Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ପରାହତ ସ୍ଵପ୍ନ : ଯୁଯୁତ୍ସୁ ପୁଷ୍ପି
ପରାହତ ସ୍ଵପ୍ନ : ଯୁଯୁତ୍ସୁ ପୁଷ୍ପି
★★★★★

© sushama Parija

Tragedy

13 Minutes   14.5K    13


Content Ranking

ସୁଷମା ପରିଜା

ବୈଶାଖର ଝାଞ୍ଜିଖରା । ସକାଳୁଆ ଅଫିସ ଛୁଟି ହେଲାବେଳକୁ ଦିନ ଗୋଟାଏ । ତରତର ହୋଇ ଭ୍ୟାନିଟି ବ୍ୟାଗଟା କାନ୍ଧରେ ଗଳାଇ ଟେବୁଲ ଡ୍ରୟାରରେ ତାଲା ପକାଇଲା ପୁଷ୍ପିତା । ଅଫିସଠାରୁ ତା ଘରର ଦୂରତ୍ଵ ମାତ୍ର ଛଅ କିଲୋମିଟର । ସେଇତକ ରାସ୍ତା ତାକୁ ଅତିକ୍ରମ କରିବାକୁ ହେବ ସାଇକେଲରେ । ଘରେ ତେଣେ ମା’ ଅପେକ୍ଷା କରିଥିବ । ସାନ ଭଉଣୀ କଳ୍ପିତା ବି ଫେରି ଆସିଥିବ କଲେଜରୁ । ସେ ଫେରିଲେ ସମସ୍ତେ ସାଙ୍ଗ ହୋଇ ପଖାଳ ଖାଇବେ । ମା’ ହାତର ପଖାଳ ସାଙ୍ଗକୁ ଆଳୁ ଭରତା ଆଉ ବଡ଼ିଚୂରା କଥା ମନେ ପଡ଼ିବାରୁ ଭୋକଟା ଦ୍ଵିଗୁଣିତ ହୋଇଗଲା ପୁଷ୍ପିତାର । ଆଉ ମାତ୍ର ଅଧଘଣ୍ଟାର ରାସ୍ତା ଅତିକ୍ରମ କରିଗଲେ ତା ଘର । ସାଇକେଲର ବେଗ ବଢାଇ ଦେଲା ସିଏ । ଘର ପ୍ରାୟ ଆଉ ଦୁଇ କିଲୋମିଟର ବାକୀ ଅଛି ପଛରୁ ଶୁଣାଗଲା କାହାର ସ୍ଵର “ଆରେ ପୁଷ୍ପିତା ! ଟିକେ ଶୁଣମ, ତମ ସାଙ୍ଗରେ କଥା ଅଛି ।“ ପଛକୁ ମୁହଁ ଫେରାଇ ଦେଖିଲାବେଳକୁ ତାଙ୍କ ସାହିର ପ୍ରଦୋଷ । ପ୍ରଦୋଷ ତାଠାରୁ ହାରାହାରି ଦଶ ବର୍ଷ ବଡ । ପାଠ ଶାଠ ବୋଲି କିଛି ନାହିଁ । ତିନି ତିନି ଥର ମାଟ୍ରିକରେ ଫେଲ ହେଲା ବୋଲି ତା ବାପା ତାକୁ ପାଖ ବଜାରରେ ଷ୍ଟେସନାରୀ ଦୋକାନଟିଏ କରି ବସାଇ ଦେଇଛନ୍ତି । ନିହାତି ଅଭଦ୍ର ଆଉ ବିଶୃଙ୍ଖଳିତ ଚରିତ୍ର ହେତୁ ସାହିରେ ତାର ବଦନାମ ସବୁଠୁ ବେଶୀ । ସେ ପୁଣି କାହିଁକି ଡାକୁଛି ପୁଷ୍ପିତାକୁ । ତା’ଠି ତାର ବା କି କାମ ? ଅନିଚ୍ଛା ସତ୍ତ୍ୱେ ରାସ୍ତାରେ ଗୋଡ ଲଗାଇ ଦଣ୍ଡେ ଠିଆ ହେଲା ପୁଷ୍ପିତା । ପଚାରିଲା, କ’ଣ କହୁଛ ? ତମର ମୋ’ଠି କଣ କାମ ଅଛି ? କାହିଁକି ବାଟ ମଝିଟାରେ ଡାକ ଛାଡିଛ ? ପୁଷ୍ପିତାର ଲଗାତାର ପ୍ରଶ୍ନବାଣରେ ଟିକେ ହଡବଡେଇ ଗଲା ପ୍ରଦୋଷ । ସାକୁଲେଇ ହୋଇ ପାଖକୁ ଆସୁଅଛି, କହିଲା, “ନାଇଁମ ପୁଷ୍ପ, ତୁ ଆମ ସାହିର ସବୁଠୁ ଭଲ ଝିଅ । ପାଠରେ, ଶାଠରେ, ରୂପରେ, ଗୁଣରେ ସମସ୍ତଙ୍କଠାରୁ ଆଗୁଆ । ଏବେ ତ ପୁଣି ସରକାରୀ ଚାକିରୀଟିଏ କରିଛୁ । ତୁ ଆମ ସାହିର ହୀରା । ତୋର ଏଇ ନିଆରା ପଣ ଯୋଗୁଁ ତତେ ସମସ୍ତେ ଭଲ ପାଆନ୍ତି । ମୁଁ ବି ତତେ ବହୁତ ଶ୍ରଦ୍ଧା କରେ । ସେଇ କଥାଟା ତତେ କହିବି ବୋଲି ଅନେକ ଦିନୁ ଭାବିଛି । ସାହି ଭିତରେ କଥା ହେଲେ କାଳେ କିଏ କଣ ଭାବିବ ସେଇଥିପାଇଁ ମୁଁ ଏଠି ତତେ ଅପେକ୍ଷା କରି ଠିଆ ହୋଇଛି । ଟିକେ ରହ, ଦିପଦ କଥାବାର୍ତ୍ତା ହେବା । ତାପରେ ତୁ ଚାଲିଯିବୁ ତୋ ବାଟରେ ଆଉ ମୁଁ ମୋ ବାଟରେ “। ରାଗରେ ଚାହିଁକି ଉଠିଲା ପୁଷ୍ପିତା । “ଓଃ, ଏଇ କଥା କହିବ ବୋଲି ଏ ଉଦୁଉଦିଆ ଦି ପହରେ ତମେ ମତେ ବାଟରେ ଅଟକାଇଛ, ନୁହେଁ ? ” ରାସ୍ତାରେ ଯାଉଥିବା ଲୋକମାନେ କଣ ଭାବିବେ, ସେ କଥା ଚିନ୍ତା କରିଛ ? ତା ଛଡା ତମେ ଚାହିଁଥିଲେ ତ ଆମ ଘରକୁ ଆସି ବୋଉ ଆଗରେ ଏ କଥା ସବୁ ମତେ କହିପାରିଥାନ୍ତ । ଏଠି ଅଧାବାଟରେ ମତେ ଛିଡା କରେଇ ଗପିବା କ’ଣ ସୁନ୍ଦର ଦେଖାଯାଉଛି ? ପାଖୁ ଲାଗି ଆସି ପ୍ରଦୋଷ ତା ହାତକୁ ଗୋଟିଏ ଲଫାପା ବଢେଇଦେଲା । ମୁହଁ ତଳକୁ କରି କହିଲା ନାଇଁ ଯେ ପୁଷ୍ପ । ମନଖୋଲି ତତେ ସବୁ କଥା କହିବାର ସାହାସ ଜୁଟାଇ ପାରିଲି ନାହିଁ । ଅନେକ ଦିନ ହେବ ଏଇ ଚିଠିଟିରେ ମୋ ମନରେ ଅକୁହା କଥା ସବୁ ଲେଖି ସାଇତି ରଖିଛି । ଆଜି ସାହସ କରି ତତେ ଏଇଟା ଦେଉଛି । ଘରେ ଯାଇ ପଢିବୁ । ତୋ ମନର କଥା ମତେ ଲେଖିକି ଜଣାଇବୁ । କାଲି ମୁଁ ଏଇଠି ଅପେକ୍ଷା କରିଥିବି । ତୋ ଠାରୁ ଉତ୍ତର ନପାଇବା ଯାଏଁ ମୋତେ ଭୋକ ଶୋଷ କି ନିଦ କିଛି ହେବ ନାହିଁ । ଚିଠି ଖଣ୍ଡକ ତା ହାତରେ ଏକ ରକମ ଗୁଞ୍ଜି ଦେଇ ତାକୁ ଆଶ୍ଚର୍ଯ୍ୟ ଚକିତ କରି ପାଖରେ ଥୋଇଥିବା ମଟର ସାଇକେଲରେ ବସି ପାର ହୋଇଗଲା ପ୍ରଦୋଷ । ରାଗରେ ଗୋଡଠୁ ମୁଣ୍ଡ ଯାଏ ଥରୁଥିଲା ପୁଷ୍ପିତାର । କଣ କହିବ କଣ ନକହିବ ଏମିତି ଭାବିଭାବି ସାଇକେଲଟା ଆଗକୁ ବଢାଇଲା ସେ ।

ଘରେ ପହଞ୍ଚି ଭାବିଲା ବୋଉକୁ କହିଦେବ କି ବାଟରେ ଅଟକାଇ ପ୍ରଦୋଷ କହିଥିବା କଥା ସବୁ । ପୁଣି ଭାବିଲା କେତେ କଷ୍ଟ କରି ସେ ବୋଉକୁ ମନେଇଛି ଏଇ ଚାକିରୀଟା ପାଇଁ ତାକୁ ବାହାରକୁ ଛାଡିବାକୁ । ବୋଉ ଯଦି ସବୁ ଶୁଣି ତା ବାହାରକୁ ଯିବା ବନ୍ଦ କରିଦିଏ ତେବେ କଣ ହେବ ? ପୁଷ୍ପିତାର ସବୁ ସ୍ଵପ୍ନ ଅଧା ରହିଯିବ ସିନା । ବାଲ୍ୟକାଳରୁ ବାପାକୁ ହରେଇ ଥିବା ପୁଷ୍ପିତା ଆଉ କଳ୍ପିତାଙ୍କୁ ଟା ବୋଉ କେମିତି ବଡି ତିଆରି କରି, ଠୁଙ୍ଗା ଭାଙ୍ଗି ଏଡୁଟିଏରୁ ଏଡୁଟିଏ କରିଛି ତା ପୁଷ୍ପିତା ଆଖିରେ ଆଖିରେ ଦେଖିଛି । ଦି ଦିଟା ଝିଅଙ୍କୁ ମଣିଷ କରିବା ପାଇଁ ତା ବୋଉ ସଳିତା ପରି ତିଳ ତିଳ ହୋଇ ଜଳିଛି । ସାହି ପଡିଶାଙ୍କ ଟାହି ଟାପରା ନାଲିଆଖି ସବୁ ଯନ୍ତ୍ରଣାକୁ ଅମୃତ କରି ପିଇଯାଇଛି ତା ସିଏ ଅଙ୍ଗେ ଅଙ୍ଗେ ନିଭେଇଛି । ଆଜି ଆଉ ତାକୁ ଦୁଃଖ ଦେବାକୁ ସାହସ ହେଲା ନାହିଁ ପୁଷ୍ପିତାର । ଏଇ ସମସ୍ୟାଟା ତା’ର । ତାକୁ ସେ ନିଜେ ହିଁ ସମାଧାନ କରିବ । ବୋଉକୁ ଆଉ ସେ କଥା କହିଲା ନାହିଁ ସେ । ଘର ଭିତରକୁ ସାଇକେଲଟା ପୁରାଉ ପୁରାଉ ଡାକ ଛାଡିଲା ପୁଷ୍ପିତା । ବୋଉ ଭାରି ଭୋକ । ଭାତ ବାଢ ମୁଁ ଧୂଆ ଧୋଇ ହୋଇ ଆସିଲେ ଖାଇବା । ଝିଅକୁ ଦେଖି ତରତର ହୋଇ ଭାତ ବାଢି ବସିଲେ ବାସନ୍ତୀ ଦେବୀ । ଡାକ ପକାଇଲେ ସାନ ଝିଅ କଳ୍ପିତାକୁ ‘ଟିକି’ ପିଆଜ ଦିଟା ଛଡେଇ ଦେ । ଅପା ଆସିଲାଣି ଶୀଘ୍ର ଆସ ଦି ଜଣ ମିଶି ଖାଇବାକୁ ।

ପଖାଳ ଦି’ଟା ଖାଇ ଦେଇ ବୋଉ ଆଉ କଳ୍ପିତା ଶୋଇଗଲା ପରେ ଆସ୍ତେ କରି ଭ୍ୟାନିଟି ବ୍ୟାଗରୁ ପ୍ରଦୋଷ ଦେଇଥିବା ଚିଠିଟିକୁ ବାହାର କଲା ପୁଷ୍ପିତା । ଖୋଲି ପଢିବାକୁ ଆରମ୍ଭ କଲା । ନିଛକ ପ୍ରେମ ପତ୍ରଟିଏ । ନିହାତି ଅଶାଳୀନ ଭାଷାରେ ପ୍ରେମ ନିବେଦନ କରିଛି ପ୍ରଦୋଷ । ତାକୁ ବାହା ହୋଇ ଘର ସଂସାର କରିବ । ତାକୁ ରାଣୀ କରି ରଖିବ । ତା ପରିବାରର ଦାୟିତ୍ଵ ନେଇ ଇତ୍ୟାଦି ଇତ୍ୟାଦି ଅନେକ ପ୍ରତିଶ୍ରୁତି ସହିତ ତା ସୌନ୍ଦର୍ଯ୍ୟର ଅନେକ ପ୍ରଶଂସା କରିଛି । ତାକୁ ନ ପାଇଲେ ତା ଜୀବନ ବ୍ୟର୍ଥ ହୋଇଯିବ, ସେ ପାଗଳ ହୋଇଯିବ ଏମିତି ଅନେକ କଥା ଲେଖିଛି ପ୍ରଦୋଷ । ଭୀଷଣ ରାଗରେ ମୁଣ୍ଡଟା ଝାଇଁ ମାରିଗଲା ପୁଷ୍ପିତାର । ସେ ଭାବି ପାରୁ ନଥିଲା ଯେ ପ୍ରଦୋଷ ଏମିତି ଦୁଃସାହସ କେମିତି କରି ପାରିଲା । ଏକ ସାହିରେ ରହୁଥିଲେ ବି ଦିନେ ହେଲେ ତା ସହିତ ତାର କଥାବାର୍ତ୍ତା ନାହିଁ । ତାଙ୍କ ଘରକୁ ବି ତାର ଯିବା ଆସିବା ନାହିଁ । କଣ କେମିତି ସଂପର୍କ ବାନ୍ଧିଲା ପ୍ରଦୋଷ ମନରେ । ଦୀର୍ଘ ଦିନ ଧରି ସେ ଯେ ତାର ଆଲକ୍ଷ୍ୟରେ ତାକୁ ଅନୁସରଣ କରୁଛି ଏକଥା ପ୍ରଥମ କରି ଜାଣିଲା ପୁଷ୍ପିତା । ଏମିତି ଏକ ତରଫା ପ୍ରେମ କରି କରି ପ୍ରଦୋଷର ମୁଣ୍ଡଟା ପୁରା ଖରାପ ହୋଇ ଯାଇଛି ବୋଲି ଅନୁମାନ କଳା ସେ । ସେ’ ତ କେବେ ବି ପ୍ରଦୋଷ କଥା ଭାବି ନାହିଁ କି ତା ସହିତ କୌଣସି ସଂପର୍କ ମଧ୍ୟ ରଖିବାକୁ ଚାହିଁନାହିଁ । ତେବେ କଣ ଦେଖି ପ୍ରଦୋଷ ଏମିତି ଭବିଲା । ପ୍ରଦୋଷ ମନକୁ ଏ କଥା ଆସିଲା କେମିତି । ପୁଷ୍ପିତାର ମୁଣ୍ଡଟା ଗୋଳମାଳ ହୋଇ ଯାଉଥିଲା ସବୁ ଭାବି ଭାବି ।

ରାତି ସାରା ତାକୁ ନିଦ ହେଲା ନାହିଁ । ସକାଳୁ ଉଠି ନୀତିଦିନିଆଁ ଢଙ୍ଗରେ ଅଫିସ ବାହାରିଲା ସେ । ମନେ ମନେ ସ୍ଥିର କଲା ପ୍ରଦୋଷକୁ ସେ କୌଣସି ଉତ୍ତର ଦେବନାହିଁ । କିଛି ଦିନ ଅଣଦେଖା କଲାପରେ ସେ ଆପେ ଆପେ ତାଠୁ ଦୂରେଇ ଯିବ । ଅଫିସରେ ପହଞ୍ଚି ଗତାନୁଗତିକ ଭାବରେ କାମରେ ମଜ୍ଜିଗଲା ପୁଷ୍ପିତା । ଅଫିସ ସରିଲା ପରେ ଘରକୁ ଫେରିଲା ବେଳକୁ ମନକୁ ଆସିଲା ପ୍ରଦୋଷର କଥା । କେମିତି ଏକ ଅଜଣା ଭୟରେ ଶିହରୀତ ହୋଇଗଲା ସେ । ଯଦି ପୁଣି ଆଜି ରାସ୍ତାରେ ଅଟକାଏ ପ୍ରଦୋଷ ତା ହେଲେ କଣ କରିବ ସେ । ପାଟି କରି ଲୋକଙ୍କୁ ଡାକିବ ନା ନିଜେ ରୋକଠୋକ ଶୁଣାଇ ଦେବ ଦି ପଦ ତାକୁ । ଯଦି ତା ସହ ପ୍ରଦୋଷ ଜବରଦସ୍ତି କରେ, ତେବେ ? ଲୋକହସା ହେବା ଛଡା ଅନ୍ୟ ଗତି ନାହିଁ । ଘରକୁ ଯିବାକୁ ସେଇ ଗୋଟାଏ ମାତ୍ର ବାଟ । ଯାହା ହେଲେ ବି ସେଇ ବାଟ ଦେଇ ତାକୁ ଯିବାକୁ ପଡିବ । ମନରେ ସାହସ ବାନ୍ଧିଲା ପୁଷ୍ପିତା । ଯାହା ବି ହେଉ ସେ ପରିସ୍ଥିତିର ସାମ୍ନା କରିବ । ଡରିବ ନାହିଁ । ତରତର ହୋଇ ସାଇକେଲ ପ୍ୟାଡଲରେ ଗୋଡ ଚଳାଇଲା ସେ । କିଛି ବାଟ ଗଲାପରେ ଦେଖିଲା ପ୍ରଦୋଷର ମଟର ସାଇକେଲ ଥୁଆ ହୋଇଛି ରାସ୍ତା କଡରେ, କିଛି ବାଟ ଆଗରେ ଯାଇ ଛିଡା ହୋଇଛି ପ୍ରଦୋଷ । ମୁହଁରେ ଉତ୍କଣ୍ଠାର ଚିହ୍ନ ସୁସ୍ପଷ୍ଟ । ତାକୁ ଦେଖି ହାତ ଠାରି ଡାକିଲା ପ୍ରଦୋଷ । ନଦେଖିଲା ଭଳି ସାଇକେଲ ଆଗକୁ ଗଡାଇ ନେଲା ପୁଷ୍ପିତା । ଲମ୍ବା ଲମ୍ବା ପାହୁଣ୍ଡ ପକାଇ ପୁଷ୍ପିତାର ସାଇକେଲ ଆଗକୁ ଆସିଗଲା ପ୍ରଦୋଷ । ଟିକିଏ ଚଢା ଗଳାରେ କହିଲା, ‘ତତେ ପରା ଡାକୁଛି । ମୋ କଥା ଶୁଣି ପାରୁନୁ ନ କ’ଣ ?’ ମୁହଁ ବୁଲେଇ ଚାଲି ଯାଉଥିବା ସାଇକେଲ ହ୍ୟାଣ୍ଡେଲକୁ ଧରି ଅଟକାଇ ଦେଲା ପ୍ରଦୋଷ । ମୋ ପ୍ରଶ୍ନର ଉତ୍ତର ଦେଇ କରି ଯା ପୁଷ୍ପ । ମୁଁ ତୋ ମୁହଁରୁ ଉତ୍ତର ଶୁଣିବି ବୋଲି ଏଠି ସକାଳୁ ଠିଆ ହୋଇ ରହିଛି । ମୁଁ ତତେ ମୋ ଜୀବନ ଠାରୁ ବି ଅଧିକ ଭଲପାଏ ପୁଷ୍ପ । ତତେ ନ ପାଇଲେ ମୁଁ ଜୀବନ ହାରିଦେବି । ତୁ ଖାଲି ହଁ କର ପୁଷ୍ପ ମୁଁ କାଲି ତତେ ଆମ ଘରକୁ ରାଣୀ କରି ନେଇଯିବି । ତୁ ଯାହା କହିବୁ ମୁଁ ସବୁ ମାନିବି । ମତେ ନିରାଶ କରନା ପୁଷ୍ପ । ଭାବାବେଗରେ ସେ ପୁଷ୍ପର ଦୁଇ ହାତକୁ ମୁଠାଇ ଧରି ତା ଆଡକୁ ଟାଣିବାକୁ ଲାଗିଲା । ପୁଷ୍ପିତାର ଆଖି ଲଜ୍ଜ୍ୟା ଅପମାନରେ ନିଆଁ ଭଳି ଜଳିବାକୁ ଆରମ୍ଭ କରିଥାଏ ସେତେବେଳକୁ । ଶରୀରର ସମସ୍ତ ବଳ ପ୍ରୟୋଗ କରି ସେ ଠେଲିଦେଲା ପ୍ରଦୋଷକୁ ଦୂରକୁ । ଦୁଇ ହାତରେ ଢୋ, ଢୋ କରି କଷିଦେଲା ଦି ଚଟକଣୀ ତା ଗାଲରେ । ରାଗରେ ଗର୍ଜନ କରି ଉଠିଲା ସେ । ସଇତାନ, ପାଜି, କଣ ଭବିଛୁ ତୁ ନିଜକୁ । ଆମେ ଗରୀବ ବୋଲି କଣ ଆମର ଇଜ୍ଜତ ମହତ କ’ଣ କିଛି ନାହିଁ । ତୁ ବିଚ ରାସ୍ତାରେ ଅଟକେଇ ମତେ ପ୍ରେମ ନିବେଦନ କରିବୁ । କଣ ଦେଖି ତତେ ପ୍ରେମ କରିବି କହ । ତୋର ଧନ ସଂପତ୍ତି, ପାଠପଢା, ସୁନ୍ଦର ମୁଖ ମଣ୍ଡଳ ନା ତୋର ଭଦ୍ର, ନମ୍ର ବ୍ୟବହାର । ତୁ ନିଜକୁ କେଉଁ ଗୁଣରେ ମୋର ଯୋଗ୍ୟ ବୋଲି ଭାବୁଛୁ । ନିଜେ ତୁଳନା କରି ଦେଖ ତୁ କେଉଁଠି, ମୁଁ କେଉଁଠି । ତା ପରେ ପ୍ରେମ ନିବେଦନ କରିବୁ । ଲମ୍ପଟ, କାପୁରୁଷ, ବାଟରେ ଧରି ଟଣା ଓଟରା କଲେ ପ୍ରେମ ହୁଏ ନାହିଁ, ଘୃଣା ହୁଏ । ଦୁଇଜଣଙ୍କ ପାଟିତୁଣ୍ଡ ଶୁଣି ଆସ୍ତେ ଆସ୍ତେ ପଥଚାରୀ ମାନେ ଜମା ହୋଇଗଲେ । ତାଙ୍କ ଭିତରୁ ଜଣେ ଦୁଇଜଣ ମଧ୍ୟ ପ୍ରଦୋଷକୁ ଧରି ଭଲ କରି ଦୁଇଟା ଉତ୍ତମ ମଧ୍ୟମ ଦେବାରେ ଲାଗିଗଲେ । ପୁଷ୍ପିତାକୁ ବୁଝାସୁଝା କରି ସାଇକେଲ ଧରେଇ ଘରକୁ ପଠାଇ ଦେଲେ ।

ଘରେ ପହଞ୍ଚିଲା ବେଳକୁ ଦି ଘଣ୍ଟା ଡେରି । ତା ବାଟକୁ ଅନେଇଁ ଅନେଇଁ ବୋଉ ଖାଲି ଘରୁ ଦାଣ୍ଡ ଦୁଆର ଆଉ ଦାଣ୍ଡ ଦୁଆରୁ ଘର ଏମିତି ଏପଟ ସେପଟ ହେଉଛି । ଘରେ ପଶୁ ପଶୁ ତା ମୁହଁର ଥମ ଥମ ଭାବ ଏବଂ ଅସ୍ତବ୍ୟସ୍ତ ପୋଷାକପତ୍ର ଦେଖି ବୋଉ ଅନୁମାନ କରିଦେଲା ଯେ କିଛି ଗୋଟିଏ ଅଘଟଣ ଘଟିଛି । ତାକୁ ଆଉ କିଛି ପଚରା ପଚରି ନକରି ଚୁପଚାପ ଖାଇବା ପାଇଁ ବାଢିବାକୁ ଚାଲିଗଲା । ଝିଅ ଆଗ ଖାଇପିଇ ସାଷ୍ଟମ ହେଉ, ସଇତିଲିଆରେ କଣ ହୋଇଛି ପଚାରି ବୁଝିବ ଏଇ କଥା ମନରେ ଭାବି । ସାଙ୍ଗ ହୋଇ ଖାଇ ବସିଲେ ସମସ୍ତେ । ପୁଷ୍ପିତାର ପେଟକୁ କିନ୍ତୁ ଭାତ ଯାଉନଥାଏ । ରହି ରହି ପ୍ରଦୋଷର ସେ ନିର୍ଲଜ ପ୍ରେମ ନିବେଦନ ତା ମନଟାକୁ ଝିଞ୍ଜାରି ପକାଉ ଥାଏ । ଶତଚେଷ୍ଟା ସତ୍ତ୍ୱେ ମଧ୍ୟ ସେ ତାର ଆଖି ଲୁହକୁ ଅଟକାଇ ପାରୁ ନଥାଏ । ସାନ ଭଉଣୀ କଳ୍ପିତା ତାର ଏ ଭାବ ଦେଖି ଖାଲି ବଲବଲ କରି ଚାହୁଁଥାଏ ତା ମୁହଁକୁ । କିନ୍ତୁ ସାହାସ କରି କିଛି ପଚାରୁ ନଥାଏ କାରଣ ସେ ଜାଣେ ଅପା ନିଜେ ନ କହିବା ଯାଏ ତାଠୁ କୌଣସି କଥା କେହି ଆଦାୟ କରି ପାରିବେ ନାହିଁ । ଏଭଳି ପରିସ୍ଥିତିରେ ଚୁପ ରହିବା ଶ୍ରେୟସ୍କର ଭାବି ସେ ତାର ପଢା ଘରକୁ ଚାଲିଗଲା । ବାସନ୍ତୀ ଦେବୀ ମଧ୍ୟ ହାତ ଧୋଇବା ପାଇଁ ଅଗଣାକୁ ଉଠି ଚାଲିଗଲେ । ଖାଇବା ଥାଳି ପାଖରେ ସେଇମିତି ବସି ରହିଥାଏ ପୁଷ୍ପିତା । ଆଖିରୁ ଲୁହଧାର ଗଡି ଭାତଥାଳୀରେ ପଡୁଥାଏ କିନ୍ତୁ ପାଟିରୁ ପଦୁଟିଏ ହେଲେ କଥା ବାହାରୁ ନଥାଏ । ପିନ୍ଧା ଲୁଗା କାନିରେ ହାତ ପୋଛି ପୋଛି ବାସନ୍ତୀ ଦେବୀ ଆସି ବସିଲେ ପୁଷ୍ପିତା ପାଖରେ । କୌଣସି ବାକ୍ୟ ବିନିମୟ ନକରି ତାର ଅଇଁଠା ହାତକୁ ଧୋଇଦେଲେ ସେଇ ଥାଳିରେ । ଧୀରେ ଧୀରେ କୋଳକୁ ଆଉଜାଇ ଆଣି ତାଙ୍କ କୋଳରେ ଶୁଆଇ ପକାଇଲେ ପୁଷ୍ପିତାକୁ । ଏଥର ଆଉ ପୁଷ୍ପିତାର କୋହ ବନ୍ଧବାଡ ମାନିଲା ନାହିଁ । ଭୋ, ଭୋ ରଡି ଛାଡି ସେ ମୁହଁ ଗୁଞ୍ଜିଲା ବାସନ୍ତୀ ଦେବୀଙ୍କ ଛାତିରେ ।

ଅନ୍ତରର ବେଦନା ସବୁ ଲୁହ ହୋଇ ବୋହିଗଲା ମା’ର ଅଭୟ ପଣତରେ । ଧୀରେ ଧୀରେ ପ୍ରକୃତିସ୍ଥ ହୋଇ ପୁଷ୍ପିତା ବଖାଣି ବସିଲା ତା ସହିତ ଘଟିଥିବା ଘଟଣା ସବୁ । ବୋଉ ସବୁ ଚୁପଚାପ ଶୁଣିଲା ହେଲେ କୌଣସି ମତାମତ ଦେଲା ନାହିଁ । କେମିତି ଗୋଟାଏ ଅଡୁଆ ଅଡୁଆ ଲାଗିଲା ପୁଷ୍ପିତାକୁ । ବୋଉର ନୀରବତା ବୋଧହୁଏ କୌଣସି ଝଡର ପୂର୍ବାଭାଷ ।

ତା ପରଦିନ ସକାଳୁ ଉଠି ନିତ୍ୟକର୍ମ ସଋ ଠିକ ସମୟରେ ଅଫିସ ବାହାରିଲା ପୁଷ୍ପିତା । ରୋଷେଇ ଘରୁ ବୋଉର ପାଟି ଶୁଭିଲା, ପୁଷ୍ପ । ଆଜି ଅଫିସ ଯିବା ବନ୍ଦ । ଚମକି ଉଠିଲା ପୁଷ୍ପିତା । ଇଏ କଣ କହୁଛି ବୋଉ ? ସରକାରୀ ଚାକିରୀ ବିନା ଦରଖାସ୍ତ, ବିନା ଅନୁମତିରେ ସେ ଅଫିସ ବନ୍ଦ କରିବ କେମିତି ? ଅଗଣାକୁ ଆସି କହିଲା ବୋଉ, “ପୁଷି ! ମତେ ଦରଖାସ୍ତଟା ଲେଖିକି ଦେ, ମୁଁ ଯାଇ ତୋ ଅଫିସରେ ଦେଇ ଆସିବି । ଏକାଥରେ ପନ୍ଦର ଦିନ ପାଇଁ ଛୁଟି ଲେଖିବୁ “। ବୋଉର ଗୁରୁ ଗମ୍ଭୀର ସ୍ଵରରୁ ସ୍ପଷ୍ଟ ଅନୁମାନ କରୁଥିଲା ବୋଉର ଏ ପନ୍ଦର ଦିନିଆଁ ଛୁଟି ଦରଖାସ୍ତଟା ତାର ଚାକିରୀ ଛଡେଇବାର ପ୍ରଥମ ସୋପାନ ମାତ୍ର । ତା ମାନେ ବୋଉ ଚାହୁଁଛି ସେ ଆଉ ବାହାରକୁ ନଯାଉ । ପ୍ରଦୋଷର ଲୋଲୁପ ଦୃଷ୍ଟିରେ ନ ପଡୁ । ଏତେ ଲୋକହସା ନହେଉ । ନିଜର ଇଜ୍ଜତ ଜଗି ଘରେ ବସୁ । ସେ ଭଲ ଭାବରେ ଜାଣେ ସେ ବର୍ତ୍ତମାନ ପରିସ୍ଥିତିରେ ଘରଟା ସଂପୂର୍ଣ୍ଣ ଭାବରେ ତାରି ରୋଜଗାର ଉପରେ ନିର୍ଭରଶୀଳ । କିଛି ଦିନ ଆଗରୁ ସେ ରାଣ ନିୟମ ଦେଇ ବୋଉର ବଡିବିକା, ଠୁଙ୍ଗା ଭଙ୍ଗା କାମ ସବୁ ନିଜେ ବନ୍ଦ କରି ସାରିଛି । ଅଧା ଭଙ୍ଗା ଚାଳ ଘରଟାର ଗୋଟାଏ ଫାଳ ଆଜବେଷ୍ଟସ ପକାଇ ମରାମତି କରି ସାରିଛି, ଆହୁରି ଅଧକ ବାକି ଅଛି । ଟିକିର ସ୍କୁଲ ସରି ଏବେ କଲେଜ ପଢା ଆରମ୍ଭ ହୋଇଛି ମାତ୍ର । ଆଗକୁ ଲମ୍ବା ଭବିଷ୍ୟତ ପଡିଛି । ତା ସାଙ୍ଗକୁ ଭବିଷ୍ୟତର ଅନେକ ସୁନେଲି ସ୍ଵପ୍ନ ଅଛି ସାକାର ହେବାକୁ । ଏଇ ସମୟରେ ବୋଉର ଏ ନିଷ୍ପତ୍ତି ପୁଷ୍ପିତାର ସମଗ୍ର ସତ୍ତାଟାକୁ ଦୋହଲାଇ ଦେବ ନାହିଁକି ? ପିଲାଟି ବେଳୁ ବୋଉର ଦୁଃଖ କଷ୍ଟ ସବୁ ଦେଖି ଦେଖି ମନସ୍ଥିର କରିଥିଲା ପୁଷ୍ପିତା । ସେ ପାଠ ପଢିବ । ବଡ ମଣିଷ ହେବ । ନିଜ ଗୋଡରେ ନିଜେ ଠିଆ ହୋଇ ବୋଉର ଆଶ୍ରା ବାଡି ହେବ । କଳ୍ପିତାର ସଂପୂର୍ଣ୍ଣ ଦାୟିତ୍ଵ ନେବ । ଟାକୁ ଭଲ ଘର ବର ଦେଖି ବାହା ଦେବ, ଏବେ ସେ ସବୁ ସ୍ଵପ୍ନ ମାନଙ୍କର କଣ ହେବ । କିଛି ଭାବି ପାରୁ ନଥିଲା ପୁଷ୍ପିତା । ତା ଆଖି ଆଗରେ ନାଚି ଯାଉଥିଲା କାଠୁଆ ଶୀତରେ ଥରଥର ହାତରେ କଲି ଅନ୍ଧାରରୁ ଉଠି ବୋଉର ବଡି ପାରିବାର ଦୃଶ୍ୟ । ବୈଶାଖର ନିର୍ଘାତ ଖରାବେଳେ ଝାଳନାଳ ଆଣ୍ଠିଏ ହୋଇ ବୋଉର ଠୁଙ୍ଗା ତିଆରି କରିବାର ଦୃଶ୍ୟ । ଚିରା ଫଟା ଫ୍ରକଟି ମାନ ପିନ୍ଧି କଳ୍ପିତାର ଟଙ୍କିକିଆ ଆଇସକ୍ରିମଟିଏ ପାଇଁ ବୋଉ ପାଖରେ ଅଳି କରିବାର ଦୃଶ୍ୟ । ସବୁ ଦୃଶ୍ୟମାନେ ଫେଣ୍ଟା ଫେଣ୍ଟି ହୋଇ ପୁଷ୍ପିତାର ମୁଣ୍ଡ ଭିତରଟାକୁ ହାତୁଡିରେ ପିଟି ପକାଉଥିଲେ । ତାର ଆଖି ଆଗରେ ସବୁ ଧୂଆଁଳିଆ ଦିଶୁଥିଲା । ଦେହରୁ ଝାଳ ଗମଗମ ହୋଇ ନିଗିଡି ପଡୁଥିଲା । କିଛି ସମୟ ଉତ୍ତାରେ ନିଜକୁ ସ୍ଥିର କରିବାକୁ ଚେଷ୍ଟା କଲା ସେ । ଦେହ ମୁଣ୍ଡରୁ ଝାଳ ପୋଛି ଉଠି ଠିଆ ହେଲା । ବୋଉକୁ କହିଲା ତୁ କଣ ଭାବୁଛୁ ପନ୍ଦର ଦିନ ମୁଁ ଅଫିସ ନଗଲେ ପ୍ରଦୋଷ ଚୁପ ହୋଇ ବସି ପଡିବ । ମୋ କଥା ଭୂଲିଯିବ । ନାଇଁ ବୋଉ ! ସେ ସେମିତି କରିବନି । ମୁଁ ଅଫିସ ନଗଲେ ସେ ଘରକୁ ଆସିବ । ତାର ସାହସ ବଢିବ । ମୋ ସହିତ ସେ ଟିକିକୁ ବି ହଇରାଣ କରିବ । ମୁଁ ଡରିଗଲେ ହାରିଯିବି ବୋଉ । ପ୍ରଦୋଷର ଦୁଃସାହସ ବଢି ଚାଲିବ । ତା ଅପେକ୍ଷା ବରଂ ତାକୁ ପ୍ରତିରୋଧ କରିବା ଦରକାର । କାଲି ସେ ଲୋକମାନଙ୍କ ଦ୍ୱାରା ଅପମାନିତ ହୋଇଛି । ଆଜି ମୁଁ ଥାନା ପୁଲିସରେ ଅଭିଯୋଗ କରିବି । ସେ ଆଇନ ଅନୁସାରେ ଦଣ୍ଡ ପାଇବ । ତାକୁ ଦଣ୍ଡ ପାଇବାର ଦେଖିଲେ ଅନ୍ୟମାନେ ବି ଶିକ୍ଷା ପାଇବେ । ଭବିଷ୍ୟତରେ ଆମ ପରି କାହାକୁ ହଇରାଣ ହରକତ କରିବାକୁ ସାହାସ କରିବେ ନାହିଁ । ତୁ ଜାଣିନାହିଁ ବୋଉ ଆଜିର ଯୁଗରେ ନାରୀ ଉପରେ ଅତ୍ୟାଚାର ପାଇଁ କେମିତି କଠିନ ଦଣ୍ଡ ସବୁର ବ୍ୟବସ୍ଥା ଅଛି । ଆଜି ନାରୀ ଆଉ ଅବଳା ଦୁର୍ବଳା ନୁହେଁ । ସେ ମା’ ଦୁର୍ଗାଙ୍କ ପରି ଶକ୍ତିଶାଳୀ । ମୁଁ ଆଜି ଯାଇଁ ମହିଳା ଥାନାରେ ତା ନାଁରେ ଅଭିଯୋଗ କରିବି । କାଲିର ଦେଖଣାହାରୀ ମାନଙ୍କ ମଧ୍ୟରୁ କେହି ନା କେହି ମୋର ସାକ୍ଷୀ ହେବେ । ତୁ ମୋଟେ ବ୍ୟସ୍ତ ହ’ନା । ସବୁ ଠିକ ହୋଇଯିବ । ହାଁ ଟା କରି ଚାହିଁ ରହିଥିଲେ ବାସନ୍ତୀ ଦେବୀ ପୁଷ୍ପିତାର ମୁହଁକୁ । କାଲି ସକାଳର ଏଇ ବକଟେ ସିଙ୍ଘାଣିନାକୀ ଝିଅଟା କେତେବେଳେ ଏତେ ବଡ ହୋଇ ଯାଇଛି, ଏତେ ବଡ ବଡ କଥା କହି ନିଆଁକୁ ମଧ୍ୟ ଡେଇଁ ପଡିବାର ସାହାସ ରଖୁଛି ସେ ଭାବି ପାରୁ ନଥିଲେ । ପୁଷ୍ପିତା ସାତ ପୁଅଙ୍କ ଠାରୁ ବଳି ତାଙ୍କ ପାଇଁ । ଆଜି ତାରି ରୋଜଗାରରେ ଏ ଘର ଚଳୁଛି । ସେ ହିଁ ରକ୍ଷକ ଏ ଘରର, ତାଙ୍କର ଆଉ କଳ୍ପିତାର । ଆଉ ତାଙ୍କର ଡରିବାର କଣ ଅଛି । ସେ ବି ସବୁ ଲଢେଇରେ ପୁଷ୍ପିତାର ପଛରେ ଠିଆ ହେବେ । ତାକୁ ସାହାସ ଦେବେ । ଦୁର୍ବଳ କରିବେ ନାହିଁ । ସବୁ ବିପଦର ମୁକାବିଲା କରିବେ ପୁଷ୍ପିତା ସାଙ୍ଗରେ । ଆଖିରୁ ଦି ଟୋପା ଆନନ୍ଦାଶ୍ରୁ ଝରି ପଡିଲା ବାସନ୍ତୀ ଦେବୀଙ୍କର ।ଆଖି ଲୁହକୁ କାନିରେ ପୋଛି ଦେଇ ସେ ପୁଷ୍ପିତାକୁ କୁଣ୍ଢେଇ ପକେଇଲେ କହିଲେ “ମା ମୋର ! ତୁ ଠିକ କଥା କହିଛୁ । ବିପଦକୁ ନ ଡରି ତାକୁ ସାମ୍ନା କରିବା ଦରକାର । ତୁ ଆଜି ଅଫିସ ଯା । ଯଦି ଆଜି ପୁଣି ସେ ବଦମାସ ଟୋକା ତତେ କିଛି ହଇରାଣ କରିବ । ତୁ ଥାନା ପୋଲିସ ଯାହା କରିବା କଥା କରିବୁ, ଜମା ଦରିବୁ ନାହିଁ । ତୁ ତ ମୋର ସାହାସୀ ଝିଅ । ମା ମଙ୍ଗଳା ତୋର ସାହା ହୁଅନ୍ତୁ ।

ବୋଉଠୁ ଅନୁମତି ପାଇବା ମାତ୍ରକେ ବିଜୁଳି ଭଳି ବାହାରି ଗଲା ପୁଷ୍ପିତା ଅଫିସ ଅଭିମୁଖେ । ଆଜି ତ ଘଣ୍ଟାଏ ଖଣ୍ଡେ ଡେରି ହୋଇଯିବ ଅଫିସରେ ପହଞ୍ଚିଲା ବେଳକୁ ତଥାପି ବଡବାବୁଙ୍କୁ ସେ ସବୁ କଥା କହି ବୁଝେଇ ଦେବ । ତାର କାମ ଉପରେ ବଡବାବୁ ଖୁବ ସନ୍ତୁଷ୍ଟ ବୋଧହୁଏ ସେ ତାକୁ କ୍ଷମା କରି ଦେଇ ପାରନ୍ତି । ଏମିତି ଭାବି ଅନ୍ୟମନସ୍କ ହୋଇ ଯାଉ ଯାଉ ଗୋଟାଏ ଠୋକ୍କର ଖାଇ ଅଟକି ଗଲା ପୁଷ୍ପିତା । ଦେଖିଲା ଆଗରେ ରାବଣ ଭଳି ଠିଆ ହୋଇଛି ପ୍ରଦୋଷ । ମୁହଁରେ ଲାଗି ରହିଛି ଏକ ପୈଶାଚିକ ହସ । ହାତରେ ମୁଠାଇ ଧରିଛି ତା ସାଇକେଲର ହ୍ୟାଣ୍ଡେଲଟାକୁ । ଛାତି ଭିତରଟା ଭୟରେ ଥରୁ ଥିଲେ ବି ଜୋରରେ ଚିତ୍କାର କରି ଉଠିଲା ପୁଷ୍ପିତା, “ଦେଖ ପ୍ରଦୋଷ । ତତେ ଅନୁରୋଧ କରୁଛି , ଭଲରେ କହୁଛି ଭଲରେ ଭଲରେ ମୋ ସାଇକେଲ ଛାଡିଦେ । ମୋ ରାସ୍ତାରୁ ହଟିଯା, ନହେଲେ ତୋ ଅବସ୍ଥା କଣ ହେବ ତୁ ନିଜେ ବି ଜାଣି ପାରିବୁ ନାହିଁ ।“ ନିର୍ଲଜଙ୍କ ପରି ଦାନ୍ତ ଦେଖେଇ ହସୁଥାଏ ପ୍ରଦୋଷ । କହୁଥାଏ ପୁଷ୍ପ । ଅନେକ ଦିନ ତଳୁ ମୁଁ ମୋ ହୃଦୟରେ ତତେ ସାଇତି ରଖିଛି । ତୁ ମୋର । ଏକା ମୋର । ତୁ ମୋ ହୃଦୟର ରାଣୀ, ମୋ ଆଖିର ତାରା, ତୋ ବିନା ମୋର ଜୀବନ ବ୍ୟର୍ଥ ହୋଇଯିବ । ତୁ ରାଜି ହୋଇ ଯା । ମୁଁ କାଲି ତତେ ବାହା ହୋଇଯିବି । ତୁ ରାଣୀ ହୋଇ ରହିବୁ । କାହିଁକି ଏ ଖରାତରାରେ ବୁଲି ଚାକିରି କରି ନିଜ ରୂପ ଯୌବନକୁ ନଷ୍ଟ କରୁଛୁ । ମୁଁ ତୋ ମା ଭଉଣୀ ସମସ୍ତଙ୍କ ଦାୟିତ୍ଵ ନେବି । ତୁ ଖାଲି ଥରେ ହଁ କରି ଦେ । ରାଗରେ ଗୋଡରୁ ମୁଣ୍ଡ ଯାଏ ଜଳି ଯାଉଥାଏ ପୁଷ୍ପିତା । ହାତ ଗୋଡ ଥର ଥର ହୋଇ କମ୍ପୁଥାଏ । ନିଜର ସବୁ ଶକ୍ତି ଏକାଠି କରି ପ୍ରଦୋଷର କଲର ଧରି ଘୋଷାରି ଆଣି ତଳେ ପକେଇ ଦେଲା ସେ । ଗୋଡରୁ ଚପଲ ବାହାର କରି କଷି ଦେଇଗଲା ପାହାର ଉପରେ ପାହାର । ଗୋଡରୁ ମୁଣ୍ଡ ଯାଏ ପିଟି ପିଟି ଲହୁ ଲୁହାଣ କରି ଦେଲା ପ୍ରଦୋଷକୁ । ସତେ ଯେମିତି ସେ ମହାକାଳୀ ପାଲଟି ଯାଇଥିଲା । ଆଖ ପାଖରୁ ଲୋକ ଆସି ଗଦା ହୋଇ ପଡିଥିଲେ ସବୁ । ହେଲେ କେଉଁ ଆଡକୁ ନଜର ନଥିଲା ତାର । ଚପଲରେ ପିଟି ପିଟି ସାର୍ଟର କଲର ଧରି ସେମିତି ଘୋଷାରି ଘୋଷାରି ନେଇଗଲା ପାଖରେ ଥିବା ଥାନାକୁ । ଇନ୍ସପେକ୍ଟରକୁ ଦେଖାକରି ଏତାଲା ଦେଲା ପ୍ରଦୋଷ ନାଁରେ । ପାରିପାର୍ଶ୍ଵିକ ଅବସ୍ଥା ଆଉ ତା ପଛରେ ଆସିଥିବା ଲୋକ ମାନଙ୍କ ବୟାନ ନେଇ ଥାନାବାବୁ ସିଧା ହାଜତକୁ ପଠାଇ ଦେଲେ ପ୍ରଦୋଷକୁ ।

ସେଦିନ ଆଉ ଅଫିସ ଯିବା ନୋହିଲା ପୁଷ୍ପିତାର । ଘରକୁ ଫେରି ଗୋଟି ଗୋଟି କରି ସବୁ କଥା ବୋଉକୁ କହିଲା ସେ । ମନରେ ଡରୁଥିଲେ ବି ବୋଉ ତାକୁ ସାବାସୀ ଦେଲା ପ୍ରଦୋଷକୁ ଉଚିତ ଶିକ୍ଷା ଦେଇଥିବାରୁ । ଧୁଆ ଧୋଇ ହୋଇ ଖିଆପିଆ ସାରି ଶୋଇ ପଡିଲା ପୁଷ୍ପିତା । ବୋଉ ମଧ୍ୟ ତାକୁ ଆଉ ଉଠାଇଲା ନାହିଁ ରାତି ଯାଏଁ । ରାତି ପାହି ସକାଳ ହେଲା । ପ୍ରତିଦିନ ପରି ନିତ୍ୟକର୍ମ ସାରି ପୁଷ୍ପିତା ବାହାରିଲା ଅଫିସ । କାଲି ସେ କାହାରିକୁ କିଛି ନକହି ଛୁଟି ଦରଖାସ୍ତ ନଦେଇ ସେମିତି ଅଫିସ ବନ୍ଦ କରିଛି । ଆଜି ସେ ଶୀଘ୍ର ଯିବ ବୋଲି ଜଣାଇ ଦେଲା ବୋଉକୁ ।

ତରତର ହୋଇ ସାଇକେଲକୁ ଅଫିସ ଅଭିମୁଖେ ଗଡାଇ ଗଡାଇ ଯାଉଥାଏ ପୁଷ୍ପିତା । ଅଧାବାଟ ଯାଇଛି କି ନାହିଁ କଣ ଗୋଟାଏ ଆସି ମାଡ଼ ହେଲା ତା ବାଁ ପଟ ଗାଲରେ । ଟିକେ ହଡବଡେଇ ଗଲା ସେ । ପରକୁ ପର ଆଉ ଗୋଟାଏ ମାଡ଼ ବସିଲା ତା ବେକ ପାଖରେ । ତା’ ପରକୁ ଆଉ ଗୋଟାଏ ପିଠି ଉପରେ । ସତେ କି ନିଆଁ ପିଣ୍ଡୁଳାମାନ କିଏ ଫିଙ୍ଗି ଦେଲା ତା ଉପରକୁ । ଚତୁର୍ଦ୍ଦିଗ ଅନ୍ଧାର ଦିଶିଲା ପୁଷ୍ପିତାକୁ । ସାଇକେଲରୁ ତଳେ ପଡିଗଲା ସିଏ । ଆଖି, କାନ , ନାକ ଦେହ ମୁଣ୍ଡ ସବୁ ଆଡେ ତାର ନିଆଁ ଚରି ଯାଉଛି । ବୋଉଲୋ ବୋଲି ଚିତ୍କାର କରି ତଳେ ଲୋଟିଗଲା ପୁଷ୍ପିତା । ପଥଚାରୀ ମାନେ ଧାଁ ଧଉଡ କରି ଆସି ଜମା ହୋଇଗଲେ ତା’ ପାଖରେ । କିଏ କିଏ ଚିତ୍କାର କରୁଥାନ୍ତି ଆରେ ଧାଇଁ ଆସ, ଏ ଝିଅକୁ ଏସିଡ ମାଡ଼ ହୋଇଛି । କିଏ କହୁଥାଏ ଆରେ ପୁଲିସକୁ ଖବର ଦିଅ, ଏଇଟା ପୁଲିସ କେଶ । କେତେ ଜଣ ତା ଭିତରେ ଧାଇଁ ଯାଇ ଏସିଡ ଫିଙ୍ଗି ଦୌଡି ପଳାଉଥିବା ପ୍ରଦୋଷକୁ ଧରି ଆଣି ବାନ୍ଧି ପକାଇଥାନ୍ତି ପାଖରେ ଥିବା ଇଲେକ୍ଟ୍ରି ଖୁଣ୍ଟରେ । ତଳେ ପଡି ଛଟପଟ ହେଉଥିବା ପୁଷ୍ପିତା ଆଖିରେ ଘୋଟି ଯାଉଥାଏ ଅମାବାସ୍ୟାର କଳା ଅନ୍ଧାର । କିଛି ସମୟ ଛଟପଟ ହୋଇ ସେଇଠି ରାସ୍ତା କଡରେ ତା’ର ପ୍ରାଣପକ୍ଷୀ ଉଡିଗଲା ଦେହ ପଞ୍ଜୁରୀ ଛାଡି ।

ପରଦିନ ସମ୍ବାଦ ପତ୍ରର ପ୍ରଥମ ପୃଷ୍ଠା ମଣ୍ଡନ କରିଥିଲା ପୁଷ୍ପିତାର ଫାଇଲ ଫଟୋ ଇନସେଟରେ “ ଉନ୍ମତ୍ତ ପ୍ରେମିକର ପୈଶାଚିକ କାଣ୍ଡ “ ଶୀର୍ଷକରେ । ନୀରବି ଯାଇଥିଲା ଯୁଯୁତ୍ସୁ ପୁଷ୍ପିତା ଏକ ତରଫା ପ୍ରେମର ପ୍ରଚଣ୍ଡ ଯୁଇରେ ।

ଝାଞ୍ଜି ଅଫିସ ଏସିଡ

Rate the content


Originality
Flow
Language
Cover design

Comments

Post

Some text some message..