ଭୟ
ଭୟ
ଡାଇନିଂ ରୁମର ପରଦା ଆଡେଇ ଦେଖିଲା ଅନିମେଷ.. ବାହାରେ ଏବେ ବି ଝିପି ଝିପି ବର୍ଷା ପଡୁଛି.. ପରଦା ଖୋଲିବା ସଂଗେ ସଂଗେ ଦଲକାଏ ଥଣ୍ଡା ପବନ ପଶି ଆସିଲା।
- "କାହିଁକି ପାଗଳାମି କରୁଚୁ କହିଲୁ. ଆଜି ଗୋଟେ ରାତି ରହି ଗଲେ କ’ଣ ମହାଭାରତ ଅଶୁଦ୍ଧ ହେଇଯିବ.. ?" କହିଲା ମାନସ।
- ବର୍ଷା ଟିକେ କମିଛି ବୁଝିଲୁ। ଏବେ ବାହାରିଲେ ଚାଲି ଯାଇ ପାରିବି, କିଏ ଜାଣେ ୟା ପରେ ପୁଣି ଯଦି ବର୍ଷାର ଗତି ବଢ଼ିଲା!
- ହଁ ବଢିଲେ ବଢିବ. ଚୁପ୍ ଚାପ ବସିଲୁ ତୁ.. ଆଜି ରାତିରେ ଏଇଠି ରହି ଯା.. ମୁଁ ମାଉସୀଙ୍କୁ ଫୋନ କରି କହି ଦେଉଛି ତୁ ଆଜି ଏଇଠି ରହୁଛୁ।
- ନାଇଁ ରେ... ମୋତେ ଆଜି ଯିବାକୁ ପଡିବ. ଏମିତିରେ ତ ଘରେ ସମସ୍ତେ ସାଙ୍ଗ ହୋଇ ଖାଇବାର ସୁଯୋଗ ମିଳେନି.. ତୁ ତ ଜାଣୁ ମୁଁ ମାସରେ ଦୁଇ ମାସରେ ଥରେ ଘରକୁ ଆସେ..ଇଅର ଏଣ୍ଡିଙ୍ଗ ଚାପରେ ଗତ ମାସ ଆସି ପାରିନଥିଲି..ମା’ ଭାରି ମନ ଦୁଃଖ କରୁଥିଲା.. ବାବା, ମା ମୋ ଲାଗି ଅପେକ୍ଷା କରି ବସି ଥିବେ ସାଙ୍ଗରେ ଖାଇବାକୁ।
- "ହଁ, ମଉସା ମାଉସୀଙ୍କ ଗେଲ୍ହା ପୁଅ ତୁ. ଆମେ କିଏ.. ଆମର କଣ ବା ଅଧିକାର ଅଛି କହ.." ଅଭିମାନ ଭରା ସ୍ୱରରେ କହିଲା ମାନସ ।
- "ମାନସ ଯେତେବେଳେ ଏତେକରି ମନାକରୁଛି ଆଜି ରାତିଟା ରହି ଯାଅ ପୁଅ । ମୁଁ ଫୋନ କରି କହି ଦଉଚି ଘରକୁ" ମାଉସୀ ହାତରେ ଗରମ ପକୋଡା ଆଉ ଚାହା ନେଇ ଘରକୁ ପଶୁ ପଶୁ କହିଲେ । ମାନସ ଆଉ ମାଉସୀ ଦୁହେଁ ଅନିମେଷକୁ ବହୁତ ଭଲ ପାଆନ୍ତି। ମାଉସୀ ନିଜ ପୁଅ ପରି ସ୍ନେହ କରନ୍ତି ତାକୁ... ଖୁବ ସ୍ନେହୀ ମଣିଷ।
- ମାଉସୀ, ମୋତେ ପୁଣି କାଲି ସକାଳୁ ବାହାରିବାକୁ ପଡିବ... ଆଜି ରାତିରେ ବ୍ୟାଗ ପତ୍ର ଗୋଛେଇବାକୁ ହବ...କାଲି ସକାଳୁ ସମୟ ମିଳିବନି ।
- "ଦେଖ୍ ବାହାନା କରନି... ତୁ ଯଦି ନିଷ୍ପତି ନେଇ ସାରିଚୁ ଯିବାକୁ ଯା... ମୁଁ ତୋତେ ଆଉ ମନା କରିବିନି... ହେଲେ ଏମିତି ବର୍ଷା ଝଡିରେ ସାପ ବେଙ୍ଗ ଘରୁ ବାହାରୁ ନାହାନ୍ତି... ତୁ କିନ୍ତୁ ଜିଦ ଧରି ବସିଛୁ... ଠିକ ଅଛି ଯା. ମୁଁ ଆଉ ମନା କରିବିନି " କହି ମୁହଁ ବୁଲେଇ ବସିଲା ମାନସ. ଏଥର ଅଭିମାନଟା ହାଲ୍କା ରାଗରେ ପରିଣତ ହେଇ ସାରିଥିଲା ।
-ଆରେ ରାଗନି... ମୁଁ ପର ଥର ଆସିଲେ ପକ୍କା ଗୋଟେ ଦିନ ଗୋଟେ ରାତି ଏଠି ରହିବି କଥା ଦେଲି ।
- ନା ତୋର ରହିବା ଦରକାର ନାହିଁ ।
- "ଝିଅ ପିଲାଙ୍କ ପରି ମୁହଁ ଫୁଲେଇ ବସି ନରହି ବାଇକଟା' ବାହାର କର I ଚାଲ ମୋତେ ଷ୍ଟେସନ ରେ ଛାଡି ଦେଇ ଆସିବୁ ଚାଲ।" ମାନସ ଗାଲକୁ ଟିପି ହସି ହସି କହିଲା ଅନିମେଷ ।
X X X X X X X
ଏତେ ଡେରି ହୋଇଯିବ ଭାବି ନଥିଲା ଅନିମେଷ। ଯାନ୍ତ୍ରିକ ତୃଟି କାରଣରୁ, ଟ୍ରେନ୍ ପ୍ରାୟ ଘଣ୍ଟାଏ ବିଳମ୍ବରେ ଆସିଲା ।ଝଡ଼ି ବର୍ଷା ପାଇଁ ଟ୍ରେନ ଧିରମନ୍ଥର ଗତିରେ ଯେତେବେଳେ ବାଉଦପୁର ଷ୍ଟେସନରେ ପହଞ୍ଚିଲା ସେତେବେଳକୁ ରାତି ୧୦:୪୫। ସଠିକ୍ ସମୟରେ ଆସିଥିଲେ ୯ଟା ସୁଦ୍ଧା ଘରେ ପହଞ୍ଚି ପାରି ଥାଆନ୍ତା । ଟ୍ରେନରୁ ବାହାରି ଆସିଲା ଅନିମେଷ । ଚାରି ଆଡେ ଖାଁ ଖାଁ ଲାଗୁଚି । ଷ୍ଟେସନରେ ଆଉ କେହି ଜନ ମନୁଷ୍ୟ ନାହାନ୍ତି ତା ଛଡା । ଗୋଟେ କୁଆ କୋଇଲି ପର୍ଯ୍ୟନ୍ତ ନାହିଁ। ଏମିତି ବି ବାଉଦପୁର, ଭଦ୍ରକ ଆଉ ଯାଜପୁର ମଝିରେ ଗୋଟେ ଛୋଟ ଲୋକାଲ ଷ୍ଟେସନ । କେବଳ ପାସେଞ୍ଜର ଟ୍ରେନ ହିଁ ରୁହେ ଏଠି। ଏମିତି ଏକ ବର୍ଷା ଝଡି ରାତିରେ ଆଉ କୌଣସି ସହଯାତ୍ରୀ ଆଶା କରିବା ବୃଥା। ଷ୍ଟେସନ ବାହାରେ ମିଞ୍ଜି ମିଞ୍ଜି ଜଳୁଥିଲା ନିତିଆ ଚାହା ଦୋକାନ ରେ ଲଣ୍ଠନ। ବୋଧେ ଲୋଡ଼ ଶେଡ଼ିଙ୍ଗ ! ବର୍ଷା ଝଡିରେ ଲୋଡ଼ ଶେଡ଼ିଙ୍ଗ କିଛି ନୂଆ ନୁହେଁ ପକେଟରୁ ମୋବାଇଲ କାଢି ଟର୍ଚ୍ଚଟା ଅନ କରି ଧୀରେ ଧୀରେ ଆଗକୁ ପାଦ ପକେଇଲା ସନ୍ତର୍ପଣରେ। ରାସ୍ତାର ଯାହା ଅବସ୍ଥା ଟିକେ ସାବଧାନରେ ନ ଚାଲିଲେ କଚଡ଼ା ଖାଇ କମର ହାଡ ଭାଙ୍ଗି ଯିବ। ଅନ୍ୟଦିନ ହୋଇଥିଲେ ଜୁଳିଆକୁ ଫୋନ୍ କରି ବାଇକ୍ ନେଇ ଆସିବାକୁ କହିଥାନ୍ତା। କିନ୍ତୁ ସେ ବି ନାହିଁ, ତାର କୋଉ ସାଙ୍ଗର ମା କଟକ ବଡ ଡାକ୍ତରଖାନା ରେ ଆଡମିଟେଡ଼, ୨-୩ ହେଲା ସେଠି ଅଛି ସେ। କି ଯୋଗରେ ଘରୁ ଗୋଡ କାଢ଼ି ଥିଲା।
ଷ୍ଟେସନରୁ ଘର ଯାଏଁ ରାସ୍ତା ଦୁଇ ମାଇଲ ହବ । ୧୫-୨୦ ମିନିଟର ଚଲା ପଥ। ବାଉଦପୁର ଗାଁ ମୁଣ୍ଡ ଝଂକା ବରଗଛଟା ପରେ ପୋଖରୀ, ପୋଖରୀ ହୁଡ଼, ପରେ ମଶାଣିପଦା, ମଶାଣିପଦା ପରେ ସାଳନ୍ଦୀ କାଠପୋଲ.. ତା ପରେ ଚଇତା ପାନ ଦୋକାନ I ସେଠୁ ପାଞ୍ଚ ମିନିଟ ଲାଗିବ ଘର। ମଶାଣି ପଦା କଥା ମନକୁ ଆସିବା କ୍ଷଣି ଛାତି ଭିତରଟା କେମିତି କମ୍ପିଉଠିଲା ଅନିମେଷର। ଆଗରୁ ମଶାଣିପଦା ବାବଦରେ ଅନେକ କିଛି ଶୁଣିଚି । ଲୋକେ କୁହନ୍ତି ଗଲା ବର୍ଷ ହରି ଗୁଡ଼ିଆ ହାଟ ସାରି ଏମିତି ଗୋଟେ ବର୍ଷା ରାତିରେ ଫେରୁଥିଲା ବେଳେ ଏଇ ମଶାଣିପଦା ପାଖରେ କୁଆଡେ ବ୍ରହ୍ମ ରାକ୍ଷସ ସହ ମୁହଁI ମୁହିଁ ହେIଇ ଥିଲା। ୬ ଫୁଟିଆ ହରି ଗୁଡ଼ିଆର ଛେନା, ଘିଅ ଖିଆ ବଳିଷ୍ଟ ହୃଷ୍ଟ ପୃଷ୍ଟ ଚେହେରା । ପରଦିନ ସକାଳେ ହରିଗୁଡ଼ିଆର ଟାଆଁସିଆ ଦେହଟା ପଡିଥିଲା ମଶାଣିପଦା ପାଖ ରାସ୍ତାରେ। ଆଖ ପାଖ ମାଟି ଦଶହାତ ପ୍ରମାଣେ ଘାଂଟି ହେଇଯାଇଥିଲା। ହେଲେ, କିଛିଲୋକ କୁହନ୍ତି ଏକା ସଂଗେ ୬ଟା ମୋଦକ ଖାଇ ସହିନପାରି ଛାଟିପିଟି ହୋଇ ପ୍ରାଣବାୟୁ ଉଡିଯାଇଥିଲା ତାର.. ହଁ ବା' ସେୟା ହୋଇ ଥିବ.. ଭୁତ-ପ୍ରେତ ସବୁ ବେକାର କଥା। ନିଜମନକୁ ବୁଝାଉଥିଲା ଅନିମେଷ.. ଏମିତି ଭାବୁ ଭାବୁ ପୋଖରୀ ହୁଡ଼ା ପାର ହୋଇ ସାରିଥିଲା.. ୟା ପରେ କିଛିଟା ଲାଲ୍ ମାଟି ରାସ୍ତା, ଠାଏ ଠାଏ ମୋରମ୍ ଧୋଇ ଯାଇଛି.. ୟା ପରେ ମଶାଣି.. ମଶାଣି ପାରିହେଲେ ପିଚୁ ରାସ୍ତା । ପିଚୁ ରାସ୍ତା ଛୁଇଁଲେ ଆଉ ଡର ନାହିଁ.. ନିଜକୁ ଯେତେ ବୁଝେଇଲେ ବି, ପାଖ ଆଖରେ ସାମାନ୍ୟ ଶବ୍ଦରେ ବି ଛାତି ଭିତରଟା ଛମ ଛମ କରୁଥିଲା। ସେତେ ବେଳକୁ ବର୍ଷାଟା କିଛିଟା ଛାଡି ଯାଇଥିଲା। ଆକାଶରେ ହାଲ୍କା ମେଘ ଆଉ ଥାଳି ପରି ଜହ୍ନ, ସତେ ଯେମିତି ଲୁଚକାଳି ଖେଳୁଛନ୍ତି। କେତେ ବେଳେ ମେଘ ଢାଙ୍କି ଦଉଚି ଜହ୍ନକୁ ଆଉ ମେଘ ତଳୁ ନିଜକୁ ମୁକ୍ତ କରି ହସି ଉଠୁଛି ଜହ୍ନ। ଆଜି ବୋଧେ ପୂର୍ଣ୍ଣିମା ପୁନେଇଁ ଜହ୍ନ ଆଲୁଅ ର କିଛିଟା ପରିଷ୍କାର ଦିଶୁଛି। ଦୂର ପୋଖରୀ ହୁଡ଼ାରେ ଖଜୁରୀ ଗଛ ଗୁଡା ଛିଡା ହେଇଛନ୍ତି ଦୈତ୍ୟ ପରି.. ପବନରେ ଝୁଲୁଛି ଖଜୁରୀ ଗଛର ବାହୁଙ୍ଗା। ସତେଅବା କେଉଁ ବ୍ରହ୍ମ ରାକ୍ଷସ ଦୁଇ ହାତ ହଲେଇ ତା'କୁ ପାଖକୁ ଡାକୁଛି।
ଧେତ.. କ’ଣ ସବୁ ଫାଲତୁ କଥା ଭାବୁଛି ସେ । ନିଜ ଉପରେ ମନେ ମନେ ଭୀଷଣ ରାଗ ହେଉଛି ତାର.. ଏତେ କରି କହୁଥିଲେ ମାଉସୀ ଓ ମାନସ ରହିଯିବା ପାଇଁ ରାତିଟା.. କାହିଁକି ଯେ ଶୁଣିଲାନି ସେ।
ହଠାତ ଚମକି ଛିଡା ହେଲା ଅନିମେଷ କିଛି ଦୂରରେ ଠିକ ତା ପଛେ ପଛେ ସଫେଦ ଶାଢ଼ୀ ପିନ୍ଧି କିଏ ଚାଲୁଚି ଯେମିତି.. ଅନିମେଷର ମେରୁଦଣ୍ଡ ଦେଇ ଗୋଟେ ଥଣ୍ଡା ରକ୍ତ ସ୍ରୋତ ବହି ଗଲା.. ତା ହେଲେ ସେ ଯାହା ଶୁଣିଥିଲା ସବୁ ସତ.. ଆଉ ଆଗକୁ ପାଦ ବଢ଼ୁ ନଥିଲା ଅନିମେଷର। ଯେମିତି କୌଣସି ଚୁମ୍ବକୀୟ ଶକ୍ତି ତା'ପାଦକୁ ବାନ୍ଧି ରଖିଛି । ସବୁ ଆଖିର ଭୁଲ, ମନର ଭ୍ରମ..। ଭୁଲ ଭାଲ କଥା ଭାବି ଏ ସବୁ ମନକୁ ଆସୁଛି.. କିଛି ନୁହେଁ.. ଆଖି ବୁଝି କିଛି ସମୟ ନିଜକୁ ସାନ୍ତ୍ୱନା ଦେବାକୁ ଚେଷ୍ଟା କଲା । ତାପରେ ନିଜର ସମସ୍ତ ଶକ୍ତି ପ୍ରୟୋଗ କରି ଦୌଡିବାକୁ ଆରମ୍ଭ କଲା । କେଇ ପାଦ ଦଉଡ଼ି କାଦୁଅରେ ଗୋଡ଼ ଖସି ଭାରସାମ୍ଯ ହରାଇ ରାସ୍ତା କଡ଼ରେ ଲାଲ୍ ମାଟି ମୋରମ୍ ଉପରେ ମୁହଁ ମାଡି କଚାଡ଼ି ପଡିଲା । ସବୁ କିଛି ଅନ୍ଧାର ଦିଶୁଥିଲା.. ଆଖି ବୁଜି ହୋଇ ଆସୁଛି.. ଦେହ ହାତ ଶିଥିଳ ହୋଇ ଯାଉଛି.. ଉଠି ବସିବାର ସମସ୍ତ ଶକ୍ତି ହରାଇ ବସିଛି ।
କିଛି ସମୟ ମୁହଁ ମାଡ଼ି ପଡ଼ି ରହିଲା ପରେ ଧିରେ ଧିରେ ଉଠିବାକୁ ଚେଷ୍ଟା କଲା ଅନିମେଷ । ହାଲ୍କା ଆକାଶିଆ ରଙ୍ଗର ସାର୍ଟଟା ଲାଲ୍ ପାଣି ଆଉ କାଦୁଅରେ ଘାଣ୍ଟି ହୋଇ ବିବର୍ଣ୍ଣ । ଇସ୍ ନୁଆ ସାର୍ଟଟା.. ଥରେ ଦୁଇ ଥର ପିନ୍ଧା ହୋଇଛି.. ଜିନ୍ସ ପ୍ଯାଣ୍ଟଟା ଟିକେ ଟିକେ ଛିଡ଼ିଚି.. ଉଠି ଛିଡ଼ା ହେଲା ଅନିମେଷ।
ଆରେ ଅଦଭୁତ, ଶ୍ଵେତ ବସ୍ତ୍ର ପରିହିତା ଛାୟା ମୂର୍ତ୍ତି ତାକୁ ଅତିକ୍ରମ କରି ଏବେ ତା ଆଗେ ଆଗେ ଚାଲୁଅଛି। ହାତରେ ବୋଧ ହୁଏ ବ୍ୟାଗ୍.. କାଖରେ ୟେ କ’ଣ, ପାଛିଆ ପରି ଲାଗୁଛି.. ୟେ ପକ୍କା ଭୁତ ପ୍ରେତ ନୁହଁ.. ଭୂତ ପ୍ରେତ କୋଉ ଦୁନିଆରେ ବଜାର ହାଟ କରନ୍ତି। ପାଦର ଗତି ବଢ଼େଇ ଛାୟା ମୂର୍ତ୍ତିର ଖୁବ୍ ନିକଟରେ ଯାଇ ମନେ ମନେ ହସି ଉଠିଲା ଅନିମେଷ.. ୟେ ତ ନରିଆ ମା’... ଗାଁ ଗାଁ ବୁଲି ମାଛ ବିକେ। ୟାକୁ ଦେଖି ସେ ଭୟ ପାଇ ପଡ଼ି ଉଠି ଧାଉଁଥିଲା !! ଯାହା ବି ହେଉ ଏମିତି ଭୟାନକ ରାତିରେ ଜଣେ ସହଯାତ୍ରୀ ମିଳିଛି ସେତକ ଯଥେଷ୍ଟ । ଅନିମେଷ ଚୁପ୍ ଚାପ୍ କେହି ନ ବୁଝି ପାରିବା ଭଳି ପାଦ ପକେଇ ଚାଲିଛି । କିଏ ଯାଣେ ଯଦି ନରିଆ ମା’ ତାର ୟେ କିମ୍ଭୁତ କିମ୍ଭାକାର ରୂପ ଦେଖି ଡରି ହାଉଳି ଖାଏ । ମନେ ମନେ ହସି ଉଠିଲା ଅନିମେଷ, ତାକୁ ପରା ଅନ୍ଧାରକଣା.. ସଂଜ ନଇଁଲେ ଆଖିକୁ କମ୍ ଦିଶେ । ତଥାପି ବର୍ଷା ଭିଜା ରାସ୍ତାରେ ପାଦର ଚପର ଚପର ଶବ୍ଦ ଶୁଣି ଯଦି ଭୟ ପାଏ ।
ମାଟି ରାସ୍ତା ଛାଡି ପିଚୁ ରାସ୍ତାକୁ ଉଠିଲା.. ୟା ପରେ ସାମଲ ଘର ଆମ୍ବ ତୋଟା.. ସେଠୁ ଆଉ ୨-୩ ମିନିଟ ତାଙ୍କ ଘର ... ମା'କୁ ଫୋନ କରି କହିଦେବ କି, ସେ ପ୍ରାୟ ପହଞ୍ଚି ଗଲାଣି ଘର ପାଖରେ। ଅବଶ୍ୟ ଷ୍ଟେସନରୁ ଓହ୍ଲେଇ ସେ କଲ କରି ଥିଲା ମା'କୁ । ପକେଟରେ ହାତ ପରେଇ ଚମକି ପଡିଲା। ଦୁଇଟି ଯାକ ପକେଟ, ସାର୍ଟ ପକେଟ୍ ଦରାଣ୍ଡି ଗଲା.. ଇସ୍ ମୋବାଇଲଟା ସେଠି ପଡ଼ି ଯାଇନି ତ !! ପୁଣି ଏତେଟା ରାସ୍ତା ଫେରିବ ନା କାଲି ବଡ଼ି ଭୋରରୁ ଆସି ଦେଖିବ ! ତା ପହଞ୍ଚିବା ପୂର୍ବରୁ ଯଦି କେହି ସେ ରାସ୍ତାରେ ଯାଏ !! ନା ନା ରିସ୍କ ନେଇ ଲାଭ ନାହିଁ । ଏତେ ଦାମୀ ମୋବାଇଲଟା !! ବରଂ ବର୍ତ୍ତମାନ ଯାଇ ଦେଖିବାକୁ ପଡ଼ିବ !! ତୀର ବେଗରେ ଛୁଟି ଚାଲିଛି ଅନିମେଷ.. ମୋବାଇଲ୍ ଛଡ଼ା ତା ମୁଣ୍ଡରେ କିଛି ପଶୁନି।
ଆକାଶ ସମ୍ପୂର୍ଣ୍ଣ ମେଘମୁକ୍ତ.. ଚତୁର୍ଦ୍ଦିଗରେ ଉଦଭାସିତ ହେଉଛି ରୂପେଲି ଜ୍ୟୋସ୍ନା. ବେଶ ଉପଭୋଗ୍ୟ.. । ଏବେ ସେ ଭୟ ଶୂନ୍ୟ ହୋଇଯାଇଛି..। ଏଇତ ଆଗରେ ସେ ମୋରମ୍ ଗଦା.. ହଁ ସେଇଠି ତ' ସେ ଗୋଡ଼ ଖସରି ପଡ଼ିଯାଇଥିଲା । ମୋରମ୍ ଗଦା ପାଖରେ ପହଞ୍ଚି ଚମକି ପଡ଼ିଲା ଅନିମେଷ ।
କେବଳ ତା ଦାମୀ ମୋବାଇଲ୍ ଫୋନ୍ ନୁହେଁ ,ତା'ଠାରୁ ବହୁତ ବେଶୀ ଦାମୀ କିଛି ପଡ଼ିରହିଛି ମୋରମ୍ ଗଦା ଉପରେ ଚିତହୋଇ !!
ସେଇଠି ବର୍ଷା କାଦୁଅରେ ଯିଏ ମୁହଁମାଡ଼ି ପଡ଼ିରହିଥିଲା, ସେ ଦେଖିବାକୁ ଅବିକଳ ତାରିପରି !! ଯାହାକୁ ସେ ପ୍ରତିଦିନ ଦେଖେ ଆଇନାରେ !!!
ଅନିମେଷ କଣ୍ଠରୁ ଏକ ତୀବ୍ର ଆର୍ତ୍ତନାଦ ଭାସିଆସିଲା, କିନ୍ତୁ ସେ ଆର୍ତ୍ତନାଦ ଶୁଣିବାପାଇଁ କେହି ନଥିଲେ.. ଥିଲେ ମଧ୍ୟ ହୁଏତ ଶୁଣି ପାରିନଥାନ୍ତେ
...ସମାପ୍ତ...
© ରାକେଶ ମିଶ୍ର