Quotes New

Audio

Forum

Read

Contests


Write

Sign in
Wohoo!,
Dear user,
କପିଳାର କାଳୀପୂଜା
କପିଳାର କାଳୀପୂଜା
★★★★★

© Lopamudra Mishra

Others Tragedy

10 Minutes   7.3K    24


Content Ranking

ମୁଣ୍ଡହତା ଶାସନର ନବକିଶୋର ଶତପଥିଙ୍କ ଚାରିଗୋଟି ସନ୍ତାନ ସନ୍ତତି ମଧ୍ୟରୁ କପିଳା ସର୍ବକନିଷ୍ଠ । ଜେଜେମା ନାଁଟି ରଖିଥିଲା 'କପିଳେନ୍ଦ୍ର ଶତପଥୀ ' । ସ୍କୁଲରେ ବି ସେହି ନାଁ ଅଛି କିନ୍ତୁ ସଭିଏଁ ଡାକନ୍ତି 'କପିଳା' । କେହି କେହି ମଧ୍ୟ କପିଳ ଡାକନ୍ତି । କପିଳା ନିକଟସ୍ଥ ଦଶରଥପୁର ସରକାରୀ ଉଚ୍ଚ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଛାତ୍ର, ଅବଶ୍ୟ ସେ ସେହି ଶ୍ରେଣୀରେ ଗତ ଦୁଇବର୍ଷ ହେଲା ପଢିଆସୁଛି । କେହି ଚିହ୍ନ। ପରିଚିତ ଲୋକ ତାକୁ ଯଦି କେବେ ପଚାରିଦିଅନ୍ତି, "ଆରେ ତୁ ସେହି ସପ୍ତମ ରେ ପରା ଆରବର୍ଷ ବି ପଢ଼ୁଥିଲୁ । କଣ ଆଉଥରେ ସେହି ସପ୍ତମ? ଫେଲ ହେଇଗଲୁ କିରେ "। ସେ କହେ, ଫେଲ କାହିଁକି ହେବି? ଜାଣିନ କି ଆମର ପା’ ପାସ ଫେଲ ଉଠିଯାଇଛି? ବାପା କହିଛନ୍ତି କ୍ଲାସରେ ଫାଷ୍ଟ ହେଲେ ତାଙ୍କ ସାଙ୍ଗରେ କଲିକତା ଯିଵି ଦୁର୍ଗା ପୂଜାକୁ । ଆର ଥର ହେଇ ପାରିଲିନି ତ ସେଥିପାଇଁ ଆଉଥରେ ସପ୍ତମ ପଢୁଛି ଫାଷ୍ଟ ହେବା ପାଇଁ "। ପାଠରେ ସିନା କପିଳା ପଛୁଆ କିନ୍ତୁ ଅନ୍ୟ ବହୁତ କାମରେ ସେ ସଭିଙ୍କ ଠୁ ଆଗୁଆ । ନଦୀ ପହଁରା, ମାଛ ଧରା, ଗଛ ଚଢା,ଗୁଡ଼ି ଉଡା ଏହିପରି ଆହୁରି ଅନେକ ପ୍ରତିଭାର ଅଧିକାରୀ କପିଳା । ଗାଁର ସାନ ସାନ ପିଲାମାନେ କପିଳାର ଏହି ପ୍ରତିଭା ପ୍ରତି ଆକୃଷ୍ଟ ହୋଇ ତାକୁ ବହୁତ ମାନନ୍ତି । ସେମାନଙ୍କ ସାମ୍ନାରେ କପିଳାର ଖୁବ ଖାତିର ।

ଶାସନରେ ଗଣେଶ ପୂଜା ଓ କାଳୀପୂଜା ଖୁବ ଆଡମ୍ବର ରେ ପାଳିତ ହୁଏ । ସେହି ଦିନ ସବୁ ପାଖେଇ ଆସିଲେ କପିଳାର ଖୁସି ବୋଲ ମାନେନି । ଗଣେଶ ପୂଜାରେ ଗଣେଶଙ୍କ ମାଟି ଉଠା ଓ ଛାଞ୍ଚ ବନ୍ଧା ଠାରୁ ଆରମ୍ଭ କରି କଳସ ବୁଡ଼ା, ବିସର୍ଜନ ପର୍ଯ୍ୟନ୍ତ ସବୁ ଗୁରୁତ୍ୱପୂର୍ଣ୍ଣ କାମରେ କପିଳାର ଉପସ୍ଥିତି ଅନିବାର୍ଯ୍ୟ, ତେଣିକି ତାକୁ କିଏ ଡାକୁ କି ନଡାକୁ । କାଳୀପୂଜାରେ ମଧ୍ୟ ତାର ଯୋଗଦାନ ଅନୁରୂପ । ଯେତେଦିନ ଠାକୁର ଗାଁରେ ରହନ୍ତି, କପିଳାକୁ ମାରି ପକାଇଲେ ବି ସେ ସେହି ଦିନଗୁଡିକ ସ୍କୁଲକୁ ଯାଇ ଅଯଥା ସମୟ ଅପଚୟ କରେନି । ଶାସନରେ ଗଣେଶ ମୂର୍ତ୍ତି କେବେ କିଣା ହୋଇଆସେନି । ସେହି ଗାଁର ଏକ ପତି ପରିବାର ପୁରୁଷ ପୁରୁଷ ଧରି ଗଣେଶ ମୂର୍ତ୍ତି ଗଢିଆସୁଛନ୍ତି । ସେହି ମୂର୍ତ୍ତି ଗଢା କାମଟା କପିଳାକୁ ଭାରି ପସନ୍ଦ ଲାଗେ । ସେ ଗାଁ ଗଣେଶଙ୍କ ଅବିକଳ ନକଲ ଆଉ ଗୋଟେ ଛୋଟ ଗଣେଶ ମୂର୍ତ୍ତି ନିଜ ବାଡ଼ି ପଟ ତେନ୍ତୁଳି ଗଛ ମୂଳେ ନିଜେ ମାଟି ଆଣି ଗଢେ,ରଙ୍ଗ ଦିଏ ଓ ମେଢ଼ ସଜାଏ ଆଉ ତା କୁନି କୁନି ସାଙ୍ଗମାନଙ୍କୁ ଡାକି ସେଇଠି ମିଛି ମିଛିକା ଗଣେଶ ପୂଜା ଖେଳ ଖେଳେ । ଖାଲି ଗଣେଶ ପୂଜା ନୁହେଁ ସେ ଯେବେ ଵି ଦୁର୍ଗାପୂଜା, ଲକ୍ଷ୍ମୀପୂଜା, କାର୍ତ୍ତିକେୟ ପୂଜା ଇତ୍ୟାଦି ଦେଖିବାକୁ କେଉଁଠିକୁ ବି ଯାଏ ସେଠୁ ଫେରି ଠିକ ସେହିପରି ମୂର୍ତ୍ତିମାନ ଓ ପୂଜା ପେଣ୍ଡାଲର ନକଲ ବାଡ଼ିପଟେ ତିଆରି କରେ । ଏସବୁ କାମ ପାଇଁ ଆବଶ୍ୟକୀୟ ସରଞ୍ଜାମ ଯଥା ବନ ମାଟି, ସାବୁନ ଖୋଳ,ବାଉଁଶ ପାତିଆ, ପଟି, ରଙ୍ଗୀନ କାଗଜ ଆଦି ଆଗରୁ ଯୋଗାଡ଼ କରିରଖିଥାଏ ।ତା' ସାଙ୍ଗମାନେ ମଧ୍ୟ ତାକୁ ଏହି କାମରେ ସାହାଯ୍ୟ କରିବାକୁ ଆଗ୍ରହ ସହକାରେ ଆଗେଇ ଆସନ୍ତି ।

ଶାସନରେ କାଳୀପୂଜା କାହିଁ କେଉଁ ଆବହମାନ କାଳରୁ ପାଳନ ହେଇ ଆସୁଛି । ସେଠି ମାଆ ଦକ୍ଷିଣ କାଳୀଙ୍କ ମୃଣ୍ମୟୀ ମୂର୍ତ୍ତି ଆଠ ଦିନ ଧରି ପୂଜା ପା'ନ୍ତି । ସେହି ଅଞ୍ଚଳର ସର୍ବବୃହତ କାଳୀ ଶାସନର ଦକ୍ଷିଣ କାଳୀ ।ଖୁବ ବଡ ଏକ ମୂର୍ତ୍ତି । ଯାଜପୁରରୁ କାରିଗର ଆସି ମାସେ ପାଖା ପାଖି ରହି ମୂର୍ତ୍ତି ଗଢନ୍ତି । କଳା ମଚମଚ ଦେହ,ବଡ ବଡ ତିନୋଟି କ୍ରୋଧିତ ଚକ୍ଷୁ, ହାତରେ ଖଡ୍ଗ, ବିରାଟ ଲୋହିତ ଜିହ୍ୱା, ବେକରେ ମୁଣ୍ଡମାଳ । ଓଃ..ଅତି ଭୟଙ୍କର ସେ ରୂପ ।ଆଖ ପାଖ ଗାଁରୁ ବହୁତ ଭକ୍ତ ଆସନ୍ତି ମାଆ ଦକ୍ଷିଣ କାଳୀଙ୍କ ପୂଜା ଦେଖିବା ପାଇଁ । ଏବେ ଅବଶ୍ୟ ଭକ୍ତଙ୍କ ଆଗମନ ବହୁତ ହ୍ରାସ ପାଇଛି ।ସେହି କାଳୀପୂଜା ପାଖେଇ ଆସିଲେ କପିଳାର ମନ ଆଉ କୋଉଠି ଲାଗେନି । ପ୍ରତ୍ୟେକ ଦିନ ଖବର ନିଏ କେବେଠାରୁ ମୂର୍ତ୍ତି ଗଢା କାର୍ଯ୍ୟ ଆରମ୍ଭ ହେବ । ଦିନରେ ଦୁଇ ତିନି ଥର ମନ୍ଦିର ପାଖକୁ ଯାଇ ବୁଲି ଆସେ । ବାପା ଏଥର କାଳୀ ପୂଜାକୁ ଘରକୁ ଆସିଲେ ତା ପାଇଁ କଲିକତାରୁ ଗୋଟେ ବାଣ ଫୁଟା ବନ୍ଧୁକ ଆଣି ଆସିବାକୁ କପିଳା ବରାଦ କରିଛି । ସେଇଟିକୁ ଧରି ଏଥର ସେ ବାଣ ଫୁଟେଇ ଫୁଟେଇ କଳସ ବୁଡ଼ା ଉତ୍ସଵରେ ଯୋଗଦେବ ।

କାଳୀପୂଜାକୁ ଶୀଘ୍ର ପାଖରେ ପାଇବାକୁ ବ୍ୟାକୁଳ କପିଳାର ସମସ୍ତ ଉଦ୍ବେଗତାର ଅନ୍ତ ଘଟାଇ ନିର୍ଦ୍ଧିଷ୍ଟ ଦିନ କାଳୀଙ୍କ ମାଟି ଉଠାଗଲା । ଗାଁ ଝିଅମାନେ ସେହି ମାଟିରୁ କିଛି କିଛି ଆଣି ଦୀପାବଳି ପାଇଁ ଦୀପ ଗଢିଲେ । କପିଳାର ନାନୀ ବି ମାଟିଆଣି ଅଗଣାରେ ଦୀପ ବନାଉଥିଲା, କପିଳା ମୁଣ୍ଡରେ ଚମତ୍କାର ଯୋଜନାଟିଏ ଢୁକିଲା । ସେ ସଙ୍ଗେ ସଙ୍ଗେ ଦୌଡ଼ି ଯାଇ ମନ୍ଦିର ଆଗରେ ଜମା ହୋଇଥିବା କାଳୀ ମାଟିରୁ କିଛି ଆଣି ଆସିଲା । ସେଥିରେ ଅଲଗା ମାଟି ମିଶାଇ ନିଜ ଚିରାଚରିତ ମୂର୍ତ୍ତି ଗଢ଼ା ସ୍ଥାନରେ କାଳୀ ମୁର୍ତ୍ତୀ ତିଆରିବା ଆରମ୍ଭ କରିଦେଲା । ଗୋଟେ ଲମ୍ବା ଟିଣ ପାତିଆରେ ନାଲି ରଙ୍ଗ ଲଗାଇ କାଳୀଙ୍କ ଜିହ୍ୱା ତିଆରି କଲା । ମାଟିରେ ଖଡ୍ଗ ଓ ମୁଣ୍ଡମାଳ ଗଢିଲା । ଶିବ ମୂର୍ତ୍ତିଟିଏ ଗଢି କାଳୀଙ୍କ ପାଦ ତଳେ ଶୁଆଇ ଦେଲା । କପିଳାର କୁନି କାରିଗରୀ ହସ୍ତରେ କ୍ଷୁଦ୍ର କାଳୀ ମୂର୍ତ୍ତୀଟି ମୁଣ୍ଡହତା ଶାସନର ଦକ୍ଷିଣ କାଳୀଙ୍କର ଅବିକଳ ଏକ ଛୋଟ ଆକୃତି ଧାରଣ କଲା । ପ୍ରତ୍ୟକ ଦିନ କାଳୀ ମୂର୍ତ୍ତିରେ କିଛି ନା କିଛି ନୂଆ ଜିନିଷ ଖଞ୍ଜା ହେଉଥିଲା । ଘର ଲୋକ ଏବେ କପିଳାକୁ ଖୋଜିଲେ ତାକୁ ତା କାଳୀ ମୂର୍ତ୍ତି ନିକଟରେ ହିଁ ପାଉଥିଲେ । କପିଳା ତାର ସାନ ସାନ ସାଙ୍ଗ, ଯେଉଁମାନେ ତାଠୁ ବୟସରେ ତ ସାନ କିନ୍ତୁ ଶ୍ରେଣୀରେ ସମାନ ଅବା କେହି କେହି ମଧ୍ୟ ବଡ, ସେହିମାନଙ୍କ ପରାମର୍ଶ କ୍ରମେ ସେହି କୁନି କାଳୀଙ୍କ ପୂଜା ଠିକ ତା ଗାଁ କାଳୀଙ୍କ ପୂଜା ପରି କରିବାକୁ ନିଷ୍ପତି ନେଲା । ଅପେକ୍ଷିତ ସେହି ଗୋଟିଏ ଦିନରେ ଶାସନର ଦକ୍ଷିଣ କାଳୀ ଓ କପିଳାର କାଳୀ ଉଭୟ ଚକ୍ଷୁଦାନ ପାଇ ପୂଜା ପାଇଲେ । କପିଳାର କାଳୀପୂଜାରେ ତା ସାଙ୍ଗମାନେ ତାକୁ ପୂର୍ଣ୍ଣ ସହଯୋଗ କଲେ । କପିଳା ନିଜେ ପୂଜକ ହେଇ ମନ୍ତ୍ର ପଢ଼ିଲା "ଓଁ କ୍ଳିଙ୍ଗ କାଳୀକାୟୀ ନମଃ", "ଓଁ ହିଂ କାଳୀକାୟୀ ନମଃ ", "ଓଁ ହୃଙ୍ଗ କାଳୀକାୟୀ ନମଃ ","ଓଁ ଶ୍ରୀ ମହାକାଳୀକାୟୀ ନମଃ ","କୃଙ୍ଗ କୃଙ୍ଗ କୄଙ୍ଗ ହିଂ କୄଙ୍ଗ କୄଙ୍ଗ ଦକ୍ଷିଣକାଳୀକାୟୀ ହୃଙ୍ଗ ହ୍ରୁଙ୍ଗ ହୃଙ୍ଗ ହୁଂଗ ହୁଙ୍ଗ ସ୍ୱାହା " ଇତ୍ୟାଦି । ଯେତିକି ସବୁ ମନ୍ତ୍ର ମାଇକରେ ମନ୍ଦିର ପୂଜକ ଶ୍ୟାମ ନନା ଆଉ ଅନ୍ୟ ପୂଜାରୀ ମାନେ କାଳୀପୂଜାରେ ସକାଳୁ ସନ୍ଧ୍ୟା ଯାଏ ଗାଇ ଗାଇ ନିଜର ତଣ୍ଟି ବସେଇଦିଅନ୍ତି ତାହା ସବୁ ଆପେ ଆପେ ଅଳ୍ପ ବହୁତେ କପିଳାର ମନେରହି ଯାଇଥିଲା । କପିଳାର ପୂଜା ଠିକ ଠାକ ଚାଲିଲା । ସେତେବେଳକୁ ଘରେ ସମସ୍ତେ ତା ଉପରେ ବିରକ୍ତ ହେଲେଣି, ସେ କିନ୍ତୁ କାହାକୁ ଖାତର ନକରି ନିଜ କାମ ଜାରିରଖିଥିଲା । ଦିନେ ସକାଳୁ କପିଳା ଗାଧୋଇ କରି ଆସି ତା କୁନି କାଳୀଙ୍କ ମୂର୍ତ୍ତିରୁ ଫୁଲ କାଢୁଛି କାଳୀ ମନ୍ଦିରରୁ ଘଣ୍ଟ ଘଣ୍ଟାର ଅଦ୍ଭୁତ ଏକ ଭୀଷଣ ଶବ୍ଦ ଶୁଭାଗଲା । ତାହା ମନ୍ଦିରରେ ବଳିପଡିବାର ପୂର୍ବ ସୂଚନା ।ଏହି ଶବ୍ଦ ଶୁଣି କେହି କେହି ଡରି ପଳେଇ ଆସନ୍ତି ତ ପୁଣି କପିଳ ପରି କିଛି ସାହସୀ ପିଲା ଦୌଡ଼ା ଦୌଡ଼ି ହୋଇଯାନ୍ତି ସେହି ନୃସଂଶ ଦୃଶ୍ୟ ଦେଖିବାକୁ । ଆଉ କୋଉ ଦିନ ହେଇଥିଲେ କପିଳ ଯାଇଥାନ୍ତା ଦେଖିବାକୁ । ଆଜି କିନ୍ତୁ ସେ ତା ନିଜ କାଳୀଙ୍କୁ ପୂଜା ନକରି କୁଆଡେ ଯାଇପାରିବନି । କପିଳାର ଦୁଇ ଚାରିଜଣ ସାଙ୍ଗ ସେଠି ଉପସ୍ଥିତ ଥିଲେ । ତାଙ୍କ ଭିତରୁ ଜଣେ କହିଲା, "କପିଲ (କେହି କେହି ଅତିପ୍ରିୟ ସାଙ୍ଗ ତାକୁ କପିଲ ବି ଡାକନ୍ତି, ନାଁଟି ବି ତାକୁ ଭଲ ଲାଗେ )ଆମେ ସବୁକଲେ କିନ୍ତୁ ଗୋଟେ ଜିନିଷ ଯୋଗାଡ଼ କରିପାରିଲେନି, ସେଇଟା ବଳି । ବୁଝିଲୁ? ମୁଁ ଯାଉଛି ଗୋଟେ ବାଇଗଣ ଲୁଚେଇକି ଆଣିବି ଆମେ ଘଣ୍ଟ ପିଟି ବଳିଦେବା " । କପିଳା କହିଲା, "ନାଁ ମୋ କାଳୀ ବାଇଗଣରେ ଶାନ୍ତି ହେବେନି । ଆମେ ସତ ସତିକା ରକ୍ତ ଭେଟିଦେବା । ଚାଲ ନିଜ ନିଜ ଘରୁ ବେଙ୍ଗ ଖୋଜିକି ଆଣିବା " । କପିଳା ସଭିଙ୍କୁ ମନାଇ କାଳୀଙ୍କ ଆଗରେ ବେଙ୍ଗ ବଳିଦେବାକୁ ପ୍ରସ୍ତୁତ ହେଲା । ଗୋଟେ ଖିଲିକାତି (ଗୁଆକାତି ) ଅଣାଯାଇ ତାହାକୁ ଅର୍ଗଳୀ ଭାବେ ବ୍ୟବହାର କରାଗଲା । ପିଲାମାନେ ବେଙ୍ଗ ଖୋଜି ଖୋଜି ଆଣି କପିଳାର କାଳୀଙ୍କୁ ଭେଟିଦେ ଲେ । ବଳିପଡିବା ମନ୍ତ୍ର ଜଣାନଥିବାରୁ ଖାଲି "ମାଆ କାଳୀ ଲୋ ଖା ବଳି "ଉଚ୍ଚାରଣ କରି ବଳି ପକାଉଥାନ୍ତି । ବେଙ୍ଗ ବଳି କଥା ପିଲାମାନଙ୍କ ଘର ଲୋକଙ୍କ କାନକୁ ଯିବାରୁ ସେମାନେ ଆସି ପିଲାମାନଙ୍କୁ ତାଗିଦ କଲେ ଏପରି କାମରୁ ନିବୃତ ରହିବା ପାଇଁ । ସମସ୍ତ ଅଭିଭାବକ କପିଳାକୁ ଦୋଷ ଦେଇ କପିଳା ଘରେ ଅଭିଯୋଗ କଲେ । ଯିଏ ଯେତେବାରଣ କଲେ ସୁଦ୍ଧା ସେ କାହାରି ଶୁଣିଲାନି । ତାହା ଆରଦିନ କପିଳର ନାନୀ ଯିଏ ପ୍ଲସ ଥ୍ରୀ ପଢୁଛି ପ୍ରାଣୀ ବିଜ୍ଞାନ ଅନର୍ସ ରଖି ସେ ଆସି କହିଲା, "କପିଳ ମୁଁ ତତେ କହିଥିଲି ନାଁ ଆମେ ବେଙ୍ଗ କାଟୁ? ଆମେ କିନ୍ତୁ ବେଙ୍ଗକୁ ଏମିତି ଭାବେ କାଟୁନା । ଆମେ ପ୍ରଥମେ ତାକୁ କଷ୍ଟ ନହେବା ପାଇଁ ବେହୋସ କରୁ ଠିକ ଯେମିତି ଜଣେ ମଣିଷକୁ ଅପେରସନ କଲେ ପ୍ରଥମେ ଆନେସ୍ଥେସିଆ ଦିଅ।ଯାଇ ଅକାଲୁଆ ବା ବେହୋସ କରାଯାଏ ସେମିତି । ଆଉ ଆମେ ତ ବେଙ୍ଗର ଆଭ୍ୟନ୍ତର ଅଙ୍ଗଗୁଡିକ ବିଷୟରେରେ ଜ୍ଞାନ ପାଇବା ପାଇଁ ତାକୁ କାଟୁ । ତୁମେ ଏତେ ଗୁଡ଼େ ବେଙ୍ଗଙ୍କୁ କୋଉ ଜ୍ଞାନ ପାଇବାକୁ କାଟୁଛ?ଏସବୁ ଜଲଦି ବନ୍ଦ କର "। କପିଳା କହିଲା, "ନାଁ ନାନୀ ଆମେ ବଳିଦେବୁ । ଦେଖୁନୁ କେମିତି ଗାଁ କାଳୀଙ୍କ ପାଖେ ଛେଳି ବଳି ପଡୁଛି । ସେମାନେ ଯୋଉ ଜ୍ଞାନ ପାଇଁ କାଳୀଙ୍କୁ ଛେଳି ଦେଇ ସନ୍ତୁଷ୍ଟ କରୁଛନ୍ତି, ଆମେ ସେହି ଜ୍ଞାନ ପାଇଁ ବେଙ୍ଗ ବଳି ଦେଉଛୁ "। ନାନୀ ପୁଣି କହିଲେ, "ଆରେ ସେମାନେ ବି ଭୁଲ କରୁଛନ୍ତି । ସରକାର ଏ ବଳି ପ୍ରଥା ନିଷେଧ କରିଛନ୍ତି । ସେମାନେ ନମାନି ବେଆଇନ କାମ କରୁଛନ୍ତି । କାଳୀ ପା ମାଆ, ସେ କଣ ଛୁଆର ରକ୍ତ ଚାହାଁନ୍ତି? ତୁମେ ତ ବୁଝିବା ପିଲା, ଏ କାମ ଆଉ କରନା । ସେମାନେ ମୂର୍ଖ ତାଙ୍କ ପରି ହୁଅନାହିଁ "। ନାନୀର କଥାଗୁଡା କପିଳାକୁ ଚିନ୍ତାରେ ପକେଇଦେଲା । ରାତିରେ ସେ ତା ଜେଜେମା ପାଖରେ ଶୋଇଥିଲା ବେଳେ ଜେଜେମାକୁ ପଚାରିଲା, "ଜେଜେମା କାଳୀ ମାଆ ହେଇ କାହିଁକି ନିଜ ଛୁଆର ବଳି ଖାଆନ୍ତି? କାଳୀ ସମସ୍ତଙ୍କ ଯଦି ମାଆ, ସେ ବଳିପଡୁଥିବା ଛେଳିର ବି ତ ମାଆ? " । ଜେଜେମାଙ୍କ ଉତ୍ତର ଥିଲା ବଳି କାଳୀଙ୍କୁ ନୁହେଁ ବରଂ ତାଙ୍କୁ ଘେରି ରହିଥିବା ଯୋଗ ଯୋଗିନୀଙ୍କୁ ଦିଆଯାଏ ।

କିନ୍ତୁ କପିଳା ତ ବାପାଙ୍କ ସହ ତାଙ୍କ ପୁରୋହିତ ମହିଆ ମିଶ୍ର ଘରକୁ ଯେବେ କାଳୀପୂଜା ଭୋଗ ଖାଇବାକୁ ଯାଇଥିଲା, ସେହି ବିନା ରସୁଣ ପିଆଜ ଦିଆ ଛେଳିମାଂସ ତରକାରୀକୁ ଲୋକେ ଯୋଗିନୀ ଭୋଗ ବଦଳରେରେ କାଳୀଙ୍କ ଭୋଗ କହୁଥିଲେ । ଆହୁରି ବି କପିଳା ଦେଖିଛି ସେହି କଟାହେଇଥିବା ଛେଳିର ମୁଣ୍ଡଟାକୁ ପିତ୍ତଳ ଥାଳିରେ ରଖି ପୂଜକ କାଳୀଙ୍କ ପାଖେ ଭୋଗଲଗାଏ । ସେ ଯାହା ବି ହେଉ ଜେଜେମା କେବେ ମିଛ କହିପାରେନି । ଠାକୁରଙ୍କ ସମ୍ବନ୍ଧିତ ସମସ୍ତ ବିଷୟରେ ଜେଜେମା ଯେ ଅଗାଧ୍ୟ ପାଣ୍ଡିତ୍ୟ ଅର୍ଜନ କରିଛି, ସେ ସମ୍ପର୍କରେ କପିଳା ସମ୍ପୂର୍ଣ୍ଣ ଅବଗତ ଥିଲା । କପିଳା ନିଶ୍ଚିନ୍ତ ହେଲା କାଳୀଙ୍କ ଯୋଗିନୀ ହିଁ ଏହି ସବୁ ନିରୀହ ପଶୁଙ୍କ ମରଣର କାରଣ । ଯାହେଉ ସେ ତା କାଳୀ ପାଖେ ଯୋଗିନୀ ମୂର୍ତ୍ତି ତିଆରି କରିନି । ଆଉ ବେଙ୍ଗବଳି ଦେବା କିଛି ଦରକାର ନାହିଁ । ଆର ଦିନମାନଙ୍କ ପରି କପିଳା ଓ ସାଥୀମାନେ କପିଳାର ବାଡ଼ି ପଟେ କାଳୀଙ୍କ ପାଖେ ଥା'ନ୍ତି ଦେଖିଲେ ଜଣେ ଲୋକ ରାସ୍ତାରେ ସାଇକେଲ ଗଡେଇ ଗଡେଇ ଯାଉଛି, ସାଇକେଲ ପଛରେ ଗୋଟେ ଛେଳି ବନ୍ଧାହେଇଛି । ଛେଳି ପଛକୁ ଗୋଟେ ଛୋଟ ପିଲା କାନ୍ଦି କାନ୍ଦି ଚାଲିଛି । ଭଲ କରି ଦେଖିଲେ ଜଣାପଡୁଛି ସେ ଶ୍ରୀପୁରାର ରଂଜିତ ପଣ୍ଡା (ଟୁକୁନା ), କପିଳାର ସ୍କୁଲ ସାଙ୍ଗ । କପିଳା ତା ନାଁ ଧରି ଡାକି ଡାକି ତା ପାଖକୁ ଦୌଡିଯାଇ ତା କାନ୍ଦିବାର କାରଣ କଣ ଆଉ ସେ ଛେଳିଟା କାହାର ପଚାରିଲା । ଟୁକୁନା ନିଜ ଦୁଃଖ ବର୍ଣ୍ଣନା କରି କହିଲା ଛେଳିଟି ତାର ଓ ତା ନାଁ 'ଘୁଙ୍ଗୁର' ଏବଂ କିପରି ସେ ତା ନାଁ ଘୁଙ୍ଗୁର ରଖିଥିଲା ସେକଥା ବି କହିଲା । ସେ ଯେ ଘୁଙ୍ଗୁରକୁ ଖୁବ ବେଶୀ ଭଲପାଏ ତା କାନ୍ଦରୁ ଜଣାପଡୁଥିଲା । ଟୁକୁନା ର କଥା ଅନୁସାରେ, ସିଏ ଥରେ ଜାଗରରୁ ଗୋଟେ ଘଣ୍ଟି ଆଣି ଘୁଙ୍ଗୁର ଛୋଟ ଥିଲାବେଳେ ତା ବେକରେ ପିନ୍ଧେଇଥିଲା । ସେହି ଘଣ୍ଟିଟିର 'ପାଦ ଘୁଙ୍ଗୁର' ପରି ଟିନ ଟିନ ଛମ ଛମ ଶବ୍ଦ ହିଁ ଛେଳିଟାର ଏପରି ନାମକରଣ ର କାରଣ । ଟୁକୁନା ଆହୁରି କାନ୍ଦି କାନ୍ଦି କହିଲା, "ମୋତେ ଯେଉଁ ଜଣ୍ଡିସ ହେଇଥିଲା ଷଷ୍ଠ ଶ୍ରେଣୀ ରେ, ମୁଁ ଭଲ ହେଇଗଲେ ଘୁଙ୍ଗୁରକୁ କାଳୀଙ୍କ ପାଖେ ବଳିପକେଇବାକୁ ବାପା ବୋଉ ମାନସିକ କରିଥିଲେ ।ସେହି ମାନସିକ ପୂରଣ କରିବା ପାଇଁ ଦୁଇଦିନ ପରେ ମୋ ଘୁଙ୍ଗୁର କାଳୀଙ୍କ ପାଖରେ ଭୋଗଲାଗି ହେବ । ଘରେ ତାକୁ ରଖିଲେ ମୁଁ କାଳେ ତା ଦେହରେ ଖଣ୍ଡିଆ କରିଦେଇ ବଳିଟାକୁ ଖରାପ କରିଦେବି ସେଥିପାଇଁ ବାପା ଆଜିଠୁ ନେଇ ଶ୍ୟାମ ନନା ଘରେ ବାନ୍ଧି ଦେଇ ଆସିବେ ଯାଉଛନ୍ତି । ତୁ କିଛି କର କପିଳ । ତୁ ମୋ ଘୁଙ୍ଗୁରକୁ ଚୋରିକରି ଆଣି ମତେ ଦେଇଦେ ।" ଏମିତି କହି ଟୁକୁନା ବହୁତ କାନ୍ଦିଲା । କପିଳ ଆଉ ତା ସାଙ୍ଗମାନେ ତାକୁ ସାନ୍ତ୍ୱନା ଦେଲେ । କପିଳା କହିଲା, "ଆରେ ତୁ କାହିଁକି ବ୍ୟସ୍ତ ହେଉଛୁ କାଳୀ ବଳି ଖାଆନ୍ତିନି, ଯୋଗିନୀମାନେ ଖାଆନ୍ତି । ତୁ ଯା କାଳୀଙ୍କୁ କହିବୁ ସେ ଯୋଗିନୀ ଗୁଡ଼ାଙ୍କୁ ବାହାର କରିଦେବେ । ସେମାନଙ୍କର ସେଠି ଆଉ କିଛି କାମ ନାହିଁ । ଯା ଜଲଦି । ଏଇମିତି ହିଁ କାନ୍ଦି କାନ୍ଦି ଗୁହାରି କରିବୁ, ଦେଖିବୁ କାଳୀ ତୋ କଥା ନିଶ୍ଚୟ ଶୁଣିବେ "।

ତହିଁ ଆରଦିନ ବଡ଼ି ସକାଳୁ ଦେଖାଗଲା ମନ୍ଦିରର ଲୁହା ଗ୍ରୀଲର ଚାବି ଭାଙ୍ଗି ଯୋଗିନୀମାନେ ଉଭାନ । ଟୁକୁନାର ଦୁଃଖ ଭରା ଵିନତୀ ବ୍ୟର୍ଥ ହେଲାନି । ଯୋଗିନୀ ଗାୟବ ଖବର ସଙ୍ଗେ ସଙ୍ଗେ ପ୍ରଚାରିତ ହେଇଗଲା । କିଛିଲୋକ ଦେଖିଆସି କହିଲେ ଯୋଗିନୀ ମାନେ କାଳୀକା ଗଣ୍ଡ ରେ ଝାସ ଦେଇଛନ୍ତି । କିନ୍ତୁ କାହିଁକି? କିଏ ଜଣେ କହିଲା ପୂଜାରେ ତ୍ରୁଟି ରହୁଛି । କେହି କେହି କହିଲେ,"ଏ ଚାବି ଭାଙ୍ଗିବା କାମ କଣ ଯୋଗିନୀ କରିବେ?ଏ ନିଶ୍ଚୟ କୋଉ ପାଖଣ୍ଡିର କାଣ୍ଡ । ମାଆ କାଳୀଙ୍କୁ ଉଠାଉଥିଲା, ମାଆ ଉଠିନଥିବେ ସେଥିପାଇଁ ସେ ଯୋଗିନୀଙ୍କୁ ନେଇ ଗଣ୍ଡରେ ଭସେଇ ଦେଇଛି "। କିଏ କିଏ କହିଲେ, " ଯୋଗିନୀ ଉଠା କାମ କିଏ କରିଛି ଜାଣିବା ବଡ ମୁସ୍କିଲ । ମନ୍ଦିରରେ କ୍ୟାମେରା ବି ଲାଗିନି ।" ଏହିସବୁ ମନ୍ତବ୍ୟ ଦେଉଥିବା ଲୋକଙ୍କୁ କାହିଁକି ଜଣାଯିବ ଟୁକୁନାର ନିରୀହ ପ୍ରାର୍ଥନା? ଗାଁର ବୟସ୍କ ପୁରୁଖା ଲୋକମାନେ ତ କହିଲେ ,"ଆମେ ଜନ୍ମରୁ କାଳୀପୂଜା ଦେଖିଆସୁଛୁ, ଏମିତି ଘଟଣା କେବେ ଦେଖିଛୁ ନା ଶୁଣିଛୁ । ଗାଁକୁ ବଡ ବିପଦ ମାଡିଆସୁଛି । ଜଲଦି ମନ୍ଦିରକୁ ପବିତ୍ର କରି ଚଣ୍ଡି ପାଠ କରାଯାଉ, ମାଆଙ୍କ ପାଖେ ବଳି ପକାଯାଇ ମାଆଙ୍କୁ ଶୀଘ୍ର ସନ୍ତୁଷ୍ଟ କରାଯାଉ ।" ଏହିଭଳି ଅନେକ ବିଚାର ଆଲୋଚନା ପରେ ମନ୍ଦିର ପୁନଃ ପବିତ୍ରତା ପାଇଁ ଛୋଟ ଏକ ପୂଜା କରାଯାଇ କାଳୀଙ୍କ ଦୈନିକ ଵିଧି ଯଥାରୀତି ଚାଲିଲା । ସମୟ ଅପରାହ୍ନ ବାରଟା, ଟୁକୁନା ଯୋଗିନୀ ଉଭାନର ସୁସମ୍ବାଦ ପାଇ ଦୌଡି ଦୌଡ଼ି ଆସିଲା ତା ଘୁଙ୍ଗୁରକୁ ଫେରେଇ ନେବାକୁ । କପିଳାକୁ ଵି ଭେଟି ନିଜ ଖୁସି ଜାହିର କଲା । କପିଳା କିନ୍ତୁ ଖୁସି ଜଣାପଡୁନଥିଲା । ଦଶ ମିନିଟ ପୂର୍ବରୁ ମନ୍ଦିର ଦିଗରୁ ଘଣ୍ଟ ଘଣ୍ଟାର ସେହି ସତର୍କ ଧ୍ଵନୀ ଶୁଣିଥିଲା ସେ । ଟୁକୁନା କପିଳା ଠୁ ବିଦାୟ ନେଇ ମନ୍ଦିର ଆଡେ ଧାଇଁଲା । ଖୁବ ବଡ ପାଟିରେ ଘୁଙ୍ଗୁର ଘୁଙ୍ଗୁର ଡାକି ଡାକି ଶ୍ୟାମ ନନାଙ୍କ ଘରକୁ ଯାଇ ଦେଖିଲା ଘୁଙ୍ଗୁର ସେଠି ନାହିଁ । ସେଠୁ ପୁଣି ମନ୍ଦିର ପାଖକୁ ଆସି ଘୁଙ୍ଗୁରକୁ ଡାକିଲା । ଘୁଙ୍ଗୁର ବେକର ସେହି ଘଣ୍ଟିର ଟିନ ଟିନ ଶବ୍ଦ ତାକୁ କୋଉଠି ବି ଶୁଭିଲାନାହିଁ । କାଳୀଙ୍କ ସାମ୍ନାରେ କଣ ଗୋଟେ ପୂଜା ଚାଲିଥିଲା । ସେ ମନ୍ଦିର ଆଗକୁ ଆସି ଦେଖିଲା ଅର୍ଗଳୀ ଚତୁର୍ପାଶ୍ୱରେ ଗାଢ଼ ରକ୍ତର ଛିଟା । ଅର୍ଗଳୀଟା ରକ୍ତରେ ପୁରା ଲାଲ ହେଇଯାଇଛି । ଟୁକୁନା ଡରିଗଲା । ସେ ଆହୁରି କାନ୍ଦ କାନ୍ଦ ସ୍ୱରରେ ଘୁଙ୍ଗୁରକୁ ଡାକି ଡାକି ଅର୍ଗଳୀ ପାର ହେଇ ଯାଉଛି ତା ଗୋଡରେ କଣ ଗୋଟେ ବାଜିଲା ଆଉ ସେ ଝୁଣ୍ଟି ପଡିଲା । ଜିନିଷଟି ଉଠେଇ ଦେଖିଲା, ସେହିଟି ତା ଅତିପ୍ରିୟ ଘୁଙ୍ଗୁରର ବେକ ଘଣ୍ଟି.....

ସେହିଦିନ ସନ୍ଧ୍ୟାରେ ହିଁ କପିଳା ତା କୁନି ଦକ୍ଷିଣ କାଳୀଙ୍କୁ ଗାଁ କାଳୀକାଗଣ୍ଡରେ ଏକା ଏକା ଯାଇ ବିସର୍ଜନ ଦେଇଆସିଲା ।

ଲୋପାମୁଦ୍ରା ମିଶ୍ର

ନନ୍ଦିପୁର,ଦଶରଥପୁର, ଯାଜପୁର

କପିଳା ଗଣେଶ ଦକ୍ଷିଣ କାଳୀ

Rate the content


Originality
Flow
Language
Cover design

Comments

Post

Some text some message..