Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ମୋନାଲିସା
ମୋନାଲିସା
★★★★★

© T.Durga Prasad Rao

Horror Romance

17 Minutes   1.6K    12


Content Ranking



ବ୍ରଜବାବୁ ତାଙ୍କ ପାନଖିଆ କସରା ଦାନ୍ତ ଦେଖାଇ ନିକୁଟେଇ ହସିଲେ। କହିଲେ, “ଏତିକିରେ ଚଳିବନି। ମୁଁ ଆଜ୍ଞା ଆପଣଙ୍କୁ ମୂଳରୁ କହିଛି ଘର ଭଡ଼ା ତିନି ହଜାର, ବାକି କରେଣ୍ଟ୍ ଖର୍ଚ୍ଚ ଅଲଗା। ପାଣିଟା ସିନା ମୁଁ ଫ୍ରି କରିଦେବି, ହେଲେ କରେଣ୍ଟ୍ ଖର୍ଚ୍ଚଟା ଆଜ୍ଞା ଆପଣଙ୍କୁ ଦେବାକୁ ପଡ଼ିବ।” ମୁଁ ମନିପର୍ସ୍.ରୁ ପାଞ୍ଚଶ ଟଙ୍କାର ନୋଟ୍.ଟିଏ କାଢ଼ି ବ୍ରଜବାବୁଙ୍କ ହାତକୁ ବଢ଼ାଇଦେଲି। ସେ ପୂର୍ବଥର ପରି ଏ ନୋଟ୍.କୁ ମଧ୍ୟ ମୁଣ୍ଡରେ ଲଗାଇଲେ। ତାପରେ ତାଙ୍କ ସାର୍ଟ ପକେଟରୁ ଦୁଇଟି ଶହେ ଟଙ୍କାର ନୋଟ୍ ବାହାର କରି ମୋ ହାତରେ ଥୋଇଦେଲେ। କହିଲେ, “ଏଥର ଆପଣଙ୍କ କରେଣ୍ଟ୍ ଖର୍ଚ୍ଚ ତିନିଶ ହେଉଛି।” ତିନି ଶହ କେମିତି ହେଲା ସେ ହିସାବ ବୁଝିବାକୁ ମୋର ସମୟ କି ଧୈର୍ଯ୍ୟ ନ ଥିଲା। ମୁଁ ନମସ୍କାରଟିଏ କରି ଚୌକିରୁ ଉଠି ବାହାରକୁ ଆସିଲି। ଭେଟ ହୋଇଗଲା ମୋନା ସହ। ମୋନା ବ୍ରଜବାବୁଙ୍କର ଅଲିଅଳି ଝିଅ। କଲେଜରେ ପଢ଼େ। ତାକୁ ଦେଖି ମୁଁ ସୌଜନ୍ୟମୂଳକ ହସଟିଏ ହସିଲି। ସେ କିନ୍ତୁ ବେପରୁଆ ଭାବରେ ମୁହଁ ଟାଣ କରି ଘର ଭିତରେ ପଶିଗଲା। ଟିକିଏ ବି ଭଦ୍ରାମି ନାହିଁ ଝିଅଟିର। ମୁଁ ମନେ ମନେ ଗୁଣୁଗୁଣୁ ହେଇ ସିଡ଼ି ଚଢ଼ିଲି। ସମୁଦାୟ ଦୁଇମହଲା ଘର। ମୁଁ ରହେ ପ୍ରଥମ ମହଲାରେ। ବ୍ରଜବାବୁ ରହନ୍ତି ତଳ ମହଲାରେ।

ଘର ଭଡ଼ା ନେଇ ମାସଟିଏ ପୁରି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବ୍ରଜବାବୁଙ୍କ ପରିବାର ସହ ମୋର ସମ୍ପର୍କଟା କିଛି ଖାସ୍ ଆଗେଇ ପାରିନାହିଁ। ମୋ ପରି ଭଡ଼ାଟିଆ ସହିତ ନୂଆ ସମ୍ପର୍କ ଯୋଡ଼ିବାରେ ତାଙ୍କର ଅନିଚ୍ଛାଟା ଅଧିକ ବାରି ହୋଇପଡ଼େ। ମୋ ଫଟା କପାଳକୁ ଘର ଖଣ୍ଡେ ପାଇଛି ସେଇ ଯଥେଷ୍ଟ ଭାବି ଅଧିକ ସେ ବିଷୟରେ ଚିନ୍ତା କରେନି। ମୋ ଅଫିସ୍ ପରେ ଟିଭି ଦେଖା ନ ହେଲେ କେଉଁ ଦିନ କେମିତି ଚୌକିଟିଏ ନେଇ ପୁରା ଉପର ଖୋଲା ଛାତରେ ଆକାଶକୁ ଚାହିଁ ବସି ରହିବା, ଏମିତିରେ ମୋର କଟିଯାଏ ଦିନ। ଅବଶ୍ୟ ବେଳେ ବେଳେ ଛାତ ଉପରେ ମୋନା ଦେଖା ହୋଇଯାଏ। ମୁଁ ତା ଠାରୁ ସବୁବେଳେ ଟିକିଏ ଦୂରତ୍ୱ ବଜାୟ ରଖିବାକୁ ଚେଷ୍ଟା କରେ। ସେ ସାମ୍ନା ପଟେ ଠିଆ ହୋଇଥିଲେ, ମୁଁ ପଛପାଖରେ ମୋ ପାଇଁ ସ୍ଥାନ ତିଆରି କରେ। ସେ ପଛପଟେ ଠିଆ ହୋଇଥିଲେ, ମୁଁ ସାମ୍ନାପଟରେ ମୋ ଚୌକି ପକାଇ ବସେ। ଅଯଥା ଉପରେ ପଡ଼ି କଥା ହେବା ଅଥବା ଅନିଚ୍ଛା ସତ୍ତ୍ୱେ ସମ୍ପର୍କର ହାତ ବଢ଼ାଇବା ମୋ ଦ୍ୱାରା ହୁଏନି। ଉପରେ ଆଲୁଅର ବ୍ୟବସ୍ଥା ନାହିଁ। ଜହ୍ନରାତି ଛଡ଼ା ଅନ୍ୟ ସମୟରେ ଖୋଲାଛାତରେ ବସି ଆକାଶକୁ ଚାହିଁଲେ ତାରା ମାନଙ୍କର ଟିମ୍ ଟିମ୍ ଆଖିମିଟିକା ତ ଖୁବ୍ ଭଲ ଲାଗେ, ତେବେ ତଳକୁ ଚାହିଁଲେ ଅନ୍ଧାର ମାଡ଼ି ବସିଲା ପରି ମନେହୁଏ।

ମୋନାର ମୋ ପ୍ରତି ମନୋଭାବ (ଏଟିଟ୍ୟୁଡ୍) କିନ୍ତୁ ବେଶୀ ସମୟ ତିଷ୍ଠି ପାରିଲା ନାହିଁ। ସେଦିନ ମୋ ଚୌକି ପଛକୁ ଲାଗି ଆସି ଠିଆ ହୋଇଥିଲା ମୋନା। ଆସ୍ତେ କରି କାନ ପାଖରେ ଫୁସ୍ ଫୁସ୍ କରି ପଚାରିଲା, “କଣ ଏତେ ଦେଖୁଛ?” ମୁଁ ଚମକି ପଡ଼ିଲି। କାରଣ ମୋର ଏତେ ପାଖରେ ମୋନା ଠିଆ ହେବାର ମୁଁ କେବେ ଆସିଲା ଦିନଠୁଁ ଜାଣିନି। ଅନ୍ଧାରରେ ମୁଁ କେବଳ ତାର ଉପସ୍ଥିତି ବୁଝି ପାରୁଥିଲି। କହିଲି, “ଦେଖୁନି... ଭାବୁଛି।”

- କଣ ଭାବୁଛ?

- ନା... ସେମିତି ବିଶେଷ କିଛି ନାହିଁ।

- ମାନେ ମୋତେ କହିବନି?

- ଏଥିରେ କହିବା ଶୁଣିବାର କଣ ଅଛି? ଏଇ... ଘର କଥା ଟିକେ ମନେ ପଡ଼ିଗଲା।

- ନା, ମିଛକଥା। ତମେ ଆଉ କିଛି ଭାବୁଛ।

- ଆଉ... ଆଉ କଣ ଭାବିଥାନ୍ତି?

- ନା, କିଛି ଜାଣୁନ... ମୋନା ଫୁଲେଇ ହେଲା ପରି ଶବ୍ଦ ଗୁଡ଼ାକୁ ଉଚ୍ଚାରଣ କଲା। ସେ ଯେମିତି ଅତି ଶୀଘ୍ର ମୋ ସହ ଅନ୍ତରଙ୍ଗ ହେବାକୁ ଚାହୁଁଥିଲା। ଆଉ ତା କଥାରୁ ଲାଗୁଥିଲା ସତେ କି ମୁଁ ତାର ବହୁ ପୂର୍ବର ପରିଚିତ ବନ୍ଧୁଟିଏ। ସେ ମୋ ଠାରୁ କଣ ଶୁଣିବାକୁ ଆଶା କରୁଛି ବୁଝି ନ ପାରି ମୁଁ କହିଲି, “ଆଛା ତୁମେ ହିଁ କହିଦିଅ ମୁଁ କଣ ଭାବୁଛି?”

- ଭାରି ତ ଚାଲାଖ୍, ମୁଁ କାହିଁକି କହିବି ଯେ? ଖିଲ୍ ଖିଲ୍ ହସି ପାହାଚ ପାହାଚ କରି ତଳକୁ ଓହ୍ଲାଇଗଲା ମୋନା। ପାଉଁଜିର ଛମ୍ ଛମ୍ ଶବ୍ଦ ଅନ୍ଧକାରକୁ ଚିରି ମୋ କାନରେ ପଡ଼ୁଥିଲା। ମନେ ମନେ ଭାବିଲି ମୋନାର କିଛି ମୁଣ୍ଡ ଦୋଷ ନାହିଁ ତ!

ରାତି ଅନେକ ହୋଇ ଯାଇଥିଲା। ଏଣେ ନିଦ ବି ଆସୁଥିଲା। ମୁଁ ଉଠି ଠିଆ ହେଲି।

ତା ପରରାତି ବି ମୋନା ଆସିଲା ଛାତ ଉପରକୁ। ଠିକ୍ ସେଇମିତି ଛପି ଛପି। ଆସିବା ବେଳେ ମୁଁ ତାର ପାଉଁଜି ଶବ୍ଦ ଶୁଣିପାରେନି। ମୁଁ ଯେତେ ସଚେତନ ଥିଲେ ବି ସେ କେମିତି ଏତେ ପାଦ ଚିପି ଚିପି ମୋର ଚୌକିର ଠିକ୍ ପଛରେ ପହଞ୍ଚିଯାଏ ମୁଁ ବୁଝି ପାରେନି। ପଚାରିଲା, “ମୋତେ ଅପେକ୍ଷା କରି ବସିଛ ନା?” ମୁଁ ତାକୁ ବୁଝିବାକୁ ଚେଷ୍ଟା କରି କହିଲି, “ହଁ, ବସି ବସି ତୁମ କଥା ହିଁ ଭାବୁଥିଲି।”

- ସତେ ନା କଣ? ମୋନା ଯେମିତି ଖୁସିରେ ନାଚି ଉଠିଲା। ତାର ପାଉଁଜିହଳକ ଅପରୂପ ଏକ ନୃତ୍ୟଛନ୍ଦ ତିଆରି କରୁଥିଲା ମୋ କର୍ଣ୍ଣକୁହରରେ।

- ସତ ନୁହଁ ଆଉ କଣ? ତୁମେ ସିନା ସବୁବେଳେ ମୋତେ ଆଡ଼ ଆଡ଼ ହୋଇ ଚାଲ। ହେଲେ ମୁଁ କିନ୍ତୁ ପ୍ରଥମ ଦେଖାରୁ ହିଁ ତୁମକୁ ପସନ୍ଦ କରି ସାରିଛି। ମୁଁ ତାର ଖୁସିରେ ଆଉ ଟିକିଏ ଇନ୍ଧନ ଦେବାକୁ ଚେଷ୍ଟା କଲି।

- ହୁଁ, ମୁଁ କେତେବେଳେ ତୁମକୁ ଉପେକ୍ଷା କଲି ଯେ? ମୋନା ଯେମିତି ଗୁମାନ କରି ରହିଲା। କିଛି ସମୟ ତାର କଣ୍ଠସ୍ଵର ମୋତେ ଶୁଭିଲା ନାହିଁ। ମୁଁ ପଛକୁ ଫେରି ଚାହିଁଲି। ଝିଅଟା ଅଭିମାନ କରି ବସିଲା। ଅଭିମାନ କଲେ ଝିଅମାନଙ୍କୁ ବୁଝାଇବା ଭାରି କଷ୍ଟ। ମୋନା ମୁହଁ ତଳକୁ କରି ଚୌକି ଠାରୁ କିଛି ଦୂରରେ ଠିଆ ହୋଇଥିଲା। ତାର ଖୋଲା ଚୁଟି ତକ ମୁହଁକୁ ଆବୋରି ତଳକୁ ଲମ୍ବି ଯାଇଛି। ସେ ସେଇଠି କାନ୍ଥକୁ ଆଉଜି ଆଣ୍ଠୁ ଦୁଇଟାରେ ମୁଣ୍ଡ ଦେଇ ବସି ପଡ଼ିଲା। ଟିକିଏ ଟିକିଏ କଥାରେ ଝିଅମାନେ ଏମିତି କାହିଁକି ଅଭିମାନ କରି ବସନ୍ତି କେଜାଣି? ମୁଁ ପାଟି ଖୋଲିଲି, “ନା, ଠିକ୍ ଉପେକ୍ଷା ନୁହଁ, ତେବେ... ଯେମିତି ନିରାସକ୍ତ ଲାଗ। ଏଇ ଯେମିତି ଧର... ବୀତସ୍ପୃହ... ମୋଠି ଯେମିତି କୌଣସି ଆଗ୍ରହ ନାହିଁ... ...” ମୋ କଥା ଆହୁରି ଶେଷ ହୋଇନାହିଁ ମୋନା ଚିହିଁକି ଉଠିଲା। କହିଲା, “ବୀତସ୍ପୃହ! ବୀତସ୍ପୃହ ମୁଁ ନା ତୁମେ? ଆଗଭଳି ତୁମେ ମୋତେ ସ୍ନେହ କରୁନାହଁ। ସବୁବେଳେ ନିଜ ଭିତରେ ନିମଗ୍ନ। କିଛି କଣ ହଜେଇଲା ପରି ତୁମର ହାବଭାବ। ମୁଁ କଣ କିଛି ଲକ୍ଷ୍ୟ କରୁନାହିଁ ବୋଲି ଭାବୁଛ?”

ମୋନା କଥାରେ ମୁଁ ଭାଳିହେଲି। ସତେ ତ ମୁଁ ପ୍ରାୟ ସମୟ ଯେ ନିଜ ଭାବନା ଭିତରେ ଛନ୍ଦି ହୋଇ ରୁହେ ଏକଥା ମୋନା ଜାଣିଲା କେମିତି? ସେ ତାହେଲେ କଣ ମୋ ଅଗୋଚରରେ ମୋତେ ରିତିମତ ଅନୁଧ୍ୟାନ କରୁଛି? କେଉଁ ସମୟରେ ତାହେଲେ ସେ ମୋତେ ଅନୁସରଣ କରୁଛି? ଦିନବେଳେ, ରାତିରେ?

- ପୁଣି ଭାବନା ରାଜ୍ୟକୁ ଚାଲିଗଲ ନା?

ମୁଁ ମୁହଁ ତୋଳି ମୋନା ଆଡ଼କୁ ଚାହିଁଲି। ଅନ୍ଧାରରେ ମଧ୍ୟ ସେ ମୋର ମୁଖଭଙ୍ଗୀକୁ ଏତେ ସ୍ପଷ୍ଟ କେମିତି ପଢ଼ିପାରୁଛି? ମୋନା ମୁହଁ ଉପରୁ ଅଲରା ଚୁଟି ସଫା କରି କହିଲା, “ଏଣିକି ତୁମ ଭାବନାରେ ମୁଁ ରହିବି... ମୁଁ ହିଁ ରହିବି। କଣ ଶୁଣି ପାରୁଛ?” ମୋନାର କଥାଟା ଶେଷ ଆଡ଼କୁ ମୋତେ ଟିକିଏ ଆଦେଶାତ୍ମକ ମନେହେଲା। ଅନ୍ଧାରରେ ଆଖି ଦୁଇଟି ତାର ବିଲେଇ ଆଖି ପରି ଦାଉ ଦାଉ ଜଳୁଥିଲା। କେଉଁଠୁ ଆଲୁଅ ପଡ଼ୁଛି ମୋନା ମୁହଁ ଉପରେ ଦେଖିବାକୁ ମୁଁ ବିପରୀତ ଦିଗରେ ଚାହିଁଲି। ସେମିତି ବିଶେଷ କିଛି ମୋତେ ଦେଖାଗଲା ନାହିଁ। ମୁଁ ମୁହଁ ଫେରାଇଲି। ମୋନା ସେଠାରେ ନ ଥିଲା। ଯିବା ବେଳର ପାଉଁଜି ଶବ୍ଦ ବି ମୁଁ ଶୁଣି ପାରିଲି ନାହିଁ।

ସକାଳେ ସଂଯୋଗବଶତଃ ମୋ ଅଫିସ୍ ଯିବା ସମୟରେ ମୋନା ସ୍କୁଟି ଷ୍ଟାର୍ଟ୍ ମାରୁଥିଲା। ମୁଁ ପାହାଚ ଓହ୍ଲାଉ ଓହ୍ଲାଉ କହିଲି, “ଟିକିଏ ରହିଯାଅ।” ଅଟକିଗଲା ମୋନା। ମୁଁ କହିଲି, “ତୁମ କଲେଜ ରାସ୍ତାରେ ମୋର ଅଫିସ୍। ମୋତେ ଅଫିସ୍ ପାଖରେ ଟିକିଏ ଡ୍ରପ୍ କରିଦେବ?” ମୋନା କିଛି କହିଲା ନାହିଁ। କିନ୍ତୁ ସ୍କୁଟି ନ ଗଡ଼ାଇ ଠିଆ ହେଲା। ମୁଁ ମଉନ ସମ୍ମତ୍ତି ଲକ୍ଷଣ ଭାବି ସ୍କୁଟିର ପଛସିଟ୍.ରେ ବସିପଡ଼ିଲି। ସ୍କୁଟି ଧିର ଗତିରେ ଆଗକୁ ମାଡ଼ି ଚାଲିଲା। ମୋନାର ପୋଷାକରୁ ପର୍ଫ୍ୟୁମ୍.ର ଭୁରୁ ଭୁରୁ ବାସ୍ନା ମୋତେ ଆମୋଦିତ କରୁଥିଲା। ତା ସାମ୍ପୁକରା କେଶ ମୋ ମୁହଁ ପାଖରେ ଯେମିତି ଦୋଳି ଖେଳୁଥିଲା। ଏତେ ନିକଟରୁ ମୁଁ ମୋନାକୁ କେବେ ପାଇନାହିଁ। ମୁଁ ସମ୍ମୋହିତ ହୋଇ ଉଠୁଥିଲି। ହାତଦୁଇଟି ମୋର ଆପେ ଉଠି ଯାଇଥିଲା ତାର କ୍ଷୀଣ କଟୀକୁ ସ୍ପର୍ଶ କରିବା ପାଇଁ। ହଠାତ୍ ସ୍କୁଟିର ବ୍ରେକ୍ କଷିଲା ମୋନା। ଷ୍ଟାର୍ଟ ବନ୍ଦ କରି କହିଲା, “ଓହ୍ଲା, ଓହ୍ଲା କହୁଛି......।” ତାର ବଡ଼ ପାଟି ଶୁଣି ମୁଁ ଭୟରେ ସ୍କୁଟିରୁ ଓହ୍ଲାଇ ପଡ଼ିଲି। “ଅଭଦ୍ର କୋଉଠିକାର...” ସ୍ଵଗତୋକ୍ତି କରୁ କରୁ ପୁଣି ଥରେ ସ୍କୁଟି ଷ୍ଟାର୍ଟ୍ ମାରି ଚାଲିଗଲା ମୋନା। ମୁଁ ମଝି ରାସ୍ତାଟାରେ ହତବାକ୍ ଠିଆ ହୋଇ ଏପାଖ ସେପାଖ ଚାହିଁ ଦେଖିଲି କେହି ମୋତେ ଲକ୍ଷ୍ୟ କରୁନାହିଁ ତ! ମୋନା ଆଖି ସାମ୍ନାରୁ ଅଦୃଶ୍ୟ ହୋଇ ଯାଇଥିଲା। ମୁଁ ତାର ହାବଭାବ ଠଉରେଇ ପାରୁନଥିଲି। ଦିନକୁ ଦିନ ସେ ଯେମିତି ମୋତେ ରହସ୍ୟମୟ ମନେ ହେଉଥିଲା। ଠିକ୍ ଲିଓନାର୍ଡୋଙ୍କ ମୋନାଲିସା ଚରିତ୍ର ପରି।

- ଆରେ ଶଶାଙ୍କବାବୁ! ଅଫିସ୍ ବାହାରିଛନ୍ତି ବୋଧେ?

ମୁଁ ବୁଲି ଚାହିଁଲି ମାହାଙ୍କୁଡ଼ବାବୁ ତାଙ୍କ ବାଇକ୍.ଟିକୁ ରାସ୍ତା ପାର୍ଶ୍ୱରେ ଠିଆ କରାଇ ମୋ ଆଡ଼େ ଚାହିଁଛନ୍ତି। ମୁଁ ମନେ ମନେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କଲି ଏ ଅଭାବନୀୟ ଘଟଣା ସେ ନ ଦେଖିଥାନ୍ତୁ। ତାଙ୍କ ପାଖା ପାଖି ହୋଇ କହିଲି, “ହଁ । ଆଉ ଆପଣ?”

- ଏଇ ବଜାର ଆଡ଼େ । ଆସନ୍ତୁ ଆପଣଙ୍କୁ ଅଫିସ୍.ରେ ଛାଡ଼ିଦେବି।

- ନା, ଏଇତ ଅଫିସ୍। ମୁଁ ଚାଲି ଚାଲି ପଳେଇବି। ତାଛଡ଼ା ବଜାରଟା ଅଫିସ୍.ର ବିପରୀତ ଦିଗରେ, ଆପଣ କାହିଁକି କଷ୍ଟ କରିବେ?

- ଆରେ, କଷ୍ଟ ଆଉ କଣ? ଆପଣ ବସନ୍ତୁ ନା।

ମୁଁ ବସିଲି ତାଙ୍କ ବାଇକ୍.ରେ। ମାହାଙ୍କୁଡ଼ବାବୁ ଆମ ଟାଇପିଷ୍ଟଙ୍କ ବାପା। ଭାରି ଭଦ୍ର, ଅମାୟିକ। ନୂଆରେ ଚାକିରୀ ଯୋଗଦେଇ ମୁଁ ଟାଇପିଷ୍ଟ ମଦନକୁ କହିଥିଲି ଘର ଖଣ୍ଡେ ଖୋଜିଦେବା ପାଇଁ। ସେ ନେଇ ଯାଇଥିଲା ତାଙ୍କ ଘରକୁ ଓ ମୋ ସମସ୍ୟା କଥା ତାର ବାପାଙ୍କ ଆଗରେ କହିଥିଲା। ମାହାଙ୍କୁଡ଼ବାବୁ କଣ୍ଟ୍ରାକ୍ଟର ଲୋକ। ଆଉ ରାଜନୀତି ବି କରନ୍ତି। ପୁରା ଇଲାକାର ଖବର ତାଙ୍କ ପାଖରେ। ସେ ଆଶ୍ୱାସନା ଦେଇଥିଲେ ଘରଟିଏ ଖୋଜିଦେବେ ବୋଲି। ତା ପରଠାରୁ ତାଙ୍କ ସହିତ ଆଉ ଦେଖା ହୋଇନଥିଲା। ମୁଁ ଭାବିଲି ସେ ଭୁଲି ଯାଇଥିବେ। ହେଲେ ତାଙ୍କର ମନେ ଥିଲା। ସେ ଗାଡ଼ି ଚଳାଉ ଚଳାଉ ପଚାରିଲେ, “ଆଉ... ଘର ପାଇଲେ?”

ମୁଁ ସିଧା ହୋଇ ବସି କହିଲି, “ଆପଣ ଘର ଖୋଜିଦେବେ କହିଥିଲେ, କାହିଁ କିଛି କହିଲେ ନାହିଁ...”

- ହଁ, ହଁ ମୋର ମନେ ଅଛି। ଯେଉଁ ସବୁ ଘରକଥା ମୋ ମନରେ ଥିଲା ମୁଁ ପଚାରି ବୁଝି ସାରିଛି, ଗୋଟିଏ ବି ଖାଲି ନାହିଁ। ଆପଣ ଆଉ ଟିକିଏ ଅପେକ୍ଷା କରି ଯାଆନ୍ତୁ। ଆର ମାସକୁ ମୋର ବଖରାଟିଏ ଖାଲି ହେବ। ଏଇ ସନାତନବାବୁ... ହାଇସ୍କୁଲ୍ ମାଷ୍ଟ୍ର? ତାଙ୍କର ରିଟାୟର୍.ମେଣ୍ଟ୍ ଆସନ୍ତା ମାସରେ। ସେ ଘର ଛାଡ଼ିଦେବେ। ସେତିକି ଦିନ ଟିକିଏ ଚଳେଇ ନିଅନ୍ତୁ। ଅଫିସ୍ ଆସି ଯାଇଥିଲା। ସେ ବାଇକ୍ ରଖିଲେ। ପଚାରିଲେ, ଏବେ ତାହେଲେ ଆପଣ ରହୁଛନ୍ତି କେଉଁଠି?

ମୁଁ ବାଇକ୍.ରୁ ଓହ୍ଲାଇ ପଡ଼ି ସ୍ମିତ ହସି କହିଲି, “ଘର ଖଣ୍ଡେ ପାଇଛି। ଆପଣ ଆଉ ବ୍ୟସ୍ତ ହୁଅନ୍ତୁ ନାହିଁ।” ମୁଁ ତାପରେ ଘର ଠିକଣାଟା ମାହାଙ୍କୁଡ଼ବାବୁଙ୍କୁ କହିଲି। ସେ ମୋ ଆଡ଼େ ଆଶ୍ଚର୍ଯ୍ୟରେ ଚାହିଁ କହିଲେ, “ବ୍ରଜବାବୁଙ୍କ ଘର?” ସେ ବୋଧହୁଏ ଆଉ କିଛି କହିବାକୁ ଚାହୁଁଥିଲେ। ମୋର ସମୟ ନ ଥିଲା। ମୁଁ ଛୋଟ ‘ହଁ’ ଟିଏ ମାରି ଅଫିସ୍ ଆଡ଼େ ମୁହାଁଇଲି।

ଖାଇ ସାରି ରାତିରେ ମୁଁ ଆଉ ଛାତ ଉପରକୁ ଗଲି ନାହିଁ। ମୋତେ ରହି ରହି ମନେ ପଡ଼ି ଯାଉଥିଲା ମୋନାର ଧୁତ୍କାର... ଅଭଦ୍ର କୋଉଠିକାର...। ମନଟା ଛି ଛା ଲାଗୁଥିଲା। ଅପମାନରେ ଜଳି ଯାଉଥିଲା ହୃଦୟ ଭିତରଟା। ଗୋଟିଏ ଝିଅ ରାସ୍ତା ମଝିରେ ମୋତେ ଓହ୍ଲାଇ ଦେଇ କୁଭାଷା କହି ଚାଲିଗଲା ଆଉ ମୁଁ ନିରବରେ ସହି ଯାଇଥିଲି। ଏମିତି କଦର୍ଯ୍ୟ ବ୍ୟବହାର ବୋଧେ ମୁଁ କେବେ କାହାଠାରୁ ପାଇ ନ ଥିବି।

ରାତି ଅନେକ ହେଲାଣି। ଶେଯରେ ପଡ଼ି ପଡ଼ି ମନଟା ଘାଣ୍ଟି ହେଉଥିଲା। ଆଖିକୁ ନିଦ ଆସୁନଥିଲା। ହଠାତ୍ ବାହାରେ ପାଉଁଜିର ଶବ୍ଦ। ଛମ୍ ଛମ୍...। ମୁଁ ସେ ଆଡ଼କୁ କାନ ନ ଦେଇ ଆଖି ବୁଜିଲି। ଛମ୍ ଛମ୍ ଛମ୍...। ମୁଁ ଦରଜାର ବିପରୀତ ଦିଗକୁ କଡ଼ ଲେଉଟାଇଲି। ଛମ୍ ଛମ୍ ଛମ୍... ଛମ୍ ଛମ୍...। ମୋନା ଜାହିର୍ କରୁଥିଲା ତାର ଉପସ୍ଥିତି। ଈଶାରାରେ ଛାତ ଉପରକୁ ଆମନ୍ତ୍ରଣ କରୁଥିଲା। ମୁଁ ସ୍ଥିର କଲି କୌଣସି ପରିସ୍ଥିତିରେ ମଧ୍ୟ ଛାତ ଉପରକୁ ଯିବି ନାହିଁ। ରାଗରେ ଥାକ ଉପରୁ ତୁଳା ଦୁଇ ବିଣ୍ଡା ଆଣି କାନରେ ଦେଇ ଶୋଇପଡ଼ିଲି।

ସକାଳେ ମୁଁ ପାହାଚରୁ ତଳକୁ ଓହ୍ଲାଉଛି, ମୋନା ତାର ଜୋତାଷ୍ଟାଣ୍ଡ୍.ରୁ ଜୋତା ବାହାର କରୁଥିଲା। ପାହାଚ ଉପରେ ମୁଁ ଠିଆ ହୋଇଗଲି କିଛି କ୍ଷଣ। ଆଖି ତରାଟି ରାଗରେ ମୋ ଆଡ଼କୁ ଚାହିଁଥିଲା ମୋନା। ମୁଁ ତାକୁ ବୁଝି ପାରୁନଥିଲି। ଏ ରାଗଟା ଦିନବେଳର ଘଟଣା ପାଇଁ ନା ରାତି ସମୟର ମୋ ଅପେକ୍ଷାଜନିତ ଅଭିମାନ? ମୁଁ ଅନ୍ୟ ଆଡ଼କୁ ମୁହଁ ବୁଲାଇନେଲି। ଦୁମ୍ ଦୁମ୍ ହୋଇ ଚାଲିଗଲା ମୋନା। ଝିଅମାନେ ମୋ ପାଇଁ ସତରେ ସବୁବେଳେ ଦୁର୍ବୋଧ୍ୟ। କଥା ନ ହେଲେ ଅଭିମାନ... କଥା ହେଲେ କିଛି କଥା ଖସିଯିବାର ଭୟ। କିଛି ନ କଲେ ତାଙ୍କ ପ୍ରତି ଅନୁରାଗ ନାହିଁ... ଆଉ କିଛି ଯଦି କରି ବସ ତାହେଲେ କଥା ସରିଲା।

ସ୍କୁଟି ଷ୍ଟାର୍ଟ୍ କରି ମୋନା ଏକ୍ସିଲେରେଟର୍ ମୋଡ଼ିଲା। ସ୍କୁଟିର ଘୁଁ ଘୁଁ ଶବ୍ଦରେ ମୁଁ ଅନୁଭବ କଲି ମୋନା ମୋତେ ହିଁ ଅପେକ୍ଷା କରିଛି। ଏଣେ ସୌଜନ୍ୟତା ତେଣେ ମନରେ ରାଗ। ନା ମୋତେ ଛାଡ଼ି ଯାଇପାରୁଛି, ନା ମୋତେ ମୁହଁ ଖୋଲି ଡାକି ପାରୁଛି। ମୁଁ ଜାଣି ଶୁଣି ଟିକିଏ ବିଳମ୍ବ କଲି। କିନ୍ତୁ ନା, ସ୍କୁଟି ଆଉ ଆଗକୁ ବଢ଼ୁନାହିଁ। ଅଗତ୍ୟା ସ୍ମିତ ହସି ମୋନା ପଛରେ ଯାଇ ବସିଲି। ଏଥର କିନ୍ତୁ ସ୍କୁଟିର ପଛରଡ଼କୁ ଖୁବ୍ ଜୋର୍.ରେ ଭିଡ଼ି ଧରି ବସିଲି ଯେମିତି କି ମୋ ଶରୀରର କୌଣସି ବି ଅଂଶ ମୋନାର ଶରୀରକୁ ସ୍ପର୍ଶ କରି ପାରିବ ନାହିଁ। ମିରର୍.ରେ ମୋନା ମଝିରେ ମଝିରେ ପଛକୁ ଚାହୁଁଥିଲା। ମୁଁ ଚାହୁଁଥିଲି ରାସ୍ତାକୁ। ଅଫିସ୍ ପାଖରେ ସ୍କୁଟି ରଖିଦେଇ ମୋନା କହିଲା, “କାଲିର ଅନାର୍ଯ୍ୟ ଭାଷା ପାଇଁ ମୁଁ ଦୁଃଖିତ। କିନ୍ତୁ ଆପଣଙ୍କ ବ୍ୟବହାର ବି ସେମିତି ଥିଲା। ମୁଁ ନିଜକୁ ନିୟନ୍ତ୍ରଣରେ ରଖି ପାରିଲି ନାହିଁ। କେହି ମୋର ଅଙ୍ଗ ସ୍ପର୍ଶ କଲେ ମୋ ମଥାକୁ ପିତ ଚଢ଼ିଯାଏ। ପାଟିରୁ କଣ ନାଇଁ କଣ ବାହାରି ଆସେ।” ମୁଁ କହିଲି, “ଇଟ୍.ସ୍ ଓ.କେ.। ମୁଁ ମାନୁଛି ମୋର ଭୁଲ୍ ହୋଇଛି। ଆଇ ଆମ୍ ଏକ୍ସଟ୍ରିମ୍.ଲି ସରି।” ମୋନା ହସି ଦେଇ ଚାଲିଗଲା। ଏ ଯେମିତି ମୋନାର ଏକ ନୂଆ ରୂପ। ଦିବାଲୋକରେ ମୋନାକୁ କେବେ ହସିବା ମୁଁ ଦେଖିନାହିଁ। ଯାହା ହେଉ, ଗୋଟିଏ ଦୃଷ୍ଚିରୁ ମୋନାକୁ ଆଉ ଟିକିଏ ନିକଟରୁ ବୁଝିବାରେ ମୁଁ ସମର୍ଥ ହୋଇଗଲି। ମୋନାର କଠିନ ମୁଖର ଅନ୍ତରାଳରେ ଗୋଟିଏ କୋମଳ ହୃଦୟଟିଏ ଯେ ଛପି ରହିଛି ଏହା ନିଃସନ୍ଦେହ।

ସଞ୍ଜ ବେଳେ ଅଫିସ୍.ରୁ ଫେରି ମୁଁ ଲକ୍ଷ୍ୟ କଲି ମୋନା ଛାତ ଉପରେ ଟହଲୁଛି। ସତେକି ମୋ ଅପେକ୍ଷାରେ। ମୋ ଉପରେ ଆଖି ପଡ଼ିବା ମାତ୍ରେ ସେ ନ ଜାଣିଲା ପରି ମୁହଁ ବୁଲାଇ ନେଲା ଅନ୍ୟ ଦିଗକୁ। ମୁଁ ରୁମ୍ ଭିତରେ ପଶି ପୋଷାକ ବଦଳାଇ ଫ୍ରେସ୍ ହେଲି। ରାତ୍ରି ପୋଷାକ ପିନ୍ଧି ଛାତ ଉପରକୁ ଆସିଲି। ମୋନା ଏକ ଲୟରେ ଚାହିଁଥିଲା ପଶ୍ଚିମପଟ ଦିଗ୍.ବଳୟକୁ। ଅସ୍ତଗାମୀ ରବିର ଲୋହିତ କିରଣ ତାର ଅଲରା କେଶରାଶିକୁ ଖୁବ୍ କମନୀୟ କରି ତୋଳିଥିଲା। କେଉଁ ଏକ ଅପ୍.ସରାର ନୃତ୍ୟ ମୁଦ୍ରାରେ ସ୍ଥିର ହୋଇ ମୁଗ୍ଧ ନୟନରେ ଚାହିଁଥିଲା ସେ ଦୂର ଦିଗ୍.ବଳୟକୁ। ମୁହଁରେ ତାର ଅଭୁତପୂର୍ବ ଚମକ। ମୋର ପାଦଶବ୍ଦ ଶୁଣି ସେ ପ୍ରକୃତିସ୍ଥ ହେଲା। ଲାଜ ଲାଜ ମନେ ହେଲା ତାର ଚାହାଣୀ। ମୁଁ ତାର ଅଶ୍ୱସ୍ତିବୋଧକୁ କାଟିବା ପାଇଁ ତାର ନିକଟତର ହେଲି। ସଞ୍ଜ ନଇଁ ଆସୁଥିଲା ଧିରେ ଧିରେ। ଛାତର ଅନୁଚ୍ଚ କାନ୍ଥ ଉପରେ ହାତ ଭରା ଦେଇ ଚାହିଁଲି ଆକାଶକୁ। ଧାଡ଼ି ଧାଡ଼ି କରି ବିହଙ୍ଗମ ଉଡ଼ି ଯାଉଥିଲେ କଳ କାକଳୀ ସହ। ଆଉ କିଛି ସମୟ ପରେ ଜହ୍ନର ଉପସ୍ଥିତି ପରିବେଶକୁ ମଧୁମୟ କରି ତୋଳନ୍ତା। କିନ୍ତୁ ନା, ସେ ଆଶା ନାହିଁ। ଏ ତ କୃଷ୍ଣପକ୍ଷ ରାତି। ଅନୁଭବ କଲି ମୋ ହାତ ଉପରେ କାହାର କୋମଳ ସ୍ପର୍ଶ। ନା ନା, ଏ ଏକ ମିଥ୍ୟା ଅନୁଭବ। ମୋ ସ୍ନାୟୁ ସବୁ ଦୁର୍ବଳ ହୋଇଯାଇଛି ନିଶ୍ଚୟ! କାରଣ ମୋନା କାହାରି ଅଙ୍ଗ ସ୍ପର୍ଶ ସହ୍ୟ କରିପାରେନା। ମୁଁ ଚାହିଁଲି ମୋନା ଆଡ଼େ। ମୋନା ଚାଲି ଯାଉଥିଲା ଦୂରକୁ ଏକ ଅପରୂପ ନୃତ୍ୟଛନ୍ଦରେ। ପାହାଚ ପରେ ପାହାଚ ଡେଇଁ ଡେଇଁ ଓହ୍ଲାଉଥିଲା। ପ୍ରଜାପତିଟିଏ ଡେଣା ଝାଡ଼ି ଫୁଲରୁ ଫୁଲକୁ ଡେଇଁଲା ପରି ଦୃଶ୍ୟ ହେଉଥିଲା ମୋତେ। ମୁଁ ସେଇଆଡ଼େ ଚାହିଁ ଅନ୍ୟମନସ୍କ ହୋଇଗଲି କିଛି କ୍ଷଣ। ତାପରେ ଚୌକି ଟାଣି କେତେ ସମୟ ସେଇଠି ବସି ରହିଲି ମୋର ମନେ ନାହିଁ। ପୁଣି ଥରେ ମୋନା ଡାକି ଆସିଲା ଉପରକୁ। କହିଲା, “ଆଜି କଣ ଉପବାସ?” ମୋନାର କଥା ଶୁଣି ପେଟରେ ପ୍ରବଳ ଭୋକର ଅନୁଭବ କଲି। ପଚାରିଲି, “ସମୟ କେତେ ହେଲା?”

- ଦଶଟା। ମୋନା ଉତ୍ତର ଦେଲା।

- ଯାଉ ଯାଉ ନନା ହୋଟେଲ୍ ବନ୍ଦ କରି ଦେଇଥିବ। ଦେଖାଯାଉ। ମୁଁ ଉଠି ଠିଆ ହେଲି।

ରୁମ୍ ତାଲା ମାରିବାକୁ ଯାଉଛି, ମୋନା ମୋ ହାତଟାକୁ ଧରିପକାଇ କହିଲା,

- କୁଆଡ଼େ ଯାଉଛନ୍ତି?

- କାହିଁ, ହୋଟେଲ୍.କୁ? ତାପରେ ମୋ ହାତ ଆଡ଼କୁ ଚାହିଁଲି। ମୋନା ମୋ ହାତ ଛାଡ଼ି ଦେଇ କହିଲା,

- ଆପଣ ମୁହଁ ହାତ ଧୋଇ ବସନ୍ତୁ। ମୁଁ ଆପଣଙ୍କ ପାଇଁ ରୁଟି କରିଛି, ଆଣୁଛି।

ମୁଁ ଆଶ୍ଚର୍ଯ୍ୟ ହୋଇ ତା ମୁହଁକୁ ଚାହିଁଲି। ମୋନା ମୁହଁରେ ସ୍ମିତ ହସଟିଏ ଖେଳାଇ ଚାଲିଗଲା। ସେଦିନ ମୋନାର ହାତ ରାନ୍ଧଣା ଖାଇବାର ସୁଯୋଗ ପାଇ ମୁଁ ଯେମିତି ଧନ୍ୟ ହୋଇଗଲି। ଖାଇ ସାରି ଟୱେଲ୍ ଖୋଜୁଛି ସେ ତା ଚୁନିଟା ବଢ଼ାଇଦେଲା। ମୁଁ ହାତ ପୋଛୁ ପୋଛୁ କହିଲି, “ଏ ‘ଆପଣ’ ‘ଆପଣ’ କଣ ଲଗେଇଛ? ପୂର୍ବ ପରି ‘ତୁମେ’ କୁହନା।”

- ପୂର୍ବ ପରି! ମୋନା ଭୃକୁଞ୍ଚିତ କରି ଚାହିଁଲା ମୋ ଆଡ଼େ। ମୁଁ ଆଉ କିଛି ନ କହି ଚୁପ୍ ହୋଇଗଲି। ମନେ ମନେ ଭାବିଲି ମୋନାକୁ ବୁଝିବାକୁ ମୋତେ ଆହୁରି ସମୟ ଲାଗିବ। ମୋନା ଚାଲିଗଲା ହଟ୍ କେସ୍ ନେଇ।

ରାତି କେତେ ହେବ କେଜାଣି... ପାଉଁଜିର ଛମ୍ ଛମ୍ ଶବ୍ଦରେ ମୋର ନିଦ ଭାଙ୍ଗିଗଲା। ମୁଁ ମୋବାଇଲ୍ ଅଣ୍ଡାଳି ଦେଖିଲି ବାରଟା ବାଜିଛି। ଧେତ୍! ଏ ରାତି ଅଧରେ ପୁଣି କଣ ହେଲା? ମୁଁ ଆଖି ମଳି ମଳି ଦରଜା ଖୋଲିଲି। ବାହାରେ କେହି ନ ଥିଲେ। ଦରଜା ବନ୍ଦ କରି ଶଯ୍ୟାକୁ ଆସିଲି। ପୁଣି ସେଇ ଶବ୍ଦ। ଭାବିଲି, ମୋନାକୁ କଣ ରାତିତମାମ ନିଦ ହୁଏନି? ଏଇତ ଘଣ୍ଟାଏ ଆଗରୁ ତଳକୁ ଯାଇଛି। ମୋତେ ସତରେ ଖୁବ୍ ନିଦ ମାଡ଼ୁଥିଲା। ମୁଁ ନ ଶୁଣିଲା ପରି ଶୋଇପଡ଼ିଲି।

ସକାଳେ ମୋର ଅଫିସ୍ ବାହାରିଲା ବେଳକୁ ଟିକିଏ ଡେରି ହୋଇ ଯାଇଥିଲା। ହେଲେ, ତଳେ ଯାଇ ଏ କଣ ଦେଖୁଛି! ମୋନା ଖୁବ୍ ସୁନ୍ଦର ଭାବରେ ନିଜକୁ ସଜାଇ ସ୍କୁଟି ପାଖରେ ଠିଆ ହୋଇ ମୋତେ ଅପେକ୍ଷା କରି ଚାହିଁଛି। ମୁଁ ତରତରରେ ତଳକୁ ଓହ୍ଲାଉ ଓହ୍ଲାଉ କହିଲି, “ତୁମର କଣ କଲେଜ ଡେରି ହେଉନି? ମୋତେ ଅପେକ୍ଷା କରିବା କଣ ଦରକାର? ଏମିତିରେ ମୁଁ ତ ଚାଲି ଚାଲି ଯାଏ।” ମୋନା ସ୍କୁଟି ଷ୍ଟାର୍ଟ୍ ମାରି କହିଲା, “ବସନ୍ତୁନା, ମୋର ସ୍କୁଟି ଅଛି ଆପଣ ଚାଲି ଚାଲି କାହିଁକି ଯିବେ?” ମୁଁ ବସୁ ବସୁ ମନେ ମନେ ଭାବିଲି ଏ ଆଦର ସୋହାଗ ଅତୀତରେ କେଉଁଠି ଥିଲା କେଜାଣି? ସେକଥା ମୁହଁରେ ନ କହି କହିଲି, “ପୁଣି ସେଇ ‘ଆପଣ’? ‘ତୁମେ’ କୁହ ମୋତେ ଭଲ ଲାଗିବ।” ଭାଗ୍ୟ ଭଲ କାଲି ରାତିର କଥା ମୋନା ଭୁଲି ଯାଇଥିଲା। ନଚେତ୍ ପୁଣି ଗୋଟେ ଅଭିମାନ କରି ବସିଥାନ୍ତା ମୁଁ କାହିଁକି ତା ପାଉଁଜି ଶବ୍ଦ ଶୁଣି ମଧ୍ୟ ଛାତ ଉପରକୁ ଯାଇନଥିଲି। ଅଫିସ୍ ପାଖରେ ଛାଡ଼ି ଦେଇ ମୋନା ପଚାରିଲା, “ନେବା ପାଇଁ ଆସିବି କି?” ମୁଁ ହାତ ହଲାଇ ମନା କଲି। ମୋନା ଚାଲିଗଲା।

ଏମିତି ତିନି ଚାରିଦିନ ବିତିଗଲା। ଖାଇ ସାରିବା ପରେ ମୁଁ ଆଉ ପୂର୍ବ ପରି ଛାତ ଉପରକୁ ଯାଉ ନ ଥିଲି। ପାଉଁଜି ଶବ୍ଦ ସେମିତି ରୋଜ୍ ରାତିରେ ଶୁଭୁଥିଲା। ଅଫିସ୍ କାମ ଭିଡ଼ରେ ଭାରି ଥକ୍କା ଲାଗୁଥିଲା ମୋତେ। ଦୁନିଆଁ ଯାକର ନିଦ କେଉଁଠି ଥାଏ କେଜାଣି ଶେଯରେ ପଡ଼ିଲେ ଇ ଆଖିକୁ ମାଡ଼ିବସେ। ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା, ମୋନା ସେକଥା ଥରୁଟିଏ ବି ଉଠାଏନି।

ସେଦିନ କିନ୍ତୁ ଖାଇ ସାରି ମୁଁ ଛାତ ଉପରକୁ ଯାଇ ଚୌକି ଉପରେ ବସିଲି। ଆଗକୁ ଅମାବାସ୍ୟା। ଚାରିପଟେ ଅନ୍ଧାର। କାଁ ଭାଁ କାହା ଘରର ଝରକା ଫାଙ୍କର ଆଲୋକ ଛାତ ଡେଇଁ ଉପରକୁ ପହଞ୍ଚି ପାରୁନଥିଲା। କିଛି ସମୟ ଆଖି ମୁଦି ଧ୍ୟାନ ମୁଦ୍ରାରେ ବସିଲି। ବୋଧେ ମୋନାର ଅପେକ୍ଷାରେ! ବିତିଗଲା କିଛି ସମୟ। ମନେ ମନେ ଭାବିଲି, ମୋନା ଆଉ ହୁଏତ ଆସିବ ନାହିଁ। ନିଶ୍ଟୟ ଅଭିମାନ କରିଥିବ। କାରଣ ଏ କିଛି ଦିନ ହେବ ମୋ ସହିତ ରାତି ସମୟଟା ସେ ଗପି ପାରୁନଥିଲା। ମୋତେ ଅପେକ୍ଷା କରି କରି ଏ କିଛି ରାତି ନିରାଶ ହୋଇ ଫେରିଲା ପରେ ଆଜି ତାର ମନ କହୁନଥିବ ଯେ ମୁଁ ତା ସହିତ ଗପିବା ପାଇଁ ଏଇଠି ଚୌକି ପାରି ବସିଥିବି। ଆଉ ଅପେକ୍ଷା କରି ଲାଭନାହିଁ ଭାବି ମୁଁ ଉଠି ଠିଆ ହେଲି। ପଛରୁ ଶୁଭିଲା, “ହଁ ଚାଲିଯିବନି କାହିଁକି?” ମୁଁ ଫେରି ଚାହିଁଲି ପଛକୁ। ମୋନା ଠିଆ ହୋଇଥିଲା କାନ୍ଥକୁ ଆଉଜି। କହିଲା, “ମୁଁ ତୁମର କିଏ କି? ଅଯଥା କାହିଁକି ମୋ ପାଇଁ ତୁମର ସମୟ ନଷ୍ଟ କରିବ?” ମୁଁ କିଛି କହିବି କହିବି ହେଉଛି ମୋନା ପୁଣି କହିଲା, “ମୁଁ ତ ବାୟାଣୀଟିଏ, ତୁମକୁ ଅପେକ୍ଷା କରି କରି ଆଖିରୁ ନିଦ ହଜାଇ ରାତି ସାରା ବୁଲୁଛି ଆଉ ବାବୁ ଆମର ନିଘୋଡ଼ ନିଦରେ ଶୋଇ ଆଉ କାହା ସ୍ଵପ୍ନରେ ମସ୍.ଗୁଲ୍।”

- ଆରେ ନା, ମୁଁ କଣ ଚାହୁଁନି ତୁମ ସହ ଦୁଇପଦ ଖୁସି ଗପ ହେବା ପାଇଁ?

- ସତେ ନା କଣ! ମୋନା କଣ୍ଠରେ ତାଛଲ୍ୟ ଭରି କହିଲା। ଆଉ ସେଇଥିପାଇଁ ବୋଧେ ବାବୁଙ୍କର ଚାରିଦିନ ହେବ ଦେଖାନାହିଁ।

- ନାଇଁ, କଥାଟା ଠିକ୍ ସେଇୟା ନୁହେଁ।

- ଠିକ୍.ଟା କଣ ତାହେଲେ... ମୋନାର କଣ୍ଠସ୍ଵର ରୁକ୍ଷ ଶୁଭୁଥିଲା। ମୁଁ କିଛି ସମୟ ଚୁପ୍ ହୋଇ କହିଲି,

- ଏତେଟା ଅଭିମାନ ଭଲ ନୁହଁ। ଆଉ... ସବୁ ଛୋଟ ମୋଟ କଥାକୁ ଧରି ବସିବା ବି ଠିକ୍ ନୁହେଁ।

ମୋନା ନିଜ ଜାଗାରୁ ଘୁଞ୍ଚି ଛାତର ସାମ୍ନା ପଟକୁ ଚାଲିବାକୁ ଆରମ୍ଭ କଲା। କହିଲା,

- ଠିକ୍ ଅଛି... ଛାଡ଼ି ଦେଲି। ହେଲେ, ତୁମେ ରାଣ ଦେଇ କୁହ... ତୁମେ ମୋତେ ଆଗ ଭଳି ଭଲପାଉଛ?

ମୁଁ ଟିକିଏ ମୋନା ଆଡ଼କୁ ପାଦ ବଢ଼ାଇ ରସିକତା କରି କହିଲି, କାହିଁ, ତୁମକୁ କଣ ଲାଗୁଛି?

- ମୋତେ ତ ଲାଗୁଛି... ନା ଲାଗୁନି... ମୁଁ ପୁରାପୁରି ନିଶ୍ଚିତ ତୁମେ ଆଉ କାହା ପ୍ରେମରେ ପଡ଼ିଯାଇଛ।

- କାହା ପ୍ରେମରେ? ମୁଁ ତ ଏଠି ତୁମ ଛଡ଼ା ଦ୍ଵିତୀୟ ଆଉ କାହାକୁ ଭଲ ଭାବରେ ଜାଣିନାହିଁ। ପ୍ରେମ ତ ଦୂରର କଥା...

- ନା, କାହାକୁ ଜାଣୁନ... ମୋନା ଯେମିତି ଖତେଇ ହେଲା।

ଅନ୍ଧାରରେ ମୋନାର ଭାବଭଙ୍ଗୀ ଦେଖି ମୁଁ ନିଜକୁ ନିୟନ୍ତ୍ରଣରେ ରଖି ପାରୁନଥିଲି। ଇଛା ହେଲା ତାର ହାତଟିକୁ ଧରି ନେଇ ଟାଣି ଆଣିବି ନିଜ ଆଡ଼କୁ। ଆଉ ଏକ ଦୃଢ଼ ଆଲିଙ୍ଗନରେ ତାର ସବୁ ପ୍ରଶ୍ନର ଉତ୍ତର ଦେବି। ତାର ପ୍ରଗଳ୍ଭ ଓଠକୁ ମୋ ଓଠରେ ଚାପି ଦେଇ ତାକୁ ଚୁପ୍ କରାଇଦେବି। ମୁଁ ହାତ ବଢ଼ାଇ ତାକୁ ଧରିବାକୁ ଚେଷ୍ଟା କରୁଛି, ସେ ଆଉ ଟିକେ ଘୁଞ୍ଚିଗଲା ଆଗକୁ। କିଛି ସମୟର ନିରବତା ପରେ କହିଲା,

- ନା, ମୁଁ ତୁମକୁ ଆଉ କାହାର ହେବା ପାଇଁ ଛାଡ଼ି ଦେଇ ପାରିବି ନାହିଁ। ତୁମେ ଯଦି ସତରେ ମୋତେ ଖୁବ୍ ଭଲପାଅ, ତାହେଲେ ମୋ ସାଙ୍ଗରେ ଚାଲ।

- କୁଆଡ଼େ?

- ନା, ସେ ପ୍ରଶ୍ନ ତୁମେ ପଚାରି ପାରିବ ନାହିଁ। ମୁଁ ଯେଉଁଆଡ଼େ ନେଇ ଯିବି ମୋ ପଛେ ପଛେ ଆସିବ। ମୋନାର କଥାଗୁଡ଼ାକ ମୋତେ ଆମୋଦିତ କରି ତୋଳୁଥିଲା। ମୁଁ ପଚାରିଲି,

- ଆଉ ତୁମ ବାପା ବୋଉ?

- ସେମାନେ ଜାଣନ୍ତି ଆମ କଥା।

- ସତରେ... କିଛି ଆପତ୍ତି ନାହିଁ ତାଙ୍କର?

- ଆପତ୍ତି! ନା, ନା ଆପତ୍ତି କାହିଁକି, ମୋ ଖୁସିରେ ହିଁ ତାଙ୍କ ଖୁସି।

ମୁଁ ପୁଣି ଥରେ ମୋନାର ହାତଟାକୁ ଧରି ପକାଇବାକୁ ପାଦ ବଢ଼ାଇଲି। ମୋନା ଦୌଡ଼ିଗଲା ଆଉ ଟିକିଏ ଆଗକୁ।

ହଠାତ୍ ବାଁ ପଟୁ କେହି ଜଣେ ଖୁବ୍ ଜୋର୍.ରେ ପାଟି କରି ମୋ ନାଁ ଧରି ଡାକିଲା। ମୁଁ ବୁଲି ଚାହିଁଲି। ସିଡ଼ି ପଟୁ କିଏ ଜଣେ ଦୌଡ଼ି ଆସୁଥିଲା ମୋ ଆଡ଼କୁ। କହିଲା, ସେଇଠି ରହିଯାଅ। ଆଉ ପାଦେ ବି ଆଗକୁ ବଢ଼ିବ ନାହିଁ କହୁଛି। ଜହ୍ନ ଉଇଁ ସାରିଥିଲା ଆକାଶରେ। ସେଇ ଫିକା ଆଲୁଅରେ ମୁଁ ମୋର ପାଦ ତଳକୁ ଚାହିଁଲି। ସାମ୍ନାର ଖୋଲା ଛାତଟା ସେଇଠି ଶେଷ ହୋଇଯାଇଛି। ଆଉ ପାଦେ ଆଗେଇ ଥିଲେ ମୋର ଯେ କଣ ହୋଇଥାନ୍ତା ଭାବି ଦେଇ ମୋର ରକ୍ତ ପାଣି ହୋଇଗଲା। ବାଁ ପଟରୁ ଯିଏ ଦୌଡ଼ି ଆସୁଥିଲା, ସେ ମୋନା ଥିଲା। ପାଖରେ ପହଞ୍ଚି ମୋର ହାତ ଧରି ଟାଣି ନେଲା ପଛକୁ। ମୋନାକୁ ପାଖରେ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇ ସାମ୍ନା ଆଡ଼କୁ ଚାହିଁଲି, ଏ କଣ!!! ଚେହେରାଟିଏ ଧିରେ ଧିରେ ଧୂମାୟିତ ହୋଇ ବାୟୁରେ ମିଶି ଯାଉଛି। ଭୟରେ ମୋ ଶରୀର ଗୋଟାପଣେ ଥରିବାକୁ ଲାଗିଲା। ମୋନା ତରତରରେ ମୋ ହାତ ଧରି ମୋତେ ଭିଡ଼ି ନେଇଗଲା ପୁରା ତଳକୁ। ମୋନାର ବାପା ବୋଉ ବି ଉଠି ସାରି ବାହାର ଲାଇଟ୍ ଅନ୍ କରି ଠିଆ ହୋଇଥିଲେ। ଘର ଭିତରେ ପଶିଗଲୁ ସମସ୍ତେ। ମୋନା ଦରଜାଟା ବନ୍ଦ କରିଦେଇ ବ୍ରଜବାବୁଙ୍କ ଉପରେ ଚିହିଁକି ଉଠିଲା। କହିଲା, ବାପା! ମୁଁ ଆଉ ବୋଉ ତୁମକୁ ମୂଳରୁ କହୁଛୁ ନା, ଘରଭଡ଼ା ଦିଅନାହିଁ। ଆଜି ମୁଁ ଯଦି ଠିକ୍ ସମୟରେ ନ ପହଞ୍ଚନ୍ତି କଣ ହୋଇଥାଆନ୍ତା ଶଶାଙ୍କବାବୁଙ୍କର! ଟଙ୍କା ଲୋଭ ତୁମର ଗଲା ନାହିଁ। ସେଇ ଲୋଭ ଆଜି ଜଣେ ନିରୀହ ଲୋକର ପ୍ରାଣ ନେଇଥାନ୍ତା। ମୁଁ ସେତେବେଳ ପର୍ଯ୍ୟନ୍ତ ଥରୁଥିଲି। ହୃତ୍.ପିଣ୍ଡଟା ମୋର ଖୁବ୍ ଜୋର୍.ରେ ପିଟି ହେଉଥିଲା। ସତେ ଯେମିତି ଏଇକ୍ଷଣି ଶରୀରରୁ ଡେଇଁ ପଡ଼ି ଅଲଗା ହୋଇଯିବ। ମୋନାବୋଉ ଯାଇ ଗୋଟିଏ ଲୋଟାରେ ପିଇବା ପାଣି ନେଇ ଆସିଲେ। ମୁଁ ଢକ ଢକ କରି ଅଧାରୁ ଅଧିକ ପାଣି ଉଦରସ୍ଥ କଲା ପରେ ଟିକିଏ ସ୍ଥିର ହେଲି। ଥର ଥର କଣ୍ଠରେ ପଚାରିଲି, “ସେ କିଏ ତାହେଲେ?” ମୋନା ତାର ବିଶି ଅଙ୍ଗୁଳି ପାଟି ଉପରେ ଚାପି ଧରି କହିଲା, “ଏବେ ତା ନାଁ ଧରିବିନି। ସବୁକଥା ତୁମକୁ ସକାଳେ କହିବି। ଆଜି ଏଇଠି ଶୋଇଯାଅ।” ମୋତେ ଆଉ କି ନିଦ ହୁଏ। ରାତିଯାକ ବିଛଣାରେ ଖାଲି ଏକଡ଼ ସେକଡ଼ ହେଉଥିଲି। ଆଉ ମୋନା… … ମୋନା ପାଖ ଚୌକି ଉପରେ ବସି ବସି ଢୁଳୋଉଥିଲା ସକାଳ ପର୍ଯ୍ୟନ୍ତ ମୋତେ ଜଗି ରହି।

ସକାଳେ ମୋନାଠାରୁ ପଚାରି ବୁଝିଲି, ସେ ଥିଲା ତାର ଅପା, ଝୁନୁ ଅପା। ସେମାନେ ଦୁଇ ଭଉଣୀ। ଦେଖିବାକୁ ପ୍ରାୟ ଏକାପରି। ରଙ୍ଗ, ଉଚ୍ଚତା, ଗଢ଼ଣ ସବୁଥିରେ ଏକ ଆରେକକୁ ବଳି। ତାଙ୍କ ଘରଟା ସହରର କୋଳାହଳ ଠାରୁ ଟିକିଏ ଦୂରରେ ଥିବାରୁ ଏକାଟିଆ ପରିବାର ଚଳିବାରେ ଅଡ଼ୁଆ ଲାଗୁଥିଲା। ବ୍ରଜବାବୁ ସେଇଥିପାଇଁ ତରତରରେ ଉପର ମହଲାଟା ତିଆରି କଲେ ଭଡ଼ା ଉଦ୍ଦେଶ୍ୟରେ। କେହି ଜଣେ ଭଡ଼ାରେ ରହିଲେ, ଗହଳି ଲାଗି ରହିବ। ସମୟ ଅସମୟରେ ସାହାଯ୍ୟ ବି ହେବ। କିନ୍ତୁ ନିର୍ଜନ ଜାଗାରେ ଥିବାରୁ ପରିବାର ସମେତ ଆସି ରହିବା ଲୋକ ମିଳିଲେ ନାହିଁ। ବ୍ରଜବାବୁଙ୍କ ପରିବାର ପରି ସମସ୍ତେ ଯେ ସାହସୀ ହେବେ, ସେମିତି ତ କହି ହେବ ନାହିଁ। ଶେଷରେ ଜଣେ ପ୍ରଦୋଷ ନାମକ ଯୁବକ କେଉଁଠି ଘର ଭଡ଼ା ନ ପାଇ ବ୍ରଜବାବୁଙ୍କ ନିକଟରେ ପହଞ୍ଚିଲା। ବ୍ରଜବାବୁ ଆଗପଛ ବିଚାର ନ କରି ଭଡ଼ା ସୁତ୍ରରେ ତାକୁ ଘର ପ୍ରଦାନ କଲେ। ଝୁନୁ କାଳ କ୍ରମେ ପ୍ରଦୋଷକୁ ଭଲ ପାଇ ବସିଲା। ଭଲ ପାଇବାଟା ଥିଲା ଏକପାଖିଆ। ପ୍ରଦୋଷ ଝୁନୁ ସହିତ କଥାବାର୍ତ୍ତା ହେଉଥିଲା, ସମୟ ଅତିବାହିତ କରୁଥିଲା। କିନ୍ତୁ କେବଳ ଜଣେ ଭଲ ବନ୍ଧୁ ପରି। ଝୁନୁ କିନ୍ତୁ ସେଇଆକୁ ତାର ପ୍ରେମ ବୋଲି ଧରି ନେଲା। ବ୍ରଜବାବୁଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଝୁନୁର ହାବଭାବ ଦେଖି ତାକୁ ବୁଝାଇବାକୁ ଚେଷ୍ଟା କଲେ। କିନ୍ତୁ ଝୁନୁ ଅବୁଝା। ସେ ତାର ଭଲପାଇବା ଦିନେ ପ୍ରଦୋଷ ଆଗରେ ପ୍ରକାଶ କଲା। ପ୍ରଦୋଷ ସବୁ ଶୁଣି ଝୁନୁକୁ ବୁଝାଇଲା ଯେ ସେ କେବଳ ତାକୁ ଜଣେ ଭଲ ବାନ୍ଧବୀଟିଏ ବୋଲି ଭାବେ। ଅନ୍ୟ ଆଖିରେ ସେ ତାକୁ କେବେ ବି ଦେଖି ନାହିଁ। ତାଛଡ଼ା ତାର କଲେଜ ବେଳର ଜଣେ ବାନ୍ଧବୀକୁ ସେ ଚାରିବର୍ଷ ହେଲା ଭଲ ପାଇ ଆସୁଛି। ଆଉ ସେମାନେ ସ୍ଥିର ବି କରି ସାରିଛନ୍ତି ଆସନ୍ତା ବର୍ଷ ବିବାହ ବନ୍ଧନରେ ଆବଦ୍ଧ ହେବେ। ଏତେ ପରେ ବି ଝୁନୁ କିଛି ବୁଝିଲା ନାହିଁ। ସବୁବେଳେ ପ୍ରଦୋଷ ଉପରେ ଚାପ ପକାଇଲା। ବାଧ୍ୟ ହୋଇ ଦିନେ ପ୍ରଦୋଷ କାହାକୁ କିଛି ନ କହି ଘର ଛାଡ଼ି ଚାଲିଗଲା। ପ୍ରଦୋଷ ଚାଲିଗଲା ପରେ ଝୁନୁକୁ ସମ୍ଭାଳି ହେଲାନି। ସେ ଖାଲି ପ୍ରଦୋଷ କଥା ମନେ ପକାଇ ବାଉଳା ଚାଉଳା ହେଲା। ଖୁବ୍ କମ୍ ଦିନରେ ପାଗଳୀ ହୋଇଗଲା ଝୁନୁ। ଆଉ ଦିନେ ଛାତ ଉପରୁ ଡେଇଁ ପଡ଼ି ଆତ୍ମହତ୍ୟା କଲା। ଅନେକ ଦିନ ପର୍ଯ୍ୟନ୍ତ ଝୁନୁ ଆଖିରେ ଆଖିରେ ହେଲା। କେବେ ଅନ୍ଧାର ରାତିରେ ଛାତ ଉପରେ ବୁଲୁଥିଲା ପରି। କେବେ ପାଉଁଜିର ଛମ୍ ଛମ୍ ଶବ୍ଦ ଶୁଭୁଥିଲା ସିଡ଼ିରେ ତଳ ଉପର ହେଲା ପରି । ଏମିତି କି ବେଳେ ବେଳେ ଅର୍ଦ୍ଧରାତ୍ରରେ ଦରଜାରେ କରାଘାତ ବି ଶୁଭିଲା। ବ୍ରଜବାବୁ ଜଣେ ଭଲ ଓଝାକୁ ଡାକି ଆଣି ଘରଟାକୁ ପୂଜାପାଠ କରାଇଲେ। କିଛି ଦିନ ପରେ ସବୁ ଯେମିତି ଚୁପ୍ ଚାପ୍। ଝୁନୁର ପ୍ରାଦୁର୍ଭାବ ଆଉ ଅନୁଭୁତ ହେଉ ନ ଥିଲା। ପାଖାପାଖି ବର୍ଷେ ପ୍ରାୟ ଉପର ଘର ଖାଲି ରହିଲା। ମୋର ଆଗମନ ପରେ ପୁଣି ଯେମିତି ସବୁଥିରେ ପୁନରାବୃତ୍ତି ଘଟିଲା। ଝୁନୁ ବୋଧେ ଧରି ନେଇଥିଲା ତାର ପ୍ରଦୋଷ ଫେରି ଆସିଛି।

କାଲି ରାତିରେ ଯେତେବେଳେ କୌଣସି କାରଣରୁ ମୋନାର ନିଦ ଭାଙ୍ଗିଗଲା, ସେ ଝରକା ଦେଇ ଛାତ ଉପରୁ ମୋର କଣ୍ଠସ୍ଵର ଶୁଣି ପାରିଥିଲା। ଅର୍ଦ୍ଧରାତ୍ରଟାରେ ମୁଁ କାହା ସହିତ କଥା ହେବାଟା ସେ ହଜମ କରି ପାରିଲା ନାହିଁ। ସନ୍ଦେହରେ ସେ ତାର ବାପା ବୋଉଙ୍କୁ ଉଠାଇ ତାର ଆଶଙ୍କା ପ୍ରକାଶ କଲା ଏବଂ ଘଟଣା କଣ ଜାଣିବା ପାଇଁ ଚାଲି ଆସିଥିଲା ଛାତ ଉପରକୁ।

ଝୁନୁର କାହାଣୀ ଶୁଣି ସାରି ମୋର କଣ କରିବା ଉଚିତ ସ୍ଥିର କରି ସାରିଥିଲି। ସଙ୍ଗେ ସଙ୍ଗେ ସେଠାରୁ ଉଠି ଉପର ମହଲାକୁ ଗଲି। ମୋର ପୋଷାକପତ୍ର ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ପଦାର୍ଥ ସୁଟ୍.କେଶ୍.ରେ ଭରି ତଳକୁ ଆସିଲି। ମୋନା କିମ୍ବା ତାଙ୍କ ବାପାବୋଉ କେହି ମୋତେ ଅଟକାଇ ରଖିବାର ଦୁଃସାହସ କଲେ ନାହିଁ। ମୋନା ସ୍କୁଟି ବାହାର କରି ମୋତେ ବସ୍ ଷ୍ଟପ୍.ରେ ଛାଡ଼ିଦେଲା। ବସ୍ ଛାଡ଼ିଲା ବେଳକୁ ମୋନା ତା ଆଖିର ଲୁହ ଲୁଚାଇବାକୁ ଚେଷ୍ଟା କରୁଥିଲା।

xxxxxxx

ସକାଳୁ ସକାଳୁ ପେପର୍ ଧରି ବାଲ୍.କୋନୀଟା ଉପରେ ବସିଛି। ନଜର ପଡ଼ିଲା ମୁଖ୍ୟଧାଡ଼ି ଉପରେ। ଅନୁଗୋଳର ରିଟାୟର୍ଡ୍ ବିଦ୍ୟୁତ୍ କର୍ମଚାରୀ ଶ୍ରୀ ବ୍ରଜମୋହନ ସାହୁଙ୍କ ଦ୍ଵିତୀୟ କନ୍ୟା ମନସ୍ଵିନୀ ସାହୁ (ଡାକ ନାମ ମୋନା)ଙ୍କ ଦୁଇମହଲା ଛାତରୁ ଡେଇଁ ପଡ଼ି ଆତ୍ମହତ୍ୟା। ପ୍ରକାଶଥାଉକି ଗତବର୍ଷ ଠିକ୍ ଏଇ ଦିନ ଅମାବାସ୍ୟା ତିଥିରେ ତାଙ୍କର ପ୍ରଥମ କନ୍ୟା ଝରଣାରାଣୀ ସାହୁ (ଡାକ ନାମ ଝୁନୁ) ଅର୍ଦ୍ଧରାତ୍ରରେ ଠିକ୍ ସେଇ ରୂପେ ଛାତରୁ ଡେଇଁ ପଡ଼ି ମୃତ୍ୟୁବରଣ କରିଥିଲେ। କୁହାଯାଏ ଯେ ଦୁଇଟି ଯାକ ଆତ୍ମହତ୍ୟା ପ୍ରେମସଂକ୍ରାନ୍ତ ଥିଲା। ପ୍ରେମରେ ବିଫଳ ହୋଇ ଦୁହେଁ ଆତ୍ମହତ୍ୟା ପରି ଏକ ସହଜ ପନ୍ଥାକୁ ଅବଲମ୍ବନ କରି ନେଇଛନ୍ତି ବୋଲି ସହରରେ ଚର୍ଚ୍ଚାର ବିଷୟ ହୋଇଛି... ... ...

ହଠାତ୍ ମୋର ନିଦଟା ଭାଙ୍ଗିଗଲା। ଆଖି ଖୋଲି ଦେଖିଲି ସାମ୍ନାରେ ମୋନା ଠିଆ ହୋଇଛି। ଶଯ୍ୟାପାଖ ଷ୍ଟୁଲ୍.ରେ ଧୂମାୟିତ କଫି କପ୍। ଧୂମଗୁଡ଼ା ଯେମିତି ଆକାରଟିଏରେ ପରିଣତ ହୋଇ ମୋନା ରୂପରେ ମୋ ସମ୍ମୁଖରେ ଠିଆ ହୋଇଛି। ମୁଁ ଧଡ଼ପଡ଼ ହୋଇ ସଙ୍କୁଚିତ ଭାବରେ ଶଯ୍ୟାର ଗୋଟିଏ ପାର୍ଶ୍ୱକୁ ଚାଲିଗଲି। ତାପରେ ଧିରେ ମୋର ହାତର ଅଙ୍ଗୁଳି ବଢ଼ାଇଲି ମୋନା ଆଡ଼େ ପରଖିବା ପାଇଁ। ମୋନା ମୋ ହାତଟାକୁ ତା ହାତରେ ଟିକିଏ ଠେଲି ଦେଇ କହିଲା, ପୁଣି ସେଇ ଅଲକ୍ଷଣା ସ୍ଵପ୍ନ? ମୁଁ ମୁଣ୍ଡ ହଲାଇଲି, ଉଁ....ଉଁ....। ତାପରେ ମୋନାକୁ ଭିଡ଼ି ଆଣିଲି ଶଯ୍ୟା ଉପରକୁ। ସେ ଇତଃସ୍ତତଃ ହୋଇ କହିଲା, ଆରେ... ଆରେ... ଏ କଣ କରୁଛ? ଏକ୍ସମାସ୍ ଛୁଟି ଚାଲିଛି, ମନେ ନାହିଁ କି? ପିଲାଦୁହେଁ ଘରେ ଅଛନ୍ତି। ଛାଡ଼ ମୋତେ...। ମୁଁ ଗୋଡ଼ରେ ଦରଜାଟା ଠେଲି ଦେଇ ଆଉ ଟିକିଏ ଜୋର୍.ରେ ଭିଡ଼ି ଧରିଲି ମୋନାକୁ।

ଟି.ଦୁର୍ଗା ପ୍ରସାଦ ରାଓ

ମାଲକାନଗିରି

ପାଉଁଜି ଅନ୍ତରଙ୍ଗ ଅନୁଧ୍ୟାନ

Rate the content


Originality
Flow
Language
Cover design

Comments

Post

Some text some message..