Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ତଲାସ
ତଲାସ
★★★★★

© Ajaya Mahala

Classics Inspirational

8 Minutes   14.7K    18


Content Ranking

ସକାଳୁ ଆଖି ଖୋଲିଲା ବେଳକୁ ଦେଖେ ତ ଆଲମାରୀର ଚାବି ଗୁନ୍ଥା ଠିକ ମୋ ମୁଣ୍ଡ ଉପରେ ।

ନାଗରାଜ ତା ମଣି ଛାଡି ଚରିବାକୁ ସହସ୍ର କୋଶ ଯାଇପାରେ କିନ୍ତୁ ମୋ ସ୍ତ୍ରୀ ତା ଆଲମାରୀ ଚାବି ଛାଡି ଦଣ୍ଡଟିଏ ବି ରହି ପାରିବେନି ।

ସେଇଥିପାଇଁ ଏଟା ଥିଲା ମୋ ପାଇଁ ଉତ୍କଣ୍ଠାର ବିଷୟ । ହାତରେ ମୋର ପୁରା ଘଣ୍ଟାଟିଏ ସମୟ - ସେଇ ଉତ୍କଣ୍ଠା ଦୂର କରିବାକୁ । ସ୍ତ୍ରୀ ମୋର ସକାଳୁ ଘଣ୍ଟାଟିଏ ପାଇଁ ମନ୍ଦିର ଯାନ୍ତି ।

ଗୋଟିଏ ବଡ ଅଧିକାର ଯେମିତି ମିଳିଯାଇଛି ମୋତେ । ସବୁ ରହସ୍ୟ ଉଦଘାଟନ ହୋଇଯିବ ।

ଜଣା ପଡ଼ିଯିବ କେତେ ପଇସା ଏକାଠି କରିଛନ୍ତି ମୋତେ ଲୁଚାଇ ବିଗତ ଦିନ ଗୁଡିକରେ। ବର୍ତ୍ତମାନ ମୁଁ ଚାହିଁଲେ ତାଙ୍କର ସବୁ ପଇସା ଚୋରି କରିପାରିବି ।

କିନ୍ତୁ ତାହା ମୁଁ କରିବାକୁ ଯାଉନି।

ହେଲେ ଏତେ ବଡ ସୁଯୋଗ ହାତଛଡା କରିବା ମୂର୍ଖତା । କମ ସେ କମ ଜାଣି ତ ପାରିବି କେତେ ପଇସା ଏକାଠି ହୋଇଛି ଯାହା ବିଷୟରେ ସେ ଯେତେ ପଚାରିଲେ ବି କହେନା । କେବଳ ଏତିକି କହି କଥା କାଟି ଦିଏ , " ମୁଁ ଗଣିନି "। ତାର ଦୃଢ ବିଶ୍ଵାସ ଏହି ଯେ ପଇସା ଗଣିଲେ ପଇସା ବଢେନା ।

ବାହାରେ ଦାଣ୍ଡ କବାଟ ଦେଇ ସୁରୁଖୁରୁରେ ମୋର ଗୁପ୍ତ ଅପରେସନ, ଯାହାକୁ ମୁଁ ଆଗକୁ 'ଅପରେସନ ତଲାସ' ନାମରେ ନାମିତ କରିଛି, ପୂର୍ଣ୍ଣ କରିବାକୁ ଇଛା କଲି । କୁକୁର ପଶି ଆସିବ ବୋଲି କବାଟ ବନ୍ଦ କରିଛି ବୋଲି ଜବାବଟିଏ ତ ପ୍ରସ୍ତୁତ ଥିଲା ମୋ ପାଖରେ। କିନ୍ତୁ କ’ଣ ଭାବି କବାଟ ଦେଲିନି । ସନ୍ଦେହ କରିଲା ଭଳି କୌଣସି କାମ କରିବା ଉଚିତ ନୁହେଁ । ସାଧାରଣତଃ ସ୍ତ୍ରୀ ମନ୍ଦିର ଗଲା ପରେ କବାଟ ଆଉଜେଇ ଦେଇ ଯାଏ । ଫେରିଲା ବେଳକୁ କବାଟ ଭିତରୁ କେବେ ବି ବନ୍ଦ ନ ଥାଏ । ତେଣୁ କବାଟ ପଛପଟରୁ ବନ୍ଦ କରିବା ବଦଳରେ ଝରକାରୁ ଆମ୍ଵତୋଟା ଆଡକୁ ନିଘା ରଖିବା ଉତ୍ତମ ବିକଳ୍ପ । ଆମ୍ବ ତୋଟା ସେ ପଟେ ମନ୍ଦିର । ତୋଟା ଭିତରୁ ସ୍ତ୍ରୀ ବାହାରିଲେ ସହଜରେ ଦୃଶ୍ୟମାନ ହୋଇଯିବେ ଖଣ୍ଡେ ଦୂରରୁ। ହାତରେ ଅନେକ ସମୟ ରହିବ ଫଟାଫଟ ସବୁ ଜିନିଷ ସଜାଡି ନେବାକୁ ।

ଆଉ ସମୟ ନଷ୍ଟ ନ କରି ଚାବି ନେଇ ତା ଆଲମାରୀ ଖୋଲିଲି । ଏଇଟା ତା ଆଲମାରୀ କାରଣ ସେ ଏଇଟା ଯୌତୁକରେ ଆଣିଥିଲା ।

ଅପରାଧବୋଧ ହେଉଥିଲା ସ୍ତ୍ରୀର ପଇସା ଲୁଚି କରି ଗଣିବାରେ । ମନକୁ ବୁଝାଇ ଦେଲି " ଏଥିରେ କ’ଣ ଅଛି ? ନିଜ ସ୍ତ୍ରୀ ତ !"

ଆଲମାରୀ ଭିତର ଦୃଶ୍ୟ ବଡ କୌତୁହଳପ୍ରଦ ଥିଲା । ଆମ ଘର ସଂସାର ଠାରୁ ଅଲଗା ଥିଲା ତା ଏଇ ଟିକକ ଦୁନିଆ । ଟଙ୍କା ପଇସା ଛଡା ସେଠି ପଡି ରହିଥିଲା ଦୁଇ ପଟ ଭଙ୍ଗା ସୁନା ଚୁଡି । ତା' ଛଡା ବାହାଘର ବେଳେ ତାକୁ ମିଳିଥିବା ହାରଟି ଯେଉଁଥିରେ ପରେ ଅଧା ପିତଳ ଅଛି ବୋଲି ଜଣା ପଡିଥିଲା । ନୋଟ ଗୁଡିକ କୋଚା ମଚା। ଗାନ୍ଧିଜୀଙ୍କ ମୁଣ୍ଡରେ ମୁଣ୍ଡ ମିଶାଇ ନୋଟ ଗୁଡିକୁ ବି ସିଧା କରି ରଖା ଯାଇନାହିଁ । ଏହା ନିଶ୍ଚିତ ଯେ ଗଛିତ ପଇସା ଥରେ ହେଲେ ବି ଗଣା ଯାଇ ନାହିଁ ପୂର୍ବରୁ ଥରୁଟିଏ ବି । ଗତ ସାବିତ୍ରୀ ଓଷାରେ ମୁଁ ଦେଇଥିବା ଦୁଇଟି ପାଞ୍ଚଶ' ଟଙ୍କା ନୋଟ ବି ସେମିତି ପଡିଛନ୍ତି । ଆଉ ମୋ ପୁଅ ଜନ୍ମ ଦିନରେ ମିଳିଥିବା ପଇସା ବି କାଗଜ ଲଫାପା ଭିତରେ । ଖୋଲି ଦେଖିବାର ଆବଶ୍ୟକତା ବି ପଡିନି ।

"ଏ ସ୍ତ୍ରୀ ଲୋକଗୁଡା ଖର୍ଚ୍ଚ କରି ଜାଣନ୍ତିନି ", ମନକୁ ମନ କହି ହେଉଥିଲି ।

ହଠାତ ମୋ ଆଖି ନାଲି ରୁମାଲରେ ବନ୍ଧା ଥିବା କିଛି ଜିନିଷ ଉପରେ ପଡ଼ିଲା । ରୁମାଲ ଭିତରେ ଥିଲା କେବେ ଆଗରୁ ଦେଖି ନ ଥିବା ସୁନା ହାରଟିଏ ଆଉ ତା ସାଙ୍ଗକୁ ଚାରି ଚଉତ ଭଙ୍ଗା ଯାଇଥିବା ଚିଠି ଟିଏ । ସୁନା ହାରଟି ବେଶ ଓଜନିଆ ଥିଲା । ଚିଠି ନେଇ ମୋର କୌତୁହଳ ବଢ଼ି ଯାଇଥିଲା । ମୁଁ ଚିଠି ଖୋଲି ପଢ଼ିଲି । ସେଥିରେ ନିମ୍ନନୁସାର ଲେଖା ଥିଲା

" ମୀନା ଲୋ

ମୋ ଶୁଭାଶିର୍ବାଦ ନେବୁ ।

ତୋ ପାଖକୁ ଚବିଶ ହଜାର ଟଙ୍କା ପଠାଉଛି । ଏହା ତୋ ମୂଳ କୋଡ଼ିଏ ହଜାର ଆଉ ତା ଉପରେ ସୁଧ ଚାରି ହଜାର ମିଶାଇ । ମୂଳର ଆଉ ଦଶ ହଜାର ଟଙ୍କା ବାକି ରହିଲା ।ଏବେ ଦେଇ ହେବନି । ସେଥି ପାଇଁ ଏଇ ସୁନାହାରଟି ତୋ ପାଖକୁ ପଠାଉଛି । ପୂରା ପାଞ୍ଚ ଭରିର । ବାହାରେ ବନ୍ଧା ପକାଇ ସୁଧିଆରେ ପଇସା ନେବା ଅପେକ୍ଷା ତୋ ପାଖରେ ପଡି ରହିଥାଉ । ରୀନା ବାହାଘର ବେଳକୁ ଛଡ଼େଇବୁ । ତୋ ବାପା ମରିବା ଆଗରୁ ବି ଏଇଆ କହି ଯାଇଥିଲେ କି ଝିଅ ପଇସା ମୋଟେ ରଖିବ ନାହିଁ ।

ତାଙ୍କର ତ ଅସାଧ୍ୟ ବେମାରୀ ଥିଲା । ସମୁଦ୍ର ଭଳିଆ ଖର୍ଚ୍ଚ ।ଯେତେ ପଇସା ପକାଇଥିଲେ ସବୁ ଭାସି ଯାଇଥାନ୍ତା । ସିଏ ମରି ଗଲେ ଗୋଟିଏ ପ୍ରକାର ଭଲ ହେଲା । ନ ହେଲେ ମୋ ଛୁଆ ଦାଣ୍ଡର ଭିକାରୀ ହୋଇ ଯାଇଥାନ୍ତେ । ତୋ ସାନ ଭଉଣୀ କଥା ମନେ ରଖିଥିବୁ । ଏବର୍ଷ ନ ହେଲେ ବି ଆର ବର୍ଷକୁ ଯେମିତି ହେଲେ ତାକୁ ବାହା ଦେବାକୁ ପଡିବ ।

ମୁଁ ଜାଣିଛି ତୋର ଏଠିକି ଆସିବାକୁ କେତେ ଇଛା ।ତୋ ସ୍ୱାମୀ ଚାହିଁଲେ ବୁଲିବାକୁ ଆସିବୁ । ଶାଶୁଘର ଲୋକଙ୍କୁ ନ କହି କେବେ ବି ଆସିବୁନି ।

ଯାହା ଖବର ଦେବୁ ଗାଁ ବାରିକ ହାତରେ ଦେବୁ ।

ଆମେ ସବୁ ଭଲରେ ଅଛୁ । (ଇତି)

ତୋ ବୋଉ "

ମନ ଭିତରେ କିପରି ଏକ ଆଶ୍ୱସ୍ତି ଅନୁଭବ ହେଉଥିଲା ।

କୌଣସି ବହୁତ ପୁରୁଣା ମନୋମାଳିନ୍ୟକୁ ନେଇ ମୋର ଶ୍ୱଶୁର ଘର ଯିବା ଏକ ପ୍ରକାରର ବନ୍ଦ ହୋଇ ଯାଇଥିଲା । ଏସବୁ ନେଇ ମୋ ସ୍ତ୍ରୀର କୌଣସି ହାତ ନ ଥିଲା । ଯଦିଓ ଶ୍ୱଶୁର ଘର ନ ଯିବା ନେଇ ସିଏ ସାମାନ୍ୟ ବିଚଳିତ ରହୁ ଥିଲେ, ଏହାକୁ ନେଇ ଆମ ଦୁହିଁଙ୍କ ଭିତରେ କେବେ ଖୋଲା ଆଲୋଚନା କିମ୍ବା ଝଗଡା ହୋଇନାହିଁ ।

ଏଇ କୋଡିଏ ଦିନ ତଳେ ମାତ୍ର ଶ୍ୱଶୁର ଘର ଯାଇଥିଲି , ଶ୍ୱଶୁରଙ୍କ କ୍ରିୟା କର୍ମରେ ସମ୍ମିଳିତ ହେବାକୁ । ଏକ ମାତ୍ର ଜ୍ଵାଇଁ ଯାହା ଥିଲି ! ଯେମିତି ସେମିତି ଦୁଇ ଦିନ ରହି ଫେରି ଆସିଥିଲି ।

ମୋର ଶ୍ୱଶୁର ଘର ପ୍ରତି ରାଗ ଅଭିମାନ ନେଇ ସ୍ତ୍ରୀ କେବେ କୌଣସି ମନ୍ତବ୍ୟ ଦିଅନ୍ତି ନାହିଁ । ଯେମିତି ସିଏ ଭଲ ଭାବରେ ବୁଝି ନେଇଛି, ବିବାହ ପରେ ବାପଘରେ କ’ଣ ସବୁ ଘଟୁଛି ସେଥି ନେଇ ତାଙ୍କୁ ଅଧିକ କିଛି ଭାବିବା ଉଚିତ ନୁହେଁ । କାରଣ ଦୁନିଆଁ ଜାଣେ, " ଦେଲୁ ନାରୀ, ହେଲୁ ପାରି" । ଏକ ବିବାହିତ ନାରୀ ପାଇଁ ସ୍ୱାମୀ ହିଁ ସବୁ କିଛି ।

ହେଲେ ଆଜି ଯେମିତି ଅତୀତର ଟିଖିନିକି ଘଟଣା ପଟୁଆର ବାନ୍ଧି ଠିଆ ହୋଇଛନ୍ତି ମୋ ଆଗରେ ମୋ ଅଵିଵେକପଣର ତିରସ୍କାର କରିବାକୁ । ସ୍ତ୍ରୀର ଆଲମାରୀ ଭିତରର ଦୁନିଆଟି ଯେପରି ମୋ ଅଗୋଚରରେ ଗଢି ଉଠିଥିବା ତା ମନ ଭିତରର ନୀରବ ଆଉ ଉଦାସୀନ ଦୁନିଆ ଥିଲା , ଯାହା ମୁଁ ଜାଣି ନ ଥିଲି ବା କେବେ ଜାଣିବାକୁ ଚେଷ୍ଟା କରି ନ ଥିଲି ।

ମୁଁ ଅସମ୍ଭବ ଭାବରେ ହୀନମ୍ମନ୍ୟତାର ଶିକାର ହୋଇ ସାରିଥିଲି । ମୂହୁର୍ତ୍ତକ ମଧ୍ୟରେ କିଶୋର ଡ୍ରାଇଭରକୁ ଫୋନ କରି ଗାଡିଟିଏ ବରାଦ କଲି ରାଧା ମାଧବ ମନ୍ଦିର ପାଇଁ । ରାଧା ମାଧବ ମନ୍ଦିରକୁ ଛାଡି ଗୋଟେ ଗାଁ ଡେଇଁଲେ ମୋ ସ୍ତ୍ରୀର ଗାଁ କୃଷ୍ଣ ପୁର। ଅନେକ ଥର ମନ୍ଦିର ପର୍ଯ୍ୟନ୍ତ ଯାଇ ଆମେ ଫେରି ଆସିଛୁ ହେଲେ ସ୍ତ୍ରୀଙ୍କ ଗାଁ ଲାଗି ଆଗକୁ ଆଉ ଦଶ କିଲୋମିଟର ଗାଡି ଗଡେଇ ନେବା ପାଇଁ କେବେ ମନ କରିନି । ମୋ ସ୍ତ୍ରୀ ବି କେବେ ବାପ ଘରକୁ ଯିବା ନେଇ ଜିଦ କରିନି । କିଏ ଜାଣେ ତା ମନର କଥା !

ଏ ସବୁ ଆଲୋଡନ ଭିତରେ ମତେ ମୋର 'ଅପରେସନ ତଲାସ' ଯଥା ସମୟ ପୁରା କରିବାକୁ ପଡିବ ।

ଓଲଟା ପଲଟା ସବୁ ନୋଟକୁ ମୁଁ ସିଧା କରି ଗଣିଲାରୁ ସବୁ ମିଶି ମୋଟ ଅଣତିରିଶ ହଜାର ସାତଶ' ଟଙ୍କା ହେଲା । ତିରିଶ ହଜାର ଟଙ୍କା ହୋଇଗଲେ ଆଖିଦୃଶିଆ ରକମ ହୋଇଯିବ । ଏହା ଭାବି ମୋ ପାଖରେ ଥିବା ଆଉ ତିନିଶ' ଟଙ୍କା ପୁରାଇ ତିରିଶ ହଜାର କରିଦେଲି ।

ଅନ୍ୟ ଜିନିଷ ଯେମିତି ଥିଲା ସେମିତି ରଖି ଦେଇ ଚାବି ଦେଇଦେଲି ।

ସ୍ତ୍ରୀ ଫେରିଲେ ଆଜି ଟିକେ ଆଗରୁ । ଯେମିତି କଅଁଳା ବାଛୁରୀ ଘରେ ଛାଡି ଯାଇଥିଲେ ଗାଈ ସଅଳ ଫେରିଆସେ ଗୋଠରୁ । ଆସିଲା ବେଳେ ବାଟ ବଗିଚାରୁ ପ୍ରତିଦିନ ଘର ଠାକୁରଙ୍କ ପାଇଁ କନିଅର ଫୁଲ ତୋଳି ଆଣନ୍ତି । ଆଜି ସେଇ କାମଟି କରି ନାହାନ୍ତି । ମୋ ପାଇଁ ସବୁ ଠାକୁର ଆଜି ଫୁଲରୁ ବଂଚିତ ରହିଗଲେ ବୋଧେ !

ମୋ ସ୍ତ୍ରୀ ଘରେ ପହଞ୍ଚି, ସିଧା ଆସି ପହଁଚିଲେ ଛାଡି ଯାଇଥିବା ଚାବି ପାଖରେ । ଚାବି ତ ତା ଜାଗାରେ ଥିଲା । ସେ ଚାହିଁଲେ ମୋ ମୁହଁକୁ । ଚୋରି ନ କରି ବି ଚୋରର ଭାବ ଫୁଟି ଉଠୁଥିଲା ମୋ ମୁହଁରୁ । ଚାବିରେ ଆଲମାରୀ ଖୋଲିଲେ ସେ । ଦେଖି ନେଲେ ସବୁ କିଛି ଠିକଣା ଜାଗାରେ ଅଛି କି ନାହିଁ । ଅଲଗା ଅଲଗା ଲାଗିଲା ଯେମିତି ସବୁ ତାଙ୍କୁ । ଯେମିତି ବାଘୁଣୀର ଅନୁପସ୍ଥିତିରେ ତା ଗୁମ୍ଫାରେ କିଛି ଘଟି ସାରିଛି ! ସେପରି ଭାବିବା ସ୍ୱାଭାବିକ ବି । ଟଙ୍କା ଗୁଡିକ ବି ଚୁପ ଚାପ ଛିଡାହୋଇଥିଲେ ଏ ନୀରବ ଯାଞ୍ଚ ପ୍ରକ୍ରିୟାରେ । ସେମାନେ ଯେମିତି ବଳ ଦେଉଥିଲେ ମୋ ସ୍ତ୍ରୀର ସଂଶୟକୁ । ଆଉ ମୁଁ ଛିଡା ହୋଇଥିଲି ଅଭିଯୁକ୍ତଟେ ପରି ।

ଦୋଷାରୋପଣ କରିବାର ସିଧା ପ୍ରମାଣ ତ ମିଳିଲାନି । ଖାଲି ମୁହଁରେ ମୃଦୁ ରୋଷର ଚିହ୍ନ ଫୁଟାଇ କହିଲେ । "ଏଠି କାହାକୁ ବିଶ୍ୱାସ ନାହିଁ । କେବେ ବି ଏକୁଟିଆ ଘର ଛାଡ଼ି ଯାଇ ହେବନି ।" ଏମିତି ସ୍ଥିତି ସହିତ ମୁଁ ଅଭ୍ୟସ୍ତ ଥିଲି । ସୁତରାଂ ମୁଁ ଚୁପ ରହିଲି ।

ମୋର ନିରୁତ୍ତର ଭାବ ଦେଖି ତାଙ୍କର ଶତକଡା ପଚାଶ ବିଶ୍ୱାସ ହୋଇଗଲା ଯେ ମୁଁ ସମ୍ଭବତଃ କୌଣସି ଜିନିଷରେ ହାତ ମାରିନି । ଆଉ ବେଶି ତନଖି କରି ଦେଖିଲେ ନାହିଁ ।

ସ୍ତ୍ରୀ ମଣି ଭାବିନେଲେ ଯେ ପଛରେ ମୁଁ ନ ଥିଲା ବେଳେ ଗୋଟେ ଗୋଟେ କରି ସବୁ ଜିନିଷ ଭଲଭାବରେ ପୁଣିଥରେ ଚେକ କରି ରଖିବେ । ଏଥର ଚାବିକୁ ସବୁବେଳେ ଲୁଗା କାନିରେ ବାନ୍ଧିଦେବେ । କେଉଁଠି ଭୁଲି ଛାଡି ଯିବାର ପ୍ରଶ୍ନ ହିଁ ରହିବନି !

ମୁଁ ସେତେବେଳେ ଆଉ ଗୋଟିଏ ମନସ୍ତାତ୍ୱିକ ସ୍ତରରେ ବିଚରଣ କରୁଥାଏ ।

ମୁଁ ତାଙ୍କୁ ମାଗୁଥାଏ ଏକ ହଜାର ଟଙ୍କା ।

"କ’ଣ ପାଇଁ ମାଗୁଛ?"

ମୁଁ କ’ଣ ବା କହିଥାନ୍ତି । ମୋ ଓଠ କୋଣରୁ ସାମାନ୍ୟ ହସ ଟିକେ ବାହାରି ଆସୁଥିଲା । ତାକୁ ସିଏ ପଢି ନେଲେ ।

ସେ ମୋ ପର୍ସ ଖୋଲି ଦେଖିଲେ ।

"କାଲି ତ ତିନିଶହ ଟଙ୍କା ଦେଇଥିଲି, ସିଏ କୁଆଡେ ଗଲା?"

ମୁଁ କେବଳ ତାଙ୍କ ମୁହଁକୁ ବଲବଲ ଚାହିଁ ରହିଲି । ଅତ୍ୟଧିକ ଅନୁଭବ ନ ଥିଲେ ମୁହଁରେ ଏପରି ବଲବଲ ଭାବ ଫୁଟାଇବା ଏଡ଼େ ସହଜ ନୁହେଁ । ଅଧିକାଂଶ ସ୍ୱାମୀ ମୋ ସହ ସହମତ ହେବେ । ' ଅପରେସନ ତଲାସ'ର ଖିଅ ଟିକେ ପଡି ନ ଥିଲା ମୋ ସ୍ତ୍ରୀ ହାତରେ । ଏହା ବି ଏକ କ୍ଷୁଦ୍ର ସଫଳତା ଯାହା ପାଇଁ ସାମାନ୍ୟ ଖୁସି ଥିଲି ।

ତାଙ୍କ ଭିତରେ ଉଙ୍କି ମାରିଥିବା ସାମାନ୍ୟ ସଂଶୟ ଟିକକର ପରିସମାପ୍ତି ହୋଇ ସାରିଥିଲା । ସବୁଦିନ ପରି ସିଏ ମନ୍ଦିରକୁ ପିନ୍ଧି ଯାଇଥିବା ଲୁଗା ପାଲଟାଇବାକୁ ଉଦ୍ୟତ ହେଲେ । ମୁଁ ଯେତେବେଳେ ଲୁଗା ନ ପାଲଟାଇବାକୁ କହିଲି, ସେ ମୋତେ ଆଶ୍ଚର୍ଯ୍ୟ ଚକିତ ଦୃଷ୍ଟିରେ ଚାହିଁ ରହିଲେ ।

"ରାଧା ମାଧବ ମନ୍ଦିର ଯିବାକୁ କହିଥିଲ ପରା?", ମୁଁ ପଚାରିଲି ।

ମନ୍ଦିର ଯିବାକୁ ସ୍ତ୍ରୀ କେବେ ବି ମନା କରନ୍ତିନି । ସୁତରାଂ ରାଜି ହୋଇଗଲେ । ତା ଛଡା ମନ୍ଦିର ଆଉ ବାପଘର ଗାଁଆକୁ ରାସ୍ତା ଗୋଟିଏ ହୋଇଥିବାରୁ , ଦୁଇ ପ୍ରକାରର ଖୁସି ଅଜାଣତରେ ତାଙ୍କ ମନରେ ଫୁଟି ଉଠିଥାଏ ।

ସେତେବେଳକୁ କିଶୋର ଡ୍ରାଇଭର ଗାଡି ଲଗାଇ ସାରିଲାଣି । ନିଜ ଗାଁ ପିଲା କିଶୋର । ଗାଡିରେ ଚଢ଼ୁ ଚଢ଼ୁ ସ୍ତ୍ରୀ ମୋର କହୁଥିଲେ,

" ଆଛା, ଏଇ ଗାଡିଭଡ଼ା ପାଇଁ ହଜାର ଟଙ୍କା ମାଗୁଥିଲ? ମୁଁ ଭାବୁଥିଲି ଆଲମାରୀର ମୋ ପଇସା ଦେଖିଲା ପରେ ଲୋଭରେ ମାଗୁଥିଲ ବୋଲି ।"

ଗାଡି ଚାଲିଲା ମନ୍ଦିର ଆଡେ । ମନ୍ଦିର ଅଧ ଘଂଟାର ବାଟ ।

ଯେଉଁଠୁଁ ମନ୍ଦିର ଆଡକୁ ରାସ୍ତା କଟିବାର ଥିଲା ସେ ଛକ ପାର ହୋଇ ସାରିଲାଣି । ଗାଡି କୃଷ୍ଣପୁର ଆଡକୁ ମୁହେଇଁଲାଣି । ମୁଁ ନିଦରେ ଢୁଳାଉ ଥିବାର ଅଭିନୟ କରୁଥାଏ । ସ୍ତ୍ରୀ ମତେ ହଲାଇ ଦେଇ କହିଲେ,

" ଉଠ ହେ, ସତରେ ଶୋଇ ପଡ଼ିଲ ନା କଣ? ତୁମ ମନ୍ଦିର ରାସ୍ତା ଚାଲିଗଲାଣି "

ମୁଁ କହିଲି, " ଗାଡି ଯୁଆଡେ ଯାଉଛି ଯାଉ ମ, ଯାଇ ଯାଇ ତୁମ ଗାଁକୁ ଯିବ ତ, ଆଉ କୁଆଡେ ଯିବ !"

ସ୍ତ୍ରୀଙ୍କୁ ବିଶ୍ୱାସ ହେଉ ନ ଥାଏ ମୋ ପରି ଜଣେ ଘୋର ଜିଦିଆ ମଣିଷ ତାଙ୍କୁ ନେଇ ସତରେ ଶ୍ୱଶୁର ଘର ଯିବ ବୋଲି । ନିଜର ଅବିଶ୍ୱାସ ଛାତି ତଳେ ଚାପିରଖି କହିଲେ,

" ମନ୍ଦିର ନାଁରେ ଘରୁ ଗୋଡ କାଢି ଆଉ କେଉଁଆଡେ ଯିବା ଠିକ ନୁହେଁ। "

ମୁଁ କହିଲି, "ମୁଁ ଯାଉଛି ତୁମ ଘରକୁ , ତୁମ ମା' ଆଉ ତୁମକୁ ଗାଳି ଦେବା ପାଇଁ ।"

ସିଏ କିଛି କହିବା ପୂର୍ବରୁ ମୁଁ ପୁଣି ଥରେ କହିଲି, " ସତରେ ଗାଳି ଦେବି ତୁମ ମାଆଙ୍କୁ, ତାଙ୍କର କିପରି ସାହସ ହେଲା ତୁମଠୁଁ ସୁଧରେ ପଇସା ଉଧାର ନେବାକୁ - ତା' ପୁଣି ହାର ବନ୍ଧା ରଖି"

"ଆରେ ମୁଁ....", ମୋ ସ୍ତ୍ରୀ ସଫାଇ ଦେଉଥିଲେ ।

ମୁଁ କଥା କାଟି କହିଲି, " ତୁମକୁ ବି ଗାଳି ପଡିବ । ଲାଜ ଲାଗୁନି ନିଜ ମା'କୁ ସୁଧରେ ପଇସା ଉଧାର ଦେଉଛ"

"ତା' ହେଲେ ତୁମେ ମୋ ଆଲମାରୀ ଖୋଲି ସବୁ ଦେଖି ସାରିଛ!" - ମତେ ଅପରାଧୀ ସାବ୍ୟସ୍ତ କରିବାକୁ ଥିଲା ଏହା ମୋ ସ୍ତ୍ରୀର ଅଭିମାନ ଭରା ଚେଷ୍ଟା ।

"ହଁ, ସବୁ ଦେଖି ସାରିଛି । ଏଇ ଦେଖ, ସେ ସୁନା ହାର ବି ଆଣିଛି ଫେରାଇବାକୁ । ଆଉ ସାଥିରେ କୋଡିଏ ହଜାର ଟଙ୍କା ବି "

ସେ ସିଟିରୁ ଉଠିପଡ଼ି ସୁନା ହାରକୁ ମୋ ହାତରୁ ଛଡେଇ ନେଇ କହିଲେ , " ଥାଉ ଥାଉ , ଏତେ ଦୟାଳୁ ହୁଅନାହିଁ । ଠିକ ଅଛି , ସୁଧ ନେବିନି । କିନ୍ତୁ ମୂଳ କାହିଁକି ଛାଡ଼ିବି ମ ? ବଜାରରେ କ’ଣ କିଏ ତାଙ୍କୁ ମାଗଣା ସେମିତି ଛାଡି ଦେଇଥାନ୍ତା ?" ।

ଏତେ ବର୍ଷ ଧରି ମୋ ଘରକୁ ସଜାଇ ଆସିଥିବା ଗୃହଲଷ୍ମୀର କଣ୍ଠରେ ଥିଲା ଯେମିତି ଗୋଟିଏ ବିଚାରପତିର ଅଖଣ୍ଡ ନିଷ୍ପକ୍ଷତା । କିନ୍ତୁ ତାହା ସହ ଖନେଇ ଆସୁଥିବା ତୁଣ୍ଡରେ ସହଜରେ ବାରି ହୋଇପଡୁଥିଲା ମୋ ପ୍ରତି ନ କହି ହେଉଥିବା କୃତଜ୍ଞତା ।

କୃଷ୍ଣ ପୁର ଆଡକୁ ଗାଡି ଦୌଡି ଚାଲିଥିଲା । ସେହି କ୍ଷଣରେ ଯେମିତି ରାଧା ମାଧବ ମନ୍ଦିରର ସମସ୍ତ ଛୋଟ ବଡ ଦେବତା ଆମ ସହିତ ମିଶି ଆମ ଗାଡିର ଦୁଇ କଡରେ ଦୌଡୁଥିଲେ - ମୀନାର ବାପଘର ଗାଁ ଆଡେ ।

କିଛି ସମୟର ନୀରବତା ପରେ ସେ ଆଖିରୁ ଲୁହ ଝରାଇ କହିଲେ, "ତୁମେ ନିଜ ହାତରେ ଏ ସବୁ ମାଆକୁ ଦେବ, ମା' ଖୁସି ହେବ"

ମୁଁ ମୁଣ୍ଡ ହଲେଇ ହଁ କହିଲି ।

~◆~

ସକାଳୁ ଆଲମାରୀ ସ୍ତ୍ରୀ

Rate the content


Originality
Flow
Language
Cover design

Comments

Post

Some text some message..