Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ମଣିନାନୀର ଶାଶୁଘର
ମଣିନାନୀର ଶାଶୁଘର
★★★★★

© sushama Parija

Tragedy

6 Minutes   361    14


Content Ranking

ମଣିନାନୀର ଶାଶୁଘର।

ମଣିନାନୀ ଚାଲିଗଲେ । ଖବର ଟା ବିଜୁଳୀ ବେଗରେ ଖେଳିଗଲା ଗାଁ ଟା ସାରା। ପିଲା ବୁଢା ମିଣିପେ ମାଇପେ ସମସ୍ତେ ଧାଇଁଲେ ଗାଁ ମୁଣ୍ଡରେ ଏକଲା ହୋଇ ଠିଆ ହୋଇଥିବା ଛୋଟ ଚାଳଘର ଟି ଆଡକୁ । ସଭିଙ୍କ ଆଖିରେ ଲୁହ। ଶ୍ରୀରାମପୁର ଗାଆଁଟି ଚହଲି ଗଲା ଯେମିତି । ମଣିନାନୀ ଏଇ ଗାଁ ର ଝିଅ ପୁଣି ଏଇ ଗାଁ ର ବୋହୂ । ତା'ର ଏନ୍ତୁଡି ଜଳିଥିଲା ଶାସନ ସାହି ର ରଘୁ ମିଶ୍ର ଙ୍କ ଘରେ ଆଉ ତା'ର ସବାରୀ ଲାଗିଥିଲା ସେହି ସାହି ର ବନମାଳୀ ଦାଶ ଙ୍କ ଘରେ। ମଣିନାନୀ ସେତେବେଳକୁ ନଅ ବର୍ଷ ର ହେଇଥିଲା ଆଉ ତା'ର ବର ସୁକାନ୍ତ ଅଠର ବର୍ଷ ର। ତା ବାପା ଆଉ ତା'ର ଶଶୁର ଦି ଜଣ ଥିଲେ ପିଲା ବେଳର ସାଙ୍ଗ। ପିଲାଦିନରୁ ସତ୍ୟ କରିଥିଲେ ସମୁଦି ହେବାକୁ। ତେଣିକି ଯାହାର ଆଗ ପୁଅ ହେବ ସେ ଅନ୍ୟ ଜଣକର ଝିଅ କୁ ନିଶ୍ଚିତ ବୋହୂ କରି ନେବ , ସର୍ତ୍ତ ଥିଲା ଏଇଆ। ସୁକାନ୍ତ ସେତେବେଳକୁ ଗାଁ ସ୍କୁଲ ରୁ ମାଟ୍ରିକ ପାସ୍ କରି କଟକ ରେଭେନସା କଲେଜରେ ପଢୁଥାଆନ୍ତି ,ମଣିନାନୀ ଗାଁ ସ୍କୁଲ ର ତୃତୀୟ ଶ୍ରେଣୀ ର ଛାତ୍ରୀ। ସୁକାନ୍ତ ର ନାହିଁ ନାହିଁ କୁ ରଘୁ ମିଶ୍ର ଆଉ ବନା ଦାଶ ଙ୍କ ହଁ ହଁ ଭିତରେ ବାହାଘର ତ ହୋଇଗଲା ହେଲେ ବାହାବେଦୀରୁ ଉଠି ବର ପଳେଇଲା କଟକ ତା'ର କଣ ପରୀକ୍ଷା ଅଛି କହି ଆଉ ମଣିନାନୀ ଗଲା ବାପ ଘରକୁ, ପରେ ବିଦାବିଦି ହୋଇ ଆସିବ ବୋଲି । ପଞ୍ଚମ ଶ୍ରେଣୀରୁ ସ୍କୁଲ ଯିବା ବନ୍ଦ ହେଲା ମଣିନାନୀ ର। ଘରେ ବସି ରନ୍ଧା ବଢା,ସିଲେଇ ପତ୍ର ଶିଖିଲା, ଗୀତା ଭାଗବତ ରାମାୟଣ ମହାଭାରତ ପଢିଲା।

ନଅ ବର୍ଷ ର ମଣିନାନୀ ଅଠର ବର୍ଷ ର ହେବାଯାଏ ବିଦାବିଦି ହୋଇ ଶାଶୁଘରକୁ ଯାଇପାରିଲା ନାହିଁ କି ବରର ମୁହଁକୁ ଦେଖି ପାରିଲାନି କାରଣ ବାହାଘର ଦିନ ଠାରୁ ସୁକାନ୍ତ ର ଆଉ ଗାଁ ରେ ପାଦ ପଡିନଥିଲା । ରଘୁ ମିଶ୍ରେ ବାରମ୍ବାର ଧାଉଁଥିଲେ ବନା ଦାଶଙ୍କ ଘରକୁ ଆଉ ବନା ଦାଶେ ଧାଉଁ ଥିଲେ କଟକ। ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଥିଲା। କିଶୋରୀ ମଣିନାନୀ ସେତେବେଳକୁ ଯୌବନରେ ପାଦ ଦେଇ ସାରିଥିଲା । ତାକୁ ଦେଖି ତା କଥା ଭାବି ଭାବି ରଘୁ ମିଶ୍ରେ ଚିନ୍ତା ରେ ଭାଙ୍ଗି ପଡୁଥିଲେ । ବନା ଦାଶେ ମଧ୍ୟ ଲଜ୍ଜା ରେ ମୁହଁ ଦେଖାଇ ପାରୂନଥିଲେ ତାଙ୍କୁ । ଧୀରେ ଧୀରେ କଥା କଟାକଟି ହୋଇ ବଂଧୁତାରେ ଫାଟ ସୃଷ୍ଟି ହେଲା । ଘରକଥା ଘରୁ ଯାଇ ଗାଁ ର ବାଟରେ ଘାଟରେ ପୋଖରୀ ତୁଠରେ ଗଡଗଡେଇଲା। ଥୋକାଏ କହିଲେ ବନା ଦାଶ ଧନଲୋଭରେ ପୁଅଟା ଜୀବନ ବରବାଦ କରିଦେଲେ ଆଉ ଥୋକେ କହିଲେ ଯିଏ ପାଠଶାଠ ପଢି ମଣିଷ ହେଇଛି ସିଏ ଗୋଟାଏ ଅଧା ପାଠୁଆ ଗାଉଁଲି ଝିଅ କୁ ନେଇ କେମିତି ରଖିବ ଯେ । ମଣିନାନୀ ସବୁ ଶୁଣେ , ଛାତିକୁ ପଥର କରି ସବୁ ସହିଯାଏ। ତା ମନରେ ସୁକାନ୍ତ ତା'ର ଇହକାଳ ପରକାଳର ଦେବତା। ଆଜି ମନ ଊଣା କରିଛନ୍ତି କାଲି କି ଯଦି ଆସିବେ ,ଥରଟିଏ ତା'ର ରଙ୍ଗ ରୂପ ଦେଖବେ,ସେ ଆପେଆପେ ବଦଳି ଯିବେନି କି। ରଘୁ ମିଶ୍ରେ କିନ୍ତୁ ଆଉ ସଂଭାଳିଲେନି , ଯଦି ମାସକ ଭିତରେ ବନା ଦାଶେ ସୁକାନ୍ତ କୁ ବୁଝା ଶୁଝା କରି ଆଣି ମଣି କୁ ପୁଆଣି କରି ତାଙ୍କ ଘରକୁ ନ ନିଅନ୍ତି ତେବେ ସେ ମଣିକୁ ଅନ୍ୟ ବର ଦେଖି ନିଶ୍ଚିତ ବାହା ଘର କରିଦେବେ ବୋଲି ଚେତାବନୀ ଦେଇଦେଲେ ।

ଆକାଶ ଛିଡି ପଡିଲା ମଣିନାନୀ ଉପରେ। ଲଜ୍ଜା ଅପମାନ ରେ ମୁଣ୍ଡ ତଳକୁ ହୋଇ ଗଲା ବନମାଳୀ ଦାଶଙ୍କର। ବାପାଙ୍କ ରୁଦ୍ର ମୂର୍ତ୍ତି ଦେଖି ଶଙ୍କି ଯାଉଥିଲା ମଣିନାନୀ । ବାପା ଙ୍କ ମୁହଁରେ କିଛି ନ କହିଲେ ବି ତା ମନ ଜଳି ପୋଡ଼ି ଯାଉଥିଲା । ପିଲାଟି ଦିନରୁ ଯେଉଁ ଦେବତାଙ୍କୁ ସେ ଉତ୍ସର୍ଗ ହୋଇ ସାରିଛି, ଯାହାକୁ ନେଇ ସେ ଦିନ ରାତି ସ୍ୱପନ ଦେଖୁଛି, ରାତି ରାତି ଅନିଦ୍ରା ରହି ତାଙ୍କ ସାନିଧ୍ୟ ଟିକିଏ ପାଇବା ପାଇଁ ପ୍ରତୀକ୍ଷା କରି ରହିଛି, ତାଙ୍କୁ ଭୁଲି ଆଉ କାହାକୁ ବାହା ହୋଇ ଘର ସଂସାର କରିବ ,ଏକଥା ଭାବି ପାରୁନଥିଲା ସିଏ। ସାରାରାତି ଭାବିଲା ସେ । ସ୍ଥିର କଲା ମରିଯିବ ପଛେ ସେ ସୁକାନ୍ତ ଛଡା ଆଉ କାହାର ହେବ ନାହିଁ। ଅଧରାତି ବେଳକୁ ଅନ୍ଧାରରେ ଅନ୍ଧାରରେ ମୁଣ୍ଡରେ ଓଢ଼ଣା ଦେଇ ଚାଲି ଚାଲି ପହଞ୍ଚିଲା ବନା ଦାଶଙ୍କ ଘରେ। ବାଡିକବାଟ ଠକ୍ ଠକ୍ କଲାରୁ ବନା ଦାଶେ କବାଟ ଖୋଲିଲେ। ଟର୍ଚ୍ଚ ଆଲୁଅ ରେ ମଣିକୁ ଦେଖି ଚମକି ଉଠିଲେ ସେ। ଘର ଭିତରକୁ ଆସ କହି ପତ୍ନୀ ଙ୍କୁ ଉଠାଇ ଦେଲେ ଘଟଣା କଣ ବୁଝିବା ଲାଗି । ଶାଶୁଙ୍କୁ ଦେଖି କୋହ ସମ୍ବରଣ କରିପାରିଲା ନାହିଁ ମଣି। ତାଙ୍କ ପାଦ ଦୁଇଟି ଧରି କାନ୍ଦି କାନ୍ଦି କହିଲା ' ମା ତମେ ମତେ ରକ୍ଷା କର । ମତେ ପିଲାବେଳୁ ବୋହୂ କରିଥିଲ କଣ ଆଉ କାହା ହାତରେ ଟେକି ଦେବା ପାଇଁ ? ମୁଁ ତମ ପୁଅଙ୍କ ଛଡା ଆଉ କାହାରିକୁ ସ୍ବପ୍ନ ରେ ବି ଭାବିନଥିଲି କି ଭାବି ପାଳିବି ନାହିଁ।ଏଇଠି ତମ ପାଦ ତଳେ ପଡି ଜୀବନ ହାରି ଦେବି ସିନା ଆଉ କାହାକୁ ବାହାହୋଇ ଘର ସଂସାର କରି ପାରିବି ନାହିଁ''। ସେମିତି କଇଁ କଇଁ ହୋଇ କାନ୍ଦୁଥାଏ ମଣି ହେଲେ ଶାଶୁଙ୍କ ପାଦ ଦୁଇଟି ଛାଡୁ ନଥାଏ। ବହୁତ କଷ୍ଟ ରେ ତାକୁ ବୁଝାଶୁଝା କରି ତଳୁ ଉଠାଇ ଆଣି ଆପଣା ଛାତି ରେ ଚାପି ଧରିଲେ ଶାଶୁ । ପିଲା ଟି ବେଳୁ ତାକୁ ଭାରି ସ୍ନେହ କରନ୍ତି ସ୍ଵାମୀ ସ୍ତ୍ରୀ ଦୁଇଜଣ ଯାକ । ସେଇ ସ୍ନେହ ଆଜି ବି ଅତୁଟ ଅଛି। ଖାଲି ସୁକାନ୍ତ ଟା ତାଙ୍କୁ ଏ ଅବସ୍ଥାରେ ନ ପକେଇ ଥିଲେ ସେମାନେ ଆଜି ନାତି ନାତୁଣୀ ଧରି ଖେଳୁଥାଆନ୍ତେ। ମଣି କୁ ଆଶ୍ୱାସନା ଦେଲେ ଶାଶୁ, କାଲି ସକାଳୁ ସେ ନିଜେ ଯିବେ କଟକ, ଯେମିତି ହେଲେ ବୁଝାଶୁଝା କରି ଆଣି ଆସିବେ ସୁକାନ୍ତ କୁ। ତାଙ୍କ କଥା ସେ କେବେ କାଟି ପାରିବ ନାହିଁ। ମଣି ଆଉ ଘରକୁ ନଯାଇ ତାଙ୍କରି ଘରେ ଥାଉ। ସୁକାନ୍ତ ଆସିଲେ ଆଉ ଯାହା ବିଚାର ହେବ।ଭୋର୍ ବସ୍ ଧରି ଶାଶୁ ଶଶୁର ବାହାରି ଗଲେ କଟକ।

ଏପଟେ ମଣିନାନୀ କୁ ଘରେ ନଦେଖି ରଘୁ ମିଶ୍ରେ ଖୋଜାଖୋଜି ଆରମ୍ଭ କରିଦେଇଥିଲେ । ମଣିନାନୀ ର ବିଦ୍ରୋହ ବିଷୟରେ ଅଳ୍ପେ ବହୁତେ ଆଭାସ ପାଇଥିଲେ ମିଶ୍ରେ । ସାହି ପଡିଶା ଜାଣିଲେ ନିନ୍ଦା ହେବ ବୋଲି ଚୁପ୍ ଚାପ୍ ହୋଇ ହୋଇ ନଈ ପୋଖରୀରୁ ଆରମ୍ଭ କରି କୂଅ ବାମ୍ଫି ସବୁ ଖୋଜି ସାରି ଯେତେବେଳେ ଖବର ପାଇଲେ ଯେ ସିଏ ବନା ଦାଶ ଙ୍କ ଘରେ ଅଛି, କ୍ରୋଧ ରେ ଅନ୍ଧ ହୋଇଗଲେ ସେ। ସେଇଠି ଗାଁ ଦାଣ୍ଡରେ ତାକୁ ଶୁଦ୍ଧି ହୋଇ ପଡି ଶପଥ କଲେ ଯେ ବଂଚି ଥିଲା ଯାଏଁ ଆଉ ମଣିର ମୁହଁ ଚାହିଁବେ ନାହିଁ। ଏପଟେ ଦାଶ ଘରେ ଅପେକ୍ଷା କରି ବସିରହିଥାଏ ମଣିନାନୀ ମନରେ ଅନେକ ଆଶା ଆଉ ଆଶଙ୍କାକୁ ଧରି । ସତରେ କଣ ତା ମନର ମଣିଷ ଫେରିବେ? ପିଲାଟି ଦିନରୁ ସାଇତି ରଖିଥିବା ସପନ ସବୁ ସତ ହେବ?? ସେ ସୁକାନ୍ତ ଙ୍କ ନାଁଆଁ ର ଶଂଙ୍ଖା ସିନ୍ଦୂର ଲଗାଇ ଗାଆଁ ଦାଣ୍ଡ ରେ ବାଟ ଚାଲିବ ? ଦିନ ସରି ରାତି ହେଲା, ହେଲେ ଶାଶୁ ଶଶୁରଙ୍କ ଦେଖା ନାହିଁ । ଅନେଇ ଅନେଇ ଆଖରୁ ପାଣି ମଶାଣି ମଣିର।ତା' ପରଦିନ ସଂଜ ବେଳକୁ ଫେରିଲେ ବନା ଦାଶେ ପତ୍ନୀ ର ଶବକୁ ସାଙ୍ଗ ରେ ଧରି । ହାଲହୁଳି ପଡିଗଲା ଗାଆଁ ରେ , ସୁକାନ୍ତ ର ବୋଉ ଚାଲିଗଲେ ହୃଦ୍ ଘାତ ରେ କଟକ ବଡ ମେଡିକାଲରେ । ଦାଶେ ଶୁଣି କର୍ମ କଲେ ହେଲେ ସୁକାନ୍ତ ଆସିଲେ ନାହିଁ ମା ମୁହଁରେ ମୁଖାଗ୍ନି ଟିକେ ଦେବା ପାଇଁ। ମଣିନାନୀ ରୀତି ମୁତାବକ ଶୁଦ୍ଧି କର୍ମ ରେ ବସିଲା ବୋହୁ ଟିଏ ହୋଇ। କାମ ସରିଗଲା ପରେ ବନମାଳୀ ମଣି କୁ ପାଖରେ ବସାଇ ସତ କଥା ସବୁ ଗୋଟି ଗୋଟି କରି ଖୋଲି କହିଲେ । କେମିତି ସେମାନେ ସୁକାନ୍ତ ର ଘର ଖୋଜି ଖୋଜି ଯାଇ ପହଞ୍ଚିଲା ବେଳକୁ ସେଠାରେ ସୁକାନ୍ତ ର ସ୍ତ୍ରୀ ଆଉ ପୁଅକୁ ଦେଖିଲେ, କେମିତି ସୁକାନ୍ତ ତାଙ୍କୁ ମୁହଁରେ ଶୁଣେଇ ଦେଲା ଯେ ତା'ର ଆଉ ତାଙ୍କ ସହିତ କିମ୍ବା ଗାଁ ସହିତ କୌଣସି ସଂପର୍କ ନାହିଁ ବୋଲି , କେମିତି ସେଇ କଥା ଶୁଣି

ଛାତିକୁ ଧରି ପଡିଗଲେ ସୁକାନ୍ତ ର ବୋଉ ଆଉ ତାଙ୍କୁ ସେଠୁ ଧରାଧରି କରି ବଡ ମେଡିକାଲରେ ପହଞ୍ଚିଲା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଇତ୍ୟାଦି ଇତ୍ୟାଦି । ସୁକାନ୍ତ ବୋଉକୁ ଦେଖିବାକୁ ମେଡିକାଲ ରେ ପହଞ୍ଚି ଥିଲା କିନ୍ତୁ ବନମାଳୀ ତାକୁ ଶବକୁ ଛୁଇଁବାକୁ ଦେଇନଥିଲେ ବରଂ ତାଙ୍କର ମୃତ୍ୟୁ ହେଲେ ମଧ୍ୟ ତାଙ୍କ ଶବକୁ ମୁଖାଗ୍ନି ନଦେବା ଲାଗି ରାଣ ଦେଇଥିଲେ । ମଣିକୁ କହିଥିଲେ ସେ ସେଇଠି ତାଙ୍କର ଝିଅ ହୋଇ ରହିବ ମଲାଯାଏ। ସେ ମଣିକୁ ବୋହୂ କରି ଆଣି ଥିଲେ ଝିଅ କରି ରଖିବେ ସାରା ଜୀବନ ପାଇଁ। ମଣିନାନୀ ସବୁ ଶୁଣିଲା , ସେଇଟା ବିଧି ର ବିଧାନ ବୋଲି ଧରିନେଇ ସେଇଠି ରହିଲା

ସାରା ଜୀବନ ସୁକାନ୍ତ ର ସ୍ତ୍ରୀ ହୋଇ। ଏ ଭିତରେ ଅନେକଗୁଡିଏ ବର୍ଷ ବିତି ଯାଇଥିଲା । ବନମାଳୀ କେବେଠାରୁ ଦିବଂଗତ ହୋଇ ସାରିଥିଲେ ମଧ୍ୟ ମଣିନାନୀ ସେଇଠି ପଡି ରହିଥିଲା ସୁକାନ୍ତ ନାଁ ର ଶଙ୍ଖା ସିନ୍ଦୂର ପିନ୍ଧି । ଗାଁ ଗୋଟାକର ଲୋକ ତାକୁ ଦେବୀ ଭଳି ମାନୁଥିଲେ। ସମସ୍ତଙ୍କ ସୁଖ ଦୁଃଖର ସାଥୀ ଥିଲା ସିଏ। ଭଲରେ ମନ୍ଦରେ ବାହା ନିମିତ୍ତ ରେ ଆଗେ ମଣିନାନୀ କୁ ଖୋଜା ପଡୁଥିଲା । ତା'ଠୁ ଆଶୀର୍ବାଦ ନନେଇ କୋଉ ଝିଅ ଶାଶୁଘରକୁ ଯାଉନଥିଲା । ସେ ଥିଲା ସମସ୍ତଙ୍କ ଆଖିର ମଣି।

ଆଜି ସେଇ ମଣିନାନୀ ଚାଲି ଯାଇଛି । ଅଭିଶପ୍ତା କିନ୍ନରୀ ଟି ପରି । ଅହ୍ୱ ରାଣୀ ହୋଇ।ସୁକାନ୍ତ ନାଁ ର ଶଙ୍ଖା ସିନ୍ଦୂର କୁ ସାଥୀରେ ନେଇ। ସମସ୍ତେ ମିଶି ସଜାଇ ଦେଲେ ତା'ର ଅନ୍ତିମ ଯାତ୍ରା ର ସବାରୀ ଟିକୁ।

ନାଲି ଟୁକ୍ ଟୁକ୍ ଶାଢୀ ସାଙ୍ଗରେ ନାଲି ପାଣି କାଚରୁ ଦି ମୁଠା,ମୁଣ୍ଡ ରେ ବଡ ନାଲି ସିନ୍ଦୂର ର ଟୋପା, ପାଦରେ କମକୁଟିକରା ନାଲି ଅଳତା ପିନ୍ଧି ମଣିନାନୀ ଦିଶୁଥିଲା ନୂଆ ବୋହୂ ଟିଏ ପରି । ହରିବୋଲ ହୁଳହୁଳି ରେ ଗାଁ ଦାଣ୍ଡ କମ୍ପି ଉଠୁଥିଲା ସତେ ଯେମିତି ମଣିନାନୀ ପୁଆଣି ହୋଇ ଯାଉଛି ଶାଶୁଘରକୁ ।

ଶାଶୁଘର କିଶୋରୀ ଦେବତା

Rate the content


Originality
Flow
Language
Cover design

Comments

Post

Some text some message..