Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kulamani Sarangi

Tragedy

3  

Kulamani Sarangi

Tragedy

କୃଷ୍ଣଚୂଡା

କୃଷ୍ଣଚୂଡା

5 mins
14.3K


ପାଞ୍ଚମାସ ଘରଭଡା ଦେଇନଥିବା ଭଡାଟିଆକୁ ବିରକ୍ତରେ ଚାହିଁଲା ପରି ସୂର୍ଯ୍ୟ ସେଦିନ ନିର୍ଦ୍ଦୟ ଭାବରେ ପୃଥିବୀକୁ ଚାହୁଁଥିଲେ । ଅସହ୍ୟ ଗରମ । ଝରକାବାଟେ ବାହାରକୁ ଚାହିଁଲି ।

ଚନ୍ଦା ମୁଣ୍ଡରେ ତେଲ ଚିକ୍ ଚିକ୍ କଲା ପରି ,ବୃକ୍ଷ ଲତା ବିହୀନ ଟାଙ୍ଗରା ଖପରା ମୁଣ୍ଡିଆର ପଥର ଉପରେ ସୂର୍ଯ୍ୟ କିରଣ ଚିକ୍ ଚିକ୍ କରୁଥାଏ । ପାହାଡ ତଳେ ରାଣୀଗଞ୍ଜ ଟାଇଲ୍ ଛପର ମୋର ଛୋଟ ଫାର୍ମଘରେ ମୁଁ ବ୍ଲାଷ୍ଟ ଫର୍ଣ୍ଣେସରେ ପଡି ଭାଜିହେଲାପରି ଜଳୁଥିଲି । ଗଡଜାତର ଜଳବାୟୁ ଏମିତି । ଖରାଦିନେ ସୂର୍ଯ୍ୟ ଏଠି ଜଳେ ରେଲର କୋଇଲା ଇଞ୍ଜିନ୍ ଚୁଲାପରି ଆଉ ଶୀତଦିନେ ହାଡଭଙ୍ଗା ଶୀତରେ କଲିଜା ଥରେ । ଦିନସାରା ମୋ ଫାର୍ମହାଉସ୍ ରେ ମୁଁ ଯେତିକି ଜଳେ,ରାତିରେ ସେତିକି କିନ୍ତୁ ଆନନ୍ଦ ପାଏ । ଖରା ଦିନର ଚନ୍ଦ୍ରାଲୋକିତ ରାତି,ଅନିର୍ବଚନୀୟ ସୁଷମାର ମଧୁଚକ୍ର ସୃଷ୍ଟିକରେ ପାହାଡ ତଳେ ମୋର ସେଇ ଫାର୍ମ ହାଉସର ପରିବେଶରେ । ଏକ ପାଖରେ ପାହାଡ, । ଅପର ପାଖରେ କୁସୁମୀ ନଦୀ ଆଉ ମଝିରେ ମୋର ଫାର୍ମ । ପାହାଡ ତଳେ ଝଙ୍କାଳିଆ କଇଁଆ ପାଣି ଆମ୍ବ ଗଛ....ଛୋଟ ଆମ୍ବ,ବଡ ଟାକୁଆ ଆଉ କଇଁଆପାଣି ପରି ସେଥିରୁ ବାହାରେ ଟୋପାଏ ରସ । ଅଥଚ ଗଛଟା ବିଶାଳ । ମାଡିବସିଚି ଅଧ ମାଇଲିଏ ଭୁଇଁ ।

ସୁଲୁ ସୁଲୁ ପବନ କଇଁଆ ପାଣି ଆମ୍ବ ଗଛ ପତ୍ରରେ ସିରି ସିରି ଶବ୍ଦକରି ବହିଆସେ । ଶୀତଳ ପବନ ସ୍ପର୍ଶରେ ମନ ପ୍ରାଣ ପୁଲକିତ ହୋଇଉଠେ । ଫାର୍ମର ହରିତ ଶେଜ ଉପରେ ପଡିଯାଏ ଶୀତଳ ଚନ୍ଦ୍ରାତପର ଶୁଭ୍ର ଗାଲିଚା । ଦେହ ଓ ମନରୁ କ୍ଲାନ୍ତି ଦୂର ହୋଇଯାଏ । ଆଖିପତା ନଇଁ ଆସେ,ମନରେ ଲାଗିଯାଏ କାଉଁରୀ କାଠିର ସ୍ପର୍ଶ ।

ଏମିତି ଏକ ମନୋଜ୍ଞ ସଞ୍ଜରେ ତନ୍ଦ୍ରିଳ ମନକୁ ଚହଲାଇ ଦେଇ ଝିଅଟିଏ ଡାକିଲା 'ବାବୁ' ।

ଝିଅଟିଏ, ମାନେ ଏମିତି ପାଞ୍ଚ,ସାତ ବର୍ଷର ଝିଅ ନୁହେଁ । ଦେହ ଓ ମନକୁ ଚମକାଇବାପାଇଁ ଯଥେଷ୍ଟ ଶକ୍ତି ପାଇଥିବା କିଶୋରୀ ଷୋଡଶୀ । ପୂର୍ଣ୍ଣମୀ ଆଡକୁ ପ୍ରଗଲ୍ଭ ହୋଇ ଧାଇଁ ଯାଉଥିବା ଦଶମୀ ଜହ୍ନ ପରି ବେସ୍ ଡଉଲ ଡାଉଲ । ମୋ ପରି ଯେ କୌଣସି ତରୁଣକୁ ନିଶା ଗ୍ରସ୍ତ କରିଦେବାପାଇଁ ଯଥେଷ୍ଟ ସୋମ ରସ ତା ଆଖିରେ ଥିଲା । ପୃଥିବୀର ସବୁ କୋମଳତା ସଂକୁଚିତ ହୋଇ ତା ଗାଲ ଆଉ ଓଠରେ ଜମାଟବାନ୍ଧି ରହିଥିଲା । ତାର କଥାକୁହା ଆଖି ଭିତରେ ଅନେକ ପ୍ରଶ୍ନବାଚୀ ଖୁନ୍ଦିଖାନ୍ଦି ହୋଇ ବସି କଣ ଗୁଡାଏ ଭାବୁଥିଲେ । ତାର ଚିତ୍ରପ୍ରତିମ ତରଙ୍ଗାୟୀତ ଭୃଲ୍ଲତା,କଳା ଭଅଁର ପରି ଦୁଷ୍ଟ ଅନାୟତ ଦୁଇ ଆଖି,ମୋ ମନକୁ ଶକ୍ତ ଦଉଡିରେ ତା ଲାଲ୍ ପଥର ବସା ନାକଚଣାରେ ବାନ୍ଧିଦେଲେ । କିନ୍ତୁ ମନ ଭିତରେ ମୋର କୌତୁହଳ ସ୍ଵପ୍ନ ଦେଖିବା ଛୁଆପରି ଚମକି ପଡି ନିଦରୁ ଉଠି ବସିଲା ।

ସଂଧ୍ୟାର ଏ ତନ୍ଦ୍ରିଳ ପ୍ରହରରେ,ଏ ନିର୍ଜନ ଉପତ୍ୟକାରେ ,ଏ ନିସର୍ଗ ସୁନ୍ଦରୀ କେମିତି ଆସିଲା,ପ୍ଲସ୍ କୁଆଡୁ?ମୋର କୌତୁହଳକୁ ଆଖିଭିରେ ଚଟାପଟ୍ ପଢିନେଇ ଝିଅଟି କହିଲା "ବାବୁ, ଏ ପାହାଡ ତଳେ ଆମେ ବାପ ଝିଅ ସେଇ ଫୁଲଗଛ ତଳେ ଆଶ୍ରୟ ନେଇଚୁ । ରୋଷେଇ କରିବୁ । ଚୁଲି ଲଗାଇବା ପାଇଁ ଡିଆସିଲ୍ ଟିକେ ଦବ ବାବୁ?"

ଯେଉଁ ଫୁଲଗଛ କଥା ସେ କହୁଥିଲା,ତାହା ଟାଙ୍ଗରା ଖପରା ପାହାଡ ତଳେ ଥିବା କୃଷ୍ଣଚୂଡା ଗଛ । ଲାଲ୍ ଫୁଲରେ ବୋଝେଇ ହୋଇ ବ୍ୟତିବ୍ୟସ୍ତ ହୋଇ ପଡିଛି ସେ ଗଛ,ଏତେ ଲାଲ୍ ରଙ୍ଗ କେମିତି ବାଣ୍ଟିବ,କାହାକୁ ବାଣ୍ଟିବ ବୋଲି ତାର ମୁଣ୍ଡ ଖରାପ୍ । ଯା'ହେଉ,ଏ ଝିଅଟିକୁ ପାଖରେ ଦେଖିଲାପରେ,କିଛି ଓଜନ ସେ ଓହ୍ଲେଇଦବ ଏ ଝିଅଟି ଉପରକୁ....କିଛି ଦବ ତା ନାଲି ରିବନ୍ ପାଇଁ,କିଛି ନାଲି ଓଠ ପାଇଁ,କିଛି ଅଳତା ପାଇଁ ତ ଆଉ କିଛି ନେଲ ପଲିସ୍ ପାଇଁ । ସେଇ ଗଛମୂଳରେ ଆଶ୍ରୟ ନେଇଥିବା କୃଷ୍ଣଚୂଡାର ଏଇ ଆଇନାଟିକୁ କୃଷ୍ଣଚୂଡା ନଡାକି ଆଉ କଣ ଡାକିଥାନ୍ତି?

ମୋର କୃଷ୍ଣଚୂଡା ଡାକରେ ସେ କିନ୍ତୁ ଖିଲ ଖିଲ୍ ହୋଇ ହସିଉଠି କହିଲା "ବାବୁ,ମୋ ନାଁ କୃଷ୍ଣଚୂଡା ନୁହଁ,ଉଆଁସୀ । "

"ଉଆଁସୀ?ଧେତ୍ ଏଡେ ଅପରିଛନିଆଁ ନାଁଟେ ତତେ କିଏ ଦେଲା?"

ଝିଅଟି କହିଲା "ଆଉ କିଏ ଦବ?ମୋ ବାପା । ନାଁ ଦବାକୁ ମା କଣ ବଞ୍ଚିଥିଲା ଯେ ଦେଇଥାନ୍ତା?"

ଦିଆସିଲ୍ କାଠିଟି ବଢେଇ ଦଉ ଦଉ ଅନଧିକାର ଚର୍ଚାରେ କହିଲି "ତୋ ବାପାର କଣ ଏତିକି ସାଧାରଣ ଜ୍ଞାନ ନାହିଁ ଯେ ଉଆଁସରେ ଚନ୍ଦ୍ର ଉଦୟ ହୁଏନି?"

କଣ ବୁଝିଲା କେଜାଣି,ଡିଆସିଲ୍ ଟି ଏକ ପ୍ରକାର ଝାମ୍ପିନେଇ ଖିଲ୍ ଖିଲ୍ ହସି ,ମିଳେଇ ଗଲା ଆଖି ଅନ୍ତରାଳରେ ।

ତା ପର ଦିନ ସେ ଝିଅଟି କଥା ମୁଁ ଏକପ୍ରକାର ଭୁଲିଯାଇଥିଲି । ଫାର୍ମର କର୍ମ ଜଞ୍ଜାଳ ଭିତରୁ ଟିକିଏ ମୁକ୍ତିପାଇ ,ସଂଧ୍ୟାରେ ବିଶ୍ରାମ ନେଲାବେଳେ ତାକଥା ହଠାତ୍ ମନେପଡିଲା । ନୂଆ ପଡୋଶୀର ଭଲମନ୍ଦ ବୁଝିବା କର୍ତ୍ତବ୍ୟ ମନେକରି ,ଚାଲ ଚାଲ ହୋଇ କୃଷ୍ଣଚୂଡା ଗଛ ପାଖରେ ପହଞ୍ଚିଲି । ଗଛମୂଳରେ ଝାଟି ମାଟିର କୁଡିଆଘରଟିଏ ଗଢି ଉଠିଥିଲା । ଯାହାକୁ ମୁଁ କାଲି ଜଣେ ସାମୟିକ ରେଳଯାତ୍ରୀର ସମ୍ମାନଦେଇ ମନରୁ ତଡି ଦେଇଥିଲି,ଝାଟି ମାଟିର ଘରଟି ଦେଖି ସେ ମୋର ଅତି ଆପଣାର ପଡୋଶୀପରି ଲାଗିଲା ।

ଉଆଁସୀ ଏବେବି କାମରେ ଲାଗିଥିଲା । କପାଳରେ ବିନ୍ଦୁ ବିନ୍ଦୁ ଝାଳ । ଗୋଡ ହାତ କାଦୁଅ । ମୁହଁ ଉପରେ ପଡିଛି ଦିକେରା ବାଳ । ଶାଢି ଅଧା ଟେକାହୋଇ ଅଣ୍ଟାରେ ଖୋସା ହୋଇଥିଲା । ଜଣାପଡୁଥିଲା,ପବନରେ ଉଡି ,ମୁହଁ ଉପରେ ପଡି ହଇରାଣ କରୁଥିବା ଦିକେରା ବାଳକୁ କାଦୁଅ ହାତ କହୁଣିରେ ସଜାଡିବାକୁ ବାରମ୍ବାର ଅସଫଳ ଚେଷ୍ଟା କରୁଥିଲା ଉଆଁସୀ । କାଲି ରାତି ଅନ୍ଧାରରେ ମତେ ଯାହା ଦେଖିଥିଲା । ତେଣୁ ମତେ ଦେଖି ଦୋ ଦୋ ଚିହ୍ନା ହେଲା ଉଆଁସୀ । ପଚାରିଲି "କଣ କୃଷ୍ଣଚୂଡା,ଏଠି ବସା ବାନ୍ଧିବୁ କି?"ବାଦଲ ଭିତରୁ ଜହ୍ନ ଖସି ଆସିଲା ପରି ସଲ୍ଲଜ ହସ ହସିଲା ସେ । ସେ ଅଭିବ୍ୟକ୍ତି କହିଦେଉଥିଲା, "କୃଷ୍ଣଚୂଡା" ଡାକ ଶୁଣିବା ପରେ ହିଁ ସେ ମତେ ଚିହ୍ନିଲା । ବଡପାଟିରେ ଡାକିଲା "ବାପା,କାଲି ରାତିରେ ଏଇ ବାବୁଙ୍କଠୁ ଦିଆସିଲି ଆଣିଥିଲି । ବାବୁଙ୍କୁ ଫେରେଇ ଦେ । "

କର୍ମକ୍ଳାନ୍ତ ବୁଢାଟିଏ ମତେ ଆସି ଜୁହାର କଲା । ପଚାରିଲି " ତମ ଘର କୋଉଠି ମଉସା?"

"ବାଲେଶ୍ଵର ଜିଲ୍ଲାରେ ବାବୁ,ଭୋଗରାଇ । ନଈ ମୋର ଘର,ଦ୍ବାର,ଫସଲ ସବୁ ଖାଇଗଲା । ଭୋକ ବିକଳରେ ମା ଛେଉଣ୍ଡ ପିଲା ବକଟକ ଧରି ଚାଲି ଆସିଚି । ତମରି ଆଶ୍ରା ବାବୁ ରଖିଲେ ରଖିବ ମାରିଲେ ମାରିବ । "ଏକ ନିଶ୍ଵାସରେ ଏତେଗୁଡାଏ କଥା କହିଗଲା ବୁଢା । ପଚାରିଲି "ଚଳିବ କେମିତି?"

ମୁଲ ଲାଗି," ବୁଢା ସଂକ୍ଷିପ୍ତ ଉତ୍ତରଟିଏ ଦେଲା ।

ମୁଁ କହିଲି"କାଲି ସକାଳେ ତାହେଲେ ମୋ ଫାର୍ମକୁ ଆସ । ତମପାଇଁ ଅନେକ କାମ ଅଛି । "ବୁଢାର ଆଖିରେ ଲୁହ ସହିତ କୃତଜ୍ଞତା ଜମାଟ ବାନ୍ଧି ଆସିଲା । ତା ପରଠାରୁ ବୁଢା ତା ଝିଅ ସହିତ ରିତିମତ୍ ମୋ ଫାର୍ମରେ କାମରେ ଲାଗିପଡିଲା । ଓଦାମାଟି ସ୍ପର୍ଶରେ ଲାଲ୍ ଟୁକ୍ ଟୁକ୍ ସାଧବ ବୋହୂ ମତୁଆଲା ହେଲା ପରି ମୋ ଫାର୍ମରେ ଧାଇଁବୁଲିଲା ଉଆଁସୀ । ତାର ଛନ ଛନ ଆଖି,ଚଞ୍ଚଳ ପାଦ,ଛଳ ଛଳ ଯୌବନ ମୋ ଫାର୍ମର ସୀମିତ ପରିବେଶ ଭିତରେ ସୃଷ୍ଟିକଲା ସୌନ୍ଦର୍ଯ୍ୟର ଘୂର୍ଣ୍ଣି ବାତ୍ୟା । ସେ ଘୂର୍ଣ୍ଣିବାତ୍ୟା ଭିତରେ ପଡି,ଖଣ୍ଡିଆ ଭୂତ ଭିତରେ ଥିବା ଅସହାୟ ପତ୍ର ପରି ମୋ ମନ ବେଲଗାମ୍ ଆକାଶ ଛୁଇଁଦେଲା । ଅସହାୟ ମନକୁ ଆୟତ୍ତ କରିବାକୁ ଚେଷ୍ଟାକରି ମୁଁ ପାରିଲିନି । ସ୍ବପ୍ନବିଭୋର ମୋ ହଜିଲା ମନକୁ ମୁଁ ଖୋଜି ଖୋଜି ପାଏ ଉଆଁସୀର ଆପଲ୍ ଲାଲ୍ ଦୁଧ ଅଳତିଆ ଗାଲ ଉପରେ,ମୁକ୍ତକେଶ ଆଢୁଆଳରେ ଥିବା ଆଇଭରି ପାହାଡ ସନ୍ଧିରେ,ଲମ୍ବା ବେଣୀରେ ସାଜିଥିବା ଫୁଲର ସୁଗନ୍ଧ ଭିତରେ ଏବଂ ସେ ଧାଇଁଲାବେଳେ ନାଚି ଉଠୁଥିବା ସୁଗଠିତ ନିତମ୍ବର ସଂଗୀତଭରା ତାଳ ଭିତରେ ।

ଉଆଁସୀ କିନ୍ତୁ ସହଜରେ ଧରାଦେବା ଚଢେଇ ନୁହେଁ । ମୁକ୍ତ ବିହଙ୍ଗମ ଉଡିବୁଲେ ମୁକ୍ତ ଆକାଶରେ,ପଇଁତରା ମାରେ,ପୁଣି ତଳକୁ ଆସି ଗଛରେ ବସେ ସିନା,ପଞ୍ଜୁରି ଭିତରକୁ ଆସେନାହିଁ ।

ହଠାତ୍ ଦିନେ ଆବିଷ୍କାର କଲି,ଉଆଁସୀ ଭଲପାଇ ବସିଛି ଗୋଟିଏ କଳାନାଗକୁ । ତା ଘରପାଖରେ,ଭଙ୍ଗା ଉଇ ହୁଙ୍କା ଭିତରେ କଳା ମଚ୍ ମଚ୍ ନାଗ ସାପଟିଏ ଘରକରି ରହିଥିଲା । ସବୁଦିନ ସକାଳେ,ସଞ୍ଜରେ ଖପରାରେ ଦୁଧନେଇ ହୁଙ୍କା ପାଖରେ ଥୋଇଦେଇ ଆସେ ଉଆଁସୀ । କଳାନାଗ ନିର୍ଭୟରେ ଆସି ଦୁଧ ପିଇଦେଇ ଚାଲିଯାଏ । ଉଆଁସୀକି ତାର ଡର ଭୟ କିଛି ନଥାଏ । ଉଆଁସୀ ବି ତା ସହିତ କଥାହୁଏ । ହୁଡ୍ ଟେକି,ଜିଭ ବାହାରକରି କଳାନାଗ ତା କଥା ଶୁଣେ । ପୁଣି ଚାଲିଯାଏ ଗାତ ଭିତରକୁ । ଉଆଁସୀ ସହିତ ଅନ୍ୟ କାହାକୁ ଦେଖିଲେ କଳାନାଗ ଗାତରୁ ବାହାରେ ନାହିଁ ।

କଳାନାଗ ଉପରେ ମୋର ଈର୍ଷା ହେଲା । ଦିନେ ପଚାରିଲି "କୃଷ୍ଣଚୂଡା,ତୁ ତ କଳାନାଗକୁ ଭଲ ପାଇ ବସିଲୁଣି । କଥାକଣ?"ଖିଲ୍ ଖିଲ୍ ହସିଉଠିଲା ଉଆଁସୀ । କହିଲା "ତମେ ଜାଣିନକି ବାବୁ?ସେ ପରା ମୋ ବର । ମୁଁ ତ ଉଆଁସୀ କନିଆଁ । ମତେ ଆଉ କିଏ ବାହାହବ? ମୁଁ ସେଇ ନାଗକୁ ଇ ବାହାହେବି ।"

ଧମନୀରେ ମୋର ହଳାହଳ ବିଷର ପ୍ରବାହ ହେଲାପରି ଲାଗିଲା । ଲୋମ ଟାଙ୍କୁରି ଉଠିଲା । କହିଲି "ମୁଁ ତତେ ବାହା ହେବି କୃଷ୍ଣଚୂଡା । ତୁ ସେ କଳାନାଗକୁ ଆଉ ଦୁଧ ଦେ ନା । "

"ନାଁ ବାବୁ,ତମପାଇଁ ନାଗୁଣୀଟିଏ ମୁଁ ଯୋଗାଡ କରିଦେବି “କହି ଖିଲ୍ ଖିଲ୍ ହସି ବିଜୁଳି ପରି କୁଆଡେ ଅନ୍ତର୍ଦ୍ଧାନ ହୋଇଗଲା ଉଆଁସୀ । ସେଦିନ ରାତିରେ ମୁଁ ସ୍ୱପ୍ନ ଦେଖିଲି,ହଳଦୀ ଗର ଗର ନାଗୁଣୀଟିଏ ପାଲଟି ଯାଇଛି ଉଆଁସୀ,ଆଉ ମୋ ବେକ ଚାରିପଟେ ଗୁଡେଇ ହୋଇ ମୋ ମୁହଁକୁ ଦଂଶନ କରିବାକୁ ଯାଉଛି । ଭୟରେ ଚିତ୍କାର କରି ଉଠିଲି ମୁଁ । ନିଦ ଭାଙ୍ଗିଗଲା । ଦେହ ସାରା ଝାଳରେ ଭିଜି ଯାଇଥିଲା ।

ଉଆଁସୀର କଳାନାଗ ସହିତ ଘନିଷ୍ଠତା କିପରି ବିପଦପୂର୍ଣ୍ଣ,ତାହା ମୁଁ ଉଆଁସୀର ବାପାକୁ କହିବା ପରେ ବୁଢା ତା ମନର ବେଦନା ପ୍ରକାଶକରି କହିଲା “ଉଆଁସୀପାଇଁ ପିଲାଟିଏ ଦେଖିଦିଅ ବାବୁ । "ଏ ଅବସରରେ ଉଆଁସୀକି ବାହାହେବା ପାଇଁ ମୋ ଇଚ୍ଛା ପ୍ରକାଶ କରନ୍ତେ,ବୁଢା ଆଖିରେ ଆନନ୍ଦର ଲୁହ ଭରି ଆସିଲା । ଅବିଶ୍ଵାସ ଆଖିରେ ମତେ ଚାହିଁ କହିଲା"ସତେ କଣ ମୋ ଉଆଁସୀ ଭାଗ୍ୟରେ ଏତେ ସୁଖ ଅଛି ବାବୁ?"

ବୁଢାକୁ ମୁଁ ଚାହିଁ କହିଲି "ମଉସା,ଆଜିଠୁ ଠିକ୍ ଦଶଦିନ ପରେ,ଅର୍ଥାତ୍ ଆସନ୍ତା ଶୁକ୍ଳ ଦଶମୀକୁ ଭଲ ତିଥି ଅଛି । ସେଦିନ ଆମର ବାହାଘର ସମ୍ପନ୍ନ ହେବ । "ଏକ ପ୍ରକାର ଆଦେଶ ଦେଲା ଭଳି ମୁଁ କହିଥିଲେ ମଧ୍ୟ,ବୁଢାମନ ଖୁସିରେ କୁଣ୍ଢେମୋଟ ହୋଇଗଲା । ଏ ଖବର ହୁଏତ ଉଆଁସୀ ପାଇଥିବ । କିନ୍ତୁ ଉଆଁସୀ ଆଉ ମୋ ଫାର୍ମ ଭିତରକୁ ଆସିଲା ନାହିଁ । ଭାବିଲି ଅପରିସୀମ ଲାଜ ତାକୁ ମୋ ପାଖରୁ ଦୂରେଇ ରଖିଚି ।

ହଠାତ୍ ଦିନେ ସକାଳେ ବୁଢାର କରୁଣ କ୍ରନ୍ଦନ ଓ ଚିତ୍କାର ଶୁଣି ମୁଁ ଏକ ରକମ ଦଉଡି ଦଉଡି ତା ଘର ପାଖରେ ପହଞ୍ଚିଲି । ବୁଢା ମୁଣ୍ଡପିଟି କାନ୍ଦୁଥିଲା । ମତେ ଦେଖି ଗୋଡତଳେ ପଡିଯାଇ କହିଲା "ବାବୁ ସବୁ ସରିଗଲା" । ଘର ଭିତରକୁ ଯାଇ ମୁଁ ଦେଖିଲି,କଳାନାଗ ଉଆଁସୀର ମୁକ୍ତ କବରୀ ଭିତରେ ସଂପୂର୍ଣ୍ଣ ଲୁଚିଯାଇ ତା ଓଠ ଉପରେ ମୁଁହ ରଖିଛି । ସଂପୂର୍ଣ୍ଣ ନୀଳବର୍ଣ୍ଣ ପଡିଯାଇଛି ଉଆଁସୀର ଦେହର ରଙ୍ଗ । ଆମ ଉପସ୍ଥିତିରେ ସାପ ଚାଲିଯିବାପାଇଁ ବସିଲା । ଠେଙ୍ଗାଟିଏ ଆଣି ବୁଢା ସାପକୁ ମାରିବାକୁ ଯାଉଥିଲା । ମୁଁ ବାଧାଦେଲି ।

ସାପ ଧୀରେ ଧୀରେ ଯାଇ ହୁଙ୍କାଭିତରେ ପଶିଲା । ବୁଢାର ଛାତିଫଟା କାନ୍ଦରେ କରୁଣମୟ ହୋଇ ଯାଇଥିଲା ପରିବେଶ ।


Rate this content
Log in

Similar oriya story from Tragedy