Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଧନୁର୍ଦ୍ଧାରୀ ବୀର
ଧନୁର୍ଦ୍ଧାରୀ ବୀର
★★★★★

© Narayan chandra Senapati

Others

4 Minutes   343    6


Content Ranking


  ସେଦିନ ସାଗର ତା ବାପା ରମାକାନ୍ତଙ୍କୁ ଉଛନ୍ନ କରି ଚାଲିଲା ସାଆଁଳାଶୁଣି ମକର ଯାତ୍ରା ଦେଖିବାକୁ। ବୁଲା ବୁଲି ଖିଆ ଖିଇ ପ୍ରାୟତଃ ସରିବା ଉପରେ। ସାଗର କହିଲା ବାପା ଆମେ ତ ଯାତ୍ରା ପଡିଆ ଆଡେ ଯାଇନାହାନ୍ତି,ଚାଲ ଯିବା।ଗୋଟିଏ ଗୋଟିଏ ଜାଗାରେ ଏତେ ଲୋକ ଭିଡ଼ ଦେଖି ସେ ଭାବୁଥାଏ ଏଇଠି କିଛି ଭଲ ଜିନିଷ ଅଛି।ତରବର ହୋଇ ଚାଲି ଦେଖିଲା,ଗୋଟିଏ ପ୍ଲାଇ ପଟା ଉପରେ ଗୋଲାକାର ଚକ୍ରି ଭଳି ଚାରି ପ୍ରକାର ରଙ୍ଗରେ ଗୋଲ,ଆଉ ତାକୁ ଲକ୍ଷ୍ୟ କରି ନିର୍ଦ୍ଦିଷ୍ଟ ଦୂରରୁ ଜଣେ ଧନୁତୀର ମାରୁଛି। ଠିକ୍ କେନ୍ଦ୍ରରେ ବଜାଇବାକୁ ଯେତେ ବି ଚେଷ୍ଟା କରୁଛି ଜମା ବାଜୁନାହିଁ। ଉତ୍କଣ୍ଠାର ସହ ସେ ଦେଖୁଥାଏ।ଜଣେ ଯୁବକ ଗୋଟିଏ କି ଦୁଇଟି ନୁହଁ,ଅଠରଟା ଶର ମାରିଲାଣି ହେଲେ ଗୋଟିଏ ବି ମଝିରେ ବାଜୁନାହିଁ। ମୁଣ୍ଡରେ ଧନୁଶର ମାରି ଅନ୍ତିମ ଉଣେଇସି ତମ ଶର ମାରିବାକୁ ଉଦ୍ୟତ। ମନରେ ବି ଆଶା ଅଛି ଜିତିବ, ବିଶ୍ୱାସ ବି ଅଛି ନିଶ୍ଚୟ ମଝି ହଳଦିଆ ରଙ୍ଗରେ ବଜାଇଦେଵ।


ସାଗର ବାପାଙ୍କୁ ପଚାରୁଥାଏ,ବାପା...ଏଥର କଣ ସେ ବଜାଇଦେଵ? ବାପା କହିଲେ ଦେଖ୍,ହୁଏତ ବଜାଇପାରେ...କିମ୍ବା ନ ବଜାଇପାରେ।ସାଗର କହିଲା, ବାପା ମୁଁ ଖେଳିବି ଦେଖିବ ଏକାଥରେ ବଜାଇଦେବି।ଏଇଟା ଗୋଟେ ଖେଳ।ମୁଁ ପରା ଢେଲା ମାରି ଚଢେଇ ବସାର ଚଢେଇ ଚିଆଁ ଓ ଅଣ୍ଡାକୁ ଖସେଇ ପକାଏ ଇଏ ପୁଣି ଏଇ ପାଖରେ।ବାଡ଼ି ମାରି ଗଛରୁ ଆମ୍ବ ଝଡେଇଦିଏ,ଦୂରରେ ଚାଲୁଥିବା କୁକୁଡାକୁ ମାରି ତଳେ ପକାଇଦିଏ, ଏଇଟା କଣ କଷ୍ଟ କହିଲ।ଏଇ ସମୟରେ ଯୁବକଟି ଶେଷ ଶରଟି ମଝିଉପରେ ଥିବା ନାଲି ବଳୟରେ ବଜାଇଲା ମାତ୍ର କେନ୍ଦ୍ରରେ ଥରେ ବି ପାରିଲା ନାହିଁ।

   

 ସାଗର ଜିଦ୍ କରି ଖେଳରେ ଭାଗ ନେଲା। ସାଗରର ପ୍ରଥମ ଶର ତଳେ ପଡ଼ିଲା।ତା ପରେ ଦୁଇଟି ଶର ଉପରର କଳା ବଳୟରେ ବାଜିଲା।ବାପା ଉତ୍ସାହିତ କରୁଥାନ୍ତି ହେଲେ ତାପରେ ଶର ବାଜିଲା ନୀଳ ବଳୟରେ।ଏଇମିତି ତିନି ଚାରି ଥର ମାରିଲା ପରେ ଗୋଟିଏ ଥର ନାଲି ବଲୟ ପାଖରେ ବାଜିଲା।ପୁଣି ଯେତେ ଚେଷ୍ଟା କଲେ ବି ସେ ମଝି ହଳଦିଆରେ ବଜାଇ ପାରିଲା ନାହିଁ।ସେ ଏଥର ନିଜେ ହୃଦବୋଧ କଲା କହିବାଟା ବହୁତ ସହଜ କିନ୍ତୁ କରିବାଟା ଖୁବ୍ କଷ୍ଟ।ହେଲେ ସେ ମନେ ମନେ ଲଜ୍ଜିତ ହେଉଥାଏ କାରଣ କେତେ ବଡ଼ବଡ଼ ହିମାଳୟ ପରି କଥା ଆସ୍ଫାଳନ କରୁଥିଲା ହେଲେ ସାମାନ୍ୟ ଶରଟାକୁ ସେ ବଜାଇ ପାରିଲା ନାହିଁ।ଅତ୍ୟନ୍ତ ଲଜ୍ଜାକର କଥା।


 ଘରକୁ ବାପାଙ୍କ ସାଥିରେ ଫେରିଲା ସାଗର, ହେଲେ ତା ମନ ଭିତରେ ଉଙ୍କି ମାରୁଥିଲା ଅନେକ ଅସମାହିତ ପ୍ରଶ୍ନ,କିପରି ଜିତିବ ତାର ତରିକା।ପଚାରିଲା ବାପା ,ଏ ଚକ୍ରି ବୋର୍ଡର ଭିନ୍ନ ରଙ୍ଗର ବୈଶିଷ୍ଟ୍ୟ କଣ ଅଛି କି?ବାପା କହିଲେ,ହଁ,ଚକ୍ରିର ସବା ଉପରର ଯେଉଁ କଳା ରଙ୍ଗ ଦେଖୁଛୁ ତାହା କଳା ଅନ୍ଧାରକୁ ବୁଝାଏ।ଯିଏ ଏକାଗ୍ରତାରେ ଶୁନ୍ୟ ତା ଶର ପ୍ରାୟତଃ ଏଇ କଳାରେ ହି ବାଜିଥାଏ।ତା ପର ରଙ୍ଗ ନୀଳ ଚିହ୍ନିତ କରେ ତାର ଏକାଗ୍ରତା ନୀଳ ଆକାଶର ବର୍ଣ୍ଣ ପରି ଖୋଲା।ଯିଏ ଲକ୍ଷ୍ୟରେ ପୁରାପୁରି ଜିଣିଷଟିକୁ ଖୋଲା ଖୋଲି ଦେଖେ,ତାର ଏଇଠି ବାଜିଯାଏ।ତାପରେ ବର୍ଣ୍ଣ ଲାଲ,ଯେ ପ୍ରତିଜ୍ଞା ପରାୟଣ ଜିତିବାର ଆଗ୍ରହ ଥାଏ ମାତ୍ର ପ୍ରତିକ୍ରିୟା ଶୀଳ ତାର ଧୈର୍ଯ୍ୟର ଅଭାବରେ ସେଇଠି ବାଜେ।ମାତ୍ର କେନ୍ଦ୍ରର ହଳଦିଆ ବର୍ଣ୍ଣ ସୂଚାଏ ସେ ମରୁଭୂଇଁରେ ଥିଲେ ବି ତାର ଲକ୍ଷ୍ୟ ମୁଁ ଚିର ସବୁଜ କରିବି,ଜିତିବି, ମୋର ବିଜୟ ଲାଭ ହିଁ ଐକାନ୍ତ ଲକ୍ଷ୍ୟ, ତାକୁ କେବଳ ସେଇ କେନ୍ଦ୍ର ହିଁ ଦେଖାଯିବ ଓ ସେ ହିଁ ଶ୍ରେଷ୍ଠ ହୋଇପାରିବ।


  ସାଗରକୁ ଏହା ଆହୁରି ବାଧିଲା,ଭାବିଲା ତା ବାପା ଜାଣି ଶୁଣି ଅପମାନ କରୁନାହାନ୍ତି ତ?କହିଲେ କୁହନ୍ତୁ,ସେ ତ ହାରିଯାଇଛି।ପୁଣି ସେ କହିଲା,ବାପା କହିଲ ଦେଖି, କ'ଣ କଲେ ଜଣେ କେବଳ କେନ୍ଦ୍ରକୁ ହିଁ ମାରିପାରିବ?


 ବାପା କହିଲେ, ଲକ୍ଷ୍ୟଭେଦ ପାଇଁ ନିଜ ଅଜ୍ଞତା,ଗର୍ବ, ବଡ଼ିମା ରୂପକ କଳା ଅନ୍ଧାରକୁ ହଟାଇବା,ନୀଳ ଆକାଶ କି ନୀଳ ସାଗର ପରି ସ୍ଵଛ ନିର୍ମଳ ହେବା, ଲାଲ ପରି ବୀର ଦାମ୍ଭିକ ହେବା ମାତ୍ର ପ୍ରତିକ୍ରିୟାଶୀଳ ନ ହୋଇ ଭାରସାମ୍ୟ ନ ହରାଇ ହଳଦିଆ ପରି ଆତ୍ମକୈନ୍ଦ୍ରିକ ତଥା ଏକନିଷ୍ଠ ହୋଇ ଏକାଗ୍ର ଚିତ୍ତରେ ଲକ୍ଷ୍ୟ ହାସଲ କରିବା।ଏଥିପାଇଁ ଦରକାର ପ୍ରଚଣ୍ଡ ଆତ୍ମବିଶ୍ୱାସ,ନିଷ୍ଠାପର ସାଧନା, ଅକ୍ଲାନ୍ତ ପରିଶ୍ରମର ଅଭ୍ୟାସ ଆଉ ଜିଗୀଶାର ଅଦମ୍ୟ ଉଚ୍ଚ ଅଭିଳାଷ।


 ସାଗର କହିଲା ବାପା,ପ୍ରକୃତରେ ଏଭଳି ନୀତିନିୟମ ମାନି,ଏଭଳି ପ୍ରତିଭାର ଅଧିକାରୀ ବ୍ୟକ୍ତି କଣ ଏ ସଂସାରରେ ଅଛନ୍ତି?

 ବାପା କହିଲେ,ହଁ ଅନେକ ଅଛନ୍ତି,ଏହା ଆଦୌ ଅସମ୍ଭବ ନୁହଁ।ଏବେ ଧନୁତୀରର ବ୍ୟବହାର ହ୍ରାସପାଇ ଗୁଳିବନ୍ଧୁକର ବ୍ୟବହାର ଚାଲିଛି।ମାତ୍ର ସମୟ ଥିଲା ଏ ଧନୁଶର ହିଁ ଥିଲା ପ୍ରାଚୀନ କାଳର ଶିକ୍ଷାର ପ୍ରମୁଖ ସୂଚକ।ତୁମେ ନିଶ୍ଚୟ ରାମାୟଣ ଓ ମହାଭାରତର କଥାବସ୍ତୁ ଶୁଣିଥିବ।ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଲକ୍ଷ୍ୟ ଜୀବନ କାଳ ଭିତରେ କେବେ ବି ଭ୍ରଷ୍ଟ ହୋଇନାହିଁ।ବତାସ ବେଗରେ ଉଡି ଉଡି ଯାଉଥିବା ରାକ୍ଷସ ମାନଙ୍କୁ ଏକାଥରକେ ନିହତ କରିପାରୁଥିଲେ ସେ।ରାବଣର ପୁତ୍ର ଇନ୍ଦ୍ରଜିତ ବି ଦୁର୍ଦ୍ଧର୍ଷ ଧନୁର୍ଦ୍ଧାରୀ ଥିଲା,ମାତ୍ର ପ୍ରଚଣ୍ଡ କ୍ରୋଦ୍ଧାଗ୍ନି ରେ ଜର୍ଜରିତ ହୋଇ ଧୈର୍ଯ୍ୟ,ସହନଶୀଳତା ହରାଇ ଏକାଗ୍ରତା ସମୟେ ସମୟେ ହରାଉଥିଲା।


 ତୁ ତ ଶୁଣିଥିବୁ ଆର୍ଯ୍ୟାଵର୍ତ୍ତର ଶ୍ରେଷ୍ଠ ଧନୁର୍ଦ୍ଧାରୀ ବୀର ଅର୍ଜ୍ଜୁନ କଥା।ସାରା ଆର୍ଯ୍ୟାବର୍ତ୍ତ ସ୍ତବ୍ଧ ଚକିତ ହୋଇଥିଲା ସେଦିନ ସ୍ଵୟମ୍ବର ସଭାରେ।ତାର( ଅର୍ଜ୍ଜୁନର) ଗାଣ୍ଡିବ ଧନୁର ଚମତ୍କାରୀତା କୁ ସମ୍ମୁଖରେ ଦେଖି ଓ ପରଖି।ତଳେ ଜଳକୁଣ୍ଡ,ପାଖରେ ଏକ ଉଚ୍ଚ ଖମ୍ବର ଅଗ୍ରରେ ଥିବା ମାଛ ଘୁରୁଛି,ମାଛର ପ୍ରତିବିମ୍ବକୁ ପାଣିରେ ଦେଖି ସେ ଉପରକୁ ମାରିଥିଲେ ଧନୁତୀର।ଯେଉଁ ତୀର ମାଛର ଆଖିର ଡୋଳାରେ ନିଃସଙ୍କୋଚରେ ବିଦ୍ଧ କରିପାରିଥିଲା।


 ଏପରି ଅଦ୍ଭୁତ କାହାଣୀ ଶୁଣି ସାଗର କହିଲା ବାପା,ଏଭଳି ଯାଦୁକାରୀ ବିଦ୍ୟା ଅର୍ଜ୍ଜୁନ କାହାଠୁ ଶିଖିଲେ କହିପାରିବ?


 ବାପା କହିଲେ ହଁ, ତୁ ବି ଶୁଣିଥିବୁ, ଆର୍ଯ୍ୟାବର୍ତ୍ତର ଶ୍ରେଷ୍ଠ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ଠାରୁ।ଗୁରୁଙ୍କର ସେ ଥିଲେ ଶ୍ରେଷ୍ଠ ଆଦର୍ଶ ଶିଷ୍ୟ।ଗୁରୁଙ୍କ ଵଚନ ଥିଲା ତାଙ୍କ ଧର୍ମପୁସ୍ତିକା।ଖାଲି ସେତିକି ନୁହଁ ରାତିରେ ଅନ୍ଧକାରରେ ଜିନିଷକୁ ଶରବିଦ୍ଧ କରି ସଫଳ ହେଉଥିଲେ ସେ।ଶ୍ରୀରାମଙ୍କ ପରି ଅର୍ଜ୍ଜୁନ ବି ଥିଲେ ଏଭଳି ଏକନିଷ୍ଠ ଧନୁର୍ଦ୍ଧାରୀ।


  ବାପା, ସେ ଏକଲବ୍ୟ ଓ କର୍ଣ୍ଣ ଏ ଦୁହେଁ କ'ଣ ଅର୍ଜ୍ଜୁନ ପରି ଧନୁର୍ଦ୍ଧାରୀ ନ ଥିଲେ?


  କିଏ କହିଲା ନ ଥିଲେ,କର୍ଣ୍ଣ ତ ଏଭଳି ଧନୁର୍ଦ୍ଧାରୀ ଥିଲା ସେ ଅର୍ଜ୍ଜୁନ ରଥରେ ଥିବା ସାରଥୀ ସ୍ୱୟଂ ଭଗବାନଙ୍କୁ ରଥ ସହ ବାର ହାତ ଦୂରରେ ପକାଇଦେଇଥିଲା।ହେଲେ ପିତା ମାତା ବଂଶ ପରିଚୟ ନ ଥାଇ ଅଭିଶପ୍ତ ଓ ହିଂସ୍ର ହୋଇଯାଇଥିଲା ସେ। ପରିସ୍ଥିତି,ପରିବେଶ ଓ ସମାଜ ତାଠାରୁ ଶ୍ରେଷ୍ଠ ଆସନ ଛଡେଇ ଆଣିଥିଲା।ଜୀବନ ସାରା ଲଜ୍ଜା ଅପମାନରେ ଜଳିଜଳି ନିଜକୁ ଦଗ୍ଧ କରିଦେଇଥିଲା ସେ। ଯଦ୍ୱାରା ପ୍ରତିଭାର ଗନ୍ତାଘର ଥାଇ ବି ଶେଷ୍ଠ ହୋଇପାରିନଥିଲା ତା ଅସହିଷ୍ଣୁ ଭଵ ପାଇଁ।


 ଏକଲବ୍ୟ ତ ଥିଲା ଯୋଗଜନ୍ମା,ବିନା ଗୁରୁରେ କେବଳ ଅନେକ ଯୋଜନରେ ଗୁରୁଙ୍କ ପଦ ଓ ହସ୍ତ ଚାଳନା ଅନୁକରଣ କରି ହୋଇପାରିଥିଲା ଏଭଳି ଧନୁର୍ଦ୍ଧାରି ବିଦ୍ୟାକୁ ଅଭିନନ୍ଦନ କରିଥିଲା ସାରା ପୁଣ୍ୟମୟୀ ଆର୍ଯ୍ୟଭୂମି ଭାରତବର୍ଷ।କେବଳ ସେତିକି ନୁହଁ ଗୁରୁଦକ୍ଷିଣା ସ୍ୱରୂପ ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଠି କାଟି ଦେଇ ବି ଅନ୍ୟ ଆଙ୍ଗୁଠିରେ ଧନୁ ତୀର ମାରି କେବେ ବି ଲକ୍ଷ୍ୟଭ୍ରଷ୍ଟ କରିବାକୁ ଦେଇ ନଥିଲା।


 ପ୍ରତିଭା ସହ ଗୁରୁଭକ୍ତି,ଉଦାରଚେତା ହିଁ ବ୍ୟକ୍ତିକୁ ଏକନିଷ୍ଠ ସାଧକ ଗଢି ତୋଳେ,ଯିଏ ଜୀବନର ପ୍ରତିମୁହୂର୍ତ୍ତରେ କେବଳ ନିଜ ଲକ୍ଷ୍ୟକୁ ମାଛର ଆଖିର ଡୋଳା ଅର୍ଜ୍ଜୁନକୁ ଦେଖାଗଲା ପରି ଦେଖାହେବ।ଆତ୍ମବିଶ୍ୱାସ ଓ ଅଭ୍ୟାସ ହିଁ ବ୍ୟକ୍ତିର ମୁଖ୍ୟ କାରକ।ତୁମେ ଯଦି ଏସବୁ ଗୁଣର ଅଧିକାରୀ ହୁଅ କେବଳ ଏ ମକର ମେଳାର ଚକ୍ରିକୁ ଶରବିଦ୍ଧ କରିବା ନୁହଁ ଜୀବନର ପ୍ରତି କର୍ମ ଚକ୍ରର କେନ୍ଦ୍ରବିନ୍ଦୁଙ୍କୁ ଅକ୍ଳେଶରେ ଶରବିଦ୍ଧ କରି ଧନୁର୍ଦ୍ଧାରୀ ବୀର ହୋଇ ସଫଳତାର ହିମାଳୟ ଶିଖରକୁ ସହଜରେ ଛୁଇଁପାରିବ।


 ସାଗର ନିଜକୁ ଅନ୍ତର୍ଦ୍ଦଶନ କରିପାରିଲା।ସମସ୍ତ ପ୍ରତିଭାର ଅଧିକାରୀ ହେବାପାଇଁ ସଂକଳ୍ପବଦ୍ଧ ହେଲା।ବାପା କହିଲେ,ଏଥର ଆମ ସାଗର ନିଶ୍ଚୟ ଧନୁର୍ଦ୍ଧାରୀ ବୀର ହୋଇପାରିବ।


ବାପା ସାଗର ଧନୁର୍ଦ୍ଧାରୀ ଅର୍ଜ୍ଜୁନ

Rate the content


Originality
Flow
Language
Cover design

Comments

Post

Some text some message..