Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

T.Durga Prasad Rao

Others

3  

T.Durga Prasad Rao

Others

ପଶ୍ଚାତାପ

ପଶ୍ଚାତାପ

7 mins
680




ରାଗରେ ଗର ଗର ହେଉଥିଲେ କଲ୍ୟାଣୀ। ସାନ୍ଧ୍ୟ ସମୟଟା ମୋର ପ୍ରାୟ ଦିନ ଏମିତି ଯୁକ୍ତିତର୍କ, ପାଟିତୁଣ୍ଡରେ ବିଷମ ପାଲଟିଯାଏ। କଲ୍ୟାଣୀଙ୍କୁ ବୁଝାଇବା ଭାରି କଷ୍ଟ। ସେ ତାଙ୍କ ନିଜ ଜିଦ୍.ରେ ଅଟଳ। ମୋର ବଡ଼ ପାଟି କରି ତାଙ୍କୁ କିଛି କହିବା ପରିସ୍ଥିତିକୁ ଆହୁରି ବିଷମ କରି ତୋଳେ। ତେଣୁ ଚେଷ୍ଟା କରେ ସାକୁଲେଇ ପାମ୍ପଳେଇ ତାଙ୍କ ରାଗ ଶାନ୍ତ କରିବାକୁ। ପ୍ରକୃତରେ ଦେଖିବାକୁ ଗଲେ ମୋ ସହିତ ତାଙ୍କର ଝଗଡ଼ା କିଛି ନାହିଁ। ତାଙ୍କର ରାଗତକ ଅଜାଡ଼ି ହୋଇପଡ଼େ ବାପାଙ୍କ ଉପରେ। ଏକା ପରିବାରର ସବୁ ଦାୟିତ୍ୱ ନେଇ, ରନ୍ଧାବଢ଼ା ଠାରୁ ଆରମ୍ଭ କରି ସଫାସଫି, ମଜାମଜି କାମ ପର୍ଯ୍ୟନ୍ତ ସବୁ କିଛି ତାଙ୍କୁ କରିବାକୁ ପଡ଼େ। ଛୋଟ ସହରରେ କାମବାଲୀ ମିଳିବା ଭାରି କଷ୍ଟ। ବାହାଘରର ପ୍ରଥମ କିଛି ବର୍ଷ ମୁଁ ଜୋର୍ ସୋର୍.ରେ ଚେଷ୍ଟା ଚଳାଇଥିଲି କାମବାଲୀଟିଏ ପାଇଁ। କିନ୍ତୁ ଅନେକ ଚେଷ୍ଟା ପରେ ମଧ୍ୟ ଯେତେବେଳେ ଅସଫଳ ହେଲି, ବାଧ୍ୟ ହେଲି ଚୁପ୍ ହେବାକୁ। ସବୁ କିଛି କାମ ଶେଷରେ ଡେରି ରାତିରେ ଯେତେବେଳେ ଶଯ୍ୟାକୁ ଯିବାର ସମୟ, ଠିକ୍ ସେତିକିବେଳେ ବାପାଙ୍କର ଲଗାତାର କାଶ ଅଥୟ କରିଦିଏ ସଭିଙ୍କୁ। ଯେତେ ଔଷଧପତ୍ର କଲେ ବି କମୁନାହିଁ ତାଙ୍କ କାଶ। ତେବେ ତାଙ୍କର ସିନା ଚାକିରୀ ବାକିରୀ କିଛି ନାହିଁ, ରିଟାୟର୍ ମଣିଷ, ଦିନରେ ଆରାମରେ ଶୋଇପଡ଼ନ୍ତି ରାତିଭାଗର ନିଦତକ ନେଇ, ହେଲେ କଲ୍ୟାଣୀକୁ ଓ ମୋତେ ଭାରି ଅସୁବିଧା ହୁଏ ଉଭୟ ଚାକିରୀଆ ହେତୁ। କୌଣସି ସମାଧାନର ପନ୍ଥା ମୋ ମନକୁ ଜୁଟୁ ନ ଥାଏ।


ସେଦିନ କଲ୍ୟାଣୀଙ୍କ ବିରକ୍ତି ଭାବ ସୀମା ଟପି ଯାଇଥିଲା ସନ୍ଧ୍ୟାବେଳୁ ବାପାଙ୍କ ବକର ବକର ଶୁଣି। ବାପାଙ୍କର ଏଇଟା ଗୋଟେ ବଦଭ୍ୟାସ। କେହି ଶୁଣୁ ନ ଶୁଣୁ ତାଙ୍କ ରେକର୍ଡ୍ ଗାଇ ଚାଲିଥିବ ପୁରୁଣା ଦିନର କଥା, ତାଙ୍କ ଯୁବା ସମୟର କଥା, ତାଙ୍କ ଚାକିରୀ ଜୀବନର କଥା। ସର୍ବୋପରି ତାଙ୍କ ପାରିବା ପଣିଆର କଥା। ତେବେ ଗୋଟିଏ କଥାକୁ ସବୁବେଳେ କହିଲେ କାହାର ସମୟ ଅଛି ଯେ ଶୁଣି ବସିବ? ଯେତେବେଳେ ମାଆ ଥିଲେ ଶୁଣୁଥିଲେ। ଏବେ ମାଆ ବି ନାହାନ୍ତି। କିଏ ଶୁଣୁଛି କି ନାହିଁ ଜାଣିବା ପାଇଁ ମଝିରେ ମଝିରେ ପୁଣି ପ୍ରଶ୍ନ କରୁଥିବେ। ହୁଁ, ହାଁ ମାରୁଥିବା ଦରକାର। ନହେଲେ କଥା ସରିଲା। ଏମିତି ବାପାଙ୍କର କିଛି କିଛି କଥା ଆମ ସମସ୍ତଙ୍କୁ ଅଡ଼ୁଆରେ ପକାଉଥାଏ।

ସେଦିନ କଲ୍ୟାଣୀ ମୋ ସାର୍ଟ୍ ଧରି ଟାଣି ନେଇଗଲେ ଛାତ ଉପରକୁ। ଅସହ୍ୟ ବିରକ୍ତିରେ ମୋତେ ଠେଲି ଦେଇ କହିଲେ, କେତେଦିନ ଏମିତି ଚାଲିଥିବ କହିଲ? ତୁମକୁ ବାହା ହୋଇଥିବାରୁ ଆଉ କେତେ ମୋତେ ଦହଗଞ୍ଜ ହେବାକୁ ପଡ଼ିବ? ମୁଁ ମଣିଷ ନା ଆଉ କିଛି? ସହିବାର ସୀମା ଟପିଯାଉଛି ଦିନକୁ ଦିନ, ଅଥଚ ତୁମେ କିଛି ଶୁଣିବାକୁ ପ୍ରସ୍ତୁତ ନୁହଁ। କଣ ଭାବି ଆସିଥିଲି ଏ ଘରକୁ, ହେଲେ କଣ ସବୁ କରିବାକୁ ପଡ଼ୁଛି? ଦେଖ, ଏମିତି ଯଦି ଚାଲେ, ତାହେଲେ ତମେ ଯାହା କରୁଛ କର, ମୁଁ କିନ୍ତୁ ଦିନେ ଏ ଘର ଛାଡ଼ି ଚାଲିଯିବି।

ମୁଁ ଟିକିଏ ହସିଦେଲି।


- ହସୁଛ କଣ? ଭାବୁଛ, ମୁଁ ଯିବିନି ବୋଲି? ମୋର କାହା ଉପରେ ଆଉ ଲୋଭ ନାହିଁ ଏବେ। ଲୋଭ କରି କଣ କରିବି? ଏତେ ସବୁ ଦାୟିତ୍ୱ ସମ୍ଭାଳିଲା ପରେ ମଧ୍ୟ ଯଦି ଜଣେ ଠିକ୍ ଭାବରେ ଶାନ୍ତିରେ ଟିକିଏ ସମୟ ବିତେଇ ପାରିବ ନାହିଁ, ରାତିରେ ଠିକ୍.ରେ ନିଦ୍ରା ଯିବ ନାହିଁ, ତାହେଲେ ସେ ଘରେ ରହି ଲାଭ କଣ? କଣ ଖାଲି ପୋଇଲି ପରି ଦିନରାତି ଖଟାଇବାକୁ ମୋତେ ବାହା ହୋଇ ଆଣିଥିଲ?


- ନାହିଁ, ମୋ ହସିବା କାରଣ ଅଲଗା। ତୁମେ ରାଗିଲେ କିନ୍ତୁ ଭାରି ସୁନ୍ଦର ଦେଖାଯାଉଛ।

କଲ୍ୟାଣୀ ମୋର ପ୍ରଶଂସା ଶୁଣିବାକୁ ସେଦିନ ବୋଧେ ପ୍ରସ୍ତୁତ ନ ଥିଲେ। ବଡ଼ ପାଟିରେ କହିଲେ, ରଖ ତୁମ ତୋଷାମଦୀ କଥା। ମୁଁ ତୁମକୁ ଦୁଇଦିନ ସମୟ ଦେଉଛି। ସେ ଭିତରେ ଯଦି ବାପାଙ୍କର କିଛି ବ୍ୟବସ୍ଥା ନ କରୁଛ। ତାହେଲେ ତୁମେ ବାପ, ପୁଅ ଆଉ ଲିପୁନା ରାନ୍ଧିବାଢ଼ି ଖାଇ ଘରକାମ କରି ସୁଖରେ ରୁହ। ମୋତେ ଆଉ ଖୋଜିବନି କହି ଦେଉଛି। ଦୁମ୍ ଦୁମ୍ ହୋଇ ତଳକୁ ଚାଲିଗଲେ କଲ୍ୟାଣୀ। ମୁଁ ଚିନ୍ତାରେ ପଡ଼ିଗଲି କିଛି ସମୟ। ତାପରେ ଭାବିଲି ଇଏତ ନିତିଦିନିଆ କଥା, ଆରଘଡ଼ିକି କଲ୍ୟାଣୀଙ୍କର ଆଉ ମନେ ରହିବ ନାହିଁ କଣ କହିଥିଲେ। ବୁଝେଇ ଦେବିନିକି ସାକୁଲେଇ, ପାମ୍ପଳେଇ।


ରାତିରେ ବାପାଙ୍କ ପାଖକୁ ଗଲି। ବସିଲି ତାଙ୍କ ପାଖରେ। ସେ ନିୟମିତ ଔଷଧ ଖାଉଛନ୍ତି କି ନା ପଚାରି ବୁଝିଲି। ସେ କିନ୍ତୁ ସେକଥା ଛାଡ଼ି ଆରମ୍ଭ କରିଦେଲେ ତାଙ୍କ ଯୁବା ସମୟର କଥା। ତାଙ୍କ ବୟସରେ ସେ କେମିତି ହୃଷ୍ଟପୁଷ୍ଟ ଥିଲେ, ନିରୋଗ ଥିଲେ। ଖଣ୍ଡିଏ ଟାବ୍.ଲେଟ୍ କି ଇଞ୍ଜେକ୍ସନ୍.ଟିଏ ମଧ୍ୟ ତାଙ୍କୁ ନେବାକୁ ପଡ଼ୁନଥିଲା। ଆଉ ଆଜିକାଲି କେମିତି ପାଣି, ପବନ ପର୍ଯ୍ୟନ୍ତ ସବୁକିଛି ଭେଜାଲ୍। ଯେଉଁଥିପାଇଁ ମଣିଷର ରୋଗ ପ୍ରତିରୋଧକ ଶକ୍ତି କମୁଛି ଧୀରେ ଧୀରେ। ଆଉ ରୋଗଜୀବାଣୁ ହୋଇଗଲେଣି ମଣିଷର ଅକ୍ତିୟାର ବାହାରେ। ମୋର ଏତେ ସବୁ ଶୁଣିବା ପାଇଁ ଧୈର୍ଯ୍ୟ ନ ଥିଲା। ମୁଁ ତାଙ୍କର ଔଷଧପତ୍ର ତନଖି ଦେଖିଲି ମାସକରେ ଯେଉଁ ତରଳ ଔଷଧ ଶେଷ ହେବା କଥା, ସିଏ ଏକ ତୃତୀୟାଂଶ ମଧ୍ୟ ସରିନାହିଁ। ଟାବ୍.ଲେଟ୍ ଗୁଡ଼ିକ ଯେମିତି ସେମିତି ପଡ଼ି ରହିଛି। ମୁଁ ତାଙ୍କୁ ଆଉ କଣ କହିବି? ମନେ ମନେ ଖୁବ୍ ଚିଡ଼ି ଉଠିଲେ ବି ବାହାରକୁ ଶାନ୍ତ ଭାବରେ କହିଲି, ବାପା, ତୁମର କାଶ ତ ଭଲ ହେଉନାହିଁ, ସକାଳେ ପ୍ରସ୍ତୁତ ହୋଇ ରୁହ, ଡାକ୍ତରଙ୍କ ପାଖକୁ ଯିବା। ସେ ମୋର କଥା ସାରିବାକୁ ନ ଦେଇ ଆରମ୍ଭ କରିଦେଲେ, ଡାକ୍ତର କଣ ହେବ, ଆଁ? କାଶ ଟିକେ ତ? କାଶଟା କଣ ରୋଗରେ ଯାଏ? ତୁ ଚିନ୍ତା କରନା। ସେ ଆପେ ଭଲ ହୋଇଯିବ।


କାମ ଭିତରେ ଥାଇ କଥାଟା କଲ୍ୟାଣୀଙ୍କ କାନରେ ପଡ଼ିଛି। ବିରକ୍ତିରେ ତ ମୁଣ୍ଡ ତାଙ୍କର କାମ କରୁନଥିଲା, ତାଙ୍କ ପାଟିରୁ ହଠାତ୍ ବାହାରି ଆସିଲା, ଡାକ୍ତର ପାଖକୁ ଯିବନି, ଆଉ କଣ ଆମମାନଙ୍କୁ ରାତିଦିନ ହନ୍ତସନ୍ତ କରିବ? କଲ୍ୟାଣୀଙ୍କ ପାଟିରୁ ଏତକ ଶୁଣି ମୁଁ ପୁରାପୁରି ଅବାକ୍। ବିବାହର ଦୀର୍ଘ ଛଅ, ସାତ ବର୍ଷ ବିତି ଯାଇଥିଲେ ମଧ୍ୟ ବାପାଙ୍କ ପାଇଁ ତାଙ୍କ ପାଟିରୁ କେବେ ବିରକ୍ତିସୂଚକ ଶବ୍ଦ ବାହାରି ନାହିଁ ଆଜି ପର୍ଯ୍ୟନ୍ତ। ମୁଁ ବାପାଙ୍କ ମୁହଁକୁ ଚାହିଁଲି। ଅଳ୍ପ ସମୟ ପୂର୍ବର ସବ୍.ଜାନ୍.ତା ଭାବ ଆଉ ନାହିଁ ତାଙ୍କ ମୁହଁରେ। ମୁଁ ଆଉ ସେଠାରେ ଠିଆ ହୋଇ ପାରିଲି ନାହିଁ।


ରାତିରେ କଲ୍ୟାଣୀ ମୋତେ ତାଙ୍କ ପାଖ ପଶାଇ ଦେଲେ ନାହିଁ। ତାଙ୍କ ଦେହ ଉପରେ ମୋର ହାତଟିକୁ ଛିଞ୍ଚାଡ଼ି ଦେଲେ। ମୁଁ ଯେତେ ନସର ପସର ହେଲି ତାଙ୍କୁ ମନେଇବି ବୋଲି, ସେ ସେତିକି ଜିଦ୍.ଖୋର୍ ପାଲଟିଗଲେ। ତାପରେ ତକିଆ ଉଠାଇ ନେଇ ଖାଲି ଚଟାଣଟା ଉପରେ ଗଡ଼ି ପଡ଼ିଲେ।

ମୋତେ ଆଉ ରାତି ସାରା ନିଦ ହେଲା ନାହିଁ। ବାପାଙ୍କ କାଶ ଯୋଗୁଁ ନୁହେଁ, ମୋ ମନର ଭାବନାସମୂହ ମୋତେ ଅସ୍ତବ୍ୟସ୍ତ କରି ତୋଳିଲେ ରାତିଯାକ।

ସକାଳେ ବାପା ସୁନାପିଲା ପରି ମୋ ସାଙ୍ଗରେ ଡାକ୍ତର ପାଖକୁ ଗଲେ। ଯାବତୀୟ କ୍ଳିନିକାଲ୍ ଟେଷ୍ଟ୍ ପରେ ଔଷଧପତ୍ର ଧରି ଘରକୁ ଫେରିଲୁ ଦୁହେଁ। ବାପାଙ୍କୁ ତାଗିଦ୍ କରି କହିଲି, ସେ ଯେମିତି ହେଲେ ମନେ ରଖି ନିୟମିତ ଔଷଧ ଖାଇବେ। ହେଲେ କିଛି ଦିନ ପରେ ପୁଣି ଯେଉଁଟାକୁ ସେଇଟା।


ଦିନେ କଲ୍ୟାଣୀ ବେଶ୍ ଦୃଢ଼ତାର ସହ କହିଲେ, ବାପାଙ୍କୁ ନେଇ ବୃଦ୍ଧାଶ୍ରମରେ ଛାଡ଼ି ଆସ। ମୁଁ ଆଶ୍ଚର୍ଯ୍ୟଚକିତ ଚାହିଁଲି ତାଙ୍କ ମୁହଁକୁ। ସେ ପଚାରିଲେ, ଆଉ କିଛି ଉପାୟ ଅଛି? ଯଦି ଅଛି, ମୁଁ ଆଉ ପାଟି ଫିଟେଇବି ନାହିଁ। ମୋତେ କିନ୍ତୁ ଏ ରୋଜ୍ ରୋଜ୍ ଝାମେଲାରୁ ମୁକ୍ତି ଦିଅ। ମୋତେ ଚିନ୍ତାରେ ପକେଇ ଦେଇ କଲ୍ୟାଣୀ ଅଫିସ୍ ଚାଲିଗଲେ। ମୁଁ ସେଦିନ ଅଫିସ୍.ରେ ଆଉ କିଛି କାମ କରି ପାରିଲି ନାହିଁ। ଅନେକ ଭାବିଲି ସେ ବିଷୟରେ। ମୋର ଅଫିସ୍ ବନ୍ଧୁଙ୍କ ସଙ୍ଗେ ମଧ୍ୟ ପରାମର୍ଶ କଲି। ତାଙ୍କର ମତ ଥିଲା, ଆଜିକାଲି ଏସବୁ କମନ୍। ଦୁଇଜଣ ଯଦି ଚାକିରୀ କରିବ, ତାହେଲେ ପିଲା ହଷ୍ଟେଲ୍.ରେ ରହିବ ଆଉ ବାପାମାଆ ବୃଦ୍ଧାଶ୍ରମରେ ରହିବେ। ଆଉ ଅନ୍ୟ ଉପାୟ ନାହିଁ। ଘରେ ବରଂ ତୁମ ବାପା ବସି ବସି ବୋର୍ ହେଉଥିବେ। ଆଶ୍ରମରେ ରହିଲେ ତାଙ୍କ ସମବୟସ୍କ ସାଥୀ ଅନେକ ପାଇଯିବେ। ତାଙ୍କର ଏକାକୀପଣ ବି ଦୂର ହୋଇଯିବ। ତୁମେ କଣ ତାଙ୍କୁ ସମୟ ଦେଇ ପାରୁଛ ନା ଆଗକୁ ଦେଇ ପାରିବ?

ଭାରାକ୍ରାନ୍ତ ମନରେ ରହିଲି ଦୁଇଦିନ। ବାପାଙ୍କୁ କହିପାରିଲି ନାହିଁ କଥାଟା। ଦିନେ କିନ୍ତୁ କଲ୍ୟାଣୀଙ୍କ ଜିଦ୍.ରେ ମୋତେ କହିବାକୁ ପଡ଼ିଲା ବାପାଙ୍କୁ।


- ବାପା, ତୁମ ଇଚ୍ଛା। କିନ୍ତୁ ଭାବ, ୟା ଦ୍ୱାରା ତୁମକୁ କିଛି ସାଥୀ ମିଳିଯିବେ ସମୟ ବିତେଇବା ପାଇଁ। କିଛି ଦିନ ରହି ଦେଖ। ଭଲ ନ ଲାଗିଲେ, ମୁଁ ଯାଇ ନେଇ ଆସିବିନି କି?

ବାପା ବୁଝିଗଲେ ଯେ ଆମେ ନିଷ୍ପତ୍ତି ନେଇସାରିଛୁ। ଜଣେଇବାଟା ଥିଲା କେବଳ ଔପଚାରିକତା।

ଯେଉଁଦିନ ସେ ଆଶ୍ରମ ଯିବେ, ସେଦିନ କଲ୍ୟାଣୀ ଓ ମୁଁ ଛୁଟି ନେଇଥାଉ। ସକାଳୁ ସକାଳୁ ଉଠି ନିତ୍ୟକର୍ମ ସାରି କଲ୍ୟାଣୀ ବାପାଙ୍କ ପାଇଁ ତାଙ୍କ ମନ ପସନ୍ଦର ଜଳଖିଆ ପ୍ରସ୍ତୁତ କରିଥାନ୍ତି। ତାଙ୍କର ଯାବତୀୟ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ର ସବୁ ଦୁଇଟି ବ୍ୟାଗ୍.ରେ ସଜାଡ଼ି ଦେଇଥାନ୍ତି। କାହାରିକୁ ସତେ ଯେମିତି କିଛି ଫରକ୍ ପଡ଼ୁନଥିଲା। କଲ୍ୟାଣୀ ପୁଅକୁ ନେଇ ସ୍କୁଲ୍ ଚାଲିଗଲେ। ମୁଁ ବ୍ୟାଗ୍ ଦୁଇଟା ଧରି ଟ୍ୟାକ୍ସି ଡାକି ବାହାରିଲି ଆଶ୍ରମ ଅଭିମୁଖେ। ଆଶ୍ରମ ଘରଠାରୁ ମାତ୍ର କୋଡ଼ିଏ କିଲୋମିଟର ଦୂର। ଆଶ୍ରମ ପରିଚାଳକଙ୍କ ସାଙ୍ଗରେ ମୋର ଆଗରୁ କଥାବାର୍ତ୍ତା ସରିଥିଲା। ରାସ୍ତା ସାରା ବାପା ଚୁପ୍ ଚାପ୍। କେଉଁ ଏକ ଗଭୀର ଭାବନାରେ ମଗ୍ନ।


ଗାଡ଼ି ଆଶ୍ରମର ହତା ଭିତରେ ପ୍ରବେଶ କଲା। ଶାନ୍ତ ସ୍ନିଗ୍ଧ ପରିବେଶ। ବୃକ୍ଷଲତାର ସମ୍ଭାରରେ ଆଶ୍ରମ ଚତୁର୍ଦ୍ଦିଗ ସବୁଜ ସୁନ୍ଦର ଦିଶୁଥାଏ। କିଛି ବୃଦ୍ଧବୃଦ୍ଧା ଘାସ ଓପାଡ଼ୁଥାନ୍ତି। କିଛି ଚାରାମାନଙ୍କରେ ପାଣି ଦେଉଥାନ୍ତି। ଆଉ କିଛି କଅଁଳିଆ ଖରାରେ ଲନ୍.ରେ ବସି ଗପସପ କରୁଥାନ୍ତି। ମନେ ହେଉଥିଲା ସମସ୍ତେ ଯେମିତି କାହାରି ପ୍ରତୀକ୍ଷାରତ। ସବୁ କିଛି ଚିରାଚରିତ। କାହାରି ମୁହଁରେ ହସ ନାହିଁ। ହସିବାର କାରଣ ନାହିଁ, କାନ୍ଦିବାର ଆବଶ୍ୟକତା ନାହିଁ। ବାପା ସେଇ ବୃଦ୍ଧବୃଦ୍ଧାମାନଙ୍କୁ ଆଖି ଫାଡ଼ି ଫାଡ଼ି ଚାହୁଁଥିଲେ ମୋତେ ଅନୁସରଣ କରିବା ଭିତରେ। ପରିଚାଳକ ଆମକୁ ଦେଖି ନମସ୍କାରପୂର୍ବକ ଆଗେଇ ଆସିଲେ। ବାପା ଯେଉଁଠି ରହିବେ ସେ କୋଠରୀ ଦେଖାଇଲେ। ଆମେ ବ୍ୟାଗ୍ ପତ୍ର ରଖିଲୁ। ଜଣେ ସହକର୍ମୀକୁ ଆଶ୍ରମର ସବୁ କିଛି ବୁଲେଇ ଦେଖେଇ ଦେବାକୁ କହି ସେ ତାଙ୍କ କାର୍ଯ୍ୟରେ ବ୍ୟସ୍ତ ହୋଇଗଲେ। ଯଦିଓ ବୟୋବୃଦ୍ଧମାନଙ୍କ ରହଣୀ ଚଳଣୀ ପାଇଁ ଆଶ୍ରମର ବ୍ୟବସ୍ଥା ଅତ୍ୟନ୍ତ ଉଚ୍ଚକୋଟୀର ଥିଲା, ବାପା ଅନାଗ୍ରହର ସହ ସବୁକିଛି ଦେଖୁଥିଲେ।


ବାପାଙ୍କୁ ଛାଡ଼ି ମୁଁ ପ୍ରସ୍ତୁତ ହେଲି ବାହାରିବା ପାଇଁ। ଆଖିରେ ଆଖିରେ ବିଦାୟ ଜଣାଇ ଫେରିଲି ଟ୍ୟାକ୍ସି ନିକଟକୁ। ହଠାତ୍ ଅନୁଭବ କଲି ପଛରୁ କିଏ ଜଣେ ମୋର ବାଁ ହାତଟିକୁ ଟାଣି ଧରିଛି। ବୁଲି ଦେଖେ ତ ବାପା। ଆଖିରେ ତାଙ୍କର ଲୁହ ଟଳମଳ। ମନେ ପଡ଼ିଗଲା ମୋର ପ୍ରଥମ ପ୍ରଥମ ସ୍କୁଲ ଯିବା କଥା। ବାପାଙ୍କର ବାଁ ହାତର ବିଶି ଆଙ୍ଗୁଳି ଧରି ବଡ଼ ଖୁସି ମନରେ ମୁଁ କେମିତି ସ୍କୁଲ ପର୍ଯ୍ୟନ୍ତ ପହଞ୍ଚି ଯାଉଥିଲି। ଯେମିତି ସ୍କୁଲ୍ ହତା ଭିତରେ ଆମର ପ୍ରବେଶ ହେଉଥିଲା, ଛାଡ଼ୁନଥିଲି ବାପାଙ୍କର ହାତ। ବାପାଙ୍କର ବିବିଧ ପ୍ରଲୋଭନ, ଆଶ୍ୱାସନା ସତ୍ତ୍ୱେ ମୋ ଆଖିରୁ ଗଳି ପଡ଼ୁଥିଲା ଟପ୍ ଟପ୍ ଲୁହ। ତେଣେ ଗୁରୁମା ମୋ ହାତ ଧରି ଟାଣି ନେଇ ଯାଉଥିଲେ କ୍ଳାସ୍ ଭିତରକୁ। ଆଉ କାନ୍ଦି କାନ୍ଦି ପଛକୁ ଚାହିଁ ଚାହିଁ କ୍ଳାସ୍ ରୁମ୍.ରେ ପ୍ରବେଶ କରୁଥିଲି ମୁଁ। ସେତେବେଳେ ବାପାଙ୍କ ଆଖି ମଧ୍ୟ ଜକେଇ ଆସୁଥିଲା ଲୁହରେ। ଏବେ ବାପାଙ୍କ ସ୍ଥାନରେ ମୁଁ ଅଛି ଏବଂ ମୋ ସ୍ଥାନରେ ବାପା। ବୟସ ବଢ଼ିଲେ ବାପାମାଆମାନେ ପିଲା ପାଲଟି ଯାଆନ୍ତି, ଶୁଣିଥିଲି ଏକଥା। ଆଜି କିନ୍ତୁ ବାପାଙ୍କର ଆଚରଣ ମୋତେ ବିସ୍ମିତ କରିଥିଲା। ଦୃଢ଼ ମନୋବଳ ଓ ସ୍ୱାଭିମାନ ବ୍ୟକ୍ତିତ୍ୱର ଅଧିକାରୀ ବାପା ଅତ୍ୟନ୍ତ ଅସହାୟ ଭାବରେ ଠିଆ ହୋଇଛନ୍ତି ମୋ ଆଗରେ। ତାଙ୍କ ଚକ୍ଷୁର ଲୁହ ମୋତେ ଚିତ୍କାର କରି ଯେମିତି କହି ଚାଲିଛି ତାଙ୍କ ଅସହାୟତାର କଥା। ତାଙ୍କ ନିରବତା ସତେକି କହି ଚାଲିଛି ତାଙ୍କ ହୃଦୟର ଅଜଣା, ଅଦେଖା ବ୍ୟଥା। ଆଉ ତାଙ୍କ ହାତର ଅନୁନୟଭରା ସ୍ପର୍ଶ ମୋତେ କଣ କହୁଛି ସେତିକି ଯଦି ମୁଁ ବୁଝି ପାରିବି ନାହିଁ, ତାହେଲେ ଧିକ୍ ମୋ ମଣିଷପଣିଆକୁ। ନିଜ ଜୀବନର ଅମୂଲ୍ୟ ସମୟତକ ଯିଏ ମୋ ଭବିଷ୍ୟତ ପାଇଁ ଉତ୍ସର୍ଗ କରିଦେଲେ, ପାଖେ ପାଖେ ରହି ଜୀବନ ସାରା ମୋର ହାନିଲାଭ ବୁଝିଲେ, ମୋ ଆଖିରୁ ଲୁହ ଝରିବା ଆଗରୁ ମୋ ଦୁଃଖରେ ସମଦୁଃଖୀ ହୋଇ ଆଖିରୁ ଲୁହ ଝରାଇଲେ। ମୋ ସୁଖ ପାଇଁ ଯିଏ ନିଜର ସର୍ବସ୍ୱ ସାରି ମୋ ଭବିଷ୍ୟତକୁ ସୁରକ୍ଷା ଦେଲେ, ଆଜି ତାଙ୍କ ଆଖିରେ ମୁଁ ଯଦି ଲୁହର କାରଣ ହେବି, ତାହେଲେ ପୁତ୍ର ହେବାର ସାର୍ଥକତା ମୋର ରହିଲା କେଉଁଠି? ପଶ୍ଚାତାପର ଜ୍ୱାଳାରେ ଅନ୍ତର ଭିତରଟା ମୋର ଘାଣ୍ଟି ହୋଇଗଲା। କୋହ ଓ ଲୁହରେ ଅଣାୟତ୍ତ ହୋଇ ଖୁବ୍ ଜୋର୍.ରେ ମୁଁ ଜାବୁଡ଼ି ଧରିଲି ବାପାଙ୍କୁ।



Rate this content
Log in