Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଶେଷ ଶିକାର
ଶେଷ ଶିକାର
★★★★★

© Rakesh Mishra

Crime Thriller

13 Minutes   6.2K    23


Content Ranking

ମନେ ମନେ ଖୁବ ରାଗ ହେଉଥିଲା ଲିପ୍ସାର ନିଜ ମ୍ୟାନେଜର ଉପରେ । ତା ମ୍ୟାନେଜରର ଏଇ ଶେଷମୁହୂର୍ତ୍ତରେ ଗୁଡ଼ାଏ କାମ ଗଦେଇ ଦେବାର ନିଉଛଣା ଅଭ୍ୟାସଟା ଲିପ୍ସାର ମୋଟେ ପସନ୍ଦ ନୁହେଁ । ତରବରରେ ନିଜ ବ୍ୟାଗ ସଜାଡି ଅଫିସରୁ ବାହାରି ପାଦ ବଢ଼ାଇଲା ରାଜରାସ୍ତାକୁ । ବ୍ୟଙ୍ଗଲୋରରେ ରାସ୍ତାର ଟ୍ରାଫିକ ଜାମ ଆଉ ଏକ ନର୍କ ଯନ୍ତ୍ରଣା ସହ ସମାନ । କରମଙ୍ଗଳା ସ୍ଥିତ ତା ଅଫିସରୁ ବାହାରି ଟିକେ ଆଗକୁ ଆସିଲେ ଆଗର ପାର୍କ, ସେଠୁ ଚାହିଁଲେ ବି ସେ ବସ ଧରି ପାରନ୍ତା । କିନ୍ତୁ ଲିପ୍ସା ଆଉ ଟିକେ ଆଗେଇ ଆସି ଜଗନ୍ନାଥ ମନ୍ଦିର ପାଖରୁ ହିଁ ବସ୍ ଧରେ । ବେଳେବେଳେ ଅରୁଣ ନିଜ ବାଇକ୍ ରେ ପିକ୍ କରିନିଏ ଯଦି ଅରୁଣ ଅଫିସରୁ ଶିଘ୍ର ବାହାରିବାରେ ସକ୍ଷମ ହୁଏ । ସକାଳେ ବସରୁ ଓହ୍ଲେଇ ସାରିବା ପରେ ଆଉ ସଞ୍ଜରେ ବସ୍ ଧରିବା ପୂର୍ବରୁ ଜଗନ୍ନାଥ ମନ୍ଦିର ସାମ୍ନାରେ ହାତ ଯୋଡି ଲିପ୍ସା କଣ ବିଡ଼ବିଡ୍ କରେ ସେ ହିଁ ଏକା ଜାଣେ । ପଚାରିଲେ କୁହେ ଜଗନ୍ନାଥଙ୍କ ସହ କୁଆଡେ ତା ସମ୍ପର୍କ ଅନ୍ୟରକମର, ଯାହା ସେ ବୁଝେ ଆଉ ତା' କାଳିଆ ଠାକୁର ।

ଜଗନ୍ନାଥ ମନ୍ଦିର ଆଡକୁ ପାଦ ବଢ଼େଇଲା ଲିପ୍ସା । ବ୍ୟାଗରୁ କିଛି ଖୁଚୁରା ପଇସା କାଢି ହାତରେ ଧରିଲା ମନ୍ଦିର ସାମ୍ନାରେ ବସିଥିବା ଭିକାରି ମାନଙ୍କୁ ଦେବା ଉଦ୍ଦେଶ୍ୟରେ । ଯଦିଓ ଅରୁଣ ଅନେକଥର ମନା କରିଛନ୍ତି ଏମାନଙ୍କୁ ପଇସା ଦେବାକୁ । ଏ ନେଇ ଦୁହିଁଙ୍କ ଭିତରେ ଅନେକ ଥର ତର୍କ ବିତର୍କ ହୋଇ ସାରିଛି ମଧ୍ଯ । ଜୀବନରେ ବାସ୍ତବତାକୁ ପ୍ରାଧାନ୍ୟତା ଦେଉଥିବା ଅରୁଣଙ୍କ କହିବା କଥା, ଯେଉଁମାନେ ଏଠି ନିଜକୁ ଅନ୍ଧ, ଛୋଟା ବା ଶାରୀରିକ ବିକଳାଙ୍ଗ ବୋଲି ଦର୍ଶାଇ ଭିକ ମାଗନ୍ତି ସେମାନେ ଆଦୌ ଶାରୀରିକ ବିକଳାଙ୍ଗ କି ନୁହେଁ ତାହା ଭଲ ଭାବେ ଯାଞ୍ଚ କରିବା ଉଚିତ୍ । କାରଣ ଶାରୀରିକ ବିକଳାଙ୍ଗର ଅଭିନୟ କରି ଅନେକ ସୁସ୍ଥ ମଣିଷ ଭିକ ମାଗିବାକୁ ପେଶା ଓ ବୃତ୍ତି ଭାବେ ଗ୍ରହଣ କରିଛନ୍ତି । ଆଉ ଏମାନଙ୍କ ଆୟ, ଦିନରାତି ହାଡଭଙ୍ଗା ପରିଶ୍ରମ କରୁଥିବା ଅଧିକାଂଶ ଶିକ୍ଷିତ ଚାକିରିଜୀବୀ ମାନଙ୍କ ଠାରୁ ଯଥେଷ୍ଟ ଅଧିକ । ଏମାନଙ୍କ ମଧ୍ୟରୁ ଅନେକ ଲକ୍ଷପତି, କୋଟିପତି ଭିକାରି ବି ଅଛନ୍ତି । ତେଣୁ ସେମାନଙ୍କୁ ଭିକ ଦେବା ଉଚିତ ନୁହେଁ । କାରଣ ଏହାଦ୍ୱାରା, ପରୋକ୍ଷରେ ସମାଜରେ ଏକ ବଡ଼ ଅଂଶର ପରଜୀବୀ ଶ୍ରେଣୀକୁ ପ୍ରୋତ୍ସାହିତ କରାଯାଉଛି । ଯଦି ଏସବୁ ବନ୍ଦ ନକରାଯାଏ, ଅନେକ ଶିକ୍ଷିତ ମଧ୍ଯ ଚାକିରୀ ନ'ଖୋଜି ଭିକ ମାଗିବାକୁ ଏକ ବୃତ୍ତି ଭାବରେ ଗ୍ରହଣ କରିବେ । ଲିପ୍ସା କିନ୍ତୁ ସେ ସବୁ କଥାକୁ କାନକୁ ନିଏନି । ବରଂ ଯୁକ୍ତିଛଳରେ କୁହେ, ତେବେ ମୋତେ ସାଙ୍ଗରେ ଜଣେ ଡାକ୍ତର ଆଉ ଜଣେ ଗୋଇନ୍ଦା ଧରି ବୁଲିବାକୁ ପଡିବ ସବୁବେଳେ । ଭିକ ଦେବା ଆଗରୁ ସେମାନଙ୍କ ବିଷୟରେ ସବୁକିଛି ଯାଞ୍ଚକରି, ତେବେ ଯାଇ ଟଙ୍କେ ବା ଦି'ଟଙ୍କା ତାଙ୍କ ଥାଳିରେ ପକେଇବି । ଲିପ୍ସା କୁହେ ସବୁବେଳେ ମଣିଷକୁ ସନ୍ଦେହ କରିବା ତୁମର ଧର୍ମ । ଆଛା, କହିଲ ଦେଖି , ଯେଉଁ ମହିଳା ମାନେ ନିଜ କୋଳରେ ଛୋଟ ଛୋଟ ଶିଶୁ ମାନଙ୍କୁ ଧରି ଭିକ ମାଗନ୍ତି ସେମାନେ ବି କଣ ମିଛରେ କରନ୍ତି । ହୁଏତ ସେମାନଙ୍କ ମଧ୍ୟରୁ ଅଧିକାଂଶ ସ୍ୱାମୀ ପରିତ୍ୟକ୍ତା ବା କେଉଁ ମାତାଲ ଅମଣିଷର ସ୍ତ୍ରୀ, ଯିଏ ନିଜ ସ୍ତ୍ରୀ ପିଲାଙ୍କୁ ଦୁଇ ବେଳା ଦି ମୁଠା ଖାଇବାକୁ ଦେଇ ପାରେନି । ତେଣୁ ବାଧ୍ୟ ହୋଇ ସେ ସ୍ତ୍ରୀ ଲୋକ ମାନେ ଭିକମାଗି ନିଜ ପେଟପୋଷନ୍ତି । ସେ ଛୋଟ ପିଲାଟିର କଣ ବା ଦୋଷ । ପୁଣି ଅରୁଣ ବୁଝାନ୍ତି, ଯେ ସେମାନେ ଏକ ବଡ଼ ଅପରାଧ ଚକ୍ରର ସଦସ୍ୟ । ଅଧିକାଂଶ ମହିଳା ମାନଙ୍କ କୋଳରେ ଥିବା ଶିଶୁ ସେମାଙ୍କର ନିଜ ଜନ୍ମିତ ଶିଶୁ ନୁହେଁ । ଲୋକମାନଙ୍କୁ ଭାବାବେଗକୁ ଆକୃଷ୍ଟ କରିବା ପାଇଁ ଛୋଟ ନିରୀହ ଶିଶୁ ମାନଙ୍କୁ କୋଳରେ ଧରି ଭିକ ମାଗିବା ଏକ ସୁନ୍ଦର ଏବଂ ଚମତ୍କାର ପ୍ରୟାସ । ଏ ସବୁ ଶିଶୁ ମନେ ହୁଏତ କେଉଁ ଧନୀ ଦୁହିତା ମାନଙ୍କର ଅବୈଧ ସମ୍ପର୍କର ଫସଲ ବା କେଉଁ ଡାକ୍ତରଖାନାର ଅଳିଆ ଡବାରୁ ସଂଗୃହିତ ଅଥବା ଚୋରି କରାଯାଇଥାନ୍ତି କେବଳ ମାତ୍ର ଏ ସବୁ ଧନ୍ଦାରେ ବ୍ୟବହୃତ ହେବା ଉଦ୍ଧେଶ୍ୟରେ । ତୁମେ ଭଲ ଭାବେ ଲକ୍ଷ୍ୟ କରି ଦେଖିବ, ଭିକାରୁଣୀ ମାନଙ୍କ କୋଳରେ ଥିବା ସେ ସେଇ ଶିଶୁ ମାନେ ସବୁବେଳେ ଶୋଇ ରହିଥାନ୍ତି । ସକାଳେ ହେଉ ବା ଦିନରେ, ଖରାବେଳେ ହେଉ ବା ସଞ୍ଜରେ, ସବୁ ବେଳେ ଶୋଇରହିଥିବା ସେଇ ଶିଶୁ ମାନେ ସବୁବେଳେ ଶୋଇ ରହିବାର କାରଣ ସେମାନଙ୍କୁ ନିଶା ଔଷଧ ଦେଇ ଶୁଆଇ ଦିଆଯାଏ । କାରଣ ଶୋଇ ରହିଥିବା ଶିଶୁମାନେ, ନିରୀହ ମଣିଷ ମାନଙ୍କ ମନର କୋମଳ ଅଂଶକୁ ବିଶେଷ ଭାବେ ଆକର୍ଷିତ କରନ୍ତି, ଏବଂ ଅନ୍ୟ ଏକ କାରଣ ହେଲା ଶିଶୁ ମାନେ ଜାଗ୍ରତ ରହିଲେ କନ୍ଦାକଟା ବା ଅନ୍ୟଭାବେ ବିରକ୍ତ କରି ଭିକ ମାଗିବାରେ ବାଧା ସୃଷ୍ଟି କରି ପାରନ୍ତି । "ତୁମେ ସେମାନଙ୍କୁ ଭିକ ନ ଦିଅ କିନ୍ତୁ ଏସବୁ ବାଜେ କଥା କୁହନି" ଲିପ୍ସା ରାଗି ଲାଲ୍ ପଡ଼ିଯାଏ।

ଏମିତି ତର୍କ ବିତର୍କରେ ଆଜିଯାଏ କିନ୍ତୁ କେହି କାହାରି ଅଭ୍ୟାସ ଛାଡି ପାରିନାହାନ୍ତି । ନା ଲିପ୍ସା ଅନ୍ଧ ଛୋଟା ବିକଳାଙ୍ଗ ଭିକାରି ମାନଙ୍କ ପ୍ରତି ନିଷ୍ଠୁର ହୋଇପାରେ ନା ଅରୁଣ ସେମାନଙ୍କ ପ୍ରତି କୋମଳ ମନୋଭାବ ଆଣିପାରନ୍ତି ।

ଜଗନ୍ନାଥ ମନ୍ଦିରରୁ ବାହାରି ଆସି ଲିପ୍ସା ଦ୍ରୁତ ପାଦରେ ଆଗେଇ ଯାଉଥିଲା ବସଷ୍ଟପ୍ ଆଡକୁ । ତେଣେ ଘରେ ରିଦ୍ଧି ଏକା ଥିବ। ହଠାତ୍ ତା' ଆଖିରେ ପଡିଲା ଜଣେ ଅନ୍ଧ ଲୋକ। ଆଖିରେ କଳା ଚଷମା, ମୁହଁରେ ହାଲକା ଦାଢ଼ି । ଵେଶଭୁଷା ମାର୍ଜିତ । ଗୋଟିଏ ହାତରେ କେନଷ୍ଟିକ ଓ ଅନ୍ୟ ହାତରେ ଛୋଟିଆ ପାର୍ସଲଟିଏ ଧରି ଲୋକଟି ରାସ୍ତା ପାରହେବାକୁ ଚେଷ୍ଟାକରୁଛି । ବାଙ୍ଗାଲୋରର ଚଳଚଂଚଳ ରାସ୍ତାରେ ଆଖିଥିବା ମଣିଷଟିଏ ରାସ୍ତାପାର ହେବାକୁ ନୟାନ୍ତ ହୋଇପଡେ, ସେଠି ଅନ୍ଧ ଲୋକଟିଏ ବା କିପରି ରାସ୍ତା ପାରହେବ । ସୁତରାଂ ଯଥାରୀତି ଅଭ୍ୟାସ ବଶତଃ, ଆଯାତିତ ଭାବେ ଲିପ୍ସା ଆଗେଇ ଗଲା ଅନ୍ଧ ଲୋକଟି ଆଡ଼େ ସାହାଯ୍ୟର ହାତ ବଢ଼େଇ ଦେବାକୁ । କେନ୍ ଧରିଥିବା ହାତଟିକୁ ଧରିବା ମାତ୍ରେ ଅନ୍ଧଲୋକଟିର ମୁହଁରେ ଚେନାଏ ହସ ଖେଳିଗଲା । ଏଇ ହସଟିକକ ତୁଳନାରେ ଲିପ୍ସାକୁ ଦୁନିଆର ସବୁ ଧନସମ୍ପତ୍ତି ତୁଚ୍ଛ ମନେହୁଏ ।

- ଥ୍ୟାଙ୍କ ଇଉ ମିସ ।

- "ଇଉ ଆର ୱେଲକମ୍, କିନ୍ତୁ ମୁଁ ମିସ ନୁହେଁ ମିସେସ୍ ।" ଇଂରାଜୀରେ କହିଲା ଲିପ୍ସା ।

- "ମୁଁ ଦୁଃଖିତ, ହାତର କୋମଳତା ଓ ପରଫ୍ୟୁମର ଗନ୍ଧରୁ ଆପଣ ଜଣେ ମହିଳା ବୋଲି ମୁଁ ଜାଣିପାରିଥିଲି, କିନ୍ତୁ ବିବାହିତା ବା ଅବିବାହିତା ତାହା ଜାଣିବାରେ ମୋର ଅକ୍ଷମତାକୁ କ୍ଷମା କରିବେ ବୋଲି ଆଶା କରୁଛି ।" ଇଂରାଜୀରେ ଉତ୍ତର ରଖିଲା ଲୋକଟି ।

- ଆପଣ ତ ବେଶ୍ ଭଲ ଇଂରାଜୀ କହୁଛନ୍ତି ।

- "ହଁ ବାଙ୍ଗାଲୋରରେ ବହୁ ଉତ୍ତର ଭାରତୀୟ ରହୁଛନ୍ତି, ତେଣୁ ହଠାତ୍ କନ୍ନଡ଼ରେ କଥା ହେଲେ ହୁଏତ ବୁଝିବାକୁ ଅସୁବିଧା ହୋଇପାରେ ସେଥିପାଇଁ ଇଂରାଜୀ । " ଉତ୍ତର ଦେଲେ ଆଗନ୍ତୁକ ଲୋକଟି ।

- ଓଃ ଆଛା । ଆପଣଙ୍କ କଥାବାର୍ତ୍ତା ବେଶ ମାର୍ଜିତ, ବେଶ୍ ଶିକ୍ଷିତ ଭଳି ମଧ୍ୟ ମନେ ହେଉଛନ୍ତି ।

- ଧନ୍ୟବାଦ ମହାଶୟା। ମୁଁ ରସାୟନ ବିଜ୍ଞାନ (କେମିଷ୍ଟ୍ରି) ରେ ସ୍ନାତକୋତ୍ତର କରିଛି । ତା'ପରେ କିଛି ଦିନ ଗୋଟିଏ କେମିକାଲ୍ ଫ୍ୟାକ୍ଟ୍ରିରେ କାମ କରୁଥିଲି । କିନ୍ତୁ ଦୁର୍ଭାଗ୍ୟ ବଶତଃ ଫ୍ୟାକ୍ଟ୍ରିରେ କାମ କରୁଥିଲା ବେଳେ ଏକ ମିକ୍ସିଂ ଟ୍ୟାଙ୍କ ହଠାତ୍ ମୋରି ଆଗରେ ଫାଟିଯିବା ଫଳରେ ସବୁଦିନ ପାଇଁ ନିଜ ଦୃଷ୍ଟିଶକ୍ତି ହରେଇ ବସିଲି ।

- ଓଃ ଆଇ ଆମ ସରି ।

- ନା ନା, ସେଥିରେ ଆପଣଙ୍କର କଣ ବା ଦୋଷ ଅଛି, କହି ସାମାନ୍ୟ ହସି ଉଠିଲେ ଅନ୍ଧ ବ୍ୟକ୍ତି ଜଣକ ।

- ଆପଣ ଏବେ କଣ କରନ୍ତି !

- ମୁଁ ଏବେ ଏକ ପରଫ୍ୟୁମ କମ୍ପାନୀ ପାଇଁ କ୍ୱାଲିଟି କଣ୍ଟ୍ରୋଲର ହିସାବରେ କାମକରେ । ପରଫ୍ୟୁମକୁ ଶୁଙ୍ଘି ତାର ଗୁଣବତ୍ତା ଓ ମାନ ନିର୍ଦ୍ଧାରଣ କରିବା ହିଁ ମୁଖ୍ୟକାମ । ଜାଣନ୍ତି ତ, ମଣିଷର ଗୋଟିଏ ଇନ୍ଦ୍ରିୟ କାମ କରିବା ବନ୍ଦ କରିଦେଲେ ଅନ୍ୟ ଇନ୍ଦ୍ରିୟ ମାନେ ଶକ୍ତିଶାଳୀ ହୋଇ ଉଠନ୍ତି । ହେଲେନ କେଲରଙ୍କୁ ଜାଣିଥିବେ ! ସେ'ତ ରାସ୍ତାର ଗନ୍ଧରୁ କହି ପାରୁଥିଲେ ସେ ଏବେ କେଉଁ ସହରର କେଉଁ ସଡକ ଦେଇ ଯାଉଛନ୍ତି । ଆଛା ସମୟ କେତେଟା ହେଲା ଏବେ ?

- "୭:୩୫" କହିଲା ଲିପ୍ସା ।

- ଓଃ, ମୋ ଦୁର୍ଭାଗ୍ୟ । ମନେହୁଏ ଆଜି ଠିକ ସମୟରେ ଡେ଼ଲିଭରି ଦେଇ ଫେରି ପାରିବିନି । ୮ଟା ସୁଦ୍ଧା ମୋତେ ନିର୍ଧାରିତ ସ୍ଥାନରେ ପହଂଚିବାର କଥାଥିଲା । ଏ ପାର୍ସଲଟା ଦେଇ ଫେରିଆସିଥାନ୍ତି । ଏ ଦାଇତ୍ୱଟା ନ ନେଲେ ବୋଧ ହେଲେ ଭଲ ହୋଇଥାନ୍ତା । ଅଯଥା ହଇରାଣ ।

- ବୁଝି ପାରିଲିନି, କହିଲା ଲିପ୍ସା ।

- ଏଇ ପାର୍ସଲଟା କଥା କହୁଥିଲି ମ୍ୟାଡ଼ାମ ।

- କଣ ଅଛି ଏଥିରେ ?

- ପରଫ୍ୟୁମ ସ୍ୟାମ୍ପଲ୍ । ଅବଶ୍ୟ ଆଖି ଥିଲେ ମୁଁ ବେଗିବେଗି ଯାଇ ପାର୍ସଲଟି ଦେଇ ପାରିଥାନ୍ତି । କିନ୍ତୁ ଏ ଭିଡ଼ ରାସ୍ତାରେ ମୋ ପରି ଅନ୍ଧ ବ୍ଯକ୍ତି ପକ୍ଷରେ ତାହା ଏବେ ଆଦୌ ସମ୍ଭବ ନୁହେଁ ।

- ମୁଁ ସେଇ ଠିକଣାଟି ଜାଣିବାକୁ ଚାହିଁବି, ଯଦି ମୁଁ କିଛି ସାହାଯ୍ୟ କରିପାରେ ।

- "ଆପଣଙ୍କୁ ଅଶେଷ ଧନ୍ୟବାଦ, କିନ୍ତୁ ଏହା ଖୁବ ଜରୁରୀ ନ ହୋଇଥିଲେ ଆପଣଙ୍କୁ ଅଯଥା କଷ୍ଟ ଦେବାକୁ ଚାହିଁ ନଥାନ୍ତି ।" କହି ପାର୍ସଲଟି ଲିପ୍ସା ହାତକୁ ବଢ଼ାଇ ଦେଲେ ଅନ୍ଧ ଜଣକ ।

- ଓଃ, ୟେ ତ ମୋ ଯିବା ରାସ୍ତାରେ ହିଁ ପଡିବ । ଆପଣ ଫେରିଯାଇ ପାରନ୍ତି । ମୁଁ ଏଇଟା ନିର୍ଦ୍ଧାରିତ ଠିକଣାରେ ପହଞ୍ଚାଇଦେବି ।

- ଅଶେଷ ଧନ୍ୟବାଦ ମ୍ୟାଡ଼ାମ । କହି ଫେରିଗଲା ଲୋକଟି ।

ଲିପ୍ସା ହାତରେ ପାର୍ସଲଟି ଧରି ଆଗେଇବାକୁ ଲାଗିଲା । ବିଶେଷ ଓଜନ ନଥିଲା ପାର୍ସଲଟି, ତେଣୁ ବିଶେଷ କଷ୍ଟ ହେଉ ନଥିଲା ଲିପ୍ସାକୁ । ଓଜନଦାର ହୋଇଥିଲେ ବି କଣ ହେଲା ! ଜଣେ ଅନ୍ଧକୁ ସାହାଯ୍ୟ କରିବାକୁ ଏତକ କଷ୍ଟତ କରାଯାଇ ପାରେ । ମନେ ମନେ ଭାବିଲା ଲିପ୍ସା । ପାର୍ସଲ ଟିକୁ ଓଲଟ ପାଲଟ କରି ଦେଖିଲା ପ୍ରେରକର ନାଁ କିଛି ଲେଖା ନାହିଁ, ଯଦି ସେଠି କେହି ପଚାରନ୍ତି ତେବେ ସେ କଣ କହିବ! ଉପରନ୍ତୁ ଏତେ କିଛି କଥାବାର୍ତ୍ତା ଭିତରେ ଲିପ୍ସା ଲୋକଟିକୁ, ସେ କାମ କରୁଥିବା କମ୍ପାନୀ ନାଁ ବା ଏମିତିକି ଲୋକଟିର ନିଜ ନାଁ ମଧ୍ୟ ପଚାରିବାକୁ ଭୁଲି ଯାଇଥିଲା । ଅନ୍ଧ ଲୋକଟି ବିଶେଷ ଦୂର ଯାଏ, ଯାଇ ପାରିନଥିବ ଭାବି ଦ୍ରୁତ ଗତିରେ ବିପରୀତ ରାସ୍ତାରେ ଚାଲିବାକୁ ଆରମ୍ଭ କଲା ଲିପ୍ସା । ଲୋକଟି କେଉଁଠି ହିଁ ଦିଶୁନି । ଏତେ ଶୀଘ୍ର କୁଆଡ଼େ ଗଲା, ଏବେ ହିଁ ତ ଏଇଠି ଥିଲା । ଜଣେ ଅନ୍ଧ ଲୋକ ଏତେ ଶୀଘ୍ର ଜନବହୁଳ ରାସ୍ତା ଓ ଭିଡ଼ପାର ହୋଇ କେଇ ମୁହୂର୍ତ୍ତରେ ଆଖି ଆଗରୁ ଅଦୃଶ୍ୟ ହୋଇଯିବା ଘଟଣାଟିକୁ ସହଜରେ ଗ୍ରହଣ କରି ପାରୁନଥିଲା ଲିପ୍ସା ।

ଏ ସବୁ ପରିସ୍ଥିତିରେ ଅରୁଣର ପରାମର୍ଶ ନିହାତି ଜରୁରୀ । ଅରୁଣକୁ ଫୋନ କରି ସମସ୍ତ ଘଟଣା ବର୍ଣ୍ଣନା କଲା ଲିପ୍ସା । ଅରୁଣର ପରାମର୍ଶ କ୍ରମେ, ଅନତି ଦୂରରେ ଥିବା ପୋଲିସ ଷ୍ଟେସନରେ ପହଂଚି ସମସ୍ତ କିଛି ଜଣାଇଲା ଲିପ୍ସା । ପୋଲିସ କିନ୍ତୁ ପ୍ରଥମେ କଥାଟିକୁ ଗୁରୁତ୍ବ ଦେଉନଥିଲେ, କିନ୍ତୁ ଅରୁଣ କିଛି ସମୟ ଭିତରେ ଥାନାରେ ପହଂଚି ପୋଲିସ ମାନଙ୍କ ସହ କଥା ହୋଇ ବିଶେଷ କିଛି ସୁରାହା ନପାଇ ବାଧ୍ୟ ହୋଇ ପାର୍ସଲଟିକୁ ଖୋଲି ନିର୍ବାକ ହୋଇ ଛିଡ଼ା ହୋଇ ରହିଲା । ପାର୍ସଲ୍ ଟିକୁ ଦେଖି କାହାରି ମୁହଁରେ ଭାଷା ନଥିଲା । ପୋଲିସ୍ ଅଫିସର ଜଣକ ବି ନିର୍ବାକ୍ । ସେଥିରେ କୌଣସି ପରଫିଉମ ନଥିଲା ବଦଳରେ ଥିଲା ଏକ କମ୍ପ୍ୟୁଟର ପ୍ରିଣ୍ଟ ଚିଠି ।

" ଏ ଭଳି ବିପଜ୍ଜନକ ଭାବେ ନିଜ ଜୀବନକୁ ପାଣି ଛଡ଼େଇ ମୋ ପକ୍ଷରେ ସପ୍ଲାଇ ଦେବା ଆଦୌ ସମ୍ଭବପର ନୁହେଁ, ତେଣୁ ଏହା ହିଁ ମୋ ପକ୍ଷରୁ ଅପାତତଃ ଶେଷ ଶିକାର !! ମୁଁ ଆଜି ଠାରୁ ଅବ୍ୟାହତି ନେଲି ।"

(....ପରେ ପୋଲିସ ସହାୟତାରେ ଲିଖିତ ଠିକଣାରେ ଚଢ଼ାଉ କରି ନାରୀ ଓ ଶିଶୁ ଚାଲାଣକାରୀ ଏକ ବିରାଟ ଅପରାଧ ଚକ୍ରର ପରଦାଫାସ୍ କରିଥିଲା ପୋଲିସ୍ ...)

© ରାକେଶ ମିଶ୍ର

ଶିକାର ମନ୍ଦିର ଅନ୍ଧ ଲୋକ

Rate the content


Originality
Flow
Language
Cover design

Comments

Post

Some text some message..