ଏ ନବଘନର ହସ
ଏ ନବଘନର ହସ
ଝିଅ ପାଇଁ ବର ଖୋଜୁଥିଲା ନବଘନ।
ମଧ୍ୟଵିତ୍ତ ଘର।ପିଲାଟି ଚାକିରୀ କରୁଥିବ।ଜାତକ ପଡୁଥିବ।ଡିମାଣ୍ଡ୍ ଏକ ଲକ୍ଷରୁ ଅଧିକ ହୋଇନଥିବ।
ଇଏ ଥିଲା ନବଘନର ମନ କଥା।
ଦିନେ ସକାଳୁ ମଧ୍ୟସ୍ଥ ଗୋଟିଏ ପ୍ରସ୍ତାବ ଧରି ପହଞ୍ଚିଲା। କହିଲା - ' ଜାତକ ପଡୁଛି।ପିଲା ଚାକିରୀ କରିଛି।ଡିମାଣ୍ଡ୍ ନାହିଁ।ତୁମେ ରାଜି ହେଲେ ସେଇଠି ଝିଅର ବାହାଘର ହେବ। '
ନବଘନ କହିଲା - ' ତେବେ ତୁମେ ସେମାନଙ୍କୁ ଆସି ଝିଅ ଦେଖିବାକୁ କୁହ। '
ଏହାପରେ ଝିଅ ଦେଖା ପାଇଁ ଦିନ ସ୍ଥିର ହେଲା।
ସେମାନେ ଝିଅ ଦେଖିବା ପାଇଁ ଆସିଲେ।ଝିଅ ଦେଖିଲେ।ପସନ୍ଦ କଲେ।
ମଧ୍ୟସ୍ଥକୁ ଘର ଭିତରକୁ ଡାକି ନବଘନ କହିଲା - ' ଡିମାଣ୍ଡ୍ ନାହିଁ ବୋଲି କହିଲେ ହେବ ନାହିଁ।ସେମାନଙ୍କ ଇଚ୍ଛା ବୁଝିନେବାକୁ ହେବ।ତୁମେ ତ ଜାଣ ମୁଁ ଏକ ଲକ୍ଷରୁ ଅଧିକ ଦେଇ ପାରିବିନି। '
- ' ବ୍ୟସ୍ତ ହୁଅନି।ମୋ ମଧ୍ୟସ୍ଥିଆ ବୁଦ୍ଧିରେ ମୁଁ ତାହା ବୁଝିବାକୁ ଚେଷ୍ଟା କରୁଛି। ' ମଧ୍ୟସ୍ଥି କହିଲା।
ଏହାପରେ ସମସ୍ତେ ଏକାଠି ବସିଲେ।ମଧ୍ୟସ୍ଥି ବରପିତାଙ୍କୁ କହିଲା - ' ଡିମାଣ୍ଡ୍ କଥାଟା ପରିଷ୍କାର କହିବାକୁ ହେବ। '
ବରପିତା କହିଲେ - ' ପ୍ରକୃତରେ ଆମର ଡିମାଣ୍ଡ୍ କିଛି ନାହିଁ।ଆଜିକାଲି ବିନା ଡିମାଣ୍ଡରେ ବହୁତ କିଛି ମିଳୁଛି। '
ମଧ୍ୟସ୍ଥି ହସିଦେଇ କହିଲା - ' ବର୍ଷେ ତଳେ ଗୋଟିଏ ଝିଅର ବାହାଘର କରିଥିଲି।ବିନା ଡିମାଣ୍ଡରେ ହୋଇଥିଲା।ସାତପୁରୁଷକୁ ବନ୍ଧୁ ବାନ୍ଧିବା ନିଶାରେ କନ୍ୟାପିତା ଜମିବାଡି ବନ୍ଧା ପକାଇ ସବୁ ଦେଇଥିଲେ।ଛଅ ମାସ ପରେ ଖବର ମିଳିଲା ଝିଅଟିକୁ ଯୌତୁକ ଲୋଭରେ ସେମାନେ ପୋଡ଼ି ମାରି ଦେଇଛନ୍ତି । ତେଣୁ କହୁଥିଲି କଥାଟା ପରିଷ୍କାର ହୋଇଯିବା ଭଲ। '
ଏହାପରେ ବରପିତା ବରମାତାଙ୍କ ସହିତ କିଛି ସମୟ କ'ଣ ଚୁପ୍ ଚୁପ୍ କଥା ହେଲେ।ପରେ କହିଲେ - ' ତିନି ଲକ୍ଷ ଦେଲେ ହୋଇଯିବ।'
ମଧ୍ୟସ୍ଥିର କଥା ଶୁଣିବାବେଳୁ ନବଘନ ତିନି ପାଦ ପଛକୁ ଘୁଞ୍ଚି ଆସିଥିଲା।ଏବେ ବରପିତାଙ୍କ କଥା ଶୁଣି ତା'ର ମୁଣ୍ଡଟା ଗରମ ହୋଇଗଲା।ତଥାପି ସେ ମଧ୍ୟସ୍ଥକୁ ଭଦ୍ର ଭାବରେ କହିଲା - ' ଏତେ ଛୋଟ ଘରେ ତ ମୁଁ ବନ୍ଧୁ ବାନ୍ଧି ପାରିବିନି ମଧ୍ୟସ୍ଥିଏ ।ଯାହାର ଡିମାଣ୍ଡ୍ ଅତି କମ୍ ପାଞ୍ଚ ଲକ୍ଷ ଥିବ,ମୋର ସେଭଳି ଘର ଦରକାର।ନା, ନା, ଏଠି କେବେ ବି ହୋଇ ପାରିବନି। '
ଏହାପରେ ବରପିତା ପୁଣି ବରମାତାଙ୍କ ସହିତ କିଛି କଥାବାର୍ତ୍ତା ହେବା ଦେଖିବାକୁ ମିଳିଥିଲା।
ପରେ ବରପିତା କହିଲେ - ' ତେବେ ପାଞ୍ଚ ଲକ୍ଷ ଦିଅନ୍ତୁ।ଆମେ କେବଳ ଆପଣଙ୍କ ପରିସ୍ଥିତି ଦେଖି ତିନି ଲକ୍ଷ କହିଥିଲୁ।ତା' ସହିତ ଯଦି ଗାଡିଟିଏ ଦେଇପାରିବେ ବହୁତ ଭଲ। ' ନବଘନ ଅଳ୍ପ ହସିଲା।
ଏ ନବଘନର ହସ।
କେତେ ତା'ର ମୂଲ୍ୟ ?
ଏକ ଲକ୍ଷରୁ କମ୍ ନୁହେଁ ନିଶ୍ଚୟ ! ! !