Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନମାମୁଁ -୨୯
ଜହ୍ନମାମୁଁ -୨୯
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Classics

4 Minutes   7.3K    17


Content Ranking

ଭୁବନ ସୁନ୍ଦରୀ -


ତିନିଜଣ ଯାକ ତା’କଥାରେ ସ୍ୱୀକୃତ ହେଲେ । ପୁଣି ମୋହନ କହିଲା, “ତୁମ ତିନିଜଣଙ୍କୁ ଏକାଠି ଦେଖି ମୁଁ କିଛି ବୁଝିପାରୁ ନାହିଁ । ତୁମେ ତିନିଜଣ ଟିକିଏ ଦୂରକୁ ଯାଇ, ସେଠାରୁ ଜଣ ଜଣ କରି ଆସ ।”

ତିନିଜଣ ଯାକ ଦୂରକୁ ଚାଲିଗଲେ । ପ୍ରଥମେ ଭୂକନ୍ୟା ତା’ ପାଖକୁ ଆସିଲେ । ସେ କହିଲେ, “ମୋହନ, ତୁମେ ଯଦି ସେ ଫଳଟି ମୋତେ ଦେବ, ତେବେ ମୁଁ ତୁମକୁ ଏପରି ଏକ ବର ଦେବି ଯେ ଯଦ୍ୱାରା ତୁମକୁ ଯୁଦ୍ଧରେ ଆଉ କେହି ମଧ୍ୟ ହରାଇ ପାରିବ ନାହିଁ । ସୌନ୍ଦର୍ଯ୍ୟ ଓ ବୁଦ୍ଧି, ଉଭୟରେ ତୁମର ସମାସ୍କନ୍ଧ ଏହି ସଂସାରରେ ଆଉ କେହି ମଧ୍ୟ ହୋଇ ପାରିବ ନାହିଁ ।”

ମୋହନ କହିଲା “ମୁଁ ତ ପଶୁ ଚରାଉଛି । ଯୁଦ୍ଧ ସହିତ ମୋର କ’ଣ ସମ୍ପର୍କ?”

ସେ ଚାଲିଯିବା ପରେ ବୁଦ୍ଧିମତୀ ଆସିଲେ । ସେ କହିଲେ, “ଆମ ତିନିଜଣଙ୍କ ମଧ୍ୟରେ ମୁହିଁ ସର୍ବଶ୍ରେଷ୍ଠ ସୁନ୍ଦରୀ । ତୁମେ ମୋ ସପକ୍ଷରେ କହିବ ତ, ତୁମକୁ ସମ୍ପୂର୍ଣ୍ଣ ଏସିଆଖଣ୍ଡରେ ମୁଁ ସମ୍ରାଟ ବନାଇ ଦେବି । ଏପରି ଏକ ବର ଦେବି ଯେ ସାରା ସଂସାରରେ ତୁମଠାରୁ ବଳୀ ଧନୀ ଆଉ କେହି ମଧ୍ୟ ରହିବେ ନାହିଁ ।”

ମୋହନ କହିଲା “ମୁଁ ଲୋଭରେ ପଡି ମିଥ୍ୟାଚାର କରିବା ଲୋକ ନୁହେଁ ।”

ଶେଷରେ କାମିନୀ ଆସିଲେ । ସେ କହିଲେ, “ମୋହନ, ସାରା ଫ୍ରିଜୟା ଦେଶରେ ତୁମ ପରି ସୁନ୍ଦର ଆଉ କେହି ମଧ୍ୟ ନାହିଁ । ସ୍ପାର୍ଟା ଦେଶର ରାଜକୁମାରୀ ଭୁବନ ସୁନ୍ଦରୀହିଁ କେବଳ ତୁମର ପତ୍ନୀ ହେବାର ଯୋଗ୍ୟା । ଏହି ମର୍ତ୍ୟଲୋକରେ ତା’ଠାରୁ ଅଧିକ ସୁନ୍ଦରୀ ଆଉ କେହିବି ନାହିଁ ।”

ମୋହନ କହିଲା, “ମୁଁ ତ ତାଙ୍କର ନାମ ମଧ୍ୟ ଶୁଣି ନାହିଁ ।”

କାମିନୀ କହିଲେ, “ଆଶ୍ଚର୍ଯ୍ୟ, ତୁମେ ତାଙ୍କର ନାମ ମଧ୍ୟ ଶୁଣି ନାହଁ? ଗ୍ରୀକ୍ର ସମସ୍ତ ରାଜକୁମାର ତାକୁ ବିବାହ କରିବାକୁ ଉତ୍କଣ୍ଠିତ ହୋଇ ବସିଛନ୍ତି । କିନ୍ତୁ ସେ ସମ୍ରାଟଙ୍କ ଭାଇକୁ ବିବାହ କଲା । କିନ୍ତୁ ତୁମେ ତାକୁ ପାଇପାରିବ ।” ମୋହନ ପଚାରିଲା “ତାଙ୍କର ଯଦି ଆଗରୁ ବିବାହ ହୋଇ ସାରିଛି; ତେବେ ମୁଁ ବା ତାଙ୍କୁ କିପରି ପାଇବି? ସେଥିରେ ମୋର କ’ଣ ବା ଲାଭ?”

କାମିନୀ ହସି ଦେଇ କହିଲେ, “ସେଥିପାଇଁ ତୁମର ମଥା ଖେଳାଇବା କିଛିବି ଦରକାର ନାହିଁ । ତମେ ଚାହିଁଲେ ମୁଁ ଏପରି କରିବି ଯେ ସେ ତା’ ଘରଦ୍ୱାର ବାପମା’, ସ୍ୱାମୀ ସବୁ ଛାଡି ତୁମ ପଛରେ ପାଗଳ ହୋଇ ଦୌଡିବ ।”

କାମିନୀଙ୍କ ଏଭଳି କଥା ଶୁଣି ତା’ ମନରେ ଟିକେ କୌତୁହଳ ହେଲା । ସେ ଆଗରୁ ଭାବିଥିଲା ଯେ ଏହି କିନ୍ନରୀମାନଙ୍କ କଥାରେ ସେ କେବେବି ପଡିବ ନାହିଁ, କେତେବେଳେ ରାଗି ଅଭିଶାପ ଦେବେ ତ କେତେବେଳେ ଖୁସି ହୋଇ ବର ଅଜାଡି ଦେବେ । ତେଣୁ ମୋହନ ପଚାରିଲା, “କ’ଣ ସେ ଭୁବନସୁନ୍ଦରୀ ପ୍ରକୃତରେ ଏତେ ସୁନ୍ଦରୀ? ତମେ କ’ଣ ଶପଥ କରି କହିପାରିବ କି ତୁମେ ତାକୁ ମୋ ପାଇଁ ଆଣିଦେବ?”

କାମିନୀ ହସି ହସି କହିଲେ, “ନିଶ୍ଚୟ” । ତା’ପରେ ମୋହନ ସେହି ସୁବର୍ଣ୍ଣ ଫଳଟିକୁ ତାଙ୍କରି ହାତରେ ଦେଲା । ଅନ୍ୟ ଦୁଇଜଣ ମନେ ମନେ ତା’ ଉପରେ ବହୁତ ରାଗିଲେ କିନ୍ତୁ ଆଗରୁ ନ ରାଗିବେ ବୋଲି କଥା ହୋଇଥିବାରୁ ସେମାନେ ଚୁପ୍ ରହିଲେ ।

ଭୁବନ ସୁନ୍ଦରୀ ଅତ୍ୟନ୍ତ ସୁନ୍ଦରୀ ଥିଲା । ସେ ଇନ୍ଦ୍ର ଓ ତାଙ୍କ ସ୍ତ୍ରୀଙ୍କର କନ୍ୟା । କୁହାଯାଏ କି ସେ ହଂସର ଗୋଟିଏ ଡିମ୍ବ ମଧ୍ୟରୁ ଜନ୍ମ ନେଇଛି । ସ୍ପାର୍ଟାର ରାଜା ମର୍ଦ୍ଦନ ତାକୁ ପିଲାବେଳୁ ପାଳିଥିଲେ । ଯେତେବେଳେ ତା’ର ବିବାହ ଯୋଗ୍ୟ ବୟସ ହେଲା, ସେତେବେଳେ ଗ୍ରୀକ୍ର ଅଧିକାଂଶ ରାଜକୁମାର ତାକୁ ବିବାହ କରିବାକୁ ଚାହିଁଲେ । ସେମାନେ ଅନେକ ଜିନିଷସବୁ ନେଇ ଆସିଥିଲେ । ଜଣେ ରାଜପୁତ୍ର ଅବଶ୍ୟ ଖାଲି ହାତରେ ଆସିଥିଲେ । କିନ୍ତୁ ସମ୍ରାଟ ଦେଖିଲେ ସେ ଏକ ବଡ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଜଣକୁ କଥା ଦେବା ମାତ୍ରେ, ଅନ୍ୟମାନେ ଲଢାଇ ଆରମ୍ଭ କରିଦେବେ । ତେଣୁ ସେ ତାଙ୍କ କନ୍ୟାର ବିବାହ ସ୍ଥଗିତ ରଖିଲେ ଓ ଉପହାର ଜିନିଷ ସବୁ ଫେରାଇ ଦେଲେ ।

କୌଣସି ଉପହାର ନ ଆଣିଥିବା ରାଜକୁମାର ରୂପଧର ଜାଣିଥିଲେ କି ତାଙ୍କର ବିବାହ ଏଠାରେ ହେବା ସମ୍ଭବ ନୁହେଁ । ସେ ସମ୍ରାଟଙ୍କ ପାଖକୁ ଯାଇ କହିଲେ, “ମୁଁ ବୁଝୁଛି ଆପଣ ଏବେ କିପ୍ରକାର ସମସ୍ୟାରେ ପଡିଛନ୍ତି । କିନ୍ତୁ ମୋର କୌଣସି କାର୍ଯ୍ୟରେ ଯଦି ଆପଣ ସହାୟତା କରନ୍ତି ତ ମୁଁ ମଧ୍ୟ ଆପଣଙ୍କ କାର୍ଯ୍ୟରେ କିଛି ସାହାଯ୍ୟ କରିପାରିବି ।”

ସମ୍ରାଟ କହିଲେ “ଆଚ୍ଛା କୁହତ ମୋ ସମସ୍ୟାର ସମାଧାନ କିପରି ହେବ, ମୁଁ ବଡ ବିବ୍ରତ ଅବସ୍ଥାରେ ପଡିଛି । ତୁମ କଥାରୁ ମୁଁ କିଛିଟା ସାନ୍ତ୍ୱନା ପାଇଲି । ଏବେ କୁହ ତୁମକୁ କି ପ୍ରକାରରେ ମୁଁ ସାହାଯ୍ୟ କରିବି ।”

ରୂପଧର କହିଲେ “ଆପଣଙ୍କ ଭାଇ ଚନ୍ଦ୍ରଦତଙ୍କ ଝିଅ ପଦ୍ମମୁଖୀ ସହିତ ମୋର ବିବାହ କରାଇବା ପାଇଁ କଥା ଦିଅନ୍ତୁ, ତେବେ ଭୁବନସୁନ୍ଦରୀ କଥା ମୁଁ ବୁଝିବି ।”

ମର୍ଦ୍ଦନ କହିଲେ “ପ୍ରଥମେ ମୋ ସମସ୍ୟାର ସମାଧାନର କଥା କୁହ, ମୁଁ ନିଶ୍ଚୟ ତୁମ ଇଚ୍ଛା ପୁରଣ କରିବି ।”

ରୂପଧର କହିଲେ “ତେବେ ଶୁଣନ୍ତୁ । ପ୍ରଥମେ ଆପଣ ରାଜକୁମାରମାନଙ୍କୁ କୁହନ୍ତୁ ଯେ ଭୁବନସୁନ୍ଦରୀର ବିବାହ ପରେ ଯିଏ ଏଠାରେ ଗୋଳମାଳ ସୃଷ୍ଟି କରିବ, ତାଠାରୁ ଭୁବନସୁନ୍ଦରୀକୁ ଓ ତାଙ୍କ ସ୍ୱାମୀକୁ ସେମାନେ ରକ୍ଷା କରିବେ । ତେବେ ସମସ୍ତେ ବିବାହରେ ସହଯୋଗ କରିବେ । ଏପରି କଲେ ସବୁ ଅତି ସହଜରେ ହୋଇଯିବ ।”

ତାଙ୍କ କଥା ମଦ୍ଦଁନଙ୍କୁ ଭଲ ଲାଗିଲା; ସେ ରାଜକୁମାର ମାନଙ୍କୁ ଡାକି କହିଲେ, “ଆପଣମାନଙ୍କ ମଧ୍ୟରୁ ଜଣକୁହିଁ ଭୁବନସୁନ୍ଦରୀ ବିବାହ କରିବ । କଥା ଦିଅନ୍ତୁ ତାହାର ବିବାହ ପରେ ଯଦି କେହି କିଛି ଗୋଳମାଳ, ଯୁଦ୍ଧ ପ୍ରଭୃତି ସୃଷ୍ଟି କରେ, ତେବେ ଅନ୍ୟମାନେ ମିଳିମିଶି ଭୁବନସୁନ୍ଦରୀକୁ ଓ ତା’ର ପତିକୁ ରକ୍ଷା କରିବେ ।”

ରାଜକୁମାରମାନେ ଏହି କଥାରେ ସ୍ୱୀକୃତ ହେଲେ, ତା’ପରେ ରାଜା ପ୍ରତାପଙ୍କ ସହିତ ତାଙ୍କର ବିବାହ କଲେ । କେତେବର୍ଷ ପରେ ମର୍ଦ୍ଦନ ମଧ୍ୟ ମରିଗଲେ । ପ୍ରତାପ ସିଂହାସନରେ ବସିଲେ । ସେ ସ୍ପାର୍ଟାର ରାଜା ହେଲେ ।

ଭୁବନସୁନ୍ଦରୀଙ୍କ ବିବାହ ସହିତ ରୂପଧର ଓ ପଦ୍ମମୁଖୀଙ୍କର ମଧ୍ୟ ବିବାହ ହେଲା । ଚନ୍ଦ୍ରଦତ ରୂପଧରଙ୍କୁ କହିଲେ, “ପୁତ୍ର, ମୁଁ ତ ମୋ ଝିଅଠାରୁ କେବେବି ଅଲଗା ହୋଇ ରହି ପାରିବି ନାହିଁ, ତୁମେ ଯଦି ଏହି ସ୍ପାର୍ଟାରେ ରହିଯା’ନ୍ତ ତେବେ ଭାରି ଭଲ ହୁଅନ୍ତା । ସେ ମୋର ଗୋଟିଏ ବୋଲି ସନ୍ତାନ ତାକୁ ନ ଦେଖିଲେ ମୁଁ ତ ମରିଯିବି । ସେ ଯଦି ଏଠାରୁ ଚାଲିଯାଏ, ତେବେ ମୋର ଆଉ କ’ଣ ରହିଲା?” ସେ କିନ୍ତୁ ତାଙ୍କ ଶ୍ୱଶୁରଙ୍କ କଥାକୁ ମାନିଲେ ନାହିଁ । ପତ୍ନୀକୁ ନେଇ ନିଜ ରାଜ୍ୟ ଇଲାକାକୁ ଯିବାକୁ ସେ ବାହାରିଲେ । ଶ୍ୱଶୁର କାନ୍ଦୁଥା’ନ୍ତି । ସେ ତାଙ୍କ ସ୍ତ୍ରୀ ପଦ୍ମମୁଖୀକୁ କହିଲେ, “ମୋତେ ଏସବୁ ମୋଟେ ଭଲ ଲାଗୁନାହିଁ । ତୁମେ ତୁମ ପିତାଙ୍କ ପାଖରେ ରହିବ ତ ରୁହ; ନଚେତ୍ ମୋ ସହିତ ଚାଲି ଆସ ।”

ପଦ୍ମମୁଖୀ ନୀରବ ରହିଲେ । ତାଙ୍କ ପିତା ଚନ୍ଦ୍ରଦତ ବୁଝିଗଲେ କି ଭୁଲ୍ ତାଙ୍କର । ବିବାହ ପରେ କନ୍ୟା ଶାଶୁ ଘରକୁ ଯିବା ଉଚିତ୍ । ତେଣୁ ସେ ପଦ୍ମମୁଖୀର ଗୋଟିଏ ମୂର୍ତ୍ତି ତିଆରି କରି ସ୍ପାର୍ଟା ନଗରୀରେ ରଖି ତାକୁ ବିଦାୟ ଦେଲେ । ସେହି ମୂର୍ତ୍ତି ଏବେ ମଧ୍ୟ ସେଠାରେ ଅଛି ।

ସ୍ୱୀକୃତ କାମିନୀ ମୋହନ

Rate the content


Originality
Flow
Language
Cover design

Comments

Post

Some text some message..