Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ବାପାଙ୍କ ହିରୋ ସାଇକେଲ
ବାପାଙ୍କ ହିରୋ ସାଇକେଲ
★★★★★

© Swagatika Mishra

Inspirational

6 Minutes   7.5K    26


Content Ranking

ମିନି ଫୋନରେ କଥା ହେବା ପରେ ହଜି ଯାଇଥିଲା ଅତୀତ ସ୍ମୃତିରେ ।ଆଖି ଆଗରେ ନାଚି ଯାଉ ଥିଲା ବାପାଙ୍କ ସହ କାଟି ଥିବା ପିଲାଦିନ ଗୁଡାକ ।ମିନି ଭାବୁ ଥିଲା ସତରେ କେତେ ଜଲଦି ପାଣି ପରି ବୋହିଗଲା ସମୟ ସବୁ।

ମିନି ହେତୁ ପାଇଲା ବେଳକୁ ସେ ପାସୋରି ସାରି ଥିଲା ବୋଉ ମୁହଁ ।ଖାଲି ଯାହା ଫୁଲ ହାର ପକା ବୋଉର କଳା ଧଳା ଫଟୋଟା ଦେଖିଲେ ମିନି କଳ୍ପନା କରି ବସେ ବୋଉର ଚେହେରା ।ହେଲେ ବାପା ତାକୁ ଅବା ଭାଇକୁ କାହାକୁ ବି ମା’ ଛେଉଣ୍ଡ ହେବାର ଦୁଃଖ ଦିନେ ହେଲେ ଜାଣିବାକୁ ଦେଇ ନାହାନ୍ତି ।ବହୁ ବାଧ୍ୟ ପରେ ମଧ୍ୟ ବାପା ଦ୍ୱିତୀୟ ବିବାହ ନ କରି ତାଙ୍କ ପୁଅ ଝିଅଙ୍କ ମୁଁହକୁ ଚାହିଁ ବାଛି ନେଇଥିଲେ ନିସଙ୍ଗ ଜୀବନ।

ଆଜି କାହିଁକି ବାପାଙ୍କ କଥା ମନେ ପଡୁ ପଡୁ ମିନି ଆଖିରେ ନାଚି ଯାଉ ଥିଲା ବାପାଙ୍କ ସାଇକେଲ କଥା ।ସକାଳର ସବୁ କାମ ସହ ବାପାଙ୍କର ସାଇକେଲ ପୋଛା ଆଉ ସାଇକେଲ ପୋଛିଲା ବେଳେ ବାପାଙ୍କର ହିରୋ ଗୀତଟା ଆଜି ବି ତା କାନରେ ବାଜି ଯାଉ ଥାଏ।

ମିନିକୁ କାଲି ପରି ଲାଗୁଛି ପ୍ରତି ବର୍ଷ ଦଶହରା ଦିନ କେମିତି ବାପା ସାଇକେଲଟାକୁ ବଡ ସରାଗ ରେ ସକାଳୁ ଧୋଇ ଫୁଲ ଦେଇ ନୂଆ ସିଟ କଭର ଲଗେଇ ଖୁବ୍ ଶ୍ରଦ୍ଧାରେ ପୁଜା କରୁଥିଲେ ।ଲେମ୍ବୂ ମାଳଟେ ସାଇକେଲରେ ଟଙ୍ଗେଇ ଦେଇ ସାଇକେଲର ଦୀର୍ଘ ଜୀବନ କାମନା କରୁଥିଲେ ।ସାଇକେଲଟା ଵି ବାପାଙ୍କର ମନ କଥା ଶୁଣେ କି କଣ ସାରା ବର୍ଷ ନିର୍ଦ୍ୱନ୍ଦରେ ଚାଲେ।ସ୍ୱଳ୍ପ ଦରମା ରେ ପିଅନ ଚାକିରିଟେ କରିଥିଲେ ବାପା। ସେଇ ହିରୋ ସାଇକେଲ ଖଣ୍ଡକ ଥିଲା ତାଙ୍କର ସୁଖ ଦୁଃଖର ଶେଷ ସାଥୀ ।ସେଇ ସାଇକେଲ ରେ ଭାଇ ମୁନାକୁ ପଛରେ ଆଉ ଆଉ ମିନିକୁ ଆଗରେ ବସେଇ ବାପା ବୁଲିଲା ବେଳେ ମିନିକୁ କୋଉ ରକେଟ ବସିବାର ଖୁସି ମିଳୁଥିଲା। ସ୍କୁଲଠୁ ଆରମ୍ଭ କରି ଗାଁ ମେଳା ସବୁ ଜାଗାକୁ ବାପାଙ୍କ ସହ ସଜ ବାଜ ହେଇ ବାହାରି ଯାଉ ଥିଲେ ଦୁଇ ଭାଇ ଭଉଣୀ। ମିନିକୁ ଛୋଟ ବେଳେ ସାଇକେଲ ଆଗରେ ବସିଲା ବେଳେ କାଟେ ବୋଲି ଭାରି ଶ୍ରଦ୍ଧାରେ ବାପା ତା ପାଇଁ ସାଇକେଲରେ ଲଗେଇ ଦେଇ ଥିଲେ ଗୋଟେ ବେବି ସିଟ।ସେଇ ଦିନଠୁ ମିନିର ସେ ଯାଗାଟା ଏକାନ୍ତ ନିଜସ୍ୱ ହେଇ ଯାଇଥିଲା ।ବାପା କାଳି ଅନ୍ଧାରରୁ ଉଠି ବାସି କାମ ଆଉ ରୋଷେଇ ବାସସାରି ଆମକୁ ଖୁଆଇ ପିଆଇ,ପୋଛି ପକାଉ ଥିଲେ ସାଇକେଲଟାକୁ ଆଉ ତା ପରେ ଆମ ଭାଇ ଭଉଣୀଙ୍କୁ ସାଇକେଲରେ ବସେଇ ନେଇ ଯାଉ ଥିଲେ ଗାଁ ସ୍କୁଲକୁ ।ପୁଣି ନିଜେ ସେହିଠାରୁ ପ୍ରାୟ ଆଠ ଦଶ କିଲୋମିଟର ଦୂରକୁ ସାଇକେଲ ପେଡି ପେଡି ଯାଉ ଥିଲେ ଅଫିସ ।ବାପା ତାଙ୍କ ସାଇକେଲଟାକୁ ହିରୋ କହୁ ଥିଲା ବେଳେ ଆମ ଭାଇ ଭଉଣୀ ଦି’ ଜଣଙ୍କ ପାଇଁ ବାପା କୋଉ ସୁପର ହିରୋଠୁ କମ ନଥିଲେ ।ଏତେ କାମ ଭିତରେ ବି ବାପା ଆମ କାମ କରିବାକୁ କେବେ ଅମଙ୍ଗ ହେଉ ନଥିଲେ କି ଥକୁ ବି ନଥିଲେ ।ସୁପର ହିରୋ ଯେ କେବେ ଥକି ଯାଆନ୍ତି ନାହିଁ, ସେକଥା ସେଦିନ ବାପାଙ୍କଠୁ ହିଁ ଜାଣିଥିଲା ମିନି।

ମିନି ଆଖି ଆଗରେ ଭାସି ଯାଉ ଥାଏ ସ୍ମୃତିର ସ୍ରୋତ ସବୁ। ସେ ମାସ ବାପା ଦରମା ପାଇ ନଥାନ୍ତି।ଭାଇ ଓ ବାପା ଉଭୟଙ୍କୁ ପ୍ରବଳ ଜ୍ୱର ହେଇଥାଏ । ଦୁହିଁଙ୍କ ଭୀଷଣ ଦେହ ଖରାପ ଭାଇ ଆଖି ଖୋଲୁ ନ ଥାଏ । ପାଖରେ ଅଳ୍ପ କିଛି ପଇସା ଥାଏ । ଆମ ଘର ଠାରୁ ଜିଲ୍ଲା ମୁଖ୍ୟ ଚିକିସ୍ଚାଳୟ ପ୍ରାୟ ବାଇଶି କିଲୋମିଟର ବାପା ଜର ଦେହରେ ଭାଇକୁ ଗୋଟେ କାନ୍ଧରେ ପକାଇ ଗୋଟେ ହାଥରେ ସାଇକେଲ ପେଡି ପେଡି ଯାଇ ଥିଲେ ଡାକ୍ତର ଖାନା;ଖାଲି ବାଟଖର୍ଚ୍ଚ କେତେ ଟଂକା ବଞ୍ଚାଇବା ପାଇଁ ।ଡାକ୍ତରଖାନାରୁ ଫେରିଲା ପରେ ସେଦିନ ବାପାଙ୍କ ଜରୁଆ ଆଖିରେ ସାଇକେଲପାଇଁ ଗୋଟେ ଅଜବ ଆତ୍ମୀୟତା ଦେଖିବାକୁ ପାଇଥିଲା ମିନି।

ସ୍ୱଳ୍ପ ରୋଜଗାର ମଧ୍ୟରେ ନିଜ ନୀତି ଆଦର୍ଶକୁ ବଜାୟ ରଖିଥିବା ବାପା କିନ୍ତୁ ଜୀବନର ଅବିରତ ଝଡ ଝଂଜା ମଝିରେ ହସିବାର କଳାଟାକୁ ଭଲ ଭାବରେ ଆପଣେଇ ନେଇ ଥିଲେ । ଅଭାବ ଅସୁବିଧା କୁ ନିକଟରୁ ଦେଖିଥିବା ବାପା, ସେଥର ଘରକାମ ପାଇଁ କିଛି ପଇସା ସଂଚୟ କରି ରଖିଥାନ୍ତି ମାତ୍ର ମୁନା ଭାଇର ନିହାତି ଦରକାର ବୋଲି ମୁନା ଭାଇ ଜିଦି କରିବାରୁ ବାପା ଭାଇ ପାଇଁ ସେଇ ଟଂକାରେ ଗୋଟେ ନୂଆ ଗାଡି କିଣି ଦେଇଥିଲେ ଖୁସିରେ । ହେଲେ କେଜାଣି କେମିତି ଦେଖି ପାରୁ ନଥିଲେ ସେ ପିନ୍ଧୁଥିବା ବାଟା ଚପଲ ହଳ ଘୋରି ହେଇ ଦୁଇ ଗୋଇଠି ପାଖରେ ହେଇ ଯାଇ ଥିବା ବଡ କଣା ଦିଟା କୁ??

ବହୁଥର ଭାଇ କହେ, ବାପା! ମୋ ଗାଡିଟା ଟିକେ ଚଲାଅ ହେଲେ ପ୍ରତି ଥର ବାପା ମନାକରନ୍ତି । କେବେ ଭାଇ ଗାଡି ଚଲେଇବା ତ ଦୂର କଥା ବାପା କେବେ ସେ ଗାଡିରେ ବସିବା ମିନି ଦେଖିନି । ବାପା ହସି ହସି ଭାଇକୁ କହି ଦିଅନ୍ତି ,ମୋର ଗାଡି କଣ ହବ ଯେ,ମୋ ହିରୋ ସାଇକେଲଟା କଣ କୋଉ ଗାଡିଠୁ କମ କି?ସତରେ କେତେ ଭଲପାଇବା ଥିଲା ବାପାଙ୍କର ସେ ହିରୋ ସାଇକେଲ ପାଇଁ । ଦିନେ ଭାଇ କୋଉ କଥାରେ ଟିକେ ରାଗିକି କହୁ କହୁ କହିଦେଲା, ବାପା ଏଇ ପୁରୁଣା ସାଇକେଲଟାରେ ଆଉ କଣ ଅଛି ଯେ ୟା’କୁ ଏତେ ଯତ୍ନ କରୁଛ!! ଲାଜ ଲାଗୁଚି ତମେ ଚଲେଇଲେ ।ୟାକୁ ବିକି ଦଉନ। ପ୍ରଥମ ଥର ମିନି ସେଦିନ ଦେଖିଥିଲା ବାପାଙ୍କ ରାଗ ଆଉ ଅଭିମାନକୁ ।ଗୋଟେ ଓଳି ପିଲାଙ୍କ ଭଳି ରୁସିଥିଲେ ।ମୁନା ଭାଇ ଭୁଲ ମାଗିବା ପରେ ମାନ ଭାଙ୍ଗି କହି ପକାଇଥିଲେ, ଏଇଟା ସାଇକେଲ ନୁହଁରେ ବାପ ମୋ ଜୀବନ ।ଯୋଉ ଯାଏଁ ଏଇଟା ଥିବ ଜାଣିବ ମୁଁ ତୁମ ପାଖେ ପାଖେ ଅଛି।

ବାପାଙ୍କ ସାଇକେଲଟା ଵି ବାପଙ୍କର ଖୁବ୍ ବିଶ୍ୱସ୍ତ ଥିଲା କେବେ ଧୋକା ଦେବା ଦେଖିନି ମିନି । ମିନି ବାହାଘରର ଲଗ୍ନ ଧରା ଠାରୁ ଆରମ୍ଭ କରି କାର୍ଡ ବଣ୍ଟା, ଚତୁର୍ଥୀ ଭାର; ପୁଣି ଛୁଞ୍ଚି ଠୁ ଛାଂଚୁଣି ଯୋଗାଡ଼ ସବୁ ଏକା ଏକା ବାପା ସେଇ ସାଇକେଲ ପେଲି ପେଲି କରି ଥିଲେ ।ଝାଳ ନାଳ ହେଇ ଘରେ ପହଂଚି ଗଣ୍ଡେ ଖାଇଲା ବେଳକୁ ସୂର୍ଯ୍ୟ ଗଡ଼ି ଯାଏ କେବେକେବେ। ତଥାପି ବାପା କେବେ ଥକି ଯିବା ମିନି ଦେଖିନି । ମିନି ଯୋଉ ଦିନ ଘର ଏରେନ୍ଡା ଡେଇଁ ବିଦା ହେଲା, ସାହି ଭାଇ ଗଛ ପତ୍ର ସମସ୍ତେ ତା ପାଇଁ କାନ୍ଦିଲେ ହେଲେ ବାପା କିନ୍ତୁ ନୀରବ ରେ ଲୁହ ସବୁକୁ ଛାତି ତଳେ ଚାପି ମୋ ଭାର ସଜାଡୁ ଥିଲେ ।ସେଦିନ ମିନି ଜାଣିଥିଲା ଯେ ସୁପର ହିରୋ କେବେ କାନ୍ଦନ୍ତିନି ବୋଲି।

ମିନି ଅତୀତ ଭାବନାରେ ବୁଡି ରହି ସ୍ମୃତି ସାଉଁଟୁ ଥିବା ବେଳେ ଠିକ୍ ଏହି ସମୟରେ ତା ଭାବନା ରେ ବାଧା ଦେଇ କଲିଂ ବେଲଟା ବାଜି ଉଠିଲା । ମିନି ପ୍ରକୃତିସ୍ଥ ହେଇ ଦେଖେ ତ ସ୍ୱାମୀ କେତନ। କବାଟ ଫିଟଉ ଫିଟଉ ମିନି କହି ପକାଇଲା, ବାପାଙ୍କ ନୂଆଶ୍ରାଦ୍ଧ । ଭାଇ ଫୋନ କରିଥିଲା ଆଜି ।ଦୁଇ ଦିନ ଆଗରୁ ଯିବାକୁ କହିଛି । ସ୍ୱାମୀଙ୍କ ସହମତିରେ ଝିଅ ଅଂକିତା ସହ ସମସ୍ତ ଜିନିଷ ପତ୍ର ସଜାଡି ଆସନ୍ତା କାଲି ବାହାରିବେ ବୋଲି ନିଷ୍ପତି ନେଲା ମିନି।

ବାପା ଚାଲି ଯିବାର ଦୀର୍ଘ ଦୁଇ ବର୍ଷ ପରେ ମିନି ଆଜି ବାପଘରେ।

"ଘରେ ମଣିଷ ନରହି ଘରଟା ପୁରା ଭୂତ କୋଠି ପାଲଟି ଯାଇଛି । ବାପା ସିନା ଘରଟାକୁ ସଜାଡି ରଖିଥିଲେ,ସେ ଗଲା ପରେ ଭାଇ ଭାଉଜ ତ ଵାଙ୍ଗାଲୋର୍ ରେ । ସେ ନିଜେ ତ ସ୍ୱାମୀଙ୍କ ସହ ବାଲିଙ୍ଗିରରେ କିଏ ଆଉ କରିବ ସଫା ସଫି ।" ଅଳନ୍ଧୁରେ ପୋତି ହେଇ ପଡ଼ିଛି ଘର ଦ୍ୱାର ।ଅଗଣା ସାରା ଅନାବନା ମଣିଷ ଉଚ୍ଚର ଘାସ। ସେ ସବୁ ସଫା ସଫି କରୁ କରୁ ମନକୁ ମନ କହି ଚାଲି ଥାଏ ମିନି ।ହଠାତ୍ ପଡିଶା ଘର ସିପୁର ଛୋଟ ସାଇକେଲଟା ଝିଅ ଅଂକିତା ଚଳାଉ ଥିବା ଦେଖି ମିନିର ମନେ ପଡ଼ି ଗଲା ବାପାଙ୍କ ହିରୋ ସାଇକେଲ କଥାଟା ।ଦୌଡ଼ି ଯାଇ ମିନି, ଭାଇକୁ ପଚାରି ପକେଇଲା, ଭାଇ! ବାପାଙ୍କ ସାଇକେଲଟା କୁଆଡେ ଗଲା କି?କାଇଁ ଦେଖିବାକୁ ପାଉନି ତ?ଭାଇ,ମୁନା ସାମାନ୍ୟ ହସି କହି ପକାଇଲା ଓଃ!!ସେଇ ଭଙ୍ଗା ହିରୋ ସାଇକେଲକୁ ତୁ ମନେ ରଖିଛୁ? ସେଇଟା ଆମ ରୋଷେଇ ଘର ପଛ ପଟେ ଡେରା ହେଇଛି ପରା।

ମିନି ବିଜୁଳି ପରି ଦୌଡିଲା ସେଇ ଅଳିଆ ଅସନା ଅଗଣା ଦେଇ । ବାପାଙ୍କ ଅତି ପ୍ରିୟ ସାଇକେଲଟା ହତାଦର ଭାବରେ ପଡ଼ିଥିଲା ରୋଷେଇ ଘର କାନ୍ଥ ସେପଟେ। ଗୋଟେ ଅପରିଚିତ ଅଯୋଚିତ ଅତିଥିଟି ଭଳି। ପରସ୍ତେ ଧୂଳି ଜମି ସାଇକେଲଟା ଚିହ୍ନି ହେଉ ନ ଥାଏ । ସାଇକେଲଟିର ଅବସ୍ଥା ଦେଖି ମିନି ଭାବୁ ଥିଲା ସତରେ କେତେ ଯତ୍ନରେ ରଖି ଥିଲେ ବାପା ସାଇକେଲଟାକୁ ।ଏଇ ସାଇକେଲ ହିଁ ବାପାଙ୍କ ସାରା ଜୀବନର ସୁଖ ଦୁଃଖ ତ୍ୟାଗର ମୂକ ସାକ୍ଷୀ ଥିଲା । ସାଇକେଲ ପାଖରେ ଲୁହା ଜଙ୍କ ଖାଇ ତଳେ ମୁହଁ ମାଡ଼ି ପଡ଼ିଥିଲା ମିନିର ଅତି ଆଦରର ବେବି ସିଟଟି । ବାପାଙ୍କର ନେଳି ନାଲି ମିଶା ରଂଗର ସିଟଟା ଵି ଆଉ ନାହିଁ । ମିନି ସାଇକେଲ ଘଣ୍ଟିଟାକୁ ପିଲାଙ୍କ ଭଳି ଦୁଇ ତିନି ଥର ବଜେଇ ଦେଇ ଦେଖିଲା ଘଣ୍ଟିଟି ଵି ଆଉ କାମ କରୁନି । ପିଲା ବେଳେ ଏଇ ଘଣ୍ଟି ବଜାଇବା ପାଇଁ ଭାଇ ସହ କେତେ ଝଗଡା କରେ ସିଏ!!ସାଇକେଲଟାକୁ ଆଉଁଷି ଦେଉ ଦେଉ ଅନୁଭବ କରି ପାରୁ ଥିଲା ମିନି, ବାପାଙ୍କର ସେ ସ୍ନେହ ବୋଳା ସ୍ପର୍ଶକୁ ଆଉ ଫେରିଯାଉ ଥିଲା ଅତୀତର ସେଇ କୁନି ମିନି ପାଖକୁ ଯିଏ ବାପାଙ୍କ ହିରୋ ସାଇକେଲର ବେବି ସିଟରେ ବସି ଦୁଇ ଦାନ୍ତ ଦେଖେଇ ଫିକ୍ ଫିକ୍ ହସିଦିଏ । ବେବି ସିଟଟାକୁ ଉଠାଇ ଛାତିରେ ଜାକି ଧରିଲା ବେଳେ ମିନି କାନରେ ଵାଜୁଥାଏ ବାପାଙ୍କ କଥା ପଦକ ।"ଏଇଟା ସାଇକେଲ ନୁହଁରେ ବାପ, ମୋ ଜୀବନ । ଯୋଉ ଯାଏଁ ଏଇଟା ଅଛି ଜାଣିବ ମୁଁ ତମ ପାଖେ ପାଖେ ଅଛି"ସତରେ ବାପା କଣ ଏଇ ସାଇକେଲରେ ଅଛନ୍ତି!!ଆମ ପାଖରେ?କାନ୍ଦ କାନ୍ଦ ହେଇ ଆସିଲା ମିନି ଆଖିରେ ଜମାଟ ବାନ୍ଧି ଆସୁ ଥାଏ ଲୁହ । ଝାପସା ହେଇ ଆସୁ ଥାଏ ବାପାଙ୍କ ସାଇକେଲଟା। ତର ତର ହେଇ ନିଜ ପିନ୍ଧା ଓଢଣୀରେ ପୋଛି ପକେଇଲା ବାପାଙ୍କ ସାଇକେଲ ଟାକୁ ଆଉ ଗୁଣ ଗୁଣ ହେଇ ଲୁହ ମିଶା କଣ୍ଠରେ ଗାଇ ପକେଇଲା ବାପାଙ୍କ ସାଇକେଲ ଧୁଆ ଗୀତ ପଦକ...

ସାଇକେଲ ନୁହେଁ ତୁ ହିରୋ ମୋର

ସୁଖ ଦୁଃଖ ସାଥୀ ଜୀବନର...

ସ୍ୱାଗତିକା ମିଶ୍ର

ମିନି ସ୍ମୃତି ବାପା

Rate the content


Originality
Flow
Language
Cover design

Comments

Post

Some text some message..