ ମୁଣ୍ଡେଇ ଏକା ମୁହାଁ ହୋଇ ଧାଇଁଲା ଘର ଆଡେ ।

ରାତି ଅଧ । ଗୋପୀନାଥଙ୍କ ହାଟଟା ଶୂନଶାନ୍ । ହାଲକା ହାଲକା ଥଣ୍ଡା ପବନରେ ହାଟଚାଳିର ସୁଖିଲା ବରଡା ସବୁ ଥରି ଯାଉଛନ୍ତି । ହାଟ ବରଗଛରେ ବସି ହୁଁ ହୁଁ ହେଉଛି ବୁଢା ପେଚାଟା । ଶିଙ୍ଘ ଭଙ୍ଗା ବୁଢା ଷଣ୍ଢଟା କାହାର ଧାନ କିଆରି ଉଜାଡି ସାରି ହାଟ ଚାଳିରେ ଥକା ମାରୁଛି । ତା ଘନ ଘନ ନିଶ୍ୱାସରେ କମ୍ପି ଉଠୁଛି ହାଟର ନିଛାଟିଆ ପରିବେଶ । ନଛିଆ ଓ ତା ମାଇପ ଅନ୍ଧାରରେ ଧରାଧରି ହେଇ ପଶିଗଲେ ମଠ ବାଡିକୁ । ବଗ ମାଛକୁ ଛକି ବସିବା ପରି ଗୁମାସ୍ତା ଛକିଥିଲା ଗୁହାଳଚାଳି ତଳେ । ନଛିଆକୁ ଦେଖି ପଦାକୁ ବାହାରି ଆସିଲା । କହିଲା ତୁ ଯା । ହାଟରେ ବସିଥିବୁ । ମହନ୍ତ କଥା ହେଇ ସାରିଲେ ମୁଁ ତତେ ଡକେଇବି । ଗୁମାସ୍ତା ନଛିଆ ମାଇପର ଗୋରା ତକତକ ବାହୁ ଧରି ଭିଡି ନେଲା ମଠ ଖଞ୍ଜାକୁ । ମହନ୍ତଙ୍କ ଶୋଇବା ଘର ଭିତରକୁ ଠେଲି ଦେଇ ଆଗୁଆ କବାଟ କିଳି ଦେଲା । ବାହାରେ ବସି ଦରୁଆନି କଲା । ଭିତରୁ ଶୁଭୁଥିବା ଶବ୍ଦ ବାରି ବୁଢା ନିଜ ଦେହଟାକୁ ଯାହା ଉତ୍ତେଜିତ କଲା । ମହନ୍ତଙ୍କ ଅଇଁଠା ଖିଆ ଗୁମାସ୍ତା । ସେଇ ଲୋଭରେ ଏତକ ଆୟୋଜନ କରିଛି । ମହନ୍ତଙ୍କ ପେଟରୁ ବଳି ପଡିଲେ ତା ପାଟିରେ ଟିକେ ବାଜିବ ଭାବି ମଠ ପିଣ୍ଡାରେ ଏକର ସେକର ହେଉଥିଲା ।

ପାହାନ୍ତା ହବାକୁ ଘଡିଏ ଦି ଘଡି ବାକି ଥାଏ । ମଠ ବାଡି ଭିତରୁ ବାହାରି ଆସିଲା ନଛିଆ ସ୍ତ୍ରୀ । ପଛେ ପଛେ ଗୁମାସ୍ତା । ଦିହିଁଙ୍କୁ ଦେଖି ନଛିଆ ଉଠି ଛିଡା ହେଲା । ଗୁମାସ୍ତା କହିଲା ଯା ତୋ କାମ ପକ୍କା । ଏଥର ଶଙ୍କରା କଣ ତା ବୋପା ବି ଆସିଲେ ତୋ ଧିଅରେ ହାତ ମାରି ପାରିବନି । ଯା ନେଇଯା ଭାରିଜାକୁ ତୋର । ଦରକାର ହେଲେ ଡକେଇବି । ଝାପସା ଅନ୍ଧାର ଭିତରେ ନଛିଆ ମୁହଁରେ ଚେନାଏ ହସ ଖେଳିଗଲା ।

ଚାସ ବାସ ସରିଲାଣି । ବିଲରେ ଧାନ ଥୋଡ କାଢିଲାଣି । ଶଙ୍କରା ଗୋଡ ଟେକି ଦେଇ ପିଣ୍ଡାରେ ବସୁଛି । ହାଟତୋଳାର ଭୁତଟା ତିଳ ମୁଣ୍ଡରୁ ଓହ୍ଲେଇ ନଥାଏ । ବେଳ ଦେଖି କଥାଟା ପୁଣି ଥରେ କହିଲା ଶଙ୍କରାକୁ । ଆଉ ଥରେ ଯାଇ ମହନ୍ତଙ୍କୁ ଭେଟିବା ପାଇଁ ଜିଦି କଲା । ତିଳ ଜିଦି ଆଗରେ ଶଙ୍କରାର ଚଳେନା । ସୁଯୋଗ ଦେଖି ଶଙ୍କରା ହାଜର ହେଲା ମହନ୍ତଙ୍କ ପାଖରେ । ଗୁହାରି କଲା । କାକୁତି ମିନତି ହେଲା । ମହନ୍ତ ଶଙ୍କରା କଥା ଶୁଣିଲେ । କହିଲେ ହଇରେ ହାଟତୋଳା ନିଷ୍ପତ୍ତି କଣ ପିଲା ଖେଳ ମୁଁ ତୋ ନାଁରେ କରିଦେବି । ପଞ୍ଚାୟତ ବସିବ । ତା ପରେ ଯାଇ କଥା ନା । ଏ ସବୁ ଏମିତି ହୁଏନା । ତା ଛଡା ନଛିଆକୁ ଏବେ ବଦଳେଇ ହବନି । ତା କାମରେ ସମସ୍ତେ ଖୁସି । ମଠର ଭଲ ମନ୍ଦ ହାନି ଲାଭ ସବୁ ବୁଝୁଛି । ହାଟତୋଳା ବାଆଦେ ଯାବତୀୟ କାମ ସେ କରୁଛି । ତାକୁ କାହିଁକି ମଠ କାଢିବ କହିଲୁ । ତୁ ଯା ଏଠୁ । ତୋ କାମ ହେଇ ପାରିବିନ ।

ମହାରାଜ ତାହେଲେ କଣ କରିବି କହୁ ନାହାନ୍ତି । ଶଙ୍କରାର ଏ ନିରୀହ ପ୍ରଶ୍ନ ମହନ୍ତଙ୍କ ମୋଟା ଚମଡା ଭେଦ କରି ପହଞ୍ଚି ପାରିଲାନି ତାଙ୍କ ହୃଦୟର ସୂକ୍ଷ୍ମ କୋଣରେ । ସେ କିଛି ନଶୁଣିବା ପରି ପାନ ପାକୁଳି କରିବାରେ ଲାଗି ପଡିଲେ । ପାଦ ମଳୁମଳୁ ଶଙ୍କରା ଆଡେ ଗାରେଡେଇ ଚାହିଁଲେ । ଶଙ୍କରା ନିଜ ପ୍ରଶ୍ନ ଦୋହରାଇଲା ।

ତୁ ଗଲୁ ଏଠୁ ଶଙ୍କରା । ମୋ ସମୟ ନଷ୍ଟ କରନା । ନଛିଆ ବଞ୍ଚିଥିବା ଯାଏ ତୁ ହାଟତୋଳା ପାଇବୁନି । ମହନ୍ତଙ୍କ ଏ ଚରମବାଣୀ ଶୁଣିବା ପରେ ଦୁଃଖରେ ଭାଙ୍ଗି ପଡିଲା ଶଙ୍କରା । ଏଣେ ମହନ୍ତଙ୍କ ନିଷ୍ଠୁର ଆଦେଶ ତେଣେ ତିଳର ଚଣ୍ଡୀରୂପ । ବିଚରା କଣ ବି କରିବ । କୋଉ ମୁହଁ ନେଇ ତିଳ ପାଖକୁ ଯିବ । ତିଳ ଏଇନେ ତା ଜୀବନକୁ ତିଳ ତିଳ କରି ଖାଇଦେବ । କଣ କରିବ । ଗୁଁ ପୁଁ ହେଇ ଫେରି ଆସିଲା ଶଙ୍କରା ।

ଶଙ୍କରା ସାହସ କରି ତିଳ ଆଗରେ ସବୁ ବଖାଣି ଦେଲା । ଏହାବି କହିଲା ମହନ୍ତ କହିଛନ୍ତି ନଛିଆ ବଞ୍ଚିଥିବା ଯାଏ ହାଟତୋଳା ମୁଁ ପାଇବିନି । ତିଳ ଶଙ୍କରାଠାରୁ ସବୁ ଶୁଣିବା ପରେ ମାଟିରେ ଗୋଡ କଚାଡିଲା । ରାଗ ତମ ତମ ହେଇ ପହିଲେ ବର୍ଷିଗଲା ଗେରସ୍ତ ଉପରେ ।

ମୁଁ ଜାଣିଥିଲି ତମ ଦ୍ୱାରା ମଶା ମରିବନି । ଛୋଟିଆ କାମ ବି ତମେ କରି ପାରିବନି । ଧିକ୍ ତମ ପୁରୁଷ ପଣିଆକୁ । ଟିକେ ଶିଖୁନା ନଛିଆଠାରୁ । ଏବେ କଣ ହବ । ଶଙ୍କରା ମୁହଁ ସୁଖେଇ ଛିଡା ହୋଇଥାଏ । ତିଳ ବାଘ ଭଳି ଗର୍ଜୁଥାଏ । ରାତି ଅନ୍ଧାରର ସୁଯୋଗ ନେଇ ବୋଧ ହୁଏ ବାଘୁଣିଟା ପଶି ଯାଇଛି ତିଳ ଭିତରେ । ଡିବି ହାତରେ ଧରି ତିଳ ଲାଗିଆସିଲା ଶଙ୍କରା ପାଖକୁ । ଶଙ୍କରାକୁ ଲାଗୁଥାଏ ସତେ ଯେମିତି ମା କାଳୀ ହାତରେ ମଶାଲ ଧରି ଉଦଣ୍ଡ ନାଚୁଛନ୍ତି । ତିଳ ସାଙ୍ଗରେ ଏଇ କିଛି ଦିନର ସଂସାର କରିବା ଭିତରେ ଶଙ୍କରା ତାର ସବୁ ରୂପ ଦେଖି ସାରିଥିଲା । କିନ୍ତୁ ଏମିତି ଚଣ୍ଡି ରୂପ ଆଜି ପ୍ରଥମ ଦେଖୁଥିଲା । ନିଜ ସୌନ୍ଦର୍ଯ୍ୟର ଶକ୍ତିରେ ସାରା ସଂସାରକୁ ପଙ୍ଗୁ କରିଦେବାର କାଢ ରଖୁଥିବା ନାରୀଟିଏର ଯେ ଏଡେ ଭୟଙ୍କର ଚେହେରା ଅଛି ତାହା ବିଶ୍ୱାସ କରି ପାରୁ ନଥିଲା ଶଙ୍କରା । ତା ଇଛା ହେଉଥିଲା ତିଳ ପାଦ ତଳେ ପଡିଯାଇ କହିବ ମା ମୋର ଭୁଲ ହୋଇ ଯାଇଛି । ମୋତେ କ୍ଷମା କରିଦିଅ । ସବୁ ଦୋଷ ସେହି ପେଟୁଆ ମହନ୍ତଟାର । ଯାହା ଦଣ୍ଡ ଦବା କଥା ସେହି ଧର୍ମଛଡାକୁ ଦିଅ । ତିଳ ଗର୍ଜି ଉଠିଲା । କହିଲା ମହନ୍ତ କଣ କହିଲେ ‘ନଛିଆ ବଞ୍ଚିଥିଲା ଯାଏ ହାଟତୋଳା ଆମକୁ ମିଳିବନି’ । ଶଙ୍କରା ବୋକା ପରି ଚାହିଁ ରହିଥାଏ ତିଳ ମୁହଁକୁ । ତିଳ ପୁଣି ପ୍ରଶ୍ନ କଲା ମହନ୍ତ କଣ କହିଲେ ‘ନଛିଆ ବଞ୍ଚିଥିଲା ଯାଏ ଆମକୁ ହାଟତୋଳା ମିଳିବନି’ । ଆଛା । ଆଛା । ପରେପରେ ଅଟ୍ଟହାସ୍ୟ କରିବାକୁ ଲାଗିଲା ସେ । ହସି ହସି ଗଡି ଗଲା । ତିଳର କଣ ହେଇଛି କିଛି ବୁଝି ପାରୁନଥିଲା ଶଙ୍କରା । ଶଙ୍କରାକୁ ହଲେଇ ଦେଇ ତିଳ ପୁଣି ହସିବାକୁ ଲାଗିଲା । ଠିକ୍ ଅଛି ନଛିଆକୁ ମରିବାକୁ ହେବ । ନଛିଆ ମରିବ । ଫୁସ୍ ଫୁସ୍ ହେଇ ଶଙ୍କରା କାନରେ କହିଲା ଆଜି ରାତିରେ ନଛିଆକୁ ମରିବାକୁ ହେବ । ଶଙ୍କରା ଭାବିଲା ମା ଏବେ ବଳି ଚାହୁଁଛନ୍ତି । ତାହା ପୁଣି ନରବଳି ।

ଏଁ ତୁ ଏ କଣ କହୁଛୁ ତିଳ!

ଶଙ୍କରା ଚମକି ପଡିଲା । ତିଳ ଚିତ୍କାର କଲା । ହଁ ହଁ ନଛିଆକୁ ଆଜି ରାତିରେ ମରିବାକୁ ହେବ । ଯା ମୋ ପାଇଁ ନଛିଆର ତାଜା ରକ୍ତ ନେଇକି ଆସ । ଶଙ୍କରା ଚମକି ପଡିଲା । ହାଟ ସାରି ନଛିଆ ଘରକୁ ଫେରିବା ବାଟରେ ପାଟ ପୋଲ ପାଖରେ ତାକୁ ଖତମ କରିଦିଅ ।

ନା ମୁଁ ପାରିବିନି ।

ଶଙ୍କରା କାକୁତି ମିନତି ହୋଇ ତିଳ ପାଖରେ ଅକ୍ଷମତା ପ୍ରକାଶ କଲା । ତିଳ ଚିଡି ଉଠିଲା । କହିଲା ମୁଁ ଜାଣି ଥିଲି ତମ ଦ୍ୱାରା କିଛି ହବନି । ଛି ଛି ଛି କି ବେଳା କାଳାରେ ଏ ମିଣିଷଟାର ହାତ ଧରିଥିଲି କେଜାଣି । ଦିନେ ସୁଖ ଦେଖିଲିନି । ଏଇଟା ହାତରେ ମୋତେ ଛନ୍ଦି ଦେବା ଆଗରୁ ମୋ ବାପା ବୋଉ ମୋତେ ମାରି ନଦେଲେ ଯାହା । ତମେ ମୋତେ ଜୀବନରେ କଣ ଦେଇଚ କହିଲ । ତମେ କି ବାଗିଆ ପୁରୁଷ ମୁଁ ଭାବୁଛି । ବାହାଘର ବାର ବର୍ଷ ଭିତରେ ମୋତେ ମା ହବାର ସୁଖ ଟିକେ ଦେଲ ନା ପେଟକୁ ଭଲରେ ଦାନା ମୁଠେ ଦେଲ । ତିଳର ଏହି ପଦିକ କଥା ଶଙ୍କରାର ମରମ ଭେଦ କରି ଚାଲିଗଲା । ଶଙ୍କରା ପାଖକୁ ଲାଗି ଆସି ଫୁସ୍‌ଫୁସ୍ ହୋଇ ତିଳ କହିଲା ଶୁଣ, ନଛିଆ ପରିବା ଧରି ଡେରିରେ ଘରକୁ ଫେରେ । ଗଞ୍ଜଡିଆଟା । ସଞ୍ଜ ନଇଁଲେ ନିଶା ଚଢେଇ ଦେଇ ମାତାଲ ହୋଇଯାଏ । ପାଟ ପୋଲ ପାଖ ନିଛାଟିଆ ବାଟ ଦେଇ ସେ ହାଟସାରି ଘରକୁ ଫେରେ । ସେଇଠି ତାକୁ ମାରିବାକୁ ହବ । ସେ ମରିଗଲେ ହାଟତୋଳା ଆମର । କେହି ଜାଣି ପାରିବେନି କିଏ ମାଇଲା । ନଛିଆ କେମିତି ମଲା । ତିଳ ପୁଣି ହସିବାକୁ ଲାଗିଲା ।

ଶଙ୍କରା ମନ ସ୍ତିର କଲା । ନିଜ ପୁରୁଷ ପଣିଆକୁ ପ୍ରମାଣ କରିବା ପାଇଁ ଆସିଥିବା ଏହି ସୁଯୋଗକୁ ସେ ହାତଛଡା କରିବାକୁ ଚାହିଁଲାନି । ସଂଧ୍ୟା ଖସିଯିବାକୁ ବସିଛି । ଅନ୍ଧାର ପାକଳ ହେଉଛି । ନାଲି ଗାମୁଛା ଅଣ୍ଟାରେ ରେ ଭିଡି ପାଟପୋଲ ଆଡେ ମୁହାଁଇଲା ଶଙ୍କରା । ଛକି ବସିଲା ପାଟ ପୋଲ ମୁଣ୍ଡରେ । ପାଟ ମଝିରେ ବିଲୁଆ ରଡିବା ଆରମ୍ଭ କରି ଦେଲେ । ଲମ୍ବା ପାଟ ଟା ନିଛାଟିଆ ଶୂନ ଶାନ । କୋହଲା ପବନରେ ଧିଅ ହେମାଳ ହେଇ ଯିବା କଥା । କିନ୍ତୁ ଶଙ୍କରା ଦେହରୁ ଗମଗମ ହୋଇ ଝାଳ ବୋହୁଥାଏ । ବେଣାମୂଳରେ ଖସ ଖସ ଶବ୍ଦ ଶୁଣି ବାରମ୍ବାର ଚମକୁଥାଏ ସେ । ଅନ୍ଧାର ରାତିରେ ଆକାଶର ତାରାଗୁଡାକ ଯାହା ମିଞ୍ଜି ମିଞ୍ଜି କରି କୋଳାହଳ କଲା ପରି ମନେ ହେଉଥାଏ । ନଚେତ ପାଟ ମଝିରେ କେହି ନଥାନ୍ତି । ବୁଢା ବରଗଛଟାରେ ଫଡଫଡ ହେଇ ବାଦୁଡି ପିଟି ହେଉଥାଆନ୍ତି । ଶଙ୍କରାର ଛାତି ଧଡ ଧଡ ହେଉଥାଏ । ଏଇ ପାଟ ବିଲରେ ସୁନା ଫଳାଇବା ପାଇଁ କେତେ ମେହେନତ କରିଛି ସେ । ଚର୍ତୁମାସ୍ୟାରେ ଏଇ ନାଳିରୁ ମାଛ ମାରିଛି । ପୁଣି ଗାଈ ଗୋଠ ଛାଡି ଦେଇ ଏଇ ବଉଳ ଗଛ ତଳେ କେତେ ଖରାବେଳ କାଟିଛି । ଆଜି କିନ୍ତୁ ଏଇ ଘନ ଅନ୍ଧାରରେ ଏମାନେ ସମସ୍ତେ କାହିଁ ବେଶ୍ ଅପରିଚିତ ଲାଗୁଛନ୍ତି । ଆଜି ଯେମିତି ପ୍ରଥମ ଥର ଶଙ୍କରା ଏମାନଙ୍କୁ ଭେଟିବା ପରି ମନେ ହେଉଛି ।

ଦୂରରୁ କେହି ଜଣେ ଆସିବା ପରି ଲାଗିଲା । ନଛିଆ ବୋଧେ । ଶଙ୍କରା ଉଠି ଛିଡା ହେଲା । ପୋଲ ପାଖରେ ଥିବା ବଉଳ ଗଛରେ ମାଛି ପରି ଲାଗି ଗଲା । ମୁଣ୍ଡରେ ଝୁଡି ଅଛିମାନେ ନଛିଆ ଆସୁଛି । ଶଙ୍କରା ନିରିଖେଇ ଚାହିଁଲା । ହଁ ନଛିଆ ଆସୁଛି । ନିଜକୁ ପ୍ରସ୍ତୁତ କଲା । ଆଜି ତାର ପରୀକ୍ଷାର ବେଳ । ଏଥିରେ ବି‘ଳ ହେଲେ ତିଳ ପାଖରେ ମୁହଁ ଦେଖେଇ ପାରିବନି ସେ । ଲୋକଟା ପାଖକୁ ଆସିଲାରୁ ଶଙ୍କରା ଡେଇଁ ପଡିଲା ତା ଉପରକୁ । ଗାମୁଛାରେ ତା ବେକକୁ ଭିଡି ଧରି ଚିପିବାକୁ ଲାଗିଲା । ଗଁ ଗଁ ରଡିଛାଡୁଥିବା ମଣିଷଟା କ୍ଷଣକ ମଧ୍ୟରେ ଛଟପଟ ହୋଇ ନିସ୍ତେଜ ହୋଇଗଲା । ମୁଣ୍ଡରେ ଥିବା ଝୁଡିଟା ଗଡିଗଡି ପାଟ ନାଳି ଭିତରକୁ ଚାଲିଗଲା । ଏଣିକି ତିଳ ଆଗରେ ଛାତି ଫୁଲେଇ କହି ପାରିବ ସେ ମରଦଟା ବୋଲି । ତା ପୁରଷ ପଣିଆକୁ ନେଇ ତିଳର ଆଉ କୌଣସି ସନ୍ଦେହ ରହିବ ନାହିଁ ବୋଲି ନିଶ୍ଚିତ ହୋଇଗଲା ଶଙ୍କରା । ମଲାଦେହଟାକୁ ଛାଡି ସେ ଅନ୍ଧାର ଭିତରେ ମିଳେଇ ଗଲା ।

ରାତି ପାହିଲା ବେଳକୁ ପାଞ୍ଚ ଖଣ୍ଡି ଗାଁରେ ଚହଳ ପଡିଗଲା ପାଟମଝିରେ ଗଡୁଛି କାହାର ଗୋଟେ ମଲା ଦେହ । ଲୋକେ ସୁଅ ପରି ଛୁଟିଲେ ପାଟ ଆଡେ । ନୀର୍ଜିବ ଦେହଟା ମାଟିରେ ଲୋଟୁଥିଲା । ଶବଟା ସାରା ଠାଆକୁ ଠାଆ ପିମ୍ପୁଡି ଚରି ଯାଇଥିଲେ । ଆଖି ଦିଟା ପଦାକୁ ବାହାରି ଆସିଥିଲା । ଆରେ ଏ ଶବଟା ତ ପାଣୁ ବୁଢାର । ଭିଡ ଭିତରୁ କେହି ଜଣେ ଚିତ୍କାର କଲା । ଗୋପୀନାଥଙ୍କ ହାଟରେ ପାନ ବିକି ଚଳୁଥିଲା । ବିଚରା ବୁଢାଟା । କାହାର କଣ କରିଥିଲା ଯେ ଏମିତି ମାରି ଗଡେଇ ଦେଲା କିଏ ତାକୁ । କିଏ କେତେ କଥା କହିଲେ । କିଏ କହିଲା ମା ପାଟମଙ୍ଗଳା ପାଣୁଆକୁ ସହିଲେନି । ଆଉ କେହି କହିଲା ମଶାଣୀ ବରଗଛରୁ ପିଶାଚ ଆସି ପାଣୁଆ ରକତ ପିଇଗଲା । ଦିନ ଅଧକୁ ପୁଲିସ୍ ଜିପ୍ ଆସି ନାଗିଲା ମଢା ପାଖରେ । ପାଣୁଆର ମଲା ଦେହ ପାଖରେ ପଡିଥିବା ନାଲି କଟକଟ ଗାମୁଛା ଟା ତାର ନୁହେଁ ଆଉ କାହାର ବୋଲି ପ୍ରାଥମିକ ତଦନ୍ତରୁ ଜାଣି ପାରିଲା ପୁଲିସ୍ । ପରେ ପରେ ଗାଁ ଲୋକ ଚିହ୍ନଟ କଲେ ଏ ଗାମୁଛା ତ ଶଙ୍କରାର । ଏମିତି ଗାମୁଛା ଏ ଖଣ୍ଡ ମଣ୍ଡଳରେ ଆଉ କାହାର ଅଛି ଯେ । ପୁଲିସ୍ ଧଇଲା ଶଙ୍କରା ବେକକୁ । ଦି’ ଚାପୁଡାରେ ସତ ବାନ୍ତି କରି ପକେଇଲା ସମସ୍ତଙ୍କ ଆଗରେ । କିନ୍ତୁ ବୁଢା ପାନରାଟାକୁ ଅନ୍ଧାର ଭିତରେ ତଣ୍ଟିଚିପି କାହିଁକି ମାରିଲା ସେ ପ୍ରଶ୍ନ ପଚାରିଲା ବେଳକୁ ଶଙ୍କରା ମୁକ ପାଲଟି ଯାଇଥିଲା । ତା ପାଟିରୁ ଆଉ କଥା ବାହାରୁ ନଥିଲା । ଶଙ୍କରା ବାକ୍‌ଶକ୍ତି ହରାଇଛି ବୋଲି ଲୋକେ କୁହାକୁହି ହେଲେ ।

ସବୁ ଫସଲ ଉଜୁଡି ଗଲା । ଘର ଅମାର ଖାଲି । ଦିନ ରାତି ତିଳ ଆଖିରୁ ଲୁହ ଶୁଖୁନି । ଚୁଲି ହାଣ୍ଡି ଯେ ଯୁଆଡେ ଚିତ୍ପଟାଙ୍ଗ ମାରିଛନ୍ତି । ଘରେ ଚୁଲି ଜଳୁନି । ଘରଟାରୁ ଯେମିତି ଲକ୍ଷ୍ମୀ ଛାଡ଼ି ଯାଇଛନ୍ତି । ତିଳକୁ ସବୁ କିଛି ଅନ୍ଧାର ଦିଶୁଥିଲା । ଅଣାୟତ କୋହମାନଙ୍କୁ କାନିରେ ଗଣ୍ଠି ପକାଇବା ବ୍ୟତୀତ ତା ପାଖରେ ଆଉ କୌଣସି ଉପାୟ ନଥିଲା । ସାରା ଗାଁଟା ଯାକର ଲୋକେ ତିଳକୁ ଦେଖି ବାଟକାଟି ଚାଲିଗଲେ । କେହି କେହି ସମବେଦନା ଜଣାଇବା ଆଳରେ ହତ୍ୟାର କାରଣ ଜାଣିବା ପାଇଁ ଚେଷ୍ଟା କରି ବିଫଳ ହେଉଥିଲେ । ଗାଁ ଗୋଟାକ ଲୋକ ନିରିହ ଶଙ୍କରାକୁ ହତ୍ୟାକାରୀ ବୋଲି ଭାବୁଥିଲେ । କିନ୍ତୁ ତା ପଛରେ ଯେ ତିଳର ହାତ ଅଛି ଏହା ତିଳ ବ୍ୟତୀତ ଆଉ କାହାକୁ ଜଣା ନଥିଲା । ସାମାନ୍ୟ ଲୋଭରୁ ନିଜ ହସିଲା ସଂସାରରେ ନିଜେ ନିଆଁ ଗେଞ୍ଜି ଦେଇଥିଲା ସେ । ଦିନ ଆଲୁଅରେ ଆଉ ତିଳକୁ କେହି ଦେଖିବାକୁ ପାଉ ନଥିଲେ । ଅନ୍ଧାର ହେଲେ ତିଳ ପିଣ୍ଡାରେ ବସି ଗୁମୁରି ଗୁମୁରି କାନ୍ଧୁଥିବାର କେହି କେହି ଶୁଣୁଥିଲେ । ହାଟତୋଳିବାକୁ ଯୋଜନା କରୁ କରୁ ତିଳ ତା ଅଜାଣତରେ ନିଜ ପାଇଁ ତୋଳି ଆଣିଥିଲା ଦୁଃଖ ମେଣ୍ଟାଏ । ସେ ଦୁଃଖ ଆଞ୍ଜୁଳାଏ ନୁହେଁ କି ବେତୁଲିଏ ନୁହଁ ତାହା ପୁଣି ଘର ଭର୍ତ୍ତି ଦୁଃଖ । ଯାହା ତଳେ ଚାପି ହୋଇଯାଇଥିଲା ତିଳର ସବୁ ସ୍ୱପ୍ନ, ଯାବତୀୟ ସୁଖ ।


Rate this content
Log in

More oriya story from Matrudatta Mohanty

Similar oriya story from Tragedy