Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଗୁରୁ ଦକ୍ଷିଣା
ଗୁରୁ ଦକ୍ଷିଣା
★★★★★

© Ranjit Sahu

Drama Inspirational

9 Minutes   14.1K    15


Content Ranking

                 ଗୁରୁ ଦକ୍ଷିଣା

 

ଟିକିଏ ପଶମ କମି  ଯିବାର ଗୋଟିଏ ଭଲ ପ୍ରଭାବ ପଡିଥିଲା ଶାଲଟି ଉପରେ।  ଗାଢ଼ ମାଟିଆ  ରଙ୍ଗରେ କେବଳ ଦୁଇ ତିନି ଧାଡି ଧଳା ରଙ୍ଗ ଏକ ରକମ ଫୁଟି ଉଠୁଥିଲା।  ଵଜାରକୁ ଯାଇ ଆଉ ଥରେ  ପଶମ କିଣିବାକୁ ସମୟ ନ ପାଇ  ରେଣୁ ବଳକା ଥିବା ଧଳା ରଙ୍ଗର  ପଶମରେ ଶାଲ ବୁଣିବା ସାରି ଦେଇଥିଲା । ମୁଁ ଆସିଲାବେଳକୁ ସମ୍ପୂର୍ଣ୍ଣ ହୋଇ ଯାଇଥିଲା ତାହାର ନିର୍ମାଣ ।

"ଦୁଇ ଦିନ ଅପେକ୍ଷା କରି ପାରିଲନି?  ମୋର ତ  ଯେମିତି ହେଲେ ଏହି ସପ୍ତାହରେ  ଆସିବାର ଥିଲା ଘରକୁ।  ମୁଁ କଣ ବଜାର ଯାଇକି ଆଣି ଦେଇପାରି ନଥାନ୍ତି  ଆଉ ଟିକେ  ପଶମ ?" ମୁଁ  ପଚାରିଲି।

"ଗୋଟିଏ ଧାରାରେ ବୁଣା ଚାଲିଥିଲା।  ଗୁରୁମାଙ୍କ ପାଇଁ ଏହି ଶାଲଟି ଆଉ ଗୁରୁଜୀଙ୍କ ପାଇଁ ଏହି ଟୋପିଟି ବୁଣୁଥିଲି।  ଗୁରୁଜୀଙ୍କର ଟୋପିଟି ପୁରୁଣା ହେଇ ଗଲାଣି। ତାହା ଛଡା ଧଳା ରଙ୍ଗର ଟୋପି ବା କେତେ ଦିନ ସଫା ରହିବ? ସାରଙ୍କୁ ଏମିତି ମଧ୍ୟ କିଛି ଦେଇ ହୁଏ ନାହିଁ।  ସେ ଉପହାର ପସନ୍ଦ କରନ୍ତି ନାହିଁ।  ଆଜି ଗୁରୁ ଦିବସ । ଗୁରୁମା ନିଶ୍ଚୟ ମଙ୍ଗଳବାର ଦେଖି ଠାକୁରାଣୀ ପାଖରେ ମାଗୁର  ପୂଜା କରିଥିବେ । ତାହା ପରେ ତାକୁ କୌଣସି ପ୍ରକାର ମୋ ପାଇଁ ପଠେଇବେ । ମୁଁ ଯେତେବେଳେ ଏଠାରେ ଥାଏ ସିଏ ମାଗୁର ସୋରିଷ ବେସର କଲେ ନିଶ୍ଚୟ ପଠାନ୍ତି କାହା ହାତରେ । ଏଥର ମଧ୍ୟ ନିଶ୍ଚୟ ପଠେଇବେ । ସେ ଜାଣିଛନ୍ତି ମୁଁ ଏବେ ପନ୍ଦର  ଦିନ ଏଠାରେ ଅଛି । ଅନେକ ଥର କହିଛନ୍ତି ସିଏ,  ମଙ୍ଗଳବାର   ଦିନ ଯଦି ସିଏ ଭୁଲିଯାନ୍ତି ମୁଁ କାହାକୁ ପଠେଇ ମଗେଇ ନେବି । ସାରଙ୍କର ଦେହ ପାଇଁ ବହୁତ ଉପକାରୀ  ବୋଲି ଏହି ପୂଜା ବାହାନାରେ ତାଙ୍କୁ ଟିକିଏ ମାଛ ଦେଇଚାଲିଛନ୍ତି । ସାର ଆମିଷ ଖାଆନ୍ତି ନାହିଁ ନ ହେଲେ । ବଳକା ରଖିବାକୁ ଭଲ ପାଆନ୍ତି  ନାହିଁ । ତଟକା ଖାଇବା ଓ ଖୁଆଇବା ଗୁରୁମାଙ୍କର ନୀତି । ଆଉ ଅଳ୍ପ ପରିମାଣରେ  ରୋଷେଇ କରି ମଧ୍ୟ ପାରନ୍ତି ନାହିଁ ।  ପରିବାରର ବଡ ବୋହୁ ହୋଇଥିବାରୁ  ଆଉ ବଡ କୁଟୁମ୍ବରୁ ଆସି ଥିବାରୁ ଗୁରୁମାଙ୍କର ଏହି ବାଣ୍ଟିବାର ଅଭ୍ୟାସ ବହୁତ । ଆଜି ତାଙ୍କ ସାହିରେ  ସବୁ ଘରେ ମାଛ ବେସର ହିଁ ରାତିରେ ମିଳିବ ।" ରେଣୁ କହିଲା,

"ଓଃ! ଏବେ ବୁଝିଲି ମୋ ଅନୁପସ୍ଥିତିରେ ତୁମର ବହୁତ ଭଲ ଖିଆପିଆ ଚାଲିଛି ।  ତମ ଭାଗ୍ୟ ଏମିତି ଗୋଟିଏ ଗୁରୁଜୀ ଆଉ ଗୁରୁମା ପାଇଛ," ମୁଁ କହିଲି।

"କାହଁକି ସେମାନେ ତ  ତୁମକୁ କେବେ ମଧ୍ୟ ପର ଭାବରେ ଦେଖି ନାହାନ୍ତି! ଏମିତି କାହିଁକି କହୁଛ ଯେ? ବରଂ ଅନେକ ଥର ମୋର ଶିକ୍ଷକ ହୋଇ ମଧ୍ୟ ସେମାନେ ତୁମକୁ ଅଧିକ ଗୁରୁତ୍ଵ  ଓ ଆଦର ଦେଇଛନ୍ତି," ରେଣୁ ପୁଣି କହିଲା।

 

"ଜାଣେ । ସେମାନେ ଆଖ ପାଖରେ ରହିଛନ୍ତ ବୋଲି ମୁଁ ଏହି ବୁଲା ଚାକିରୀ କରି ମଧ୍ୟ ତୁମର ସୁରକ୍ଷାକୁ ନେଇ ବେଶ ନିଶ୍ଚିନ୍ତ ଅଛି। ଆଜିକାଲି ନିଜ ଲୋକ ମଧ୍ୟ ଏତିକି ଯତ୍ନ ନିଅନ୍ତି ନାହିଁ।  ତୁମେ ଭଲ କରିଛ ନିଜ ଗାଁକୁ ଫେରି ଯାଇଛ ଓ ଏଠାରେ ଚାକିରୀ କରିଛ।  ଅବଶ୍ୟ ଏବେ ମଧ୍ୟ ତୁମକୁ ମାସରେ ପନ୍ଦର  ଦିନରୁ ଉର୍ଦ୍ଧ୍ୱ ଘର ବାହାରେ ରହିବାକୁ ହୁଏ। କିନ୍ତୁ ଏହି ଆଖ ପାଖ ଗାଁରେ ବୁଲାବୁଲି କରିବାରେ କୌଣସି କ୍ଷତି ନାହିଁ। ମୋ ଭଳି ଯଦି ବାଣିଜ୍ୟ ବିସ୍ତାର କ୍ଷେତ୍ରରେ  ଚାକିରୀ କରିଥାନ୍ତ ମାସ ସାରା ଘିରି ଘିରି  ହେଇ ବୁଲି ଥାଆନ୍ତ ପୁରା ଭାରତ," ମୁଁ କହିଲି।

"ଯାହା ବୁଲିବା କଥା ବୁଲି ସାରିଛି। ଦେଶ ବିଦେଶ ସବୁ ଆଡେ । ସବୁଠାରେ ମଣିଷ ସମାନ। ଖାଲି ରଙ୍ଗ ରୂପ ଆଉ ଚାଲି  ଚଳନରେ କିଛିଟା ଅନ୍ତର ଥାଏ।  ନ ହେଲେ  ଯେତେକ ଭଲ ଗୁଣ ଆଉ ଖରାପ ଗୁଣ ମଣିଷରେ ଥାଏ, ତାହା ସବୁ ଜାଗାରେ ଦେଖା ଯାଏ।  କୌଣସି ଭୌଗଳିକ ସୀମାରେ ତାହା ସୀମିତ ହୋଇ ନ ଥାଏ।  ସେଥି ପାଇଁ ମୁଁ ଗାଁକୁ ଫେରି ଆସିଲି," ରେଣୁ କହିଲା ।

"ଜାଣେ. ସେଥିପାଇଁ ହିଁ ମୁଁ ତୁମର ପ୍ରସ୍ତାବରେ ସହମତ  ହୋଇଗଲି ।   ନଚେତ  ଆମେ ବିଦେଶରେ ବେଶ ଆରାମରେ ଥିଲେ," ମୁଁ କହିଲି ।

"ଠିକ ଅଛି।   ଏଇ ଗୁଡାକୁ ଗୁରୁଜୀଙ୍କର ଘରେ ଦେଇ  ଆସ ।  ଆଜି ସକାଳେ ମୁଁ ମଧ୍ୟ ଫେରିଛି ମୋ କାର୍ଯ୍ୟକ୍ରମ  ସାରି  । ରାତିରେ ଦେଖିବା କିଛି ଗୋଟିଏ କରିବା ।  ଘରେ ବହୁତ କାମ ଅଛି ।  ନଚେତ ମୁଁ ମଧ୍ୟ ତୁମ ସହ ଆସିଥାନ୍ତି", କହୁ କହୁ ରେଣୁ ମୋତେ ଶାଳ ଆଉ ଟୋପିଟି ଧରେଇ ଦେଲା ।

ପାତ୍ର ସାରଙ୍କର ସହ ମୋର ପରିଚୟ ହେଲା ରେଣୁ  ସହ ବାହାଘର ପରେ । ସିଏ ରେଣୁର ସ୍କୁଲ ଦିନର ଶିକ୍ଷକ । ଗତ ଵର୍ଷଠାରୁ   ଚାକିରିରୁ  ନିବୃତି ନେଲା ପରେ ଗାଁରେ ହିଁ ଘର କରି ରହିଛନ୍ତି । ଅବସର ପ୍ରାପ୍ତି ପରେ ତାଙ୍କର ପୁଅ ଅନେକ ଥର ଡାକିଛି ସହରକୁ ।  କିନ୍ତୁ ସିଏ ରୋକ ଠୋକ  ମନା କରି ଦେଇଛନ୍ତି । ତାଙ୍କର ପୁଅ ଓ ଝିଅ ଦୁହେଁ ସହରରେ ପାଠପଢ଼ା  ସାରି  ଚାକିରୀ କରିଛନ୍ତି । ପାତ୍ର  ସାର ଆଉ ତାଙ୍କ ସ୍ତ୍ରୀ କିନ୍ତୁ ଗାଁରେ ରହିବାକୁ ହିଁ ପସନ୍ଦ କରନ୍ତି । ରେଣୁର  ତାଙ୍କ ସହ ପରିବାର ଭଳି  ସମ୍ପର୍କଟିଏ ଗଢି ଉଠିଛି । ସପ୍ତାହରେ ଥରେ ଅଧେ ଯିବା  ଆସିବା ହେଇଯାଏ ସେମାଙ୍କର । ମୁଁ ଯେବେ ଗାଁକୁ ଆସେ ପ୍ରଥମ ଦିନ ହିଁ  ଯାଇ ଦେଖା କରେ ।  ଏକ ପ୍ରକାରର ଘନିଷ୍ଠତା ଗଢି ଉଠିଛି ।   ତାହା ବ୍ୟତୀତ ସାର ଓ ମୁଁ ଦୁହେଁ  ଗାଁରେ ଖାଲି ଥିବାରୁ ପରସ୍ପର ସହ ବସି ବେଶ ଖଟି କରୁ ।   ସାରଙ୍କର ସ୍ତ୍ରୀ ମଧ୍ୟ ବହୁତ ମିଶାଣିଆ ପ୍ରକୃତିର ।  ଶାଲ ଆଉ ଟୋପି ନେଇ ମାଡିଗଲି ତାଙ୍କର ଘର ଆଡ଼କୁ । 

 

ଦୁଇ କିଲୋମିଟର ଦୂରତା ଶୀଘ୍ର ଶୀଘ୍ର ଚାଲି ପହଞ୍ଚି  ଗଲି   ପାତ୍ର ସାରଙ୍କ ଘରେ ।  ଅଳ୍ପ ସମୟ ଭିତରେ ଆମର ଆସର ଜମି ଯାଇଥିଲା । 

——————

 

କବାଟରେ କାହାର ଆସିବାର ଦେଖି ଗୁରୁମା ଦୁଆର ଖୋଲି ଦେଖିଲେ ବିଭୂତି ଆସିଛି । 

ବିଭୂତି ଓ ରେଣୁ ପରସ୍ପରର ସହପାଠୀ ସ୍କୁଲ ଦିନରୁ ।   କିଛିଟା ପ୍ରତିଦ୍ୱନ୍ଦିତା ମଧ୍ୟ ଥିଲା ଅତୀତରେ । କୌଣସି  ଏକ ଆନ୍ତର୍ଜାତିକ ସଂସ୍ଥାରେ କାମ କରୁଛି ବିଭୂତି । ଟିକିଏ  ଦେଖାଣିଆ ସ୍ଵଭାବ । ପ୍ରେମ ବିବାହ କରିଛି, ସହରର ଗୋଟିଏ ବହୁତ ଧନୀ ଘରେ । ସ୍ତ୍ରୀ ମଧ୍ୟ ଉଚ୍ଚ ଶିକ୍ଷିତ ଏବଂ କାର୍ଯ୍ୟରତା ।  ବେଳେ ବେଳେ ଗାଁକୁ ଆସେ ତାହାର ମା ବାପାଙ୍କୁ ଦେଖା କରିବାକୁ ।  ସେହି ସମୟରେ ଥରେ ଅଧେ  ଦେଖା ହେଇ ଯାଏ ତାହା ସହ । ସିଏ  ମଧ୍ୟ ପାତ୍ର ସାରଙ୍କ  ବହୁତ ମାନେ ।  ଯଦିଓ  ପାତ୍ର ସାରଙ୍କୁ  ତାହାର ଟାଉଟରୀ ଭଲ ଲାଗେନି ପାତ୍ର ସାର ଅଭ୍ୟାସ ମୁତାବକ  ସବୁ ଛାତ୍ରଙ୍କୁ ସବୁ ବେଳେ ସ୍ନେହକରନ୍ତି  ଆଜି ମଧ୍ୟ ତାଙ୍କର ଅନେକ ଛାତ୍ର ତାଙ୍କୁ ଭେଟିବାକୁ ଆସନ୍ତି ଯେତେ ବେଳେ ସେମାନେ ଗାଁକୁ ଆସନ୍ତି ।  ସାରଙ୍କ ର ମନ ଆଉ  ଦୁଆର ସବୁ ବେଳେ ଛାତ୍ରଙ୍କ ପାଇଁ ଖୋଲା ।  ମୁଁ ନିଜେ ମଧ୍ୟ ଅନେକ ଥର ଅନୁଭବ କରିଛି ।  ନିଜେ ତାଙ୍କର ଛାତ୍ର ନ ହୋଇ ମଧ୍ୟ ଯେତିକି ଆଦର ସତ୍କାର ପାଇଛି  । ସେଥିରୁ ମୁଁ ଅନୁମାନ କରିପାର୍ରିଛି ତାଙ୍କର ଛାତ୍ର ହେବା କେତେ ସୌଭାଗ୍ୟର କଥା । ସାର  କିନ୍ତୁ କିଛି ଜିନିଷ ପସନ୍ଦ କରନ୍ତିନି ।  ଖାସ କରି କାହାର ତେଲେଇବା ଆଉ ଦେଖେଇ ହେବା ସ୍ଵଭାବକୁ । ଆଉ ବିଭୂତିରେ ସେହି ଗୋଟିଏ ଗୁଣ ଭରପୁର ରହିଛି ।   ବାହାଦୁରି ମାରିବା, ନିଜର ବଡ଼ପଣ ନିଜେ ଗାଇବା, ଦରକାର ପଡିଲେ ତେଲେଇବା ଵିହଭୂତିର ପ୍ରକୃତି । ଅବଶ୍ୟ କାହାର କେବେ କିଛି କ୍ଷତି  କରି  ନାହିଁ ସିଏ । କିନ୍ତୁ ସବୁ ବେଳେ ସମସ୍ତଙ୍କଠାରୁ ପ୍ରଶଂସା ଆଶା କରେ । ତାହାର ସାଙ୍ଗ ସାଥି ତାହାକୁ ମତଲବି ମଧ୍ୟ କହନ୍ତି ।  ସେ ଯାହା ହେଉ ସାରଙ୍କର ଘରେ ସମସ୍ତେ ସମାନ । ସାରା କାହାକୁ କେବେ ମଧ୍ୟ ସାମ୍ନା ସାମ୍ନି କିଛି ଆଘାତ କଲା ଭଳି କଥା କୁହନ୍ତି ନାହିଁ । ତାଙ୍କର ବେତ  ପାହାର କିନ୍ତୁ ଗାଁରେ ଖୁବ ପ୍ରସିଦ୍ଧ. ଯିଏ ସାରଙ୍କର ବେତ   ଖାଇଛି ନିଶ୍ଚୟ ବଡ ମଣିଷ ହୋଇଛି ।

 

-----

ବିଭୂତି ସହ ଆଲୋଚନାଟି ଆହୁରି ବେଶ ଜମିଲା । ସାର ବିଦେଶ ଯାତ୍ରା କରି ନାହାନ୍ତି କିନ୍ତୁ  ବିଦେଶ ବିଷୟରେ ଅନେକ କିଛି ଜାଣିଛନ୍ତି । ତେଣୁ  ତାଙ୍କ ସହ ଅନେକ କିଛି ସମାଲୋଚନା ହେବାକୁ ଲାଗିଲା । ବିଭୂତି ନିଜର କାମ ଓ ବିଦେଶ ଯାତ୍ରା ବିଷୟରେ କହିବାକୁ ଲାଗିଲା । ଅଭ୍ୟାସ ମୁତାବକ କିଛି କିଛି କଥାକୁ ଅତିରଂଜିତ କରିବାକୁ ଲାଗିଲା  ମଧ୍ୟ । ସାର ଓ ମୁଁ କିଛି ପ୍ରତିକ୍ରିୟା ନ ଦେଖାଇ ଶୁଣୁଥିଲୁ  । ଗୁରୁମା ହଠାତ କହିଲେ," କିରେ ବିଭୂତି ତୁ କଣ ଏଥର ଆଉ କେତେ ଟଙ୍କା ବଞ୍ଚେଇକି ଆଣିଛୁ  ସେ କଥା କହିବୁ ନା ନାହିଁ? ସମସ୍ତେ  କହନ୍ତି ବିଦେଶ ଗଲେ ବହୁତ ପଇସା ମିଳେ?"

" ହଁ  ଏଥର ମୋସ୍କୋ ଯାଇଥିଲି । ଟୁର  ଥିଲା । ସେମାନେ ସବୁ ପ୍ରକାରର ବନ୍ଦୋବସ୍ତ କରିଥିଲେ । ହାତରୁ କିଛି ମଧ୍ୟ ଖର୍ଚ୍ଚ ହେଲାଣି ।  ତେଣୁ କିଛିଟା ସାମଗ୍ରୀ ଆଉ ଉପହାର ଯୋଗ୍ୟ ବସ୍ତୁ କିଣି ଆସିଲି ।

ଏହି ଟୋପିଟି ସେଠାକାର ଜଣେ ବହୁତ ନାମଧାରୀ କାରିଗର ତିଆରି କରିଛନ୍ତି ।  ମୋର ମାନେ ପଡିଲା ଆପଣଙ୍କର ଆଗରୁ ଟୋପିରେ ବହୁତ ସୌକ ଥିଲା ।  ତାହାଛଡ଼ା ୱାଇଫ ମଧ୍ୟ କହିଲା ଆପଣଙ୍କ ପାଇଁ କିଛି ନେଲେ ଭଲ ହେବ ।  ଆପଣ ଏ ଯାଏଁ  ସେହି ଗୋଟିଏ ଟୋପି ପିନ୍ଧି ଯାଉଛନ୍ତି ।  କିଛିଟା ପରିବର୍ତ୍ତନ ଭଲ  ଲାଗିବ ସମସ୍ତଙ୍କୁ । ନିଶ୍ଚୟ ପିନ୍ଧିବେ । ଖାସ ଆପଣଙ୍କର ପାଇଁ ୱାଇଫ ଓ ମୁଁ ସେହି କାରିଗର ପାଖକୁ ଯାଇଥିଲୁ । ଆସୁଛି ନମସ୍କାର ।"  ନିଜ ବ୍ୟାଗରୁ ଗୋଟିଏ ଟୋପି ବାହାର କରି ବିଭୂତି  ଗୁରୁଜୀଙ୍କୁ ଧରେଇ ଦେଲା । ତାହା ପରେ ନମସ୍କାର କଲା ସାରଙ୍କୁ । ଅଭ୍ୟାସରତ ଭାବରେ ଗୁରୁଜୀ ତାହା ମୁଣ୍ଡରେ ହାତ ରଖି ଆଶୀର୍ବାଦ କଲେ । ବିଭୂତି  ଚାଲିଗଲା ।

"ଆପଣଙ୍କୁ ବହୁତ ଭଲ ପାଏ  ଓ ସମ୍ମାନ ଦିଏ । ଦେଖନ୍ତୁ ନା ଲୋକେ ବାହାର ଦେଶକୁ ଗଲେ ନିଜ ଲୋକଙ୍କୁ ଭୁଲିଯାନ୍ତି । ସିଏ ଆପଣଙ୍କ ଲାଗି ଟୋପିଟିଏ ଆଣିଛି," ଗୁରୁମା କହିଲେ ।

 

"ତମକୁ ଭଲ ଲାଗିଲେ ତମେ ପିନ୍ଧି ପାର," ଗୁରୁଜୀ କହିଲେ ।

 

"ଆଉ ନା  କଣ ମ । ଏଇଟା କଣ ମହିଳା ମାନଙ୍କର ଟୋପି ଯେ ମୁଁ ପିନ୍ଧିବି? ମୋର ଏହି ଶାଲରେ  ଚଳିଯିବ । ରେଣୁ କେତେ ସରାଗରେ  ବୁଣିଛି. ମୋତେ ତାହାର ରଙ୍ଗ ର ମିଶ୍ରଣ ବହୁତ ଭଲ ଲାଗେ ।"

"ତାହା ହେଲେ ମୁଁ ମଧ୍ୟ ରେଣୁ ଦେଇଥିବା ଟୋପି ହିଁ ପିନ୍ଧିବି । ତମ ସହ ଗଲା ବେଳେ ମ୍ୟାଚିଙ୍ଗ  ହେଇ ଯିବ ," ଗୁରୁଜୀ କହିଲେ ।

"ଟିକେ ଲାଜ଼ ସରମ  ନାହିଁ କି । ଏ ବୟସରେ ଏମିତି କଥା କହୁଛ । ତାହା ମଧ୍ୟ ଛାତ୍ରଙ୍କ ସାମ୍ନାରେ?" ଗୁରୁମା କହିଲେ.

"ଛାତ୍ର କିଏ ଏଠାରେ । ଅପୂର୍ବ ପରା ଆମ ଘରର ସଦସ୍ୟ । ଆଉ ମୋ ସାଙ୍ଗ । ତମ ସାଙ୍ଗ ନୁହଁ କି? କଟି ଚାଲିଛି କି?" ଗୁରୁଜୀ କହିଲେ ।

 

"ତମ ସହ  ଆଉ ବସିକି ବକ ବକ ହେବାର ବେଳ ନାହିଁ. ଡେରି  ହେଲାଣି । ଅପୂର୍ବ ତୁ ଖାଇବା ନେଇକି ଯିବୁ ।

ଗଲା ବେଳେ ରେଣୁ ପାଇଁ କିଛି ମାଛ ବେସର ଆଉ ସୁଆଁ ଖୀରି  ନେଇଯିବୁ । ଅଦଳ ବଦଳ କରୁନି । ଯେମିତି ହେଲେ ମଧ୍ୟ ରେଣୁ ପାଇଁ ପଠେଇ ଥାନ୍ତି ।  ତୁ ଆସିଗଲୁ ତେଣୁ ତୋ ହାତରେ ଦେଇ ଦେଉଛି । ଏହି ଦୁଇଟି ଜିନିଷ ତାହାର ବହୁତ ପସନ୍ଦ । ତୁ କାହୁଁ ଜାଣିବୁ ।  ଅଧିକାଂଶ ସମୟ  ବାହାରେ ରହିଲୁ । ବେଚାରୀ ଏକୁଟିଆ ସବୁ ସମ୍ଭାଳୁଛି । ଘର ବାହାର,  " ଗୁରୁମା ରୋଷେଇ ଘରକୁ ଚାଲିଗଲେ ।

 

"ମୁଁ ବେଳେ ବେଳେ ଭାବେ ଏମିତି କାହିଁକି ହୁଏ    ସମୟ ସହିତ ମଣିଷର  ପରିବେଶ ବେଶଭୁଷା ବଦଳେ, ଚାଲିଚଳଣ ବଦଳେ କିନ୍ତୁ ତାହାର ସ୍ଵଭାଵ ରେ କାହିଁକି ପରିବର୍ତ୍ତନ  ହୁଏ ନାହିଁ? ଏହି ଦେଖୁନୁ ବିଭୂତିର କଥାବାର୍ତ୍ତା 

ଏତେ ବର୍ଷ ପରେ ମଧ୍ୟ ସେହି ଟାଉଟରୀ ସେହି ତେଲିଆ କଥା । କେବେ ମଧ୍ୟ ସରଳ ଆଉ ସିଧା କଥା କହି ପାରେ ନାହିଁ ।

ମୋର ଅବିଭାବକ ଭାବରେ କିଛି ତ୍ରୁଟି ରହିଗଲା କି ?  ରେଣୁ ଓ ସିଏ ଦୁହେଁ ଏକା ସାଥିରେ ପଢୁଥିଲେ । ଦୁହିଁଙ୍କୁ   ମୁଁ ଏକ ପ୍ରକାର ହିଁ ଉପଦେଶ ଦେଉଥିଲି । ତାହା ହେଲେ ଏହି ପାର୍ଥକ୍ୟ କାହିଁକି? ରେଣୁ  ତାହା ଠାରୁ ବହୁତ ଅଧିକ ଯୋଗ୍ୟ , ଅଧିକ ଅଭିଜ୍ଞାତା ।  ଆଉ ଦେଖିବାକୁ ଗଲେ ରେଣୁର ତୋ ପୈତୃକ ସମ୍ପତି ମଧ୍ୟ ବହୁତ ଅଛି । ତାହା ହେଲେ ଏହି ପାର୍ଥକ୍ୟ  ସ୍ଵଭାବରେ ଆସିଲା କାହିଁକି?  ହଁ ଅବଶ୍ୟ ବିଭୂତି ବହୁତ ସଂଗ୍ରାମ କରିଛି । ଏକ ପ୍ରକାର କହିବାକୁ ଗଲେ ନିଜ ପ୍ରୟାସରେ ମଣିଷ ହୋଇଛି । କେବେ କାହାର ଆଶ୍ରା କି ସାହାରା  ଲୋଡି ନାହିଁ ।  କିନ୍ତୁ ଏହାର କଣ  ମାନେ ଯେ ସିଏ ଏମିତି ବାହାଦୁରିଆ କଥା କହିବ? ମୋର ଅବଶ୍ୟ କିଛି ଆପତ୍ତି ନାହିଁ ।  ଦୁହେଁ  ମୋ ପାଇଁ ସମାନ ।  କିନ୍ତୁ ଯାହା ହେଲେ ମଧ୍ୟ ମୁଁ ମଣିଷଟିଏ ! ମୋର ମଧ୍ୟ କିଛି ଭାବନା ରହିଛି । ଟୋପି ଦେବା କଥା ଅଲଗା । କିନ୍ତୁ  ମୋ ଟୋପିକୁ ଖରାପ କହିବା ଅଭିପ୍ରାୟ  କଣ?

 

"କିନ୍ତୁ ଆପଣ କିଛି କହିଲେ ନାହିଁ କାହିଁକି?" ମୁଁ ପଚାରିଲି, "ଆପଣଙ୍କର  ତ ଠିକ ଭୁଲ ବୁଝେଇବାର ଅଧିକାର ଅଛି ଗୁରୁ ହିସାବରେ!"

"ହଁ ଅଧିକାର  ନିଶ୍ଚୟ ଅଛି ଓ ରହିଥିବ । କିନ୍ତୁ ମୁଁ କିଛି କହିଲେ ସିଏ ଦୁଃଖୀ ହୋଇଯିବ । ତାହା ବ୍ୟତୀତ ମଣିଷ ପ୍ରକୃତି କଣ ଏତେ ସହଜରେ ବଦଳିବ? ଆଉ ମଧ୍ୟ ଅଧ୍ୟାପକ ଯେତିକି ପ୍ରଭାବ ପକେଇ ନଥାନ୍ତି ଗୋଟିଏ ପରିବାର ଛାତ୍ର ଛାତ୍ରୀର ଚରିତ୍ର ଗଠନରେ ସେତିକି ପ୍ରଭାବ  ପକେଇ ଥାଏ । ଏତଦ ବ୍ୟତୀତ ଟୋପି କୁ ଗ୍ରହଣ କରିବା ମୋର କର୍ତବ୍ୟ । ଅବଶ୍ୟ ଏହି ବିଭୂତି ଦେଇଥିବା ଟୋପିଟି ମୁଁ ରଖିବି  । ସିଏ ପ୍ରତି ଥର କିଛି ନା କିଛି  ଆଣିକି ଦିଏ ।  ମୁଁ ସାଇତିକି ରଖିଛି ସବୁ । କିନ୍ତୁ ଶୀତ ଦୃଷ୍ଠିରୁ ଦେଖିବାକୁ ଗଲେ ମଧ୍ୟ  ଏହାର ଆବଶ୍ୟକତା ନାହିଁ ।  ତେଣୁ ସିଏ ଯଦି ମୋ ଲାଗି ଆଣି ଥାନ୍ତା ଏଠାରେ ଉପଯୋଗୀ ଟୋପିଟିଏ ଆଣି ପାରି ଥାଆନ୍ତା । ପାଖ ଦୋକାନରୁ ଆଣିକି ଦେଇ ଦିଅନ୍ତା ।  ମୋର ରୁଷି ଟୋପି କଣ ହେବ । ରେଣୁ ଦେଇଥିବା ଟୋପିରେ କାମ  ଚଳିଯିବ ।  ଆଜି କାଲି ଆଉ ଶୀତର ପ୍ରକୋପ ସେତେଟା ରହୁ ନାହିଁ । ପ୍ରକୃତି ଓ ମଣିଷର ପ୍ରକୃତି ଉଭୟର ପତନ ହୋଇ ସାରିଛି ।  ଆଜି ମୋର ଗୁରୁଦେବ ବହୁତ ମନେ ପଡୁଛନ୍ତି । ମନେ ପଡୁଛି ବଣ ଭୋଜି ଆଉ ବୃକ୍ଷ ରୋପଣ । ଏକ ପ୍ରକାର ଅଭ୍ୟସ୍ତ ହୋଇ ଯାଇଥିଲି ସେହି  କାର୍ଯ୍ୟ କଳାପର ।"

ଏତିକି  ବେଳେ ଗୁରୁମା ଆସିଗଲେ ଟିଫିନ ବାକ୍ସରେ ମାଛ ବେସର ଆଉ ଖିରି  ନେଇ । ତାଙ୍କ କାନରେ ବାର୍ତ୍ତାଳାପର କିଛି ଅଂଶ ପଡି ଯାଇଥିଲା ।

କହିଲେ,  'କାହିଁକି ରୁଷି ଟୋପି ମିଳିଛି, ଭଲ ହୋଇଛି । ସବୁ ବେଳେ କୁହ ତୁମେ ରାଜ କପୂର ଆଉ ତୁମ ଜୀବନର ନର୍ଗିସ ତୁମକୁ ମିଳିନାନି । ଯାଉନ ଏହାକୁ ପିନ୍ଧି ଗୀତ ଗାଇବ...ମେରା ଜୂତା ହୈ ଜାପାନୀ.....ଆରେ ଅପୂର୍ବ ତୁ ଯେତେ ବେଳେ ଜାପାନ ଯିବୁ ହଳେ ଜୋତା ନେଇ ଆସିବୁ । ପୁରା ସେଟ ହେଇଯିବ," କହି ଗୁରୁମା ହସି ଉଠିଲେ. "ବହୁତ ରାତି ହୋଇ ଗଲାଣି. ଭାବୁଥିଲି ତୁ ଏଠାରେ ଖାଇକି ଯିବୁ ।  କିନ୍ତୁ ଏତେ ଦିନ ପରେ ଫେରିଛୁ ।  ରେଣୁ ସହିତ ବସି ଖାଇଲେ ଭଲ ହେବ ତେଣୁ ତୋତେ ଆଉ ଅଟକାଇବି ନାହିଁ    ଦୁହିଁଙ୍କ ପାଇଁ ରଖି ଦେଈଛି  ଏଥିରେ । ସାରାଙ୍କର ସନ୍ଧ୍ୟା ଭ୍ରମଣ ର ସମୟ ହେଇ ଗଲାଣି ।  ଧୂପ ଦେଇ ବୁଲି ଆସି ଔଷଧ ମଧ୍ୟ ନେବାକୁ ପଡେ ଖାଇବା ପୂର୍ବରୁ  ", ଗୁରୁମା କହିଲେ ଓ ମୋ ହାତରେ ଟିଫିନ ବାକ୍ସ ଧରେଇ ଦେଲେ ।

"ଏଥି ଲାଗି ତ  ମୁଁ ମୋ ନର୍ଗିଶ କୁ ଛାଡି ଦେଲି. କିଏ ମୋର ଏମିତି ଦେଖା ରଖା ଆଉ ଯତ୍ନ କରିଥାନ୍ତା ଯେ. କିଏ ମୋର ଏମିତି ପ୍ରଶଂସା କରି ଥାନ୍ତା ଏ ବୟସରେ?" କହି ମୁରୁକି ହସିଲେ ଗୁରୁଜୀ ।

ସେମାଙ୍କର ସନ୍ଧ୍ୟା ଭ୍ରମଣର ସମୟ ହୋଇ ଆସୁ ଥିଲା ।

ମୁଁ ଉଠିବାକୁ ଲାଗିଲି ।

ଗୁରୁଜୀ ବିଭୂତି ଦେଇଥିବା ଟୋପିଟି ନେଇ ଆଲମାରୀ ଭିତରେ ରଖିଦେଲେ ଓ ମୋତେ ବାଟୋଇ ଦେବାକୁ ଦୁଆର ଯାଏଁ ଆସିଲେ । ହାତରେ ମାଛ ବେସର ଆଉ ଖିରି  ଧରି ମୁଁ ବାହାରି ପଡ଼ିଥିଲି ଘର ଅଭିମୁଖେ । ରେଣୁର ଭାଗ୍ୟ କଥା ଭାବି  ମୋର  କିଛି ଈର୍ଷ୍ୟା ଜାତ ହେବାରେ ଲାଗିଥିଲା ମନ ଭିତରେ । ଖୁସି  ମଧ୍ୟ ଲାଗିଥିଲା ତାହା ସାଥିରେ । ତାହାର ପତି  ହେଇଥିବାରୁ ସାରଙ୍କ ସହ ଗଢି ଉଠିଥିବା ସମ୍ପର୍କ ଯୋଗୁଁ ମୁଁ ଗର୍ବିତ ଅନୁଭବ କରିବାକୁ  ଲାଗିଥିଲି । ଗେଟ  ପାଖରେ ଛାଏଁ ଛାଏଁ ମୋ ମୁଣ୍ଡ ନଇଁ ଗଲା । ଚରଣ ସ୍ପର୍ଶ କରିଲି ଗୁରୁଜୀ ଆଉ ଗୁରୁମାଙ୍କର ପ୍ରଥମ ଥର ପାଇଁ ।

"ଚିରଞ୍ଜୀବୀ  ହୁଅ । ସୁଖୀ ହୁଅ. ଶାନ୍ତିରେ ରୁହ", ଶବ୍ଦ ଗୁଡ଼ିକ ଅନେକ ଦିନ ଯାଏଁ କାନରେ ଗୁଂଜି ଉଠିଥିଲା ଯେ ପର୍ଯ୍ୟନ୍ତ ସ୍ମୃତିରେ ସୁଦୃଢ ହୋଇ ନଥିଲା ସେହି ଅନ୍ତରଙ୍ଗ ମୁହୂର୍ତ୍ତଟି ।

ଗୁରୁ ସମ୍ପର୍କ ଉପହାର

Rate the content


Originality
Flow
Language
Cover design

Comments

Post

Some text some message..