Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଅଗଷ୍ଟ୍ ପନ୍ଦର
ଅଗଷ୍ଟ୍ ପନ୍ଦର
★★★★★

© Pramod Kumar Jena

Inspirational

4 Minutes   20.9K    15


Content Ranking

ଅଗଷ୍ଟ୍ ପନ୍ଦର

        ଆଜି ଅଗଷ୍ଟ ପନ୍ଦର l ସ୍କୁଲର ଗୋଟିଏ ବଡ ପର୍ବ l ସବୁ ପିଲା ସ୍କୁଲ୍ ୟୁନିଫର୍ମରେ ପତାକା ଧରି ଗାଆଁ ଗାଆଁ ବୁଲି ପ୍ରଭାତଫେରି କରନ୍ତି l ଶିକ୍ଷକ ବତାଇ ଦେଇଥିବା କେତୋଟି ସ୍ଲୋଗାନ୍ ଉପରେ ଜୋର୍ ଜୋର୍ ସେ ଜୟ ଜୟ କହୁନ୍ତି l ଡ୍ରମ୍ ବାଜାର ତାଳେ ତାଳେ ଧାଡି ଧାଡି ହୋଇ ମନ ଖୁସିରେ ଆଗେଇ ଯାଆନ୍ତି ପିଲାମାନେ l ଘର ପାଖ ହୋଇ ଆସିଲେ ମାଆମାନେ କବାଟ ଫାଙ୍କରୁ ନିଜ ନିଜ ପିଲାମାନଙ୍କୁ ଦେଖି ବହୁତ ଖୁସି ହୁଅନ୍ତି l ତା’ପରେ ସ୍କୁଲକୁ ଫେରି ପତାକା ଉତ୍ତୋଳନ ହୁଏ l ମୋ ନାତି ପପୁନ୍ ଦ୍ୱିତୀୟ ଶ୍ରେଣୀରେ ପଢେ l ସ୍କୁଲକୁ ଯାଇଥିଲି ତା’କୁ ଆଣିବା ପାଇଁ l ପତାକା ଉତ୍ତୋଳନ ପରେ ପ୍ରଧାନ ଶିକ୍ଷକ ଭାଷଣ ଦେଲେ, ଆଉ ପିଲାମାନେ ଏକ ଲୟରେ ତାଙ୍କ ଆଡେ ଚାହିଁ ରହିଥିଲେ l ସେ ଭାଷଣରୁ କ’ଣ ବୁଝୁଥିଲେ ସେଇମାନଙ୍କୁ ହିଁ ଜଣା l ଶେଷରେ ପ୍ରଧାନ ଶିକ୍ଷକ ସ୍ଲୋଗାନ୍ ଦେଲେ l ଆମ ପିଲାମାନଙ୍କୁ ଯେମିତି ଶିକ୍ଷା ଦିଆଯାଇଥିଲା ସେଇ ଅନୁସାରେ ତିନି ଥର ଜୟହିନ୍ଦ୍ କହିଲେ l

        ମିଠାର ବି ବନ୍ଦୋବସ୍ତ କରାଯାଇଥିଲା l ପିଲାମାନେ ଛୋଟ ଛୋଟ ପ୍ୟାକେଟରେ ଥିବା ସେଉ ବୁନ୍ଦି ଖାଇ ବେଶ୍ ଆନନ୍ଦିତ ହୋଇଥାଆନ୍ତି l ଆଜି କାଲି ଗାଆଁ ଗହଳିର ସ୍କୁଲଗୁଡିକ ମଧ୍ୟ ବେଶ୍ ଧୁମଧାମରେ ଏ ସବୁ ଦିନଗୁଡିକ ପାଳନ କରା ଗଲାଣି l

        ସ୍କୁଲ୍ ଫଙ୍କସନ୍ ସରିଲା l ମିଠା ପ୍ୟାକେଟଟି ଧରି ଦୌଡି ଦୌଡି ପପୁନ୍ ମୋ ପାଖକୁ ଚାଲି ଆସି ମୋ ହାତକୁ ବଢେଇ ଦେଲା l ସମସ୍ତେ ବୋଧହୁଏ ଜାଣିଥିବେ ଛୋଟପିଲାମାନଙ୍କର ଜେଜେମାନଙ୍କୁ କିଛି ଦେବାର ଏକ ଅଦ୍ଭୁତ ଆନନ୍ଦ ଥାଏ l ମୋତେ ବି କିଛି କମ୍ ଖୁସି
ଲାଗିଲାନି . . କହିଲି, ତୁମେ ଖାଅ l କ’ଣ ଭାବିଲା କେଜାଣି, ମୋତେ କହିଲା ପକେଟରେ ରଖି ଦିଅ l

        ତା’ ସାଙ୍ଗମାନେ ସ୍କୁଲରୁ ଯିବାକୁ ଲାଗିଲେ l କିଏ ତା’ ବାପାଙ୍କ ସାଥିରେ ତ କିଏ ମାଆ ସାଥିରେ l କିନ୍ତୁ  ମୋ ହାତ ଧରି ଚାଲି ଚାଲି ଯିବାକୁ ପପୁନକୁ ବୋଧହୁଏ ଆଜି ଟିକିଏ ବେଶି ଖୁସି ଲାଗୁଥିବା ଭଳି ଲାଗିଲା l ବାଟ ସାରା ମୋ ସାଥିରେ କିଛି ନା କିଛି ଗପିବାକୁ ମୌକା ମିଳିଥିଲା l ସବୁ ସାଙ୍ଗ ଚାଲିଗଲେ ନିଜ ବାଟରେ l ରାସ୍ତାକଡରେ ଛୋଟ ଛୋଟ ଘାସ ଗାଲିଚା ଉପରେ ଚାଲୁ ଚାଲୁ କେଉଁଠି ଝିଣ୍ଟିକା ପଛରେ ଦୌଡିଲାଣି ତ କେଉଁଠି କଙ୍କି ପଛରେ l ଏମିତି ଏପଟ ସେପଟ ହେଉ ହେଉ ଆମେ ନାତି ଆଉ ଜେଜେ ଦୁହେଁ ସବୁଠୁ ପଛରେ ରହିଗଲୁ l ବାକି ପିଲାମାନେ ଆଗକୁ ବଢିଗଲେ l ସ୍କୁଲ୍ ଆମ ଘର ଠାରୁ ଗୋଟେ କିlମିl ଦୂର l ରାସ୍ତାର ଦୁଇପଟ ଧାନ ବିଲ l ଏ ବର୍ଷ ଭଲ ବର୍ଷା ହୋଇ ନ ଥାଏ l ତେଣୁ ଗୁଡାଏ ବିଲି ବେଉଷଣ ବି ହୋଇ ନ ଥାଏ l ଆମେ ଦୁହେଁ ଧିରେ ଧିରେ ଚାଲି ଯାଉଥାଉ l

        ହଠାତ୍ ମୋତେ ପପୁନ୍ ପଚାରିଲା – ଜେଜେ ! ସ୍ୱାଧୀନତା କ’ଣ ?

        : ସ୍ୱାଧୀନତା ମାନେ ଫ୍ରିଡମ୍ l

        : ସେଇଟା କ’ଣ ? ଆଉ ଅଙ୍ଗ୍ରେଜମାନେ କେମିତି ଦେଲେ ?

        କେମିତି ବୁଝେଇବି ଭାବିଲି l ଏତେ ଛୋଟ ପିଲାକୁ କ’ଣ ବୁଝେଇବି, କେମିତି ବୁଝେଇବି ଭାବିଲି ? ଟିକିଏ ଅଡୁଆ ଲାଗିଲା l

        : ସମସ୍ତଙ୍କର ଗୋଟେ ଅଧିକାର ଅଛି l

        : ଅଧିକାର କ’ଣ ?

        : ଅଧିକାର..... ମାନେ ଯେମିତି ଯିଏ ଯୋଉଟା ଚାହେଁ, ମାନେ..... ବଞ୍ଚିବାକୁ l

        : ଆମେ ତ ବଞ୍ଚିଛେ l

        : ହଁ.... ଯେ..... ଯେମିତି ମାଛ.... ତା’କୁ ଆମେ ଧରି କରି ଆଣିଲେ.... ସେ କ’ଣ ବଞ୍ଚିବାକୁ ଚାହୁଁନି ?

        : ହଁ... ଛଟପଟ ହେଉଥାଏ l

        : ଠିକ୍....  ସେ ବଞ୍ଚିବାକୁ ଚାହେଁ l ଆମେ ତା’କୁ ବଞ୍ଚିବାକୁ ଦେଉନେ l ସେମିତି ଆଉ କିଛି ଜିନିଷ ଅଛି........ ଯେମିତି କିଛି କହିବାକୁ ଚାହୁଁଛୁ, କରିବାକୁ ଚାହୁଁଛୁ l କିନ୍ତୁ କରିପାରୁ ନାହୁଁ l କିଛି ବୁଝି ନ ପାରି ମୋ ଆଡେ ଚାହିଁଲା l ହଠାତ୍ ଦେଖିଲି ସେ ପଟ ବିଲରେ ପଦିଆ ହଳ କରୁଛି l ଲଙ୍ଗଳଟା ଏତେ ଭିତରକୁ ପଶି ଯାଇଛି ଯେ ବଳଦ ଭିଡି ପାରୁ ନାହାନ୍ତି l ଆମେ ତାଙ୍କ ପାଖାପାଖି ହେଲୁ l ଦୁହେଁ ଟିକିଏ ଅଟକି ଗଲୁ l ବୁଢା ବଳଦଟା ଶୋଇ ପଡିଛି l ଟାଣି ପାରୁନି l ପଦିଆ ତା’କୁ ଯେତେ ପିଟିଲେ ବି ବିଚରା ବଳଦ ଉଠି ପାରୁନି l ହଠାତ୍ ପଦିଆ ପୁଅ ସେ ପଟୁ ଚାଲି ଆସିଲା l ବୁଢା ବଳଦର ଲାଙ୍ଗୁଡଟାକୁ ମୋଡି ପକେଇଲା l ବିକଳରେ ବଳଦ ଗଁ... ଗଁ... ହେଲା ସିନା ଉଠି ପାରିଲା ନାହିଁ . ପଦିଆ ପୁଅ କହୁଥାଏ, ଶଳା.... ଗାଲୋଉଛି.... ରହ ରହ..... ତା’ ପରେ ତା’  ବାପା ହାତରୁ ପାଞ୍ଚଣଟା ନେଇ ପାଞ୍ଚଣଟା ନେଇ ବଳଦ ପିଠିରେ ଗେଞ୍ଜି ଦେଲା l ବୁଢା ବଳଦଟା ବିକଳରେ ଉଠି ପଡିଲା l

        ବାପ ପୁଅ ଦୁଇଜଣଯାକ ହସିକି କହିଲେ, ଶଳା.... ଗାଲୁଆ.... ମଠୁଆଟେ.... ସେତେବେଳକୁ ପପୁନା ମୋ ହାତକୁ ବିକଳରେ ଜାବୁଡି ଧରିଥାଏ l

        ପଦିଆ କହିଲା, ଠକିଗଲା ହେ ମଣିଷ ବୁଢା ବଳଦ ନେଇ l ବେପାରୀ ବହୁତ ପଇସା ନେଇଗଲା l

        ଆମେ ଆଗକୁ ବଢିଲୁ l ପପୁନ୍ କହିଲା, ଜେଜେ ! ଦେଖିଲ ?  

: କ’ଣ ?

: ବଳଦ ଆଖିରୁ ପାଣି ବାହାରୁଥିଲା l

: ହଁ.... ଦେଖିଛି .

: ତା’ ନାକରୁ ଫେଣ ବି ବାହାରୁଥିଲା l

: ହଁ....  ମୁଁ ସବୁ ଦେଖିଛି l ଆଉ ପଦିଆ ଓ ତା’ ପୁଅ ଯାହା କହୁଥିଲେ, ତା’ ବି ଶୁଣିଛି l

: ତା’କୁ ଭାରି କଷ୍ଟ ହେଉଥିଲା ନା ?

: ହଁ.... 

: ଜେଜେ ! ପଦିଆ ପୁଅ ପାଞ୍ଚଣଟା ଛୁଆଁଉ ଛୁଆଁଉ ବଳଦଟା କେମିତି ଉଠି ପଡିଲା ?

: ସେ ପାଞ୍ଚଣ ଆଗରେ ଗୋଟେ ଛୋଟ ଲୁହା କଣ୍ଟା ଥାଏ l ଏମାନେ ଯେତେବେଳେ ତା’ ଦେହରେ ଫୁଟେଇ ଦିଅନ୍ତି, ସେ ପ୍ରାଣ ବିକଳରେ ଉଠି ପଡେ l

: ଏ ମାଆ ଲୋ..... ଭାରି କଷ୍ଟ ହେଉ ଥିବ ନା ତା’କୁ ?

: ହଁ.... 

ହଠାତ୍ ପପୁନ୍ ଚୁପ୍ ହୋଇଗଲା l ଦୁହେଁ ଚୁପ୍ ଚାପ୍ ହୋଇ ଘରକୁ ଫେରୁଥାଉ l ବାଟ ସାରା ସେ କ’ଣ ଚିନ୍ତା କରୁଥାଏ ବୋଧ ହୁଏ l କିଛି ସମୟ ପରେ ମୋ ହାତକୁ ଟାଣି କହିଲା,

: ଜେଜେ ! ଆମେ କ’ଣ ଆଗେ ସେଇ ବୁଢା  ବଳଦ ଭଳିଆ ଥିଲୁ ?

ପପୁନ୍ ମୁହଁକୁ ଚାହିଁଲି l କିଛି ବୁଝିଲା l ଆଉ କିଛି ବୁଝିବାର ଇଚ୍ଛା ତା’ ଆଖିରେ l

ମୁଣ୍ଡରେ ହାତ ମାରି କହିଲି, ‘ ହଁ ଆଗେ ଥିଲୁ l ଏବେ କିନ୍ତୁ ନାହୁଁ l ଏବେ ଆମେ ପରା ସ୍ୱାଧୀନ l’

ବଳଦ ସ୍ୱାଧିନ

Rate the content


Originality
Flow
Language
Cover design

Comments

Post

Some text some message..