Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ABhimanyu Panda

Romance Inspirational

4  

ABhimanyu Panda

Romance Inspirational

ମୁଁ (ଅବନ୍ତୀ)ଜଣେ ନାରୀ

ମୁଁ (ଅବନ୍ତୀ)ଜଣେ ନାରୀ

6 mins
412



ସେଦିନ ରାତିରେ ମୋ ସ୍ୱାମୀ ତାଙ୍କ ମନ କଥା ସବୁ ଖୋଲି କହିଦେଇଥିଲେ । ପୁରା ରାତି ବିତିଯାଇଥିଲା l ମୁଁ କଳିଯୁଗର ଭଗବାନଙ୍କ ପରି ବିନା ଦ୍ବିଧାରେ ବିନା ପ୍ରତିବାଦରେ ସବୁ ଶୁଣୁଥିଲି । ତାଙ୍କ ମନୋଦଶା ମତେ ଦୁଃଖୀ କରୁଥିଲେ ବି ମୋର ମାନସିକ ଅବସ୍ଥା ମତେ ବେଶି ଜଟିଳ ଲାଗୁଥିଲା । ତା' ପରଠାରୁ ମୁଁ(ଅବନ୍ତୀ) ମୋ ନିଜ ଭିତରେ ଗୋଟେ ସୁନ୍ଦର ଅଭିନେତ୍ରୀକୁ ସ୍ଥାପିତ କରିଦେଲି । ଯିଏ ନିଜକୁ ଭୁଲି  ନିଜ ସ୍ୱାମୀ ଓ ନିଜ ଘର ପରିବାରର ଖୁସିରେ ଖୁସି ଆଉ ଦୁଃଖରେ ଦୁଃଖୀ ହେଉଥିଲା । କାହାର କୌଣସି କଥାରେ ପ୍ରତିବାଦ ଥିଲା ନା କାହା ପାଖରୁ ନିଜ ପ୍ରତି କିଛି ଆଶା ଥିଲା । ମୋ ଭିତରର ମଣିଷ ନାରୀ ପୁରାପୁରି ମରି ସାରିଥିଲା । ମୁଁ ଚିତ୍ର କଳା(Fine Art)ରେ ସ୍ନାତକୋତ୍ତର  ଘର ଜଞ୍ଜାଳ , ନିଜ ମନରେ ଚାଲିଥିବା ଦ୍ୱନ୍ଦ ମୋ ଭିତରର କଳାକାରକୁ ବି ମୃତପ୍ରାୟ କରିସାରିଥଲା । ମୁଁ ଖୁବ ଚେଷ୍ଟା କରି ମୋ ଭିତରେ ମୃତପ୍ରାୟ ପଡ଼ିଥିବା କଳାକାରକୁ ଜୀବୀତ କଲି । ମନର ଅଦମିତ ଭାବନାକୁ ଗୋଟିଏ ପରେ ଗୋଟିଏ ଆଙ୍କି ଚାଲିଲି କାନଭାସ ଉପରେ ,କାହା ପାଖରୁ କିଛି ପ୍ରତିକ୍ରିୟାର ଆଶା ନରଖି । ପରିବାରର ଅଭିନୟ କର୍ତ୍ତବ୍ୟ ସରିବା ପରେ ବାକିତକ ସମୟ ମୁଁ ନିଜକୁ ହଜାଇ ଦେଲି ମୋର କାନଭାସ ଆଗରେ । ଆମ ଦୁହିଁଙ୍କ ଭିତରେ ଏକ ସୁନ୍ଦର ସମ୍ପର୍କ ସୃଷ୍ଟି ହେଇସାରିଥିଲା । ନହେବ କେମିତିଯେ  ମୋ ମନର ପ୍ରତିଟି ଭାବନାକୁ ସେ ନିଜ ଛାତିରେ ଜାବୁଡ଼ି ଧରୁଥିଲା । ନୀରବ ରହି ସେ ମୋର ପ୍ରତିଟି ଅଭିଯୋଗକୁ ଧୈର୍ଯ୍ୟର ସହିତ ଶୁଣି  ମୋ ମାଧ୍ୟମରେ ତାର ହୃଦୟରେ ଆଙ୍କି ଦିଏ ପ୍ରତିଟି ସମସ୍ୟାର ସମାଧାନ । ଓଃ କି ବିଚିତ୍ର ସମ୍ପର୍କ ଏ !! ଆତ୍ମ ବିଭୋର କରିଦିଏ ମତେ । 

   ଏ ଭିତରେ ପ୍ରାୟ ଏକବର୍ଷ ପରେ ,ଦେଶର ଜଳସୀମାର ରକ୍ଷା କରିବା ଲାଗି ମୋ ସ୍ୱାମୀଙ୍କର ଡ୍ୟୁଟି ପଡ଼ିଲା ସମୁଦ୍ର ଭିତରେ । ଆଗାମୀ ଛଅ ମାସ ଲାଗି , ମନର ଭୟ ଉପରେ ବିଶ୍ୱାସ ର ଆବରଣ ଦେଇ ତାଙ୍କୁ ତାଙ୍କ କର୍ତ୍ତବ୍ୟ ପଥରେ ଆଗେଇ ଯିବାର ମେଲାଣି ଦେଲି ହସି ହସି । ଏବେ ଘରେ ମୁଁ ସମ୍ପୂର୍ଣ୍ଣ ଏକୁଟିଆ ହେଲେ ଏକାକୀ ନୁହଁ , କାରଣ ମୋ କାନଭାସ ମୋର ପ୍ରତ୍ୟେକଟି କାର୍ଯ୍ୟର ସାଥି । ଆଙ୍କି ଚାଲିଲି ଗୋଟେ ପରେ ଗୋଟେ ପ୍ରତିଛବି ମୋ ନିଜର । କାନଭାସର ସ୍ଵଛ ହୃଦୟରେ ମୁଁ ମୋର ପ୍ରତିବିମ୍ବକୁ ସ୍ପଷ୍ଟ ଦେଖୁଥିଲି ,। ଏ ଭିତରେ ମୋର ପାଠପଢ଼ା ବେଳର ଜଣେ senior ସହପାଠୀଙ୍କ ସହିତ ଦେଖା ହେଇଥିଲା । ମୋର ଯେତେବେଳେ କଲେଜରେ ପ୍ରଥମ ବର୍ଷ ତାଙ୍କର ସେତେବେଳେ ଶେଷ ବର୍ଷ । ତାଙ୍କ କଳାକାରୀରେ ପୁରା କଲେଜର ସମସ୍ତେ ତାଙ୍କର ପ୍ରଶଂସକ । ପାଠପଢ଼ା ପରେ ସେ ଏବେ ଜଣେ ପ୍ରତିଷ୍ଠିତ କଳାକାର । ଦେଶ ବିଦେଶରେ ତାଙ୍କ କଳାର ପ୍ରଦର୍ଶନୀ ଲାଗୁଛି । ମୁମ୍ବାଇରେ ତାଙ୍କ କଳାର ଏକ ପ୍ରଦର୍ଶନୀରେ ମୁଁ ତାଙ୍କ କଳାକୃତି ସବୁ ନିରେଖି ଦେଖୁଥାଏ । କାନଭାସ ଉପରେ ମୋ ନିଜ ମନର ଭାବର ପ୍ରକାଶ ପାଇଁ ମୁଁ ତାଙ୍କ କଳାକୃତିରୁ କିଛି ଉପାଦାନ ଖୋଯିବାରେ ବ୍ୟସ୍ତ ଥାଏ । 

      ହଠାତ ମୋ ପଛରୁ କେହିଜଣେ ------- କେମିତି ଅଛ ? କହିବାର ଶୁଣିଲି । ବୁଲି ଦେଖିଲି ତ ନିର୍ମଳ ଭାଇ  ପଢ଼ାବେଳର senior କଳାକାର ଯାହାଙ୍କ କଳାକୃତିର ପ୍ରଦର୍ଶନୀ ମୁଁ ଦେଖିବାକୁ ଆସିଛି । ତାଙ୍କୁ ସାମ୍ନାରେ ଦେଖି ମୋ ଖୁସିର ଠିକଣା ରହିଲାନି । ଆରମ୍ଭ ହେଇଗଲା ଗପ -------- କଳାରୁ ଆରମ୍ଭ ହେଇ ପଢ଼ାବେଳ ପର୍ଯ୍ୟନ୍ତ ଲମ୍ବି ଚାଲିଲା ଆମ ଗପ । ମୋର ଅତୀତ ମନରେ ସାମାନ୍ୟ ଭୟ ସୃଷ୍ଟି କରୁଥିଲେବି ମୁଁ ତାକୁ ମୋ ନିଜ ଉପରେ ହାବି ହବାକୁ ନଦେଇ ବିଭିନ୍ନ ବିଷୟର ଆମ ଆଲୋଚନାକୁ ଅବ୍ୟାହତ ରଖିଥାଏ । ଆଲୋଚନା ଦ୍ୱାରା ଜାଣିବାକୁ ପାଇଲି ଯେ ନିର୍ମଳ ଭାଇ ବହାହେଇ ଗୋଟେ ପୁଅର ବାପା ବି ହେଇସାରିଲେଣି । କଥାରେ କଥାରେ ଆମେ ଦୁହେଁ ଦୁହିଁଙ୍କର ଫୋନ ନମ୍ବର ବଦଳ କରି , ଉଭୟଙ୍କୁ ପୁଣି ଦେଖା କରିବାର ପ୍ରତିଶୃତି ଦେଇ ନିଜ ନିଜ ଠିକଣାକୁ ଫେରିଲୁ । 

     ଗୋଟିଏ ସପ୍ତାହର ବ୍ୟବଧାନ ପରେ ନିର୍ମଳ ଭାଇଙ୍କର ଫୋନ ଆସିଲା । ଆମେ ଗପିଚାଲିଲୁ   ଲକ୍ଷ୍ୟହୀନ ଗପ । ଏମିତି ସବୁଦିନ ସବୁରାତି ଏପରିକି ସବୁ ସମୟରେ ଆମେ ଫୋନ ମାଧ୍ୟମରେ ଜଣେ ଅନ୍ୟ ଜଣକୁ ଶୁଣିବାରେ ମଜ୍ଜି ଯାଇଥିଲୁ । ମୋ ମନରେ ଅତୀତର ସେ କଥା ବାରମ୍ବାର ଧସେଇ ପଶୁଥାଏ । ଯେତେବେଳେ ପୁରା କଲେଜର ଝିଅମାନଙ୍କର ସ୍ୱପ୍ନର ନାୟକ ନିର୍ମଳ ଭାଇ ମତେ ଭଲ ପାଉଛନ୍ତି ବୋଲି କହିଥିଲେ ଆଉ ମୁଁ ଅବିଳମ୍ବେ ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଥିଲି । ତାପରେ ମୁଁ ମୋ ପ୍ରତି ତାଙ୍କ ବ୍ୟବହାରରେ କେବେବି ଅଶାଳୀନତା ଅନୁଭବ କରିନି । ସବୁକିଛି ସହଜ ହେଇଯାଇଥିଲା ଆମ ଭିତରେ । ଏବେ କିନ୍ତୁ ଆମ କଥାବାର୍ତ୍ତାରେ ମୁଁ ବହୁତ କିଛି ଅସହଜ ବିଷୟ ଆବିଷ୍କାର କରିଛି । ଆଉ ମୌନ ରହି ନିର୍ମଳ ଭାଇଙ୍କୁ ଆହୁରି ଆଗେଇବାର ଖୋରାକ ଯୋଗାଇଛି । ସେ ଯେବେବି ମୁମ୍ବାଇ ଆସନ୍ତି ଆମେ ଉଭୟଙ୍କୁ ଦେଖାକରୁ । ହସ ଖୁସି ଗପ ମଜଲିସ ଏମିତି ଅନେକ ଇଛା ମୁଁ ପୂରଣ କରେ ଯାହା ସବୁ ମୁଁ ଅବିବାହିତ ବେଳେ କରିବାର ସ୍ୱପ୍ନ ଦେଖୁଥିଲି । ନିର୍ମଳ ଭାଇଙ୍କ ଆଖିରେ ମୁଁ ମୋ ପ୍ରତି ଭଲ ପାଇବା ଅନୁଭବ କରିପାରୁଥିଲି । ନା ନା ସେଇଟା ପ୍ରେମ ନୁହେଁ କେବଳ କାମନା ମାତ୍ର । ତାଙ୍କ ଆଖିର ସେ କାମନାନଳରେରେ ମୁଁ ବି ପତଙ୍ଗଟିଏ ହେଇ ଜଳିଯିବାକୁ ଚାହୁଁଥିଲି l ହେଲେ ଜଣେ ନାରୀ ହୋଇ ପ୍ରେମ ନିବେଦନର ଆରମ୍ଭ କରିବାକୁ ମତେ ମୋ ସ୍ଵଜାତ ଲଜ୍ଜା ବାନ୍ଧି ରଖିଥିଲା । ନିର୍ମଳ ଭାଇଙ୍କୁ ବୋଧହୁଏ ଦ୍ଵିତୀୟ ଥରର ପ୍ରତ୍ୟାଖ୍ୟାନ ଭୟଭୀତ କରୁଥିଲା । ସେ ନିରବ ରହି ଘଣ୍ଟା ଘଣ୍ଟା ମୋର ପାଗଳାମୀର ଗପ ଶୁଣୁଥିଲେ  ଆବଶ୍ୟକ ପଡ଼ିଲେ କହୁଥିଲେ ବି ଅନେକ । ମୋର ପ୍ରତିଟି ଛୋଟ ବଡ଼ କାମକୁ ସେ ଭୂୟସୀ ପ୍ରଶଂସା ବି 

କରୁଥିଲେ । ତାଙ୍କର ଏହି କଥା ସବୁରେ ମୁଁ ତାଙ୍କ ପ୍ରତି ଆକର୍ଷିତ ହେଇଯାଇଥିଲି । ପ୍ରତ୍ୟେକଟି ନାରୀ ଭଳି ମୁଁ ବି ମୋ କାମର ନିନ୍ଦା ପ୍ରଶଂସା ସବୁ ଶୁଣିବାକୁ ଚାହୁଁଥିଲି ଯାହା ମୁଁ ବହୁତ ଖୋଜିଲା ପରେ ବି ମୋ ସ୍ୱାମୀଙ୍କ ପାଖରୁ ପାଇନଥିଲି କିନ୍ତୁ ନିର୍ମଳ ଭାଇ ସେସବୁକୁ ଅନାୟାସରେ ମୋ ସାମ୍ନାରେ ପରସି ଦେଉଥିଲେ । 

    ମନରେ ସାହସ ବାନ୍ଧି ନିର୍ମଳ ଭାଇ ଆମ ଭିତରେ ଥିବା ଲଜ୍ଜା ଓ ଭୟର ପାଚେରୀକୁ ତାଙ୍କ କଥାବାର୍ତ୍ତା ମାଧ୍ୟମରେ ଭାଙ୍ଗିଦେବାକୁ ଚେଷ୍ଟା ଆରମ୍ଭ କଲେ । ମୁଁ ତାଙ୍କ କଥାର ସକାରାତ୍ମକ ଜବାବ ନଦେଲେ ମଧ୍ୟ ନିଜେ ମୌନ ରହି ତାଙ୍କୁ ଅଧିକ ଆଗେଇବାକୁ ଉତ୍ସାହିତ କରୁଥିଲି । ଆମ କଥାବାର୍ତ୍ତାରେ ଧିରେ ଧିରେ ଅଶାଳୀନତାର ମାତ୍ରା ବଢିଚାଲିଲା , ଏଥର ମୋର ବି ସମାନ ଯୋଗଦାନ ରହିଲା । କଥାବାର୍ତ୍ତା ମାଧ୍ୟମରେ ଆମେ ଲଜ୍ଜା, ଭୟ ଓ ସାମାଜିକ ପ୍ରତିବନ୍ଧର ସମସ୍ତ ସୀମାକୁ ଟପି ଯାଇଥିଲୁ । ଗୋଟେ ସ୍ତ୍ରୀ ପାଖରେ ବିପରୀତ ଲିଙ୍ଗିମାନଙ୍କୁ ଆକର୍ଷଣ କରିବାର କିଛି ସ୍ଵଜାତ ସ୍ୱତନ୍ତ୍ରତା ଥାଏ । ଯେମିତି ନଜାଣିଲା ପରି ଭୃଲତା ନଚେଇ ଆଖି ମାରିବା , ସୁମଧୁର କଣ୍ଠରେ ମୂଲ୍ୟହୀନ ବିଷୟବସ୍ତୁକୁ ନେଇ ଘଣ୍ଟା ଘଣ୍ଟା ଗପିବା , ସାମାନ୍ୟ ବଡ଼ପାଟିରେ ଲଜ୍ଜା ଭାବକୁ ପ୍ରଦର୍ଶିତ କରି ହସିବା , ସୁନ୍ଦର ଶରୀରକୁ ଦୋଳାୟମାନ କରି ଧିରେ ଧିରେ ଚାଲିବା ଏମିତି ଆହୁରି ଅନେକ । ଏସବୁ ମୁଁ ନିର୍ମଳ ଭାଇଙ୍କୁ ମୋ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ଉପଯୋଗ କରିଦେଇଥିଲି,  ଯାହାର ଫଳ ସ୍ୱରୂପ ମୋର ସାନ୍ନିଧ୍ୟ ଲାଭ କରିବାକୁ ନିର୍ମଳ ଭାଇ ପାଗଳ ପ୍ରାୟ ହୋଇଯାଇଥିଲେ  । ମୋ ମନୋଦଶା ବି ଅନୁରୂପ ଥିଲା । ଆମେ ଦୁହେଁ ଆମର ଆଗାମୀ ଭେଟକୁ ନେଇ ଉତ୍ସାହିତ ଥିଲୁ  । ଉଭୟେ ହଜିଯିବାକୁ ଚାହିଁଥିଲୁ ଉଭୟଙ୍କ ଭିତରେ । ଆଗାମୀ ମିଳନର ସମୟ ଓ ସ୍ଥାନ ସ୍ଥିର କରି କେବଳ ସେହି ନିର୍ଦ୍ଦିଷ୍ଟ ସମୟକୁ ଚାତକ ପରି ଚାହିଁ ରହିଥାଉ ।

       ମୁଁ ସେ ସମୟରେ କଳ୍ପନା ରାଇଜରେ ବିଚରଣ କରୁଥାଏ । କେବଳ ଦିନ ଗଣୁଥାଏ କେବେ ଆସିବ ସେ ସମୟ ,? ଆଉ ଦୁଇଦିନ ବାକିଥାଏ ସନ୍ଧ୍ୟାରେ ଘରେ ଥାଇ ସବୁଦିନ ପରି ସମାଚାର ଦେଖିବାକୁ ଟିଭି ଚାଲୁ କଲି । ସମାଚାର ଦେଖିଲା ଶୁଣିଲା ପରେ ମୋ ପାଦତଳର ମାଟି ଖସି ଯାଇଥିଲା ମନ ବିଚଳିତ ହୋଇ ଉଠିଲା  ଜୋରରେ ଚିତ୍କାର କଲି ,ନା .................. । ସେ ଦିନଟି କେବଳ ମୋ ଲାଗି ନୁହେଁ ପୁରା ଭାରତବାସୀ ଓ ସମ୍ପୂର୍ଣ୍ଣ ବିଶ୍ୱ ଜନଙ୍କୁ ସ୍ତବ୍ଧ କରିଦେଇଥିଲା । ମୋର ତ ଦୁନିଆ ହିଁ ଓଲଟ ପାଲଟ ହେଇଯାଇଥିଲା  । ଭାରତ ଇତିହାସରେ ଏକ କଳା ଦିବସ ହେଇ ରହିଗଲା ସେହିଦିନଟି । ୨୬/୧୧ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ! ସମାଚାର ମାଧ୍ୟମରେ ଆତଙ୍କବାଦୀମାନଙ୍କର ଆମ ସୀମାରେ ପ୍ରବେଶ ଆଉ ଭାରତ ମା'ର ବକ୍ଷରେ ସେମାନଙ୍କର ରକ୍ତର ହୋଲି ଖେଳ ,ସମସ୍ତ ସଭ୍ୟ ସମାଜକୁ ବ୍ୟଥିତ କରିଦେଇଥିଲା । ମୁଁ ଭାବନାଶୁନ୍ୟ ହେଇଯାଇଥିଲି । ଜୀବନରେ ପ୍ରଥମଥର ଅନୁଭବ କରିଥିଲି ମୁଁ ଜଣେ ସ୍ତ୍ରୀ  ମୋର ଜୀବନ ଜନ୍ମରୁ ସମର୍ପିତ  ମୋ ଭିତରେ ମୁଁ ନୁହେଁ ଅନ୍ୟଜଣେ ବଞ୍ଚୁଛି , କେହିଜଣେ ଆଜନ୍ମ ବିଶ୍ୱାସର ପ୍ରତିଜ୍ଞା ମାଗିନେଇଛି ମୋଠାରୁ ସେପୁଣି ମୋ ନିଜ ଇଚ୍ଛାରେ । ମୁଁ ଏତେ ସ୍ୱାର୍ଥୀ କେମିତି ହେଇଗଲି ? କିଛିବି ତ ଭୁଲ କରିନାହାନ୍ତି ସେ ମୋ ପ୍ରତି ? ମୁଁ ହିଁ ଆବଶ୍ୟକତା ଠାରୁ ଅଧିକ ଆଶା କରିଥିଲି ଯାହା ମୋର ଦୁଃଖୀ ହବାର ପ୍ରମୁଖ କାରଣ । ସପ୍ତାହେ ହେବ ମୁଁ କଥାହେଇନି ତାଙ୍କ ସହିତ । ନିଜର ମିଛ ଖୁସି ଲାଗି ମୁଁ ଅନ୍ୟାୟ କରିଛି ତାଙ୍କ ପ୍ରତି ! ହେ ଭଗବାନ ମୋତେ କ୍ଷମା କରିଦିଅ । ମୋ ଆଖିରେ ମୋ ସ୍ୱାମୀଙ୍କର ମୁହଁ ନାଚି ଯାଉଛି । ଲୋକାମୁଖର ଗୁଜବ ଓ ସମାଚାରରେ ଅନୁମାନିକ ଖବର ମାନ ଶୁଣି ମୁଁ ବ୍ୟଗ୍ର ହେଇ ଉଠୁଥିଲି । ସମୁଦ୍ର ରାସ୍ତାଦେଇ ଆତଙ୍କବାଦୀ ଭାରତ ସୀମାରେ ପ୍ରବେଶ କଲାବେଳେ ସମୁଦ୍ର ଭିତରେ ମଧ୍ୟ ସେମାନେ ମୃତ୍ୟୁର ତାଣ୍ଡବ ଲୀଳା କରି ଆସିଛନ୍ତି ,ଏହି କଥା ଭାବିବା ମାତ୍ରେ ମୋର ହୃଦୟ ଗତି ବଢ଼ି ବଢ଼ି ଯାଉଥାଏ । କାନ ତାଙ୍କ ମୁହଁରୁ ପଦେ ଶୁଣିବାକୁ ବ୍ୟାକୁଳିତ ଆଖି ଖୋଜୁଛି ୟୁନିଫର୍ମରେ ତାଙ୍କର ସେଇ ବୀର ବେଶକୁ ଦେଖିବାକୁ କିନ୍ତୁ ଭାବନାର ମନ୍ଦ ବିଚାରରେ ଡେଣା ଲାଗି ଉଡ଼ିବୁଲୁଛି ଆଶାର ଅନ୍ତହୀନ ଆକାଶରେ । 

    ପନ୍ଦର ଦିନ ବିତିଗଲାଣି କିଛିବି ଖବର ନାହିଁ ତାଙ୍କର । ମୋର ବ୍ୟବହାରରେ ସେ ବି ଅତିଷ୍ଠ ହେଉଥିବାର ମୁଁ ଅନୁଭବ କରିପାରୁଥିଲି । ଦୋଷ ମୋର । ମୁଁ ପୋଡ଼ାମୂହିଁ ସବୁଥିରେ ଦୋଷୀ । ନିଜକୁ ଗାଳି କରିବା ଛଡ଼ା ମୋ ପାଖରେ ଅନ୍ୟ ପନ୍ଥା ନଥିଲା ଯାହାଦ୍ଵାରା ମୁଁ ନିଜକୁ ଶାନ୍ତ କରିପାରିଥାନ୍ତି । ଥରେ ଫୋନ କରି କହିଦିଅନ୍ତେନି କି ଆରେ ବ୍ୟସ୍ତ ହୁଅନି ମୁଁ ଭଲରେ ଅଛି । ସେ ତ କହୁଥିଲେ ହେଲେ ମୁଁ ହିଁ ତାଙ୍କୁ ଅଣଦେଖା କରିଦେଇଛି  ଏ ମିଛ ପ୍ରେମ ପାଇବା ପାଇଁ । ଏମିତି କେତେ କଣ ହୀନ ଭାବନା ଆସୁଥାଏ ମୋ ମନ ଭିତରେ । 

    ପନ୍ଦର ଦିନ ପରେ ମୁଁ ହାତରେ ସନ୍ଧ୍ୟା ଧୂପ ଦବାକୁ ଘରୁ ବାହାରକୁ ଆସିଲି ଧୂପ ଦେଇ ମୋ ମନକଥା ମୋର ଇଷ୍ଟଙ୍କୁ ଜଣାଇ ମୁଣ୍ଡିଆ ମାରି ଉଠିଲା ବେଳେ ଦେଖିଲି ,ବୀର ଦର୍ପରେ ମୋର ଜୀବନ ଧନ ଲମ୍ବା ଲମ୍ବା ପାହୁଣ୍ଡ ପକାଇ ଗେଟ ଖୋଲି ଆସୁଛନ୍ତି ମୋ ଆଡ଼େ । ଆପେ ଆପେ ଆଖିରେ ଲୁହ ଭର୍ତ୍ତି ହେଇଗଲା । କୃଷ୍ଣ କୁଞ୍ଜ ଛାଡିବାବେଳେ ଗୋପୀମାନଙ୍କ ମନୋଦଶା ଯାହା ଥିଲା  ମୋ ପ୍ରାଣଧନଙ୍କର ଆସିବା ଦେଖି ମୋର ମନୋଦଶା ଠିକ ସେମିତି ଥିଲା ସେତେବେଳେ । ପାଖରେ ପହଞ୍ଚି ଲୁହଭରା ଆଖିରେ ତାଙ୍କ ଛାତି ଉପରେ ମାରିଚାଲିଥିଲି ବିଧା ଚାପୁଡ଼ା  ସେ ନିର୍ବାକ ଆଉ ନିର୍ବିରୋଧରେ ସହି ଚାଲିଥାନ୍ତି  ଖାଲି ମାଡ଼ ନୁହେଁ ଗାଳିବି ତଦନୁରୂପ ଦେଇ ଚାଲିଥିଲି । କୋଳେଇ ନେଲେ ମତେ ତାଙ୍କ ଛାତିରେ ମୁଣ୍ଡ ରଖିଦେଲେ ମୋ ଆଖିରୁ ଖୁସି ଆଉ ପଶ୍ଚାତାପର ଲୁହର ବର୍ଷା ତାଙ୍କର ଜୋତା ରେ ପଡ଼ୁଥିଲା । ତାଙ୍କ ଅଜଣାତରେ ମୁଁ କରିଥିବା ଭୁଲର କ୍ଷମା ମାଗୁଥିଲି ତାଙ୍କୁ । ମନେ ମନେ ନକରିଥିବା ଭୁଲକୁ ଭାବି ଶିହରି ଉଠୁଥିଲି  

    ସେ ଘଟଣା ପରେ ମୁଁ କେବେବି ନିର୍ମଳ ଭାଇଙ୍କ ସହ କଥା ହେଇନି କି କେବେ ତାଙ୍କ ଫୋନର ଉତ୍ତର ଦବାକୁ ଆଗ୍ରହ ପ୍ରକାଶ ପାଇନି ମୋ ମନରେ । କିନ୍ତୁ ମୁଁ ନିଜକୁ ପାଇଯାଇଛି । ମୁଁ ----ମୁଁ ନୁହେଁ ତୁମେ । ମୁଁ ତ ତୁମ ଭିତରେ ବାଉଳି ହେଇ ଏଣେତେଣେ ଖୋଜିବୁଲୁଥିଲି ଏଠି ସେଠି । ତମେହିଁ ତ ମୋର ପରିଚୟ । ଏହାହିଁ ମୋ ପାଇଁ ଯଥେଷ୍ଟ । ପ୍ରଥମ ଥର ଯେତେବେଳେ ମୋ କଳାକୃତିର ପ୍ରଦର୍ଶନୀ ଲାଗି ମତେ ମୋ ନାଁ ସହିତ wife of ତମ ନାଁ କୁ ଯୋଡ଼ା ଯାଇ ଡକାଯାଇଥିଲା ସେତେବେଳେ ମୁଁ ମୋର ପ୍ରକୃତ ପରିଚୟ ପାଇଯାଇଥିଲି । ଆଜି ମୁଁ ଜଣେ କଳାକାର ଭାବରେ ଯେତିକି ଗର୍ବିତ ନୁହଁ  ତା ଠାରୁ ହଜାରେ ଗୁଣ ବେଶି ଗର୍ବିତ ଯେ ତୁମେ ମୋର ସ୍ୱାମୀ  ମୁଁ ତୁମର ସ୍ତ୍ରୀ । ଆଜି ଯାଏ ମୁଁ ମାତୃତ୍ୱ ସୁଖଲାଭ କରିନି  ହେଲେ ମୋ ଭିତରର ଯଶୋଦା ଆଜି ପୂର୍ଣ୍ଣ ସକ୍ରିୟ ଯାହାପାଇଁ ସାରା ଜଗତ ଟା କୃଷ୍ଣ ମୟ ।



Rate this content
Log in

Similar oriya story from Romance