Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଅନୁଭୁତି - ୫
ଅନୁଭୁତି - ୫
★★★★★

© Santosh Kumar Misra

Drama Abstract

7 Minutes   7.2K    18


Content Ranking

          ଅନେକ ଦିନ ତଳର ଘଟଣା । ମୁଁ ନୂଆ ନୂଆ ନିଯୁକ୍ତି ପାଇ ଅତିରିକ୍ତ ତହସିଲଦାର ଭାବରେ କାର୍ଯ୍ୟରେ ଯୋଗ ଦେଇଥାଏ। ଜିଲ୍ଲାପାଳ ମହୋଦୟଙ୍କର ଦୟାରୁ ମୋତେ ଖଣ୍ଡେ ସରକାରୀ ଘର ମିଳିଥାଏ ରହିବାକୁ ସେଠିକାର ରେବିନ୍ୟୁ କଲୋନିରେ । ମୋ ପୂର୍ବରୁ ସେହି କଲୋନିରେ ଆଉ ଦୁଇ ଜଣ ରେଭିନ୍ୟୁ ବିଭାଗର ଅଧିକାରୀ, ଜଣେ ଟ୍ରେଜେରୀ ଅଧିକାରୀ, ଜଣେ କୃଷି ଅଧିକାରୀ ଓ ଜଣେ ସିଭିଲ ଡିଫେନ୍ସ ଅଧିକାରୀ ରହୁଥିଲେ। ତିନିଟି ଘର ଖାଲି ପଡିଥିଲା । ମୁଁ ଜିଲ୍ଲାପାଳଙ୍କର ଆବଣ୍ଟନ ନିର୍ଦ୍ଦେଶନାମା ଅନୁଯାୟୀ ସେହି ଖାଲି ପଡିଥିବା ଘରମାନଙ୍କ ମଧ୍ୟରୁ ଗୋଟିଏ କଣମୁଣ୍ଡିଆ ଘରକୁ ଦଖଲ କଲି । ପରେ ଶୁଣିଲି କେହି ହାକିମ କୁଆଡେ ସେହି ନିର୍ଦ୍ଦିଷ୍ଟ ଘରେ ରହିବାକୁ ପସନ୍ଦ କରୁନଥିଲେ । କାରଣ କୁହାଯାଉଥିଲା କି ସେହି ଘରେ ପୂର୍ବରୁ ରହୁଥିବା ଜଣେ ଅଧିକାରୀଙ୍କର ପତ୍ନୀ ଆତ୍ମହତ୍ୟା କରିଥିଲେ ଏବଂ ଏବେ ତାଙ୍କର ଅତୃପ୍ତ ଆତ୍ମା ସେହି ଘର ପରିସର ମଧ୍ୟରେ ରହିଥିବା ଏକ ସିମିଳି ଗଛରେ ବେଳେ ବେଳେ ଦେଖାଦିଏ । ମୁଁ ଯେହେତୁ ଚାକିରୀରେ ନୂଆ ନିଯୁକ୍ତି ପାଇଥିଲି ଓ ସୁଦୂର ଭୁବନେଶ୍ଵରରୁ ଯାଇଥିଲି ସେଠାକୁ, ଆଉ ଯେହେତୁ ମୋର କେହି ବନ୍ଧୁ ବାନ୍ଧବ ସେ ଯାଗାରେ ନଥିଲେ, ସେହି ଘରେ ରହିବା ଛଡା ମୋ ପାଖରେ ଅନ୍ୟ କୌଣସି ଉପାୟ ନଥିଲା ।

ସବୁ ଦିନ ସନ୍ଧ୍ୟାରେ କିନ୍ତୁ ଅଫିସ୍‌ରୁ ଫେରି ଘରକୁ ପସିଲା ବେଳକୁ ମୋ ଅଜାଣତରେ ମୋ ଦେହଟା ଝାଳେଇ ଯାଉଥିଲା । ମୋତେ ଟିକିଏ ଦମ୍ଭ ଦେବାପାଇଁ କଲୋନୀରେ ରହୁଥିବା ଅନ୍ୟ ଅଧିକାରୀ ମାନେ ପ୍ରତିଦିନ ସନ୍ଧ୍ୟାରେ ମୋ ପାଖକୁ ଚାଲି ଆସନ୍ତି । ଖୁବ୍‌ ଖୁସିଗପ ଚାଲେ। ତାସ ମଧ୍ୟ ଖେଳ ହୁଏ । ଧିରେ ଧିରେ ମୋ ମନରୁ ଆତ୍ମାର ଡର ଦୂରେଇ ଯାଉଥିଲା । ମୋ ଅର୍ଦ୍ଦଳି ମୋ ପାଇଁ ଗଣ୍ଡେ ରୋଷେଇ କରିଦିଏ । ବାସ୍‌ ମୁଁ ପ୍ରାୟ ନଅଟା ବାଜିଲେ ଖାଇଦେଇ ଶୋଇପଡେ । ରାତିରେ ଆତ୍ମା ଆସେ କି ନାହିଁ ସେ ଅନୁଭୂତି କରିବାର ସୁଯୋଗ ମୋ ପାଖରେ ନଥିଲା କହିଲେ ଚଳେ । କିଛିଦିନ ପରେ ଲୋକମାନେ କୁହାକୁହି ହେଲେ ଅତିରିକ୍ତ ତହସିଲଦାରଟା ସାହସୀ ଲୋକ ଜଣା ପଡୁଛି । ପରବର୍ତ୍ତୀ ପର୍ଯ୍ୟାୟରେ ଏହି ତୁଣ୍ଡ ବାଇଦ ମୋତେ ମୋ କାର୍ଯ୍ୟ ନୀର୍ବାହ କରିବାରେ ଅନେକ ସାହାଯ୍ୟ କରିଥିବା ମୁଁ ଅନୁଭବ କରିଥିଲି।

    ଦିନେ ସକାଳୁ ଦେଖାଗଲା ନନ୍ଦ ବାବୁ ବୋଲି ଆଉ ଜଣେ ରେଭିନ୍ୟୁ ଅଧିକାରୀ ଆସି ଖାଲି ଥିବା ଘର ମଧ୍ୟରୁ ଅନ୍ୟ ଜଣେ ରେଭିନ୍ୟୁ ଅଧିକାରୀ ମହାପାତ୍ର ବାବୁଙ୍କର ପଡିଶା ଘରକୁ ଦଖଲ କରିଛନ୍ତି । ଏଥି ସହିତ ଗୋଟିଏ ଘରକୁ ବାଦ ଦେଲେ କଲୋନୀରେ ଅନ୍ୟ ସବୁ ଘର ଦଖଲ ହେଇ ଯିବାରୁ କଲୋନୀରେ କୋଳାହଳ ବଢିବାର ସମ୍ଭାବନା ବଢିଥାଏ । ତା ପରେ ପରେ ଆରମ୍ଭ ହେଲା କଲୋନୀରୁ ସମସ୍ତେ ମିଶି ପ୍ରାତଃ ଭ୍ରମଣରେ ବାହାରିବା, ସନ୍ଧ୍ୟାରେ ମୋ ଘରେ ବସି ଗପସପ କରିବା । କେବେ କେବେ ଇଚ୍ଛାହେଲେ ମୋ ଘରେ ଛୋଟ କାଟିଆ ଭୋଜି ହେଲା । ସତ କହିବାକୁ ଗଲେ ଦିନସାରାର କ୍ଲାନ୍ତି ସନ୍ଧ୍ୟାରେ ଦୂର ହେଇଯାଉଥିଲା ।

                    ପଡୋଶୀ ହେତୁ ନନ୍ଦ ବାବୁ ଏବଂ ମହାପାତ୍ର ବାବୁଙ୍କ ପରିବାର ଦ୍ଵୟ ଭିତରେ ନିବିଡତା ଧିରେ ଧିରେ ବଢିବାକୁ ଲାଗିଲା ।ମହାପାତ୍ର ବାବୁଙ୍କର ଗୋଟିଏ ପୁଅ ସ୍ଥାନୀୟ ସ୍କୁଲରେ ଦ୍ଵିତୀୟ ଶ୍ରେଣିରେ ପଢୁଥିଲା। ନନ୍ଦ ବାବୁଙ୍କର ମଧ୍ୟ ଗୋଟିଏ ପୁଅ ସେହି ସ୍କୁଲରେ ସେହି ଦ୍ଵିତୀୟ ଶ୍ରେଣିରେ ନାଁ ଲେଖିଲା । ଦୁଇ ପିଲାଙ୍କର ବନ୍ଧୁତା ଜମିଲା । ମହାପାତ୍ର ବାବୁଙ୍କ ପୁଅ ପ୍ରାୟ ସବୁ ଦିନ ସ୍କୁଲକୁ ଯିବାକୁ ଅମଙ୍ଗ ହୁଏ । ତେଣୁ ବିଚରା ମହାପାତ୍ର ବାବୁ କୌଣସି ମତେ ପୁଅକୁ ମନେଇ ସ୍କୁଲକୁ ପଠେଇବାର ବନ୍ଦୋବସ୍ତ କରନ୍ତି । ମହାପାତ୍ର ବାବୁ କିଛି ଦୀକ୍ଷାନେଇ ଥିବାରୁ ଆମିଷ ଖାଉନଥିଲେ ମଧ୍ୟ ପୁଅ ପାଇଁ କିଛି ମାଛ ଆଣି ଫ୍ରିଜ୍‌ରେ ରଖିଥାଆନ୍ତି ତା’ର ସ୍କୁଲ ଯିବାବେଳର ସନ୍ତୁଷ୍ଟିକରଣ ପାଇଁ । ନନ୍ଦ ବାବୁ ଓ ମହାପାତ୍ର ବାବୁ ଉଭୟଙ୍କ ପିଲା ଗୋଟିଏ ରିକ୍ସାରେ ବସି ସ୍କୁଲକୁ ଯିବାକୁ ଲାଗିଲେ । ସାଥୀ ଜଣେ ମିଳି ଯିବାରୁ ମହପାତ୍ର ବାବୁଙ୍କ ପୁଅ ଧିରେ ଧିରେ ସ୍କୁଲକୁ ଯିବାରେ ଉତ୍ସାହ ପ୍ରକଟ କଲା । ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ସେ ପ୍ରସ୍ତୁତ ହେଇ ନନ୍ଦ ବାବୁଙ୍କ ଘରେ ପହଞ୍ଚିଯାଏ । ତାପରେ ଦୁଇ ପିଲା ସାଙ୍ଗ ହେଇ ସ୍କୁଲ ଯାଆନ୍ତି ।

                    କିଛି ଦିନ ପରେ ନନ୍ଦ ବାବୁଙ୍କ ସ୍ତ୍ରୀ ଲକ୍ଷ କଲେ ତାଙ୍କ ପୁଅ ସ୍କୁଲକୁ ସାଙ୍ଗରେ ନେଉଥିବା ଜଳଖିଆ ବାକ୍ସରୁ ଜଳଖିଆ ନଖାଇ ସେମିତି ଫେରେଇ ଆଣୁଛି । ସେ ପୁଅ ଠାରୁ କାରଣ ଜାଣିବାକୁ ଚେଷ୍ଟାକରି ଜାଣିଲେ ଯେ ମହାପାତ୍ର ବାବୁଙ୍କ ପୁଅ କେବେ ମାଛ ଭଜା, କେବେ ମିଠା , କେବେ ଖିରି ଭଳି ବ୍ୟଞ୍ଜନ ସାଙ୍ଗରେ ନେଉଛି । ତେଣୁ ତାଙ୍କ ପୁଅ ତା’ର ଜଳଖିଆ ବାକ୍ସକୁ ତା’ ଆଗରେ ଫିଟାଇବାକୁ ସଙ୍କୋଚ ବୋଧ କରୁଛି । ଏହି କଥା ସେ ନନ୍ଦ ବାବୁଙ୍କୁ ଜଣେଇଲା ପରେ ନନ୍ଦ ବାବୁ ସମସ୍ତଙ୍କ ଅଗୋଚରରେ ଠିକ୍‌ ତଥ୍ୟ ଉଦ୍ଧାର କରିବାର ଏକ ଅଭିଯାନ ଆରମ୍ଭ କରିଦେଲେ। ସବୁଦିନ ଯେହେତୁ ମହାପାତ୍ର ବାବୁଙ୍କ ପୁଅ ତାଙ୍କ ଘରକୁ ଆଗ ଚାଲି ଆସେ ସେ ତାର ଫାଇଦା ଉଠେଇବାକୁ ସ୍ଥିର କଲେ। ସେ ସବୁଦିନ ମହାପାତ୍ର ବାବୁଙ୍କ ପୁଅର ଜଳଖିଆ ବାକ୍ସ ଖୋଲି ଦେଖିଲେ କଣ ଅଛି ସେଥିରେ ସେ ଦିନ ପାଇଁ ତାଙ୍କ ପୁଅର ସାଥୀ ପିଲାର ଜଳଖିଆ ବାକ୍ସରେ। ଆଉ ତାରି ଅନୁସରଣରେ ସେ ତାଙ୍କ ପୁଅ ପାଇଁ ଜଳଖିଆ ସଜାଡିବାକୁ ଲାଗନ୍ତି। ଏହି ପ୍ରକ୍ରିୟାରେ ସେ ଲଗାତର ଭାବେ ପନ୍ଦର ଦିନ ଧରି ଦେଖିଲେ ମହାପାତ୍ର ବାବୁଙ୍କ ପୁଅ ଭାକୁଡ ମାଛ ଭଜା ସହିତ କେବେ ପରଟା ତ କେବେ ଅନ୍ୟ କିଛି ସୁସ୍ଵାଦୁ ବ୍ୟଞ୍ଜନ ନେଉଛି । ଏହି କଥା ନନ୍ଦ ବାବୁଙ୍କର ସହଜରେ ହଜମ ହେଲାନି । ସେ ମନେ ମନେ ହିସାବ କଲେ ମହାପାତ୍ର ବାବୁ କେତେ ଦରମା ପାଆନ୍ତି କେତେ ତାଙ୍କର ଖର୍ଚ୍ଚ ହେଉଥିବ ଇତ୍ୟାଦି ଇତ୍ୟାଦି । ସେ ମଧ୍ୟ ଦେଖିଥିଲେ କେବେ କେବେ କେହି ମହାପାତ୍ର ବାବୁଙ୍କ ଘରକୁ ମାଛ ବା ଅନ୍ୟାନ୍ୟ ସାମଗ୍ରୀ ନେଇ ଆସିବା। ଅବଶ୍ୟ ସେ ଜାଣି ପାରୁନଥିଲେ କି ସେ ବାବଦରେ ପଇସା ମହାପାତ୍ର ବାବୁ ଦେଇଛନ୍ତି ନା ଆଣିଥିବା ବ୍ୟକ୍ତି ମହାପାତ୍ର ବାବୁଙ୍କୁ କିଛି ଅନୁଗୃହୀତ କରୁଛି । ତେଣୁ ସେ ତୁରନ୍ତ ଏକ ସିଦ୍ଧାନ୍ତରେ ଉପନୀତ ହେଲେ କି ମହାପାତ୍ର ବାବୁ ନିଶ୍ଚୟ ଜଣେ ଅସଚ୍ଚୋଟ ବ୍ୟକ୍ତି ଏବଂ ଦୁର୍ନୀତିଗ୍ରସ୍ତ ଉପାୟରେ ସେ ଟଙ୍କା ସଂଗ୍ରହ କରି ବେଶ୍‌ ଏକ ବିଳାଶ ପୂର୍ଣ୍ଣ ଜୀବନ ଯାପନ କରୁଛନ୍ତି। ବସ୍ତୁତଃ ସେ ମହାପାତ୍ର ବାବୁଙ୍କୁ ମନେ ମନେ ଇର୍ଷା କରିବାକୁ ଲାଗିଲେ।

                    କଲେକ୍ଟୋରେଟ୍‌ରେ ଯେତେ ଅଧିକାରୀ ଥିଲେ ସେମାନଙ୍କ ଭିତରେ ମହାପାତ୍ର ବାବୁ ଜଣେ ସଚ୍ଚୋଟ ଅଧିକାରୀ ଭାବେ ବେଶ୍‌ ଜଣାଶୁଣା ଥିଲେ । ଜିଲ୍ଲାପାଳ ମଧ୍ୟ ଅନେକ ସମୟରେ ଅନ୍ୟ ଅଧିକାରୀ ମାନଙ୍କୁ ତାଙ୍କର ଉଦାହରଣ ଦେଇ ତାଙ୍କପରି ସଚ୍ଚୋଟତାର ସହିତ କାର୍ଯ୍ୟ ନୀର୍ବାହ କରିବାକୁ ପରାମର୍ଶ ଦେଇଥାଆନ୍ତି। ନନ୍ଦ ବାବୁଙ୍କୁ ଏସବୁ ସୁହାଉ ନଥିଲା କାରଣ ମହାପାତ୍ର ବାବୁଙ୍କ ପ୍ରତି ତାଙ୍କ ମନରେ ଗଭୀର ଇର୍ଷା ବସା ବାନ୍ଧି ସାରିଥିଲା । ନନ୍ଦ ବାବୁ ମନେ ମନେ ଗୁମୁରିବାକୁ ଲାଗିଥାଆନ୍ତି ।  ସେ ଜିଲ୍ଲାପାଳଙ୍କର ଟିକିଏ ନିକଟତର ହେବାକୁ ଚେଷ୍ଟା ଆରମ୍ଭ କରିଦେଲେ ଏବଂ ମଉକା ପାଇଲେ ମହାପାତ୍ର ବାବୁ କିପରି ଜଣେ ଦୁର୍ନୀତିଗ୍ରସ୍ତ ଅଧିକାରୀ ସେହି ବିଷୟରେ ଜିଲ୍ଲାପାଳଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଅହରହ ଚେଷ୍ଟା କଲେ । କାର୍ଯ୍ୟାଳୟର ଆଉ କିଛି କିରାଣୀ ବନ୍ଧୁ ଯେଉଁମାନେ ମହାପାତ୍ର ବାବୁଙ୍କ ଠାରୁ ବେନିୟମ ଭାବରେ ଉପକୃତ ହେଇପାରିନଥାଆନ୍ତି, ନନ୍ଦ ବାବୁଙ୍କ ସହିତ ହାତ ମିଳାଇ ଦେଲେ । ବସ୍ତୁତଃ ଦଳେ ସହକର୍ମୀ ମହାପାତ୍ର ବାବୁଙ୍କୁ ଜଣେ ଦୁର୍ନୀତିଗ୍ରସ୍ତ ଅଧିକାରୀ ବୋଲି ପ୍ରମାଣିତ କରିବା ଲାଗି ମନ ମୂନ ଚୈତନ ଏକ କରି ପ୍ରୟାସ ଆରମ୍ଭ କରିଦେଲେ । ବିଭିନ୍ନ ମନଗଢା କାହାଣୀ ସବୁ କର୍ମଚାରୀ ମହଲରେ ଆଲୋଚିତ ହେବାକୁ ଲାଗିଲା ।

                    ଦିନେ ସନ୍ଧ୍ୟାରେ ମହାପାତ୍ର ବାବୁ ମୋ ଘରକୁ ଆସିଲେ ନାହିଁ । ମୁଁ ଭାବିଲି ହୁଏତ ତାଙ୍କର ଦେହ ଭଲନଥିବ ।  ଆମ ଘରେ ଚାଲିଥିବା ଆସର ସରିଯିବା ପରେ ବିଳମ୍ବିତ ସନ୍ଧ୍ୟାରେ ମୁଁ ଗଲି ତାଙ୍କ ଘରକୁ କଥାକଣ ଜାଣିବା ପାଇଁ। ମୁଁ ଭାବୁଥିଲି ହୁଏତ ତାଙ୍କୁ କିଛି ସାହାଯ୍ୟର ଆବଶ୍ୟକତା ଥିବ। ତାଙ୍କ ଘରେ ପହଞ୍ଚି ତାଙ୍କ ଠାରୁ ସବୁ ଶୁଣିବାପରେ ମୋର ଚିନ୍ତା ବଢିଗଲା । ଆମେ ଉଭୟ ବସି ଭାବିବାକୁ ଲାଗିଲୁ କିଏ ହେଇପାରେ ଏହି ଅପବାଦର ସୃଷ୍ଟିକର୍ତ୍ତା। କିନ୍ତୁ କାହାରିକୁ ଆମେ ସନ୍ଦେହର ପରିସର ଭିତରକୁ ଆଣିପାରିଲୁନି । ମହାପାତ୍ର ବାବୁଙ୍କୁ ଜଣେ ସହକର୍ମୀ ଭାବରେ ଟିକିଏ ବୋଧ ଦିଆଇ ମୁଁ ଘରକୁ ଫେରିଲି ସେ ରତିରେ । ଘରେ କିନ୍ତୁ ମୋ ଆଖିରେ ନିଦ ନଥିଲା। ବହୁତ ରାତି ପର୍ଯ୍ୟନ୍ତ ମନ ମୋର ଉଦ୍‌ବେଳିତ ହେଉଥିଲା ଠାବ କରିବାକୁ ସେ ଦୁର୍ବୃତକୁ ଯିଏ ଏହିଭଳି ହୀନମନ୍ୟ କାମ କରିଛି । ମୁଁ ଜାଣି ପାରି ନଥିଲି କେତେବେଳେ ମୋ ଆଖି ଲାଗିଗଲା ।

            ପରଦିନ ସକାଳେ ମୋତେ କ୍ୟାମ୍ପ କୋର୍ଟ ପାଇଁ ଯିବାକୁ ଥିବାରୁ ମୁଁ ଘରେ ପ୍ରସ୍ତୁତ ହେଉଥାଏ । ଏହି ସମୟରେ ଜିଲ୍ଲାପାଳଙ୍କର ଜମାଦାର ଆସି ଖବର ଦେଲେ ଜିଲ୍ଲାପାଳଙ୍କର ନିର୍ଦ୍ଦେଶ ମୁଁ ଖୁବ୍‌ଶୀଘ୍ର ତାଙ୍କ ପାଖରେ ହାଜର ହେବି । ମୁଁ ତୁରନ୍ତ ଗସ୍ତ ବାତିଲ କରି ଜିଲ୍ଲାପାଳଙ୍କ ଦପ୍ତରରେ ହାଜର ହେଲି । ଷ୍ଟେନୋବାବୁ କହିଲେ ଜିଲ୍ଲାପାଳ ଖୁବ ରାଗିଛନ୍ତି ଓ ମୋତେ ଟିକିଏ ସତର୍କ ମଧ୍ୟ କରିଦେଲେ । ମୁଁ ମୋ ଇଷ୍ଟଙ୍କୁ ସୁମରଣା କରି ପଶିଲି ଜିଲ୍ଲାପାଳଙ୍କ କୋଠରି ଭିତରେ । ନିର୍ଦ୍ଦେଶ ହେଲା ବସିବାକୁ । ଟେବୁଲ ସାମନାରେ ପଡିଥିବା ଚୌକିରେ ମୁଁ ତତ୍‌କ୍ଷଣାତ୍‌ ବସିଗଲି। ଅପେକ୍ଷା କଲି କେତେବେଳେ ଜାଣିବି ମୁଁ କାହିଁକି ଅସମୟରେ ଶୂଳିରେ ଚଢିବା ଜରୁରୀ ହେଇପଡିଲା । ପରେ ଜାଣିଲି ଜିଲ୍ଲାପାଳ ମହାପାତ୍ର ବାବୁଙ୍କ ନାମରେ ବାଜୁଥିବା ଅପବାଦ ନାଗରାକୁ ନେଇ ଚିନ୍ତିତ ଥିଲେ ଏବଂ ତାଙ୍କୁ ଦାୟୀତ୍ଵ ମୁକ୍ତ କରି ତାଙ୍କର ସମସ୍ତ ଦାୟୀତ୍ଵ ମୋ ଉପରେ ନ୍ୟସ୍ତ କରିବାକୁ ନିର୍ଦ୍ଦେଶନାମା ଷ୍ଟେନୋ ବାବୁଙ୍କୁ ଟାଇପ କରି ଆଣିବା ପାଇଁ କହି ସାରିଥିଲେ।

   ଜିଲ୍ଲାପାଳ ଜିଲ୍ଲାର ସର୍ବୋଚ୍ଚ ଶାସକ । ତାଙ୍କ ନିଷ୍ପତ୍ତି ଉପରେ କିଏ ବା କର୍ମଚାରୀ ପ୍ରଶ୍ନ ଉଠାଇବ। ତଥାପି ସାହାସ କରି ମୁଁ ପଚାରିଲି ଏହିଭଳି ଏକ ନିଷ୍ପତ୍ତିର କାରଣଟି କଅଣ ବୋଲି। ଜିଲ୍ଲାପାଳ ମୋ ମୁହଁକୁ ଚାହିଁଲେ । ମୋତେ ବସିବାକୁ କହି ପୁଣି ନିଜ କାମରେ ବ୍ୟସ୍ତ ରହିଲେ। କିଛି ସମୟ ଗଲା । ଜିଲ୍ଲାପାଳ ଘରୁ ତାଙ୍କର ଦୁଇ କପ ଚା’ ମଗେଇଲେ। ମହାପାତ୍ର ବାବୁଙ୍କ ଉପରେ ସେ ଶୁଣିଥିବା କିଛି ଟିପ୍ପଣୀ ଉପରେ ମୋର ମତାମତ କଅଣ ଜାଣିବାକୁ ଚାହିଁଲେ। ମୁଁ ପ୍ରଥମେ ଆଶ୍ଚର୍ଯ୍ୟ ହେଲି ଯେ ଏହି ଭଳି କିଛି ଗୁଜବ ଜିଲ୍ଲାପାଳଙ୍କ ପାଖରେ ପହଞ୍ଚି ସାରିଲାଣି ଏବଂ ଜିଲ୍ଲାପାଳ ତହାକୁ ଗୁରୁତର ସହିତ ଶୁଣିଛନ୍ତି। ପୁଣି ଜଣେ ଗୁରୁତ୍ଵ ପୂର୍ଣ୍ଣ ଦାୟୀତ୍ଵ ନିଷ୍ଠାର ସହିତ ତୁଲାଇ ଆସୁଥିବା ଅଧିକାରୀଙ୍କୁ ଶୁଣାକଥା ଭିତ୍ତିରେ ବିନାକିଛି ତଦନ୍ତରେ ହଠାତ୍‌ ଦାୟୀତ୍ଵ ମୁକ୍ତ କରିଦେବା କଥାଟି ମଧ୍ୟ ମୋର ସହଜରେ ହଜମ ହେଉନଥାଏ। ମୁଁ ପ୍ରଥମେ ଅପେକ୍ଷା କଲି ଜାଣିବାକୁ କି ଜିଲ୍ଲାପାଳ ମହାପାତ୍ର ବାବୁଙ୍କ ଉପରେ କଅଣ ସବୁ ଟିପ୍ପଣୀ ଶୁଣିଛନ୍ତି। ସେ ସବୁ ଆମେ ଶୁଣିଥିବା କଥା ନା ଆଉ କିଛି । ଅବଶ୍ୟ ଜିଲ୍ଲାପାଳ ଖୁବ୍‌ ବିମର୍ଷ ଥିଲେ ସେହି ସନ୍ଧ୍ୟାରେ। କାରଣ ମହାପାତ୍ର ବାବୁଙ୍କୁ ଜିଲ୍ଲାପାଳ ଖୁବ୍‌ ଆଦର ଓ ସମ୍ମାନ କରୁଥିଲେ। ସେ କହିଲେ କି ମହାପାତ୍ର ବାବୁଙ୍କ ଉପରେ ସେ ରଖିଥିବା ଧାରଣା ଭୁଲ ପ୍ରମାଣିତ ହେଇଛି। ସେ ଜଣେ ଦୁର୍ନୀତି ଗ୍ରସ୍ତ ଅଧିକାରୀ । ମୁଁ ସାହାସ କରି କହିଲି,

--- କ୍ଷମା କରିବେ ସାର ମୁଁ ଏହି କଥାରେ ଆପଣଙ୍କର ଏକମତ ହେଇ ପାରୁନି। ମୁଁ ମହାପାତ୍ର ବାବୁଙ୍କର ସହକର୍ମୀ ହେବା ସହିତ ତାଙ୍କର ପଡୋଶୀ ମଧ୍ୟ। ସେ ଶତ ପ୍ରତିଶତ ଜଣେ ସଚ୍ଚୋଟ ଅଧିକାରୀ। କର୍ମଚାରୀ ମହଲରେ ସେ ତାଙ୍କର ସଚ୍ଚୋଟତା ପାଇଁ ବେଶ୍‌ ଜଣାଶୁଣା।

--- ଏବେ ଏବେ ଆସିଥିବା ନନ୍ଦ ବାବୁ କଅଣ ତାଙ୍କର ପଡୋଶୀ ନୁହଁନ୍ତି? ସେ ଦେଖିଛନ୍ତି କିଏ କିଏ ସବୁ ତାଙ୍କ ଘରକୁ କି ପ୍ରକାରର ଅନୈତିକ ଅନୁଗ୍ରହ ସହିତ ଆସନ୍ତି।

             ଜିଲ୍ଲାପାଳଙ୍କଠାରୁ ଏହା ଶୁଣିବାପରେ ମୁଁ ଅନୁମାନ କଲି କି ଏହି ସମସ୍ତ ଘଟଣାର ସୃଷ୍ଟିକର୍ତ୍ତା ନନ୍ଦ ବାବୁ ହିଁ ହେଇ ପାରନ୍ତି। ତେଣୁ ଜିଲ୍ଲାପାଳ ଶୁଣିଥିବା ସମସ୍ତ ବିଷୟର ଉପଯୁକ୍ତ ତଦନ୍ତ ଜିଲ୍ଲାପାଳ ନିଜେ କରିବା ପାଇଁ ମୁଁ ତାଙ୍କୁ ବିନମ୍ର ଅନୁରୋଧ କଲି । ତାହାହିଁ ହେଲା। ଜିଲ୍ଲାପାଳ ମହାପାତ୍ର ବାବୁଙ୍କ ଘରକୁ ଅନୈତିକ ଅନୁଗ୍ରହ ସହିତ ଆସୁଥିବା ସମସ୍ତ ବ୍ୟକ୍ତିଙ୍କୁ ଡକେଇ ବୁଝିଲେ କି ସେମାନେ କୌଣସି ସେପରି କାର୍ଯ୍ୟ କରି ନାହାନ୍ତି। କଲୋନିର ସମସ୍ତ ଅଧିକାରୀଙ୍କର ଅନୁରୋଧ କ୍ରମେ ସମୟ ସମୟରେ କିଛି ତାଜା ପନିପରିବା ସେମାନେ କଲୋନିରେ ବିକ୍ରି କରିଥାଆନ୍ତି। ମହାପାତ୍ର ବାବୁଙ୍କ ସମେତ ସବୁ ଅଧିକାରୀ ସେ ବାବଦରେ ଧାର୍ଯ୍ୟ ମୂଲ୍ୟ ପୈଠ କରନ୍ତି। ମହାପାତ୍ର ବାବୁ ମଧ୍ୟ ଏହି ଭାବରେ ଉପଯୁକ୍ତ ମୂଲ୍ୟ ଦେଇ ସାରିବାପରେ ଆବଶ୍ୟକ ସାମଗ୍ରୀ ଗ୍ରହଣ କରନ୍ତି। ପୁଣି ଜିଲ୍ଲାପାଳ କ୍ରମଶଃ ଜାଣିପାରିଲେ କି କିଛି କର୍ମଚାରୀ ଯେଉଁମାନେ କି ମହାପାତ୍ର ବାବୁଙ୍କୁ ଅନୈତିକ କାର୍ଯ୍ୟ କରିବା ପାଇଁ ବାଧ୍ୟ କରି ହାରି ଯାଇଛନ୍ତି ସେମାନେ ନନ୍ଦ ବାବୁଙ୍କ ସହିତ ଏହି ଅଭିଯାନରେ ସାମିଲ ହେଇଛନ୍ତି। ପ୍ରାୟ ସପ୍ତାହକ ମଧ୍ୟରେ ଜିଲ୍ଲାପାଳ କ୍ରମଶଃ ନିଶ୍ଚିତ ହେଲେ ଯେ ମହାପାତ୍ର ବାବୁଙ୍କ ଉପରେ ସେ ଶୁଣିଥିବା ସମସ୍ତ ଟିପ୍ପଣୀ କପୋଳକଳ୍ପିତ ଓ ମିଥ୍ୟା।

        ପରବର୍ତ୍ତି ସମୟରେ ଦେଖାଗଲା ନନ୍ଦ ବାବୁଙ୍କ ସହିତ ସାମିଲ କର୍ମଚାରୀ ମାନେ ଆଉ ନିଜନିଜ ଯାଗାରେ ନାହାନ୍ତି। ନନ୍ଦ ବାବୁ କିଛି ଦିନ ଛୁଟିନେଇ ପିଲାଙ୍କୁ ଗାଁରେ ଛାଡି ଆସିବାକୁ ଯାଇଥିଲେ ଯେ ଆଉ ଫେରିନାହାନ୍ତି । ଯେଉଁ କର୍ମଚାରୀ ବନ୍ଧୁମାନେ ମାତି ଯଇଥିଲେ ମହାପାତ୍ର ବାବୁଙ୍କ ଉପରେ ଟିପ୍ପଣୀ ଦେବାରେ ଆଉ କଲେକ୍ଟୋରେଟ୍‌ ଗେଟ ସାମନାରେ ଥିବା ଚା’ ଦୋକାନରେ ଭିଡ ଜମାଉନାହାନ୍ତି । କହିଲେ ସତ କଅଣ କେବେ ଲୁଚି ରହେ।

ଜିଲ୍ଲାପାଳ ଚାକିରୀ ନନ୍ଦ ବାବୁ ମହାପାତ୍ର ବାବୁ

Rate the content


Originality
Flow
Language
Cover design

Comments

Post

Some text some message..