ନର୍କକୁ ଯାତ୍ରା
ନର୍କକୁ ଯାତ୍ରା
{୧}
କହି ତ ଦେଲି, ହେଲେ ....!!! ଅଜଣା ପୁଣି ଅଚିହ୍ନା ସହର । ତା’ ବାଆଦେ ଗୋଟେ ଝିଅ ପଛରେବସି ଯିବାଟା କେତେ ଦୂର ସୁରକ୍ଷିତ ସେଇକଥା ହିଁ ଭାବୁଥିଲି । ଅନବରତ ମଥାରୁ ଝାଳ ବାହାରିବା ପାଇଁ ଦୋଷ କାହାକୁ ଦେବି ?
- ନଚାହିଁଲେ ବି ରାଜରାସ୍ତାର ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା (ହମ୍ପ୍ସ) , ଯିଏ ବାଧ୍ୟ କରୁଥିଲା ମୋତେ ସୌମ୍ୟା ଆଡକୁ ଆଉଟିକେ ଲାଗିଯାଇ ସୌମ୍ୟା ଆଖିରେ ନିଜକୁ ଅଭଦ୍ର ବୋଲାଇବା ପାଇଁ ?
- ଦ୍ଵିପ୍ରହରର ଗରମ ପବନ ଯିଏ ଦେହମୁଣ୍ଡ ଛୁଇଁ କହୁଥିଲା, ଆ’...! ଫଗୁଣ ରଙ୍ଗରେ ଟିକିଏ ଓଦା ହେଇ ଯା’ ?
- ପ୍ରଥମ କରି ସୌମ୍ୟାକୁ ଭେଟିଥିଲି ସେଦିନ, ଆଉ କି ପାପ କରିଥିଲି କି ? ସିଧା ସେ ଗାଡି ଗଡଉଛି ନର୍କକୁ ?
ଥମଥମ ହେଇ ପଚାରିଲି,
- ଆମେ କୁଆଡେ ଯାଉଛେ ସୌମ୍ୟ ?
- ନର୍କ । କାଇଁ, ଡର ମାଡୁଛି ? ( ସତ କେମିତି କହିବି ଯେ ତାକୁ ! ମୁଁ ଦ୍ଵନ୍ଦ୍ଵର ଦୋଛକିରେ ବୋଲି ? ଡରର ପ୍ରକାରକୁ ଚିହ୍ନିବି ନା ତୁମକୁ ଏତେ ପାଖରେ ପାଇ କେବଳ ଅନୁଭବିବି ? )
{୨}
ଡାହାଣ-ବାମ, ବାମ-ଡାହାଣ ସରସର ସାପ ଭଳି ସ୍କୁଟର ଚଲଉଥାଏ ସୌମ୍ୟା । ଆଉ ମୁଁ ? ଉଡୁଥିବା ତା’ ସାମ୍ପୁକରା ବାଳରେ ଛନ୍ଦୁଥାଏ ନିଜକୁ । ଆଖି ବନ୍ଦ କରିଥାଏ । ଡରର ସଠିକ୍ କାରଣ ଆବିଷ୍କାର ନ କରିପାରିବା ଭୟରେ କି ନର୍କ ଦେଖିବାର ପ୍ରବଳ ଉତ୍ତେଜନାରେ, ସେକଥା କହିପାରିବିନି । ଅନେକ ଘେରା ଖାଇସାରିଲା ପରେ ବ୍ରେକ ଲାଗିଲା ସୌମ୍ୟାର ଗାଡିରେ ଓ ନିସନ୍ଦେହ ପୂର୍ଣଚ୍ଛେଦ ମୋ ପ୍ରତୀକ୍ଷାରେ ।
-ଆରେ ପହଞ୍ଚିଗଲେ ? ଆଖି ଖୋଲିଲି ତ ଆଖି ପଡିଲା “ନର୍କାନ୍ଦ ଭବନ“ ର ବଡ ହୋଡିଙ୍ଗ ଉପରେ ।
- ଓହ୍ଲେଇବନି କି ?
-ହଁ, କହି ଓହ୍ଲେଇଲି ସିନା କିନ୍ତୁ ସେତେବେଳକୁ ଆଖି ସାଙ୍ଗରେ ପାଟିଟା ବି ମୋର ମେଲା ହେଇସାରିଥାଏ ।
ସୁରମ୍ୟ ଅଟ୍ଟାଳିକା । ମନିପ୍ଲାଣ୍ଟ୍ ଗଛର ପତ୍ରମାନେ ଲଟେଇ ହେଇଛନ୍ତି ସେଇ ଦୋ’ତାଲା କୋଠାରେ । ବାହାରକୁ ଖୁବ ସୁନ୍ଦର ଦିଶୁଥିଲା । ପାଖକୁ ଲାଗି ଫୁଲ ବାଗନା । ନାନା ଫୁଲମାନେ ହସୁଥାନ୍ତି ଆମ ସ୍ଵାଗତରେ । ଖୁସିରେ ମନ ଦ୍ଵିତୀୟ ଲ’, ଆଇ ମିନ୍ ପ୍ରଫୁଲ୍ଲ ହେଇଉଠୁଥାଏ । ସତରେ କ’ଣ ସୌମ୍ୟା .... ? ସୌମ୍ୟା ବି ଗାଡି ରଖି ମୋ ଆଡେ ଚାହିଁଲା ଓ ସ୍ମିତ ହସିଲା । ଇସାରା କଲା କି ଆଉ ତା’ ପଛେପଛେ ଅନୁଧାବନ କରି ବନ୍ଦ୍ କମ୍ରାର ବେଡ୍ ଯାଏଁ ଯିବା ପାଇଁ, ଉନ୍ମାଦନାର ମୋ ଅନ୍ତିମ ଝାଳବୁନ୍ଦାକୁ ତା’ ଦେହରେ ଥାପିଦେବା ପାଇଁ ?
{୩}
- ସୌମ୍ୟାଦି ସୌମ୍ୟାଦି ସୌମ୍ୟାଦି !!! (କୁଆଡୁ କେଜାଣି ଦୌଡିଆସି ଘେରିଗଲେ ପଲେ କୁନି କୁନି ଛୁଆ, ମୋ ସୌମ୍ୟାକୁ । )
ମୋ ନିରବତାକୁ ଭାଙ୍ଗି ସୌମ୍ୟା କହିଲା,
- ଏମାନେ କିଏ ଜାଣ ? ଗୋଟିଏ ଗୋଟିଏ ନର୍କ ! ଏ ସୁନ୍ଦର ଘର ହେଉଛି ଏମାନଙ୍କ ପାଇଁ ନର୍କପୁର । ଏମାନେ ସମାଜରୁ ବିତାଡିତ, ସାମାଜିକ ଜୀବନରୁ ପରିତ୍ୟକ୍ତ ଆଉ ପୂଣ୍ୟ କରିବା ପୂର୍ବରୁ ହିଁ ପାପରେ ଗ୍ରାସିତ । ବୁଝିବାକୁ ମୋତେ ଆଉ ବାକିନଥିଲା ଯେ ସେଇଟା ଗୋଟେ ଅରଫାନ୍ ହାଉସ୍ ।
ମୁଁ ପୁଣି ରୁମାଲ କାଢି ମୁହଁ ପୋଛିଲି । ଏବେଳେ ସୌମ୍ୟାକୁ ଦେଖିଲାବେଳେ, ମୋ ଆଖିରେ ନଥିଲା ସେ କ୍ରମାନୟ ଲୋଲୁପତା, କାମୁକତା ଓ ପ୍ରେମ ଆଢୁଆଳେ ଭୋଗିବାର ସେ ରୁଗ୍ ଣ ମାନସିକତା । ମୋ ଅନୁମାନକୁ ଶକ୍ତ ଚାପୁଡା ମାରି ମୋ ଦେହର ଝାଳ ବିନ୍ଦୁମାନଙ୍କୁ ଆଖିର ଲୁହବିନ୍ଦୁରେ ବଦଳାଇ ସାରିଥିଲା ସେ ସାଧାସିଧା ଦେଖାଯାଉଥିବା ଅସାଧା ଝିଅଟା ।
{୪}
ନାରୀ ହେଉ କି ପୁରୁଷ, ଆଦିମତା କଉଠି ଲୁଚିନଥାଏ ? ମାନୁଛି, ଉଚ୍ଚ ଶିକ୍ଷା, ପାରିବାରିକ ଦିକ୍ଷା ଓ ବିବେକର ପରୀକ୍ଷା ଅନେକ ମାତ୍ରାରେ ମଣିଷକୁ ଅଟକାଏ ପାପ କରିବାରୁ, ଆଗାମୀ ନର୍କଯାତ୍ରାରୁ । ହେଲେ ସୌମ୍ୟା...? ମୋତେ ଆଜି ଏମିତି ଏକ ନର୍କକୁ ଭେଟିଦେବ ବୋଲି ମୁଁ କଲ୍ପନା ବି କରିଥିଲି କେବେ । ମୋତେ ଭାବୁକ ହେବାକୁ ନଦେଇ ସୌମ୍ୟା କହିଲା,
-କ’ଣ ଖୁସି ନୁହେଁ ତମେ, ମୋ ସାଙ୍ଗରେ ଏ ନର୍କକୁ ଆସି ? (ଏଥର ସୌମ୍ୟା ହସିଲା, ଆଦିମଙ୍କ ଭଳି ।)
ମୁଁ ଯୋଡିଲି,
-ଏତେ ମିଠା ତମେ କେମିତି ସୌମ୍ୟା ?
ମୁଁ ଦେଇଥିବା ଚକଲେଟ୍ ଡବାଟା ସେ ଛୁଆଙ୍କ ହାତକୁ ବଢାଇ ଦେଇ କହିଲା,
-ଧେତ୍ ! ମିଠା ତ ତମ ଚାହାଣି ! (ଏବେଳେ ନର୍କ ଭୋଗିବାକୁ ଭାରି ଇଚ୍ଛା ହେଲା ।)