T.Durga Prasad Rao

Tragedy


5.0  

T.Durga Prasad Rao

Tragedy


ସୁନାବୋହୁ

ସୁନାବୋହୁ

2 mins 9.0K 2 mins 9.0K

ସୁନାବୋହୁ


ନିଶାନ୍ତ ନୂଆ ବାହା ହୋଇଛି। ସୁରଭିକୁ ନେଇ ପାରୁନଥିଲା ନିଜ ସାଙ୍ଗରେ ନିଜର କର୍ମସ୍ଥଳକୁ। ଘରେ ବୃଦ୍ଧା ମାଆ। ଅବଶ୍ୟ ବଡ଼ ଭାଇ ଭାଉଜ ବୁଝୁଛନ୍ତି ତା କଥା। ତଥାପି ନୂଆବୋହୁର ସେବା ପରସା ନ ପାଇଲେ ବୁଢ଼ୀର ମନ ଗୋଳେଇ ଘାଣ୍ଟି ହେବ। ମାଆ ଖୁବ୍ ଶ୍ରଦ୍ଧା କରନ୍ତି ସାନବୋହୁକୁ। ସାଇପଡ଼ିଶାରେ କହି ବୁଲନ୍ତି ସାନବୋହୁ ତ ନୁହେଁ ସେ ମୋ ସୁନାବୋହୁ। କଥାବାର୍ତ୍ତା ବ୍ୟବହାରରେ ଭାରି ମାର୍ଜିତ। ସେ କଣ ଏମିତି ସେମିତି ଘରୁ ତା ପୁଅ ପାଇଁ ବୋହୁ ଆଣିଛି କି? ଭାବିଲା, ଆରଥରକୁ ଆସିଲେ ସୁରଭିକୁ ସାଙ୍ଗରେ ନେଇଯିବ। ଆଉ ନେଲା ବି। ସହରରେ ସୁରଭି ଓ ନିଶାନ୍ତ ରହିଲେ। ଛଅମାସ ସାତମାସରେ ଥରେ ଗାଁ ଆଡ଼େ ବୁଲି ଆସନ୍ତି। ନିଶାନ୍ତର ଇତି ମଧ୍ୟରେ ପରିବାର ବଢ଼ିଛି। ଦୁଇଟି ପୁଅ ତାର ପରିବାରକୁ ଚଳଚଞ୍ଚଳ କରିଛନ୍ତି। ନିଶାନ୍ତ ବ୍ୟାଙ୍କ୍ ଲୋନ୍ ଉଠାଇ ସହରରେ ଫ୍ଲାଟ୍.ଟିଏ ମଧ୍ୟ କିଣିଲା।

ପୁଣି ଯେତେବେଳେ ଗାଁକୁ ଯିବାର ସୁଯୋଗ ଆସିଲା, ଫେରିଲା ବେଳେ ସେ ଜିଦ୍ କଲା ମାଆ ବି ତା ସାଙ୍ଗରେ ଯାଉ। ମାଆ ପୁରା ଖୁସ୍। ସହରର ଆବହାବାରେ ରହି କିଛି ଦିନରେ ସେ ଖାଇ ପିଇ ଉଜ୍ଜଳ ଦିଶିଲେ। ମାଆଙ୍କର ଖୁସି ଦେଖି ନିଶାନ୍ତର ମନ ବି ଖୁସ୍। ତିନି ଚାରି ମାସ ଅନ୍ତେ ନିଶାନ୍ତ ଦେଖିଲା, ମାଆ ଆଉ ଆଗ ପରି ଖୁସି ନାହାନ୍ତି। ଘରର ଗୋଟିଏ କୋଣରେ ବସି ରହୁଛନ୍ତି। ଆଗର ପ୍ରଫୁଲ୍ଲତା ଆଉ ମନରେ ନାହିଁ। ସୁରଭିକୁ ପଚାରିଲା ଏହାର କାରଣ। ସେ କହିଲା, ହଁ ମୁଁ ବି ଲକ୍ଷ୍ୟ କରୁଛି ସେ ଉଦାସ ହୋଇ ବସି ରହୁଛନ୍ତି। ଆଗ ପରି କୌଣସିଥିରେ ଆଗ୍ରହ ନାହିଁ। କିଛି ଦିନ ଅପେକ୍ଷା କଲା ନିଶାନ୍ତ। କିନ୍ତୁ କିଛି ଫଳ ନାହିଁ। ଭାବିଲା ବୋଧହୁଏ ଗାଁ କଥା ମନେ ପଡୁଛି। ଭାଇ ଭାଉଜ ଓ ପିଲାମାନେ ମନେ ପଡୁଛନ୍ତି। ସେ ମାଆଙ୍କୁ ନେଇ ଦୁଇ ଦିନ ବୁଲିଆସିଲା ଗାଁକୁ। ଫେରିବା ଦିନ ମାଆ କହିଲେ, ତୁ ଏକା ଯା, ଆରଥରକୁ ଦେଖିବା। ହଉ କହି ନିଶାନ୍ତ ଫେରି ଆସିଲା। ନିଶାନ୍ତର ଏକା ଫେରିବା ଦେଖି ସୁରଭି ମନ କଷ୍ଟ କଲା। କହିଲା, ମାଆଙ୍କୁ କେମିତି ଛାଡ଼ି ଆସିଲ? ସହରର ଆବହାବାରେ ସେ ଅଭ୍ୟସ୍ତ ହୋଇ ସାରିଲେଣି, ସେଠି କଣ ଚଳିପାରିବେ? ଆରମାସରେ ଯାଇ ନେଇ ଆସ। ସୁରଭିର ମାଆଙ୍କ ପ୍ରତି ଶ୍ରଦ୍ଧା ଓ ଭଲପାଇବା ଦେଖି ନିଶାନ୍ତ ଖୁସି ହୋଇଗଲା। ଆରମାସରେ ଯେତେବେଳେ ନିଶାନ୍ତ ଗାଁରେ ପହଞ୍ଚିଲା, ମାଆ କୁନ୍ଥୁ କୁନ୍ଥୁ ହୋଇ ନିଶାନ୍ତ ସାଙ୍ଗରେ ବାହାରିଲେ। ଦୁଇ ଚାରି ଦିନ ଭଲରେ ରହିଲା ପରେ ପୁଣି ସେଇ ଅବସ୍ଥା। ନିଶାନ୍ତ ବୁଝି ପାରୁନଥିଲା ମାଆଙ୍କର ଏଠି ମନ ଲାଗୁନାହିଁ କାହିଁକି?

ଦିନେ କିଛି କାଗଜପତ୍ର ନେବା ପାଇଁ ନିଶାନ୍ତ ଅଫିସ୍ ମଝିରୁ ଚାଲି ଆସିଲା ଘରକୁ। ତା ଆଖି ଏ କଣ ଦେଖୁଛି? ପୋଛାଟିଏ ଧରି ଘୁଷୁରି ଘୁଷୁରି ଘରର ଯାବତୀୟ ଆସବାବପତ୍ର, ଚଟାଣ ଆଦି ସଫା କରିବାରେ ଲାଗିଛନ୍ତି ମାଆ। ମଝିରେ ମଝିରେ ଅଣ୍ଟା ବିନ୍ଧା ଯୋଗୁଁ କିଛି ସମୟ ଖୋଲା ଚଟାଣଟାରେ ଗଡ଼ି ପଡୁଛନ୍ତି। ଭିତର ଘରୁ ଟିଭି ଶବ୍ଦ। ତା ସହ ମଝିରେ ମଝିରେ ଶୁଭୁଛି ସୁରଭିର କର୍କଶ ସ୍ୱର, ଆଉ କେତେ ସମୟ ଲାଗିବ? ନିଶାନ୍ତର ଚକ୍ଷୁ ଆର୍ଦ୍ର ହୋଇ ଆସିଲା। ଘର ଭିତରେ ପଶି ପ୍ରଥମେ ମାଆଙ୍କ ହାତରୁ ଛଡ଼ାଇ ନେଲା ପୋଛା କନା। କୋଳେଇ ନେଲା ମାଆଙ୍କୁ। ତାପରେ ରାଗରେ ଯେମିତି ଫାଟି ପଡ଼ି ଡାକିଲା ସୁରଭିକୁ। ସୁରଭି ତଟସ୍ଥ ଅସମୟରେ ନିଶାନ୍ତକୁ ଦେଖି। ସେ କେମିତି କଣ କରି ପରିସ୍ଥିତିକୁ ସମ୍ଭାଳିବ ବୁଝି ପାରୁନଥିଲା। ସେ କିଛି ଫାନ୍ଦିବା ଆଗରୁ ନିଶାନ୍ତର ହାତ ସୁରଭିର ଗାଲକୁ ସଜୋରେ ସ୍ପର୍ଶ କଲା। ଅଶୀ ବର୍ଷର ବୁଢ଼ୀ ଘରର ଯାବତୀୟ ପୋଛା କାମ କରିବ ଆଉ ତମେ ଏଠି ଅୟସ କରିବ? ସେଥିପାଇଁ ବୋଧହୁଏ ଗତଥର ପଚାରୁଥିଲ, ମାଆଙ୍କୁ କାହିଁକି ଆଣିଲି ନାହିଁ ବୋଲି। ମାଆ ଚେଷ୍ଟା କରୁଥିଲେ ନିଶାନ୍ତକୁ ଅଟକାଇବାକୁ। ସୁରଭିର ମୁହଁ ତଳକୁ ହୋଇଯାଇଥିଲା।


ଟି.ଦୁର୍ଗା ପ୍ରସାଦ ରାଓ


Rate this content
Originality
Flow
Language
Cover Design