ଖାସି ମାଂସ
ଖାସି ମାଂସ
ଖାସି ମାଂସ .........
----------------------------------
ବାବୁନା ଗୋଟେ ନିଶାଡି l ମଦ, ଗଂଜେଇ, ତମାଖୁ ଆଦି ବିଭିନ୍ନ କିସମର ନିଶାଦ୍ରବ୍ୟ ସେବନ କରୁଥିବା ନିଶାଖୋର୍ ଯୁବକଟିଏ l ବାପା ଅଜାଙ୍କ ଜମିଦାରୀ ଦିନେ ଥିଲା l ଏବେ ସେ ଜମିଦାରୀ ନଥିଲେ ବି ସମ୍ଭ୍ରାନ୍ତ ବଂଶୀୟ ରଙ୍ଗ ଢଙ୍ଗ ସହ ଘରର ଚଳଣି ଖୁବ୍ ଭଲଥିଲା l ନିଶାଖାଇ ଜୁଆ ଖେଳିବା ତାର ନିତି ଦିନିଆ କାମ l ଏ ବାବଦରେ ଘରର ବହୁ ପଇସା ବରବାଦ୍ କରିବା ହେତୁ ଘରେ ସମସ୍ତଙ୍କର ବିଶ୍ୱାସ ହରାଇସାରିଥିଲା ବାବୁନା l ସାଇ ପଡିଶା ସମସ୍ତଙ୍କ ଠାରୁ ଧାର କରଜ କରି ନିଶା ଆଉ ଜୁଆରେ ପଇସା ଉଡେଇସାରିବା ପରେ ନ ଶୁଝିବାରୁ କିଛି ଲୋକ ତାଙ୍କ ଘରେ ଅଭିଯୋଗ କରି ପଇସା ଫେରି ପଇଛନ୍ତି l ଏବେ ବାବୁନା ଏମିତି ଅବସ୍ଥାରେ ପହଞ୍ଚିସାରିଥାଏ ଯେ ତାକୁ ଗାଁରେ କେହି ବି ଧାର ଦେବେନାହିଁ l
ବାବୁନା ବିବାହ କରିସାରିଥାଏ l ଘରେ ତାର ବାପ, ମଆ, ସ୍ତ୍ରୀ, ଦୁଇଟି ଝିଅ ଓ ଗୋଟେ ପୁଅ l କିନ୍ତୁ ଘରକଥା ବାବୁନା କିଛି ବୁଝେନା l ସବୁକଥା ତା' ବାପା ରମେଶବାବୁ ହିଁ ବୁଝନ୍ତି l ରମେଶବାବୁ ଉଚ୍ଚଶିକ୍ଷିତ ତଥା ଖୁବ୍ ନୀତିବାନ ଲୋକ l ଗାଁର ମାମଲତ୍କାର l ସମସ୍ତେ ତାଙ୍କୁ ମାନନ୍ତି l ବାବୁନା ନିଶା ଖାଇ ଚୁର୍ ହୋଇ ଗାଁ ରାସ୍ତାରେ ଟଳଟଳ ହୋଇ ଗଲାବେଳେ କିଛି ଲୋକ କୁହାକୁହି ହୁଅନ୍ତି କି ରମେଶବାବୁଙ୍କ ପରି ଲୋକ ଓୌରସରୁ ଏମିତି କୁଳାଙ୍ଗାର କେମିତି ଜନ୍ମହେଲା ?
ରମେଶବାବୁଙ୍କର ବାବୁନା ଏକମାତ୍ର ପୁତ୍ର l ଉଚ୍ଚ ଶିକ୍ଷିତ l ହେଲେ ସାଙ୍ଗ ମେଳରେ ପଡି ନଷ୍ଟ ହୋଇଗଲା ତାଙ୍କ ଆଖି ଆଗରେ l ଏବେ ତ ସରକାର ସହରରେ ଆଉ ସବୁ ଗାଁରେ ମଦ ଦୋକାନ ସଂଖ୍ୟା ବଢେଇବା ସହିତ ଦିନକୁ ଦିନ ଅଧିକରୁ ଅଧିକ ଯୁବକ ଓ ଛାତ୍ର ନିଶା ପlଲରେ ପଡିବା ସଂଗେସଂଗେ ଅପରାଧର ଦୁନିଆରେ ପାଦ ଦେଉଛନ୍ତି l କେବଳ ସହରର ଏ ଅବସ୍ଥା ନୁହେଁ, ଗାଁ ମାନଙ୍କର ମଧ୍ଯ ଅବସ୍ଥା ଆହୁରି ସଂଗୀନ l ଓଡିଶାରେ ପାଖା ପାଖି ୪୦ ପ୍ରତିଶତ ପୁରୁଷ ମଦ୍ୟପାନ କରୁଛନ୍ତି l ମଦ ସମେତ ଅନ୍ୟାନ୍ୟ ତମାଖୁ, ଗଂଜେଇ ଆଉ ବ୍ରାଉନ ସୁଗାର ଆଦି ସାଂଘାତିକ ନିଶା ସବୁକୁ ମିଶାଇଲେ ଏ ନିଶାଡିଙ୍କ ହାର ୬୦ % ରୁ ଅଧିକ ହେବ l ତେଣୁ ଓଡିଶାରେ ନିଶାଡିଙ୍କ ହାର ଜାତୀୟ ହାର ଠାରୁ ଢେର ଅଧିକ l
ରମେଶବାବୁ ବାବୁନାକୁ ବହୁତ ବୁଝାନ୍ତି l ଵାବୁନା ବି ସବୁ ବୁଝେ l ଏ ବୁଝିବାଟା ବାବୁନା ମୁଣ୍ଡରେ ଅତି ବେଶିରେ ଦୁଇ କି ତିନି ଦିନ ରହେ ତାପରେ ଯେଉଁକଥାକୁ ସେଇକଥା l ଶେଷକୁ ଚିନ୍ତାକଲେ ବାହା କରିଦେଲେ ବୋହୂ ଆସି ପିଲାଟାକୁ ବାଗେଇ ଦେବ l କିନ୍ତୁ ବାବୁନାର କିଛି ବି ପରିବର୍ତ୍ତନ ହେଲାନି l ତିନିଟି ପିଲାର ବାପ ହେଲା ପରେ ସେଇ ସମାନ ସ୍ଥିତି l ଅବଶ୍ୟ ବାବୁନା ମଦ ପିଇ କେଉଁଠି ଗଣ୍ଡଗୋଳ କରେନି l କାହାକୁ କେବେ ଦୋ ଅକ୍ଷରି ଭାଷାରେ ଗାଳି କରିନି l କେବଳ ଘରୁ ପଇସା ଚୋରିଚାରି କରି ନିଏ l ସେଥିପାଇଁ ତାକୁ ଘରେ ସମସ୍ତେ ଜଗିଥାନ୍ତି l ଆଜିକାଲି ଘରୁ ପଇସା ଚୋରି କରିଵା ସୁଯୋଗ ତାକୁ ଖୁବ୍ କମ୍ ମିଳୁଛି l
ରଜପର୍ବ ଓଡିଶାର ଗାଁ ଗଣ୍ଡାରେ ପାଳନ କରାଯାଏ l ସେଇ ରଜରେ ଗାଁଆଁ ମୁଣ୍ଡରେ ଆମିଷବାର ଦିନ ଭଲ ଖାସି ମରାଯାଏ l ସେଦିନ ବୁଧବାର ଥାଏ l ବାବୁନା ଘରେ ଥାଏ l
ରମେଶବାବୁ ତାକୁ ଡାକି କହିଲେ, " ନେ ଏ ୫୦୦ ଟଙ୍କା , ଗାଁଆଁ ମୁଣ୍ଡରେ ମରାହେଉଥିବା ଖାସି ମାଂସ କିଲେ ଅଣିକି ଆସେ l ସିଧା ଯିବୁ ଆଉ ଆସିବୁ l ଆଉ କୁଆଡେ ଯିବୁନି l ମାଂସ ଅଣିଲେ ରୋଷେଇ ହେବ l"
ବାବୁନା ' ହେଉ' ବାପା ବୋଲି କହି ଟଙ୍କାଧରି ଚାଲିଲା l ପଇସାପତ୍ର ଆଉ ସୁବିଧା ଅଭାବରୁ ସେ ପାଖା ପାଖି ୮ ଦିନ ହେବ ମଦ ପିଇ ନଥିଲା l ୫୦୦ ଟଙ୍କା ପାଇଛିତ ତାକୁ ଖାଲି ମଦ ବୋତଲ ଦେଖାଗଲା l ଗାଁଆଁ ମୁଣ୍ଡରେ ଯେଉଁଠି ଖାସି ମାଂସ ମରାଯାଇଥିଲା ସେଠି ଅସମ୍ଭବ ଭିଡ ହୋଇଥାଏ l ମାସଂ କିଣିବାକୁ ଯାଇଥିବା ଲୋକମାନେ ସେଠି ଠେଲା ପେଲା ହେଉଥାନ୍ତି l ମରାଯାଇଥିବା ଛେଳି କିମ୍ବା ମାଂସ ବିକାଳି କେହି ବି ଦୃଷ୍ୟମାନ ହେଉନଥାନ୍ତି l ସେ ମାଂସ ବିକାଳିର ଚାରିପଟେ ଲୋକ ଘେରିକି ସେମିତି ଠିଆ ହୋଇଥାନ୍ତି l କିଛି ଦୂରରେ ମଦ ଦୋକାନ l ବାବୁନା ସେ ମଦ ଦୋକାନ ଆଡକୁ ଅନାଇଁ କିଛି ଭାବିଲା l ସେଠି ପୁରା ଫାଙ୍କା ଫାଙ୍କା ଅବସ୍ଥା l ଦୁଇଜଣ ମଦୁଆ ଏପଟ ସେପଟ ହେଉଥାନ୍ତି l
ହଠାତ୍ ବାବୁନା ସେ ମଦ ଦୋକାନ ଆଡକୁ ଦୃତ ଗତିରେ ଚାଲିଲା l ସେଠି ମଦ କାଉଁଣ୍ଟର୍ ପାଖରେ ଛିଡାହୋଇ ମାଂସ ପାଇଁ ଆଣିଥିବା ୫୦୦ ଟଙ୍କା ପକେଟରୁ ବାହାର କଲା l
ସେ ମଦୁଆ ଦୁଇଜଣ ବାବୁନାକୁ ଦେଖିବା ମାତ୍ରେ ଏକ ସ୍ୱରରେ କହିଉଠିଲେ , " ଭାଇ ନମସ୍କାର l"
ସେ ଟିକେ ହସିଦେଲା ଆଉ ୪୦୦ ଟଙ୍କାରେ ମଦ, ଗୋଟେ ପାଣି ବୋତଲ ଓ କିଛି ଡିସପୋଜେବୁଲ୍ ଗ୍ଲାସ୍ କିଣି ସେ ମଦୁଆ ଦୁଇଜଣଙ୍କ ପାଖକୁ ଚାଲିଲା l ବାବୁନା ଆଗରୁ ବହୁବାର ସେମାନଙ୍କ ସହୁତ ଏକାଠି ବସି ମଦ ପିଇଛି l ତାପରେ ମଦକୁ ଏକୁଟିଆ ପିଇବା ଠିକ୍ ଲେଗେନି l ମଦକୁ ଅବମାନନା ହେଲା ବୋଲି ଜାଣ l
ସେ ଦୁଇଜଣଙ୍କ ଭିତରୁ ଅଭି ନାମଧାରୀ ମଦୁଆ ପୁରା ଖୁସି ହୋଇ କହିଲା, " ଆଜି ତାହେଲେ ଆମ ଭାଗ୍ୟ l ଏତେ ଦିନ ପରେ ଭାଇଙ୍କ ସହ ବସି ପିଇବାକୁ ସୁଯୋଗ ମିଳିଲା l ଆପଣ ଆଜ୍ଞା ଜମିଦାର, ଆମେ ହେଉଛୁ ପ୍ରଜା l ଆପଣଙ୍କ ଅଇଁଠା ପାଦୁକ ଟିକେ ପାଇଗଲେ ଆମେ ଧନ୍ୟ ହୋଇଯିବୁ l"
ବାବୁନା ଆଗେଆଗେ ଆଉ ତା ପଛେପଛେ ସେ ଅଭି ସହ ଆର ମଦୁଆ ଜାହାର ନାମ କେମ୍ପା ଚାଲିଥାନ୍ତି l କିଛି ଦୂରରେ ଥିବା ଗୋଟେ ଗଛ ମୂଳରେ ସମସ୍ତେ ବସିଗଲେ l ଅଭି ଖୁବ୍ ସନ୍ମାନର ସହିତ ବାବୁନା ହାତରୁ ମଦ ବୋତଲ, ପାଣି ଓ ସେ ଗ୍ଲାସ୍ ନେବାକୁ ହାତ ବଢାଇ କହିଲା, " ବାବୁ ଦିଅନ୍ତୁ, ମୁଁ ପେଗ୍ ବନାଇଦେବି ଆପଣଙ୍କ ପାଇଁ l"
ବାବୁନା ପୁରୁଣା ନିଶାଡି ହୋଇଥିବାରୁ ବିନା ଚାଖଣରେ ବି ମଦ ପିଇ ଯାଏ l କିନ୍ତୁ ଏ ଅଭି ଓ କେମ୍ପା ନୂଆ ନୂଆ ନିଶା ଖାଉଥିବାରୁ ବିନା ଚାଖଣରେ ମଦ ପିଇ ପାରନ୍ତି ନାହିଁ l
ଅଭି ଗୋଟେ ଗ୍ଲାସରେ ମଦ ଓ ପାଣି ଭାଗମାପ ଅନୁଯାଇ ମିଶାଇ ବାବୁନା ହାତକୁ ବଢେଇ ଦେଇ କହିଲା, " ନିଅନ୍ତୁ ଆଜ୍ଞା ଆପଣ ଆଗ ତଣ୍ଟି ଓଦା କରି ନିଅନ୍ତୁ l"
ଏମିତି ୩ ପେଗ୍ ବନାଇ ବାବୁନାକୁ ପିଆଇ ସାରିବା ପରେ ତା ନିଶା କିଛି ମାତ୍ରାରେ ଆସିଗଲା l ସେ ଏଥର କହିଲା, " ଆରେ ତମେ ଦୁଇଜଣ ବି ନିଅ l"
ଅଭି କହିଲା , " ଏ କେମ୍ପା, ଶିଘ୍ର ଯାଇକି କିଛି ଚାଖଣ ଆଉ ସିଗାରେଟ୍ ପ୍ୟାକେଟ୍ ନେଇଆସେ l"
କେମ୍ପା ଏଥର ବାବୁନା ଆଡକୁ ଚାହିଁ କହିଲା, " ଭାଇ ଟଙ୍କା ଦିଅନ୍ତୁ, ମୁଁ ସଙ୍ଗେ ସଙ୍ଗେ ନେଇକି ଆସୁଛି l"
ବାବୁନା ପୁରା ମାଲିକ ଠାଣିରେ ପାଖରେ ବଳିଥିବା ୧୦୦ ଟଙ୍କା କେମ୍ପାକୁ ବଢାଇଦେଲା l
କେମ୍ପା ଖୁବ୍ ଖୁସିରେ ଟଙ୍କାଧରି ପାଖରେ ଥିବା ଦୋକାନରୁ ସବୁ ଆନୁସାଙ୍ଗିକ ଜିନିଷ କିଣି ଆଣି ବଳିଥିବା ୨୦ ଟଙ୍କା ବାବୁନାକୁ ଫେରାଇବା ସମୟରେ ଅଭି ତାକୁ ତାଗିଦ୍ କରି କହିଲା, " ମୁର୍ଖ କେଉଁଠିକାର ! ତୁ କାହାକୁ ୨୦ ଟଙ୍କା ଫେରାଉଛୁ ? ବାବୁନାବାବୁ ପରା ରାଜାଧିରାଜ, ଥାନପତି l ରଖ ସେ ଟଙ୍କା ପାନ ଖାଇବା l"
ଅଭି କଥାରେ ବାବୁନା ଟିକେ ଗମ୍ଭିର ହୋଇ ଓଜନଦାର ଲୋକ ପରି ମୁଁହରେ ଭାବ ସୃଷ୍ଟିକରି କହିଲା, " ରଖ୍ ସେ ପଇସା l"
କେମ୍ପା ବି " ଆଜ୍ଞା ହଜୁର କହି " ସେ ୨୦ ଟଙ୍କାକୁ ଖୁସିରେ ନିଜ ପକେଟ୍ ରେ ରଖିନେଲା l
କିଛି ସମୟପରେ ସେ ମଦ, ଚାଖଣା ଓ ସିଗାରେଟ୍ ସବୁ ଶେଷ ହୋଇଗଲା l ଅଭି ଓ କେମ୍ପା ମଦ ସରିବା ଯାଏ ଧୁମ୍ ନିଶାରେ ବାବୁନାର ଗୁଣ କିର୍ତ୍ତନ କରିବାରେ ବ୍ୟସ୍ତ ଥାଆନ୍ତି l ଏ ଭିତରେ ସେ ଦୁହେଁ ବି ସେ ସ୍ଥାନ ପରିତ୍ୟାଗ କରି ସାରିଥାଆନ୍ତି l ବାବୁନାର ନିଶା ଖସି ଖସି ଆସୁଥାଏ l
ମନେ ପଡିଗଲା ବାପା ୫୦୦ ଟଙ୍କାଦେଇ କହିଥିଲେ ଶିଘ୍ର ମାଂସ ଆଣିବାକୁ l ଟଙ୍କା ତ ଆଉ ନାହିଁ l ସ୍ଥିରକଲା ସେ ମାଂସ ବିକାଳିକୁ ବାକିରେ ମାଂସ ମାଗିଲେ ସେ ନିଶ୍ଚେ ଦେବ l ସେଠି ପହଞ୍ଚି ଦେଖିଲା ପୂର୍ବର ସେ ଗହଳି ନାହିଁ କିମ୍ବା ସେ ମାଂସ ବିକାଳି ବି ନାହିଁ l ତା ମୁଣ୍ଡ ଚକ୍କର ଖାଇଲା ପରି ଲାଗୁଥାଏ l ଏବେ କରିବ କଣ ? ବାପା ଏବେ ବି ତାକୁ ସମୟେ ସମୟେ ଖୁବ୍ ନିର୍ଦ୍ଦୟ ଭାବରେ ମାଡ ମାରନ୍ତି l ଆଜି ନିଶ୍ଚେ ତା ଭାଗ୍ୟରେ ଗୁଡେ ମାଡ ଖାଇବା ଲେଖା ହୋଇଛି l
ଏମିତି ଚିନ୍ତା କରୁଥିବା ସମୟରେ ବାବୁନା ଦେଖିଲା ଗୋଟେ କେଳା ଦୁଇଟି ଗୋଧି ମାରି ହତରେ ଧରି ଚାଲିଛି l ତା' ମୁଣ୍ଡରେ ଗୋଟେ ବୁଦ୍ଧି ଆସିଲା ଆଉ ସେଇ ଖୁସିରେ ତା ମୁହଁରେ ହସ ଫୁଟି ଉଠିଲା l ସେ ବଡ ପାଟିରେ କେଳାକୁ ଡାକ ପକାଇଲା l ସେତେବେଳେ ପଖରେ ଆଉ କେହି ନଥାନ୍ତି l କେଳା ତା ଡାକ ଶୁଣି ପାଖକୁ ଆସି ପଚାରିଲା, " ବାବୁ ମୋତେ ଡାକିଲେ କି ? "
ସେ କେଳା ତାକୁ ଚିହ୍ନିଥାଏ l ରମେଶବାବୁଙ୍କ ପୁଅ ବୋଲି ସେ ଜାଣିଥାଏ l ବାବୁନା ତା ହାତରେ ଥିବା ଗୋଧି ଦୁଇଟାକୁ ଲଖ୍ୟକରି କହିଲା, " ଆରେ ଏ ଗୋଧି ଦୁଇଟା କଣ କରିବୁ ?"
କେଳା କହିଲା, " ଆଜ୍ଞା ତରକାରି କରି ଖାଇବୁ l"
ବାବୁନା - " ଆଛା ସେ ଦୁଇଟାକୁ କେତେ ଟଙ୍କା ନେବୁ l"
କେଳା ଆଶ୍ଚର୍ଯ୍ୟ ହୋଇ ପଚାରିଲା, " ଆପଣ ନେଇ କଣ କରିବେ ?"
ବାବୁନା ଚିନ୍ତା କରି କହିଲା, " ମୋ ପୁଅ ଆଉ ଝିଅଙ୍କୁ ସବୁବେଳେ ଥଣ୍ଡା ହେଉଛି l ଡାକ୍ତର କହିଛନ୍ତି ଗୋଧି ମାଂସ ଖାଇଲେ ଆଉ ଥଣ୍ଡା ହେବନି l ସେଥିପାଇଁ ପଚାରିଲି l"
କେଳା କହିଲା , " ପିଲାଙ୍କ ପାଇଁ ଯଦି ଦରକାର ତାହେଲେ ନିଅନ୍ତୁ l ମୋତେ ୧୦୦ ଟଙ୍କା ଦେବେ l"
ବାବୁନା କେଳାକୁ ମାଂସ କଟାଳିର କାଠ ଗଣ୍ଡି ଦେଖାଇ କହିଲା, " ଠିକ୍ ଅଛି ତାକୁ ସେଠି ମାଂସ ପରି ଖଣ୍ଡ ଖଣ୍ଡ କରିଦେ l ଆମ ଘରେ କେହି କlଟିବେନି l"
କେଳା " ହଉ ଆଜ୍ଞା " ବୋଲି କହି ସେ ଗୋଧି ଦୁଇଟାଙ୍କୁ ଖୁବ୍ ସୁନ୍ଦର ଭାବରେ ଚମଡା ଛେଲି ଅଳ୍ପ ସମୟ ଭିତରେ ମାଂସରେ ରୂପାନ୍ତରିତ କରିଦେଲା l
ବାବୁନା ତା ହାତରୁ ମାଂସ ନେବାବେଳେ ପଚାରିଲା, " ଆରେ ଏ ମାଂସ ର ଓଜନ କେତେ ଖଣ୍ଡେ ହେବ ? "
କେଳା କହିଲା ," କିଲେରୁ କିଛି ଅଧିକ ହେବ l ଦେଖିଲେ ତ ବଡ ବଡ ଗୋଧି ଦୁଇଟା l"
ବାବୁନା କହିଲା ଠିକ୍ ଅଛି , ତୁ ଦୁଇଦିନ ପରେ ଆସି ମୋ ପାଖରୁ ୧୦୦ ଟଙ୍କା ନେଇଯିବୁ l କେଳା " ଠିକ୍ ଅଛି ବାବୁ " ବୋଲି କହି ଚାଲିଗଲା ଆଉ ସେ ଗୋଧି ମାଂସକୁ ଧରି ବାବୁନା ଘରକୁ ଫେରିଲା l
ସେଦିନ ମଧ୍ଯାହ୍ନ ଭୋଜନ ପ୍ରଥମେ ବାପ ପୁଅଙ୍କୁ ପରଷା ଗଲା l ବାବୁନା କାଳେ ଧରାପଡିଯିବ ସେ ଭୟରେ ଥାଏ l ରମେଶବାବୁ ମାଂସ କେତେଖଣ୍ଡ ଖାଇ ସାରିବା ପରେ କହିଲେ, " ଆରେ ବାବୁନା , ବହୁତ ସଫ୍ଟ୍ ମାଂସ l ସେ ଛେଳିର କେଉଁ ଅଂଶ ଦେଲା ? l ବଢିଆ ଲାଗୁଛି l "
ବାବୁନା ଏଥର ଟିକେ ଖୁସି ହୋଇ କହିଲା, " କେଜାଣି କଣ ଦେଲା , ମୁଁ କେବଳ କହିଲି ବାପା ପଠାଇଛନ୍ତି , କିଲେ ମାଂସ ଦିଅ l ତାପରେ ସେ ବାଛିକି ଦେଲା l"
ସେଦିନ ଘରେ ସମସ୍ତେ ଖୁସିରେ ବହୁତ ଭଲ ଖାସି ମାଂସ ବୋଲି ଭାବି ଖାଇଲେ l ଦୁଇ ଦିନ ପରେ ସକାଳ ଜଳଖିଆ ଖାଇସାରି ରମେଶବାବୁ ତାଙ୍କ ଜମିଦାରୀଆ ଘରର ଉଚ୍ଚା ପିଣ୍ଡାରେ ଥିବା ଚେୟାରରେ ବସି ସେଦିନର ଖବର କାଗଜ ପଢୁଥିଲେ l ଗାଁ ଦାଣ୍ଡ ଦେଇ ଯେଉଁମାନେ ଯାଆନ୍ତି ସମସ୍ତେ ତାଙ୍କୁ ନମସ୍କାର କରି ଯାଉଥାନ୍ତି l ପାଖଆଖ ଗାଁର ଲୋକମାନେ ବି ତାଙ୍କୁ ଖୁବ୍ ମାନନ୍ତି l ତାଙ୍କୁ ସେ କେଳା ଆସି ନମସ୍କାର କଲା l ରମେଶବାବୁ ତାକୁ ପ୍ରତିନମସ୍କାର କରି ପଚାରିଲେ, " ଆରେ ତୋର ସବୁ ଭଲ ତ ? ପିଲାଛୁଆ କେମିତି ଅଛନ୍ତି ?"
କେଳା ଉତ୍ତରରେ କହିଲା, " ହଁ ବାବୁ ସବୁ ଆପଣଙ୍କ ଦୟାରୁ ଭଲରେ ଚଲିଛି l"
କେଳା ଏତିକି କଥାବାର୍ତ୍ତା ପରେ ବି ସେ ଜାଗାରୁ ନ ଯିବାରୁ ରମେଶବାବୁ ପଚାରିଲେ, " କଣ କହିବୁ ନା କିଛି କାମ ଅଛି l"
କେଳା କହିଲା, " ଆଜ୍ଞା ସାନ ବାବୁଙ୍କ ପାଖରେ ଟିକେ କାମ ଥିଲା l"
ରମେଶବାବୁ ବଡପାଟି କରି ବାବୁନା ବାବୁନା ବୋଲି ଡାକିଲେ l କିନ୍ତୁ ବାବୁନା ଘରେ ନଥିବାରୁ ତା ପୁଅ ଅର୍ଥାତ୍ ରମେଶବାବୁଙ୍କ ନାତି ଦେବୁ ଆସି କହିଲା, " ବାପା ଘରେ ନାହାନ୍ତି, ବାହାରକୁ କୁଆଡେ ଯାଇଛନ୍ତି l"
ରମେଶବାବୁ ଏଥର କେଳାକୁ ପଚାରିଲେ , " ତୋର କି କାମ ତା ପଖରେ କିରେ ? "
କେଳା କହିଲା, " ସାନ ବାବୁ ଦୁଇ ଦିନ ତଳେ ମୋ ଠାରୁ ଦୁଇଟି ଗୋଧିର ମାଂସ କିଣିକି
ଆଣିଥିଲେ l ସେ ବାବଦକୁ ୧୦୦ ଟଙ୍କା ଆଜି ଆସି ନେବାକୁ କହିଥିଲେ l"
ରମେଶବାବୁଙ୍କର କେଳା କଥାରେ ମୁଣ୍ଡ ପୁରା ଝାଇଁଝାଇଁ ହୋଇଗଲା l ତଥାପି ଧର୍ଯ୍ୟଧରି ପଚାରିଲେ ," ଦୁଇଦିନ ତଳେ ମାନେ ଏ ବୁଧବାର ଦିନ ସେ ତୋ ଠାରୁ ଗୋଧି ମାଂସ ଆଣିଥିଲା ? "
କେଳା କହିଲା, " ହଁ ଆଜ୍ଞା , ଛୁଆଙ୍କର ସବୁବେଳେ ଥଣ୍ଡା ହେଉଛି ବୋଲି ଡାକ୍ତର କହିଥିଲେ ଗୋଧି ମାଂସ ଖୁଆଇବାକୁ l ସେଥିପାଇଁ ସାନ ବାବୁ ମୋ ଠାରୁ ଦୁଇଟି ଗୋଧିର ମାଂସ ଆଣିଥିଲେ l"
କେଳା କଥା ସରିଛି କି ନାହିଁ ରମେଶବାବୁଙ୍କ ଘୃଣାରେ ପେଟ ଭିତରୁ ଯେମିତି କିଛି ଆଉଣ୍ଡି ପକାଇଲା ଆଉ ସେ ଅଅଁ ଅଅ କରି ସକାଳ ଜଳିଖିଆରେ ଯାହା ସବୁ ଖାଇଥିଲେ ଭକ୍ ଭକ୍ କରି ବାନ୍ତି କରି ପକାଇଲେ l
କେଳା ରମେଶବାବୁଙ୍କର ଏ ଅବସ୍ଥା ଦେଖି ସେଠୁ ତା ଟଙ୍କା ନନେଇ ଦୌଡିଦୌଡି ପଳାଇଲା l
ରମେଶବାବୁଙ୍କ ସ୍ତ୍ରୀ ବାନ୍ତିହେବା ଦେଖି ପାଣି ଆଣି ଦେଲେ l ରମେଶବାବୁ ସେ ଗୋଧି ମାଂସ କଥା ଘରେ ଆଉ କାହାକୁ କହିବା ଠିକ୍ ହେବନି ଚିନ୍ତା କଲେ l ଯଦି ପୁରୁଷ ଲୋକ ହୋଇ ଗୋଧି ମାଂସ କଥା ଶୁଣି ତାଙ୍କର ଏ ଅବସ୍ଥା ତାହେଲେ ଘରର ସ୍ତ୍ରୀଲୋକ ସେକଥା ଜାଣିଲେ ସେମାନଙ୍କର କି ଅବସ୍ଥା ନହେବ !
କିଛିସମୟ ପରେ ରମେଶବାବୁ ଧିରସ୍ଥିର ହୋଇ ବସି ପଡ଼ିଲେ l ନିଶାଡି ପୁଅ ବାବୁନା ଉପରେ ପ୍ରବଳ ରାଗ ହେଉଥିଲା l ନିଶା ସତରେ ମଣିଷକୁ କେଉଁ ସ୍ତରକୁ ନେଇଯାଇ ପାରେ ! ନିଶା ମଣିଷକୁ ସଇତାନ୍ କରିଦିଏ l ଯେତେସବୁ ଲୋମହର୍ଷକାରୀ ହତ୍ୟାକାଣ୍ଡ ଏ ସମାଜରେ ଘଟୁଛି ସେଥିରୁ ଅଧିକାଂଶରେ ନିଶାଡିମାନେ ହିଁ ଜଡିତ ଥାନ୍ତି l
ସତରେ ମଦ ନିଶାରେ ଅମଣିଷ ପାଲଟିଯାଏ ମଣିଷ l କେଉଁଠି ନିରାପତ୍ତାରକ୍ଷୀ ନିଶାପାନ ପରେ ମାଲିକାଣୀକୁ ହତ୍ୟା କଲାଣି ତ ଆଉ କେଉଁଠି ବଳାତ୍କାର ଭଳି ଦୁଃଖଦ ଘଟଣା ବି ଘଟୁଛି ସେଇ ନିଶାପାଇଁ l ବହୁତ ଯାଗାରେ ଗୃହକର୍ତ୍ତା ସବୁଦିନେ ମଦପିଇ ଆସି ସ୍ତ୍ରୀ ,ପୁଅ ,ଝିଅଙ୍କୁ ମାରଧର କରୁଛି l ଦିନ୍ ଘଟୁଥିବା ସଡକ ଦୁର୍ଘଟଣା, ଛିନତାଇ, ଚୋରି, ଡକାୟତି ସହ ମହିଳା ମାନଙ୍କ ପ୍ରତି ଅସୌଜନ୍ୟ ଆଚରଣ ଆଦି ବିଭିନ୍ନ କିସମର ଅପରାଧର ଅପରାଧିଙ୍କ ଭିତରୁ ସଂଖ୍ଯାଧିକ ହେଉଛନ୍ତି ମଦୁଆ l ପୋଲିସ୍ ନିଶାଖୋର୍ ଅପରାଧିଙ୍କ ପଛରେ ଗୋଡେଇ ଗୋଡେଇ ହାଲିଆ ହୋଇପଡୁଛି l ଆଜିକାଲି ଅପରାଧ ବୃଦ୍ଧିର ମୂଳକାରଣ ହେଉଛି ଏଇ ନିଶାର ପ୍ରସାର l ଛାତ୍ର ଠାରୁ ଆରମ୍ଭ କରି ଯୁବଗୋଷ୍ଠୀ ସମସ୍ତେ ଏବେ ନିଶାର କବଳରେ l
ଏଇ ନିକଟରେ ରମେଶବାବୁ ଖବରକାଗଜରେ ଗୋଟେ ନିଉଜ୍ ପଢି ଖୁବ୍ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ l ଏକଦମ୍ ନିଶାରେ ମସଗୁଲ୍ ହୋଇ ରତିରେ ଡ୍ୟୁଟି କରିବାକୁ ଆସୁଥିବା ରେଳ ବିଭାଗର ଏହି ମଦୁଆ ସୂଚନାପ୍ରଦାନକାରୀଙ୍କ ପାଇଁ ଯାତ୍ରୀମାନଙ୍କୁ ନାନା ଅସୁବିଧାରେ ସମ୍ମୁଖୀନ ହେବାକୁ ପଡେ l ଯେମିତିକି ଜଣେ ଯାତ୍ରୀ ହାଓ୍ୱାଡା ଟ୍ରେନ୍ ବିଷୟରେ ପଚାରିଲେ ସେ ଅଫିସର୍ ତାଙ୍କୁ ବିଳାସପୁର ଟ୍ରେନ୍ ସୂଚନା ଦେଉଥିଲେ l ଆଉ ଜଣେ ଯାତ୍ରୀ ପଚାରିଲେ ଅହମଦାବାଦ- ହାଓ୍ୱାଡା ଟ୍ରେନର ସମୟ ବିଷୟରେ l ନିଶାଡି ବାବୁ ଉତ୍ତରରେ କହିଲେ ଏମିତି ନାମରେ କୌଣସି ଟ୍ରେନ ହିଁ ନାହିଁ ବୋଲି l
କେବଳ ସହରରେ ଏ ଅବସ୍ଥା ନୁହେଁ, ଗାଁ ମାନଙ୍କରେ ମଧ୍ଯ ଅବସ୍ଥା ଅହୁରି ସଂଗୀନ l ରମେଶବାବୁ ଭାବୁଥିଲେ କେବେ ଏସବୁ ନିଶା ଦ୍ରବ୍ୟ ଦେଶରେ ବନ୍ଦ ହେବ ଆଉ ତାଙ୍କ ପୁଅ ପରି ବହୁ ଯୁବକ ଠିକ୍ ରାସ୍ତାକୁ ଆସିବେ l ସତରେ କଣ ସେଦିନ ତାଙ୍କ ଜୀବଦ୍ଦଶା ଭିତରେ ସମ୍ଭବ ହେବ ???
********************************************
ପ୍ରଶାନ୍ତ କୁମାର ବେହେରା
ଅଧ୍ଯାପକ , ରାଜନୀତି ବିଜ୍ଞାନ ବିଭାଗ,
ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,
ଜଗତସିଂହପୁର l
ଦୂରଭାଷ - ୯୪୩୭୧୩୫୯୧୬