Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Khiroda Biswal

Drama Romance Tragedy

5.0  

Khiroda Biswal

Drama Romance Tragedy

ମଞ୍ଚମାୟା

ମଞ୍ଚମାୟା

14 mins
8.8K


କ୍ଷୀରୋଦ ବିହାରୀ ବିଶ୍ୱାଳ

ଟ୍ରାକ୍ଟର ଉପରେ ବନ୍ଧା ହୋଇଛି ରଙ୍ଗୀନ୍ ମଞ୍ଚ । ମଞ୍ଚ ଦୁଇଭାଗରେ ଭାଗ ହୋଇଛି । ଗୋଟିଏ ଭାଗ ଝିଲିମିଲି ଆଲୁଅ, ମୁକ୍ତ ପବନ , ମୁକ୍ତ ଦର୍ଶନ,ବାଘର ଆଁ ପରି ଆଖି , ସମୁଦ୍ର ଜୁଆର ପରି ବିପଦ । ଅନ୍ୟ ଅଂଶ ଟି ଅନ୍ଧାର, ଆବଦ୍ଧ , ଝାଳୁଆ ଗନ୍ଧ , କିନ୍ତୁ ନିରାପଦ । ସେହି ଘର ଭିତରେ ଖୁନ୍ଦି ହୋଇ ବସିଥାନ୍ତି ସୁନିତା , ବେବି , ଲିପି , ଡେଜି ସମସ୍ତେ । ଟିକିଏ ଥକା ମାରନ୍ତି , ଝାଳ ପୋଛି , ମେକପ କରନ୍ତି , ବ୍ରା-ବ୍ଲାଉଜ ସଜାଡି ପୁଣି ପ୍ରସ୍ତୁତ ହୁଅନ୍ତି ବାଘ ମାନଙ୍କ ଆଗରେ ଖେଳ ଦେଖେଇବାକୁ ।

ୟେ ବି ଗୋଟେ ସର୍କସ । ଛୁଁ କହି ଛୁଁଏଇଁ ନଦେବା ଏକ କଳା ସେ କଳାରେ ଯିଏ ଯେତେ ମାହିର ସେ ସେତେବଡ଼ ଖେଳାଳି ।

ପ୍ରଥମେ ପ୍ରଥମେ ଏହି ଖେଳରେ ଲିପିକୁ ବହୁତ ଭୟ ଲାଗୁଥିଲା । ଏବେ ସେ ଭୟ ନାହିଁ । ଆଗରୁ ଦଶ ପନ୍ଦର ମିନିଟ ନାଚିଲେ ଥକି ପଡୁଥିଲା ଲିପି । ଏବେ ସେ ଶିଖିଗଲାଣି କେମିତି ମଞ୍ଚରେ ରହି ବି ବିଶ୍ରାମ ନେବାକୁ ହୁଏ । ବେଶୀ ହାତ ଗୋଡ ନହଲେଇ ବି ଦର୍ଶକ ମାନଙ୍କୁ କେମିତି ମତୁଆଲା କରିବାକୁ ହୁଏ । ହସରେ , ଚାହାଁଣୀରେ, ଇସାରାରେ କେମିତି ବାନ୍ଧି ରଖିବାକୁ ହୁଏ ବାଘ ମାନଙ୍କୁ ।

କିଏ ଗୋଟେ ପାଣିପାଉଚ କିଛି ଫିଙ୍ଗିଦେଲା ସେହି କନା ଘେରା ଘର ଭିତରକୁ । ଲିପି ଭାଗ୍ୟରେ ଗୋଟିଏ ପଡ଼ିଲା... ଓହୋ ... ଦେହରେ ଜୀବନ ପଶିଲା । "ଚିକନୀ ଚମେଲି" ଗୀତ ସରି ଆସୁଛି ଏବେ ବାଜିବ "ନଡ଼ିଆ ତେଲ " ନଡ଼ିଆ ତେଲ ଗୀତରେ ଲିପି ପରି କେହି ନାଚିପାରନ୍ତିନି । କାହିଁକି କେଜାଣି ଲିପିର ଇଛା ନାହିଁ ଆଉ ସେ ମଂଚ ଉପରକୁ ଯିବାକୁ । ସେ ଏତେ ମଞ୍ଚରେ ନାଚିଛି , ଏତେ ଲୋକଙ୍କୁ ପାଗଳ କରିଛି । କେତେ ଫ୍ଲାଇଙ୍ଗ କିସ , କେତେ ଦାମୀ ଚକୋଲେଟ , କେତେ ଉପହାର ପାଇଛି । ମଞ୍ଚ ତା ନିଜର, ଅତି ନିଜର । କିନ୍ତୁ ଆଜି ଭୟ ଲାଗୁଚି । କିଛି ପାପ କରିପକେଇଥିଲା ପରି ଛାତି ଥରୁଛି । ଡିସେମ୍ବର ଥଣ୍ଡାରେ ବି ଗୋଡ଼ରୁ ମୁହଁ ଯାଏଁ ଝାଳେଇ ଯାଉଛି । ଲାଗୁଚି ଯେମିତି ଏଇନେ ପୋଲିସ ବାନ୍ଧି ନବ ଆଉ ହଜାରେ ବର୍ଷ କାରାଗାର ଭିତରେ ରଖିଦବ କିମ୍ବା ଯମ ଆସି କବାଟ ବାଡ଼ଉଛି ଚାଲ ଯିବା କହି ।

ବାହାରେ ଟୋକା ଚିଲ୍ଲାଉଥାନ୍ତି ସେ ନାଲି ଡ୍ରେସ ବାଲିକୁ ଡାକ । ଲିପି ଶୁଣୁଥାଏ କିନ୍ତୁ ବାହାରକୁ ଆସିବାକୁ ସାହସ ହେଉନଥାଏ ତାର । ମୁହଁ ତଳକୁ କରି ବସିଥାଏ । କିଏ ଗୋଟେ ଚିଲ୍ଲେଇଲା " କଣ ମାହାଳିଆ ନାଚୁଛକିବେ .... ବାହାରକୁ ଆବେ... " ଦଳର ଅର୍ଗାନାଇଜର ବସନ୍ତ ଭିତରକୁ ଆସି କହିଲା "ଲିପି ଥରେ ଚାଲ ବାହାରକୁ । ଗୋଟେ ଗୀତ ରେ ଖାଲି ଠିଆ ହେଇ ଆସିବୁ । ମୁଁ ଗାଡି ଯୋର ଯୋରରେ ନେଇଯିବି । ନଦୀ ପାଖାପାଖି ହେଇ ଗଲାଣି ଗୋଟେ ଦୁଇଟି ଗୀତରେ ଠାକୁର ପାଣିକି ପଳେଇବେ "

ଲିପି ବସନ୍ତ କୁ ଦେଖିଲା । କହିଲା

- ମୁଁ ବାହାରକୁ ଯିବିନି , ମୋର ଆଜିର ପଇସା କାଟିଦେ ।

- ଏମିତି ପିଲାଙ୍କ ପରି କାହିଁକି ହଉଛୁ କହିଲୁ । ତୁମେ ହେଲ ନାଚବାଲି ନାଚିବା ତୁମ କର୍ମ, ଧର୍ମ । ପ୍ରୋଗ୍ରାମ ମଝିରେ ୟେ ଫଜେଲାମି ମତେ ପସନ୍ଦ ନୁହଁ । କଣ ହେଇଚି କହ ? ଦେହ ଭଲ ନାହିଁ ? ମୁଣ୍ଡ ବୁଲଉଛି ? ଅସୁବିଧା କ'ଣ କହ ?

- ନା କିଛି ଅସୁବିଧା ନାହିଁ । ମୁଁ ନାଚବାଲି ... ହଁ ମୁଁ ନାଚ.... ବାଲି....

ଲିପି ଲୁହ ପୋଛି ବାହାରକୁ ଆସିଲା । ଟୋକା ତାଳି ମାରି ଡେଇଁ ପଡୁଥିଲେ । ଲିପି ଥରେ ସେ ଗଛ ମୂଳରେ ବାଇକ ଉପରେ ବସିଥିବା ଯୁବକ ଆଡକୁ ଦେଖିଲା । ଯୁବକଟି ଲିପିକୁ ଏକ ଲୟରେ ଚାହିଁଥିଲା । ଲିପିର ତା" ସହିତ ଆଖି ମିସେଇବାକୁ ସାହସ ନଥିଲା । ସେ ଯୁବକ ଆଡ଼ୁ ଆଖି ଫେରେଇ ଆଣି ନାଚରେ ମନଦେଲା ।

ମହାନଦୀ କୂଳରେ ଯାତ୍ରୀ ନିବାସ । ସେଇଠି ବ୍ୟବସ୍ତା ହୋଇଛି ସବୁ ଝିଅମାନଙ୍କ ରହିବାର । ପ୍ରସେସନ ସରିବା ବେଳକୁ ରାତି ବାର ବାଜିଯାଇଥିଲା । ରୁମକୁ ଆସି ମେକପ ପୋଛି ସମସ୍ତେ ଖାଇବା ପାଇଁ ଗଲେ । ଲିପିର କିନ୍ତୁ ଖାଇବାକୁ ଇଚ୍ଛାନାଥିଲା । ଗଛ ମୂଳରେ ବାଇକ ଉପରେ ବସିଥିବା ଲୋକର ଆଖି ତା ହୃତ ସ୍ପନ୍ଦନ ବଢ଼େଇଦେଉଥିଲା । ଭାବିଲା ଟିକେ ଶୋଇପଡିଲେ ଭଲ ଲାଗିବ ।

ଖଟ ଉପରେ ପଙ୍ଖାକୁ ଚାହିଁ ଭାବୁଥିଲା ସେହି ଲୋକର କଥା । ସେ ରାଜେଶ, ଲିପିର ପିଲାଦିନର ସାଙ୍ଗ । ପ୍ରକୃତରେ ପିଲା ଦିନର ବୋଲି କହିହେବନି ଚାରି କ୍ଲାସରେ ପଢିବା ପାଖରୁ ସାଙ୍ଗ । ଦୁଇଜଣ ଧରଣୀ ସାରଙ୍କ ପାଖରୁ ଗୀତ ଶିଖୁଥିଲେ । ରାଜେଶ ବହୁତ ସୁନ୍ଦର ଗୀତ ଗାଉଥିଲା । ଲିପି ନାଚରେ ବେଶୀ ମନ ଦେଉଥିବାରୁ ଧରଣୀ ସାର ଲିପି ଉପରେ ରାଗନ୍ତି । କୁହନ୍ତି "ରାଜୁକୁ ଦେଖ ସେ କେତେ ସାଧନା କରୁଛି ଗୀତ ପାଇଁ । ସେ ବଡ ହେଲେ ନିଶ୍ଚିତ ବଡ କଳାକାର ହବ ଆଉ ତୁ ନାଚକୁ ଏତେ ଗୁରୁତ୍ୱ ଦଉଚୁ କ'ଣ କରିବୁ । ଝିଅ ମାନେ ଯେତେ ଭଲ ନାଚିଲେ ବି କଲେଜ ପର୍ଯ୍ୟନ୍ତ ନହଲେ ବାହା ହେବା ପର୍ଯ୍ୟନ୍ତ । ବାହାହେବା ପରେ ହଜାରରୁ ଗୋଟିଏ ଦୁଇଟି ଝିଅ ନାଚ ଜାରି ରଖନ୍ତି , ବାକି ସମସ୍ତେ ନାଚ ଭୁଲିଯାନ୍ତି ।"

ଲିପି ଯେତେ ରିୟାଜ କଲେବି ରାଜୁ ପରି ସୁର ଲଗେଇପାରେନା କେବେ ବି । କିନ୍ତୁ ଖୁସି ଥାଏ ଏଇଥି ପାଇଁ କି ଗାଁରେ ଗୀତ ପ୍ରତିଯୋଗିତା କେବେ ହୁଏ ନାହିଁ ସବୁବେଳେ ନାଚ ପ୍ରତିଯୋଗିତା ହୁଏ ଆଉ ଲିପି ସବୁ ପ୍ରତିଯୋଗିତାରେ ପ୍ରଥମ କି ଦ୍ଵିତୀୟ ହୁଏ । ଟ୍ରଫି ଆଣି ଧରଣୀ ସାରଙ୍କୁ ଦେଖାଏ । ଧରଣୀ ସାର ଖୁସି ହୁଅନ୍ତି " କୁହନ୍ତି ହଉ ଯେଉଁଥିରେ ଭଲହଉଛି ଆଉ ଯାହା କରିବାକୁ ଭଲ ଲାଗୁଚି ସେଇଆ କର , କିନ୍ତୁ ଗୀତକୁ କେବେ ଚାଡ଼ିବୁନି । ମୋର ବିଶ୍ୱାସ ତୁ ଭଲ ଗାଈ ପାରିବୁ ।''

ରାଜେଶ ଲିପି ସହିତ ଏତେ କଥା ହୁଏନା । ତା ବାପା ଓ ମା ଦୁହେଁ ଶିକ୍ଷକ ଥିଲେ । ମା ପ୍ରାଥମିକ ବିଦ୍ୟାଳୟରେ ବାପା ହାଇସ୍କୁଲରେ । ଗାଁ ଚଳଣିକୁ ଦେଖିଲେ ସେମାନେ ଥିଲେ ସ୍ଵଛଳ ବର୍ଗର । ଲିପିର ବାପା ନଥିଲେ । ଲିପି ଜନ୍ମରୁ ବାପାଙ୍କୁ ଦେଖିନି । ମା କହେ ବାପା ଅଛନ୍ତି ବିଦେଶ ରେ ସେ ଆଉ କେବେ ଆସିବେନି । ଘରେ ଲିପି, ଲିପିର ମାଁ ଓ ଲିପିର ଜେଜେମା । ତିନି ପିଢ଼ିର ତୁନିଜଣ ରୁହଉଥିଲେ ଏକ ପୁରୁଷ ବିହୀନ ସଂସାର ରେ । ଲିପି ଯେତେଯେତେ ବଢ଼ୁଥିଲା ମାଙ୍କ ଆକଟ ବି ସେତେ ସେତେ ବଢ଼ୁଥିଲା ।

ଦଶମ ପରୀକ୍ଷା ପରେ ସବୁ ପିଲା ମାମୁଁଘର ମଉସା ଘର ବୁଲି ଯାନ୍ତି । ଲିପି ର ସେମିତି କେହି ନିଜର ସମ୍ପର୍କୀୟ ନାହାନ୍ତି କହିଲେ ଚଳେ । ମାଁ ତାର ଆନ୍ୟ ଜାତିରେ ପ୍ରେମ ବିବାହ କରିଥିବାରୁ ମାମୁଁଘର ସହିତ ସମ୍ପର୍କ ଆଉ ନାହିଁ । ଗାଁରେ ତା'କୁ ସେହି ଦୁଇମାସ ଶ୍ମଶାନ ପରି ଲାଗୁଥିଲା । ତା'ର ସବୁ ସାଙ୍ଗ ବୁଲି ଯାଇଥିଲେ , ତାକୁ ଲାଗୁଥିଲା ସବୁ ସାଙ୍ଗ ତାକୁ ଭୁଲି ଯାଇଛନ୍ତି । କିନ୍ତୁ ଏହି ଦୁଇ ମାସରେ ବହୁତ କିଛି ପରିବର୍ତ୍ତନ ହୋଇଯାଇଥିଲା । ଲିପି ରୂପରେ ହୋଇଥିଲା ଅପରୂପା, ଦେବୀଙ୍କ ପରି ଚେହେରା , ଦେହରେ ଯୌବନ ଖୁନ୍ଦି ହୋଇଯାଇଥିଲା । ଦେହ ଭିତରେ ତା'ର ଅଦିନିଆ ବର୍ଷା । ସେ ଭିଜୁଥିଲା ଦିନରାତି । ଘର ବାହାରକୁ କେବେ ଆସେନାହିଁ । ଆଉ ଯଉ ଦିନ ବାହାରିଲା ସେଦିନ ଗାଁରେ ବନ୍ୟା ହେଲା । ସବୁ ପିଲାଙ୍କ ଆଖି ତା ଉପରେ ଯେମିତି ଲାଖିଯାଇଥିଲା । ଅନ୍ଧାରରେ ରହି ବିଶ୍ୱକର୍ମା ତାକୁ ଗଢୁଥିଲେ କି ଆଉ ।

କଲେଜର ପ୍ରଥମ ଦିନ ଲିପିର ଆର୍ଟ୍ସକୁ ରାଜେଶର ବିଜ୍ଞାନ । ଦୁହିଁଙ୍କ କମନ କ୍ଲାସ ଥିଲା ସାହିତ୍ୟ ଓ ଇଂରାଜୀ । ରାଜେଶ ପ୍ରଥମେ ଲିପିକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲା । ଲିପି ରୂପରେ ଆସିଥିବା ପରିବର୍ତ୍ତନ ରାଜେଶ ମନରେ ବି କିଛି କିଛି ପରିବର୍ତ୍ତନ ଆଣିଥିଲା ।

ଦିନେ ରାଜେଶ ଗୋଟେ ପ୍ରେମପତ୍ର ଲେଖିଥିଲା ଲିପିକୁ । କଞ୍ଚା ବୟସରେ କଞ୍ଚା ପ୍ରେମ ବେଶି ମିଠା ଲାଗେ । ସେ ଚିଠିକୁ ଲିପି ସାଇତି ରଖିଲା ବହୁତ ଦିନ । ରାଜେଶ ଏମିତିରେ ବହୁତ ଲାଜୁଆ । ଆଗରୁ କେବେ କେମିତି ଲିପି ସହିତ କଥା ହୁଏ । ଚିଠି ଦେବା ପରଠାରୁ ରାଜେଶ ଲିପିକୁ ଦେଖିଲେ ଲୁଚୁ ଥିଲା ।

ସକାଳ ଇଂଲିଶ ଟିଉସନରେ ସମସ୍ତେ ଗୋଳେଇ ହେଇ ବସନ୍ତି । ଆଗରୁ ରାଜେଶ ଲିପିକୁ ସାମ୍ନା କରି ବସୁଥିଲା ଏବେ ଜାଣି ଜାଣି ଗୋଟିଏ କୋଣରେ ବସେ । ଲାଜରେ କି ଭୟରେ କେଜାଣି ।

ଦିନେ କଲେଜରୁ ସାଇକେଲରେ ଘରକୁ ଫେରିବା ବେଳେ । ରାଜେଶର ସାଇକେଲ ଚେନ୍ ଛିଡିଗଲା । ସେ ଗଡେଇ ଗଡେଇ ଥକି ଗଲାଣି । ଲିପି ପଛରୁ ସାଇକେଲ ନେଇ ଆସୁଥାଏ । ପଚାରିଲା

- କଣ ହେଇଚି ?

- ଦେଖୁଚୁ ତ ଚେନ ଛିଡିଯାଇଛି ପୁଣି ପଚାରୁଚୁ କାହିଁକି । ରାଜେଶ ଟିକେ ବିରକ୍ତ ହୋଇ କହିଲା ।

- ରାଗୁଛୁ କାହିଁକି ? ମୋ ସାଇକେଲ କେରୀଏର ଧରି ଛକ ପର୍ଯ୍ୟନ୍ତ ପଳେଇ ଚାଲ ।

ରାଜେଶ ଚେଷ୍ଟା କଲା , ଗୋଟିଏ ଗୋଡ ପ୍ୟାଡଲରେ ଓ ଗୋଟିଏ ଗୋଡ ରାସ୍ତାରେ ଖେଂଚୀ ଖେଂଚୀ ନୌକା ବାହିବା ପରି ସାଇକେଲକୁ ଗତିଶୀଳ କଲା ଆଉ ସିଟ ଉପରେ ବସିଗଲା । ହେଲେ ଲିପି ସାଇକେଲ କେରୀଏରକୁ ହାତ ପାଉନି । ଲିପିର ଛୋଟ ସାଇକେଲ । ଏବେ କ'ଣ କରିବ ...

ଲିପି ଉପାୟ ଦେଲା - ହଉ ଗୋଟେ କାମ କର ମୋ କାନ୍ଧରେ ହାତ ପକା ମୁଁ ଚଲେଇ ଦେମି ।

ରାଜେଶକୁ ଲାଗୁଥିଲା ଏଇଟା ତା ଜୀବନ ଫିଲ୍ମର ବେଷ୍ଟ ସିନ୍ । ଏବେ ବେକଗ୍ରାଉଣ୍ଡରୁ ଗୀତ ବାଜିବ "ତୋଫା.. ତୋଫା ... ତୋଫା .. ଲାୟା ଲାୟା ଲାୟା .... " କିମ୍ବା ବରଷି ଯିବ ଦଲକାଏ ବର୍ଷା , ଗୀତ ବାଜିବ " ବର୍ଷା ଆସିଲାଣି କେମିତି ଯିବା , ଯିବା କଥା ଆମେ ପରେ ଭାବିବା .. ବର୍ଷା .. ଓହୋ ବର୍ଷା ..

ସେମିତି କିଛି ହେଲାନି । ରାଜେଶ ଲିପି କାନ୍ଧକୁ ଜାବୁଡି ଧରିଥିଲା ଗୋଟିଏ ହାତରେ ଆଉ ଗୋଟିଏ ହାତରେ ସାଇକେଲ ହ୍ୟାଣ୍ଡେଲ । ଲାଗୁଥିଲା ଆଉ ଦୂରତା କିଛି ନାହିଁ । ଏଇଟା ହିଁ ଜୀବନ ଏଇଟା ହିଁ ସଂସାର ଆମର ସଂସାର । ହାତରେ ହାତ ଛନ୍ଦି ପାର ହୋଇଯିବା କେତେ ନଈ କେତେ ସମୁଦ୍ର ।

ଠିକ ଛକ ସାଇକେଲ ମରାମତି ଦୋକାନ ପାଖରେ ବ୍ରେକ ମାରିଲା ଲିପି । ରାଜେଶ ହୋସରେ ନଥିବା ପରି ଲିପି ସାଇକେଲ ସହିତ ବାଡେଇ ଗଲା ଦୁଇଜଣ , ଦୁଇଟି ସାଇକେଲ , ଗୋଟିଏ ରାସ୍ତା , ଗୋଟିଏ ମୁହୂର୍ତ୍ତ ରେ ସବୁ ଏକାକାର । ତଳେ ଲିପି , ଲିପି ଉପରେ ଲିପିର ସାଇକେଲ , ଲିପି ସାଇକେଲ ଉପରେ ରାଜେଶ , ରାଜେଶ ଉପରେ ରାଜେଶ ରା ସାଇକେଲ । ରାଜେଶର ଗୋଡ ଏମିତି ଛନ୍ଦି ଯାଇଥିଲା ଯେ ଉଠିବା ମୁସ୍କିଲ୍ ।

ଆଣ୍ଠୁ ଛିଡି ରକ୍ତ ବାହାରିଲାଣି କିନ୍ତୁ ସେ ଆଡକୁ ଲିପିର ନଜର ହିଁ ନାହିଁ ସେ କେବଳ ରାଜେଶକୁ ଦେଖୁଥିଲା । ରାଜେଶ ଭୟରେ ନିଜକୁ ଦୋଷୀ ଦୋଷୀ ଭାବୁଥିଲା କି କଣ ଲିପିକୁ ଚାହିଁପାରୁନଥିଲା । ସାଇକେଲ ଦୋକାନୀ ଆସି ଦୁହିଁଙ୍କୁ ଉଠେଇ ପାଣିଦେଲା ।

କିଛି ସମୟ ପରେ ରାଜେଶର ସାଇକେଲ ଠିକ ହେଇଗଲା । ରାଜେଶ ସାହସ କରି ପଚାରିଦେଲା "ପଣ୍ଡସ୍ କ୍ରିମ ଲଗଉଛୁକି ? ଲିପି ଲାଜେଇଗଲା ।'' ସେ ଲାଜ ଭିତରେ ରାଜେଶ ଖୋଜୁଥିଲା ଦେଇଥିବା ପ୍ରେମପତ୍ର ର ଉତ୍ତର ।

ଲିପି କୁ ନିଦ ନାହିଁ । ସମସ୍ତେ ଶୋଇଗଲେଣି , ସେ ଏକୁଟିଆ ଉଠି ଛାତ ଉପରକୁ ଗଲା । ଆଜି ମା ଦୁର୍ଗାଙ୍କ ବିସର୍ଜନ ସରିଛି ଆଉ ଦୁଇଦିନ ପରେ କୁମାର ପୂର୍ଣ୍ଣମୀ । ଆକାଶରେ ଝାପ୍ସା ଜହ୍ନ ଆଲୁଅ । ନଦୀ ପାଖରେ ଟିକେ ବେଶୀ ଥଣ୍ଡା ଲାଗେ । ଚାଦରଟା ଆଣିଥିଲେ ହେଇଥାନ୍ତା । ଦେହ ଟିକେ ଥରିଗଲା । ଛାତଉପରୁ ମହାନଦୀ କେତେ ସୁନ୍ଦର ଦିଶୁଚି । ବଡ ବଡ଼ ପଥର ସଂଧିରୁ ବହି ଯାଉଛି ନୀଳ ଜହ୍ନର କିରଣ । ମନେ ମନେ ଗୀତଟେ ଗୁଣୁଗୁଣେଇଲା ଲିପି । କୋଉ ଗୀତ କେଜାଣି ସେ ନିଜେ ବି ଜାଣିନି ।

କୁମାର ପୂର୍ଣ୍ଣମୀ ଜହ୍ନକୁ ଦେଖିଲେ ଲିପିର ରାଜେଶ କଥା ବହୁତ ମନେପଡେ ।

ଯୁକ୍ତ ଦୁଇ ଶେଷ ବର୍ଷ । କଲେଜ ଇଲେକ୍ସନ ସରିଥାଏ ରାଜେଶ ଡ୍ରାମାଟିକ ସେକ୍ରେଟାରୀ ଭାବରେ ଯିତିଥାଏ । ଲିପି ବି ଇଲେକ୍ସନ ବେଳେ ତା' ପାଇଁ ବହୁତ ପରିଶ୍ରମ କରିଛି କ୍ୟାମ୍ପେନିଙ୍ଗରେ । ରାଜେଶ କହିଥିଲା ଯିତିଗଲେ ଗୋଟେ ସ୍ପେସିଆଲ ଟ୍ରିଟ ଦବ । ଇଲେକ୍ସନ ପରଦିନ ଠାରୁ କଲେଜ ଟିଉସନ ସବୁ ଛୁଟି ପଡିଗଲା । ଗଜଲକ୍ଷ୍ମୀ ପୂଜା ପରେ ଖୋଲିବ । ଗଜଲକ୍ଷ୍ମୀ ପୂଜା ଓ କୁମାର ପୂର୍ଣମୀ ଗୋଟିଏ ଦିନରେ ପଡେ । କୁଆଁର ପୁନେଇ ଦିନ ସାହିର ସବୁ ଝିଅ ସାହି ମଝିରେ ଥିବା ଭଗବତୀ ମଣ୍ଡପ ରେ ପୂଜା କରନ୍ତି । ଗଇଁଠା ଗୋଡି଼ ପିଠା , ନଡ଼ିଆ ମିଠେଇ , ରାବିଡି ଓ ତାଳଗଜା ମିଠା ଭୋଗ ହୁଏ । ନୂଆ ଲୁଗା , ଅଳତା , କୁଙ୍କୁମ ରେ ସଜେଇ ହେଇଥାନ୍ତି ସବୁ କୁଆଁରୀ ମାନେ । ରାତି ଅନେକ ପର୍ଯ୍ୟନ୍ତ ସେହି ମଣ୍ଡପ ରେ ଲୁଡୁ ଖେଳ ହୁଏ , କଉଡ଼ି ଖେଳ ହୁଏ ।

ରାଜେଶ ତା' କାକା ଝିଅ ସହିତ ଗୋଟେ ଖାତା ଦେଇପଠେଇଥିଲା ଲିପି ପାଖକୁ । ସେ ଖାତାରେ ଲେଖା ଥିଲା "ରାତି ଏଗାର ରାଧା ମା ତେନ୍ତୁଳୀଗଛ''

ରାଜେଶ ଲିପିକୁ କ'ଣ ଦିନରେ ଦେଖା କରିପାରିବନି ? ରାତିରେ , ପୁଣି ସେ ରାଧା ମା ତେନ୍ତୁଳି ଗଛ ପାଖକୁ ।

ସାହିରୁ ବିଲ ଆଡକୁ ଯିବା ରାସ୍ତାରେ ଅଛି ସେ ଗଛ । ବହୁତ ଦିନ ତଳେ ରାଧା ମା ବୋଲି ଜଣେ କେହି ସେ ତେନ୍ତୁଳି ଗଛରେ ଦୌଡ଼ି ଦେଇ ମରିଥିଲା । ସେହି ଦିନରୁ ରାତିରେ ସେ ଗଛ ପାଖକୁ କେହି ଯାନ୍ତି ନାହିଁ । ଲିପି ଏ ବିଷୟରେ କାହାକୁ କିଛି କହି ନଥିଲା । ଭାବିଥିଲା ଯେତେ ଯାହା ହେଲେ ବି ସେ ଯିବ ନାହିଁ । ଭୁତ ଭୟ ଯେତେ ନୁହଁ ନିନ୍ଦା ଭୟ ବେଶୀ । ମାଁ କହେ ବାପା ନଥିବା ଝିଅ ଥରେ ବଦନାମ ହେଲେ ଜୀବନ ସାରା ଖୁଣ୍ଟା ସହିବାକୁ ହୁଏ ।

ଏଗାର ବାଜିବାକୁ ଆଉ ପାଞ୍ଚ ମିନିଟ ଥାଏ । ଲିପି ମନ କେମିତି କେମିତି ହେଲା । ଯିବ ପାଇଁ ଇଚ୍ଛା ହେଲା , ଜୋର ରେ ପରିସ୍ରା ଲାଗିଲା । ଜୁଲିକୁ ସାଙ୍ଗ କଲା । କହିଲା ଚାଲ ସେ ଅନ୍ଧାର ପାଖରେ ଏକ କରି ଆସିବା । ଜୁଲି କୋଉ ଲୋଭରେ ସେଦିନ ରାଜି ହୋଇଥିଲା ତାର ମନେ ନାହିଁ ।

ତେନ୍ତୁଳି ଗଛ ପାଖରେ ପହଁଚିଲା ବେଳକୁ ଭୁତ ପରି ଗଛ ଡାଲାରୁ ଡେଇଁଲା ରାଜୁ । ଜାବୁଡି ଧରିଲା ଲିପି କୁ । କିଛି ଭାବିବା ଆଗରୁ କପାଳରେ , ଗାଲରେ , ବେକରେ ଆଙ୍କିଦେଇଗଲା କେତେ ଯେ ପ୍ରେମର ଗାର । ସାପ ଚୋଟ ପରି ଓଠ କୁ କାମୁଡି ଦେଲା ଯେ ସଂଗେ ସଂଗେ ଓଠ ଫୁଲିଗଲା ।ରାଜୁର ବିକଳ ହାତ ପହଁରି ଆସିଲା ଲିପି ର ସର୍ବାଙ୍ଗ । ପରଖି ନେଲା ପୃଥିବୀ ର ସବୁ ନଈ ନାଳ ସମୁଦ୍ର ପାହାଡ଼ । ଜୁଲି ଡାକ ଦେଲା ଲିପି ଜଲ୍ଦି ଆ କିଏ ଗୋଟେ ଆସୁଛି । ଜହ୍ନ ଆଲୁଅରେ ଗୋଟିଏ ପରି ଦିଶୁଥିବା ଛାଇ ପୁଣି ଦୁଇ ଫାଳ ହେଇଗଲା । ଲିପି ଦୌଡ଼ି ପଳେଇଗଲା କେହି ଦେଖି ନେବାର ଭୟରେ । ଯିବାବେଳେ ରାଜେଶ ଲିପି ହାତରେ ଧରେଇଦେଲା ପଣ୍ତସ୍ କ୍ରିମ୍ ଡବାଟିଏ ।

ସବୁ ପୁଅମାନେ ଏମିତି । ସେହି ଦିନୁ ଲିପି ରାଜେଶ ସହିତ କଥା ହେଇପାରେନି । ରାଜେଶ ବି ଚୁପଚାପ ରହେ ଲିପି ପାଖକୁ ଆସିବାକୁ କଥା ହେବାକୁ କେବେ ସାହସ କରେନି ।

ଏହା ଭିତରେ କେତେ ଶୀତ ରାତି କେତେ ବସନ୍ତ ସରିଗଲାଣି । ଲିପି କିନ୍ତୁ ସେହି ରାତି କେବେବି ଭୁଲିନି ।

ଯୁକ୍ତ ଦୁଇ ପରୀକ୍ଷା ପରେ ରାଜେଶ ମେଡିକାଲ କୋଚିଂ ପାଇଁ ଚାଲିଗଲା ରାଜସ୍ଥାନ । ମୋଟା ମୋଟା ବହି ଭିଡ଼ରେ ଲିପି ର ସ୍ମୃତି ଟିକକ ସାଇତି ରଖିବା ବୋଧ ହୁଏ ତା ପାଖରେ ସମ୍ଭବ ହେଲାନାହିଁ ।

ପାଖାପାଖି ଦଶ ବର୍ଷ ପରେ ଆଜି ଏମିତି ପରିସ୍ଥିତିରେ ସେ ଲିପି କୁ ଦେଖିବ ବୋଲି କଳ୍ପନା ବି କରିନଥିବ ।

ରାତିରେ ନଦୀରେ କେହି ନାହିଁ । ଲିପିର ଇଛା ହେଉଥିଲା ନଦୀ ପାଖରେ ଏକୁଟିଆ ବସି ଅତିତ କୁ ଆଉଥରେ ମନେ ପକେଇ ଯୋରରେ ହସନ୍ତା, କାନ୍ଦନ୍ତା, ଚିଲ୍ଲେଇ ଚିଲ୍ଲେଇ ଅତୀତକୁ ଗାଳି ଦିଅନ୍ତା ।

ସେହି ଗାଡି , ସେହି ଲୋକ । ମୋବାଇଲଟେ ଧରି ଯାତ୍ରୀ ନିବାସ ଗେଟ୍ ର ଆଗକୁ ଗୋଟେ ପଲାଶ ଗଛ ତଳେ ଠିଆ ହୋଇଛି ଓ କାହାକୁ ଖୋଜିବା ପରି ଯାତ୍ରୀ ନିବାସ ଆଡକୁ ଡୁଙ୍ଗୁଛି । ଲିପି ଛାତ ଉପରୁ ସବୁ ଦେଖୁଥାଏ । ରାଜେଶର ନଜର ଲିପି ଉପରେ ଯେମିତି ପଡିଛି ରାଜେଶ ନଦେଖିଲା ପରି ଆରପାଟକୁ ମୁହଁ କରି ମୋବାଇଲ ଖେଳେଇବାରେ ଲାଗିଲା ।

ଲିପି ତଳକୁ ଆସିଲା ରୁମ ଭିତରୁ ଟିକେ କୋଲଡ୍ କ୍ରିମ ବୋଳି ହେଲା ଓ ଚାଦର ଟେ ଧରି ବାହାରକୁ ଆସିଲା ।

ରାତି ଦୁଇ କି ଅଢେଇ ହେବ । ମହାନଦୀ ଶାନ୍ତ ମଧୁର ଗୀତ ଗାଇ ଦୁହିଁଙ୍କ ପାଦ ଧୋଇ ବହିଯାଉଥାଏ । ଶବ୍ଦହୀନ ପୃଥିବୀରେ ବଂଚବ ବୋଲି ଦିନେ ଭାବୁଥିଲା ରାଜେଶ । ତାକୁ କୋଳାହଳ ପସନ୍ଦ ନୁହଁ । ଦିନେ ସେ ବି ଭାବିଥିଲା ସମୁଦ୍ର କୂଳରେ ଲିପି ପାଖରେ ସାରାରାତି ବସିବ , ଗପିବ । ସମୁଦ୍ର ନହେଲା ନାହିଁ ନଦୀତ ଅଛି , ସେଇ ଜହ୍ନ ଅଛି ସେଇ ପବନ ଅଛି ଶୋଷ ମେଣ୍ଟି ହେବା ପରି ଜଳ ଅଛି , କେବଳ ନାହିଁ ଯଦି ସେଇଟା ହେଉଛି ସେ ସମୟ ସେ ଆବିଳତା ସେ ପିଲାଳିଆମୀ । କେହି ଜଣେ କହିଥିଲେ "କେବଳ ହାତକୁ ଆଞ୍ଜୁଳା କରିପାରିଲେ କେବଳ ନଦୀ କାହଁକି ସାତ ସମୁଦ୍ର ବି ତୁମର ।

ଲିପି ପଚାରିଲା

-ତୁମେ ଏଠି କଣ କରୁଛ ?

- ଏହି ପ୍ରଶ୍ନ ମୁଁ ପ୍ରଥମେ ପଚାରିବାର ଥିଲା ।

- ମୋ ପ୍ରଶ୍ନର ଆଗ ଉତ୍ତର ଦିଅ ।

- ମୋ ଉତ୍ତର ଦେବା ନଦେବା ଏତେ ଗୁରୁତ୍ଵପୂର୍ଣ୍ଣ ନୁହଁ ।

- ତଥାପି .. ନିଜ ବିଷୟରେ କିଛି କହିବନି ବୋଲି କେହି ରାଣ ଦେଇଛି କି ?

- ମୁଁ ଏଠି ବ୍ୟାଙ୍କରେ ଚାକିରୀ କରେ । ମ୍ୟାନେଜର ଅଛି ।

- ତୁମେ ଡାକ୍ତରୀ ପଢୁଥିଲା ଯେ !

- ଡାକ୍ତରୀ ପାଢ଼ୁନଥିଲି , ଡାକ୍ତରୀ ଏଣ୍ଟ୍ରାନ୍ସ ପାଇଁ କୋଚିଂ ନେଉଥିଲି । ଦୁଇବର୍ଷ ଚେଷ୍ଟା କଲି, ହେଲନି । ତାପରେ ସେଇଠି ରାଜସ୍ଥାନରେ ଇଞ୍ଜିନିଅରିଂ ପଢ଼ିଲି ଚାରିବର୍ଷ । ଦୁଇବର୍ଷ କମ୍ପାନୀରେ ଚାକିରୀ ବି କରିଥିଲି । ତା ଭିତରେ ବ୍ୟାଙ୍କିଂ ପାଇଁ ବି ଚେଷ୍ଟା କରୁଥିଲି । ଭାଗ୍ୟକୁ ହେଇଗଲା । ତିନିବର୍ଷ ଓଡିଶା ବାହାରେ ଥିଲି ଏବେ ଛ ମାସ ହେବ ଓଡିଶାକୁ ଟ୍ରାନ୍ସଫର୍ ହୋଇ ଆସିଛି ।

-ବାହା ହେଲଣି ?

କେମିତି ଏକ ଧିର କଣ୍ଠରେ ପଚାରିଦେଲା ଲିପି ।

-ନା .... ଆଉ ତୁମେ ?

- ତୁମକୁ କ'ଣ ଲାଗୁଛି ?

- ମତେ ଲାଗୁଛି ତୁମେ ବାହାହୋଇନଥିବ ।

- ହଁ ... ତୁମ ଅପେକ୍ଷାରେ ଅଛି .... ଏତିକି କହି ଯୋର ରେ ହସିଦେଲା ଲିପି ।

ଯେକୌଣସି ବଡ଼କଥା ବି କେତେ ନିର୍ଭୟରେ ସହଜରେ କହିପାରୁଛି ଲିପି । ଏତେ ସାହସ କୋଉଠୁ ପାଇଲା ?

କିଛି ସମୟର ନିରବତା । ଦଲକାଏ ପବନ ଦେହ ଥରେଇଦେଇ ଚାଲିଗଲା । ରାଜେଶ ଟିକେ ଲିପି ଆଡ଼କୁ ଜାକିଆସିଲା । ଲିପି ତା' ଚାଦରରେ ରାଜେଶକୁ ଘୋଡେଇ ଦେଲା । ରାଜେଶ ପଚାରିଲେ ଏବେବି ପଣ୍ଡସ କ୍ରିମ ଲଗାଉଛ ?

- ତୁମେ ମାନେ ରଖିଛ ? ଟିକେ ଲାଜେଇଗଲା ଲିପି

- ମୋ ଓଠରୁ ପଣ୍ଡସ କ୍ରିମର ସ୍ୱାଦ ଏଯାଏଁ ଯାଇନାହିଁ । ମୋ ବାବଦରେ ତ ସବୁ ଜାଣିଲ , ଏବେ କୁହ ତୁମେ ଏଠି ଏମିତି କେମିତି ?

ଲିପି କିଛି ସମୟ ନିରବରେ ରାଜେଶକୁ ଦେଖୁଥିଲା । ରାଜେଶ ଆଖିରୁ ସେ ବହୁତ ପ୍ରଶ୍ନ ଗୋଟେଇ ଆଣିଲା । ସବୁ ପ୍ରଶ୍ନ ର ଉତ୍ତର ଏକ ସଂଗେ ଦେବାକୁ ଚେଷ୍ଟା କଲା ।

- ପ୍ଲସ ଟୁ ପରେ ମୋ ପଢ଼ାରେ ଡୋରି ବନ୍ଧା ହୋଇଗଲା । ଆଜିକା ଦୁନିଆରେ ବାପା କି ବଡ ଭାଇ ନଥିବା ଝିଅ ଗାଁ ମଝିରେ ଥିବା କୂଅ ପରି , କେହି ବି ତାର ବ୍ୟବହାର କରିପାରିବ । ଏମିତି ଧାରଣା ସବୁ ଗାଁ ଟୋକାଙ୍କ ଭିତରେ ହୋଇଯାଇଥିଲା । କିନ୍ତୁ ମୋ ବିଷୟ ରେ ଯେତେ ଅପପ୍ରଚାର କଲେ ବି କିଛି ଲାଭ ହେଲାନି ସେମାନଙ୍କୁ । ତୁମର ମୋର ସମ୍ପର୍କ ବାବଦରେ ଗାଁରେ ସେହିମାନେ ବହୁତ ବଢ଼େଇ ପ୍ରଚାର ବି କଲେ ।

ଘରର ମୁଖ୍ୟ ଚୌକିଦାର , ମୋ ଜେଜେମା । ଜେଜେମାକୁ ପାରାଲିସିସ ହେଲା , ଚାରିଦିନ ଖଟରେ ପଡି ସେ ଚାଲିଗଲା ।

ସୁଧାନିଧି ଭାଇ ମତେ ରାଜଧାନୀ ନେଇ ଆସିଲେ । ଗୋଟେ ଜୋତା ସୋରୁମ ରେ ରିସେପସ୍ନିଷ୍ଟ ଥିଲି । ସୁଧାକର ଭାଇଙ୍କ ଘରେ ରହୁଥିଲି । ଭାଉଜ ମତେ ଓ ସୁଧାନିଧି ଭାଇ କୁ ସନ୍ଦେହ କରିବା ଆରମ୍ଭ କରିଦେଇଥିଲେ । ଅବଶ୍ୟ ସନ୍ଦେହରେ କାରଣ ବି ଥିଲା । ସୁଧା ଭାଇ ମୋ ପାଇଁ ପ୍ରତିଦିନ କିଛି ନ କିଛି ଭଲ ଜିନିଷ ଖାଇବା ପାଇଁ ଆଣେ । ଭାଉଜ ମତେ କିଛି ନକହିଲେବି ସୁଧା ଭାଇ ଉପରେ ବିରକ୍ତି ହୁଅନ୍ତି । ଦିନେ କୁଆଡେ ମୁଁ ବାଥରୁମରେ ଥିବାବେଳେ , ସୁଧା ଭାଇ ସ୍କାଇଲାଇଟ ବାଟେ ମତେ ଦେଖୁଥିଲା । ଭାଉଜଙ୍କ ହାବୁଡ଼ରେ ପଡିଲା । ଘରେ ବିଷଣ ଝଗଡା ।

ମୁଁ ତାଙ୍କ ଘର ଚାଡ଼ିଦେଲି, କିନ୍ତୁ ସୁଧା ଭାଇ ମତେ ଛାଡ଼ିଲାନି । ସବୁଦିନ ବିନା କାରଣ ରେ ଆମ ଦୋକାନକୁ ଆସିଲା , ଗରାଖ ଭିଡ ବେଳେ ମୋ ସହିତ କଥା ହେଲା । ମାଲିକ ସବୁ ବୁଝି , ମତେ ରିସେପ୍ସନରୁ କାଢି ଗୋଦାମକୁ ପଠେଇଦେଲା ହିସାବ ରଖିବା ପାଇଁ ।

ଗୋଦାମରେ ବେଶୀ କାମ ନଥିଲା । ବହୁତ ଆରାମ ମିଳୁଥିଲା । ସେଇଠି ମୋର ବାସନ୍ତୀ ସହିତ ଦେଖା , ସେ ଅର୍କେଷ୍ଟ୍ରାରେ ନାଚୁଥିଲା । ଦିନରେ ଦୋକାନ ରେ ଡ୍ୟୁଟି ରାତିରେ ନାଚ ପାର୍ଟି । ତୁମେ ତ ଜାଣ ମୋର ନାଚରେ କେତେ ଦୁର୍ବଳତା । ମୋତେ ରୋଜଗାରର ଆଉ ଗୋଟେ ପନ୍ଥା ଦିଶିଲା । କିନ୍ତୁ ସେହି ରୋଜଗାର ପନ୍ଥା ଯେ ମୋ ଭବିଷ୍ୟତ ର ନୀତି ନିର୍ଧାରଣ କରିବ ମୁଁ କେବେ ଭାବିନଥିଲି ।

ମୁଁ ଜାଣି ଜାଣି ଆମ ଜିଲ୍ଲା ଆଡେ ପ୍ରୋଗ୍ରାମ ଯାଉନଥିଲି । କେହିଜଣେ ମୋ ଭଲନାଚ ଦେଖି ଭିଡିଓ ସୁଟିଂ କରି ଫେସବୁକରେ ଛାଡିଦେଲା । ଗାଁରେ ପ୍ରଚାର ହୋଇଗଲା । ଲୋକେ ମା’କୁ ବହୁତ କଥା କହିଲେ । ଗାଁ ମାଇପେ ତା ସହିତ ମିଶିଲେନି କଥା ହେଲେଣି । ମା ମତେ ଏ ବିଷୟରେ କିଛି କୁହେନା । ମୁଁ ବି ଗାଁକୁ ଯିବା କମେଇ ଦେଇଥିଲି ।

ଥରେ ଗାଁକୁ ଗଲି । ଗାଁ ଛକରେ ଉଲ୍ଳେଇବା ପରେ ଦେଖିଲି ବିଚିତ୍ର ଜୀବ ଦେଖିବାପରି ମତେ ସମସ୍ତେ ଦେଖୁଛନ୍ତି । ବୋଧହୁଏ ମୋ ଜିନ୍ସ , ମେକପ, ସ୍ଟ୍ରେଟନ ହୋଇଥିବା ଛୁଟି ମୋର ଚରିତ୍ର ନିର୍ଧାରଣ କରିବା ପାଇଁ ଯଥେଷ୍ଟ ଥିଲା । ମୋ ପାଇଁ ଗାଁରେ ନ୍ୟାୟ ବସିଲା । ସୁଧା ଭାଇର ବାପା ନ୍ୟାୟ କରି କହିଲେ " ତୁ ବାହାରେ ଯାହା କରୁଚୁ କର , ଆମର ମନା ନାହିଁ । ହେଲେ ଗାଁ ଭିତରକୁ ସେ ଅଳିଆ ପୁରାନା । ଆମ ଗାଁ ର ଇଜ୍ଜତ ର କଥା । "

ମୁଁ ଜଣେ ମୁଁ ଠିକ , କିନ୍ତୁ ବୁଝେଇବି କାହାକୁ ଆଉ କାହିଁକି ? ବୁଝେଇଲେ କଣ ସେମାନେ ବୁଝିବେ ? ଗାଁ ର ଇଜ୍ଜତ ମୁଁ ନୁହଁ ରାଜଧାନୀରେ ସୁଧା ଭାଇ ଖରାପ କରୁଛି ବୋଲି କହିଦେଲେ ମୁଁ କଣ ସତୀ ହେଇଯିବି ଏମାନଙ୍କ ଆଖିରେ ? ନା... କେବେ ନୁହଁ ।

ଭାବିଲି ମାକୁ ବି ସାଙ୍ଗରେ ନେଇ ଆସିବି । ମା କୁ କହିଲି " ଚାଲ ମୋ ସାଙ୍ଗରେ ରାଜଧାନୀ'' କେହିଜଣେ ଭିଡ ଭିତରୁ ଛିଗୁଲେଇ କହିଲା " ହଁ ଯା ଯା .. ଦୁଇଜଣ ହେଲେ ଭଲ ବେପାର ହବ '' ଗାଁ ସାରା ଲୋକ ହସୁଥିଲେ । ସେ ହସ ସହ୍ୟ କରିବା ସମ୍ଭବ ନଥିଲା ।

ମୁଁ ଗାଁ ଚାଡ଼ିଦେଲି । ମା , ମୋ ସହିତ ଆସିଲାନି । ରାଜଧାନୀରେ ସୁଧା ଭାଇ ବାହାନା କରି ମୋ ରୋମକୁ ଆସି ବହୁତ ହଇରାଣ କଲା । ତା ପାଇଁ ଚାକିରୀ ଛାଡ଼ିଲି , ରାଜଧାନୀ ଛାଡ଼ିଲି । ଏବେ ଅନୁଗୁଳ ରେ ରହୁଛି । ଫୁଲଟାଇମ ଅର୍କେଷ୍ଟ୍ରା ଡ୍ୟାନ୍ସର , ଚାକିରୀ ଠାରୁ ଏଥିରେ ବେଶୀ ପଇସା । ଆଉ ଯଦି ଏମିତି ଠାକୁର ଭସାଣି ନାଚିଲା ତ ଚାରିଗୁଣ ମିଳେ ।

ଏତେ ସମୟ ଧରି ଚୁପଚାପ ଗପ ଶୁଣିବା ପରି ଶୁଣୁଥିଲା ରାଜେଶ । ରହି ରହି ପଚାରିଲା "ତୁମ ଦଳରେ ଥିବା ସବୁ ଝିଅ କଣ ତୁମପରି ? ସମସ୍ତେ ପରିସ୍ଥିତିରେ ପଡି ଏହି ଧନ୍ଦା ଧରିଛନ୍ତି ? ସମସ୍ତେ କଣ ତୁମ ପରି କେବଳ ମଞ୍ଚରେ ନାଚନ୍ତି ?

ଲିପି ରାଜେଶ ମନରେ ଥିବା ପ୍ରଶ୍ନକୁ ପୁଣି ବୁଝିବାକୁ ଚେଷ୍ଟା କଲା ଯାହା ସେ ଜିଭ ଲେଉଟେଇ ପଚାରିପାରୁନି ।

- ଯାହା ପଚାରୁଛ ସିଧା ସିଧା ପଚାର ,ମୁଁ ଉତ୍ତର ଦେବି ।

- ତୁମେ ସତ କହିଲ , ଏହି ଧନ୍ଦାର ଅନ୍ଧାରି ଦିଗ କିଛି ନାହିଁ ? ଅର୍ଥ ଲୋଭରେ ତୁମେ କେବେ କିଛି ଖରାପ କାମ କରିନ ?

ଲିପି ଭାବୁଥିଲା, ରାଜେଶକୁ ତା ଜୀବନ ରାମାୟଣ କହୁଥିବା ବେଳେ ରାଜେଶ କଣ ଶୋଇଯାଇଥିଲକି ? ନା ସବୁ ପୁରୁଷ ଏକା ?

ମୁଁ ଯଦି କହେ ମୁଁ ସେଭଳି କିଛି ଖରାପ କାମ କରିନାହିଁ ବୋଲି ତେବେ କଣ ହେବ ? ତୁମେ ମତେ ସ୍ୱୀକାର କରିବ ? ନା ମୋ ପାଇଁ ତୁମ ଭିତରେ ପ୍ରେମ ଜାଗ୍ରତ ହୋଇଯିବ ? ଆଖିରୁ ଲୁହ ବହିଗଲା । ବହୁତ ଦିନ ପରେ ଲିପି ଆଖିରେ ଲୁହ । ସେ ତ କାନ୍ଦିବା ଭୁଲିଯାଇଥିଲା । ଧନ୍ୟବାଦ ରାଜେଶ ମତେ କନ୍ଦେଇ ଦେଇ ହୃଦୟଟା କୁ ହାଲୁକା କରିଦେଲ । ଜୀବନ ତା ମିଉଜିକ ପ୍ଲେୟାର ନୁହଁ ଯେ ନିଜ ଇଚ୍ଛାରେ ଗୀତ ଶୁଣିବ , ଜୀବନ ତା ଗୋଟେ ରେଡ଼ିଓ ଯାହା ଆସୁଛି ସେଇଥିରେ ଖୁସି ହେବାକୁ ହୁଏ ।

ଯାଅ , ଜଲ୍ଦି ତୁମ ସଭ୍ୟ ସମାଜକୁ ଫେରିଯାଅ , ସକାଳ ହୋଇଗଲେ କେହି ତୁମକୁ ମୋ ସହିତ ଦେଖିଦେଲେ , ତୁମ ଇଜ୍ଜତ ଚାଲିଯିବ । ତୁମେ ଆଉ ତୁମର ଏ ସଭ୍ୟ ସମାଜ ମତେ ବେଶ୍ୟା ବୋଲି ଭାବି ଖୁସି ହେଉଥାଉ । ମୁଁ ଛାତି ବାଡେଇ କହୁଛି ମୁଁ ନାଚବାଲି ଆଉ ସେଥିପାଇଁ ମୁଁ ଗର୍ବିତ ।

- କ୍ଷୀରୋଦ ବିହାରୀ ବିଶ୍ୱାଳ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

ସୁବର୍ଣ୍ଣପୁର

୯୪୩୯୯୮୭୬୭୫


Rate this content
Log in

Similar oriya story from Drama