Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kanan Bala Nayak

Tragedy

5.0  

Kanan Bala Nayak

Tragedy

ସାପ୍ତାହିକ ପ୍ରତିଯୋଗିତା ନିମନ୍ତେ

ସାପ୍ତାହିକ ପ୍ରତିଯୋଗିତା ନିମନ୍ତେ

6 mins
478


ବିବାହର ସାତ ବର୍ଷ ବିତିଯାଇଥିଲେ ମଧ୍ୟ ମାତୃତ୍ବର ସ୍ବାଦ ଚାଖି ପାରି ନଥିଲେ ସୁନନ୍ଦା।ମାଆ ଡାକ ଟିଏ ଶୁଣିବା ପାଇଁ କେତେ ଯେ ଦିଅଁ ଦେବତାଙ୍କୁ ଡାକୁ ଥିଲେ ସୁନନ୍ଦା ତାର ହିସାବ ନାହିଁ। ଓଡିଶାର ସବୁ ସୁନାମ ଧନ୍ଯ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କୁ ମଧ୍ୟ ଦେଖାଇ ସାରିଥିଲେ ସୁନନ୍ଦା।

ଯିଏ ଯେତେବେଳେ ଯାହା କହୁଥିଲା ସବୁ କିଛି କରୁଥିଲେ ସୁନନ୍ଦା। କିନ୍ତୁ କିଛି ଫଳ ହେଉନଥିଲା। ସବୁ ଚେଷ୍ଟା କରି ବିଫଳ ହେବା ପରେ ନିଜ ମନକୁ ମାରି ଭାଗ୍ୟକୁ ଆଦରି ବଞ୍ଚିବାକୁ ଚେଷ୍ଟା କରୁଥିଲେ ସୁନନ୍ଦା।

ସେଇ ସମୟରେ ଦିନେ ତାଙ୍କ ସ୍ବାମୀ ବିରେନ୍ଦ୍ରଙ୍କ ବନ୍ଧୁ ଅମର ତାଙ୍କ ଘରକୁ ସପରିବାରେ ବୁଲିବାକୁ ଆସିଲେ। ସବୁ କଥା ଶୁଣି ଅମରଙ୍କ ସ୍ତ୍ରୀ ଅନିତା, ସୁନନ୍ଦାଙ୍କୁ କହିଲେ ଭଉଣୀ ଆପଣ ତ ଏତେ ପ୍ରକାର ଚେଷ୍ଟା କଲେଣି, ଥରେ ରାୟପୁର ଯାଇ ଚେଷ୍ଟା କରୁ ନାହାଁନ୍ତି। ସେଠି ଅତ୍ଯାଧୁନିକ ପଦ୍ଧତିରେ ଚିକିତ୍ସା କରାଯାଏ। ସେଠାକୁ ଯିଏ ଯାଏ କେବେ ନିରାଶ ହୋଇ ଫେରେନି। ଅନେକ ନିଃସନ୍ତାନ ଦମ୍ପତ୍ତି ସେଠାକୁ ଯାଇ ସଫଳତା ପାଇଛନ୍ତି। ଆପଣ ଥରେ ଚେଷ୍ଟା କରନ୍ତୁ। ମୁଁ ଭାବୁଛି ଆପଣ ମଧ୍ୟ ନିହାତି ସଫଳତା ପାଇବେ।

ଅନିତାଙ୍କ କଥା ଶୁଣି ସୁନନ୍ଦାଙ୍କ ଶୁଷ୍କ ମନର ମରୁଭୂମିରେ ପୁଣି କ୍ଷୀଣ ଆଶାର କିରଣ ଟିଏ ଦେଖାଦେଲା। ସେ ସ୍ବାମୀ ବିରେନ୍ଦ୍ରଙ୍କୁ ବାଧ୍ଯ କେଲେ ଥରଟିଏ ରାୟପୁର ଯିବା ପାଇଁ। ବିରେନ୍ଦ୍ର ଯେତେ ବୁଝାଇଲେ ମଧ୍ୟ କିଛି ବୁଝିଲେ ନାହିଁ ସୁନନ୍ଦା। ଶେଷରେ ସୁନନ୍ଦାଙ୍କ ନିକଟରେ ହାର ମାନି ତାଙ୍କୁ ଧରି ରାୟପୁର ଅଭିମୁଖେ ଯାତ୍ରା କଲେ ବିରେନ୍ଦ୍ର।

ଅନିତା ଦେଇଥିବା ଠିକଣା ମୁତାବକ ବିରେନ୍ଦ୍ର ଓ ସୁନନ୍ଦା ରାୟପୁର ର ସେଇ ପ୍ରସିଦ୍ଧ ଇନଫର୍ଟିଲିଟି କ୍ଲିନିକରେ ପହଞ୍ଚି ସେଠାକାର ବରିଷ୍ଠ ସ୍ତ୍ରୀ ରୋଗ ବିଶେଷଜ୍ଞ ମୋନା ମାଥୁରଙ୍କ ସହ ଚିକିତ୍ସା ପଦ୍ଧତି ଓ ତା ପାଇଁ କେତେ କଣ ଖର୍ଚ୍ଚ ହେବ ସେ ବିଷୟରେ ଆଲୋଚନା କଲେ ବିରେନ୍ଦ୍ର ଓ ସୁନନ୍ଦା। ଡକ୍ଟର ମୋନା କହିଲେ ପ୍ରଥମେ ମୋତେ ସୁନନ୍ଦାଙ୍କ ଶରୀରରେ କିଛି ପରୀକ୍ଷା କରିବା ପାଇଁ ପଡିବ। ରିପୋର୍ଟ ଆସିବା ପରେ ଯାଇ କେଉଁ ପଦ୍ଧତିରେ ଚିକିତ୍ସା ହେବ ଆଉ ତା ପାଇଁ କେତେ ଖର୍ଚ୍ଚ ହେବ ସେ ବିଷୟରେ କହି ପାରିବି। ଆପଣ ଆଜି ପାଖରୁ ସୁନନ୍ଦାଙ୍କୁ ଆମ କ୍ଲିନିକରେ ଆଡମିସନ କରି ଦିଅନ୍ତୁ।

ସେଇ ଦିନ ଠାରୁ ଡକ୍ଟର ମୋନା ମାଥୁରଙ୍କ କ୍ଲିନିକରେ ଆଡମିଟେଡ୍ ହେଲେ ସୁନନ୍ଦା। ଆଉ ନା ନା ପ୍ରକାର ପରୀକ୍ଷା ନିରୀକ୍ଷା ଆରମ୍ଭ ହୋଇଗଲା ସୁନନ୍ଦାଙ୍କ ଶରୀରରେ।ସବୁ ପରୀକ୍ଷା ସରିବା ପରେ ଡକ୍ଟର ମୋନା କହିଲେ ଆପଣ ମାନେ ଏତେ ବର୍ଷ ପ୍ରାକୃତିକ ପଦ୍ଧତିରେ ଚେଷ୍ଟା କଲେଣି ସଫଳତା ମିଳୁନି। ଥରେ କୃତିମ ପଦ୍ଧତିରେ ଚେଷ୍ଟା କଲେ କ୍ଷତି କଣ? ଯାହାକୁ ଆମ ଚିକିତ୍ସା ବିଜ୍ଞାନରେ ଆଇ। ଭି। ଏଫ୍। କହନ୍ତି। ଚିକିତ୍ସାର ଖର୍ଚ୍ଚ ଟିକେ ଅଧିକ। କିନ୍ତୁ ସଫଳତାର ହାର ମଧ୍ଯ ଅଧିକ।

ପ୍ରାୟ ତିନିରୁ ଚାରିଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଆପଣ ମାନେ ଚିନ୍ତା କରିକୁହନ୍ତୁ। ବିରେନ୍ଦ୍ର, ସୁନନ୍ଦାଙ୍କୁ କହିଲେ ଏତେ ଟଙ୍କା କେଉଁଠୁ ପାଇବା। ସାମାନ୍ୟ ତେଜରାତି ଦୋକାନରୁ ଯାହା ଆଦାୟ ହୁଏ ସେଇଟା ତ ଘର ଖର୍ଚ୍ଚକୁ ନିଅଣ୍ଟ।ଯାହା ଜମି ବାଡି ଥିଲା ତାହା ତ ପୂର୍ବରୁ ବିକ୍ରି ସରିଛି। ଏବେ ଏତେ ଗୁଡା ଟଙ୍କା କେଉଁଠୁ ପାଇବା। ତେଣୁ ଯେମିତି ଭାଗ୍ଯକୁ ଆଦରି ପଡି ରହିଥିଲେ ସେମିତି ଭାଗ୍ଯକୁ ଆଦରି ଆଗକୁ ଆଗେଇବା ଚାଲ। ବିରେନ୍ଦ୍ରଙ୍କ କଥା ଶୁଣି ସୁନନ୍ଦା କହିଲେ,ଜମି ବାଡି ସିନା ଆଉ କିଛି ନାହିଁ, ହେଲେ ମୋ ଗହଣା ଗୁଡା ତ ଅଛି। ସେଗୁଡିକ କାହା ପାଇଁ ରଖିବି।

ଆରେ ତୁମର ସବୁ ଗହଣା ବିକ୍ରି କରିଦେଲେ ଦୁଇରୁ ଅଢେଇ ଲକ୍ଷ ଟଙ୍କା ହେବ। ବାକି ତକ ଟଙ୍କା କେଉଁଠୁ ଆସିବ? ଦରକାର ହେଲେ ଘରଟା ବନ୍ଧା ପକାଇ ଦିଅ। କିନ୍ତୁ ଚିକିତ୍ସାକୁ ଅଧାରେ ଛାଡି ଯିବା କଥାକୁହନି। ଘରକୁ ଆଗେଇ ନେବା ପାଇଁ ଯଦି କୌଣସି ଦୟାଦ ରହିବନି ତେବେ ସେ ଘରଟା ହେବ କଣ? ବିରେନ୍ଦ୍ର ଯେତେ ବୁଝାଇଲେ ମଧ୍ୟ କିଛି ବୁଝିଲେ ନାହିଁ ସୁନନ୍ଦା। ଶେଷରେ ବିରେନ୍ଦ୍ର ବାଧ୍ଯ ହୋଇ ସୁନନ୍ଦାଙ୍କର ସବୁ ଗହଣାକୁ ବିକ୍ରି କରି ଦେଲେ, ଆଉ ରହୁଥିବା ଘରକୁ ମଧ୍ୟ ବନ୍ଧା ପକାଇ ଚିକିତ୍ସା ପାଇଁ ଆବଶ୍ୟକୀୟ ଅର୍ଥ ଯୋଗାଡ଼ କଲେ।

ଚିକିତ୍ସା ଆରମ୍ଭ ହେଲା। ନା ନା ପ୍ରକାର ଔଷଧ ଓ ଇଞ୍ଜେକସନ ପ୍ରୟୋଗ କରାଗଲା ସୁନନ୍ଦାଙ୍କ ଶରୀରରେ। ମାତୃତ୍ବ ଲାଭ କରିବା ଆଶାରେ ନିଜ ଶରୀରର ସମସ୍ତ କଷ୍ଟକୁ ସହି ଯାଉଥିଲେ ସୁନନ୍ଦା। ମାସେ କାଳ ମନିଟରିଂ କରିବା ପରେ ଡକ୍ଟର ମୋନା ବିରେନ୍ଦ୍ରଙ୍କୁ କହିଲେ, ବିରେନ୍ଦ୍ର ବାବୁ ଆପଣଙ୍କ ପାଇଁ ଖୁସୀର ଖବର। ସୁନନ୍ଦାଙ୍କ ଶରୀର ଏବେ ଉକୃଷ୍ଟ ଧରଣରଅଣ୍ଡା ସୃଷ୍ଟି କରିବାକୁ ସକ୍ଷମ ହୋଇଯାଇଛି। ତେଣୁ ଆପଣ ନିଶ୍ଚିତ ରହନ୍ତୁ ଆପଣ ଏଥର ବାପା ନିହାତି ହେବେ।

ବର୍ତ୍ତମାନ ଦିନେ ଛାଡି ଦିନେ ଅଲଟ୍ରାସାଉଣ୍ଡ ହେବ। ଅଲଟ୍ରାସାଉଣ୍ଡ କରିବା ପରେ ଜଣା ଗଲା ସୁନନ୍ଦାଙ୍କ ଶରୀରରେ ଆଠଟି ଉତ୍କୃଷ୍ଟ ଧରଣର ଅଣ୍ଡା ସୃଷ୍ଟି କରିବା ରେ ସକ୍ଷମ ହୋଇଛି। ଡକ୍ଟର ସୁନନ୍ଦାଙ୍କୁ କହିଲେ ଆପଣ ଏଥର ଶତପ୍ରତିଶତ ନିଶ୍ଚିତ ହୋଇ ଯାଆନ୍ତୁ ଏ ଥର ଆପଣ କୂଆଁ କୂଆଁ ରାବ ନିହାତି ଶୁଣିବେ। ତାର ଦୁଇ ଦିନ ପରେ କୃତିମ ପଦ୍ଧତିରେ ଭୃଣ ସୃଷ୍ଟି କରିବା ପାଇଁ ସୁନନ୍ଦାଙ୍କ ଶରୀରରୁ ସମସ୍ତ ଅଣ୍ଡା କଢା ହେଲା। ଡକ୍ଟର କହିଲେ ଏଇ ପଦ୍ଧତି ପାଇଁ ପାଖାପାଖି ପନ୍ଦର କୋଡ଼ିଏ ଦିନ ଦିନ ସମୟ ଲାଗିବ।ତା ପରେ କେଉଁ ଦିନ ଭୃଣ ଆପଣଙ୍କ ଗର୍ଭାଶୟ ରେ ଛଡା ଯିବ ଆମେ ଆପଣଙ୍କୁ ଫୋନ୍ କରି ଜଣାଇ ଦେବୁ। ସେତେ ଦିନ ପର୍ଯ୍ୟନ୍ତ ଆପଣ ବରଂ ଓଡିଶା ପଳାଇ ଯାଆନ୍ତୁ। ଏଠି ରହି ଅଜଥା ଟାରେ କାହିଁକି ପଇସା ଗଣିବେ। ବିରେନ୍ଦ୍ର ଓ ସୁନନ୍ଦା ଭାବିଲେ ହଁ ଡକ୍ଟର ଠିକ୍ କଥା କହୁଛନ୍ତି। ଆମେ ଏବେ ଓଡ଼ିଶାକୁ ଫେରି ଯିବା ଆଉ ଡକ୍ଟରଙ୍କ କ୍ଲିନିକରୁ ଫୋନ୍ ଗଲେ ପୁଣି ଆସିବା।

ସୁନନ୍ଦା ଓ ବିରେନ୍ଦ୍ର ଗାଁକୁ ସିନା ଫେରି ଆସିଲେ , ସୁନନ୍ଦା କିନ୍ତୁ ପ୍ରଶିକ୍ଷଣ ଚାତକ ପରି ଅନାଇ ରହି ଥାଆନ୍ତି ଡକ୍ଟର ମୋନା ମାଥୁରଙ୍କ କ୍ଲିନିକର ଫୋନ୍ କୁ। ସେ ସବୁ ବେଳେ ବିରେନ୍ଦ୍ରଙ୍କୁ ପଚାରୁ ଥାଆନ୍ତି ତୁମ ପାଖକୁ ରାୟପୁରରୁ କିଛି ଫୋନ୍ ଆସିଥିଲା କି?

କୋଡିଏ ଦିନ ଯେଉଁ ଦିନ ପୁରିଲା, ସେ ଦିନ ସୁନନ୍ଦା ଖାଇବା ପିଇବା ଭୁଲି ଖାଲି ଫୋନ୍ କୁ ଅପେକ୍ଷା କରି ରହିଲେ। ହେଲେ ଦିନ ଯାଇ ରାତି ମଧ୍ୟ ଗଲା ଡକ୍ଟର ମୋନାଙ୍କ କ୍ଲିନିକରୁ ଫୋନ୍ ଆସିଲା ନାହିଁ। ସୁନନ୍ଦା ବ୍ଯସ୍ତ ହୋଇପଡିଲେ। ସେ ବୀରେନ୍ଦ୍ରଙ୍କୁ କହିଲେ ତୁମେ ଟିକେ ଫୋନ୍ କରି ବୁଝୁନ। ବିରେନ୍ଦ୍ର କହିଲେ ଯନ୍ତ୍ର ପାତି କଥା। ଆଉ କିଛି ଦିନ ଅପେକ୍ଷା କରିବା। ହେଲେ କୋଡ଼ିଏ ଦିନ ଟା ମାସେ ହେଲା ପଛେ ଡକ୍ଟରଙ୍କ କ୍ଲିନିକରୁ କିଛି ଫୋନ୍ ଆସିଲାନି କି ବିରେନ୍ଦ୍ରଙ୍କ ଫୋନ୍ କେହି ଉଠାଇ ଲେ ନାହିଁ। ସୁନନ୍ଦାଙ୍କ ମନକୁ ପାପ ଛୁଇଁଲା। ସେ ଆଉ ଅପେକ୍ଷା କରିବା ପାଇଁ ରାଜି ହେଲେ ନି।

ସ୍ଵାମୀଙ୍କ ସହ ପୁଣି ଥରେ ରାୟପୁର ଅଭିମୁଖେ ବାହାରି ଗଲେ। ସେଠି ଡକ୍ଟରଙ୍କୁ ପାଖକୁ ଯାଆନ୍ତେ ଡକ୍ଟର କହିଲେ ଆଇ ଏମ୍ ସରି ବିରେନ୍ଦ୍ର ବାବୁ। ସୁନନ୍ଦାଙ୍କ ଶରୀରରୁ ବାହାରି ଥିବା ଅଣ୍ଡା ଗୁଡିକରୁ ଆମେ ଭୃଣ ସୃଷ୍ଟି କରିବା ପାଇଁ ସକ୍ଷମ ହେଲୁନି।ସବୁ ଗୁଡିକ ଅଣ୍ଡା ନଷ୍ଟ ହୋଇଗଲା। ସୁନନ୍ଦା କହିଲେ ଆଠଟା ଅଣ୍ଡାରୁ କଣ ଗୋଟେ ବି ଭୃଣ ସୃଷ୍ଟି ପାଇଁ ଉପଯୋଗୀ ହେଲାନି? ମୁଁ ତ ମୋ ସାଧ୍ଯ ମୋତେ ଚେଷ୍ଟା କଲି। ଆଉ କଣ କରି ପାରି ଥାଆନ୍ତି। ଡକ୍ଟରଙ୍କ କଥା ଶୁଣି କାନ୍ଦି କାନ୍ଦି ସୁନନ୍ଦା, ଡକ୍ଟରଙ୍କୁ କହିଲେ ଡକ୍ଟର ପୁଣି ଥରେ ସବୁ ଅଣ୍ଡା ପରୀକ୍ଷା କରନ୍ତୁ। କାଳେ କେଉଁଠି ଗୋଟେ ଯୋଡେ ଭଲ ଅଣ୍ଡା ରହି ଯାଇଥିବ। ଆପଣ ମାତେ ମାତୃତ୍ବର ସୁଖରୁ ବଞ୍ଚିତ ରଖନ୍ତୁ ନି ଡକ୍ଟର, ମୁଁ ଆପଣଙ୍କ ଗୋଡ ଧରୁଛି।

ସୁନନ୍ଦାଙ୍କ କଥା ଶୁଣି ଡକ୍ଟର ମୋନା ଚିତ୍କାର କରି ଉଠିଲେ, ତା ମାନେ ଆପଣ କହୁଛନ୍ତି ମୁଁ ଠିକ୍ ରେ ଚେଷ୍ଟା କରିନି ବୋଲି। ମୁଁ ତ ମୋର ସାଧ୍ଯ ମୋତେ ସବୁ ଚେଷ୍ଟା କଲି। ହେଲେ ତୁମର ଭାଗ୍ଯ ତୁମ ସାଥି ଦେଲାନି। ମୁଁ ଆଉ କଣ କରି ଥାଆନ୍ତି? ମୁଁ ତ ଆଉ ଭଗବାନ ନୁହେଁ ନା? ରୋକ୍ ଠୋକ୍ ଭାବେ ଶୁଣାଇ ଦେଲେ ଡକ୍ଟର ମୋନା । ସୁନନ୍ଦା କିନ୍ତୁ କାନ୍ଦି କାନ୍ଦି ଡକ୍ଟରଙ୍କୁ କହୁ ଥାଆନ୍ତି, ଆପଣ ଏତେ ନିଷ୍ଠୁର ହୁଅନ୍ତୁ ନି। ପୁଣି ଥରେ ଚେଷ୍ଟା କରନ୍ତୁ।

ଡକ୍ଟର କହିଲେ ପୁଣି ଥରେ ଚେଷ୍ଟା କଲେ ମୂଳରୁ ପ୍ରସେସ ଆରମ୍ଭ ହେବ ଆଉ ସେତିକି ଟଙ୍କା ଖର୍ଚ୍ଚ ହେବ। ଡକ୍ଟରଙ୍କ କଥା ଶୁଣି ସୁନନ୍ଦାଙ୍କ ପାଦ ତଳରୁ ମାଟି ଖସିଗଲା। ଆକାଶଟା ଯେମିତି ଛିଣ୍ଡି ପଡିଲା ତାଙ୍କ ମୁଣ୍ଡ ଉପରେ। ଯେଉଁ ଡକ୍ଟର କାଲି ଶତପ୍ରତିଶତ ସଫଳତା କଥା କହୁଥିଲେ ଆଜି କହୁଛନ୍ତି, ତାଙ୍କ ଭାଗ୍ଯ ସାଥ୍ ଦେଲାନି ବୋଲି।ଆଉ ପୁଣି ଥରେ ମୂଳରୁ ଚିକିତ୍ସା ଆରମ୍ଭ କରିବା ପାଇଁ କହୁଛନ୍ତି। ତାଙ୍କ ର ସବୁ ସମ୍ପତ୍ତି ତ ବିକ୍ରି ହୋଇ ସାରିଛି ଏଇ ଥରର ଚିକିତ୍ସାରେ। ଘର ଖଣ୍ଡେ ମଧ୍ୟ ବନ୍ଧା ପଡି ଯାଇଛି। ପୁଣି ଥରେ ମୂଳରୁ ଚିକିତ୍ସା ଆରମ୍ଭ ପାଇଁ ଆଉ ଟଙ୍କା ଆସିବ କୁଆଡୁ?

ଡକ୍ଟରଙ୍କ କଥା ଶୁଣି ସୁନନ୍ଦାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା।ଆକାଶଟା ଯେମିତି ଛିଣ୍ଡି ପଡିଲା ତାଙ୍କ ମୁଣ୍ଡ ଉପରେ। କାନ୍ଦି କାନ୍ଦି ଚେତାଶୂନ୍ଯ ହେବା ପୂର୍ବରୁ ବିରେନ୍ଦ୍ର, ସୁନନ୍ଦାଙ୍କୁ ସମ୍ଭାଳି ନେଲେ। ଆଉ କହିଲେ ଡକ୍ଟର କଣ କହିଲେ ତୁମେ ଶୁଣିଲ ନାହିଁ ? ଆମ ଭାଗ୍ୟରେ ପରା ନାହିଁ। ଯାହା ଭାଗ୍ଯରେ ନାହିଁ ତାହା ଯେତେ ଚେଷ୍ଟା କଲେ ମଧ୍ୟ ମିଳିବ କେଉଁଠୁ?

ବିରେନ୍ଦ୍ର, ସୁନନ୍ଦାଙ୍କୁ ଧରି ଆଗକୁ ଆଗଉ ଥାଆନ୍ତି,ତାଙ୍କର ମନେ ପଡିଲା ସେ ଆଣି ଥିବା ବ୍ଯାଗଟି ଡକ୍ଟରଙ୍କ ଚେମ୍ବରରେ ଛାଡି ଆସିଛନ୍ତି। ତେଣୁ ସେ ସୁନନ୍ଦାଙ୍କୁ କହିଲେ ତୁମେ ଟିକେ ଏଇଠି ଠିଆ ହୋଇ ଥାଅ ମୁଁ ବ୍ଯାଗଟା ନେଇ ଆସୁଛି। ସୁନନ୍ଦା କହିଲେ ନାଁ ତୁମେ ଯାଅ ଅଟୋ ଠିକ୍ କରିବ ମୁଁ ବରଂ ବ୍ଯାଗ ଟା ନେଇ ଆସୁଛି। ସୁନନ୍ଦା ବ୍ଯାଗ ଆଣିବା ପାଇଁ ଡାକ୍ତରଙ୍କ ଚେମ୍ବରରେ ପଶିବା ସମୟରେ ତାଙ୍କ କାନରେ, ଡକ୍ଟର ମୋନା ହସି ହସି କ୍ଲିନିକର ମାଲିକଙ୍କ ସହ କଥା ହେବାର ଶୁଣିବାକୁ ପାଇଲେ। କ୍ଲିନିକର ମାଲିକ କହୁ ଥାଆନ୍ତି, ଡକ୍ଟର ଆପଣଙ୍କ ପାଇଁ ଆଜି ଆମେ କ୍ଲିନିକ ବିରୁଦ୍ଧ ଚାଲିଥିବା କେଶଟା ଜିତି ଗଲେ।ଆପଣ ଯଦି ସେ ଦିନ ଓଡ଼ିଶାରୁ ଆସିଥିବା ସେ ଲୋକଙ୍କର ଭୃଣକୁ ଜର୍ଜ ମିଶ୍ରଙ୍କ ସ୍ତ୍ରୀର ଗର୍ଭାଶୟ ରେ ଛାଡି ତାଙ୍କୁ ମାଆ ହେବାର ସୁଯୋଗ ଦେଇ ନ ଥାଆନ୍ତେ, ତେବେ ଆଜି ଆମେ ଏ କେଶ ହାରି ଯାଇ ଥାଆନ୍ତୁ। ଆଉ ଏ କ୍ଲିନିକ ମଧ୍ୟ ଆମ ହାତରୁ ଚାଲି ଯାଇ ଥାଆନ୍ତା। ସେ ପେସେଣ୍ଟଙ୍କ ନାଁ କଣ ତ? ସୁନନ୍ଦା ଓ ବିରେନ୍ଦ୍ର। ଡକ୍ଟର ମୋନା କହୁ ଥାଆନ୍ତି ସାର ଟିକେ ଧିରେ କହନ୍ତୁ ଆଜି କାଲି ପରା କାନ୍ଥ ବାଡର କାନ ଅଛି।

କ୍ଲିନିକର ମାଲିକ କହୁ ଥାଆନ୍ତି, ଏ ସବୁ ଚିକିତ୍ସା ବିଜ୍ଞାନର ଭିତିରି କଥା,ଯିଏ ଶୁଣିଲେ ବି କିଛି ପ୍ରମାଣ କରି ପାରିବ ନାହିଁ। ଆଉ ସେ ପେସେଣ୍ଟ ଟା ତ ଘର ବନ୍ଧା ପକାଇ ଚିକିତ୍ସା ପାଇଁ ଆସିଥିଲା। ସେ ଆମର କଣ କ୍ଷତି କରି ପାରିବ।

ତାଙ୍କ କଥା ଶୁଣି ସୁନନ୍ଦାଙ୍କ ମୁଣ୍ଡ ବୁଲାଇ ଦେଲା। ସେ ଭାବୁ ଥାଆନ୍ତି ଯେଉଁ ଡାକ୍ତରଙ୍କୁ ସାଧାରଣ ଲୋକେ ଭଗବାନ ବୋଲି ଭାବନ୍ତି ସେ ଭିତରେ ବି ଏମିତି ବ୍ଯାପାରୀ ଅଛନ୍ତି? ଯେଉଁମାନେ କି ନିଜର ସ୍ବାର୍ଥ ପାଇଁ କାହାର ମାତୃତ୍ବକୁ ମଧ୍ୟ ସଉଦା କରିବା ପାଇଁ ପଛାଉ ନାହାଁନ୍ତି! ତାଙ୍କ ମାତୃତ୍ବର ସଉଦାରୁ ମିସେସ ମିଶ୍ର ଆଜି ମାଆ ହେବେ ଅଥଚ ସେ କିଛି କରି ନ ପାରି ଭାଗ୍ଯକୁ ଆଦରି ପାଲଟି ଯିବେ ଜଣେ ବନ୍ଧ୍ୟା।


Rate this content
Log in

Similar oriya story from Tragedy