Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଉଜୁଡ଼ା ଆକାଶ

Tragedy

6 Minutes   581    55


Content Ranking

କିଛି କଥା,କିଛି ବ୍ୟଥା:

ଉଜୁଡ଼ା ଆକାଶ

========

" ଏତଦ୍ୱାରା ଉପର ସାହି ବସ୍ତିର ବାସିନ୍ଦା ମାନଙ୍କୁ ଅବଗତ କରାଇ ଦିଆ ଯାଉଛି ଯେ ରାଜ୍ୟ ସରକାରଙ୍କର ସହରାଞ୍ଚଳ ବିକାଶ ତଥା ନଗର ଉନ୍ନୟନ ବିଭାଗ ଓ ଅଳକାପୁରୀ ପୌରପାଳିକା ର ଯୁଗ୍ମ ନିର୍ଦ୍ଦେଶ କ୍ରମେ ଆସନ୍ତା କାଲି,ସୋମବାର ସକାଳ ଦଶ ଘଟିକା ସମୟରୁ ଉପରସାହି ବସ୍ତି ଉଚ୍ଛେଦ ଆରମ୍ଭ କରାଯିବ।

ଆପଣ ମାନଙ୍କୁ ବିଶେଷ ଅନୁରୋଧ, ଆପଣମାନେ ସମସ୍ତେ ନିର୍ଦ୍ଧାରିତ ସମୟ ପୂର୍ବରୁ ନିଜ ନିଜର ବାସଗୃହ ଭାଙ୍ଗି ସେଥିରେ ବ୍ୟବହୃତ ସାମଗ୍ରୀ ତଥା ଘରେଥିବା ଆବଶ୍ୟକୀୟ ଆସବାବପତ୍ର ଏବଂ ଅନ୍ୟାନ୍ୟ ପଦାର୍ଥ ଇତ୍ୟାଦି ନିଜସ୍ଵ ଖର୍ଚ୍ଚରେ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ସହ ବସ୍ତି ଉଚ୍ଛେଦ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବେ ।" ଘୋଷଣା ସାରି ପ୍ରଚାର ଗାଡି ଯିବା ପରେପରେ ପୁଣି ପୂର୍ବପରି ଚଳ ଚଞ୍ଚଳ ହେଇ ଉଠିଲା ଉପର ସାହି ବସ୍ତି।

ଏମିତି ଘୋଷଣା କିଛି ନୂଆ କଥା ନଥିଲା। ପ୍ରତିବର୍ଷ ଥରେ ଦି'ଥର ଘୋଷଣା ହୁଏ। ବିଶେଷ କରି ସାଧାରଣ ନିର୍ବାଚନ ଯେଉଁବର୍ଷ ହେବାର ଥାଏ ସେବର୍ଷ ଏମିତି ପ୍ରଚାର ସୁନିଶ୍ଚିତ। ତେବେ,ପ୍ରଚାର ଗାଡି ଚାଲିଯିବା ପରେପରେ ଖଦଡ଼ ପିନ୍ଧା ନେତା ଜଣେ ଆସି ବସ୍ତି ମୁଖିଆଙ୍କ ଘରେ ପହଞ୍ଚି ଯାଆନ୍ତି। ମୁଖିଆ ପିଲାମାନଙ୍କୁ ପଠାଇ ପ୍ରତୀଘର ର ମୁଣ୍ଡିଆଳ ମାନଙ୍କୁ ଡକାଇ ଆଣିବା ପରେ ନେତା କୁହନ୍ତି " ଏଥର ସମସ୍ୟା ଭାରି ଜଟିଳ। ସରକାରଙ୍କ ଉପରେ ବିରୋଧୀଙ୍କ ପ୍ରବଳ ଚାପ ବସ୍ତି ଉଚ୍ଛେଦ କରି ସହରକୁ ବସ୍ତିମୁକ୍ତ କରିବା ପାଇଁ। ସରକାରଙ୍କର ଇଛା ନଥାଇ ମଧ୍ୟ ବସ୍ତି ଉଚ୍ଛେଦ କରିବା ପାଇଁ ବାଧ୍ୟ ହେଉଛନ୍ତି। କଣ କରିବା ତମେମାନେ ଏବେ କୁହ।"

ଲୋକମାନେ କେହିକିଛି ନକହି ପରସ୍ପର ମୁହଁକୁ ଚାହିଁବା ଭିତରେ ମୁଖିଆ କୁହନ୍ତି , " ଆଜ୍ଞା, ଗରିବ ଲୋକମାନେ ଏମାନେ। ନିଜର କୋଉ ଜାଗାବାଡି ଅଛି ନା ଘରଦ୍ୱାର। ଖଟିଲେ ଖାଇବେ। ଆପଣ ତ ଏମାନଙ୍କର ମା'ବାପ। ଆପଣ କିଛି ଗୋଟେ କରନ୍ତୁ। ନହେଲେ ଭାସିଯିବେ ଆଜ୍ଞା। "

ନେତାବାବୁ କିଛି ସମୟ ଗୁମ ହେଇ ବସିବା ପରେ ସମବେଦନା ଭରା କଣ୍ଠରେ କୁହନ୍ତି," ହେଲା ବାବୁ ହେଲା, ତମ ମାନଙ୍କ ପାଇଁ ଏତେ କରିଛି ଯେତେବେଳେ ଏବେ କଣ ଭାସି ଯିବାକୁ ଦେବି? କିଛି ତ ଗୋଟେ ବାଟ ବାହାର କରିବାକୁ ପଡିବ ଯେମିତି ହେଉ।

ଆଛା, ତମେମାନେ ଗୋଟେ କାମ କର। କାଲି ସକାଳେ ଠିକ ସାଢ଼େ ନଅଟା ରୁ ସାଢ଼େ ଦଶଟା ଯାଏଁ ବସ୍ତିର ଯେତେ ମାଇକିନିଆ ଲୋକ ଆଉ ଛୋଟପିଲା ଅଛ ସମସ୍ତେ ଯାଇ ଗଣ୍ଠିମୁଣ୍ଡ ଛକରେ ରାସ୍ତା ଉପରେ ଏମୁଣ୍ଡୁ ସେମୁଣ୍ଡ ଯାକେ ଲମ୍ବଖମ୍ବ ହେଇ ଶୋଇଯାଇ ସ୍ଲୋଗାନ ଦେବ,

' ଗରୀବ ଉପରେ ସରକାର ତମ ଅବିଚାର ଆମେ ସହିବୁ ନାହଁ।

ଜୀବନ ପଛେ ହରେଇ ଦେବୁ ବସ୍ତି ଭଙ୍ଗାଇ ଦେବୁନାହିଁ।

କରିଛୁ ପଣ ମରିବୁ ପଛେ ନ୍ୟାଯ୍ୟ ଦାବୀ ଛାଡ଼ିବୁ ନାହିଁ।

ସ୍ଥାୟୀ ପଟ୍ଟା ଆମର ଦାବୀ ସରକାର ତମେ ମାନିନିଅ।..........."

ତାପରେ ପୋଲିସ ଆସିବ। ପୋଲିସ ବାଲା ବାବୁମାନେ ଧମକ ଚମକ ଦେବେ। ହେଇପାରେ, ମୃଦୁ ଲାଠି ଚାଳନା ବି କରିବ ପୁଲିସ। ହେଲେ, ତମେ ରାସ୍ତାରୁ ଇଞ୍ଚେ ମଧ୍ୟ ଘୁଂଚିବ ନାହିଁ। ବ୍ୟସ୍ତ ହେବାର କିଛି ନାହିଁ। କିଛି ସମୟ ଛାଡି ମନ୍ତ୍ରୀଙ୍କୁ ସାଥିରେ ଧରି ମୁଁ ସେଠି ପହଞ୍ଚିବି ଆଉ କିଛିଗୋଟେ ସମାଧାନ କରିଦେବି। ମେଡିଆ ବାଲା ପଚାରିଲେ କହିବ 'ଆମେ ଦି'ପୁରୁଷ ହେଲାଣି ସେଠି ରହି ଆସୁଛୁ। ଆମର ଭୋଟ୍ ପରିଚୟ ପତ୍ର, ରାସନ କାର୍ଡ, ବିଦ୍ୟୁତ ସଂଯୋଗ, ଆମ ପିଲାପିଲିଙ୍କର ଜନ୍ମ ପ୍ରମାଣପତ୍ର ,ସ୍ୱାସ୍ଥବୀମା କାର୍ଡ-ସବୁଥିରେ ସେଇ ଠିକଣା ଅଛି ।ଆମକୁ ବାରମ୍ବାର ପ୍ରତିଶ୍ରୁତି ଦେଇ ସରକାର ଏପର୍ଯ୍ୟନ୍ତ ଜମି ପଟ୍ଟା ନ ଦେଇ ଏବେ ଆମକୁ ବେଘର କରିବାକୁ ବସିଛନ୍ତି। ହେଲେ ଏକଥା ଯେମିତି ନ ଭୁଲ,ସେମାନେ ଯେତେ ବୁଲେଇବଙ୍କେଇ ପଚାରିଲେ ମଧ୍ୟ ଭୁଲରେ ମୋ ନାଆଁ ନେବନାହିଁ। କିନ୍ତୁ,ମୋତେ ସମସ୍ତେ ନିୟମ କରି ଗୋଟେକଥା ଦିଅ ଯେ ଏ ବସ୍ତିରୁ ଗୋଟିଏ ବି ଭୋଅଟ ଯେମିତି କୁଆଡେ ନ'ଯାଏ।"

ତା ପରେପରେ ରିହାରସଲ ମୁତାବକ ସବୁକିଛି ହେଇଯାଏ। ସାପ ମରେନାହିଁ କି ବାଡ଼ି ଭାଙ୍ଗେନାହିଁ। ଏ ବସ୍ତିର ଲୋକମାନେ କିନ୍ତୁ ଭାରି ବିଶ୍ୱସ୍ତ। ରାଜ୍ୟ-ରାଜା,ଶାସନ-ପ୍ରଶାସନ କିଛି ବୋଲି କିଛି ବୁଝନ୍ତି ନାହିଁ ଏମାନେ । ସେମାନେ ମୁଣ୍ଡ ବିକିଦେଇ କବନ୍ଧ ପାଇଁ ବଞ୍ଚି ରହିଛନ୍ତି କେବଳ।

ସନ୍ଧ୍ୟା ଯାଇ ରାତି ହେଲାଣି, ଏଯାଏଁ ନେତାବାବୁ ଆସିଲେ ନାହିଁ ଯେ ! କାଲି ସକାଳର କାର୍ଯ୍ୟକ୍ରମ କିଏ ବତାଇବ ? ମୁଖିଆ ଫୋନ ଲଗେଇ ଲଗେଇ ଥକିଲେଣି, ବାବୁ ଫୋନ ଉଠାଉ ନାହାଁନ୍ତି କି ନିଜେ ଫୋନ ମଧ୍ୟ କରୁନାହାଁନ୍ତି ! ବସ୍ତି ସଂଘ ସଭାପତି ଓ ସାଧାରଣ ସମ୍ପାଦକ ମୁଖିଆଙ୍କୁ କହିଲେ," ବୁଝିଲ ସମ୍ପଦ ଭାଇ,ଏଥରର ଖେଳ କାହିଁକି ଅଲଗା ଲାଗୁଛି । ଶୁଣାଯାଉଛି, ଏ ସରକାର ଏଥର କ୍ଷମତାକୁ ଆସି ପାରିବନାହଁ। ବିରୋଧୀ ଦଳ ଆମର ଏ ଉତ୍ତର ଅଳକାପୁରୀ ଆସନରୁ ଜିତିବା ପକ୍କା। ଆଉ ଏ ବସ୍ତିକୁ ବଞ୍ଚେଇ ହେଲାଭଳି ଲାଗୁନି। କଣ କରିବା? କିଛି ଗୋଟେ ଉପାୟ ପାଞ୍ଚ ଭାଇ।"

ମୁଖିଆ ଓରଫ ସମ୍ପଦ ଦାସ ଏହି ବସ୍ତିର ପ୍ରଥମ ବାସିନ୍ଦା। ଏକସ୍ତରୀ ମସିହାର ବଡ଼ବାତ୍ୟାରେ ଘରଦ୍ୱାର ହରେଇବା ପରେ ପୁଣିଥରେ ପାରିଉଠିବା ଆଶାରେ ତା ପରବର୍ଷ ଘରର କଂସା ବାସନ ବିକିଭାଙ୍ଗି କଟିଆ ନନା ଙ୍କ ଜମିରୁ ପାଞ୍ଚ ମାଣ ଗହୀର ଜମି ଭାଗକୁ ଆଣି ଚାଷ କରିଥିଲେ। ଦଇବ ଦାଉ ସାଧିଲା ଠିକ ଫସଲ ଅମଳ ମୁଣ୍ଡିଆ । ଲଘୁଚାପ ଜନିତ ଲଗାଣ ବର୍ଷା ଛାଡିବା ଆଗରୁ ଏକାସାଙ୍ଗରେ ବ୍ରାହ୍ମଣୀ ଓ ବୈତରଣୀ ର ବନ୍ୟା ମାଡ଼ିଆସି ସମ୍ପଦ ଦାସ ର କପାଳକୁ ଡୁବେଇ ଦେଲା ଅକାତ ପାଣିରେ। ଚାଷୀ ଦିହ ମେହେନତ କରି ସୁନାର ଫସଲ ଫଳାଇବାକୁ ଚାହେଁ ହେଲେ, ଫଳେ ତା କରମ। ପକ୍ଷେ ପାଖାପାଖି ବୁଡି ରହିବା ପରେ ପୁନେଇଁ ବାସୀ ତିଆସି କୁ ପାଣି ଛାଡିଲା ପରେ ସମ୍ପଦ ଦାସ ବିଲକୁ ଯାଇ ଦେଖିଲା ବେଳକୁ ଚାରିମାସର ହାଡଭଙ୍ଗା ମେହେନତ ବେକ ମୋଡି ପଡିଥିଲା ପଚପଚ ପାଣି କାଦୁଅରେ। ଆଉ ଆଗକୁ ପଛକୁ ନଚାହିଁ ସେଇ ହପ୍ତା ଭିଟାମାଟି ଖଣ୍ଡକ କଟିଆ ନାନାଙ୍କ ପାଖରେ ସାତଶହ ପଚାଶ ଟଙ୍କାରେ ବନ୍ଧକ ଦେଇ ହାତ ଉଧାର ଓ ଭଲମନ୍ଦ ଯାହାକିଛି ଥିଲା ପରିଶୋଧ କଲାପରେ ଯୋଉ ତିନି-ଚାରି ଶହ ବଳିଲା ତାକୁ ଅଣ୍ଟାରେ ଗୁଞ୍ଜି କାମଧନ୍ଦା କରି କିଛି କମେଇବା ଲକ୍ଷରେ ଚାଲି ଆସିଥିଲା ଏହି ସହରକୁ। ସହରରେ ଘର ବହୁତ ଥାଏ,ବହୁତ ଘର ଖାଲି ମଧ୍ୟ ପଡିଥାଏ କିନ୍ତୁ ଅଣ୍ଟି ରେ କଉଡ଼ି ନଥିଲେ ସେସବୁ ଘରକୁ ଚାହିଁବା ପାପ। ଫୁଟପାଥରେ,ମନ୍ଦିର ପାଖ ପିଣ୍ଡିରେ ଆହୁରି କୋଉଠି କୋଉଠି ଶୋଇ ମାସେଖଣ୍ଡେ କାଟିଲା ପରେ ଏଇ ଜଙ୍ଗଲ ପାଖ ମୁଣ୍ଡିଆ ଉପରେ ଡାଳ ପନକା କାଟିବାନ୍ଧି କୁଡ଼ିଆଟିଏ ବନେଇ ରହିଲା ପରେ ୟାଡେସାଡେ ବୁଲି କାମଧନ୍ଦା କରି ଦି ପଇସା ରୋଜଗାର କରି ଗୁଜୁରାଣ ମେଣ୍ଟାଇବାକୁ ସକ୍ଷମ ହେଲାପରେ ତାଆରି ପରି ହୀନ କପାଳିଟିଏ କୁ ନେଇ ସଂସାର ଆରମ୍ଭ କରିଥିଲା। ନଦେଇ ନଦେଇ ବିବାହର ବାରବର୍ଷ ପରେ ଈଶ୍ୱର ପିଲାଟିଏ ଦେଲେ ଯେ ନଦେବାଠୁଁ ବଳି। ଆର୍ଥିକ ଅକ୍ଷମ ବାପା କୋଳରେ ଭିନ୍ନକ୍ଷମ ସନ୍ତାନ ବେଡି ଉପରେ କୋରଡା ପରି। ତେବେ, ସମ୍ପଦ ଈଶ୍ୱରଙ୍କ ଉପରେ ବହୁବାର ଅଭିମାନ କରିଛି ସିନା ଥରେହେଲେ କେବେ ରାଗିନାହିଁ।

ସମ୍ପଦ ଦାସ କୁଡ଼ିଆ କରି ରହିବା ପରେ ତା'ରି ପରି ପୋଡ଼ାକପାଳିଆ ଆଉକିଛି ଜଣକ ପରେ ଜଣେ ଆସି ସେଇଠି ଡେରା ପକାଇବା ଆରମ୍ଭ କରିଦେଲେ। ସମ୍ପଦ ଦାସ ବାସୀରେ କା କୁଡ଼ିଆ ତିଆରିରେ ହାତ ନଦେଇଛି ଏମିତି ନାହିଁ। ଆଜି ସେଇ ବସ୍ତିରେ ତିନିଶହରୁ ଅଧିକ ପରିବାର ରୁହନ୍ତି। ବସ୍ତିକୁ ରାସ୍ତାଘାଟ ହେଇଛି,ବିଜୁଳି ପାଣି ଯୋଗାଣ ହେଇଛି, ମନ୍ଦିର, ସ୍କୁଲ,କ୍ଲବ,ଦିସ୍ପେନସରି ସବୁକିଛି ହେଇଛି। ଯାହାକିଛି ବି ହେଇଛି ସେ ସବୁଥିରେ ସମ୍ପଦ ଦାସ ର ଉଦ୍ୟମ ଓ ନିଷ୍ଠା ନିଶ୍ଚୟ ରହିଛି । ଭଲରେ ମନ୍ଦରେ ସମସ୍ତଙ୍କ ପାଖରେ ଠିଆ ହେଇଛି ବୋଲି ସାନଠୁଁ ବଡ଼ ସମସ୍ତଙ୍କର ଭାଇ ସିଏ ଆଜି,ବସ୍ତିର ମୁଖିଆ।

କିଛି ସମୟ ଚୁପଚାପ ବସିବା ପରେ ସମ୍ପଦଭାଇ ଗଳା ସଫା ନକରି କହିଲେ," ଉପାୟ ଆଉ କଣ, ସେଇ ଉପାୟ।ସବୁଥର ପରି ଏଥର ମଧ୍ୟ ସେଇ ଏକା ଉପାୟ ମାତ୍ର ଏଥର ପିଲାପିଲି ଆଉ ମାଇପି ଲୋକ ଯିବେନାହିଁ। ସକାଳୁ ପିଲାମାନଙ୍କୁ ସ୍କୁଲକୁ ପଠେଇ ଦେଇ ମାଇପି ମାନେ ଘରେ ରହିବେ ।ଆମେ ଯେତେ ମିଣିପି ଲୋକ ଗଣ୍ଠିମୁଣ୍ଡ ଛକକୁ ଯାଇ ରାସ୍ତା ଉପରେ ଶୋଇବା। ତାପରେ ଯାହାହେବ ଦେଖାଯିବ। ସରକାରୀ ଦଳର ନେତାମନ୍ତ୍ରୀ ନ ଆସିଲେ ବିରୋଧୀ ଦଳ ନେତା ତ ଆସିବେ। ଆମ ହାତରେ ଭୋଟ୍ ଅଛି ଆଉ ଭୋଅଟ କାହାକୁ କଣ ପିତା ଲାଗିଲାଣି କେବେ ?"

ମୁଖିଆଙ୍କ କଥାରେ ଦମ ଥିଲାଭଳି ଲାଗିଲା,ସହଜରେ ବୁଝିହେଇଗଲା ମଧ୍ୟ। ରାତାରାତି ବସ୍ତିର ଘରେ ଘରେ ଯୋଜନା ବିଷୟରେ ଜଣାଇ ଦିଆଗଲା। ରାତି ବଢ଼ିବା ସଙ୍ଗେସଙ୍ଗେ ଆଶ୍ୱସ୍ତ ବସ୍ତି ଭିତରେ ସଂଶୟ ମୁକ୍ତ ନିଦ ଖେଳିଗଲା।

ଗଣ୍ଠିମୁଣ୍ଡ ଛକରେ ରାସ୍ତା ଉପରେ ଶୋଇଥିଲେ ତିନିଶହ ପାଖାପାଖି ଲୋକ। କିଛିଲୋକ ଚକା ପକାଇ ବସି ସ୍ଲୋଗାନ ଦେଉଥିଲେ,"ମରିବୁ ପଛେ ଛାଡ଼ିବୁ ନାହିଁ......" ପୋଲିସ ଜିପ ଆଉ ବଡ଼ବଡ଼ ପୋଲିସ ଭ୍ୟାନ କେତୋଟି ଆସି ଅଟକିଲା ଛକରେ।

ଭ୍ୟାନରୁ ଓହ୍ଲେଇ ଲାଠି ଧରି କନେଷ୍ଟବଳ ମାନେ ଚାରିକଡେ ବେଢ଼ିଗଲା ପରେ ଘୋଷଣା କରାଗଲା, "ରାସ୍ତା ଅବରୋଧକାରୀ ମାନଙ୍କୁ ଅନୁରୋଧ, ଆପଣ ମାନେ ଯଥାଶୀଘ୍ର ସମ୍ଭବ ରାସ୍ତା ରୁ ଉଠିଯାଇ ଅଟକି ରହିଥିବା ଯାନବାହନ ଗୁଡିକୁ ସ୍ୱଚ୍ଛନ୍ଦରେ ଚାଲିବାକୁ ଦିଅନ୍ତୁ। ଅନ୍ୟଥା, ବାଧ୍ୟହୋଇ ପୁଲିସ ଆଇନ ମୁତାବିକ ଦମନମୂଳକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟହେବ।"

ମୁଖିଆ ସମ୍ପଦଭାଇ ଛିଡାହେଇ କହିଲେ," ଭାଇମାନେ, ଆମ ମାନଙ୍କ ହକ୍ ର ଏ ଲଢେଇ ସେପର୍ଯ୍ୟନ୍ତ ଜାରୀ ରହିବ ଯେତେବେଳେ ଯାଏଁ ସରକାର ଆମର ଦାବୀକୁ ମାନିନେଇ ନାହାଁନ୍ତି। ଜୀବନ ଚାଲିଗଲେ ମଧ୍ୟ କେହି ବି ରାସ୍ତାରୁ ହଟିବା ନାହିଁ। ଆମେ ସରକାରଙ୍କୁ ଭୋଟ୍ ଦେଇ ଆସିଛନ୍ତି, ଦେବା ମଧ୍ୟ। ନେତା ବାବୁଙ୍କ ଦେଇଥିବା ପ୍ରତିଶ୍ରୁତି ପାଳନ କରି ତାଙ୍କ ଦଳକୁ ଭୋଟ୍ ଦେଇ ଜିତାଇ ଆସିଛନ୍ତି ଦୀର୍ଘ ଉଣେଇଶ ବର୍ଷ ଧରି। ଏବେ ସେ ତାଙ୍କର ପ୍ରତିଶ୍ରୁତି ରକ୍ଷା କରନ୍ତୁ,ଜମି ପଟ୍ଟା ଦେଇ ଆମ ବସ୍ତିରେ ଆମକୁ ସ୍ଥାୟୀ କରନ୍ତୁ।....."

"ଲାଠିଚାର୍ଜ"-ଅର୍ଡର ପାଇବା ମାତ୍ରେ ଚାରିକଡରୁ ମାଡି ଆସି ନିସ୍ତୁକ ପ୍ରହାର ଆରମ୍ଭ କରିଦେଲେ ପୁଲିସ ବାବୁମାନେ। ଜଣଜଣ କରି ସମସ୍ତଙ୍କୁ କାବୁକରି ଭ୍ୟାନ ଭିତରକୁ ଉଠେଇ ନେଇ ସହରର ଭିନ୍ନଭିନ୍ନ ଥାନା ମାନଙ୍କରେ ଭର୍ତ୍ତି କରିବାକୁ ନେଲାବେଳେ ଚାରିଚାରିଟା ବୁଲଡୋଜର ଗଣ୍ଠିମୁଣ୍ଡ ଛକ ଦେଇ ଉପର ସାହି ବସ୍ତି ଆଡକୁ ମାଡି ଯାଉଥିଲେ। ସମ୍ପଦ ଭାଇ ଆଖି ସାମ୍ନାରେ ବସ୍ତିର କୁଡ଼ିଆ ସବୁ ମଡ଼ମଡ଼ ଶବ୍ଦକରି ମାଟିରେ ମିଶି ଯିବାର ଦୃଶ୍ୟ ଭାସି ଉଠିଲା। ବସ୍ତିର ମାଇପିମାନଙ୍କର ଆଖିରେ ଖୋଲା ଆକାଶର ଶୁନ୍ୟତା ବୋଝହେଇ ଲଦି ହେଇ ପଡ଼ିଲା ସମ୍ପଦ ଦାସ ର ଦୁର୍ବଳ କାନ୍ଧ ଉପରେ। ସେ ଦେଖିଲା, ସ୍କୁଲରୁ ଫେରିଥିବା ଭୋକିଲା ପିଲାମାନେ ବିକଳ ହେଇ ନିଜନିଜର ଘର ଖୋଜୁଛନ୍ତି ,ପାଉ ନାହାଁନ୍ତି ବୋଲି ବ୍ୟସ୍ତ ହେଇ ଯାଉଛନ୍ତି। ମୁଖିଆ ସମ୍ପଦଭାଇ ବଡ଼ଜୋରରେ ଚିତ୍କାର କରି କିଛି କହିବାକୁ ଚାହୁଁଥିଲେ ମାତ୍ର ତାଙ୍କ ମୁହଁରୁ କୌଣସି ଶବ୍ଦ ବାହାରୁ ନଥିଲା। ସେ ଆଉଥରେ ଚେଷ୍ଟା କଲେ ,ଏଥର ଶବ୍ଦ ସିନା ବାହାରିଲା ନାହିଁ

ନାକ ଓ ପାଟିରୁ ବାହାରି ଆସିଲା ଚଉଳେ କଞ୍ଚା ରକ୍ତ। ଆଖି ଭିତରୁ ଡୋଳା ଦୁଇଟି ବଡହେଇ ସାମାନ୍ୟ ଆଗକୁ ଆସି ହଠାତ ସ୍ଥିର ହେଇଗଲେ। ପର ମୁହୂର୍ତ୍ତରେ, ଭ୍ୟାନ ଭିତରେ ନିଶବ୍ଦ ହେଇଗଲା ଉପରସାହି ବସ୍ତି।

-----------©------

ରଚନା:ବିନୟ ଭୂଷଣ ପାଣିଗ୍ରାହୀ(ମିଟୁ)

ହରସିଂହ ପୁର,ପିରହାଟ ବଜାର,ଭଦ୍ରକ, ଓଡ଼ିଶା-୭୫୬୧୩୧

ଭ୍ରାମ୍ୟଭାଷ କ୍ରମାଙ୍କ:

୯୯୩୭୫୪୮୪୩୧

୯୪୩୮୬୭୦୧୨୦

---(ବର୍ତ୍ତମାନର ଠିକଣା)---

ପ୍ଲଟ ନଂ-୩୪୨,ସେକ୍ଟର-୫

ଲେନ-୩,ନିଳାଦ୍ରୀ ବିହାର,

ଚନ୍ଦ୍ରଶେଖର ପୁର,ଭୁବନେଶ୍ୱର-୭୫୧୦୨୧

ଶିକ୍ଷାଗତ ଯୋଗ୍ୟତା:

ଏମ.କମ, ଏମ.ବି.ଏ, ଏଲ.ଏଲ.ବି, ଡି. ସି.ଏ.

ପିତା:ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ପାଣିଗ୍ରାହୀ

ମାତା:ଶ୍ରୀମତୀ ଉମାମଣି ପାଣିଗ୍ରାହୀ

ଆକାଶ ପୋଲିସ ସଭାପତି

Rate the content


Originality
Flow
Language
Cover design

Comments

Post

Some text some message..