Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sushama Parija

Tragedy

2.3  

sushama Parija

Tragedy

ଅଭିମାନିନୀର ଅଦେଖା ଲୁହ

ଅଭିମାନିନୀର ଅଦେଖା ଲୁହ

12 mins
7.2K


ଅଭିମାନିନୀର ଅଦେଖା ଲୁହ

----------------------------

ତିନି ଦିନ ହେଲାଣି ଲଗାଣ ବର୍ଷା ଲାଗି ରହିଛି , ନା ଘରୁ ବାହାରି ହେଉଛି ନା ବାହାରୁ କେହି କେହି ଘରକୁ ଆସି ପାରୁଛନ୍ତି । କଟକ ସହର ଯେମିତି ବନ୍ୟା ପ୍ଳାବିତ କୋଉ ବୁଡି ଅଞ୍ଚଳର ଗାଁ ଟିଏ ଭଳି ଜଳାର୍ଣ୍ଣବ ହୋଇଛି । ଚାରିଆଡ଼େ ଖାଲି ପାଣି ଆଉ ପାଣି। ଘରେ ବସି ବସି ଟି ଭି ଦେଖି ଦେଖି ଅଣ୍ଟା କଟକଟ ଡାକିଲାଣି ଶରତ ବାବୁଙ୍କର । ପ୍ରତିଦିନ ସକାଳୁ ସେ ବାହାରି ଯାଆନ୍ତି ମର୍ଣିଂୱାକ୍ ରେ ,ସାଙ୍ଗସାଥୀ ମାନଙ୍କ ସହିତ ଗପସପ କରି କରି, ପରିବା ପତ୍ର କିଣା କିଣି କରି ଘରକୁ ଫେରିଲା ବେଳକୁ ଦିନ ନଅଟା କି ଦଶଟା ବାଜେ । ପ୍ରଭାମୟୀ ତାଙ୍କର ନିତ୍ୟକର୍ମ ସାରି ପୂଜା ପାଠରେ ଲାଗି ଥାଆନ୍ତି । ସେ ଫେରିବା ପରେ ଦୁହେଁ

ସାଙ୍ଗହୋଇ ଚାହା ଜଳଖିଆ ଖାଆନ୍ତି । ସେଇଠୁ ଆରମ୍ଭ ହୁଏ ରୋଷେଇ । ପ୍ରଭାମୟୀ ପରିବା ପତ୍ର କଟାକଟି କରୁଥିବାବେଳେ ଶରତବାବୁ ଶାଗ ଦି'ଟା ବାଛି ଦିଅନ୍ତି ନହେଲେ ପରିବା କଟାରେ ତାଙ୍କୁ ଟିକେ ସାହାଯ୍ୟ କରନ୍ତି , ରୋଷେଇ ସରିଗଲେ ଦୁହେଁ ବସି ଟିଭି ଦେଖନ୍ତି । ଖାଇବା ସମୟ ହେଲେ ଦୁହେଁ ଏକାଠି ଖିଆପିଆ ସାରି ବିଶ୍ରାମ କରନ୍ତି , ପୁଣି ସନ୍ଧ୍ୟା ବେଳକୁ ଶରତବାବୁ ବାହାରି ଯାଆନ୍ତି ବାହାରକୁ । ଦି'ଘେରା ବାହାରେ ବୁଲାବୁଲି କରି ଆସିଲେ ସମୟଟା କଟିଯାଏ ।

ଚାକିରୀ ଥିବା ଯାଏଁ ଦଣ୍ଡେ ହେଲେ ବି ସମୟ ମିଳୁନଥିଲା ତାଙ୍କୁ । ସକାଳ ନଅଟା ବେଳେ ଘରୁ ବାହାରି ଯାଉଥିଲେ ଯେ ଫେରୁଥିଲେ ରାତି ନଅଟା କି ଦଶଟା ବେଳକୁ । ପ୍ରଭାମୟୀ ସବୁବେଳେ ଅଭିଯୋଗ କରୁଥିଲେ '' ମତେ ନହେଲେ ନାହିଁ, ଘରକୁ କି ପିଲାମାନଙ୍କୁ ଟିକିଏ ସମୟ ଦଉନ, ଖାଲି ଅଫିସ୍ ଅଫିସ୍ ହୋଇ ଧାଇଁଛ । ତମ ଅଫିସ୍ ଟା ମୋ ସଉତୁଣୀ ହୋଇ ବାଦ ସାଧୁଛି, ନା ତମକୁ ମୋତେ କୁଆଡେ ଟିକେ ବୁଲେଇ ନେବାକୁ ଫୁରସତ୍ ଅଛି ନା ମୋ ସହିତ ଦି'ପଦ କଥା କହିବାକୁ । ଘରକୁ ଫେରି ଖାଇବସିଲା ବେଳକୁ ପିଲାଙ୍କ କଥା ପଚାରୁଛ ଆଉ ଯାଇ ଶୋଇ ପଡୁଛ '' । ତାଙ୍କର ଏମିତି ଅଭିମାନିଆଁ କଥାରେ ନଇଁ ଯାଉଥିଲା ଶରତବାବୁଙ୍କ ମନ । ସରାଗରେ ପ୍ରଭାମୟୀଙ୍କୁ କୋଳେଇ ନେଇ ସେ କହୁଥିଲେ '' ଏତେ କଷ୍ଟ ମୁଁ କାହା ପାଇଁ କରୁଛି ? ତମ ପାଇଁ, ଆମ ପିଲାଙ୍କ ପାଇଁ ନା । କେମିତି ସେମାନେ ଭଲ ଖାଇବେ, ଭଲ ପିନ୍ଧିବେ , ଭଲ ପାଠଶାଠ ପଢି ଭଲ ମଣିଷଟିଏ ହେବେ ସେଇଥିଲାଗି ସବୁ ଚେଷ୍ଟା । ନହେଲେ ମତେ କ'ଣ ସଉକି କରିବାକୁ ଇଚ୍ଛା ନାହିଁ । ଆମ ପ୍ରାଚୀକୁ ଆସି ଦଶ ବର୍ଷ ହେଲାଣି, ପ୍ରଦୀପକୁ ସାତ ବର୍ଷ । କାଲି ସକାଳୁ ସେମାନେ ବଡ ହୋଇ ବଡ ସ୍କୁଲ କଲେଜରେ ପଢିବେ ଖର୍ଚ୍ଚ ଲାଗିବ ନା ନାହିଁ , କୁଆଡୁ ଆସିବ ସେ ଟଙ୍କା ? କାଲିକି ଆମେ ପ୍ରାଚୀକୁ ଭଲ ଘରବର ଦେଖି ବାହାଘର କରିବା କି ନାହିଁ ? ସବୁ କଥା ପାଇଁ ଆହୁରି ଅନେକ ଟଙ୍କା ଦରକାର, ସେଇଥିଲାଗି ମୁଁ ଅଫିସ୍ ରେ ଓଭରଟାଇମ୍ କରେ । ଚାକିରୀ କରିବାର ଦଶବର୍ଷ ହେଲାଣି ଆମେ ଏମିତି ଭଡାଘର ନେଇ ରହୁଛେ, ସବୁଦିନେ କ'ଣ ଏମିତି ଭଡା ଘରେ ରହୁଥିବା ? ନିଜ ମୁଣ୍ଡ ଗୁଞ୍ଜିବାକୁ ବାସ ଖଣ୍ଡେ କରିବା କି ନାହିଁ '' ? ଶରତବାବୁଙ୍କ କଥା ଶୁଣି ପ୍ରଭାମୟୀଙ୍କର ଆଖି ଛଳଛଳ ହୋଇ ଯାଉଥିଲା । ସ୍ବାମୀଙ୍କ ଉପରେ କିଛି ନ ବୁଝି ନ ଶୁଝି ଅଭିମାନ କରୁଥିବାରୁ ନିଜକୁ ଦୋଷୀ ଦୋଷୀ ଲାଗୁଥିଲା । କେତେ ଆଗକୁ ଆଗକୁ ଭାବି ସ୍ବାମୀ ତାଙ୍କର କେତେ କଷ୍ଟ କରୁଛନ୍ତି ଆଉ ସେ ଏମିତି

ଅଭିମାନିଆଁ କଥା କହି ତାଙ୍କର ମନରେ ଦୁଃଖ ଦେଇଛନ୍ତି । ସେ ବୁଝି ଗଲେ ଯେ ତାଙ୍କ ସଉତୁଣୀ ଶରତବାବୁଙ୍କ ଅଫିସ୍ ନୁହେଁ ବରଂ ତାଙ୍କ ନିଅଣ୍ଟିଆ ପରିସ୍ଥିତି । ତା' ପରେ ସେ ଆଉ କେବେବି ପ୍ରତିବାଦ କରି ନାହାଁନ୍ତି ।

ପିଲା ଦି'ଜଣ ଯାକ ଧୀରେ ଧୀରେ ବଡ ହୋଇ ସ୍କୁଲ ଛାଡି କଲେଜରେ ନାମ ଲେଖାଇଥିଲେ । ଶରତବାବୁ ଏଥିମଧ୍ୟରେ କଟକରେ ଛୋଟ ଜାଗା ଖଣ୍ଡିଏ କିଣି ଘର ତିଆରି କରିବା ଆରମ୍ଭ କରିଥିଲେ । ବଡ ଝିଅ ପ୍ରାଚୀ ଖୁବ୍ ଭଲ ପଢୁଥିଲା, ସ୍କୁଲ ସମୟରୁ ବୃତ୍ତି ପାଇ ଆସୁଥିଲା, ମାଟ୍ରିକ୍ ପରୀକ୍ଷାରେ ପ୍ରଥମ ଶହେ ଜଣଙ୍କ ଭିତରେ ସ୍ଥାନ ପାଇଥିବାରୁ ସେଥିଲାଗି ମଧ୍ୟ ବୃତ୍ତି ପାଇ ରେଭେନ୍ସା କଲେଜରେ ବିଜ୍ଞାନ ପଢିଲା । ସ୍ୱଭାବରେ ଖୁବ୍ ଧୀରସ୍ଥିର ଓ ଅମାୟିକ ବ୍ୟବହାର ଯୋଗୁ ସେ ସମସ୍ତଙ୍କର ପ୍ରିୟପାତ୍ର ହୋଇ ପାରିଥିଲା । ତା'ର ସୁଗୁଣ ଦେଖି ଅନେକ ଧନୀ ଘରର ଝିଅମାନେ ମଧ୍ୟ ତା'ର ସାଙ୍ଗ ହେଉଥିଲେ । ଦେଖିବାକୁ ଖୁବ୍ ସୁନ୍ଦର ନହେଲେ ବି ଅସୁନ୍ଦରୀ ନଥିଲା ପ୍ରାଚୀ। ଶରତବାବୁ ଙ୍କ ନିରସା ରଙ୍ଗ ସହିତ ପ୍ରଭାମୟୀଙ୍କର ସୁନ୍ଦର ଗଢଣ ଆଣିଥିଲା ସେ। ତା'ର ବଡ ବଡ ଆଖି ଦୁଇଟି କୁ ତା' ମୁହଁରେ ସବୁବେଳେ ଲାଖି ରହିଥିବା ହସଧାରକ ଖୁବ୍ ମାଗୁଥିଲା ।

ତା'ର ମେଳାପୀ ଗୁଣରେ ସେ ସାଇପଡିଶାରେ ସମସ୍ତଙ୍କୁ ଆପଣାର କରି ନେଇଥିଲା । ପ୍ଲସ଼୍ ଟୁ ପରେ ବି ଏସ୍ ସି ପଢିଲା ବେଳକୁ ତା' ପାଇଁ ଅନେକ ବାହାଘର ପ୍ରସ୍ତାବ ଅଜାଡି ହୋଇ ପଡିଥିଲା ଶରତବାବୁ ଙ୍କ ପାଖରେ । ଜଣେ ପଡ଼ୋଶୀଙ୍କ ପାରିବାରିକ ବନ୍ଧୁ ଙ୍କ ଭିତରେ ଜଣେ ଥିଲେ ଭାଗବତ ବାବୁ । ସେ ଥିଲେ ଜଣେ ସରକାରୀ କର୍ମଚାରୀ । ଥରେ ଜନଗଣନା କାର୍ଯ୍ୟକ୍ରମ ରେ ସେ ପହଞ୍ଚିଥିଲେ ସେଠାରେ । ସାହି ଗୋଟାକର ଲୋକଙ୍କ ଘରର ସଂପୂର୍ଣ୍ଣ ଲିଷ୍ଟ୍ ତିଆରି କରିବାରେ ତାଙ୍କୁ ସାହାଯ୍ୟ କରିଥିଲା ପ୍ରାଚୀ । ସେଇ ସମୟରେ ପ୍ରାଚୀ ଭିତରେ କ'ଣ ଦେଖିଥିଲେ ସେ ଭଦ୍ରଲୋକ କେଜାଣି , ସପ୍ତାହକ ପରେ ସସ୍ତ୍ରୀକ ଆସି ପହଞ୍ଚିଲେ ଶରତବାବୁ ଙ୍କ ଘରେ । ଏକା ଜିଦ୍ କଲେ ପ୍ରାଚୀ କୁ ତାଙ୍କର ଏକମାତ୍ର ପୁତ୍ର ପାଇଁ ବୋହୂ କରି ନେବେ । କଥା ରେ କଥା ରେ ଜଣାଇ ଦେଲେ ଯେ ତାଙ୍କର ତିନି ଝିଅ ରେ ଏକ ମାତ୍ର ପୁଅ ସୁଶାନ୍ତ, ସେ ଗ୍ରାଜୁଏସନ ପରେ ଓକିଲାତି ପାଶ୍ କରିଛି କିନ୍ତୁ ତା' ର ଚାକିରୀ କରିବାକୁ ଆଗ୍ରହ ନ ଥିବା ହେତୁ ଚାକିରୀ ନକରି ବ୍ୟବସାୟ କରୁଛି । କଟକ ସହର ଭିତରେ ତାଙ୍କର ନିଜର ତିନି ମହଲା କୋଠାଟିଏ ଅଛି, ଆହୁରି ମଧ୍ୟ କିଛି ଘରଭଡ଼ା ଲାଗିଛି ଯେଉଁଥିରୁ ପ୍ରାୟ ଷାଠିଏ ସତୁରି ହଜାର ଘରଭଡ଼ା ମିଳେ , ତିନି ଝିଅ ଙ୍କୁ ଭଲ ଘରବର ଦେଖି ବାହାତୋଳା କରି ସାରିଛନ୍ତି, ଘରେ ଖାଲି ବୁଢା ବୁଢୀ ଦୁଇଜଣ । ତାଙ୍କର ନିଜର ଚାକିରୀ ଅଛି ଆଉ ଛଅ ବର୍ଷ । ଠାକୁରେ କେଉଁଥିରେ ଅଭାବ ରଖି ନାହାଁନ୍ତି ତାଙ୍କର, ସେ ଖାଲି ଚାହାଁନ୍ତି ଗୁଣର ଝିଅ ଟିଏ ଯେ ତାଙ୍କର ପୁଅର ଆଉ ସେମାନଙ୍କର ଯତ୍ନ ନେବା ସହିତ ତାଙ୍କର ସଂପତ୍ତି ର ସୁଚାରୁରୂପେ ରକ୍ଷଣାବେକ୍ଷଣ କରିବ । ସେ ଅନେକ ଯାଗା ବୁଝିଛନ୍ତି, ଅନେକ ଝିଅ ଦେଖିଛନ୍ତି ହେଲେ ପ୍ରାଚୀ କୁ ଦେଖିଲାବେଳୁ ତାଙ୍କର ମନେ ହେଉଛି ଯେ ଏଇ ଝିଅଟି ହିଁତାଙ୍କର ବୋହୂ ହେବାକୁ ଶତକଡା ଶହେ ଭାଗ ଯୋଗ୍ୟ ।

କାବା କାଠ ହୋଇ ଶୁଣୁଥାନ୍ତି ଶରତବାବୁ ଆଉ ପ୍ରଭାମୟୀ । ଏହି ସମୟ ମଧ୍ୟରେ କଲେଜରୁ ଫେରି ଆସିଥାଏ ପ୍ରାଚୀ। ଘରେ କିଛି ଗୁରୁଜନଙ୍କୁ ଦେଖି ପାଦ ସ୍ପର୍ଶ କରି ମୁଣ୍ଡିଆ ମାରି ସ୍ୱାଭାବିକ ଢଙ୍ଗରେ ସେ

ରୋଷେଇ ଘର ଭିତରକୁ ପଶି ଚାହା ଚାରି କପ୍ କରି ଦେଇଗଲା ସେମାନଙ୍କୁ । ପଡୋଶୀନୀ ମାଉସୀ ଙ୍କୁ କହିଦେଇଗଲା ଯେ ସେ ଗରମାଗରମ ପକୁଡ଼ି ଦି'ଟା ଛାଣି କି ଆଣିବାକୁ ଯାଉଛି କେହି ଯେମିତି କୁଆଡ ନଯାଆନ୍ତି , ପ୍ରାଚୀ ର ଆତ୍ମୀୟତା ଭରା ବ୍ୟବହାର ଦେଖି ମୁଗ୍ଧ ହେଉଥାନ୍ତି ଭାଗବତ ବାବୁ ଆଉ ତାଙ୍କର ପତ୍ନୀ । ଶରତବାବୁ ଙ୍କ ଇତଃସ୍ତତ ଭାବ ଓ ପ୍ରଭାମୟୀଙ୍କର ପ୍ରଶ୍ନିଳ ଦୃଷ୍ଟି କୁ ଚାହିଁ କହିଲେ ଭାଗବତ ବାବୁ '' ଆପଣ ମୋଟେ ବ୍ୟସ୍ତ ହେବେନି ଆଜ୍ଞା , ମୁଁ ଏଇ ସାଙ୍ଗେସାଙ୍ଗେ ବାହାଘର କରିବାକୁ କହୁନି, ଆଗ ପ୍ରାଚୀର ଫାଇନାଲ୍ ପରୀକ୍ଷା ସରୁ, ତା'ପରେ ଆମେ ଭଲ ତିଥି ବାର ନକ୍ଷତ୍ର ଦେଖି ସେ ସବୁ କଥା ଠିକ୍ କରିବା । ଆଉ ଗୋଟିଏ କଥା ମୁଁ ଯୌତୁକର ଘୋର ବିରୋଧୀ, ତେଣୁକରି ଆପଣଙ୍କ ଝିଅ କୁ ଖାଲି ଶାଢୀ ଶଙ୍ଖା ସିନ୍ଦୂର ସହିତ ବୋହୂ କରି ଘରକୁ ନେବି , ଆଉ କିଛି ଦରକାର ନାହିଁ ମୋର'' । ସ୍ଥାଣୁ ହୋଇ ବସି ରହିଥିଲେ ଶରତବାବୁ ଏବଂ ପ୍ରଭାମୟୀ, କ'ଣ କହିବେ, କ'ଣ କରିବେ କିଛି ତାଙ୍କର ମୁଣ୍ଡରେ ପଶୁନଥିଲା । ଅଠର ପୁରି

ଊଣେଇଶି ଚାଲୁଛି ପ୍ରାଚୀକୁ । କେମିତି ଏତେ ଛୋଟ ଛୁଆଟିକୁ ସଂସାର ଜଞ୍ଜାଳ ରେ ଠେଲି ଦେବେ ? ତା'ର ଖେଳିବା ବୁଲିବା ବୟସରେ ତା' ମୁଣ୍ଡରେ ଗୋଟାଏ ପରିବାରର ଗୁରୁ ଦାୟିତ୍ବ ଲଦି ଦେବେ। ସେପଟେ ମନରେ ଲୋଭ ଆସୁଥିଲା । ସେ ଚାହିଁଲେ କି ଖୋଜି ଖୋଜି ଥକିଲେ ମଧ୍ୟ ଏମିତିକା ଭଲ ପ୍ରସ୍ତାବଟିଏ ପାଇବେନି । ନିମ୍ନମଧ୍ୟବିତ୍ତ ପରିବାରରେ ବିନା ଯୌତୁକରେ ଏମିତି ପ୍ରସ୍ତାବଟିଏ ପାଇବା

ଭାଗ୍ୟରେ ଥିଲେ ମିଳେ । ତା'କୁ ହାତଛଡ଼ା କରିବା ବୁଦ୍ଧିମାନର କାମ ହେବନାହିଁ । ଏମିତି ଦୋଦୁଲ୍ୟମାନ

ଅବସ୍ଥାରେ ପଡି ସେମାନେ ଚିନ୍ତା କରିବା ଲାଗି କିଛିଦିନ ସମୟ ମାଗିଲେ ଭାଗବତ ବାବୁଙ୍କୁ । ଖୁସିରେ ଆତ୍ମହରା ହୋଇ ଭାଗବତ ବାବୁ କୁଣ୍ଢାଇ ପକାଇଥିଲେ ଶରତବାବୁଙ୍କୁ । କହିଲେ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ଆପଣଙ୍କୁ ସମୁଦି ଭାବେ ପାଇବା ଲାଗି । ମୁଁ ଭଲ ଭାବରେ ଜାଣିଛି ପ୍ରାଚୀ ନିଶ୍ଚୟ ମୋର ବୋହୂ ହେବ ତଥାପି ଆପଣଙ୍କ ' ହଁ ' କୁ ଅପେକ୍ଷା କରି ରହିବି ।

ଶରତବାବୁ ତାଙ୍କର ଶୁଭାକାଂକ୍ଷୀ ମାନଙ୍କ ସହିତ ପରାମର୍ଶ କଲେ, ଥୋକାଏ ବାହାଘର ସପକ୍ଷରେ ତ ଆଉ ଥୋକେ ବାହାଘର ବିପକ୍ଷରେ କହିଲେ । ସବୁ ଆଡ଼କୁ ବହୁତ ଭାବି ଚିନ୍ତି ଶେଷରେ ଦୁଇ ପ୍ରାଣୀ ସ୍ଥିର କଲେ ଯେ ପ୍ରାଚୀର ଫାଇନାଲ୍ ପରୀକ୍ଷା ପରେ ପରେ ହିଁ ବାହା ତିଥି ଠିକ୍ କରାଯିବ । ସେଇ ଅନୁସାରେ ଖବର ଦେଇ ପଠାଇଥିଲେ ଭାଗବତ ବାବୁ ଙ୍କୁ । ଖୁସିରେ ଫାଟି ପଡିଥିଲେ ଭାଗବତ ବାବୁ । ତା' ପରଦିନ ସକାଳୁ ତାଙ୍କର ପରିବାରର ଲୋକମାନଙ୍କୁ ସାଙ୍ଗରେ ଆଣି ପ୍ରାଚୀକୁ ଭାରି ଗହଣାର ସେଟ୍ ଟିଏ ପିନ୍ଧାଇ ସ୍ବୀକାର କରି ଯାଇଥିଲେ ବୋହୂ ଭାବରେ । ଗାଁ ରେ ଥିବା ସ୍ୱଳ୍ପ ଧାନଜମି କୁ ବିକ୍ରୀ କରି ଯଥାସମ୍ଭବ ଅର୍ଥ ର ଆୟୋଜନ କରିଥିଲେ ପ୍ରାଚୀ ର ବାହାଘର ଲାଗି । ପ୍ରଭାମୟୀ ଙ୍କର ଗହଣା ଭାଙ୍ଗି ପ୍ରାଚୀର ଅଳଙ୍କାର ଗଢା ହୋଇଥିଲା । ପରୀକ୍ଷା ସରିବାର ଖୁବ୍ କମ୍ ଦିନ ଭିତରେ ବାହାଘର ହୋଇ ଯାଇଥିଲା ପ୍ରାଚୀ ର ସୁଶାନ୍ତ ଙ୍କ ସହିତ । ଦାମୀ ବନାରସୀ ଶାଢୀ ପିନ୍ଧି ଗଦାଏ ସୁନା ଗହଣାରେ ଲଦି ହୋଇ ପ୍ରାଚୀ ଆସିଲା ପ୍ରତିଷ୍ଠିତ ବଳବନ୍ତରାୟ ପରିବାରର ବୋହୂ ହୋଇ ।

ସବୁ ପ୍ରାଚୁର୍ଯ୍ୟର ଭିତରେ ଥାଇ ମଧ୍ୟ ଖୁସି ହୋଇ ପାରୁନଥିଲା ପ୍ରାଚୀ । ତା' ଜୀବନ ବିଷୟରେ ଏତେ ବଡ ସିଦ୍ଧାନ୍ତ ନେବା ପୂର୍ବରୁ ଥରଟିଏ ବି ଜଣେ କେହି ତା'କୁ ପଚାରି ବୁଝିନଥିଲେ ସିଏ କ'ଣ ଚାହେଁ ବୋଲି ।

ପାଠପଢି ଚାକିରୀ ବାକିରୀ କରି ନିଜ ଗୋଡ଼ରେ ନିଜେ ଛିଡ଼ା ହେବାଲାଗି କେତେ ଯେ ସ୍ବପ୍ନ ଦେଖି ଥିଲା

ପ୍ରାଚୀ , ସେ ସବୁ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା । ପିଲାଟି ଦିନରୁ ବାପା ମାଆଙ୍କୁ ନିଅଣ୍ଟିଆ ସଂସାର ରେ ଘାଣ୍ଟି ହେଉଥିବାର ଦେଖି ଦେଖି ମନରେ ଭାବିଥିଲା ଚାକିରୀ କରି ବହୁତ ଟଙ୍କା ରୋଜଗାର କରିବ , ପ୍ରଦୀପକୁ ଡାକ୍ତର କି ଇଞ୍ଜିନିୟରଟିଏ କରିବା ଲାଗି ଚାହୁଁଥିବା ବାପା ଙ୍କର ଇଚ୍ଛାକୁ ପୂର୍ଣ୍ଣ କରିବ । ବାପା ମାଆଙ୍କର ସେବା ଶୁଶ୍ରୁଷା କରିବ, ତାଙ୍କୁ ସଂସାରର ସବୁ ସୁଖ ଦେବ ହେଲେ ସେ କିଛି ବି କରି ପାରିଲାନି । ଓଲଟା ବାପାଙ୍କ ଗାଁ ର ଭିଟାମାଟିଟି ମଧ୍ୟ ହରାଇବାକୁ ପଡିଲା ବାପାଙ୍କୁ । ଦୁଃଖରେ ମନ ପୋଡି ଯାଉଥିଲା ତା'ର। ପ୍ରଚଣ୍ଡ ଅଭିମାନରେ ବାପା ମାଆଙ୍କୁ କିଛି କହିବା ବନ୍ଦ କରିଦେଇଥିଲା ପ୍ରାଚୀ ।

ଶାଶୁଘରେ ଆସି ଦେଖିଲା ସେଠି ବୋଲହାକ କରିବାକୁ ଗୋଟିଏ ଲୋକ, ରୋଷେଇ କରିବା ଲାଗି ଆଉ ଗୋଟିଏ ଲୋକ, ସୁଶାନ୍ତଙ୍କୁ ବ୍ୟବସାୟରେ ସାହାଯ୍ୟ କରିବାକୁ ଆଉ ଗୋଟିଏ ଲୋକ ଅଛନ୍ତି । ଭାବିଲା ତାହାହେଲେ ସେ କରିବ କ'ଣ ? ସକାଳୁ ଉଠି କାମବାଲୀ ଜଳଖିଆ କରି ଦିଏ। ଜଳଖିଆ ଖାଇ ଶଶୁର ବାହାରି ଯାଆନ୍ତି ଅଫିସ୍ କୁ । ସୁଶାନ୍ତ ଟିକେ ଡେରିରେ ଉଠନ୍ତି, ନିତ୍ୟକର୍ମ ସାରି କିଛି ସମୟ ହିସାବ କିତାବ ଦେଖି ସାରିଲାପରେ ଜଳଖିଆ ଖାଇ ବାହାରି ଯାଆନ୍ତି କାମରେ। ତା'ପରେ ଏତେ ବଡ ଘରଟାରେ ସେ ଏକା। ଶାଶୁ ଦିନସାରା ସେଇ ଘରଟିରେ ବସି ପାନ ବଟାଟିଏ ଧରି ପାନ ଭାଙ୍ଗୁଥାଆନ୍ତି ଆଉ କାମବାଲୀମାନଙ୍କୁ ଆଦେଶ ଦେଇଥାଆନ୍ତି । ଘରେ ବସି ବସି ଦିନ ସରେ ନାହିଁ ପ୍ରାଚୀର । କେବେ ଯଦି କିଛି ଗୋଟେ ମନକରି ରାନ୍ଧିବା ପାଇଁ ଟିକେ ଯଦି ରୋଷେଇ ଘର ଆଡକୁ ଯିବ ଶାଶୁ ଚିହିଁକି ଉଠି ଡାକ ଛାଡିବେ '' ସେଠାରେ ତୋର କ'ଣ କାମ? ମୁଁ ଦରମା ଦେଇ ତାଙ୍କୁ ରଖିଛି କ'ଣ ତୁ କାମ କରିବୁ ବୋଲି । ଯା' ତୋ'ର ରୁମ୍ ରେ ବସି ଟିଭି ଦେଖିବୁ କି ବହି ପଢିବୁ'' । ଆଗକୁ ବଢେଇଥିବା ପାଦକୁ ପଛକୁ ଫେରାଇ ଆଣିବା ଲାଗି ବାଧ୍ୟ ହେବ ପ୍ରାଚୀ । ତଥାପି ମୁହଁ ଖୋଲି କହି ପାରିବନି ଯେ ସେ ଘରେ ବସି ବସି ବୋର୍ ହେଉଛି ବୋଲି ।

ରାତିରେ ଡେରିରେ ଫେରିବେ ସୁଶାନ୍ତ । ଧୁଆଧୋଇ ହୋଇ ଖାଇସାରି କେମିତି ବିଛଣାକୁ ଯିବେ ତାଙ୍କର ସେଇ ଚିନ୍ତା । ଶରୀରର ଭୋକ ମେଣ୍ଟାଇ ଶୋଇଯିବେ ନିଘୋଡ଼ ନିଦରେ । ମନ କଥା ଟିକେ କାହାକୁ କହିବାକୁ , ଟିକିଏ ଆତ୍ମୀୟତା ପାଇବାକୁ ସାରାରାତି ବିଛଣା ରେ ଛଟପଟ ହେଉଥିବ ପ୍ରାଚୀ । ନୂଆ ନୂଆ ବାହାହୋଇ ଆସିବା ଦିନଠାରୁ ଆଜିଯାଏଁ ପ୍ରେମର ପରିଭାଷା କ'ଣ ସିଏ ବୁଝିପାରିଲାନି । ବହୁତ ଝିଅଙ୍କୁ ନୂଆ ନୂଆ ବାହା ହୋଇ ଆସିଥିବାର ଦେଖିଛି ସିଏ , ସେମାନଙ୍କ ଚେହେରାରେ ଗୋଟିଏ ପରିତୃପ୍ତିରେ ଔଜଲ୍ୟ ଲକ୍ଷ୍ୟ କରିଛି , ଯେଉଁଟା ତା' ନିଜ ଚେହେରାରେ କେବେ ବି ଦେଖି ପାରିନି ସିଏ। ଏମିତି ଦେଖିବାକୁ ଗଲେ ତା'ର କୌଣସି ଅଭାବ ନାହିଁ , ସୁନ୍ଦର ସୁରୋଜଗାରିଆ ବର, ଧନ ଦୌଲତ, କୋଠାବାଡି, ସବୁ ଅଛି ।

ତଥାପି ଗୋଟାଏ ନାହିଁ ନାହିଁର ଅଭାବବୋଧରେ ଘାରି ହେଉଛି ପ୍ରାଚୀ। କାହିଁକି? କାହିଁକି? ?କାହିଁକି? ??

ସେ କାହିଁକିର ଉତ୍ତର ଖୋଜି ପାଏ ନାହିଁ ପ୍ରାଚୀ । ଦିନକୁ ଦିନ ତା' ଭିତରର ଶୂନ୍ୟତାଟା ବଢି ଚାଲିଥାଏ ।

ପ୍ରାଚୀ ଆସିଲା ଦିନଠାରୁ ଘରଭଡ଼ା ସବୁ ଶାଶୁ ଆଣି ବଢେଇ ଦେଉଥିଲେ ତା' ହାତକୁ । ଶଶୁର ମଧ୍ୟ ନିଜ ଦରମାରୁ ଦଶ କୋଡ଼ିଏ ହଜାର ଟଙ୍କା ଦେଉଥିଲେ ତା'କୁ । କହୁଥିଲେ ଯେତେବେଳେ ତୋର ଯାହା ଦରକାର ଏଥିରୁ ନେଇ ଖର୍ଚ୍ଚ କରିବୁ, ଆଉ ଦରକାର ହେଲେ କହିବୁ ମତେ। ସୁଶାନ୍ତ ତ ସବୁଦିନେ ରାତିରେ ଫେରି ଯାହା ବି ପଇସା ପତ୍ର ଆଣୁଥିଲେ ସବୁ ଦେଇ ଦେଉଥିଲେ ତା'କୁ ରଖିବା ପାଇଁ । କିନ୍ତୁ କେଜାଣି କାହିଁକି ସେ ସେଥିରୁ ଗୋଟିଏ ଟଙ୍କା ବି ନିଜ ପାଇଁ ଖର୍ଚ୍ଚ କରି ପାରୁ ନଥିଲା । ବାପା ମଝିରେ ମଝିରେ ଆସୁଥିଲେ ଭଲ ମନ୍ଦ ଜିନିଷ ଧରି , ତା'କୁ ପଚାରି ବୁଝୁଥିଲେ କେମିତି ଅଛି ବୋଲି । ସେ ' ସବୁ ଭଲ ' କହି ତାଙ୍କୁ ଫେରାଇ ଦେଉଥିଲା । ବାହାଘରର ଚାରି ବର୍ଷ ଭିତରେ ତା'ର କୋଳପୂର୍ଣ କରି ଆସିଥିଲେ ଝିଅ '' ମାନି '' ଆଉ ପୁଅ 'ମିଟୁ'' । ପ୍ରାଚୀ ସେମାନଙ୍କ ଜଞ୍ଜାଳରେ ବ୍ୟସ୍ତ ହୋଇ ଯାଇଥିଲା । ସେଇ ଭିତରେ ସୁଶାନ୍ତ ଦୁଇଟି ଦଶଚକିଆ ଟ୍ରକ୍ ସହିତ ଦୁଇଟି ଜେସିପିର ମାଲିକ ହୋଇ ସାରିଥିଲେ । ଶାଶୁ ଶଶୁର କହୁଥିଲେ ବୋହୂଟି ଆମର ଲକ୍ଷ୍ମୀ । ସେ ଆସିବା ଦିନଠାରୁ ଆମ ପୁଅର ବେପାର ବଢୁଛି । ବେପାର ବଢିବା ସହିତ ସୁଶାନ୍ତଙ୍କର ବଦଭ୍ୟାସ ବି ବଢି ଚାଲିଥିଲା । ସବୁ ଦିନ ରାତିରେ ଏବେ ସେ ମଦ୍ୟପାନ କରି ମାତାଲ ହୋଇ ଫେରୁଥିଲେ।

ପ୍ରତିବାଦ କଲେ ପ୍ରାଚୀକୁ ଗାଳି ଗୁଲଜ ସହିତ ମାଡ ବି ମିଳୁଥିଲା । ପିଲାଙ୍କ ମୁହଁକୁ ଚାହିଁ ପ୍ରାଚୀ ସବୁ ସହି ଯାଉଥିଲା କିନ୍ତୁ ଭିତରେ ଭିତରେ ସେ ଭାଙ୍ଗି ପଡୁଥିଲା । ଚିନ୍ତା ରେ ଶରୀର ଟା ଦିନ କୁ ଦିନ କ୍ଷୀଣ ହେବାରେ ଲାଗିଥିଲା । ନିଜ ଭିତରେ ନିଜେ ସଂକୁଚିତ ହୋଇ ଯାଉଥିଲା ସେ ।

ତା'ର ଏମିତି ଅବସ୍ଥା ଦେଖି ଶାଶୁ ଖବର ପଠାଇଥିଲେ ତା' ମାଆଙ୍କ ପାଖକୁ । ମାଆ ବାପା ଆସି ତାକୁ ଘରକୁ ନେଇ ଗଲେ । ଶଶୁର କହୁଥିଲେ ସ୍ଥାନ ପରିବର୍ତ୍ତନ ହୋଇଗଲେ ତା'ର ମନ ଭଲ ଲାଗିବ, ସେ କିଛି ଦିନ ତାଙ୍କ ଘରେ ବୁଲି ଆସୁ । ଘରକୁ ଆସି ମଧ୍ୟ ସେମିତି ଚୁପ୍ ଚାପ୍ ହୋଇ ବସି ରହୁଥିଲା ପ୍ରାଚୀ । ଶରତବାବୁ ଓ ପ୍ରଭାମୟୀଙ୍କର ଶତ ଚେଷ୍ଟା ସତ୍ତ୍ୱେ ମଧ୍ୟ ସେ କିଛି କହୁନଥିଲା । ବାଧ୍ୟ ହୋଇ ତାକୁ ମନୋଚିକିତ୍ସକ ଙ୍କ ପାଖକୁ ନେଇ ଦେଖାଇଲେ ଶରତବାବୁ । ଡାକ୍ତର କହିଲେ ଅତ୍ୟଧିକ ମାନସିକ ଚାପ ଯୋଗୁ ଝିଅଟି ଡିପ୍ରେସନ୍ ରେ ଅଛି। ଆପଣ ତା'କୁ ଖୁସି ରେ ରଖିବାକୁ ଚେଷ୍ଟା କରନ୍ତୁ । ଔଷଧ ପତ୍ର କିଛି କାମ କରିବନି କେବଳ ସୁନିଦ୍ରା ଏବଂ ମାନସିକ ଶାନ୍ତି ହିଁ ଭଲ କରି ପାରିବ ତାକୁ । ଘରେ ରହିବାର ସାତ ଆଠଦିନ ପରେ ପିଲାଙ୍କ କଥା ମନେ ପଡୁଛି ବୋଲି କହି ଶାଶୁଘରକୁ ଫେରିବା ଲାଗି ଜିଦ୍ ଧରିଲା ପ୍ରାଚୀ ।

ନିଜର ଅନିଚ୍ଛା ସତ୍ତ୍ବେ ମଧ୍ୟ ଚାରି ଦିନ ତଳେ ତା'କୁ ନେଇ ଛାଡି ଆସିଥିଲେ ଶରତବାବୁ । ତା'କୁ ଟିକେ ଯାଇ ଦେଖି ଆସିବାକୁ ଇଚ୍ଛା ଥିଲେ ବି ଘରୁ ବାହାରି ପାରୁ ନାହାଁନ୍ତି ସେ । ସେ ଠିକ୍ ବାହାରିଲା ବେଳକୁ ବର୍ଷାଟା ବାରମ୍ବାର ବାଦ ସାଧୁଛି । ହଠାତ୍ ଟେଲିଫୋନ୍ ର ଘଣ୍ଟି ଶବ୍ଦ ରେ ଚମକି ଉଠିଲେ ସେ । ଭାବିଲେ ପ୍ରାଚୀର ଫୋନ୍ ହୋଇଥିବ ପରା । ସେ ଧାଇଁଯାଇ ଫୋନ୍ ଟି ଉଠାଇ ଧରିଲା ବେଳକୁ ଫୋନ୍ ଟି କଟିଗଲା । ଭିତରୁ ବାହାରି ଆସିଲେ ପ୍ରଭାମୟୀ କହିଲେ ମୋବାଇଲ୍ ଫୋନ୍ ଟି ଲଗାଉନ ଝିଅ କୁ । କାହିଁକି ମନଟା ମୋଟେ ଭଲ ଲାଗୁନି , ତା' କଥା ବହୁତ ମନେ ପଡୁଛି । ତରବର ହୋଇ ମୋବାଇଲ୍ ଫୋନ୍ ଟି ଉଠାଇ ପ୍ରାଚୀର ନମ୍ବର ଲଗାଇଲେ ଶରତବାବୁ । ଫୋନ୍ ଟି ରିଂ ହେଲା ମାତ୍ର ସେପଟରୁ କେହି ଉଠାଇଲେନି । ବାରମ୍ବାର ଚେଷ୍ଟା କରିବା ପରେ ମଧ୍ୟ କେହି ନଉଠାଇବାରୁ ସମୁଦି ଙ୍କୁ ଫୋନ୍ କଲେ ଶରତବାବୁ । ସେପଟରୁ ଯାହା ଶୁଣିଲେ ତାହା ତାଙ୍କ ହୋସ୍ ଉଡେଇ ଦେଲା । ସେପଟରୁ ସମୁଦି କହୁଥିଲେ '' ପ୍ରାଚୀ ଘର ଭିତରେ ଫ୍ୟାନ୍

ରେ ଶାଢୀ ବାନ୍ଧି ଆତ୍ମହତ୍ୟା କରିଛି , ସେଇ କଥାଟି କହିବାପାଇଁ ମୁଁ ଆପଣଙ୍କୁ ସେତେବେଳ ଠାରୁ ଫୋନ୍ କରୁଛି କିନ୍ତୁ ଆପଣ ଫୋନ୍ ଉଠାଉ ନାହାଁନ୍ତି ''। ପଥର ମୂର୍ତ୍ତିଟି ଭଳି ସ୍ଥାଣୁ ହୋଇ ବସି ରହିଥିଲେ ଶରତବାବୁ । କିଛି ଅନିଷ୍ଟ ଆଶଙ୍କା କରି ତାଙ୍କର ବାହୁକୁ ଧରି ହଲେଇ ଦେଲେ ପ୍ରଭାମୟୀ । ଶରତବାବୁଙ୍କ ପାଦ ତଳେ ପୃଥିବୀଟା ଘୁରୁଥିଲା । ଆଖିରୁ ଧାର ଧାର ଲୁହ ବୋହି ଯାଉଥିଲା କିନ୍ତୁ ସେ କିଛି କହି ପାରୁ ନଥିଲେ । ସେଇ ଅବସ୍ଥାରେ ସେ ପ୍ରଭାମୟୀଙ୍କୁ ଧରି ଅଟୋରିକ୍ସାଟିଏ ଧରି ବାହାରି ଗଲେ ପ୍ରାଚୀର ଶାଶୁଘରକୁ।

ସେଠାରେ ପହଞ୍ଚିଲା ବେଳକୁ ପ୍ରବଳ ଜନଗହଳି । ପୋଲିସ୍ ମଧ୍ୟ ପହଞ୍ଚିଛି। ଆମ୍ବୁଲାନ୍ସ ଥୁଆ ହୋଇଛି।

ତଳେ ଲୁଗାଟିଏ ଘୋଡାଇ ହୋଇ ଥୁଆ ହୋଇଛି ପ୍ରାଚୀର ଅସାଡ ଶରୀର। ପାଦ ତଳକୁ ଦୋଷୀଟିଏ ଭଳି ଛିଡା ହୋଇ ରହିଛି ସୁଶାନ୍ତ । ପିଲା ଦି'ଜଣଙ୍କୁ ଧରି ଘର ଭିତରେ ବସିଛନ୍ତି ସମୁଦୁଣୀ । ସମୁଦି ତାଙ୍କୁ

ଦେଖି ଧାଇଁ ଆସିଲେ । କାନ୍ଦ କାନ୍ଦ ହୋଇ କହିଲେ '' ସବୁ ଠିକ୍ ଥିଲା , ସକାଳୁ ସମସ୍ତଙ୍କୁ ଜଳଖିଆ ଦେଲା, ପୁଅ ଝିଅ ଙ୍କୁ ସ୍କୁଲ ପଠାଇଲା , ସୁଶାନ୍ତ ଖାଇବା ପରେ ବାହାରି ଗଲା କାମରେ, ତା' ପରେ ତ ତା' ରୁମ୍ କୁ ଗଲା ଶୋଇବାକୁ । ଦିନ ଦୁଇଟା ବେଳକୁ ମୁଁ ପିଲାମାନଙ୍କୁ ସ୍କୁଲରୁ ଆଣି ଘରକୁ ଆସିଲି। ପିଲାମାନେ କବାଟ ବାଡେଇ ବାଡେଇ ନଖୋଲିବାରୁ ଆମେ ସବୁ ଆସିଲୁ । ସମସ୍ତ ପ୍ରକାର ଚେଷ୍ଟା କରିବା ପରେ କବାଟ ନଖୋଲିଲାରୁ ବାଧ୍ୟ ହୋଇ କବାଟ ଭାଙ୍ଗି ଭିତରକୁ ପଶି ଦେଖିଲା ବେଳକୁ ପ୍ରାଚୀ ପଙ୍ଖାରେ ଝୁଲୁଛି ।ସେଇଠୁ ତ ଆମେ ଡାକ୍ତରଖାନା ,ଥାନା, ପୁଲିସ୍ ସବୁଆଡ଼େ ଖବର କରି ବସିଛୁ ଏଠି '' । ଶରତବାବୁ ବୁଝି ଗଲେ ସବୁ କଥା ସରିଛି, ଖାଲି ତାଙ୍କର ବୟାନକୁ ଅପେକ୍ଷା କରି ରହିଛନ୍ତି ସମସ୍ତେ। ତାଙ୍କରି ବୟାନ ଉପରେ ନିର୍ଭର କରୁଛି ସେମାନଙ୍କର ଭବିଷ୍ୟତ । ସେ ମନେ ମନେ ଭାବୁଥିଲେ ଯଦି ସେ ସୁଶାନ୍ତଙ୍କ ବିରୁଦ୍ଧରେ କିଛି ବି ପ୍ରତିକୂଳ ମନ୍ତବ୍ୟ ଦେବେ ,ତାଙ୍କୁ ସପରିବାର ଜେଲ୍ ହାଜତକୁ ଯିବାକୁ ହେବ ନିଶ୍ଚିତ । ତେବେ ଏହି ନିରୀହ ମାତୃହରା ପିଲା ଦି'ଜଣ ଙ୍କର କ'ଣ ହେବ ? ସେ କ'ଣ ଏ ବୟସରେ ତାଙ୍କର ସିମୀତ ଆୟରେ ଏଇ ପିଲାମାନଙ୍କୁ ମଣିଷ କରି ପାରିବେ ? ତାଙ୍କର ମାଆ ତ ଛାଡି ଦେଇଗଲା , ଏବେ ବାପା ଯଦି ନରହିବ ସେମାନେ ପିତୃସ୍ନେହ ରୁ ମଧ୍ୟ ବଞ୍ଚିତ ହେବେ। କ'ଣ କରିବେ ସେ ? ଯାହା କଲେ ବି ତାଙ୍କ ଝିଅ ତ ଆଉ

ଫେରି ଆସିବ ନାହିଁ । ସେ ଥରେ ଆଖି ବୁଲାଇ ଆଣିଲେ ସୁଶାନ୍ତ ଉପରେ, ତାଙ୍କର ମନେହେଲା ମାନି ଆଉ

ମିଟୁ କହୁଛନ୍ତି '' ଆମ ବାପାଙ୍କୁ ଆମ ପାଖରୁ ଛଡେଇ ନିଅନା ଅଜା ! '' । ଦୀର୍ଘଶ୍ୱାସଟାଏ ପକାଇ ସେ ସେଠାରେ ଉପସ୍ଥିତ ଥିବା ପୋଲିସ୍ ଇନିସପେକ୍ଟର ଙ୍କୁ କହିଲେ '' ମୋ ଝିଅର ଟିକେ ମୁଣ୍ଡ ଦୋଷ ବାହାରି ଥିଲା ସାର୍, ତା'ର ମୃତ୍ୟୁ ପାଇଁ ଅନ୍ୟ କେହି ଦାୟୀ ନୁହଁନ୍ତି , ଆପଣ ସେଇ କଥା ଲେଖି ଏମାନଙ୍କୁ ଆଗ କାମ କରିବାକୁ ଦିଅନ୍ତୁ, ମୁଁ ଡାକ୍ତରଙ୍କ ପ୍ରେସ୍କ୍ରିପସନ୍ ଆଣି ଦେଉଛି '' । ଏତିକି କହି ସେ ଝିଅର ଶବକୁ ଯାବୁଡି

ଧରି ମୁଣ୍ଡ ପିଟି କାନ୍ଦି କାନ୍ଦି ଲୋଟି ଯାଉଥିବା ପ୍ରଭାମୟୀଙ୍କୁ ଭିଡି ଭିଡି ନେଇ ଅପେକ୍ଷାରତ ଅଟୋରିକ୍ସା ଟି ରେ ବସାଇ ଘରକୁ ଯିବାକୁ ବାହାରିଲେ । ଅଭିମାନିନୀ ଝିଅଟି ତାଙ୍କର ଛାତିରେ ଅଦେଖା ଲୁହକୁ ଲୁଚାଇ ଚାଲିଯାଇଥିଲା ଆରପାରିକୁ ......।


Rate this content
Log in

Similar oriya story from Tragedy