Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kulamani Sarangi

Tragedy

2.4  

Kulamani Sarangi

Tragedy

କପଟ ପାଶା

କପଟ ପାଶା

6 mins
13.9K


ଭଲ ପାଇବାଟା କେବେ ଲୁଚି ରହେନି । ଶ୍ରୀକାନ୍ତ ବାବୁଙ୍କ କାନରେ ଯେତେବେଳେ ଝିଅ ଅର୍ଚ୍ଚିତା ଆଉ ପଡୋଶୀ ନାଗେଶ୍ଵର ରାଓଙ୍କ ପୁଅ ସମୀରର ପ୍ରଣୟ କାହାଣୀ ପଡିଲା,ସେ ରାଗରେ ନିଆଁବାଣ । କହିଲେ “ଝିଅ ମୋର ସରଳ  ।  ସେ ଟୋକାଟା ତାକୁ ଫସେଇଚି । ଛାଡିବିନି ତାକୁ । କାଟିଦେବି । ଗୁଣ୍ଡା ଲଗେଇ ପିଟିଦେବି । ଆରେ! ଆମେ ହେଲୁ ନୈଷ୍ଠିକ ଓଡିଆ ବ୍ରାହ୍ମଣ । ସେମାନେ ତେଲୁଗୁ  ।  ଜାତି ଗୋତ୍ର ଠିକ୍ ନାହିଁ । ବର୍ଷ ସାରା ଅଭକ୍ଷ ଭକ୍ଷଣ କରନ୍ତି । ଶ୍ରୀକାନ୍ତ ଉପାଧ୍ୟାୟକୁ ଚିହ୍ନିନି ସେ ଟୋକା!

ଅର୍ଚ୍ଚିତା ତା ମା'ଙ୍କୁ କହିଲା "ମାମା,ବୁଝାଅ ଟିକେ ବାବାଙ୍କୁ । ସେ ଯେବେ ଭାବୁଛନ୍ତି ଯେ ତାଙ୍କ ସରଳ ଭୋଲୀ ଭାଲୀ ଝିଅକୁ ସମୀର୍ ଫୁସୁଲା ଫୁସୁଲି କରି ଫସେଇଚି,ତା ଠିକ୍ ନୁହେଁ । ପ୍ରକୃତ ଭଲ ପାଇବାଟା କେବେ ଏକ ତରଫା ନୁହେଁ । ବାବା ସମୀରର ଯେବେ କିଛି କ୍ଷତି କରିବାକୁ ଚେଷ୍ଟା କରିବେ,ପରସ୍ତେଇବେ ।

ଥରେ ପ୍ରବଳ ଝଗଡା ହେଲା ଶ୍ରୀକାନ୍ତ ବାବୁ ଆଉ ନାଗେଶ୍ଵର ବାବୁଙ୍କ ଭିତରେ,ପୁଅ ଝିଅଙ୍କ ଭଲପାଇବାକୁ ନେଇ । ଅର୍ଚ୍ଚିତାର ବାବା କଟୁରୀ ଖଣ୍ଡେ ଧରି ଘର ଭିତରେ ଡେଉଁଥାନ୍ତି

"ଶ’. କୁ ହାଣି ଦେବି,ବାପ,ପୁଅ ଦି ଜଣକୁ ଏକାବେଳେ ଯମ ପାଖକୁ ପଠେଇ ଦେବି" ଇତ୍ୟାଦି କହି ଗର୍ଜନ କରୁଥାନ୍ତି । ଅର୍ଚ୍ଚିତା ତା ମା'ଙ୍କୁ କହିଲା 'ମାମା,କାହିଁକି ବାବା ଏ ଅଯଥା ସୁଆଙ୍ଗ କରୁଛନ୍ତି?ଡାକ୍ତରଖାନାରେ ରକ୍ତ ବୋତଲ ଦେଖି ଯେ ଅଚେତ ହୋଇ ଯାଆନ୍ତି,ସେ ପୁଣି କଟୁରୀ ଧରି ଡେଉଁଚନ୍ତି ମଣିଷ ହାଣିବେ ! ତାଙ୍କୁ କହ,କଟୁରୀ ରଖିଦିଅନ୍ତୁ,ନିଜ ଦିହରେ ବାଜିଲେ ଖଣ୍ଡିଆ ଖାବେରା ହେବେ । "

ଝଡ ଶାନ୍ତ ହେଲା ।  ବାବା ଅଫିସ୍ ଚାଲିଗଲେ । ମାମା ବୁହେ ଖେଞ୍ଚିଲେ ଅର୍ଚ୍ଚିତାକୁ.."ସବୁ ମୂଳରେ ତୁ । ସେ ଟୋକା ଆଡେ ଯଦି ଆଜିଠୁ ଚାହିଁଚୁନା,ଆଖି ଦି’ଟା ତାଡିଦେବି ତୋର । "

ସାଙ୍ଗେ ସାଙ୍ଗେ ଅର୍ଚ୍ଚିତା ଛୁରିଟିଏ ଆଣି ମାମାକୁ ଧରେଇ ଦେଲା "ନିଅ ମାମା,ସାଙ୍ଗେ ସାଙ୍ଗେ ତାଡିଦିଅ । ମତେ ବି ତ୍ରାହି ମିଳିଯିବ । ତମର ଏ ଅଭଦ୍ର ବ୍ୟବହାର ଦେଖିବାକୁ ମୋର ଯମା ଇଚ୍ଛାନାହିଁ । "

ଛୁରିଟାକୁ ଅଗଣାକୁ ଫିଙ୍ଗିଦେଇ ତମ ତମ ହୋଇ ଚାଲିଗଲେ ଅର୍ଚ୍ଚିତାର ମା’ ।

ରଣକ୍ଷେତ୍ର ଶୂନ୍ ଶାନ୍ ହେବା ପରେ ନାଗେଶ୍ଵର ବାବୁ ଧୀରେ ଝରକା ଖୋଲି ଚାହିଁଲେ । ଅର୍ଚ୍ଚିତାକୁ ଦେଖି ଟିକେ ହସିଦେଲେ । ସମୀର୍ ମୋବାଇଲରୁ ଫୋନ୍ କରି କହିଲା "ହାଏ ସୁଇଟି,ବାବାଙ୍କର କଳ୍‌କୀ ଅବତାରର ଫଟୋ ଉଠେଇଲ ନା ନାଇଁ?"ଅର୍ଚ୍ଚିତା କହିଲା "ଚୁପ୍, ଶଶୁରଙ୍କୁ ଥଟ୍ଟା?"

ଏମିତି ସବୁଦିନିଆ ପାଲା ଓ ଲୋକଲଜ୍ୟାରୁ ତ୍ରାହି ପାଇବାପାଇଁ ସମୀର ଓ ଅର୍ଚ୍ଚିତା ଶେଷ ନିଷ୍ପତ୍ତି ନେଲେ । ବ୍ରିଫ୍ କେଶରେ ଲୁଗାପଟା ଦିଖଣ୍ଡ ଧରି ସମୀର୍ ସାଙ୍ଗରେ ଅର୍ଚ୍ଚିତା ହାଇଦ୍ରାବାଦ୍ ଚାଲିଗଲା । ଅର୍ଚ୍ଚତାର ବାବା ଫୋନରେ କହିଥିଲେ"ଅର୍ଚ୍ଚିତା,ଆଜିଠାରୁ ତୁ ମୋପାଇଁ ମରିଯାଇଛୁ । ମୋର କୌଣସି ଝିଅ ନଥିଲା ବା ନାହିଁ । ମୋ ସହିତ ଆଉ ସମ୍ପର୍କ ରଖିବାକୁ ଚେଷ୍ଟା କରିବୁନି । ଆଜିଠୁ ଦଶଦିନରେ ମୁଁ ତୋର କ୍ରିୟାକର୍ମ କରି ତତେ ଶୁଦ୍ଧ ହେଇଯିବି । "

ତା ପରଠାରୁ ପରିବାରର ସମସ୍ତଙ୍କ ପାଇଁ ସେ ଅସ୍ପୃଶ୍ୟ ହୋଇଗଲା । ବାବା,ମା ଭାଇ କେହି ତା ସହିତ ସମ୍ପର୍କ ରଖିଲେ ନାହିଁ । ରାଜୁ କାକା ଯାହା ବେଳେବେଳେ ଫୋନ୍ କରନ୍ତି,ଭଲ ମନ୍ଦ ବୁଝନ୍ତି । ବାବା-ମାମାଙ୍କର ଖବର ବି ଦିଅନ୍ତି । ସେମାନଙ୍କ ରାଗ ଶାନ୍ତ ହେଇନି ଏଯାଏ । କାକାଙ୍କୁ ଥରେ ପଚାରିଥିଲା ଅର୍ଚ୍ଚିତା "କାକା,ସତରେ କଣ ବାବା ମୋ କ୍ରିୟାକର୍ମ କରି ମତେ ଶୁଦ୍ଧ ହେଇଗଲେ?"ରାଜ କାକା କହିଥିଲେ "ଆରେ ନାଁ'ମ,ସେ ରାଗରେ ସେମିତି କହିଦେଇ ଥିଲେନା,ସତରେ କିଏ କଣ ସେମିତି କରିପାରିବ । "

ସେମାନଙ୍କ କଥା ବହୁତ ମନେପଡେ ଅର୍ଚ୍ଚିତାର । କିନ୍ତୁ କଣ କରିବ?ସମୀର୍ କିନ୍ତୁ ବଡ ସ୍ଵାଭିମାନ । ନିଜ ବାପାଙ୍କଠୁ ବି ସେ ଟଙ୍କାଟିଏ ସାହାଯ୍ୟ ନେଇନି । ହାଇଦ୍ରାବାଦ୍ ରେ ଆସବେସ୍ଟସ୍ କମ୍ପାନୀରେ ଛୋଟ ମୋଟ ଚାକିରିଟିଏ କରି ଅର୍ଚ୍ଚିତାକୁ ନିଜର ସାମର୍ଥ୍ୟ ଅନୁସାରେ ସୁଖୀ ରଖିବାକୁ ଚେଷ୍ଟା କରିଛି  । ସେ, ସବୁ ଚାହିଦା ମେଣ୍ଟେଇ ନପାରିଲେ ମଧ୍ୟ ଅର୍ଚ୍ଚିତାର ଦୁଃଖ ନାହିଁ । ଦୁଃଖ କେବଳ ଏତିକି ଯେ ନିଜ ପରିବାରଠୁ ଦୂରେଇ ରହି ସେମାନଙ୍କ ସ୍ନେହରୁ ବଞ୍ଚିତ ହୋଇଛି  । ସେଥିପାଇଁ କାକାଙ୍କୁ ଅନେକ ଥର କହିଛି ବାବାଙ୍କୁ ବୁଝେଇ ସୁଝେଇ ପରିସ୍ଥିତିକୁ ସାମାନ୍ୟ କରିବା ପାଇଁ ।

ରାଜୁ କାକା ଅର୍ଚ୍ଚିତାକୁ ଖୁବ୍ ଭଲ ପାଆନ୍ତି । ବାବାଙ୍କ ତଳ ଭାଇ ସେ । ରାଜନେତା । ଭୁବନେଶ୍ଵରରେ ରାଜନୈତିକ ମହଲରେ ଭଲ ଜଣାଶୁଣା ଲୋକ ସେ । ବାବା ତାଙ୍କ କଥାକୁ ସବୁବେଳେ ଗୁରୁତ୍ଵ ଦିଅନ୍ତି । ସେଇ ଏକା ସମସ୍ୟାର ସମାଧାନ କରିପାରିବେ ବୋଲି ଅର୍ଚ୍ଚିତାର ଦୃଢ ଧାରଣା ।

ହଠାତ୍ ଦିନେ ରାଜୁ କାକାଙ୍କ ପାଖରୁ ଫୋନ୍ ଆସିଲା "ମା ଅର୍ଚ୍ଚୁ, ବାବାଙ୍କ ସହିତ କଥା ହେଇଛି । ବହୁତ ବୁଝାଇବା ପରେ ସେ ସମୀରକୁ ଗ୍ରହଣ କରିବାକୁ ରାଜି ହୋଇଛନ୍ତି । କିନ୍ତୁ ତାଙ୍କର ଗୋଟିଏ ସର୍ତ୍ତ---ପାରମ୍ପରିକ ରୀତିରେ,ଆଉଥରେ ,ଯାକ ଯମକରେ ଆନୁଷ୍ଠାନିକ ଭାବରେ ବାହାଘର ହବ । ବନ୍ଧୁ,ବାନ୍ଧବ,ଜ୍ଞାତି,କୁଟୁମ୍ବ ସମସ୍ତେ ଆସିବେ । ଏକମାତ୍ର କନ୍ୟାର ବାହାଘର ଆଡମ୍ବରରେ କରିବାର ଯେଉଁ ସ୍ଵପ୍ନ ସେ ଦେଖିଥିଲେ,ତାକୁ ସେ ସାକାର କରିବାକୁ ଚାହାନ୍ତି । ତମର ଆର୍ଯ୍ୟ ସମାଜରେ ହୋଇଥିବା ବାହାଘରକୁ ସେ ମାନିବାକୁ ପ୍ରସ୍ତୁତ ନୁହନ୍ତି । ମୋ ମତରେ ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆମେ ତାଙ୍କ କଥା ମାନିନେବା ଉଚିତ୍ । ବାହାଘର ବରହମ୍ ପୁରରେ ନକରି ମୋ ଭୁବନେଶ୍ଵର ବସାରେ କଲେ ଠିକ୍ ହବ । "

କାକାଙ୍କ ଫୋନ୍ ପାଇ ଅର୍ଚ୍ଚିତା ଭାବପ୍ରବଣ ହୋଇ ଯାଇଥିଲା । ତାର ଇଚ୍ଛା ହେଲା କାକାଙ୍କ ପାଦ ତଳେ ମୁଣ୍ଡିଆ ମାରି ନିଜ ଅନ୍ତରର କୃତଜ୍ଞତା ଲୁହ ଆକାରରେ ତାଙ୍କ ପାଦ ଉପରେ ଢାଳିଦେବ । ସମୀର୍ କିନ୍ତୁ କଥାଟାକୁ ସହଜରେ ହଜମ କରିପାରିଲାନି । କହିଲା ଅର୍ଚ୍ଚୁ,ମୁଁ ତମ ବାବାଙ୍କୁ ଯେତିକି ଜାଣିଚି,ମୋର ସନ୍ଦେହ ଯେ ସେ ଆମକୁ ଏତେ ସହଜରେ ଗ୍ରହଣ କରିବେ । "

ଅର୍ଚ୍ଚିତା ବହୁତ୍ ବୁଝେଇଥିଲା ସମୀରକୁ  । କହିଥିଲା "ମୋର ବିଶ୍ଵାସ କାକା ସବୁ ସମସ୍ୟାର ସମାଧାନ କରିଦେଇ ପାରିବେ । ତାଙ୍କ ଆଡୁ ପ୍ରସ୍ତାବ ଆସିଛି ଯେତେବେଳେ,ଆମେ ପଛେଇ ଯିବା ଉଚିତ୍ ହବନି । "

ଶେଷରେ ସମୀର୍ ରାଜି ହେଇଥିଲା ।

ଭୁବନେଶ୍ଵରରେ ଗାଡି ଷ୍ଟେସନ୍ ରେ ଲାଗିବା ପୂର୍ବରୁ ସାମାନ୍ ପତ୍ର ବାନ୍ଧି ସାରିଥିଲା ସମୀର୍ । ଟ୍ରେନ୍ ରୁ ଓହ୍ଲେଇ ପ୍ଲାଟଫର୍ମରେ ଠିଆ ହୋଇଛନ୍ତି,ସେ ଆଡୁ ,ଦେଖିଲେ କାକା କ୍ଷୀପ୍ରଗତିରେ ଆସୁଛନ୍ତି । ତାଙ୍କ ପାଦ ଛୁଇଁଲେ ଅର୍ଚ୍ଚିତା ଓ ସମୀର୍ । ମଥାରେ ହାତ ରଖି କାକା କହିଲେ "ଥାଉ ବାବା ହେଲା । ଆସ । "

ଷ୍ଟେସନ୍ ରୁ କାର ପର୍ଯ୍ୟନ୍ତ ଯିବା ଭିତରେ କେତେ କଥା ସମୀରକୁ ପଚାରି ଚାଲିଥିଲେ କାକା "କଣ ବାବା,ଟ୍ରେନ୍ ରେ କିଛି ଅସୁବିଧା ହେଇନି ତ?ଖାଇବା ପିଇବା କେମିତି ଥିଲା?ଦେହ ପା ହାଇଦ୍ରାବାଦରେ ଭଲ ରହୁଚିତ?"..ଇତ୍ୟାଦି ଇତ୍ୟାଦି । ସମୀର୍ ମନରୁ ସବୁ ଆଶଂକା ଦୂର ହୋଇ ଯାଉଥିଲା । କାକାଙ୍କ ପାଖରେ ଧୀରେ ଧୀରେ ଖୋଲା ଓ ସହଜ ହୋଇ ଉଠୁଥିଲା ସେ ।

କାର୍ ଉଇଣ୍ଡୋରେ ବାହାରକୁ ଚାହିଁଲା ଅର୍ଚ୍ଚିତା--ଶୀତୁଆ ସକାଳ,ଧୀରେ ଧୀରେ କୁହୁଡି ଅପସରି ଯାଉଥିଲା । ଆଶଂକାର କୁହୁଡି ମଧ୍ୟ ଅର୍ଚ୍ଚିତା ମନରୁ ଧୀରେ ଧୀରେ ଉଭେଇ ଯାଉଥିଲା

ରାଜୁ କାକାଙ୍କ ବଙ୍ଗଳା ଘରର ବିଶାଳ ଲୁହା ଗେଟ୍ ପାର୍ ହୋଇ କାର୍ ବାରଣ୍ଡା ପାଖରେ ଲାଗିଲା । ସଙ୍ଗେ ସଙ୍ଗେ ଦରଓ୍ବାନ ଲୁହା ଗେଟ ବନ୍ଦ୍ କରିଦେଲା । କାର୍ ରୁ ଓହ୍ଲେଇ ବାରଣ୍ଡା ଉପରକୁ ଉଠୁ ଉଠୁ ଚମକି ପଡିଲା ଅର୍ଚ୍ଚିତା । ଷଣ୍ଢ ମାର୍କା ଚାରିଟା ଗୁଣ୍ଡା ବାରଣ୍ଡାରେ ବସିଥିଲେ । ସମସ୍ତଙ୍କ ହାତରେ ଭୂଜାଲି । କିଛି ବୁଝିପାରିବା ପୂର୍ବରୁ କାକା କହିଲେ "ଅର୍ଚ୍ଚୁ,ତୁ ଭିତରକୁ ଯା' ମା । ଏ ରାସ୍କେଲର ଖବର ମୁଁ ନଉଚି । "ତାପରେ ଆରମ୍ଭ ହେଲା ସମୀର୍ ଉପରେ ଗାଳି ଓ ମାଡ । ଗାଲରେ,ପିଠିରେ,ମୁଣ୍ଡରେ ଚାଲିଥାଏ କକେଇଙ୍କର ନିରନ୍ତର ଚାପୁଡା,ବିଧା,ଗୋଇଠା ଏବଂ ପାଟିରୁ ଛୁଟୁଥାଏ ଗାଳିର ବାଟୁଳି- "ବାଷ୍ଟାର୍ଡ,କଣ ଭାବିଥିଲୁ?ଅନାର୍ଯ୍ୟ,ଅଭଦ୍ର,ଲଙ୍କା ହାଡି(ଏହାର ଅର୍ଥ କେବଳ କକାଙ୍କୁ ଜଣା)କୋଉଠିକାର । ଏତେ ସାହସ୍ ତୋର?ଚିହ୍ନିନୁ ତୁ ରାଜୁ ଉପାଧ୍ୟାୟକୁ?ଯା'ନାଁ ଶୁଣିଲେ ମନ୍ତ୍ରୀଙ୍କର ପାଇଜାମା ଓଦା ହେଇଯାଏ,ତା ଝିଆରୀକି ଉଡେଇ ନବୁ,ଏଡେ ସାହସ ତୋର?"

ଅର୍ଚ୍ଚିତା ବାଧା ଦବାକୁ ଚେଷ୍ଟାକଲା । ହେଲେ ଦୁଇଜଣ ଆସି ତାକୁ ଟାଣି ନେଇଗଲେ । ମାଡ ବସି ଚାଲିଥାଏ ସମୀର୍ ଉପରେ । ରାଜୁ କାକା ହାଲିଆ ହୋଇଯିବା ପରେ ଭଡାଟିଆ ଗୁଣ୍ଡାମାନେ ପାଳି କରି ଜଣକ ପରେ ଜଣେ କୁଟି ଚାଲିଥାନ୍ତି ।  ବାହାର ଲୋକ ଜାଣିବାର ଯୁ ନାହିଁ । ଘର ଚାରିପଟେ ବିରାଟ ମେଘନାଦ ପାଚେରି । ଭିତରର ପାଟିତୁଣ୍ଡ ବାହାରକୁ ଶୁଣାଯିବ ନାହିଁ ।

ଅର୍ଚ୍ଚିତା ପାଟି କରୁଥାଏ "ତାଙ୍କୁ ମାରନି,ଛାଡିଦିଅ ତାଙ୍କୁ । ତାଙ୍କର କିଛି ଭୁଲ ନାହିଁ । ସବୁ ଦୋଷ ମୋର । "କିନ୍ତୁ କେହି ଶୁଣିଲେନି ।

ଘର ଭିତରେ ବାବା,ମାମାଙ୍କୁ ଦେଖି ସବୁ ବୁଝିଗଲା ଅର୍ଚ୍ଚିତା । ବୁଝିଗଲା ଯେ ସେ ଚକ୍ରାନ୍ତର ଚକ୍ରବ୍ୟୁହ ଭିତରେ ଫଶି ଯାଇଛି ।  ଚିଲ୍ଲେଇଲା ଅର୍ଚ୍ଚିତା"ବାବା,ମାମା,ତମେ ଏମିତି ନିର୍ଦ୍ଦୟ କେମିତି ହେଇପାରିଲ?ବଂଶ ଅଭିମାନ ନାଁରେ ନିଜ ସନ୍ତାନକୁ କିଏ କଣ ଏମିତି ବଳି ଦେଇପାରେ?ତାଙ୍କୁ ମାରନି,ଛାଡିଦିଅ । ନେହୁରା ହଉଚି,ଗୋଡ ଧରୁଚି,ଛାଡିଦିଅ । ଆମେ ଚାଲିଯିବୁ । ଦୂରକୁ,ବହୁ ଦୂରକୁ । ଦିନେ ବି ତୁମ ମାନଙ୍କ ଆଗରେ ମୁହଁ ଦେଖେଇବୁନି । "ବାବା,ମାମାଙ୍କ ଗୋଡ ଧରି ନେହୁରା ହେଲା ଅର୍ଚ୍ଚିତା । ଆଖିରୁ ବୋହି ଯାଉଥାଏ ଧାର ଧାର ଲୁହ ।

ଅର୍ଚ୍ଚିତାର ବାବା ଚିତ୍କାର କରୁଥାନ୍ତି "ଚୁପକର୍ ଦୁଶ୍ଚରିତ୍ରା । ତୋ ପାଇଁ ମୁଁ ମୁହଁ ଟେକି ବାଟ ଚାଲି ପାରୁନି । ବନ୍ଧୁ,ବାନ୍ଧବ,ଜ୍ଞାତି,କୁଟୁମ୍ବଙ୍କ ଦୁଆର ପଡିଲା ତୋ ସକାଶେ । "

ଅର୍ଚ୍ଚିତା କହିଲା " ବେଶ୍ ଆମକୁ ଆମ ହାଲ୍ ରେ ଛିଡି ଦିଅ । ମୋ ପାଇଁ ଯେବେ ତୁମର ଏତେ ବଦନାମ,ମୋ ସହିତ ସମ୍ପର୍କ ରଖନି । କିନ୍ତୁ ତାଙ୍କର କିଛି କ୍ଷତି କରନି ? ଆମେ ଚାଲିଯିବୁ । ତାଙ୍କୁ ଛାଡିଦିଅ ବାବା । "

ଶୁଣିଲେନି କେହି । ରାଜୁ କାକା ଘର ଭିତରକୁ ପଶିଆସି କହିଲେ "ତୁ ଯଦି ତା ସହିତ ସବୁ ସମ୍ପର୍କ ତୁଟେଇ ଦବୁ,ତାହେଲେ ତାକୁ ନମାରି ଛାଡି ଦିଆଯିବ । ଏବେ ତା ଜୀବନ ତୋ ହାତରେ । ତୁ ନିଷ୍ପତ୍ତି କର । "

ଡରିଯାଇଥିଲା ଅର୍ଚ୍ଚିତା । ସମୀରର ଜୀବନ ରକ୍ଷାପାଇଁ କହିଥିଲା "ଠିକ୍ ଅଛି କାକା । ମୁଁ କିଛି ସମ୍ପର୍କ ରଖିବିନି । ତମେ ତାଙ୍କୁ ଛାଡିଦିଅ । ତାଙ୍କର କିଛି କ୍ଷତି କରନି । "

ତାପରେ ସବୁ ଶାନ୍ତ ପଡିଯାଇଥିଲା । ବାହାରକୁ ଆସି ଅର୍ଚ୍ଚିତା ଦେଖିଲା,କେହି ନହାନ୍ତି । ନା ଅଛନ୍ତି ଗୁଣ୍ଡାମାନେ,ନା ଅଛି ସମୀର୍ । ପେଟ ତାର ଆଉଟି ହୋଇଗଲା । ଅନ୍ତ ଦୁହିଁ ହୋଇଗଲା । କ'ଣ କଲା ସେ ନିଜେ?ଜାଣୁ ଜାଣୁ ମରଣ ମୁହଁକୁ ଠେଲିଦେଲା ସମୀରକୁ! ଚକ୍ରବ୍ୟୁହ ଭିତରକୁ ପଠେଇ ଦେଲା?

କପଟପାଶାରେ ପରାଜିତା କୃଷ୍ଣାର ଗ୍ଲାନୀ ତା ମନକୁ ଯାବୁଡି ଧରିଲା । ତାର ଆତ୍ମ ସମ୍ମାନକୁ ନଗ୍ନକରି ଧର୍ଷଣ କରିଥିବା ପିତା,ପିତାମହଙ୍କ ପ୍ରତି ଘୃଣାରେ ତାର ଅନ୍ତରାତ୍ମା ଭରିଗଲା । ବିଶ୍ଵାସକୁ ଯୂପ ପଶୁ ପରି ଏପରି ନିର୍ମମ ଭାବରେ ହତ୍ୟା କରିଥିବା ଘାତକ ମାନଙ୍କୁ ସେ ଅବିଶ୍ଵାସ ପୂର୍ଣ୍ଣ ଆଖିରେ ଚାହିଁ ରହିଥିଲା । ଚିତ୍କାର କରୁଥିଲା ସେ । କର୍ଣ୍ଣ ଫଟା ସେ ଚିତ୍କାର । ଧର୍ଷିତା ହୋଇ ସର୍ବସ୍ଵ ହରାଇଥିବା ନାରୀ ମନର ସେ ଚିତ୍କାର ।

ତାପରେ ବହୁତ ଖୋଜିଲା ସେ ସମୀରକୁ । ପୋଲିସ୍ ଆସି ପଚରା ଉଚୁରା କଲେ ବାବା ଓ ରାଜୁ କାକାଙ୍କୁ । କିଛି ଫଳ ହେଲାନାହିଁ । ପୋଲିସ୍ ଫାଇଲ୍ ଗଦା ଭିତରେ ହଜିଗଲା ତା ଚିତ୍କାର । ବରହମପୁର୍ ଯାଇ ଖୋଜିଲା । ନାଗେଶ୍ଵର ବାବୁଙ୍କ ଘରେ ଝୁଲୁଥିଲା ସେଭେନ୍ ଲିଭର୍ ଗଡରେଜ୍ ତାଲା । ସତେ ଅବା ରାଓ ପରିବାର ସୂକ୍ଷ୍ମ ପବନରେ ମିଳେଇଗଲେ ।

ସମସ୍ତଙ୍କୁ ଛାଡିଦେଇଛି ଅର୍ଚ୍ଚିତା । କାହା ସହିତ ସମ୍ପର୍କ ରଖିନି । ଛୋଟ ଚାକିରିଟିଏ କରି ନିଜେ ଯେତିକି ରୋଜଗାର କରିଛି,ସେଥିରେ ନିଜକୁ ବଞ୍ଚେଇ ରଖିଛି ସେ । ସମୀରକୁ ଖୋଜି ଚାଲିଛି । ପାଇନି କେଉଁଠି । ତଥାପି ଆଶା ରଖିଛି,ଦିନେ ଆସି ସମୀର୍ କହିବ " ମୁଁ ବଞ୍ଚିଚି ଅର୍ଚ୍ଚୁ,ଚକ୍ରବ୍ୟୁହରୁ ମୁଁ ଫେରି ଆସିଛି ।  "

ଥରେ ରାଜୁ କାକା ଫୋନ୍ କଲେ "ବିଶ୍ଵାସ କର୍ ମା ଅର୍ଚ୍ଚିତା, ଆମେ ଯାହା କରିଚୁ,ସବୁ ତୋ ମଙ୍ଗଳ ପାଇଁ । ଭଲ ପ୍ରସ୍ତାବଟିଏ ଅଛି,ଓଡିଆ ବ୍ରାହ୍ମଣ । କାଲିଫର୍ଣ୍ଣିଆରେ ଚାକିରି କରିଚି । ତୁ ରାଜିହେଲେ ଆସନ୍ତା ତିଥିରେ ବାହାଘର କରିଦବା । ଭଲରେ ରହିବୁ ମା । "

ଅର୍ଚ୍ଚିତା କହିଲା "ବିଶ୍ଵାସକୁ ତମେ ନିର୍ମମ ଭାବରେ ହତ୍ୟା କରିବା ପରେ ,ପୁଣି ବିଶ୍ଵାସର ଦ୍ଵାହି କେମିତି ଦେଇ ପାରୁଛ କାକା?ଆଉ ମୋ ବାହାଘର କଥା କହୁଚ?ଯିଏ ଥରେ ବାହା ହେଇ ସାରିଛି,ସେ ପୁଣି ଥରେ କେମିତି ବାହାହବ?ତମେ ସିନା କପଟପାଶା ଖେଳି ମୋ ଆତ୍ମସମ୍ମାନ ଓ ନାରୀତ୍ଵକୁ ନଗ୍ନ କରି ବିଚ୍ ବଜାରରେ ନିଲାମ କଲ,ମୁଁ କିନ୍ତୁ ତୁମ ଇଚ୍ଛା ଅନୁଯାୟୀ ପାଞ୍ଚ ପତି ବରଣ କରି ପାରିବି ନାହିଁ । ଆଉ ଫୋନ୍ କରି ସମ୍ପର୍କ ଜାହିର୍ କରିବାକୁ ଚେଷ୍ଟା କରିବନି କାକା । ମୁଁ ତୁମ ମାନଙ୍କ ପାଇଁ ମୃତ । ଦୟାକରି ମୋର ମୃତ୍ୟୁ କ୍ରିୟାକର୍ମ ଶେଷ କରି ମତେ ଶୁଦ୍ଧ ହୋଇଯାଅ । "(ଏକ ସତ୍ୟ ଘଟଣାର ଛାୟାରେ ଲିଖିତ)


Rate this content
Log in

Similar oriya story from Tragedy