Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ସାଇବେରିଆର ସାରସ
ସାଇବେରିଆର ସାରସ
★★★★★

© Ramesh Patra

Others

19 Minutes   21.5K    21


Content Ranking

ଦୁଇ ବର୍ଷ ତଳର କଥା l ଉତ୍ତର ଭାରତର ହିମାଳୟ ପର୍ବତମାଳାର ମୋ ଘରେ ଖରା ଦିନ କଟାଉଥାଏ l ମୋର ଅନ୍ତରଙ୍ଗ ବନ୍ଧୁ ଶୈଳେନ୍ଦ୍ର ପାହାଡ ଉପରେ ଘର ପାଇଁ ଜାଗାଟିଏ ବାଛି
ଥିଲା l ସେଇ ଜାଗାରେ ଆଜି ମୋ ଘର ଠିଆ ହୋଇଛି l ପାଖ ସହରରେ ଶୈଳେନ୍ଦ୍ରର ହୋଟେଲ୍ ଅଛି l ମୋ ଘର ତୋଳା ହେବାର ବର୍ଷକ ପରେ ସିଏ ମୋ ଘର ଠାରୁ ଅନତି ଦୂରରେ ଜଙ୍ଗଲ ଭିତରେ ଗେଷ୍ଟହାଉସଟିଏ ତୋଳିଥାଏ l

ସେହି ଗେଷ୍ଟହାଉସରେ ମୋର ପ୍ରଥମ ମାରିଆ ଓ ଶ୍ୱେତଲାନାଙ୍କ ସହ ସାକ୍ଷାତ
ହୋଇଥିଲା l ମୋ ଘରେ ଏକ ବନ୍ଧୁମିଳନ ଅବସରରେ ଶୈଳେନ୍ଦ୍ରକୁ ନିମନ୍ତ୍ରଣ କରିବା ସମୟରେ ଏହି ସାକ୍ଷାତ l ଏଇ ବହୁ ସମୟରେ ଚର୍ଚ୍ଚିତ ଗେଷ୍ଟହାଉସକୁ ଦେଖିବାକୁ ମୋ ମନରେ ଆଗ୍ରହ ଥାଏ l ବହୁ ବିଦେଶୀ ଭ୍ରମଣକାରୀ ଗେଷ୍ଟହାଉସକୁ ଯାତାୟାତ କରନ୍ତି l ଉଚ୍ଚ ପାହାଡ ଓ ଆଖପାଖରେ ଥିବା ହିମବାହରୁ ଫେରନ୍ତା ବାଟରେ ଗେଷ୍ଟହାଉସରେ ରହିବାକୁ ସେମାନଙ୍କର ପସନ୍ଦ l ଯଦି ରୁମ୍ ଖାଲି ନ ଥାଏ ତେବେ ଗେଷ୍ଟହାଉସର କମ୍ପାଉଣ୍ଡ ଭିତରେ ତମ୍ବୁରେ ମଧ୍ୟ ରହିବାକୁ କୁଣ୍ଠା ନ ଥାଏ l

ମୁଖ୍ୟ ରାସ୍ତାରୁ ଗେଷ୍ଟହାଉସ ଦେଇ ପାଦଚଲା ରାସ୍ତାର ପାଖରେ ଥିବା ଘଞ୍ଚ ଓକ୍ ଜଙ୍ଗଲ ଭିତରକୁ ବାଟ ପଡିଥାଏ, ପାହାଡରୁ ଝରି ଆସିଥିବା ଛୋଟ ଛୋଟ ଝରଣା ସବୁ ଗଛ ପତ୍ର ଉହାଡରୁ ସକାଳର ନରମ ସୂର୍ଯ୍ୟ କିରଣରେ ଝଲମଲ କରୁଥାଆନ୍ତି l ବଡ ମନୋହର ଦୃଶ୍ୟ l ପ୍ରକୃତରେ ଶୈଳେନ୍ଦ୍ର ଗେଷ୍ଟ୍ ହାଉସ୍ ପାଇଁ ଅତି ସୁନ୍ଦର ସ୍ଥାନଟିଏ ଯୋଗାଡ କରି ପାରିଥିଲା l

ମୁଁ ଯିବା ସମୟରେ ଶୈଳେନ୍ଦ୍ର ଗଛ ମୂଳରେ ଥିବା ଉଚ୍ଚା ଜାଗାରେ ବସି ଆରାମସେ ଚାହା ପିଉଥାଏ l ସକାଳର ସୂର୍ଯ୍ୟ କିରଣରେ ତା ପାଖରେ ଥିବା ଟେବୁଲ୍ ପାଖରେ ବସି ମାରିଆ ଓ ଶ୍ୱେତଲାନା ନରମ ସୂର୍ଯ୍ୟ କିରଣର ମଜା ଉଠାଉ ଥାଆନ୍ତି l ସେମାନଙ୍କୁ ମୋ ସହିତ ପରିଚୟ କରେଇ ଶୈଳେନ୍ଦ୍ର କହିଲା,  “ଏମାନେ ଋଷିଆର ପ୍ରବଳ ଶୀତକୁ ଏଡେଇ ଯିବା ପାଇଁ ଏଠିକୁ ଆସିଛନ୍ତି l” ଶ୍ୱେତଲାନାର ସାଇବେରିଆରେ ନିଜର ବ୍ୟବସାୟ ଅଛି ଓ ମାରିଆ ମସ୍କୋର ଏକ ସ୍କୁଲରେ ଶିକ୍ଷୟିତ୍ରୀ l ସକାଳ ପ୍ରାୟ ଏଗାରଟା l ଜଙ୍ଗଲର ସବୁଜିମା ପରେ ନୀଳ, ନିର୍ମଳ ଆକାଶରେ ଶିମିଳି ତୁଳା ଭଳି ଶୁଭ୍ର ବାଦଲ ଖଣ୍ଡ ଅଳସ ଭାବରେ ଉଡି ବୁଲୁଥାନ୍ତି l ସକାଳର ଥଣ୍ଡା ସୂର୍ଯ୍ୟ କିରଣରେ ଉଷୁମ ହୋଇ ଉଠୁଥାଏ l ପାଖ ବୁଦା ଭିତରୁ ବିରାଡିଟିଏ ଆସି ପାଖରେ ବସି ପଡି ଅତିଥିମାନଙ୍କୁ ଚାହିଁ ରହିଥାଏ l

ମାରିଆ ହସ ହସ ମୁହଁରେ ମୋ ସାଙ୍ଗରେ ତାର ଖଣ୍ଡି ହିନ୍ଦୀରେ କଥାବାର୍ତ୍ତା ଆରମ୍ଭ କରି କହୁଥାଏ, “ଏ ବର୍ଷ ମସ୍କୋରେ ବହୁତ ଶିଘ୍ର ବରଫ ପଡିଯାଇଛି l ଅକ୍ଟୋବର୍ ଶେଷ ଆଡକୁ l ମୁଁ ଝରକା ଖୋଲି ଦେଖେ ତ ଲନ୍, ଗଛ, ଛାତ ସବୁ ବରଫ ଆସ୍ତରଣ ଭିତରେ ବୋଧହୁଏ ମଧ୍ୟ ରାତ୍ରିରୁ/ରାତି ଅଧରୁ ବରଫପାତ ଆରମ୍ଭ ହୋଇଯାଇଛି l ”

“ତା ହେଲେ ତୁମକୁ ଅଳ୍ପ ଅଳ୍ପ ହିନ୍ଦୀ ଜଣା – ମୁଁ ଆଶ୍ଚର୍ଯ୍ୟ ହୋଇ ତାକୁ କହିଲି l କିନ୍ତୁ ଯଦି ଇଂରାଜୀରେ କଥାବାର୍ତ୍ତା ହେବା ପାଇଁ ତୁମେ ସହଜ ମନେ କରୁଥାଅ, ତେବେ ମୋର କିଛି ଆପତ୍ତି ନାହିଁ l ତୁମେ ଇଂରାଜୀରେ କହିପାର l”

ଶୈଳେନ୍ଦ୍ର କହିଲା, ଅନ୍ୟ ଭଦ୍ରମହିଳାଙ୍କୁ ଇଂରାଜୀ କିମ୍ବା ହିନ୍ଦୀ ଜଣା ନାହିଁ l ମାତ୍ର ସେ ବହୁତ ସ୍ମାର୍ଟ୍ l ହିନ୍ଦୀ ନ ଜାଣି ମଧ୍ୟ ଭାରତକୁ ଆସିଛନ୍ତି l ଗୋଆରେ ଦୁଇ ସପ୍ତାହ କଟେଇ ସାରିଲେଣି l ଦିଲ୍ଲୀରେ ମାରିଆ ସହ ତାଙ୍କର ଦେଖା ସାକ୍ଷାତ l ମାରିଆ ତାଙ୍କ ପାଇଁ ଭାଷାନ୍ତରକାରୀ କାମ କରି ପାରିବ l ଶ୍ୱେତଲାନା ଜୀବନର ଅନେକ ଅନୁଭୂତି ବିଷୟରେ ମାରିଆ ଜାଣିଛି l

ଶ୍ୱେତଲାନାର ଚେହେରାରୁ ଜଣା ପଡୁଥାଏ ଯେ ସେ ବହୁତ ଚାଲାକ ଓ ସ୍ମାର୍ଟ୍ l ସମସ୍ତଙ୍କୁ ପ୍ରଭାବିତ କଲା ଭଳି l ତା ଚେହେରା ବେଶ୍ ସୁନ୍ଦର l ସମସ୍ତ ଦେହ କଳା ପୋଷାକରେ ଆବୃତ l କଳା ଟୋପି, କଳା ଓଢଣୀଟିଏ ତାର ଆଖି, କାନ ଆଉ ନାକକୁ ବେଢେଇ ରଖିଥାଏ l ତା ଚେହେରାକୁ ହାଇହିଲ୍ ଯୋତା ହଳକ ବି ବେଶ୍ ମାନୁଥାଏ l କଳା ପୋଷାକ ପରିହିତା ଏହି ସୁନ୍ଦରୀ ନାରୀଟିର ଚାହାଣୀରେ ପୁରୁଷ ହୃଦୟରେ ଆଲୋଡନ ସୃଷ୍ଟି କଲା ଭଳି ବିସ୍ମୟକାରୀ ମାନକତା ଭରି ରହିଥାଏ l ସେ ଭଲ ଭାବରେ ଜାଣିଥାଏ ଯେ, ତାର ଆକାଂକ୍ଷିତ କୌଣସି ପୁରୁଷ ଏଡେଇ ପାରିବ ନାହିଁ l ଶ୍ୱେତଲାନା ଦିଲ୍ଲୀ ହୋଇ ମସ୍କୋ ଫେରିଯିବା ପରେ ବି ଅନେକ ଦିନ ଯାଏ ଏଇ କଥା ବାରମ୍ବାର ଦୋହରାଉଥାଏ ଶୈଳେନ୍ଦ୍ର l

ମାରିଆ କହିଲା ଯେ, “ସେ ଦୁଇ ଜଣ ପାଖ ଜଙ୍ଗଲକୁ ଭୁଲିଯିବେ l ଶ୍ୱେତଲାନାର ଏ ଜଙ୍ଗଲ ବହୁତ ପସନ୍ଦ l ସୂର୍ଯ୍ୟାଲୋକ ହେତୁ ହିମ ମଣ୍ଡଳୀୟ ଜଙ୍ଗଲଠାରୁ ଗ୍ରୀଷ୍ମ ମଣ୍ଡଳୀୟ ଜଙ୍ଗଲର ଏକ ଅଲଗା ବାସ୍ନା ଥାଏ l ସାଥିରେ ପ୍ୟାକ୍ ଲଞ୍ଚ୍ ନେଇ ଉଦ୍ଦେଶ୍ୟହୀନ ଭାବେ ଜଙ୍ଗଲରେ ଘୁରିବୁ  ଓ ଜାଙ୍ଗଲିକ ସୌନ୍ଦର୍ଯ୍ୟ ଉପଭୋଗ
କରିବୁ l ”ମୁଁ ବୁଝିପାରେନି ଶ୍ୱେତଲାନାର ଏ ଭଳି ଅଦ୍ଭୁତ ଖିଆର କାହିଁକି ହୁଏ?

ଶୈଳେନ୍ଦ୍ର କହୁଥାଏ, “ଦେଖ ଏ ଫାନ୍ସି ଯୋତା ପିନ୍ଧି ଜଙ୍ଗଲରେ ବୁଲିବ, ମୁଁ ଅଧିକ କିଛି କହୁନି l ଏ ଆବଡା ଖାବଡା ରାସ୍ତାରେ ଆଖି ପିଛୁଳାକେ ସେ ମେନ୍ ରୋଡରେ ପହଞ୍ଚି ପାରିବ l”

ସେ ଦିନ ସଂଧ୍ୟାରେ ମାରିଆ ଓ ଶ୍ୱେତଲାନାଙ୍କୁ ସାଙ୍ଗରେ ନେଇ ଶୈଳେନ୍ଦ୍ର ମୋ ଘରକୁ ଆସିଲା l ଅନ୍ୟ ଅତିଥିମାନେ ଆସି ସାରିଥାନ୍ତି l ସୂର୍ଯ୍ୟାସ୍ତ ହେବାକୁ ଘଣ୍ଟାଏ ପାଖାପାଖି ଥାଏ l ଶ୍ୱେତଲାନା ତାର ବେଶ ପୋଷାକରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଯାଇଥାଏ l ସାମ୍ନା ଲନରେ, ଗଛ ତଳେ ଫୋଟ ନିଆ ହେଉଥାଏ l କ୍ୟାମେରାର ଅବିରତ ଫ୍ଲାସ୍ ଭିତରେ ଶ୍ୱେତଲାନାର କେତେ ଯେ ଫୋଟ ସମସ୍ତେ ନେଇଛନ୍ତି ତାର ହିସାବ ମୋ ପାଖରେ ନାହିଁ l ତାର ଫୋଟଜେନିକ୍ ଚେହେରା ଓ ମନୋମୁଗ୍ଧକର ସ୍ମିତ ହାସ୍ୟ ଓ ବେପରୁଆ ଚାଲିଚଳଣୀ ସମସ୍ତଙ୍କୁ ବାନ୍ଧି ରଖିଥାଏ l ଗୋଟେ ଦୃଢମନା ଓ ସଂକଳ୍ପବଦ୍ଧା ନାରୀଟିଏ ଭଳି ତାର ବ୍ୟବହାର ଲାଗୁଥାଏ l ତା ମୁହଁରେ ମୁର୍ହୁମୁର୍ହୁ ଭାବ ପରିବର୍ତ୍ତନ ମଧ୍ୟ ଚମକପ୍ରଦ l

ଏଇ ଫୋଟ ଅଧିବେଶନର ସମାପ୍ତିରେ ମୋର ଜଣେ ସିନେମା ପ୍ରେମୀ ବନ୍ଧୁ ମନ୍ତବ୍ୟ ଦେଇ କହିଲେ, “ଏଇ ମହିଳା ମୋତେ ପ୍ରସିଦ୍ଧ ଇଟାଲୀୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଫେଲିନିଙ୍କର ଏକ ଚଳଚ୍ଚିତ୍ର ମନକୁ ଆଣୁଛି l ସେଇ ଚଳଚ୍ଚିତ୍ରର ନାୟିକା ଏହି ଭଦ୍ରମହିଳାଙ୍କ ଭଳି କଳା ପୋଷାକ ପିନ୍ଧି ଥିଲେ ଏବଂ ଏଇ ଭଳି କଳା ଓଢଣୀ ପକେଇଥିଲେ l ଗୋଟିଏ ଶବ୍ଦ ନ କହିବି ସେ ଅନେକ କଥା ନୀରବରେ କହିପାରୁଛି l ଚଳଚ୍ଚିତ୍ରର ନାୟିକା ହେବା ପାଇଁ ସମ୍ପୂର୍ଣ୍ଣ ଯୋଗ୍ୟା ଏହି ଭଦ୍ର ମହିଳା l”

କିନ୍ତୁ ମାରିଆର ଶୈଳୀ ସମ୍ପୂର୍ଣ୍ଣ ଭିନ୍ନ l ଜୀବନ ପ୍ରତି ସେମାନଙ୍କର ଦୃଷ୍ଟି ଭଙ୍ଗୀ, ସ୍ୱଭାବ ଓ ଚରିତ୍ର ଦୁଇ ବିପରୀତ ମେରୁ ଭଳି l

ଶ୍ୱେତଲାନାର ପୋଷାକ ଶୈଳୀ, ପରିଧାନର ଶୈଳୀ ସୌଖୀନ, ମାରୀଆ ସାଧାରଣ ପୋଷାକ, ସାଧାରଣ ସାର୍ଟ୍, ହଳେ ଜିନ୍ସ୍ ଆଉ ହଳଦୀ ରଙ୍ଗର ଶାଲରେ ସୀମିତ l ଜଣେ ଦୃଢ, ଉଗ୍ର ଆଉ ଜଣେ ସରଳା ଓ ଲଜ୍ଜ୍ୟାଶୀଳା l ମୋତେ ଲାଗେ ଯେମିତି ଏଇ ବୈଷମ୍ୟତା ହିଁ ସେ ଦୁଇ ଜଣଙ୍କୁ ନିକଟତର କରିପାରିଛି l

ଶୈଳେନ୍ଦ୍ର ଓ ମୁଁ ବଗିଚାରେ ବୁଲିବା ବେଳେ ଶୈଳେନ୍ଦ୍ର ମୋତେ କହିଲା, ବଗଚାରେ କେତେ ସୁନ୍ଦର ଫୁଲ ଅଛି l ଯଦି ମୋତେ କେତୋଟି ଫୁଲ ଚାରା ଦେବାକୁ ରାଜି ହେବୁ, ସକାଳେ ମାଳି ଆସି ନେଇଯିବ l ଗେଷ୍ଟହାଉସ୍ ଆଗରେ ଖରା ପଡୁଥିବା ଜାଗାମାନ ଅଛି l ଫୁଲଗଛଗୁଡିକ ଶିଘ୍ର ବଢିଯିବ l

ଶ୍ୱେତଲାନା ଗୋଟେ ଫୁଲଭରା କୃଷ୍ଣଚୁଡା ଗଛର ଡାଳ ଧରି ଠିଆ ହୋଇଥାଏ l ଶୈଳେନ୍ଦ୍ର କହିଲା, “ପାଗଳୀଟାଏ l ଆଜି ସକାଳେ ଝର୍କା ଖୋଲି ଦେଖିଲାବେଳକୁ ସେ ରୁମ୍ ସାମ୍ନା ପ୍ଲାଟଫର୍ମରେ କେବଳ ବ୍ରା ଆଉ ପ୍ୟାଣ୍ଟି ପିନ୍ଧି ଶୋଇ ରହି, ରୌଦ୍ର ସ୍ନାନ କରୁଛି l ତା ପାଇଁ ଚା ନେଲା ବେଳେ ତାର ଫୁଙ୍ଗୁଳା ଦେହ ଦେଖି ଚକିତ ହୋଇ ଚାହା ଥୋଇଦେଇ ଫେରିଆସିଲା l ”

କିଛି ସମୟ ନୀରବ ରହିବା ପରେ ଶୈଳେନ୍ଦ୍ର ପୁଣି କହିଲା, “ମୋ ଗେଷ୍ଟହାଉସରେ ବହୁତ ବିଦେଶିନୀ ରହିଛନ୍ତି l ହେଲେ ଏ ଭଳି ଭଦ୍ରମହିଳା ମୁଁ ଦେଖି ନାହିଁ l ମୁଁ ବିଶ୍ୱାସ କରିପାରୁନି, ଗୋଟିଏ କିଶୋରୀ ମାଆ ଓ ନିଜ ବ୍ୟବସାୟ ଚଳାଉଥିବା ମହିଳା କିପରି ଏତେ ବେ-ପରବାୟ, ସ୍ୱାଧୀନମନା ହୋଇପାରେ l ” ନିଃସନ୍ଦେହରେ ମୁଁ କହିବି ଯେ , “ସେ ଅତି ବେପରୁଆ, ବେଳେବେଳେ ଜଙ୍ଗଲୀ ସ୍ତ୍ରୀ ଭଳି ଲାଗେl ” ତାର ଏ ଭଳି ସ୍ୱେଚ୍ଛାଚାର ବ୍ୟବହାର ପଛରେ କିଛି ଜଟିଳ ମାନସିକ ଅବବୋଧ ରହିଛି l

ଫୁଲ ଚାରା ନେବା ପାଇଁ ଶୈଳେନ୍ଦ୍ରର ମାଳି ତା ପରଦିନ ଆସିଥାଏ l ଏଗାରଟା ବାଜି ସାରିଥାଏ l ମାଳି ସହିତ ମାରିଆକୁ ଦେଖି ମୋତେ ଆଶ୍ଚର୍ଯ୍ୟ ଲାଗିଲା l ମାରିଆ ତାର ଚିରାଚରିତ ନୀଳ ରଙ୍ଗର ଜିନ୍ ସହ ଧଳା ସାର୍ଟ ପିନ୍ଧିଥାଏ ଓ ହଳଦିଆ ଶାଲ୍ ଘୋଡେଇହୋଇଥାଏ l ମୁରୁକି ହସି ମୋତେ କହିଲା, “ବିନା ଆମନ୍ତ୍ରଣରେ ଆସିଥିବାରୁ ମୋତେ କ୍ଷମା କରିବେl ”

ଫୁଲ ଗଛ ପାଖରେ ନଇଁ ପଡି କହିଲା, “ଏ ଫୁଲର ବାସ୍ନା ବହୁତ ଭଲ l ମସ୍କୋରେ ଫୁଟୁଥିବା ଫୁଲ ତୁଳନାରେ ଏ ଗୁଡିକ ବହୁତ ଛୋଟ ମାତ୍ର, ମହକ, ମାଦକ ଭରା l” ତାର ନୀଳ-ଶୀତଳ ଆଖିର ହସ ମୋତେ ଭଲ ଲାଗୁଥାଏ l “ବିନା ଆମନ୍ତ୍ରଣରେ ଆସିବାର ମଜା ନିଆରା- ମୁଁ କହିଲି l ପୁଣି ପଚାରିଲି ଶ୍ୱେତଲାନା ଆସିଲା ନାହିଁକି ? ”

“ନାଁ ସେ ଶୈଳେନ୍ଦ୍ର ସହ ଅରଣ୍ୟରେ ଘୁରି ବୁଲିବା ପାଇଁ ଚିନ୍ତା କରିଛି lମୋର ଯିବା ପାଇଁ ଏତେ ଆଗ୍ରହ ନାହିଁ l ମୁଁ ଆପଣଙ୍କ ସାହାଯ୍ୟ ଲୋଡୁଛି l କୁଣ୍ଠିତ କଣ୍ଠରେ କହିଲା l ”

ମୁଁ ତୁମକୁ ସାହାଯ୍ୟ କରିପାରିଲେ ଧନ୍ୟ ମନେ କରିବି l

“ଚିନ୍ତା କରି କୁହ”, ମୁଁ କହିଲି l

ମାରିଆ କହିଲା, “କାଲି ବହୁତ ଲୋକ ଥିବାରୁ ମୁଁ କହିପାରି ନ ଥିଲି l”

ଶ୍ୱେତଲାନାର ଜୀବନ ମୋ ଆଗରେ ଏକ କୁହେଳୀ ଭଳି ଆଗ୍ରହ ସୃଷ୍ଟି କରିଥାଏ l କେବଳ ମାରିଆ ହିଁ ସେହି କୁହେଳୀର ରହସ୍ୟ ଉନ୍ମୋଚନ କରିବ l ପଛ ପାଖ ଲନରେ ବସି କଫି ପିଇବା ପାଇଁ ମୁଁ ତାକୁ କହିଲି, “ଆଜି ଆକାଶ ବହୁତ ପରିଷ୍କାର, ଦୂର ପାହାଡ ସବୁ ସ୍ୱ-ଉଜ୍ଜଳତାରେ ମହିମାମୟ ଦିଶୁଛନ୍ତି l”

ମାଳୀକୁ ଫୁଲଚାରା ଦେବା ପରେ, ମାରିଆ ଆଉ ମୁଁ ଘର ପଛ ଲନ୍ ଆଡକୁ ଆଗେଇଲୁ l ଗତ ସନ୍ଧ୍ୟାରେ ଶୈଳେନ୍ଦ୍ର ମୋତେ କହିଥିବା ଶ୍ୱେତାଲାନାରେ ରୌଦ୍ର ସ୍ନାନ/ସୂର୍ଯ୍ୟ ସ୍ନାନ କଥା ତାକୁ ପଚାରିଲି l

ମାରିଆ ହସି ଉଠି କହିଲା, “ମୁଁ ବି ଏହି ଭଳି ଥରେ ରୌଦ୍ରସ୍ନାନ କରିଥାଆନ୍ତି l ଏଭଳି ଉଜ୍ଜଳ ଖରାଟିଆ ପାଗ ଆମ ଦେଶରେ ବିରଳ l ଏଇମିତି ଭାବରେ ଆମେ ସୂର୍ଯ୍ୟ-ସ୍ନାନ କରୁ l କିନ୍ତୁ ମୋ କଥା ଅଲଗା l ତୁମ ଦେଶର ଚଳଣୀ ବିରୁଦ୍ଧରେ ଏପରି ଢଙ୍ଗରେ ସୂର୍ଯ୍ୟ-ସ୍ନାନ ମୁଁ କରିବାକୁ ଦ୍ୱିଧା କରିଥାଆନ୍ତି l ମାତ୍ର ଶ୍ୱେତଲାନା କଥା ଅଲଗା l ଜୀବନ ପ୍ରତି ତାର ଏକ ଅଲଗା ଦୃଷ୍ଟି , ଜୀବନ ଶୈଳୀ ଭିନ୍ନ l ତା ନିଜ ଇଛାରେ ଜୀବନ ଜୀଇଁବା ପାଇଁ ସେ ବହୁତ କଷ୍ଟ ସହିଛି, ସଂଗ୍ରାମ କରିଛି, ତେଣୁ ତାର ଏଇ ମୁକ୍ତ-ଜୀବନ ଜୀଇଁବା ଅଭିପ୍ରାୟ ସେ ତ୍ୟାଗ କରିପାରିବ ନାହିଁl”

ମାରିଆର ସମସ୍ୟା ଅଲଗା ପ୍ରକାରର ଥିଲା l ଗତ କାଲି ସକାଳୁ ମୁଁ ଗେଷ୍ଟ୍ ହାଉସରୁ ଫେରିବା ପେରେ ସିଏ ଶ୍ୱେତଲାନା ଓ ଶୈଳେନ୍ଦ୍ର ସହ ଜଙ୍ଗଲକୁ ବୁଲିବାକୁ ଯାଇଥିଲା l ମାତ୍ର ମାରିଆ ତା ହ୍ୟାଣ୍ଡବ୍ୟାଗ୍ ସାଙ୍ଗରେ ନେବାକୁ ଭୁଲିଯାଇଥିଲା l ଫେରିବା ପରେ ଦେଖିଲା ଯେ ବ୍ୟାଗ୍ ଅଛି l ମାତ୍ର ସେଥିରେ ଥିବା ଟଙ୍କା ନାହିଁ l ରୁମରେ ବ୍ୟାଗ୍ ଛାଡିଯିବା ଏକ ବଡ ଭୁଲ ଏବଂ ସେ ଅନୁଭବ କଲା ଯେ ଟଙ୍କା ପାଇବାର ଆଶା ବହୁତ କ୍ଷୀଣ l ଶ୍ୱେତଲାନାକୁ ଏ ସବୁ କହି କିଛି ଲାଭ ହେବ ନାହିଁ l ଏ ବିଷୟକୁ ନେଇ ସେ ହଲ୍ଲାଗୁଲ୍ଲା କରିବ, ଯାହା ଫଳରେ ଶୈଳେନ୍ଦ୍ର ପାଇଁ ସମସ୍ୟା ମୁଣ୍ଡ ଟେକିବ ଏବଂ ଛୁଟି ଦିନର ଆନନ୍ଦ ପୁରା ନଷ୍ଟ ହୋଇଯିବ l

: ମୁଁ ଦ୍ୱନ୍ଦ୍ୱରେ ଥିବାରୁ କିଛି ସ୍ଥିର କରି ପାରୁ ନାହିଁ l ମାରିଆ ଅପ୍ରତିଭ ସ୍ୱରରେ କହିଲା l ତା’ପରେ ମୋର ମନେ ପଡିଲା ଯେ ତୁମେ ଗତ ସନ୍ଧ୍ୟାରେ ଅଳ୍ପ ଦିନ ମଧ୍ୟରେ ଦିଲ୍ଲୀ ଯିବା କଥା କହୁଥିଲା l ତେଣୁ ମୁଁ ତୁମକୁ ଅନୁରୋଧ କରୁଛି, ଏ ଭଳି ପରିସ୍ଥିତିରେ ମୋର ସାହାଯ୍ୟ ଦରକାର l ମୋର ହୋଟେଲ୍ ବିଲ୍ ଦେବା ପାଇଁ ଅଳ୍ପ ପଇସା ଦରକାର l ମୁଁ ଦିଲ୍ଲୀରେ ପହଞ୍ଚିବା ପରେ ପରିଶୋଧ କରିପାରିବି l

ମାରିଆର କଥା ଓ ତାର କଥା କହିବାର ଶୈଳୀ ମୋ ମନକୁ ଛୁଇଁଲା l ତାର ଛୁଟିର ଆମୋଦ ନଷ୍ଟ ନ ହେବା ପାଇଁ ଯେଉଁ ଚେଷ୍ଟା ମୋତେ ବହୁତ ପସନ୍ଦ ଲାଗୁଥାଏ, ସିଏ ବି ଶ୍ୱେତଲାନାର ଏଭଳି ପରିସ୍ଥିତିରେ ମନୋଭାବ କିପରି ପରିବର୍ତ୍ତନ ନ ହେବ ସେଥିପାଇଁ ଚେଷ୍ଟା କରୁଥାଏ l ଏହା ଛଡା ମୋ ସହିତ ମାତ୍ର ଦୁଇ ଥର କଥାବାର୍ତ୍ତାରେ ମୋ ପ୍ରତି ଭରସା ରଖିଥିବାରୁ ମୋତେ ଖୁସି ଲାଗୁଥାଏ l

“ଏଇ ସାମାନ୍ୟ କଥା ପାଇଁ ନ ଆସି ଖାଲି ଖବର ପଠେଇଥିଲେ ଯଥେଷ୍ଟ ହୋଇଥାଆନ୍ତା l ମୋତେ ତୁମ ବାନ୍ଧବୀ ପାଇଁ ତୁମ ଚିନ୍ତା ବହୁତ ଖୁସି ଲାଗୁଛି l ଏଇ ପରିସ୍ଥିତିରେ ଶ୍ୱେତଲାନା ବିଳମ୍ବ ନ କରି ପୋଲିସକୁ ଜଣେଇ ଦେଇ ସାରନ୍ତାଣି l” ମୁଁ କହିଲି l

ନାଁ ନାଁ ଏପରି ନୁହେଁ l ତା ବିଷୟରେ ଏମିତି ଚିନ୍ତା ମନକୁ ଆଣନ୍ତୁ ନାହିଁ l ମୂଳରୁ ତାର ବ୍ୟବହାର ଉପରେ ମୋର ମଧ୍ୟ ଏପରି ଧାରଣା ହୋଇଥିଲା l ଜଣଙ୍କ ଜୀବନରେ ବିପର୍ଯ୍ୟସ୍ତ ପରିସ୍ଥିତି ଜଣଙ୍କୁ ଭାଙ୍ଗି ଦେଇପାରେ l “କିନ୍ତୁ ଏହି ନାରୀଜଣଙ୍କ ତା ଜୀବନରେ କଳ୍ପନା ବାହାରର ବିପଦକୁ ସାମ୍ନା କରି ବଞ୍ଚିଛି l ମୋର ସାଧାରଣ ଜୀବନରେ ସାମାନ୍ୟ ସାମାନ୍ୟ କଥାରେ ମୁଁ ବିଚଳିତ ହୋଇପଡେ, ଅସ୍ଥିର
ହୋଇଯାଏ l ଶ୍ୱେତଲାନା ତା ଜୀବନର ଅସୁମାରୀ ଝଡ – ଝଞ୍ଜା ସତ୍ତ୍ୱେ ଗୋଟେ ଚଳଚଞ୍ଚଳ, କିଛି ଦୁର୍ଘଟଣା ଘଟି ନ ଥିବା ଭଳି ମୁକ୍ତ ଜୀବନଟେ ବଞ୍ଚିଛି l ଅନ୍ତତଆ ପକ୍ଷେ, ଏତିକି ମୁଁ ତା ଠାରୁ ଶିକ୍ଷା ଲାଭ କରିଛି ”l ତା ପରେ ମାରିଆ କିଛି କ୍ଷଣ ପାଇଁ ଚୁପ୍ ହୋଇଗଲା l ଦୂର ପାହାଡ ମଥାନରେ ଝଲମଲ କରୁଥିବା  ସୂର୍ଯ୍ୟାଲୋକକୁ ଚାହିଁ ସେ ମୋତେ ପଚାରିଲା , “ଆପଣ ମୋତେ କିଛି ପଚାରିବେ ବୋଲି
କହୁଥିଲେ ନା ?”  

ମୁଁ ଉତ୍ତର ଦେଇ କହିଲି, “ମୁଁ ଯାହା ଜାଣିବାକୁ ଚାହୁଁଥିଲି , ତା ଠାରୁ ମୋତେ ଅଧିକ
କହିସାରିଲଣି l ମୋତେ ତୁମ ଦୁହିଁଙ୍କୁ ଏକାଠି ଦେଖିଲେ ଏବେ ବି ଆଶ୍ଚର୍ଯ୍ୟ ଲାଗେ l ତୁମେ ଦୁହେଁ କେତେ ଭିନ୍ନ, ତୁମ ଦୁହିଁଙ୍କ ଭିତରେ ନିବିଡ ସମ୍ପର୍କ ମୋତେ ପ୍ରହେଳିକା ଭଳି ମନେ ହୁଏ” l

ମାରିଆ ହସି ହସି ଉତ୍ତର ଦିଏ, “ଏ କଥା ନିଶ୍ଚିତ ଯେ ଆମେ ଦୁହେଁ ପ୍ରେମିକ ନୁହେଁ l ବୋଧହୁଏ ଏଇ ଭଳି ଚିନ୍ତା ଆପଣଙ୍କର ବ୍ୟସ୍ତତାର କାରଣ ହୋଇପାରେ l”

ମାରିଆ କହିଚାଲିଥାଏ, “ଆମର ବିଚାର ଓ ଦୃଷ୍ଟି କୋଣ ସମ୍ପୂର୍ଣ୍ଣ ନିଆରା l ଗୋଟିଏ ଚୁମ୍ବକର ଉତ୍ତର ମେରୁ ଓ ଦକ୍ଷିଣ ମେରୁ ଭଳି ଆମର ସ୍ଥିତି l ପଦାର୍ଥ ବିଜ୍ଞାନର ମୌଳିକ ଧର୍ମ ଭଳି ବିପରୀତ ମେରୁ ପରସ୍ପରକୁ ଆକର୍ଷଣ କଲା ଭଳି l ମୁଁ ପିଲାଦିନରୁ ଗଭୀର ଧର୍ମ ବିଶ୍ୱାସୀ l ଅନୁଭବ କରେ ଯେ, 1917 ଅକ୍ଟୋବର୍ ବିପ୍ଲବ, ଆମ ସମାଜରେ ଈଶ୍ୱର ବିଶ୍ୱାସ ଉପରେ ଘୁଣ ଲଗେଇ ଦେଇଛି l ଈଶ୍ୱରଙ୍କ ଉପରେ ମଣିଷର ଆସ୍ଥା ଓ ଆଉ ଭରସା ଉପରେ ପ୍ରଶ୍ନବାଚୀ ଟାଣି ଦେଇଛି l ବୋଧହୁଏ ଶ୍ୱେତଲାନା ତା ଜୀବନରେ ଧର୍ମ ଶବ୍ଦ ହିଁ ଜାଣି ନ ଥିବ l ଗତକାଲି ସନ୍ଧ୍ୟାରେ ଆପଣଙ୍କ ପାଖକୁ ଯିବା ବାଟରେ ପୁରୁଣା ଚର୍ଚ୍ଚ୍ ପାଖ ଦେଇ ଯାଉଥିଲୁ , ମୋର ଇଛା ହେଉଥିଲା ଚର୍ଚ୍ଚ୍ ଭିତରେ ବୁଲି ଯାବା ପାଇଁ l ମାତ୍ର ଶ୍ୱେତଲାନା ମୋତେ ଯିବାକୁ ବାରଣ କଲା l କହିଲା, ମୋ ଭିତରେ ପୁରୁଣାକାଳିଆ ନିର୍ବୋଧ ଚିନ୍ତାଧାର ସବୁ ଜମା ବାନ୍ଧି ଯାଇଛି l” ମାର୍କସିଷ୍ଟମାନେ ଧର୍ମକୁ ଜନତାର ଅଫିମ ବୋଲି କୁହନ୍ତି l

ମୁଁ କହିଲି, “ଗୋର୍ବାଚୋଭ୍ କ୍ଷମତାକୁ ଆସିବା ପର୍ଯ୍ୟନ୍ତ, ପ୍ରତି ପରିବାରରେ, ସ୍କୁଲରେ ପିଲାମାନଙ୍କ ମସ୍ତିଷ୍କରେ ଏଇ ଧାରଣା ସବୁ ଅନୁପ୍ରବେଶ କରେଇ ଦିଆଯାଇଥିଲା l ମୋତେ ଆଶ୍ଚର୍ଯ୍ୟ ଲାଗେ ଏତେ ପ୍ରତିକୂଳତା ଭିତରେ ତୁମର ଧର୍ମ ଉପରେ ବିଶ୍ୱାସ କିପରି ଅତୁଟ ରହିଲା ?” ମାରିଆ ସ୍ମିତ ହସଟେ ହସି କହିଲା, “ମୋର ଏଇ ଧାର୍ମିକ ଭାବ ପୂର୍ବ ଜନ୍ମର ସୁକୃତ l ଜୈବିକ ଗୁଣସୂତ୍ରର ଉତ୍ତରାଧିକାରିଣୀ ଭାବେ ମୁଁ ପାଇଛି l ମୋର ପୂର୍ବ ଜନ୍ମ ବୋଧହୁଏ ଭାରତରେ ହୋଇଥିଲା l ସେଥିପାଇଁ ମୁଁ ବାରମ୍ବାର ଏଠିକୁ ଆସେ, ହିନ୍ଦୀ ଶିଖିବାକୁ ଚେଷ୍ଟା କରେ l ତିନି ବର୍ଷ ତଳେ କାଶ୍ମୀରର ମତାନରେ ମୋତେ ଜଣେ ପଣ୍ଡିତ କହିଲେ କି ମୋର ପୂର୍ବ ଜନ୍ମର ନାଆଁ ଥିଲା ମାୟାଦେବୀ l”

“ମାୟାଦେବୀ” – ମାୟା ଶବ୍ଦର ଏକାଧିକ ଅର୍ଥ l

ଆଲୋକିକ ଘଟଣା, ଯାଦୁ, ଅର୍ଥ, ସମ୍ପଦ, ଯୌନତା, ଛଳନାପୂର୍ଣ୍ଣ ଭଲପାଇବା ଇତ୍ୟାଦି, ଇତ୍ୟାଦି l ମୁଁ ଭାବୁଛି ଏ ସବୁ ତୁମ ଅପେକ୍ଷା ତୁମ ବାନ୍ଧବୀଙ୍କ କ୍ଷେତ୍ରରେ ବେଶୀ ପ୍ରଯୁଜ୍ୟ l

ମାରିଆ ମୋତେ ଛଳକୋପରେ ଚାହିଁଲା ଓ କହିଲା, “ଶ୍ୱେତଲାନାର ସବୁ କଥାରେ ତୁମେ ଦୋଷ
ଦେଖୁଛ l ତୁମ ପାଇଁ ଏହା ଠିକ୍ ନୁହେଁ l କିମ୍ବା ଶ୍ୱେତଲାନା ପାଇଁ ଏହା ଯଥାର୍ଥ ବିଚାର ନୁହେଁ l ତୁମେ ଯଦି ତାକୁ ବୁଝିବାକୁ ଚେଷ୍ଟା କରିବ, ତାର ବହୁତ ଭଲ ଗୁଣ ଜାଣିପାରିବ l ”

“ଏଥିରେ ତୁମର ମନ ଦୁଃଖ କରିବାର ନାହିଁ କିମ୍ବା ତା ସପକ୍ଷରେ ତର୍କ କରିବାର ନାହିଁ l ମୁଁ ଭାବେ ଯେ ସେ ଜଣେ ବୁଦ୍ଧିମତୀ ଓ ପାରିବାର ଭଦ୍ର ମହିଳା l ବୋଧହୁଏ ତାଙ୍କର ଭାରତ ଆଗମନ ପଛରେ ‘ମୋକ୍ଷ’ ଆଉ ଜୀବନକୁ ଖୋଜି ପାଇବାର ଜିଜ୍ଞାସା ରହିଛି l ତୁମେ ଏ ଦିଗରେ ପ୍ରଥମ ପାହାଚ ଅତିକ୍ରମ କରିସାରିଥିବା ସ୍ଥଳେ ସିଏ ଦୁଇ ତିନିଟା ପାହାଚ ଡେଇଁ ସାରିଲେଣି l”

ମାରିଆ ପଚାରିଲା, “ମୁଁ ତୁମ କଥା ବୁଝିପାରୁନି l ଜୀବନର ଲକ୍ଷ୍ୟ କ’ଣ ? ”

ମୁଁ କହିଲି, “ଆମ ଧର୍ମ ଶାସ୍ତ୍ର ଅନୁସାରେ ମଣିଷ ଜୀବନର ଅନ୍ତିମ ଲକ୍ଷ୍ୟ ହେଉଛି ‘ମୋକ୍ଷ’, ଜନ୍ମ-ପୁନର୍ଜନ୍ମର ଚକ୍ରରୁ ମୁକ୍ତି l ଜୀବନର ବିଭିନ୍ନ ଅବସ୍ଥାରେ ଧର୍ମ, ଅର୍ଥ, କାମର (ନୈତିକ ଆଚରଣ, ଭୌତିକ ସୁଖ, ଠିକ୍ ମାର୍ଗରେ ଇନ୍ଦ୍ରିୟ ସୁଖ ଉପଲବ୍ଧି ) ସଠିକ୍ ଆଚରଣ ଦ୍ୱାରା ହିଁ ମୋକ୍ଷ ପ୍ରାପ୍ତି ହୋଇଥାଏ l”

ମାରିଆ କହୁଥାଏ, “ମୁଁ ଏତେ ଗହନ ପାଠ ବୁଝିପାରୁନାହିଁ l ସମସ୍ତ ଐତିହାସିକ ଉତ୍ଥାନ-ପତନ, ବର୍ତ୍ତମାନର ଦାରିଦ୍ର୍ୟତା ସତ୍ତ୍ୱେ ଭାରତ ଗଭୀର ଧର୍ମବିଶ୍ୱାସୀ l ସେଥିପାଇଁ ମୋତେ ଅନ୍ତରଙ୍ଗ ଲାଗେ l ନିରକ୍ଷରତା ହାର ଅଧିକ l କିନ୍ତୁ ଜୀବନର ଗଭୀର ଅନ୍ତଃ ଗୁଣବତ୍ତା ସହ ତାର କିଛି ସମ୍ପର୍କ ନାହିଁ l ଭାରତୀୟ ଧର୍ମ ଉପରେ ବିଶ୍ୱାସ ରଖି ସରଳ ଓ ଶାନ୍ତ ଜୀବନ ବିତାଉଛନ୍ତି l ଧର୍ମ ସଚେତନତା ତାଙ୍କର ବଂଶଗତ ଗୁଣ l”

ମୁଁ କହିଲି, “ତୁମ ସହ ମୁଁ ଏକମତ l ଧନୀ ଦେଶର ଜୀବନ ଶୈଳୀ ମୁଁ ଲକ୍ଷ୍ୟ କରିଛି l ଆଧୁନିକ ଶିକ୍ଷା, ବୈଷୟିକ ପ୍ରଗତି ସେମାନଙ୍କୁ ଭୌତିକ ସ୍ତରରେ ସ୍ୱାଚ୍ଛନ୍ଦ୍ୟତା ପାଇଁ ବାଧ୍ୟ କରିଛି , ଯାହା ଫଳରେ ସେମାନଙ୍କର ଆଧ୍ୟାତ୍ମିକ ଚେତନା ଅବହେଳିତ, ଏଇ ଭଳି ଜୀବନ ଶୈଳୀ ସାରା ପୃଥିବୀର ଉନ୍ନତ ଜୀବନ ରୂପେ ଗ୍ରହଣ କରାଯାଉଛି l ସାଂସାରିକ ସୁଖ ଭୋଗକୁ ପ୍ରାଧାନ୍ୟ ଦିଆଯାଉଥିବାରୁ ମଣିଷର ଆବେଗ, ଧର୍ମ ଓ ଜୀବନର ନାନ୍ଦନିକତା ଗୌଣ ହୋଇଯାଉଛି l ତେଣୁ ଧର୍ମ ପାଇଁ ତୁମର ଆବେଗ ମୋତେ ଭଲ ଲାଗିଛି l”

ଆକାଶରେ ମେଘ ଜମାଟ ବାନ୍ଧି ଆସୁଥାଏ l ନିକଟରେ ବର୍ଷା ହେବାର ସମ୍ଭାବନା ନ
ଥାଏ l ଦୂର ପାହାଡ ଶିଖରରେ ବରଫ ପଡିବା ଭଳି ବୋଧ ହେଉଥିଲା l ଜୋରରେ ଝଡ ଆସିବାର ସୂଚନା l ପାଗରେ ଶୀତଳତାର ସ୍ପର୍ଶ l ମାରିଆ ତାର ହାଲକା ହଳଦିଆ ଶାଲ୍ ଭିତରେ ଥରୁଥାଏ l ସମୟ ଗୋଟାଏ ପାଖାପାଖି l ମାରିଆ ଆଉ ମୁଁ ଘର ଭିତରକୁ ଖାଇବାକୁ ଯିବା ସମୟରେ ମୋତେ କହୁଥାଏ, ତୁମେ ଯାହା କହୁଛ ମୋତେ ବହୁତ ଭଲ ଲାଗୁଛି l ମାତ୍ର ମୁଁ ବେଶୀ କିଛି ବୁଝି ପାରୁ ନାହିଁ l

ମୁଁ ହସିଲି - “କାହାକୁ ଭଲ ପାଇବା, ତାକୁ ବୁଝିବା ଠାରୁ ବେଶି ଗୁରୁତ୍ୱପୂର୍ଣ୍ଣ l” ବେଳେ ବେଳେ ମୁଁ ବହୁତ ବିଷୟ ବୁଝି ପାରେ ନାହିଁ lବୁଝି ପାରିବା ହେଉଛି ଆମ ବୁଦ୍ଧିମତାର କାର୍ଯ୍ୟ l କିନ୍ତୁ ଭଲ ପାଇବା ଠାରୁ ଏହା ନିମ୍ନ ସ୍ତରର l ଆମେରିକାର ପ୍ରଖ୍ୟାତ ଲେଖକ ହେମିଙ୍ଗୱେ ଲେଖିଥିଲେ, ଗୋଟିଏ ବୃକ୍ଷକୁ ଦେଖିବା ଓ ଭଲ ପାଇବା ତାର ଉଦ୍ଭିଦ ଜ୍ଞାନ ଠାରୁ ଯଥେଷ୍ଟ ଉଚ୍ଚରେ – ମୁଁ କହିଲି l

ମାରିଆ ହସି ହସି କହିଲା, ଆଜି ଆମର କଥାବାର୍ତ୍ତା ବେଶ୍ ଆଗ୍ରହଦ୍ଦୀପକ l

ମୋତେ ତୁମ ଶ୍ୱେତଲାନା ବିଷୟରେ କହିବାକୁ କହିଥିଲ, କିନ୍ତୁ ମୁଁ ତୁମକୁ ମୋ ବିଷୟରେ ହିଁ କହି ଚାଲୁଥିଲି l ଲଞ୍ଚ୍ ଖାଇସାରିବା ପରେ ମାରିଆ କିଛି ସମୟ ଚୁପ୍ ରହିଥାଏ l କିଛି ସମୟ ପରେ କହିଲା - “ତା ବିଷୟରେ ତାକୁ ପଚାରିବାଟା ହିଁ ଭଲ ହେବ l ତୁମେ ଯଦି ଚାହଁ ମୁଁ ତାକୁ ଆସନ୍ତାକାଲି ସାଥିରେ ନେଇ ଆସିବି ଏବଂ ତୁମ ଦୁହିଁଙ୍କର ଆଳାପ-ଆଲୋଚନାକୁ ମୁଁ ଭାଷାନ୍ତର କରିବି l”

ମାରିଆ ଯିବା ପରେ ମୁଁ ଚିନ୍ତା କଲି - “ମୁଁ ଶ୍ୱେତଲାନାକୁ କଣ ପଚାରିବି? ”ମୋ ଭିତରେ କିଛି ନିର୍ଦ୍ଦଷ୍ଟ ପ୍ରଶ୍ନ ନ ଥାଏ l ତା ବିଷୟରେ ମୁଁ ଯାହା ଦେଖୁଥାଏ ଓ ଶୁଣୁଥାଏ, ସେଇଟା ସାଧାରଣ କୌତୁହଳର ପ୍ରଶ୍ନ l ବୋଧହୁଏ ଜଣେ ସୁନ୍ଦରୀ ମହିଳାର ଏଇଭଳି ସ୍ୱେଚ୍ଛାକୃତ ଆଚରଣ ଓ ପ୍ରଦର୍ଶନ ଜଣକୁ ତା ବିଷୟରେ ଜାଣିବା ପାଇଁ ଉତ୍ସାହିତ କରିବ l କିନ୍ତୁ ଏହା ଠାରୁ ଆଉ କିଛି ଅଧିକ ଥିଲା ଯାହା କି ମୋର ଆଗ୍ରହକୁ ଦ୍ୱିଗୁଣିତ କରି ଦେଇ ଥିଲା l କୋଉ ଭଳି କଠିନ ପରିସ୍ଥିତି ତାକୁ ଜୀବନର ଆଦ୍ୟ ଭାଗରେ ସଂଗ୍ରାମ କରିବାକୁ ବାଧ୍ୟ କରିଥିଲା ?  ଜୀବନକୁ ତା ନିଜ ଢଙ୍ଗରେ ବଞ୍ଚିବା ପାଇଁ ସେ ସାହସ କିପରି ଓ କେଉଁ ଭାବେ ସଂଗ୍ରହ କରିପାରିଲା l ଏ କଥା କହିଲେ ଠିକ୍ ହେବ ଯେ ଏହା ଜାଣିବା ପାଇଁ ମୋ ଅବଚେତନ ମନରେ ଆଗ୍ରହ ସୃଷ୍ଟି ହୋଇସାରିଥିଲା ଏବଂ ତାକୁ ଭେଟିବା ପାଇଁ ମୋର ଉତ୍କଣ୍ଠା ବଢି ଯାଇଥିଲା l

ପରଦିନ ସକାଳ l ମାରିଆ ଓ ଶ୍ୱେତଲାନା ଏଗାରଟା ବେଳେ ଆସିଲେ l ଶ୍ୱେତଲାନା ତାର ଚିରାଚରିତ ପୋଷାକ ପିନ୍ଧିଥାଏ l ଚେହେରାରେ ସେଇ ସ୍ନିଗ୍ଧତା l ସେଇ ଲାସ୍ୟ ଦେହ, ଲାବଣ୍ୟ ଓ ଦୃଢତାର ପରିଚୟ l ଓଠରେ ଲୁକ୍କାୟିତ ହସର ଆଭାସ l

ମାରିଆ କଥା ବାର୍ତ୍ତା ଆରମ୍ଭ କଲା l “ମୁଁ ତାକୁ କହିଛି ଯେ, ଆପଣ ତାର ବେପରୁଆ ଜୀବନ ଜୀଇଁବାର ଢଙ୍ଗ ଦ୍ୱାରା ପ୍ରଭାବିତ ହୋଇଛନ୍ତି, ମୋ ଠାରୁ ଅଲଗା ଧରଣର ଜୀବନ ବଞ୍ଚିବା ପାଇଁ ଦୃଢତା ଓ ଇଛା ଶକ୍ତି ସେ କେମିତି ପାଇ ପାରିଛି ତାହା ଜାଣିବାକୁ ମୁଁ ତାକୁ ସାଥିରେ ନେଇ ଆସିଛି l ମାରିଆର ଉପୋଦଘାତ ବେଶ୍ ସୁନ୍ଦର ଲାଗୁଥାଏ l ଗୋଟାଏ ଅର୍ଥ ପୂର୍ଣ୍ଣ ଭାବର ଆଦାନପ୍ରଦାନ ପାଇଁ ଅନୁକୂଳ ପରିବେଶ ସେ ତିଆରି କରିପାରିଥାଏ l ଠିକ୍ ଅଛି l ତୁମେ ଆସିବା ଦିନ ବହୁତ ଲୋକ ଥିବାରୁ ତୁମମାନଙ୍କ ସହ କଥାବାର୍ତ୍ତା ହେବା ପାଇଁ ସମୟ ପାଇ ନ ଥିଲି l ଫୋଟ ନେବା ପାଇଁ ବହୁତ ଲୋକ ତୁମକୁ ବେଢି ଯାଇ ଭିଡ ଜମେଇଥିଲେ l ତୁମ ଭଳି ସୁନ୍ଦରୀ ମହିଳାଙ୍କ ଫୋଟ ବେଶ୍ ସୁନ୍ଦର ହୋଇଛି l ତୁମର ଫୋଟ ଉଠେଇବା ବେଳର ଧୈର୍ଯ୍ୟ ଓ ମୁହଁରେ ବିଭିନ୍ନ ଭାବ ପ୍ରକାଶ କରିବାର କ୍ଷମତା ମୋତେ ଅଭିଭୂତ କରିଛି l କେହି ଜଣେ ବନ୍ଧୁ ମୋତେ ଆପଣ ଚଳଚ୍ଚିତ୍ର ତାରକା କି ବୋଲି ପ୍ରଶ୍ନ କରିଥିଲେ l”

ଶ୍ୱେତଲାନାର ଉତ୍ତର କଣ ହୋଇପାରେ, ମାରିଆ ଭାବୁଥିବା ବେଳେ ଶ୍ୱେତଲାନାର ମୁଖମଣ୍ଡଳରେ ଭାବାନ୍ତର, ମୃଦୁ ହସ , ଭୃ – ଭଙ୍ଗୀ ଓ ଓଠରେ କୁଞ୍ଚନ ଓ ମୋ ଆଡକୁ ଅର୍ଥପୂର୍ଣ୍ଣ କଟାକ୍ଷ ମୁଁ ଲକ୍ଷ୍ୟ କରିପାରିଥିଲି l ପରିଶେଷରେ ତାର ମୁଖମଣ୍ଡଳରେ ଏକ ଚିନ୍ତା ପୂର୍ଣ୍ଣ ଆବେଗ ଆସି ଯାଉଥାଏ l ତାର ଶାନ୍ତ ମୁଖମଣ୍ଡଳକୁ ମୁଁ ଦେଖୁଥିବା ବେଳେ ମାରିଆକୁ ସେ ତାର ଉତ୍ତର ଦେଉଥାଏ, ଯେମିତ ମୁଁ ତାର ମନ ଭିତରେ ଚିନ୍ତା ସବୁକୁ ବୁଝିପାରିଛି ଏବଂ ମାରିଆ ସେ ସବୁକୁ ବର୍ଣ୍ଣନା କରିପାରିବ l ତା ମୁଖମଣ୍ଡଳରେ ଦୃପ୍ତତାରୁ ମୁଁ ଆଖି ଫେରେଇ ପାରୁ ନ ଥାଏ l

ଶ୍ୱେତଲାନାର ଉତ୍ତର ମାରିଆ ଦେଉଥାଏ - “ଗତକାଲି ମାରିଆ ଆପଣଙ୍କୁ ସାକ୍ଷାତ କରିବାକୁ ଆସିବା ପରେ, ଶୈଳେନ୍ଦ୍ର ସହ ଜଙ୍ଗଲ ଭିତରକୁ ବୁଲି ଯାଇଥିଲି l କିଛି ସମୟ ପରେ ଜଙ୍ଗଲ ଭିତରେ ଏକ ବିରାଟକାୟ ପଥର ଖଣ୍ଡ ପାଖରେ ପହଞ୍ଚିଗଲୁ l ପଥରର ଉପର ଭାଗ ପୁରା ସମତଳ, ପୂର୍ବପଟକୁ ତୀକ୍ଷ୍ମ ଗଡାଣି l ପଥରଖଣ୍ଡ ଉପରୁ ମୁଁ ତଳକୁ ଚାହିଁଲାବେଳକୁ ହଠାତ୍ ମୋ ମାନସପଟରେ ଗୋଟିଏ ପରିଚିତ ଦୃଶ୍ୟ ଭାସି ଆସିଲା l ଶହେ ଫୁଟ ତଳର ଗଛଲତା ମୋତେ ଦୃଶ୍ୟମାନ ହେଲା l ଶୈଳେନ୍ଦ୍ର ଧୀର ସ୍ୱରରେ କହୁଥାଏ ଜଣେ ଯଦି ଦୈବାତ୍ ଏଠୁ ଖସିଯାଏ, କିମ୍ବା ଡେଇଁପଡେ, ଏ ଜନ୍ମର ଯନ୍ତ୍ରଣା ଓ ଯାତନା କିଛି କ୍ଷଣ ମଧ୍ୟରେ ଶେଷ ହୋଇଯିବ l ତାଙ୍କର ଏଇ କଥା ମୋ ମନ ଭିତରେ ବହୁତ ଦିନ ତଳର ଚିନ୍ତା ପ୍ରତିଧ୍ୱନିତ କରୁଥାଏ l”

ମାରିଆ କିଛି ସମୟ ରହି ଶ୍ୱେତଲାନାକୁ ଚାହିଁ ରହିଲା l ତାପରେ ଗମ୍ଭୀର ସ୍ୱରରେ କହିବା ଆରମ୍ଭ କଲା, “ସାଇବେରିଆର ଉରାଲସ୍ ପର୍ବତମାଳା, ଆମ ଘର ଠାରୁ ବେଶୀ ଦୂର ନୁହେଁ, ଏମିତି ଜାଗାଟିଏ ଅଛି l ଠିକ୍ ସେହିଭଳି ପାହାଡ ଉପରେ ସମତଳ ଚଟାଣ, ଦିନେ ସନ୍ଧ୍ୟାରେ ମୁଁ ତା ଉପରେ ଠିଆ ହୋଇ ତଳକୁ ଲମ୍ଫ ଦେବା ପାଇଁ ଉଦ୍ୟମ କରିଥିଲି l ଶେଷ ଥର ପାଇଁ ତଳକୁ ଅନେଇଲି, ଶୈଳେନ୍ଦ୍ର କହୁଥିବା ଭଳି ଚିନ୍ତା ମୋ ମନକୁ  ଆସିଯାଉଥାଏ, କିଛି ସମୟ ପରେ ମୋ ଜୀବନର ସବୁ କିଛି ଶେଷ
ହୋଇଯିବ l”

“ତା ପରେ ଦୈବୀ ଯୋଗକୁ ମୋ ମନକୁ ପୁଣି ଚିନ୍ତା ଆସିଲା, ମାରିଆ ଶ୍ୱେତଲାନାର କଥା ଚାଲୁ ରଖିଥାଏ, ଯେ କୌଣସି ସମୟରେ ମୁଁ ତଳକୁ ଡେଇଁ ପାରିବି , ସେଇ ସ୍ୱାଧୀନତା ମୋର ଅଛି l କିନ୍ତୁ ଏଥରକ ନୁହେଁ, ଏତେ ତରବର ହେବାର କିଛି ଆବଶ୍ୟକତା ନାହିଁ l ଯେତେବେଳେ ଚାହିଁବି, ନିଷ୍ପତ୍ତି ନେଇପାରିବି l ହଠାତ୍ ମୋ ଭିତରେ ମୁକ୍ତିର ଚେତନା ରୂପ ନେଲା l”

ଶ୍ୱେତଲାନାର ମୁହଁକୁ ଚାହିଁ ମାରିଆ କିଛି ସମୟ ରହିବା ପରେ ପୁଣି ଆରମ୍ଭ କଲା, “ମୁଁ ପିଲାଦିନେ, ଶୀତ ଋତୁର ଆରମ୍ଭରେ , ଉଚ୍ଚ ଆକାଶରେ ଧୂସରବର୍ଣ୍ଣା ସାଇବେରୀୟ ସାରସମାନଙ୍କ ହଜାର ହଜାର ମାଇଲ ଅତିକ୍ରମ କରି ଦୂର ଭାରତକୁ ଉଡିଯିବାର ଦୃଶ୍ୟରେ ମୁଗ୍ଧ ହୋଇ ଅନାଇ
ରହୁଥିଲି l ସେ ଦିନ ସେହି ପାହାଡର ସମତଳ ଚଟାଣ ଧାରରେ ଠିଆ ହୋଇ ମୁଁ ଉପଲବ୍ଧି କଲି, ଏଇ ସାଇବେରିଆର ସାରସ ପକ୍ଷୀମାନଙ୍କ ଭଳି ମୁଁ ମୁକ୍ତ , ଯେତେବେଳେ ଯାହା ଚାହିଁବି କରିପାରିବି l ମୁକ୍ତିର ମହତ ଚିନ୍ତା ମୋତେ ହଠାତ୍ ଗ୍ରାସ କରିବାକୁ ଲାଗିଲା l ଏଇ ସାଇବେରୀୟ ସାରସ ପକ୍ଷୀମାନଙ୍କ ଭଳି ମୁଁ ବନ୍ଧନହୀନ l ମାରିଆ କହିଚାଲିଥାଏ l”

ଘରକୁ ଫେରିବା ବାଟରେ ମୋ ମନରୁ ଯେତେ ସବୁ ନକରାତ୍ମକ ଚିନ୍ତା ଥିଲା ସେ ସବୁ ଉଭେଇ ଯାଇଥାଏ ଓ ମୁକ୍ତିର ସ୍ଥାନରେ ମୋ ହୃଦୟ ଭରିଯାଇଥାଏ l ତା ପରଠୁ ଆଉ ପଛକୁ ଫେରି ଚାହିଁ ନାହିଁ l

ଶ୍ୱେତଲାନାର କାହାଣୀ ମୋତେ ସ୍ତମ୍ଭୀଭୂତ କରି ଦେଇଥାଏ l ମାରିଆ ମୁହଁରେ କୌଣସି ଭାବାନ୍ତର ନାହିଁ l ତାର ଦୃଷ୍ଟି ଫୁଲବଗିଚା ଉପରେ ଏବେ ପଡିଛି l ଶ୍ୱେତଲାନାକୁ ମୁଁ ନୀରବରେ କିଛି ସମୟ ଚାହିଁ ରହିଲା l ତା ପରେ ମାରିଆକୁ କହି ଉଠିଲି ଶ୍ୱେତଲାନାର କାହାଣୀ ହୃଦୟକୁ ଛୁଇଁଲା ଭଳି, ତେବେ ସେ କାହିଁକି ପଥର ଉପର ତଳକୁ ଡେଇଁବା ପାଇଁ ଚିନ୍ତା କରିଥିଲା, ମୋ ପ୍ରଶ୍ନର ଉତ୍ତର ନ ଦେଲେ ବି ମୁଁ ଠିକ୍ ଭାବରେ ବୁଝି ପାରିବି l

ଶ୍ୱେତଲାନା ମାରିଆ ମାଧ୍ୟମରେ କହୁଥାଏ, “ମୋ ସ୍ୱାଧୀନ ଇଛାର କାହାଣୀ ଆପଣଙ୍କୁ ଶୁଣେଇଲି ଏବଂ ଆପଣଙ୍କ ପ୍ରଶ୍ନ ଏହାର ସ୍ୱାଭାବିକ ପ୍ରତିକ୍ରିୟା l” ମାରିଆ ଆପଣଙ୍କୁ ବୋଧହୁଏ କହିଥାଇପାରେ, ମୋତେ ସତର ବର୍ଷ ବେଳେ ମୋ ମାଆ ବାପା କାର୍ ଆକ୍ସିଡେଣ୍ଟରେ ପ୍ରାଣ ହରେଇଥିଲେ l ମୋ ମଉସା ଯିଏ କି ମୋ ବାପାଙ୍କର ବ୍ୟବସାୟରେ ଅଂଶୀଦାର ଥିଲେ, ତାଙ୍କ ତତ୍ତ୍ୱାବଧାନରେ ମୋର ତିନି ବର୍ଷ ଅତିବାହିତ ହୋଇଥିଲା l ଶେଷ ବର୍ଷରେ ମୁଁ ନିଜକୁ ଅନ୍ତଃସତ୍ତ୍ୱା ଆବିଷ୍କାର କଲି l ସେ ଦିନ ସେଇ ଖଣ୍ଡର ଶେଷ ଭାଗରେ ସେ ଠିଆ ହେବାର ଅନେକ ସପ୍ତାହ ଆଗରୁ ମୋତେ ଗର୍ଭପାତ କରାଇବା ପାଇଁ ବାରମ୍ବାର କୁହାଯାଇଛି l

ମାରିଆ କହିଚାଲିଥାଏ, ପାହାଡ ପାଖରୁ ଘରକୁ ଫେରିବା ପାଇଁ ମୋତେ ପଇଁଚାଳିଶ ମିନିଟ୍ ଲାଗିଥିଲା l କିନ୍ତୁ ମୋ ଜୀବନର ଗତିପଥ ସମ୍ପୂର୍ଣ୍ଣ ବଦଳି ଯାଇଥାଏ l ଗତ ତିନି ବର୍ଷର ଓ ଅନ୍ତଃସତ୍ତ୍ୱା ହେବାର ତିକ୍ତ ଅନୁଭୂତି ଆଉ  ନ ଥାଏ l ମୋ ଅନ୍ତଃକରଣ ଏକ ଦୃଢ ଇଚ୍ଛା ଶକ୍ତି ଓ ଶୁଦ୍ଧତାରେ ପୂର୍ଣ୍ଣ ହୋଇ ସାରିଥାଏ l ମୁଁ ହାଲୁକା ହୋଇଯାଇଥାଏ ଓ ଦୃଢ ପ୍ରତିଜ୍ଞା କଲି ଯେ ମୋ ସନ୍ତାନକୁ ମୁଁ ଜନ୍ମ ଦେବି l ମୁଁ ଅନୁଭବ କରିଥିଲି ଯେ ଭଲ ପାଇବା, ଆବେଗ ମୋ ଜୀବନର ମୂଳଦୁଆ ଏବଂ ସେଇ ଶୁଦ୍ଧତାକୁ ଧରି ରଖିବା ମୋ ଜୀବନର ସବୁଠାରୁ ମହାର୍ଘ୍ୟ ସାଇତା ସମ୍ପଦ l ମୋ ସନ୍ତାନ ମୋ ଜୀବନର ପବିତ୍ରତା ଆଉ ଶୁଦ୍ଧତା ବଜାୟ ରଖିବା ପାଇଁ ଉତ୍ସାହର ଉତ୍ସ l ସେହି ଶୁଦ୍ଧତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଯାହା କିଛି ଆବଶ୍ୟକ ମୁଁ ତାହା କରିପାରିବି l ସାରା ସଂସାରକୁ ସାମ୍ନା କରିପାରିବି l ଯାହା ଜୀବନରେ ଆସିବ ମୁଁ ତାକୁ ଗ୍ରହଣ କରିପାରିବି ଏବଂ ମୋର ଏହି ଦୃଢ ପ୍ରତିଜ୍ଞା ବିଷୟରେ ପୃଥିବୀରେ କାହାକୁ କେବେ ଜଣାଇବି ନାହିଁ l ମୋ ନିଜକୁ ନିଜେ ଶତତ ଏହା ବଜାୟ ରଖିବି l

ତା’ପରେ ମୁଁ ସ୍ୱର୍ଗବାସୀ ପିତାଙ୍କର ବ୍ୟବସାୟ ହାତକୁ ନେଲି l ମାରିଆ ତା ବାନ୍ଧବୀର କାହାଣୀ ଚାଲୁ ରଖିଥାଏ l ଏ ପୁରୁଷ ପ୍ରଧାନ ପୃଥିବୀରେ ମୋ ନିଜ ପାଇଁ ସ୍ୱାଧୀନ ଭାବରେ ଜୀଇଁବା ଭଳି ଜୀବନଟିଏ ତିଆରି କରିବା ପାଇଁ ସାହସ ସଞ୍ଚୟ କରିନେଲି l ମୁଁ ଜାଣିଥିଲି ନାରୀ ସ୍ୱାଧୀନତା ଓ ଲିଙ୍ଗଗତ ବିଦ୍ୱେଷହୀନତା ବିଷୟରେ ବହୁ ଚର୍ଚ୍ଚା ସତ୍ତ୍ୱେ ଗୋଟେ ନାରୀ ପକ୍ଷରେ ଏହା ସହଜ ନ ଥିଲା l ମୁଁ ବୁଝି ପାରୁଥିଲି ଯେ, ପୁରୁଷର ସର୍ବଶ୍ରେଷ୍ଠ ଦୁର୍ବଳତା ହେଲା ଇନ୍ଦ୍ରିୟ ସମ୍ଭୋଗ, ଯୋଉଟା ନାରୀ କ୍ଷେତ୍ରରେ ହୋଇ ନ  ଥାଏ l ଯାହା ପୁରୁଷର କ୍ଷତି, ତାହା ନାରୀ ପକ୍ଷରେ ଲାଭ l ମୋର ଅନୁଭବ, ନାରୀର ଆଙ୍ଗୁଠି ଇଙ୍ଗିତରେ ପୁରୁଷ ଉଠ – ବସ୍ ହୋଇପାରିବ l ସେଥିପାଇଁ କୌଶଳ ହିଁ ଯଥେଷ୍ଟ l ମାରିଆ ଶ୍ୱେତଲାନାର କାହାଣୀ ସାରିବା ପରେ, ଆମେ କିଛି ସମୟ ଚୁପ୍ ହୋଇ ବସିଥାଉ l ଏବେ ଆକାଶ ପରିଷ୍କାର, ସ୍ୱଚ୍ଛ, ପରିବେଶର ଶୀତଳତା ଉଷ୍ମ ସୂର୍ଯ୍ୟ କିରଣରେ କିଛି ପରିମାଣରେ ହ୍ରାସ ପାଇ ସାରିଥାଏ l ବୋଧହୁଏ ଫୁଲ ଫୁଟିବା ପାଇଁ ଏଇଭଳି ପାଗ ଅନୁକୂଳ l ଲଞ୍ଚ୍ ଟାଇମ୍ ଡେରି ହୋଇଯାଇଥାଏ l ଲଞ୍ଚ୍ ଖାଇବା ପାଇଁ ମୁଁ ସେମାନଙ୍କୁ ଆମନ୍ତ୍ରଣ କଲି l

ଲନ୍ ଚେୟାର୍ ଉପରୁ ଉଠୁ ଉଠୁ ଶ୍ୱେତଲାନା ଆଡକୁ ଚାହିଁ ମୁଁ ମାରିଆକୁ କହିଲି, “ତୁମେ ଯଦି କିଛି ଭାବୁ ନ ଥାଅ, ମୁଁ ଶେଷ ପ୍ରଶ୍ନ ପଚାରି ପାରେ କି ?”

ଶ୍ୱେତଲାନା ହଁ କରିବାରୁ ମୁଁ କହିଲି, ତୁମ ଦୁଇ ଜଣଙ୍କର ମାନସିକତା ସମ୍ପୂର୍ଣ୍ଣ ଭିନ୍ନ l ତୁମର ବନ୍ଧୁତ୍ୱ ଏତେ ନିବିଡ ହୋଇପାରିଲା କିପରି ?   ତୁମେ ଦୁଇ ଜଣ ଏକାଠି କିପରି ରହି ପାରୁଛ ?  ଏଇ ପ୍ରଶ୍ନ ଗତ କାଲି ମାରିଆକୁ ମୁଁ ପଚାରିଥିଲି, ଯାହାକୁ ସିଏ ଏଡେଇଯାଇଥିଲା l

ମୋ ପ୍ରଶ୍ନ ମାରିଆ ଶ୍ୱେତଲାନାକୁ ତାଙ୍କ ଭାଷାରେ କହିଲା, ଉଭୟେ ହସିଲେ ଓ ପରସ୍ପର ସହ କଥାବାର୍ତ୍ତା ହେଲେ l ଶେଷରେ ମାରିଆ ଉତ୍ତର ଦେଲା l

“ତୁମେ ଠିକ୍ କଥା କହିଛ l ଆମର ପ୍ରଥମ ସାକ୍ଷାତରେ ଆମ ଦୁହିଁଙ୍କର ଜୀବନ ପୂର୍ଣ୍ଣମାତ୍ରାରେ ଅଲଗା ଥିଲା l ବୋଧହୁଏ, ଏଇଥିପାଇଁ ମାରିଆର ଭିନ୍ନ ଜଗତର ଜୀବନ ପ୍ରତି ମୁଁ ଆକୃଷ୍ଟ ହୋଇଥିଲି l ତାପରେ ଆମେ କିଛି ଦିନ ଏକାଠି ଚଳିବା ପରେ ତା ଜୀବନ ପ୍ରତି ମୋର ଭଲ ପାଇବା ବଢିଚାଲିଲା l ମାରିଆର ସରଳ ଜୀବନ ଓ ଛଳନାବିହୀନ ଜୀବନ ଶୈଳୀ ଜୀବନ ଠାରୁ ମୋର ଚାରିପଟର ପରିଚିତ ପ୍ରତାରଣା ପୂର୍ଣ୍ଣ ବ୍ୟବସାୟୀର ଜୀବନ ଠାରୁ ମାରିଆର ଜୀବନ ସମ୍ପୂର୍ଣ୍ଣ ବିପରୀତ ଥିଲା l ”

ମୋ ସନ୍ତାନର ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ବର୍ଷ ବିତୁଥାଏ l ତାର ନିରୀହ ଆଉ ବିଶ୍ୱାସ ଭରା ଆଖି ଦୁଇଟିକୁ ମଝିରେ ମଝିରେ ମୁଁ ଦେଖିଲେ ମୋର ବିତୁଥିବା ଜୀବନ ଧାରା ପ୍ରତି ମୁଁ ବୀତଶ୍ରଦ୍ଧ ହୋଇ ପଡୁଥାଏ l ମୁଁ ଭାବୁଥାଏ ମୋ ଝିଅ କଣ ମୋ ଭଳି ଜୀବନ ଜୀଇଁବ ?  ଏଇ ଚିନ୍ତା ମୋତେ ଘାରୁଥାଏ l ମୁଁ ଭାବିଲି ଯେ ଝିଅକୁ ମସ୍କୋର କୌଣସି ସ୍କୁଲରେ ଭର୍ତ୍ତି କରିଦେବି ଏବଂ ଏଥିପାଇଁ ମାରିଆକୁ ତାର ସ୍ଥାନୀୟ ଅଭିଭାବକ ରୂପେ ରହିବା ପାଇଁ ରାଜି କରେଇବି l

“କିନ୍ତୁ ତା ପରେ ତୁମେ ଏକୁଟିଆ ହୋଇଯିବ” – ମୁଁ ପ୍ରଶ୍ନ କଲି l

“ମୋ ବାପା ମାଆଙ୍କର ମୃତ୍ୟୁ ପରେ ମୁଁ କଣ ଏକୁଟିଆ ହୋଇ ଯାଇ ନ ଥିଲି କି? ତା ପରେ ମୋ ଜୀବନରେ ମୋ ଝିଅ ଆସିଲା l ମୁଁ ଆଉ ଏକୁଟିଆ ନ ଥିଲି l ମୁଁ ଜାଣିଛି ସେ ଯେଉଁଠି ରହିଲେ ବି ତାର ହସ ହସ ମୁହଁ, ସଦାବେଳେ ମୋ ହୃଦୟରେ ରହିବ l” –

ମାରିଆ ଶ୍ୱେତଲାନାର ଉତ୍ତର ଅବ୍ୟାହତ ରହିଥାଏ l “ମୋ ଜୀବନରେ କୌଣସି ଚର୍ଚ୍ଚ୍ କିମ୍ବା ମାରିଆ ଭଳି ପାଦ୍ରୀଙ୍କ ପାଖକୁ ଯାଇନାହିଁ l କେବେ ବି ବାଇବେଲ୍ ପଢିନାହିଁ l ଏତିକି ଜାଣିଛି ଯେ ଯଦି ଭଗବାନ୍ ବୋଲି କେହି ଥାଆନ୍ତି, ସେ ଛୋଟ ପିଲାମାନଙ୍କୁ ପୃଥିବୀକୁ ପଠାନ୍ତି, ବଡମାନେ କିପରି ଆଦର୍ଶ ଜୀବନ ଜୀଇଁ ପାରିବେ, ତାହା ଶିକ୍ଷା ଦେବାକୁ l” ମୁଁ ଜାଣିପାରୁଛି ବିନା ଶବ୍ଦ ଉଚ୍ଚାରଣରେ ମୋ ଝିଅ ମୋତେ ଏଇ ଶିକ୍ଷା ଦେଇଚାଲିଛି l

ସେ ଦିନ ରାତିରେ ମାରିଆ ଓ ଶ୍ୱେତଲାନା ଦିଲ୍ଲୀ ଫେରିଗଲେ l

ତା ପରେ ଦୀର୍ଘ ଦିନ ସେମାନଙ୍କ ଠାରୁ କିଛି ଖବର ପାଇ ନାହିଁ l ମୋ ଘରେ ଆୟୋଜିତ ପାର୍ଟିରେ ଶ୍ୱେତଲାନାର ଅନେକ ଫୋଟର କପି ତା ପାଖକୁ ପଠେଇଛି l କେବେ କିଛି ଉତ୍ତର ଆସିନାହିଁ l

ତିନି ମାସ ପରେ, ମାରିଆ ଠାରୁ ଚିଠି ପାଇଲି l ସେ ଲେଖିଥିଲା ଶ୍ୱେତଲାନା ଫୋଟଗୁଡିକୁ ପସନ୍ଦ
କରିଛି l ପୁଣି ଲେଖିଥିଲା, ଶ୍ୱେତଲାନା ତା ଝିଅ ସହ ମସ୍କୋ ଆସିବାକୁ ସ୍ଥିର କରିଛି ଏବଂ ଅନେକ ସ୍କୁଲ
ଦେଖିବ l ଦୁଇ ମାସ ପରେ ମୋ ତତ୍ତ୍ୱବଧାନରେ ମସ୍କୋର ଏକ ଭଲ ସ୍କୁଲରେ ତା ଝିଅର ନାଆଁ ଲେଖେଇଛି l ସାଇବେରିଆରେ ତାର ବ୍ୟବସାୟ ବନ୍ଦ କରି ଦେଇ ଜର୍ଜିଆ ସୀମା ଅଞ୍ଚଳରେ ଏକ ଫାର୍ମ କିଣିବାକୁ ସ୍ଥିର କରିଛି l ଜର୍ଜିଆ ଆଉ ଋଷିଆ ମଧ୍ୟରେ ଘଟିଥିବା ଯୁଦ୍ଧ ଯୋଗୁଁ ଜର୍ଜିଆରେ ଜମିଜମା ଦର ବହୁତ କମ୍ l ନୂଆ ଜୀବନ ଆରମ୍ଭ କରିବା ପାଇଁ ଏହା ଏକ ଚମତ୍କାର ସୁଯୋଗ l

ୟା’ ପରଠୁଁ ସେମାଙ୍କ ଠାରୁ ଆଉ କିଛି ଖବର ପାଇ ନାହିଁ l ଶୈଳେନ୍ଦ୍ରର ଗେଷ୍ଟ୍ ହାଉସକୁ ମୁଁ କଙ୍କରିଳ ଚଲାବାଟରେ ବହୁତ ଥର ଯା’ଆସ କରିଛି l ମନଶ୍ଚକ୍ଷୁରେ ଶ୍ୱେତଲାନାର କଳା ପୋଷାକ, ହାଇହିଲ୍ ଯୋତା ଆଉ ତାର କଳା ଓଢଣୀ ଦେଖୁଛି l ତା’ପରେ ଦେଖୁଛି ମାରିଆ ତାର ଜିନ୍ ପ୍ୟାଣ୍ଟ୍ ଓ ଧଳା ସାର୍ଟ୍ ପିନ୍ଧି, ହଳଦୀ ରଙ୍ଗର ଶାଲଟେ ଘୋଡି ହୋଇ ସ୍କୁଲକୁ ଯାଉଛି l ଗୋଟେ ଛୋଟ ଝିଅର କୁନି ହାତଟିଏ ଧରିଛି l ଭାବୁଛି, ସେମାନେ ସବୁ ଏବେ କେଉଁଠି ?

 (Indian Literature, March – April, 2012 ରେ ପ୍ରକାଶିତ ଶରତ କୁମାରଙ୍କର “The Siberian Crane”ର ଓଡିଆ ଅନୁବାଦ)

ମାରିଆ ଶ୍ୱେତଲାନା ଶୈଳେନ୍ଦ୍ର

Rate the content


Originality
Flow
Language
Cover design

Comments

Post

Some text some message..