Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଦୂର ପାହାଡ଼
ଦୂର ପାହାଡ଼
★★★★★

© Prasanna Kumar Swain

Romance

14 Minutes   14.1K    13


Content Ranking

ଦୂର ପାହାଡ଼

 

ପ୍ରସନ୍ନ କୁମାର ସ୍ୱାଇଁ (କ୍ରାନ୍ତି)

 

       “ହାଲୋ ରବିନ୍ ଭାଇ !” କଅଁଳେଇ କହିଲା ସିଲ୍କା ।

       “କୋଉ ରବିନ୍ ଭାଇକୁ ଖୋଜୁଛ ? ଏଇଟା ରଙ୍ଗ୍ ନମ୍ବର ।” ସେପଟୁ ସେପଟୁ ଶୁଭିଲା ଏକ କର୍କଶ ନାରୀର ଟୋନ୍ । ଫୋନ୍ କାଟିଦେଲା ସିଲ୍କା ନିଜ ଆଡୁ । ଡିଜିଟ୍ ଚେଞ୍ଜ୍ କରି ଆଉ ଗୋଟେ ନମ୍ବରକୁ ଲଗାଇଲା,  “ହାଲୋ ରାଜା ଭାଇ !” ସେପଟୁ ଗୋଟେ ଝିଅର କଣ୍ଠସ୍ୱର ଶୁଭିଲା,  “ରାତି ୧୧ଟାରେ କୋଉ ରାଜା ଭାଇଙ୍କୁ ଖୋଜୁଛ ? ଏଠି ରାଜା ଭାଇ ଫାଜା ଭାଇ କେହି ନାହାନ୍ତି । ଚକ୍କରରେ ବୋଧେ ଅଛି ।” ଏତିକି ପରେ ଫୋନ୍ କଟିଗଲା ସେପଟୁ । ବୋଧେ କେଉଁ ଲେଡିଜ୍ ହଷ୍ଟେଲର ଝିଅର ସେଲ୍-କୁ ଲାଗିଗଲା । କାଲ ଠାର କାଲ ମାଆ ଜାଣେ । ସିଲ୍କା ଚିଡ଼ିଗଲା । ଧେତ୍... ଆଜି କି ବେଳାରେ ରାତି ପାହିଥିଲା କେଜାଣି ? ଗୋଟେ ରୋମିଓ ସାଙ୍ଗରେ ମଣିଷ ଥରେ ଗପିପାରିଲାନି ।

       ଏବେ ଏବେ ନୂଆନୂଆ ଡେଣା ଲାଗିଛି ସିଲ୍କା ଦେହରେ । ଆର ବେଡ୍-ରେ ଶୋଇରହି ହସୁଥିଲା ସୁଇଟ୍ । ସିଲ୍କା ବିଗିଡ଼ିଗଲା ସୁଇଟ୍ ଉପରେ । କହିଲା, “ସଂଧ୍ୟାବେଳୁ ଦୁଇଜଣଙ୍କ ସହ ଗପିଦେଇଛୁ ତ, ତୋ ମୁଣ୍ଡ ପୂରା ଥଣ୍ଡା ।” ସୁଇଟ୍ ସେମିତି ବେଡ୍ ଉପରେ ଶୋଇ ହାଇ ମାରି କହିଲା, “ବୁଝିଲୁ ସିଲ୍କା, ଗୋଟିଏ କାମ କର୍ । ମୋ ଟେବୁଲ୍ ପାଖକୁ ଆ, ଏଇ ଯୋଉ ବଡିଗାର୍ଡ ସଲମାନ୍ ଖାଁର ହ୍ୟାଣ୍ଡସମ୍ ଫଟୋ ଅଛି, ତା ପାଦକୁ ଦୁଇଥର ମୁଣ୍ଡରେ ମାରି ଲାଷ୍ଟ ଡିଜିଟ୍ ୦୩ ମାରି ଫୋନ୍ ଲଗା ।” ସାରା କଲେଜରେ ସୁଇଟ୍ ଓ ସିଲ୍କାକୁ ସୁଇଟ୍ ଓ ବିୟୁଟି ବୋଲି ଡାକନ୍ତି । ଅତି ସରଳ ଓ ବାଧ୍ୟ ଛାତ୍ରୀଟି ପରି ସିଲ୍କା ନିଜ ବେଡ୍-ରୁ ଉଠିଗଲା । ସଲମାନକୁ ମାନେ ତା ପୋଷ୍ଟରକୁ ଗୋଟେ ଚମତ୍କାର କିସ୍ ଦେଲା ଓ ତା ପାଦରେ ମଥା ଲଗାଇ ଫୋନ୍ ଲଗାଇଲା । ସେପଟୁ ଯେମିତି ଗୋଟେ ପୁଅର ଆୱାଜ୍ ଶୁଣିଲା, ଫୁଲେଇ ହୋଇ ଏପଟୁ ସିଲ୍କା କହିବାକୁ ଆରମ୍ଭ କଲା, “ରାନା ଦାଦା ! ତମେ ଭାରି ଅଛ । ଏତେକରି କହିଥିଲି ଆଜି ଆମ କଲେଜରେ ଡ୍ୟାନ୍ସ ଫେଷ୍ଟିଭାଲ୍ ଅଛି ବୋଲି । ଆସିଲନି ନା ! ଏଥରକ ଆସିଲେ ମୁଁ ତମ ସହ କଥା ହେବିନି । ହଁ ଶୁଣ, ଆଜି କମ୍ପିଟିସନରେ ମୁଁ ଫାଷ୍ଟ ହୋଇଛି ।” ସେପଟୁ ଶୁଭିଲା, “ଆରେ ଶୁଣ, ମୁଁ ତମ ରାନା ଦାଦା ନୁହେଁ । ଏଇଟା ରଙ୍ଗ୍ ନମ୍ବର । ମୁଁ ବିଶ୍ୱାସ । ଭୁବନେଶ୍ୱରରୁ କହୁଛି ।” ଏତିକି କହିସାରିଲା ପରେ ସେପଟୁ କଟିଗଲା ଫୋନ୍ । ପୁଣିଥରେ ମିସ୍-କଲ୍ କଲା ସିଲ୍କା । ବିଶ୍ୱାସ ସେପଟୁ ଫୋନ୍ ଲଗାଇଲା । ଅତି ସାଉଁଳେଇ ହୋଇ ସିଲ୍କା କହିଲା, “ସରି, ସରି ବିଶ୍ୱାସ, ଆଇ ଆମ୍ ଏକ୍ସଟ୍ରିମ୍ଲି ସରି । ମୁଁ ନଜାଣି ଆପଣଙ୍କ ଉପରେ ରାଗିଗଲି, ପ୍ଲିଜ୍ କିଛି ମାଇଣ୍ଡ କରିବନି ।” ଚେତନ୍ ଭଗତର ଗୋଟେ ଫିକ୍ସନ ଛାତି ଉପରେ ଖୋଲିକରି ତା ପୃଷ୍ଠା ଉପରେ ଆଖି ପକାଉଥିଲା ସେତେବେଳକୁ ସୁଇଟ୍ ତା ବେଡ୍-ରେ ଶୋଇରହି । ବେଳେବେଳେ କଣେଇ କଣେଇ ଚାହୁଁଥିଲା ସିଲ୍କାର କାର୍ଯ୍ୟକଳାପକୁ । ସିଲ୍କା ସେମିତି ଗପିଚାଲିଥିଲା ୱାସର ଖରାପ ହୋଇଯାଇଥିବା ମୁନିସିପାଲିଟିର ଗୋଟେ ପାଣି ଚାଲୁଥିବା ଟ୍ୟାପ୍ ଭଳି । “ମୁଁ ସିଲ୍କା... ପୂରା ନାଁ ଏସ୍ ସିଲ୍କା । ଡାଡି ନାଲକୋରେ ମ୍ୟାନେଜର । ମମି ଏସ୍.ସି.ଏ.ଏ.ରେ ସାଇକୋଲୋଜି ଲେକ୍ଚରର୍ । ମୁଁ ରେଭେନ୍ସାରେ ପ୍ଳସ୍-ଟୁ ପଢୁଛି । କ’ଣ କହିଲ...? ସମସ୍ତେ ତ ସେଇକଥା ପଚାରନ୍ତି । ମୋର ଗୋଟେ ଛୋଟବେଳୁ ଡ୍ରିମ୍ ଥିଲା ରେଭେନ୍ସାରେ ପଢ଼ିବାକୁ । ନହେଲେ ମୁଁ ପୁରୀରେ ପଢ଼ିଥାନ୍ତି, ପ୍ଲିଜ୍ ତମ ବିଷୟରେ କିଛି କୁହନା !” ସେପଟୁ ଶୁଭିଲା ସେ ପିଲାଟାର ସ୍ୱର । ଲାଉଡ୍ ସ୍ପିକର୍ ଦେଇଦେଲା ସିଲ୍କା, ଯଦିଓ ସେତବେଳକୁ ସୁଇଟ୍-କୁ ଛାଇନିଦ ଲାଗିଯାଇଥିଲା । ଯଦିଓ ତା ଛାତି ଉପରେ ଚେତନ୍ ଭଗତ୍ ବହିଟା ସେମିତି ତା ଅସ୍ତିତ୍ୱକୁ ଜାହିର୍ କରୁଥିଲା । “ମୁଁ ବିଶ୍ୱାସ, ବି.ଜେ.ବି.ରୁ ଜିଓଲୋଜିରେ ଗ୍ରାଜୁଏସନ୍ ପରେ ସିଭିଲ୍ ସର୍ଭିସ୍ ପାଇଁ ପ୍ରିପାୟର୍ ହେଉଛି । ଡାଡି ମୋର ଜଣେ କ୍ଲାସ୍ ୱାନ୍ କଣ୍ଟ୍ରାକ୍ଟର । ମମି ପଲିଟିକ୍ସ କରନ୍ତି । କର୍ପୋରେଟର୍ ଅଛନ୍ତି ।” ସିଲ୍କା ଏପଟୁ କହିଲା, “ବିଶ୍ୱାସ ଭାଇ ! ତମର ଟୋନ୍ ଭେରି ଆଟ୍ରାକ୍ଟିଭ୍ ।” ସେପଟୁ ଶୁଭିଲା, “ତମର ବି । ମୋତେ ତ ଲାଗୁଛି ମୁଁ କେଉଁ ସେଲିବ୍ରିଟି ସାଙ୍ଗରେ ଗପୁଛି ।” ସିଲ୍କା ଟିକେ ନିଜ ଭିତରେ କେମିତି ଗୋଟେ ଶିହରଣ ଅନୁଭବ କଲା । ତା’ର ମନେପଡ଼ିଗଲା ତା ସେଲିବ୍ରିଟି ହେବାର ସ୍ୱପ୍ନ । ସେ ଲାଜେଇଗଲା ଓ ଇମୋସନ୍-ରେ ଭିଜିଗଲା କିଛିକ୍ଷଣ । ସେପଟୁ ଶୁଭିଲା, “କିଛି କହୁନ ଯେ ?” ସିଲ୍କା କହିଲା, “ବିଶ୍ୱାସ ଭାଇ, ତମେ ‘ଜବ୍ ତକ୍ ହେ ଜାନ୍’ ଦେଖିଲଣି ? ତମ ଫିଗର୍ ଭାରି ସ୍ଲିମ୍ ହୋଇଥିବନା ? ଜିମ୍ ଯାଉଛ ? ମୁଁ ବହୁତ୍ ସୁନ୍ଦରୀ ଯେ, ହେଲେ ଟିକେ ମୋଟୀ । ମାନେ ଚଳିବ, ସାଉଣ୍ଡ ହେଲଥ । ତଥାପି ମୁଁ ସ୍ଲିମ୍ ହେବା ପାଇଁ ଡାଏଟିଂ କରୁଛି । ତମେ ଫେସବୁକରେ ଅଛନା ?” “ପ୍ଲିଜ୍ ବାବା ପ୍ଲିଜ୍ ସେତିକି ଥାଉ । ଏତେ ଗୁଡ଼ାଏ ଆନ୍ସର୍ ମୁଁ ଦେବି କେମିତି ? ଲେଟ୍ ନାଇଟ୍ ହେଲାଣି, ପ୍ଲିଜ୍ ଶୋଇପଡ଼ । ମୁଁ ଆଉ ଘଣ୍ଟେ ପ୍ରିପାରେସନ୍ କରି ଶୋଇବି । ପରେ କଥାହେବା । ଟେକ୍ କେୟାର୍ । ଗୁଡ୍-ନାଇଟ୍ ।” ସିଲ୍କା କହିଲା, “ବାଏ ।” ଫୋନ୍ କଟିଗଲା ସେପଟୁ । ସିଲ୍କା ଅନୁଭବ କଲା ସାରା ହଷ୍ଟେଲ୍ ଗୋଟେ ଉପବନ ଭଳି । କିଛି କିଛି ଝରକା ଫାଙ୍କରୁ ନିଷ୍ଠ୍ରଭ ଲାଇଟ୍ ଦିଶୁଛି । କେହିକେହି ଫାଷ୍ଟ ସେମିଷ୍ଟାର୍ ପରୀକ୍ଷା ପାଇଁ ପଢୁଛନ୍ତି ବୋଧେ । ସିଲ୍କା ଶତସିଂହର ବଳ ନେଇ ଡେଇଁପଡ଼ିଲା ସୁଇଟ୍-ର ଛାତି ଉାପରକୁ । “ଥ୍ୟାଙ୍କ୍ ୟୁ ସୁଇଟ୍, ଥ୍ୟାଙ୍କ୍ ୟୁ, ଥ୍ୟାଙ୍କ୍ ୟୁ ଫର୍ ୟୋର୍ ମନ୍ତ୍ର ।” ସୁଇଟ୍ କିଛି ଶୁଣିବା ଅବସ୍ଥାରେ ନଥିଲା । କାଳେ ବହିଟା ଚିରିଯିବ, ଧୀରେ କିନା ବାହାର କରି ଗୋଟେ ସିରିଏସ୍ ଟୋନ୍-ରେ କହିଲା, “ମିସ୍ ସିଲ୍କା ଦେବୀ, ନଭେମ୍ବର ୧୪ର ପିକକ୍ ମେଳାରେ ଓଜନ ହୋଇଥିଲୁନା ?” ସିଲ୍କା କହିଲା, “ଏସ୍, ଓନ୍ଲି ଫିଫ୍ଟି ଟୁ ।” “ଆଉ ହବାର ଥିଲା କି ?” ପଚାରିଲା ସୁଇଟ୍ । “ଆଉ ଯଦି ଗୋଟେ ମିନିଟ୍ ତୁ ମୋ ଉପରେ ଏମିତି ପଡ଼ିରହିବୁ, ମୋର ହାର୍ଟ ପ୍ରବ୍ଲେମ୍ ବାହାରିଯିବ ।” ସିଲ୍କା ଗଡ଼ିପଡିଲା ତଳକୁ ଓ ଗୋଟେ ଥରରେ ସୁଇଟ୍-କୁ ଭିଡ଼ିନେଲା ତା ଛାତି ଉପରକୁ । ଧୀର ଓ ଶାନ୍ତ ଭାବରେ ସୁଇଟ୍ କହିଲା, “ସିଲ୍କା, ମୁଁ ତତେ ଦୁଇ ତିନୋଟି କଥା କହିବି ଆଉ ତା’ପରେ ଶୋଇବାକୁ ଯିବି । ତୁ ମୋତେ ପ୍ଲିଜ୍ ଡିଷ୍ଟର୍ବ କରିବୁନି ।” ସିଲ୍କା କହିଲା, “ବତା ମେରି ଜାନ୍ ।” ସୁଇଟ୍ କହିଲା ଗୋଟେ ନିପୁଣା ଅଭିଭାବିକା ଭଳି, “ସିଲ୍କା ଜାଣିଛୁ, ତୁ ଗୋଟେ ଭଲ ପିଲା । ଭଲ ପାଠ ପଢୁଛୁ । ଭଲ ପରିବାରରୁ ଆସିଛୁ । ମୋତେ କିନ୍ତୁ ଏତେ ଫାଜିଲାମି ଭଲ ଲାଗେନି । ଆଜି ୟା ସହ, କାଲି ତା ସହ ଗପାଗପି କରିବାକୁ ମୁଁ ଲାଇକ୍ କରେନା । ତା’ଛଡ଼ା ତୁ କହୁଥିଲୁ ବିପ୍ଲବ ଭାଇଙ୍କ ସହ ତୋର ପିଲାଦିନର ସଂପର୍କ । ମୁଁ ଯେତିକି ଫିଲ୍ କରିଛି, ହି ଇଜ୍ ଏ ଡିଭାଇନ୍ ଲଭର୍ । ସେ ଶୁଣିଲେ କ’ଣ ଭାବିବେ ? ତୁ ସୁନ୍ଦରୀ ନିଶ୍ଚୟ, ତା ମାନେ ନୁହେଁ ତୁ ତୋ ପର୍ସନାଲିଟି ଓ ଆଟିଚ୍ୟୁଡ୍-କୁ ଚେଞ୍ଜ୍ କରିଦେବୁ ।” ସିଲ୍କା ଏତେବଡ଼ ମୁହଁ କରି ପଳେଇଆସିଲା ନିଜ ବେଡ୍ ଉପରକୁ । ନିଘୋଡ଼ ନିଦରେ ଶୋଇପଡ଼ିଲା ସୁଇଟ୍ ସୁନାପିଲା ପରି । ସିଲ୍କାର ମନେପଡ଼ିଲା ବିପ୍ଳବ ଭାଇଙ୍କ କଥା, ପିଲାଦିନର ସଂପର୍କ, ଯଦିଓ ସିନିଅର୍ । ସେ ତାଙ୍କ ସହ ଏକାଠି ଖେଳିଛି, ଗପସପ କରିଛି, ମାର୍କେଟିଙ୍ଗ୍ କରିଛି । ତା’ ବୋଲି ସେ କ’ଣ ଆଉ କାହା ସହ ଫ୍ରେଣ୍ଡସିପ୍ କରିବିନି ? ଆଜି କାହିଁକି ବିଶ୍ୱାସର କଣ୍ଠସ୍ୱର ତାକୁ ଅନ୍ୟମନସ୍କ କରିଦେଉଛି, ପାଗଳ କରିଦେଉଛି, ଏତେ ଚାର୍ମିଙ୍ଗ୍ ଓ କନ୍ଫିଡେଣ୍ଟ ଟୋନ୍ ସେ କେବେ ବି ଶୁଣିନଥିଲା । ସିଲ୍କା ଭାବିଲା, ବିଶ୍ୱାସ ତ ଏବେ ପଢୁଥିବ, ଗୋଟେ ଛୋଟ ମେସଜ୍ ଦେଇ ଶୋଇପଡ଼ିବ । ବହିଥାକରୁ ଏସ୍.ଏମ୍.ଏସ୍. ବୁକ୍ ଆଣିଲା । ଦେଖିଲା ଗୋଟିଏ ବି ତା ମନକୁ ପାଉନି, ସେ ନିଜେ ଲେଖିଲା,  “ମାଇଁ ଡିଅରେଷ୍ଟ ‘ବି’, ବେଷ୍ଟ ଅଫ୍ ଲକ୍ ଫର୍ ଇଓର୍ ହାର୍ଟଲି ପ୍ରିପାରେସନ୍ । ଫରର୍ଗେଟ୍ ମି, ବଟ୍ ନଟ୍ ମାଇଁ ଇମୋସନ୍ ।” ହାଫ୍ ମିନିଟ୍-ରେ ସେପଟୁ ମେସେଜ୍ ଆସିଲା, “ମାଇଁ କୁଇନ୍ ‘ଏସ୍’, ହାଭ୍ ଏ ସୁଇଟ୍ ସ୍ଲିପ୍ । ଆଇ ରିଗାର୍ଡ ଇଓର୍ ଇମୋସନ୍ ଉଇଥ୍ ଫୁଲ୍ ଅଫ୍ ଲଭ୍ ।”

       ସିଲ୍କା କିନ୍ତୁ ଶୋଇଲାନି, ନା ଶୁଆଇଦେଲା ବିଶ୍ୱାସକୁ । ରାତିସାରା ବିତିଗଲା କେବଳ ମେସଜ୍ ଦିଆନିଆରେ, ଯଦିଓ ପାହାନ୍ତା ବେଳକୁ ମେସଜ୍-ଗୁଡ଼ାକ ଭାରି ଓଦାଳିଆ ଲାଗୁଥିଲା । ଉଠିଲା ଯାଇ ୧୦ ଟାରେ । ଆଖି ଦି’ଟା ତ ଫୁଲିଯାଇଥିଲା । ତଥାପି ଆହୁରି ନିଦ ବାକି ଥିଲା । ବ୍ରସ୍ କରୁକରୁ ଢୁଳଉଥିଲା ସିଲ୍କା । ସବୁଦିନ ଏର୍ଲି ମର୍ଣ୍ଣିଙ୍ଗ୍-ରୁ ବିପ୍ଳବ ଭାଇ ଗୋଟେ ଛୋଟ ମେସଜ୍ ପଠାଏ, ସିଲ୍କା ମଧ୍ୟ; ଆଜି କିନ୍ତୁ ବ୍ୟତିକ୍ରମ । ନିହାତି ଦରକାର ନହେଲେ ବିପ୍ଳବ ଭାଇ ସୁଇଟ୍-କୁ ଫୋନ୍ କରେନା, ଯଦିଓ ସୁଇଟ୍ ଚାହେଁ ସବୁବେଳେ ନହେଲେ ବି ବେଳେବେଳେ ବିପ୍ଲବ ଭାଇ ତାକୁ ମେସଜ୍ ଦିଅନ୍ତେନି ! ନା ସେମିତି ହୁଏନି । ଆଜି ବିପ୍ଳବ ଭାଇ ଫୋନ୍ କରିଛନ୍ତି, ଅଥଚ ସୁଇଟ୍ ରିସିଭ୍ କରିପାରୁନି, କ’ଣ କହିବ ? ସେ ଫୋନ୍ କାଟି ଗୋଟେ ମେସଜ୍ ପଠାଇଲା ବିପ୍ଳବ ଭାଇକୁ, “ସି ଇଜ୍ ଇଲ୍, ଆଇ ଆମ୍ ଇନ୍ କ୍ଲାସ୍ ।” ତା’ପରେ ସୁଇଚ୍ ଅଫ୍ କରିଦେଲା, ଚେଞ୍ଜ କରିଦେଲା ସିମ୍ । ଏବେ ଯେତେବେଳେ ବିପ୍ଳବ ଫୋନ୍ କରେ, ସେତେବେଳେ ସିଲ୍କାର ଫୋନ୍ ଥାଏ ଆଉଟ୍ ଅଫ୍ ରିଚ୍, ୱଏଟିଙ୍ଗ୍, ନମ୍ବର ବିଜି, ନହେଲେ ସୁଇଚ୍ ଅଫ୍ । ସେଦିନ ଏକଘଣ୍ଟା ଖରାବେଳେ ବିଶ୍ୱାସ ସହ ଗପିବା ଭିତରେ ବିପ୍ଳବ ଫୋନ୍ କରିଥିଲା ସତେଇଶ୍ ଥର । ସିଲ୍କା ଗୋଟେ ମିନିଟ୍ ପାଇଁ ଫୋନ୍ ହୋଲ୍ଡରେ ରଖି ଶୋଧିଲା, କହିଲା, “କେଡ଼େ ବୋଗସ୍ ତମେ ? ଘରେ ଆମର ଡିଷ୍ଟର୍ବାନ୍ସ । ଡାଡି ଅନୁଗୋଳରେ, ମମି ପୁରୀରେ, ମୁଁ ମଝିରେ ପଡ଼ି ହଇରାଣ ହେଉଛି; ଅଥଚ କଥାବାର୍ତ୍ତା ମଝିରେ ଏତେଥର ଫୋନ୍ କରୁଚ ଯେ, ମୋର ବ୍ଲଡପ୍ରେସର୍ ହାଇ ହୋଇଯାଉଛି । ଏପଟୁ ଫୋନ୍ କଲେ କଥା ହେବ, ଡୋଣ୍ଟ ଡିଷ୍ଟର୍ବ ମି ।” ବିପ୍ଳବ ଚୈଧୁରୀ ଜେ.ଏନ୍.ୟୁ.ର ସୋସିଓଲୋଜି ପୋଷ୍ଟ ଗ୍ରାଜୁଏଟ୍ ଷ୍ଟୁଡେଣ୍ଟ। ଏନ୍.ଏସ୍.ଏସ୍.ର ସେ ଆଇକନ୍ । ସାରା ଇଣ୍ଡିଆରେ ତା’ର ନାଁ ଅଛି ସୋସିଆଲ୍ ସର୍ଭିସ୍-ରେ । ବାପା ଜଣେ ଅଧ୍ୟାପକ । ମାଆ ହାଉସ୍ ୱାଇଫ୍ । ଖୁବ୍ ସରଳ ପିଲା । ପାଖ ହନୁମାନ ମନ୍ଦିରକୁ ଗଲା, ସିଲ୍କା ଫ୍ୟାମିଲିର ସୁଖ ମନାସି ଦୀପ ଜାଳିଲା, ସିଲ୍କା ଫୋନ୍ ନକଲେ ଆଉ ଫୋନ୍ କରିବନି ବୋଲି ହନୁମାନଙ୍କ ପାଖରେ ଓଥ୍ ନେଲା । ଅବଶ୍ୟ ପ୍ରଥମେ ପ୍ରଥମେ ଟିକେ କଷ୍ଟ ହେଲା ତାକୁ । ବିପ୍ଳବ ଜାଣେ ବହୁତ ଇଣ୍ଟେଲିଜେଣ୍ଟ ଓ ସୁନ୍ଦରୀ ଝିଅ ଏବେ ତା ପଛରେ । କିନ୍ତୁ ବିପ୍ଳବ ଭଲପାଏ ସିଲ୍କାକୁ, ନିଷ୍ପାପ ଭଲପାଇବା । ସେ ଗୋଟେ ଶୈଶବର ସ୍ମୃତି, କୈଶୋରର କମ୍ପନ ଓ ତାରୁଣ୍ୟର ତନ୍ମୟତା ଗୋଳିହୋଇ ରହିଛି ସେ ସଂପର୍କରେ । ସେ ନିରୀହ ଭଲପାଇବା ଭିତରେ ଅଛି କୋମଳ ବୟସର ପ୍ରତିଜ୍ଞା, ଗାଁ ମାଟିର ବାସ୍ନା, ଗାଁ ନଈର ଗୀତ, ଗାଁ ଆକାଶର ଜହ୍ନର ରୋସଣି । ବିପ୍ଳବ ବାହାର କଲା ତା କବିତା ଡାଏରୀ ଆଉ ଲେଖିଚାଲିଲା କବିତା ପରେ କବିତା...

       ବଦଳିଯାଉ ବସୁଧା

       ବଦଳିଯାଉ ବିଭାବସୁ

       ଜହ୍ନ ପଛେ ହଜିଯାଉ ଦିଗବଳୟ ତୀରେ

       ନିରୁଦ୍ଦିଷ୍ଟ ହେଉ ସମୁଦ୍ରର ସ୍ୱପ୍ନ

       ନବଦଳୁ ପ୍ରେମ

       ନବଦଳୁ ସୋହାଗପଣର ସାହାନାଇ

       ନଭାଙ୍ଗୁ ବିଶ୍ୱାସର ଭୂମି

       ନଭିଜୁ ପ୍ରୀତିର କରବୀ ଈର୍ଷାର ମେଘରେ

       ହସୁଥାଉ ସଂପର୍କର ସୁନାଦୋଳି

       ହସୁଥାଉ ମନର ମଣିଷ ଯୁଗଯୁଗାତୀତ...

       ୟା ଭିତରେ ବିତିଗଲାଣି ଗୋଟେ ବର୍ଷ । ମଝିରେ ମଝିରେ ସିଲ୍କା କଥାହୁଏ ବିପ୍ଳବ ସହ ଉଦ୍ରତାର ଖାତିରରେ । ଯାହାକୁ କୁହାଯାଏ ଇନ୍ଫର୍ମେସନ୍ ସେଆରିଙ୍ଗ୍ ଓନ୍ଲି ।

       ଏପଟେ ଫୋନରେ ଫୋନରେ ସିଲ୍କା ସୁନ୍ଦରୀ ମନେଇସାରିଲାଣି ଗୋଟେ ନୂଆବର୍ଷ । ଅଭିନନ୍ଦନ ମେସେଜ୍-ରେ ଭର୍ତ୍ତି ହୋଇସାରିଲାଣି ତା’ର ଇନବକ୍ସ । ଫ୍ରେଣ୍ଡସିପ୍ ଡେ’ରୁ ଚକୋଲେଟ୍ ଡେ, ଆଉ ଭାଲେଣ୍ଟାଇନ୍ସ ଡେ, ସବୁବେଳେ ଭାବର ବିନିମୟ, ମଧୁର ଆଳାପ, ସ୍ୱପ୍ନର ସଙ୍ଗୀତ, ଶିହରିତ ମୁହୂର୍ତ୍ତ, କେବଳ ସାକ୍ଷାତ ବ୍ୟତୀତ ପବନରେ କିଛି ଗୁପ୍ତ ଆବେଗର ଆଦାନ ପ୍ରଦାନ । ସୁଇଟ୍ ଆଉ ବେଶୀ ମିଶେନି ସିଲ୍କା ସହ । ସିଲ୍କାର ବା ସମୟ କାହିଁ ? ପ୍ଲସ୍-ଟୁ ଫାଇନାଲ୍ ପରୀକ୍ଷା ଆଉ ଅଳ୍ପଦିନ ରହିଲା । ସିଲ୍କା ଭାବିଲା ରାତି ରାତି ବିମୋହିତ କରି ରଖିଥିବା ବିଶ୍ୱାସ ସହ ଥରେ ଫିଜିକାଲି ଦେଖାହେଲେ କେମିତି ହୁଅନ୍ତା ? ଏକାଠି ବସନ୍ତେ, ରେଷ୍ଟୁରାଣ୍ଟରେ ଖାଆନ୍ତେ, କିଛି ନହେଲେ ବି ପ୍ରଥମ ଦେଖାରେ ତ ହ୍ୟାଣ୍ଡସେକ୍-ରେ ଅନୁଭବ କରନ୍ତେ ବନ୍ଧୁତ୍ୱର ପରିଭାଷା । ଅବଶ୍ୟ ଇନ୍- ଡାଇରେକ୍ଟଲି ସିଲ୍କା ବହୁତ ଥର ଟ୍ରାଏ କରିଛି, ମାତ୍ର ବିଶ୍ୱାସ ସେକଥାକୁ ଆଭଏଡ୍ କରିଯାଏ କାହିଁକି କେଜାଣି ? ଆଜି ସିଲ୍କା ଜିଦି ଧରିଲା ଆଉ ବିଶ୍ୱାସର ମୁଡ୍ କ’ଣ ଥିଲା କେଜାଣି ସେ ହଁ ମାରିଦେଲା । ଆସନ୍ତା କାଲି ବିଶ୍ୱାସର ବାର୍ଥଡେ । ସିଲ୍କାକୁ ସେ ଇନଭାଇଟ୍ କରିଛି ରା ସେସ୍-କୁ । ରାମ ମନ୍ଦିର ସାମ୍ନା ପ୍ଲଟ୍ ନମ୍ବର ୫୩୦ ଘର ନାଁ ‘ନନ୍ଦନକାନନ’ । ୪ଟା ବେଳେ ସିଲ୍କା କିଛି ମାର୍କେଟିଙ୍ଗ୍ କଲା, ପାଖ ପାର୍ଲର ଯାଇ ଚୁଟି ସାଇଜ୍ କଲା, ଆଇବ୍ରୋ ସେଟିଙ୍ଗ୍, ନେଲ୍ କେୟାର୍, ଫେସିଆଲ୍...... । ନିଜକୁ ସଜେଇଲା ଗୋଟେ ସରଗର ପରି ଭଳି । ତା’ପରଦିନ ସକାଳୁ ଲୋକାଲ୍ ଗାର୍ଡିଅନ୍-ଙ୍କୁ ମିଛ କହି ବାହାରିଗଲା ହଷ୍ଟେଲରୁ । ‘ଦାମ ମହାରାଜ’ରୁ କିଣିଲା ସୁଇଟ୍ସ, ‘ବଜାର କୋଲକାତା’ରୁ ଗୋଟେ ବ୍ରାଣ୍ଡେଡ୍ ଟି. ସାର୍ଟ, ୱାର୍ଲ୍ଡଷ୍ଟୋନ୍ ଡି.ଓ., ମେଲୋଡି ପରଫ୍ୟୁମ୍ । ଭୁବନେଶ୍ୱର ବସ୍ ରହିଲା, ଲିଙ୍କ୍ ରୋଡ୍ ଯାଏ ବସ୍ ଚାଲିଲା ଧକେଇ ଧକେଇ କୋଡିଏ ସ୍ପିଡ୍-ରେ । ସିଲ୍କାର ମନ ଉଡୁଥାଏ ହଣ୍ଡ୍ରେଡ୍ ଏଇଟି ସ୍ପିଡ୍-ରେ । ହଠାତ୍ ମନେପଡ଼ିଗଲା ତା’ର ବିପ୍ଳବ ଭାଇ କଥା । ବିରକ୍ତ ଲାଗିଲା ସିଲ୍କାକୁ । ଭାରି ରିଜର୍ଭ ମେଣ୍ଟାଲିଟିର ପିଲା । ଖାଲି କହିବେ ଘରେ ବସିବା କଥା ହେବା । ଥ୍ରୀ ସେଭଣ୍ଟି ଆର୍ଟିକିଲଠୁ ନରେନ୍ଦ୍ର ମୋଦୀଙ୍କ ମନ୍ କୀ ବାତ୍, କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କଠୁ  କାର୍ଲମାର୍କସ । ବିଜ୍ଞାନରୁ ଦର୍ଶନ, କିର୍କେଗାର୍ଡ଼ଙ୍କଠୁ ଜନ୍ ଫ୍ରଏଡ୍ । ମଲାଲାଠୁ ଦାଉଦ୍ ଇବ୍ରାହିମ୍ । ଧେତ୍... ଗୋଟେ ଝିଅର ମନ କ’ଣ ଚାହେଁ... ଗୋଟେ ପ୍ରଜାପତିର ଡେଣା କେମିତି ଭ୍ରାଇବ୍ରେସନ୍ ହୁଏ... ଗୋଟାଏ ଫୁଲ କେମିତି ଗାଧାଏ କାକରରେ... କିଛି ବୁଝନ୍ତିନି । ଖାଲି କହିବେ ଭାରତ ପୁଣି ଦିନେ ବିଶ୍ୱର ଗୁରୁ ହେବ, ଏ ମାଟିରେ ପୁଣି ଥରେ ସୁନା ଫଳିବ ଧାନକେଣ୍ଡା ପରି । ପୃଥିବୀଯାକର ଆବସର୍ଡ ଥିକିଙ୍ଗ୍ । ବିଶ୍ୱାସର ଫୋନ୍ ଆସିଲା, ଯାହା ହଉ ସିଲ୍କା ବଞ୍ଚିଗଲା ବିପ୍ଳବ ଅତ୍ୟାଚାରରୁ । ଏକ ଚମତ୍କାର ଡିଜାଇନ୍-ର ସର୍ଟସ ଓ ଜିନ୍ସରେ ସିଲ୍କା ଜଳୁଥାଏ ଦାଉଦାଉ । ସାରା ବସ୍-ର ଆଖିମାନେ ନେସିହୋଇଯାଉଥିଲେ ତା’ ସୌନ୍ଦର୍ଯ୍ୟରେ, ସିଲ୍କା କିନ୍ତୁ ଏତେ ଜନଗହଳି ଥିବା ସତ୍ତ୍ୱେ ଜିଭ, ଓଠ ଓ ପବନର ଫେଣ୍ଟାଫେଣ୍ଟି ସ୍ୱରରେ ଗପି ଗପି ଚାଲିଲା ବିଶ୍ୱାସ ସହ । ପାଖରେ ବସିଥିବା ଜଣେ ସହଯାତ୍ରୀ ଠଉରେଇ ପାରୁନଥିଲେ ସିଲ୍କା କ’ଣ କଥା ହେଉଛି । କେବଳ ହାତ, ଆଖି ଓ ମୁଣ୍ଡ ହଲାଇବାରୁ ଜାଣିହେଉଥିଲା କାହା ସହ ସେ କଥା ହେଉଛି । ଅବଶ୍ୟ ବହୁ ଝିଅଙ୍କ ଭଳି କୌଶଳ ସିଲ୍କାର ଏକାନ୍ତ ନିଜସ୍ୱ । ବାଣୀବିହାର ଛକରୁ ଓହ୍ଲେଇପଡ଼ିଲା ସିଲ୍କା, ସମସ୍ତଙ୍କର ଇଚ୍ଛା - ବସନ୍ତା କି ସୁନ୍ଦରୀ ଝିଅଟା ତାଙ୍କ ଅଟୋରେ ! ଡାହାଣାମାନଙ୍କ ଦୌରାତ୍ମ୍ୟରୁ ରକ୍ଷାପାଇବା ପାଇଁ ସିଲ୍କା ବସିପଡ଼ିଲା ଜଣେ ବୟସ୍କ ଡ୍ରାଇଭରଙ୍କ ଅଟୋରେ । କିନ୍ତୁ କିଛି ଲାଭ ହେଲାନି, ବାଣୀବିହାର ଛକରୁ ରାମ ମନ୍ଦିର ଯାଏଁ ଅଧଘଣ୍ଟାଏରୁ ଅଧିକ ଲାଗାଇଲା ଡ୍ରାଇଭରଟା, ଆଉ ତ ପାସେଞ୍ଜର ଉଠାଇଲାନି । ହଜାରଥର ପଛକୁ ଚାହିଁ ପଚାରୁଥାଏ, “କେଉଁଠିକୁ ଯିବ ? କ’ଣ ଏକା ଆସିଛନ୍ତି ? ଆପଣଙ୍କୁ ଜିନ୍ସ ବେଶ୍ ମାନୁଛି, ଆପଣ କ’ଣ ନିଜ ପସନ୍ଦରେ କିଣିଥିଲେ ?” ରାମମନ୍ଦିର ପାଖରେ ଚଟକରି ଓହ୍ଲେଇପଡ଼ି ସିଲ୍କା ବଢ଼େଇଦେଲା ୧୦୦ ଟଙ୍କିଆଟେ । ଡ୍ରାଇଭର ପାନଖିଆ ଦାନ୍ତକୁ ଦେଖାଇ କହିଲା, “ଚେଞ୍ଜ୍ ଦିଅନ୍ତୁ ।” ସିଲ୍କା ପର୍ସ ଖୋଲିଲା, କିନ୍ତୁ ଚେଞ୍ଜ୍ ପାଇଲାନି । ମୂର୍ତ୍ତିରେ ଶିଳ୍ପୀଟିଏ ରଙ୍ଗର ଶେଷସ୍ପର୍ଶ ଦେଲାଭଳି ଡ୍ରାଇଭର ଗୋଟାଏ ଶେଷଚାହାଣି ଟାଣିଆଣିଲା ସିଲ୍କାର ଆପାଦମସ୍ତକ । ପୁଣି ସେଇ ପାନଖିଆ ଦାନ୍ତକୁ ଦେଖାଇ ହସିଲା, “ଠିକ୍ ଅଛି, ପରେ ଦେଖା ହେଲେ କେବେ ଡବଲ୍ ଦେଇଦେବେ ।” ସିଲ୍କା ବୁଲିପଡ଼ିଲା ଓ ଗଳି ଆଡ଼କୁ ଆଗେଇ ଚାଲିଲା । ସେ କିନ୍ତୁ ଅନୁମାନ କରିପାରୁଥିଲା ଡ୍ରାଇଭର ଗାଡ଼ି ଷ୍ଟାର୍ଟ ନକରି ତାକୁ ସେମିତି ଇଡିଏଟିକ୍ ଲୁକ୍-ରେ ଚାହୁଁଥିବ । ବାଁ ପଟକୁ ବୁଲିଲାବେଳକୁ ଦେଖିଲା ତା ଅନୁମାନ ସତ୍ୟ । ପାଟିରୁ ଫିସ୍ କିନା ବାହାରିଗଲା, “ନନ୍ସେନ୍ସ, କୁକୁର କେଉଁଠିକାର ! ଯେମିତି ଜୀବନରେ କେବେ ବି ସେ ଝିଅଟିଏ ଦେଖିନି କେଉଁଠି ?” ସିଲ୍କା ପୂରା ଗଳି ଭିତରକୁ ପଶିଗଲା ଓ ଟିକେ ଆଶ୍ୱସ୍ତ ମନେକଲା । ନିଜକୁ ଟିକେ ସଜାଡ଼ିନେଲା ଓ ବିଶ୍ୱାସ ସହ କିଛି ସମୟ ବିତାଇବାର ବିଭୋର ମୁହୂର୍ତ୍ତ କଥା ଭାବି ସେ ଟିକେ ଉନ୍ମାଦିତ ହେଲା । ବିଶ୍ୱାସର କହିବା ଅନୁଯାୟୀ କଦମ୍ବ ଗଛମୂଳରେ ପ୍ଲଟ୍ ନମ୍ବର ୫୩୦, ଘର ନାଁ ଲେଖା ହୋଇଛି ‘ନନ୍ଦନକାନନ’ । ରିଙ୍ଗ୍ କଲା, ସୁଇଚ୍ ଅଫ୍ । ଭାବିଲା ଚାର୍ଜ ସରିଯାଇଥିବ ।

       କଲିଂବେଲ୍ ପ୍ରେସ୍ କଲା ସିଲ୍କା, ଗୋଟେ ସଫଟ୍ ମିଉଜିକ୍ ସହ ଜଣେ ଲୋକ ଆସି ଫିଟାଇଲା ଗ୍ରୀଲ୍ । ପିନ୍ଧିଛି ଲୁଙ୍ଗି ଓ ଗୋଟେ ଫୁଲ୍ ସାର୍ଟ । “ଅଙ୍କଲ୍, ବିଶ୍ୱାସ ଅଛନ୍ତି ?” ବଡ଼ ସନ୍ତର୍ପଣରେ ପଚାରିଲା ସିଲ୍କା । “ହଁ, ଆସନ୍ତୁ” କହି ଲୋକଟି ଡ୍ରଇଁ ରୁମ୍-ରେ ବସିବାକୁ କହି ଗ୍ରୀଲ୍-ରେ ତାଲା ପକାଇଲା । ଇଏ ରାଜଧାନୀ ସଭ୍ୟତା, ଟିକିଏ ବୁଲିପଡିଲେ ଘରୁ ଲୁଟ୍ ହୋଇଯିବା ନିହାତି ସାଧାରଣ କଥା । ସିଲ୍କା ଦେଖିଲା ଗୋଟେ ପୁରୁଣା ସୋଫା ସେଟ୍ । ଠାଏ ଠାଏ ଅନ୍ତବୁଜୁଳା ଭଳି ବାହାରିପଡ଼ିଛି ଫୋମ୍  । ତା ଉପରେ ପଡ଼ିଛି ସଦ୍ୟ ଓହ୍ଲା ହୋଇଥିବା ବେଲ୍ଟ ସହ ଗୋଟେ ପ୍ୟାଣ୍ଟ, ଚଡ଼ି ଓ ଗଞ୍ଜି । ଟି’ପଏ ଉପରେ ଦି’ତିନିଟା ପୁରୁଣା ସାପ୍ତାହିକୀ । ଘରକୋଣରେ ଗୋଟେ ବାକ୍ସ ଉପରେ ଥୁଆ ହୋଇଛି ପୁରୁଣା ଫିଲିପ୍ସର ପୋର୍ଟେବୁଲ୍ ଟେଲିଭିଜନ୍ ସେଟ୍ । ଲୋକଟି କହିଲା, “ବସନ୍ତୁ ।” ସିଲ୍କା ବାଁ ହାତରେ ପ୍ୟାଣ୍ଟଟା ଟିକେ ଆଡ଼େଇଦେଇ ବସିପଡ଼ିଲା ସୋଫା ଉପରେ । ପୁଣିଥରେ କହିଲା, “ଅଙ୍କଲ୍ ! ଟିକେ ବିଶ୍ୱାସଙ୍କୁ ଡାକିଦେବେ । ମୋର ଟିକେ କଥା ଅଛି, ଶୀଘ୍ର କଟକ ଫେରିଯିବି ।” ଲୋକଟା ଭିତରକୁ ଗଲା ଓ ଗୋଟେ ଗ୍ଲାସ୍ ପାଣି ଓ ପ୍ଲେଟ୍-ରେ କିଛି ମିଠା ଆଣି ଆସିଲା । ଲୋକଟା ଜଳଖିଆ ରଖି ଗୋଟାଏ ଟିଣ ଚେୟାର ଟାଣିଆଣି ବସିପଡ଼ିଲା । ଟିଭିରେ ଚାଲୁଥିଲା କେଉଁ କାର୍ଯ୍ୟକ୍ରମ କେଜାଣି ସେଥିପ୍ରତି କାହାର ଦୃଷ୍ଟି ନଥିଲା । ଲୋକଟାକୁ ଦେଖି ସିଲ୍କାର ପ୍ରଥମରୁ ଭାବାନ୍ତର ସୃଷ୍ଟି ହୋଇଥିଲା । ଏତେବଡ଼ ଗୁମ ପରି ପେଟ, ଛୋଟିଆ ମୁଣ୍ଡ, ଦି’ଟା ଢିମା ଢିମା ଆଖି, ସରୁ ସରୁ ଦି’ଟା ଶିରା ଗଣିହୋଇଯାଉଥିବା କାଳିଆ ହାତ । ଏତେ ଝାଳର ଗନ୍ଧ ଆସୁଥାଏ ସୋଫାରୁ କି ପ୍ୟାଣ୍ଟରୁ, ସିଲ୍କା ବାନ୍ତି କରିପକେଇବା ଅବସ୍ଥା । ତଥାପି ପରଫିଉମ୍ ମିଶା ରୁମାଲକୁ ନାକରେ ଚାପିଧରି ସିଲ୍କା ପୁଣି କହିଲା, “ଅଙ୍କଲ୍, ଟିକେ ବିଶ୍ୱାସକୁ ଡାକିଦେବେ !” ଲୋକଟା ଅଳ୍ପ ହସିଲା, କିନ୍ତୁ ସବୁ ବାହାଡ଼ା ଦାନ୍ତ ତା’ର ଆଗକୁ ବାହାରିଯାଇ ଦିଶୁଥିଲେ ଜଂଗଲର ଗୋଟେ ଦନ୍ତା ହାତୀ ଭଳି । ସିଲ୍କାର ମୁଣ୍ଡ କ’ଣ ହୋଇଯାଉଥିଲା । ସେ ଅନ୍ୟମନସ୍କ ହୋଇ ଭାବୁଥିଲା ବାହାଡ଼ା ଦାନ୍ତରେ ସେ ଲୋକଟା ତାକୁ କାମୁଡ଼ି ଖାଇଯିବନି ତ ଆଉ ? ଲୋକଟା ଧୀର ଅଥଚ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଭାବରେ କହିଲା, “ସୁନ୍ଦରୀ ସିଲ୍କା ଦେବୀ, ମୁଁ ତମର ସେଇ ଚିରଆଙ୍କାକ୍ଷିତ ବିଶ୍ୱାସ ।”

       ସିଲ୍କା ପାଦତଳୁ ମାଟି ଖସିଯାଉଥିଲା । ମୁଣ୍ଡ ଉପରେ ଫ୍ୟାନ୍ ଘୂରୁଥିଲା କି ସେ ନିଜେ ଘୂରୁଥିଲା ଜାଣିପାରିଲା ନାହିଁ । ତରତରରେ ସେ ଗ୍ଲାସଯାକ ପାଣି ପିଇଗଲା ଢକଢକ କରି । ଲୋକଟା ତା ବାହାଡ଼ା ଦାନ୍ତକୁ ଦେଖାଇ ଚିରାଚରିତ ଢଙ୍ଗରେ କହିଲା, “ମୋତେ ଦେଖି ଘୃଣା ଲାଗୁଛିନା ମାଡାମ୍ ?” ସିଲ୍କା ପାଟିରୁ ଶବ୍ଦଟିଏ ବି ବାହାରି ନଥିଲା । ଲୋକଟା ସେମିତି ଗପିଚାଲିଥିଲା, “ମୁଁ ବିଶ୍ୱାସ ଦଳବେହେରା । ଶିକ୍ଷାଗତ ଯୋଗ୍ୟତା ପ୍ଲସ୍-ଟୁ । ପରିବାରର ସ୍ୱଚ୍ଛଳତା ନଥିବାରୁ ପାଠପଢ଼ାରେ ପୂର୍ଣ୍ଣଚ୍ଛେଦ ପଡ଼ିଲା । ଆଗ ଛକରେ ଗୋଟେ ମାଗାଜିନ୍ ଷ୍ଟଲ୍-ରେ କାମ କରେ । ଯେତିକି ପଇସା ପାଉଛି, ପରିବାର ଚଳେଇହେବନି ବୋଲି ଏଯାଏଁ ବାହା ହବା କଥା ଚିନ୍ତା କରିନି । ଖାଲି ତମେ ଏକା ନୁହେଁ, ତମ ଭଳି ଅନେକ ଝିଅ ମୋତେ ଫୋନ୍ କରନ୍ତି । କିଏ ଡ୍ରିମ୍ସରେ ଡିପ୍ଲୋମା କରୁଛି ତ କିଏ କେ.ବି.ଆର୍.ସି.ରେ ପ୍ଲସ୍-ଟୁ । କିଏ ପୁରୀର ତ କିଏ କେନ୍ଦ୍ରାପଡ଼ାର । କ’ଣ କରିବି, ମୁଁ ବି ସେମିତି ଅଭିନୟ କରେ । କାହାକୁ କହେ ମୁଁ କିଟ୍ସରେ ଡିପ୍ଲୋମା କରୁଛି ତ କାହାକୁ କୁହେ ବାଣୀବିହାରରେ ପି.ଜି. । କାହାକୁ କୁହେ ଗତ ମାସରେ ପାଇଗଲି ଷ୍ଟେଟ୍ ବ୍ୟାଙ୍କ୍ ପି.ଓ. ତ ଆଉ କାହାକୁ  ତମ ପରି ଆଇ.ଏ.ଏସ୍. ପ୍ରିପାରେସନ୍ । ଝିଅମାନେ ମୋ ସହିତ ଗପନ୍ତି । ମୁଁ ବି ଗପେ । ଯଦିଓ ମୋ ରୂପଟା ଏମିତି, ଗପିବାରେ ମୁଁ ଓସ୍ତାଦ୍ । ଜଣେ ବିବାହିତ ପୁରୁଷ ଅପେକ୍ଷା ମୁଁ ଅଧିକ କହିପାରେ ଝିଅମାନଙ୍କ ଇମୋସନ୍ ଉପରେ ।”

       ସିଲ୍କାର ଆଉ ଗୋଟିଏ ମୁହୂର୍ତ୍ତ ବସିବା ପାଇଁ ଇଚ୍ଛା ନଥାଏ, କିନ୍ତୁ କରିବ କ’ଣ ? ସିଲ୍କା ଭାବୁଥିଲା ଦୂରର ପାହାଡ଼ ସତରେ ଦେଖିବାକୁ କେତେ ସୁନ୍ଦର, କେତେ ଲୋଭନୀୟ, କେତେ ଛଳଛଳ ! କିନ୍ତୁ ପାଖକୁ ଗଲେ...  ହେ ଭଗବାନ୍ ! ଏତେ ବୀଭତ୍ସ ! ଏତେ ଅସହ୍ୟ ! ଏତେ ଅସ୍ପୃଶ୍ୟ ! କଳ୍ପନା ବାହାରେ । ସିଲ୍କାର ଆଖିଆଗରେ ଭାସିଗଲା ବିପ୍ଳବର ମୁହଁ । ସେ ଟିକେ ଅନ୍ୟମନସ୍କ ହୋଇଗଲା । ତରତରରେ କହିଲା, “ସରି ସାର୍ ! ଆପଣଙ୍କୁ ନମସ୍କାର । ମୁଁ କିଛି ଉପହାର ଆପଣଙ୍କ ପାଇଁ ଆଣିଚି, ସେତକ ଆପଣ ଦୟାକରି ଗ୍ରହଣ କରିଦେଲେ, ମୁଁ କଟକ ପଳାନ୍ତି ।” କଳା ମୁଗୁନି ପଥର ପରି ଚେହେରା ଗେଟମ ବିଶ୍ୱାସ ତା ଚନ୍ଦାମୁଣ୍ଡକୁ ହଲେଇ ହଲେଇ କହିଲା, “ଠିକ୍ ଅଛି, ତମେ ମୋ ପାଇଁ କିଛି ଉପହାର ଆଣିଚ ଆଉ ମୁଁ ବି ତମ ପାଇଁ ଗୋଟେ ଛୋଟ ଉପହାର ରଖିଛି, ଏ ଜଳଖିଆତକ ଖାଇଦିଅ । ମୋ ଉପହାରଟି ନେଇ ଶୀଘ୍ର ପଳେଇଯିବ, ମୋର ବି ମାଗାଜିନ୍ ଷ୍ଟଲ୍-କୁ ଯିବା ବେଳ ହୋଇଗଲାଣି ।” ସିଲ୍କା ଏତେ ଅସ୍ଥିତପ୍ରଜ୍ଞା ହୋଇଯାଇଥିଲା ଯେ, ସେ ମିଠାକୁ ଖାଇବ କ’ଣ, ଟି’ପଏ ଉପରେ ଥିବା ପେପରୱେଟକୁ ଖାଇବା ପାଇଁ ପାଟି ପାଖକୁ ନେଲା... “ଆହାଃ... ସେଇଟା ନୁହେଁ... ଏଇଟା” କହି ବିଶ୍ୱାସ ମିଠାଟା ଧରି ସିଲ୍କା ପାଟିରେ ପୂରେଇଦେଲା । ସିଲ୍କା ତାକୁ ନଖାଇ ସିଧା ଢୋକିଦେଲା, ଯେମିତି ସେ ଗୋଟେ ଟାବ୍ଲେଟ୍ ଖାଉଛି । ତା’ପରେ ଠିଆ ହୋଇଗଲା ଯିବା ପାଇଁ । ତା ସର୍ଟସ ଓ ଜିନ୍ସରେ ରସଗୋଲାର ସିରା ପଡ଼ି ଗୋଟିଏ ମର୍ଡନ୍ ଆର୍ଟର ଭ୍ରମ ସୃଷ୍ଟି କରୁଥାଏ । ଲୋକଜଣଙ୍କ ବିନା ଟେନ୍ସନ୍-ରେ କହିଲା, “ବସନ୍ତୁ ମାଡାମ୍, ବସନ୍ତୁ, ବ୍ୟସ୍ତ ହୁଅନ୍ତୁ ନାହିଁ । ମୋତେ ଯେଉଁ ଗୋଟେ ବର୍ଷ ହେଲା ଶୁଆଇଦେଇନ, ମୋ ମନରେ ତିଆରି କରିଚି ଯେଉଁ ସ୍ୱପ୍ନର ତାଜମହଲ, ହେଉ ପଛେ ମିଛ, ଗୋଟେ ବର୍ଷ ନିଃସଙ୍ଗ ଜୀବନରେ ବଞ୍ଚିବାର ପ୍ରେରଣା ଦେଇଚ, ତା’ର ପ୍ରତିଦାନ ନେବନି ?” “କ’ଣ କହିବାକୁ ଚାହୁଁଚ ?” ରାଗିଉଠି ସିଲ୍କା କହିଲା ଖଳନାୟକ ସାମ୍ନାରେ ଠିଆ ହୋଇଥିବା ଚଳଚ୍ଚିତ୍ରର ନାୟିକାଟିଏ ଭଳି ।

       ଲୋକଟା ଠିଆ ହୋଇଗଲା । ଲୁଙ୍ଗିଟାକୁ ଫାଲ୍ଟା ମାରିଲା । ସିଲ୍କା ଘୁଞ୍ଚିଗଲା ଗୋଟାଏ ପାଦ । ଲୋକଟା କହିଲା, “ବସନ୍ତୁ ମାଡାମ୍, ଠିଆ ହେଲେ କି କ୍ରୋଧ କଲେ କିଛି ଲାଭ ହେବନି । ବରଂ ମୋ କଥାରେ ରାଜି ହୋଇଗଲେ ଗୋଟାଏ ଆଭିଜାତ୍ୟ ପରିବାରର ଝିଅ ଭାବରେ ବଞ୍ଚିବାର ସୁଯୋଗ ପାଇବ । ଆଉ ମୋ ଭଳି ଆଉ କେତେ ମରୁଭୂମିର ଯାତ୍ରୀଙ୍କର ଓଏସିସ୍ ସାଜିପାରିବ । ବଡ଼ଲୋକ ଘରର ଝିଅ, ପାଠ ପଢ଼ିଚ । ଏତେ ସୁନ୍ଦରୀ ହୋଇଚ, ପୁରୁଷ ପୁଅର ମନର ଭାଷାକୁ ବୁଝିପାରୁନ ?” ସିଲ୍କା ଭାବୁଥିଲା ନର୍କ ଆଉ ଅଳ୍ପ ଦୂର, ତା ଫୁଲ ପରି ଲହୁଣିବୋଳା ଦେହ ହୁଏତ ଏବେ ବାସି ହୋଇଯାଇପାରେ ।

       ଲୋକଟା ଆସୁଥିଲା ଧୀରେ ଧୀରେ ରେଭେନ୍ସା କୁଇନ୍ ଏସ୍. ସିଲ୍କା ପାଖକୁ । ହଠାତ୍ ବାହାରେ ଶୁଭାଗଲା ପାଟି । ବହୁଲୋକଙ୍କର କଥାବାର୍ତ୍ତା । ଟି.ଭି.ରେ ଚାଲୁଥିବା ଗୀତ ବନ୍ଦ ହୋଇ ଜଣେ ସମ୍ବାଦ ପାଠକ ଘୋଷଣା କଲେ, “କଟକ ଓ ଭୁବନେଶ୍ୱର ପାଖାପାଖି ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି । ଲୋକମାନେ ଫ୍ଲାଟ୍ ଛାଡ଼ି ରାସ୍ତା ଉପରକୁ ପଳେଇ ଆସନ୍ତୁ ।” ଲୋକଟା ଖୁବ୍ ଜୋରରେ ଦୌଡ଼ିଲା ଗ୍ରୀଲ୍ ପାଖକୁ । ସିଲ୍କା ତ ଆଗରୁ ଥରୁଥିଲା, ଏ ସମ୍ବାଦ ଶୁଣି ସେ ବି ଦୌଡ଼ିଲା ପ୍ରାଣ ବିକଳରେ । ଲୋକଟା ଟି’ପୟ ଝୁଣ୍ଟି ଗ୍ରୀଲ୍ ପାଖରେ ପଡ଼ିଗଲା ତଳେ । ସିଲ୍କା ଟିଣ ଚେୟାରକୁ ଝୁଣ୍ଟି ପଡ଼ିଗଲା ଲୋକଟା ଉପରେ । ତା ହାତରୁ ଚାବିଟା ଛଡ଼େଇ ଆଣି ଗ୍ରୀଲ୍ ଖୋଲି ଦୌଡ଼ି ପଳେଇ ଆସିଲା ବାହାରକୁ । ବାହାରେ ଦେଖିଲା ରାସ୍ତା ଉପରେ ମାଳମାଳ ଲୋକ । କିଛି ସମୟ ପରେ କର୍ପୋରେସନ୍ ତରଫରୁ ପ୍ରଚାର ଗାଡ଼ି ବୁଲି ଘୋଷଣା କଲା, “ଲୋକମାନେ ଘର ଭିତରକୁ ଯାଇପାରନ୍ତି, ଆଉ କୌଣସି ବିପଦର ସୂଚନା ନାହିଁ ।”

       କଟକ ଆସୁଥିବା ଗୋଟେ ବସ୍-ରେ ଚଢ଼ିଲା ସିଲ୍କା । ଲିଙ୍କ୍ ରୋଡ୍-ରେ ଓହ୍ଲେଇପଡ଼ି ରିକ୍ସାରେ ଗଲା ହଷ୍ଟେଲକୁ । ମୁହଁହାତ ଧୋଇ ଫୋନ୍ ଲଗାଇଲା ବିପ୍ଳବ ପାଖକୁ । ବିପ୍ଳବର ମୋବାଇଲ୍ ଆଉଟ୍ ଅଫ୍ ରିଚ୍ । ଆଖି ପଡ଼ିଲା ସୁଇଟ୍-ର ବେଡ୍ ଉପରେ ପଡ଼ିଥିବା ସେଦିନର ନିଉଜପେପର୍ ଉପରେ । ସେଦିନ ହେଡ୍ ନିଉଜ୍ ଥିଲା ଏମିତି -

       “ଜେ.ଏନ୍.ୟୁ.ର ସ୍ୱର୍ଣ୍ଣପଦକପ୍ରାପ୍ତ ଛାତ୍ର ବିପ୍ଳବଙ୍କର ଓଡ଼ିଶା ନୂତନ ମାଓବାଦି ସଂଗଠନର ସଂପାଦକ ଭାବରେ ଯୋଗଦାନ । ମୁଖ୍ୟ ସ୍ରୋତରେ ସାମିଲ୍ ହେବାକୁ ସରକାରଙ୍କ ନିବେଦନ ।”

       ମୁଣ୍ଡକୁ ଚିପିଧରି ବେଡ୍ ଉପରେ ଶୋଇପଡ଼ିଲା ସିଲ୍କା, ରାତି ପାହିବା ପର୍ଯ୍ୟନ୍ତ ଥରେ ବି ଭାଙ୍ଗିନଥିଲା ତା ନିଦ ।

 

‘ଜୟ ଉତ୍କଳ’, ଜୋବ୍ରା

କଲେଜ ଛକ, କଟକ-୭୫୩୦୦୩

ଫୋନ୍-୯୪୩୯୨୫୪୪୭୦

*****

ଦୂର ପାହାଡ଼

Rate the content


Originality
Flow
Language
Cover design

Comments

Post

Some text some message..