Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଧବଳ କୃଷ୍ଣ
ଧବଳ କୃଷ୍ଣ
★★★★★

© Kanan Bala Nayak

Others

5 Minutes   1.8K    16


Content Ranking

ପିଲାଟି ସହ ମୋ ସମ୍ପର୍କକୁ କି ନାମ ଦେବି ମୁଁ ମଧ୍ଯ ଠିକ୍ ଭାବରେ ଜାଣେନି କାରଣ କିଛି ସମ୍ପର୍କକୁ ଶବ୍ଦରେ ବାଖ୍ଯା କରିବା ସମ୍ଭବ ନୁହେଁ. ତାକୁ କେବଳ ହୃଦୟର ନିଭୃତ କୋଣରୁ ଅନୁଭବ କରାଯାଏ.ତେବେ କେବଳ ଏତିକି କହି ପାରେ ପିଲାଟି ମୋ ପାଇଁ ଥିଲା ଧବଳ କୃଷ୍ଣ କାରଣ ପିଲାଟିର ରଙ୍ଗ ଥିଲା ପୁରା ଧଳା. ମୁଁ ଖୁସିରେ ତାକୁ ଡାର୍ଲିଙ୍ଗ ବୋଲି ଡାକେ.ଆଉ ସେ ମୋତେ ଗୁନ୍. (ଯଦି ଓ ଆମ ଦୁଇ ଜଣଙ୍କର ପ୍ରକୃତ ନାଁ ଅଲଗା ଥିଲା)

ମୋ ପାଟିରୁ ଡାର୍ଲିଙ୍ଗ ଡାକଟା ଶୁଣିଲେ ତାକୁ ସତେ ଯେମିତି ସ୍ବର୍ଗର ଚାନ୍ଦ ମିଳି ଯାଏ. ସିଧା ମୋ କାନ୍ଧ ଉପରକୁ ଚଢି ଯାଏ ଏବଂ ତାର କୁନି କୁନି ହାତ ଦୁଇଟିକୁ ହଲାଇ, ତା ମାଆ ଆଡକୁ ଅନାଇ ପ୍ରଶ୍ନ କରେ, ମାମା ଗୁନ୍ ସବୁଦିନ ମୋତେ ଏମିତି ଭଲ ପାଇବ ତ? ଆଉ ମୋତେ କହେ ତୁ ପଛେ ମୋତେ ଯେତେ ଗାଳି କର ମୁଁ କିନ୍ତୁ ତୋତେ ଭଲ ପାଇବି. ଗୋଟିଏ ପାଞ୍ଚବର୍ଷର ଶିଶୁ ମୁହଁରୁ ଏ ପରି କଥା ଶୁଣି ମୋ ଆଖିରେ ଅଶ୍ରୁ ଆସିଯାଏ. ମୁଁ ତାକୁ କୋଳକୁ କୋଳାଇ ନିଏ. ସେ ସବୁବେଳେ ଏଇ ସୁଯୋଗକୁ ଅପେକ୍ଷା କରିଥାଏ. ସିଧା ମୋ ଗାଲରେ ତା ଓଠକୁ ଲଗାଇ ଦିଏ, ଆଉ କହେ ଆଉ ଥରେ ଡାର୍ଲିଙ୍ଗ୍ ବୋଲି କହିଲୁ. ଆଉ ମୁଁ ପୁଣି ଥରେ ଡାର୍ଲିଙ୍ଗ୍ ବୋଲି ଡାକିଲେ ଖୁସିରେ ମୋତେ ପୁଣି କୁଣ୍ଢାଇ ଧରେ.

ପିଲାଟି ସହ ମୋର ପ୍ରଥମ ଦେଖା 2017 ନୂଆ ବର୍ଷରେ. ତା ମାଆ ମୋର ସହକର୍ମୀ ଓ ଅନ୍ତରଙ୍ଗ ସାଙ୍ଗ . ପ୍ରଥମ ଦେଖାରୁ ପିଲାଟା ମୋତେ ଏତେ ଭଲ ପାଉଥିଲା ସତେ ଯେମିତି ଜନ୍ମ ଜନ୍ମାନ୍ତର ର ସମ୍ପର୍କ.ଯେତେବେଳେ ବି ମୋତେ ଦେଖେ ସବୁ ବେଳେ ଛାଡିବା ପାଇଁ ନାରାଜ. ମୁଁ ନାନା ବାହାନା କରି ଓ ଲାଞ୍ଚଦେଇ ବାହାରେ. ପିଲାଟି ଭାରି ଗାଡି ପ୍ରେମୀ. ବିଭିନ୍ନ ପ୍ରକାର ଖେଳନା ଗାଡି ପ୍ରତି ତାର ଭାରି ଦୁର୍ବଳତା. ସବୁ ଦିନ ତାର ନୂଆ ନୂଆ ଖେଳନା ଗାଡି ଦରକାର. ତେଣୁ ବେଳେ ବେଳେ ତୋ ପାଇଁ ନୂଆ ଗାଡି ଆଣିବା ପାଇଁ ଯାଉଛି କହି ତାକୁ ଠକାଇ, ମୁଁ ଗୋଟିଏ ଭାରି ମନ ନେଇ ଘରକୁ ଫେରେ. କିନ୍ତୁ ପିଲାଟିକୁ ଠକାଇ ଆସି ଥିବାରୁ ଦିନଟା ଖାଲି ମନସ୍ତାପରେ କଟେ.

ଏବେ ବି ମୋର ମନେ ପଡେ ସେଦିନର ଘଟଣା. ସମୟ ପ୍ରାୟ ସକାଳ 8ଟା ପାଖାପାଖି ହେବ ମୁଁ ତର ତର ହୋଇ ବାହାରୁ ଥାଏ ଅଫିସ ଯିବା ପାଇଁ.ସେ ମୋତେ ଛାଡିବା ପାଇଁ ନାରାଜ. ତା ମାଆ ଯୋର କରି ତାକୁ ମୋ ଠାରୁ ଦୂରେଇ ନେଇଥିଲା କାରଣ ମୋର ଅଫିସ ଯିବାରେ ବିଳମ୍ବ ହେଉଥିଲା. ପିଲାଟି ଛାଟିପିଟି ହୋଇ ତା ମାଆ ପାଖରୁ ଖସି ଆସିଥିଲା ଏବଂ ମୋ କୋଳରେ ମୁଣ୍ଡ ରଖି ଯୋରରେ କାନ୍ଦିବାକୁ ଲାଗିଥିଲା. ମୋ ଛାତି ଭିତରଟା କଣ ହୋଇଯାଉଥିଲା. ତାକୁ ଛାଡି ଆସିବା ପାଇଁ ଜମା ରୁ ଇଚ୍ଛା ହେଉ ନଥିଲା କିନ୍ତୁ ମୁଁ ପରା ସରକାରୀ ନୀତି ନିୟମରେ ବନ୍ଧା ହୋଇଥିବା ଜଣେ ସରକାରୀ କର୍ମଚାରୀ ତେଣୁ ପିଲାଟିର ସବୁ ଅନୁରୋଧକୁ ଏଡାଇ ମୁଁ ପଞ୍ଚମ ଶ୍ରେଣୀରେ ପଢି ଥିବା ପିତୃଭକ୍ତି ବିଷୟର 'କଠୋର କର୍ତ୍ତବ୍ଯ ନିକଟରେ ପିତା, ମାତା, ଭାଇ, ଭଉଣୀ, ବନ୍ଧୁ, ପରିଜନ, ସ୍ନେହ ଓ ମମତା କାହାରି ସ୍ଥାନ ନାହିଁ' ପଦଟିକୁ ମନେ ପକାଇ ଏକମୁହାଁ ହୋଇ ଗାଡିରେ ବିସି ଯାଇଥିଲି. ପିଲାଟିର କାନ୍ଦ ଅନେକ ଦୂର ପର୍ଯ୍ୟନ୍ତ ଶୁଣାଯାଉଥାଏ . ମୁଁ ମୋ ହୃଦୟକୁ ଯେମିତି ପଥର କରି ଦେଇଥିଲି.

ଆଉ ଥରେ ସାଙ୍ଗ ହୋଇ ଗ୍ୟାଙ୍ଗଟକ ବୁଲିବା ପାଇଁ ଯାଇଥାଉ. ଜିରୋପଏଣ୍ଟ ରେ ପହଞ୍ଚି ଆମେ ସବୁ ଫୋଟୋ ଉଠାଇବା ରେ ବ୍ଯସ୍ତ ହୋଇ ଗଲୁ ହଠାତ୍ ପିଲାଟି ନିଶ୍ବାସ ନେବାରେ ଭାରି କଷ୍ଟ ଅନୁଭବ କଲା ତା ଜେଜେ ତାକୁ ଗାଡି ଭିତରକୁ ନେଇ ଗଲେ. ପିଲାଟି କିନ୍ତୁ ଏତେ କଷ୍ଟରେ ବି ଗୁନ୍ ଗୁନ୍ ଚିତ୍କାର କରୁଥାଏ ଏବଂ ମୁଁ ଯାଇ ତାକୁ କୋଳକୁ ନେବାରୁ ଚୁପ୍ ହୋଇ ଥିଲା. ଆମ ଗ୍ୟାଙ୍ଗଟକ ବୁଲିବା ଭିତରେ ତା ମାଆର ବଦଳି ଆଦେଶଟା ଆସିଯାଇଥିଲା. ସେ ଦିନ ମୁଁ ରାତି ସାରା ଭୀଷଣ କାନ୍ଦିଥିଲି ଏବଂ ମୋ ସ୍ବାମୀଙ୍କୁ ପ୍ରଶ୍ନ କରୁଥିଲି ଈଶ୍ବର ସବୁ ବେଳେ ମୋ ପ୍ରତି ଏମିତି ଅନ୍ୟାୟ କାହିଁକି କରନ୍ତି? ଜଣକୁ ମୋ ହୃଦୟର ସ୍ପନ୍ଦନ କରି ସାରିବା ପରେ ତାକୁ କାହିଁକି ମୋ ଠାରୁ ଦୂରେଇ ଦିଅନ୍ତି? ପିଲାଟି କିନ୍ତୁ ନିଶ୍ଚିତଭାବେ ମୋ ଛାତି ଉପରେ ମୁଣ୍ଡ ରଖି ଶୋଇ ଯାଇଥାଏ. ଆଉ ମୋ ସ୍ବାମୀ ମୋତେ କହୁଥାନ୍ତି ତୁ କଣ ତାକୁ ମଝିରେ ମଝିରେ ଦେଖାକରିବାକୁ ଯିବୁନି ଯେ ଏମିତି କାନ୍ଦୁଛୁ. ଭଲ ପାଇବାର ଅନ୍ୟ ନାମ ପରା ତ୍ଯାଗ. ପିଲାଟିର ଭଲ ପାଇଁ ତୋତେ ଏ ତ୍ଯାଗ କରିବା ପାଇଁ ପଡିବ.ଦିନେ ନା ଦିନେ ତ ଏ କଥା ଘଟିବାର ଥିଲା, ମୋ ସ୍ବାମୀ ଯେତେ ବୁଝାଇ ଲେ ମଧ୍ୟ ମୋ ଆଖିର ଅମାନିଆ ଅଶ୍ରୁ ଗୁଡିକ ସେ ଦିନ ମୋ ବୋଲ ମାନି ନଥିଲେ.ରାତି ସାରା ସେମିତି ଗଡିବାରେ ଲାଗିଥିଲେ.

ଛାତି ଉପରେ ପଥର ରଖି ପିଲାଟିକୁ ବିଦା ଦେଇଥିଲି ତା ମାଆ ବଦଳି ହୋଇଥିବା ନୂଆ ଯାଗାକୁ. ଯେତେ ବେଳେ ଗାଡିରେ ଆସବାବପତ୍ର ଭର୍ତ୍ତୀ ହେଉଥିଲା ପିଲାଟି ତା ମାଆକୁ ପ୍ରଶ୍ନ କରୁଥାଏ ମାମା ଆମ ଜିନିଷ ସବୁ କୁଆଡେ ଯାଉଛି? ଗୁନ୍ ଆମ ସହ ଯିବ ତ? ପିଲାଟିର ନିରୀହ ପ୍ରଶ୍ନର ଉତ୍ତର କଣ ଦେବ ଭାବି ତା ମାଆ ଆଖିରେ ମଧ୍ୟ ଅଶ୍ରୁ ଆସିଯାଇଥିଲା. ଆଉ ମୋ ପାଟିରୁ ହଠାତ୍ ବାହାରି ପଡିଥିଲା କେହି କଣ କାହା ହୃଦୟର ସ୍ପନ୍ଦନକୁ ଛାଡି ରହି ପାରେ? ମୁଁ ତୋତେ ଭେଟିବା ପାଇଁ ନିହାତି ଯିବି.

ପିଲାଟିକୁ ଦେଇଥିବା ପ୍ରତିଶ୍ରୁତି ମୁତାବକ ମୁଁ ମଝିରେ ମଝିରେ ତାକୁ ଭେଟିବା ପାଇଁ ଯାଏ ଆଉ ସବୁ ଥର ଫେରିବା ବେଳକୁ ସେ ସେଇ ଭଳି ମୋତେ କୁଣ୍ଢାଇ ଧରି କାନ୍ଦେ ଓ ମୁଁ ତାକୁ ମିଥ୍ଯା ପ୍ରତିଶ୍ରୁତି ଦେଇ ତୋ ପାଇଁ ଗାଡି ଆଣିବା ପାଇଁ ଯାଉଛି କହି ଘରକୁ ଫେରେ. ବେଳେ ବେଳେ ପିଲାଟି କହେ ମୋର ଗାଡି ଦରକାର ନାହିଁ ମୋର ଗୁନ୍ ଦରକାର ଆଉ ଯୋରରେ କାନ୍ଦେ. କେବେ କେବେ ଯଦି ମୋର ଯିବାରେ ବିଳମ୍ବ ହୁଏ ସେ ତା ମାଆକୁ ପ୍ରଶ୍ନ କରେ ମାମା ଗୁନ୍ ର କଣ ମୋ କଥା ମନେ ପଡୁନି କି?କାହିଁ ସେତ ମୋତେ ଦେଖା କରିବାକୁ ଆସୁନି. ସେ ଭାରି ଦୁଷ୍ଟ ହୋଇ ଗଲାଣି ତାକୁ ଜେଲ୍ ରେ ପୁରାଇ ଦେବା. ଥରେ ପୋଲିସ ଅଙ୍କଲଙ୍କ ଠୁ ମାଡ ଖାଇଲେ ମୋତେ ଆଉ ଠକିବନି.ତା କଥା ଶୁଣି ତା ମାଆ ହସି ହସି କହେ ହେଉ ତୋ ଗୁନ୍ ଏଥର ଆସୁ ତାକୁ ଜେଲ୍ ରେ ପୁରାଇ ଦେବୁ.

ଏ ଥର କିନ୍ତୁ ପିଲାଟି ଏମିତି ଏକ କାମ କଲା ଯାହା ମୋ ହୃଦୟଟାକୁ ଖଣ୍ଡ ଖଣ୍ଡ କରି ରଖି ଦେଇଥିଲା. ସେ ଦିନ ତା ମାଉସୀ ଘରେ ତା ସହ ଦେଖା ହେଲା. ମୁଁ ତା ସହ ତାଙ୍କ ଘରକୁ ଯିବା ପାଇଁ ଜିଦି କଲା. ମୁଁ କହିଲି ତୁ ତ ବାବାଙ୍କ ସହ ଆଗେ ଚାଲ ମୁଁ ପରେ ତୋ ମାମା ସହିତ ଯିବି. ମୋ କଥା ଶୁଣି ପିଲା ଟି ତା ବାପାଙ୍କୁ କୁଣ୍ଢାଇ ଧରି ଯୋରରେ କାନ୍ଦିଲା ଆଉ ମୋ ଆଡକୁ ଅନାଇ କାନ୍ଦି କାନ୍ଦି କହୁଥିଲା ତୁ ଭାରି ମିଛୁଆ. ସବୁ ବେଳେ ମୋତେ ମିଛ କହୁଛୁ. ସବୁ ଦିନ ଆସିବୁ ଆସିବୁ କହୁଛୁ ଅଥଚ ଆସୁନୁ. ସେଦିନ ମଧ୍ୟ କହିଥିଲୁ ଚାରି ଟା ବେଳେ ଆସିବୁ ଆଉ ମୋତେ ଦୋସା ଖୁଆଇବା ପାଇଁ ନେବୁ କିନ୍ତୁ ଆସି ନଥିଲୁ. ତୁ ଏତେ ବଡ ହେଲୁଣି କିନ୍ତୁ ଏତିକି ଜାଣିନୁ ଛୋଟ ପିଲାଙ୍କୁ ମିଛ କୁହନ୍ତି ନାହିଁ ବୋଲି.ତୁ ମୋତେ ମିଛରେ ଧବଳ କୃଷ୍ଣ ବୋଲି କହୁ, ଡାର୍ଲିଙ୍ଗ୍ ବୋଲି ଡାକୁ. ମୁଁ ତୋର ଧବଳ କୃଷ୍ଣ କି ଡାର୍ଲିଙ୍ଗ୍ ଫାର୍ଲିଙ୍ଗ୍ କିଛି ନୁହଁ. କି ତୁ ମୋର ଗୁନ୍ ନୁହଁ. ମୁଁ ଯଦି ତୋର ଧବଳ କୃଷ୍ଣ ହୋଇ ଥାଆନ୍ତି କି ତୁ ମୋର ଗୁନ୍ ହୋଇଥାନ୍ତୁ, ଏମିତି ମୋତେ ବାରମ୍ବାର ମିଛ କହି ଠକି ଦିଅନ୍ତୁ.ତୁ ମୋତେ ଜମାରୁ ଭଲ ପାଉନି. କଣ ଉତ୍ତର ଦେବି ଭାବିବା ପୂର୍ବରୁ ମୋ ଧବଳ କୃଷ୍ଣ ତା ବାପାଙ୍କୁ ସେମିତି କୁଣ୍ଢାଇ ଧରି କାନ୍ଦି କାନ୍ଦି ଆଗକୁ ଆଗେଇ ଯାଇଥିଲା.ମୁଁ ଅବାକ୍ ହୋଇ ତା ଯିବା ରାସ୍ତାକୁ ଅନାଇ ରହିଥିଲି .

ଆଉ ସେ ଦିନ ମଧ୍ୟ ମୁଁ ତାଙ୍କ ଘରକୁ ନଯାଇ ନିଜ ଘରକୁ ଫେରି ଆସିଥିଲି. କର୍ତ୍ତବ୍ୟ ସମ୍ପାଦନା ପାଇଁ ହେଉ କିମ୍ବା କିଛି ବିବଶତା ପାଇଁ ହେଉ, ପଳାଇ ସିନା ଆସିଲି କିନ୍ତୁ ରାତି ସାରା ଶୋଇ ପାରିଲି ନାହିଁ କାରଣ ଆଜି ମଧ୍ୟ ପିଲାଟିର ଭାବନାକୁ ମୁଁ କୁଠାର ଘାତ କରିଥିଲି. ତା ବିଶ୍ବାସରେ ବିଷ ଦେଇ ଥିଲି.ଆଉ ନିଜକୁ ନିଜେ ଧିକ୍କାର କରି କହୁଥିଲି ମୋ ଧବଳ କୃଷ୍ଣ, ମୋ ଡାର୍ଲିଙ୍ଗ୍ ସତରେ ମୁଁ ତୋ ଗୁନ୍ ହେବାର ଯୋଗ୍ଯ ନୁହେଁ. ମୁଁ କେବଳ ତୋତେ ବାରମ୍ବାର ମିଛ କହୁ ଥିବା ଗୋଟେ ମିଛୁଆ.

ସମ୍ପର୍କ ସହକର୍ମୀ ବିଳମ୍ବ

Rate the content


Originality
Flow
Language
Cover design

Comments

Post

Some text some message..