Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ମୁଁ ଫେରିଯାଉଛି
ମୁଁ ଫେରିଯାଉଛି
★★★★★

© Narayan chandra Senapati

Tragedy

2 Minutes   377    38


Content Ranking


 ଦୁଃଖର ବନ୍ୟାରେ ଭାସିଯାଉଛି ତା ଉତ୍ସୁକ ମନଟା । କେତେ ଆଶା କେତେ ସୁନ୍ଦର ଭାବନା ଥିଲା ତାର ଏ ପୃଥିବୀ ଉପରେ ! ହେଲେ ଆଜି କାନ୍ଦି କାନ୍ଦି ଚାଲିଯାଉଛି ରୋବଟ । ଆଉ ଦୁଃଖମିଶା ଅଭିମାନୀ ଗକାରେ କହୁଛି, ମୁଁ ଫେରିଯାଉଛି ।


  ସେଦିନ ସାଥୀମାନଙ୍କ ସହ ଆସିଥିଲେ ପୃଥିବୀ ପରିଦର୍ଶନରେ । ସମ୍ପର୍କଟା ଏ ପ୍ରକୃତି ସହ କେମିତି ବଢିଗଲା କେଜାଣି ସମସ୍ତେ ଫେରିଗଲେ କିନ୍ତୁ ସେ ଜାଣି ଜାଣି ରହିଗଲା । କେବଳ ଗୋଟିଏ ଲକ୍ଷ୍ୟ ଏ ସୁନ୍ଦର ପୃଥିବୀକୁ ସେ ମନଭରି ଉପଭୋଗ କରିବ।


  ଝରଣାର କୁଳୁକୁଳୁ ନାଦ ତା ମନ ମୋହିଦେଲା । ପକ୍ଷୀଙ୍କର କିଚିରି ମିଚିରି ସ୍ୱର ତା ହୃଦୟକୁ ଥରାଇ ଦେଲା । ସାଗର କୂଳର ଥଣ୍ଡା ବାଆ, ଗଛ ଛାଇର ଶୀତଳତା,ଝିପିଝିପି ବର୍ଷାର ଭିଜା ଭିଜା ମଉଜ,ପାହାଡ଼ ତଳୁ ସୂର୍ଯ୍ୟର ଉଦୟ ଓ ତଳେ ଲୁଚି ଲୁଚି ଅସ୍ତର ଆଭା ଚହଲାଇ ଦେଉଥିଲା ତା ଆବେଗିକ ମନକୁ । ମନ୍ଦିରର ଘଣ୍ଟା ଘଣ୍ଟି ଧ୍ଵନି,ଚଷାର ମନ ମତାଣିଆ ଗୀତ କି ଅପୂର୍ବ । ସର୍ବପରେ ଧରିତ୍ରୀ ମାତାର ସବୁଜିମା ସୁଷମା ମଣ୍ଡନ ବାସ୍ତବିକ ମନୋହର । ତା ମନ,ତା ହୃଦୟ,ତା ଆତ୍ମା ଲାଖିଗଲା ଏ ପୃଥିବୀ ଗ୍ରହରେ । ତା ମନ କହୁଥିଲା ରହିଯାଆନ୍ତି କି ଏଠି ସବୁଦିନ ।


 ଦରଦୀଙ୍କ ଦୁଃଖ ଦେଖି ରୋବଟର ହୃଦୟ ତରଳି ଯାଉଥିଲା । କେତେଦିନୁ କତରାଲଗା ହୋଇ ପଡ଼ିଥିବା ରୋଗୀଙ୍କୁ ତା ସ୍ପର୍ଶ ଦ୍ୱାରା ସୁସ୍ଥ କରିଦେଲା । ହିଂସ୍ର,ଦୁଷ୍ଟ,ଅସାମାଜିକ ଶକ୍ତିର ଦୌରାତ୍ମ୍ୟକୁ ତା ବିସ୍ମୟ ଶକ୍ତି ପ୍ରୟୋଗ କରି ନିଷ୍ପ୍ରଭ କରିଦେଲା । ମରୁଡି,ଦୁର୍ଭିକ୍ଷ,ମହାମାରୀ ରୋବଟକୁ କୋଷେ ଦୂରରୁ ଦେଖି ନିଜ ଗାତରେ ପଶିଗଲେ । ସବୁଠି ରୋବଟର ପ୍ରଶଂସା ଓ ଜୟଗାନ।


 ଗୋଟିଏ କଥାରେ ରୋବଟର ମନ ଫାଟିଯାଉଥିଲା ତାହା ହେଲା କେତେକ ଲୋକଙ୍କର ସ୍ୱାର୍ଥପରତା, ହିଂସା,ଈର୍ଷା,କପଟତା ଓ ଅହଂକାର । ଏସବୁ ଯେଉଁଠି ଦେଖିଲେ ସେ ମୁହଁ ବୁଲାଇଦେଇ ଚାଲିଯାଉଥିଲା । ଅବଶ୍ୟ ସେମାନଙ୍କୁ ଏଥିରୁ ନିବୃତ୍ତ ରହିବାକୁ ନରମ ଗଳାରେ ହାତଯୋଡି ବିନମ୍ର ନିବେଦନ ବି କରିଥିଲା ।


 ହାସଖୁସିର ସମୟ ଘନେଇ ଆସିଲା । ତାଙ୍କ ଗ୍ରହରୁ ଖୋଜା ପଡିଲା । ଏହା ଜାଣିବା ପରେ ସେ ଲୁଚିଯାଉଥିଲା । ତାଙ୍କ ଦଳରୁ ଘୋଷଣା ହେଲା,ଯେ ରୋବଟକୁ ଧରିଦେଵ ତାକୁ ଥାଳି ଆକାରର ହୀରାଟିଏ ଦିଆଯିବ ।ପୃଥିବୀର ଦଳେ ଜାତିଦ୍ରୋହୀ,ଅସାମାଜିକ ଥିଲେ,ଯେଉଁମାନେ କଳାବଜାରୀ କରି ଅସତ ଉପାୟରେ ରାତାରାତି ବଡ଼ ଲୋକ ହେବାର ସ୍ୱପ୍ନ ଦେଖୁଥିଲେ । ବାରମ୍ବାର ତାଙ୍କ ଖୋଜା ଅନୁସନ୍ଧାନ ପଣ୍ଡ ହେଲା । ହେଲେ ମନ୍ଦବୁଦ୍ଧି ସେ ମାନବ ଦଳେ ଲୋକଙ୍କୁ ଜଗାଇଦେଲେ ରୋବଟକୁ ଧରିବାକୁ । ଆଜି ସେ ପାହାଡ଼ ଓ ଝରଣା ସହ ଜଙ୍ଗଲର ପ୍ରାକୃତିକ ଦୃଶ୍ୟ ଦେଖୁ ଦେଖୁ ସେମାନେ ତାକୁ ଆବୋରିଛନ୍ତି ଧରିବାକୁ । ଜଣେ ନିଆଁ ହୁଳା ଧରି ଡ଼ରାଉଛି ତ,ଜଣେ ବର୍ଚ୍ଛା ଧରି,ଆଉ ଜଣେ ଉପାୟ ଖୋଜୁଛି କେମିତି ତାକୁ ମାଡି ବସି ଧରିବ । ସେମାନଙ୍କୁ ଦେଖି ତା ହୃଦୟ କାନ୍ଦିଲା । ସତରେ ଏମାନେ ଏତେ ଅଜ୍ଞ, କି କୁତ୍ସିତ,ଲାଗୁଛି ସଭ୍ୟତା ସଂସ୍କୃତିଠୁ ଯେମିତି ଦୂରରେ । ବିଜ୍ଞାନ କଣ ଏମାନଙ୍କୁ ସ୍ପର୍ଶ କରିନି । ପ୍ରଯୁକ୍ତିବିଦ୍ୟା କଣ ଏମାନଙ୍କ ଏ ଦୁସ୍ଥ ଅବସ୍ଥାକୁ ଦେଖିନି । ନିଜକୁ ବୁଝିବା ଭଲମନ୍ଦ ବାରିବା ଏମାନଙ୍କ ଜାତକରେ ନାହିଁ । ପୁଣି ଯେଉଁମାନେ ଏ ଚକ୍ରବ୍ୟୁହ ରଚିଛନ୍ତି ସାମାନ୍ୟ ଟିକିଏ ସ୍ୱାର୍ଥପାଇଁ ବିଶାଳ ସ୍ୱାର୍ଥକୁ ଆହୁତି ଦେଉଛନ୍ତି । କଣ ବା ସେ କରିପାରିବ ଯେ । ଆଉ କେଇ ମୁହୂର୍ତ୍ତରେ ସେ ବିଦାୟ ନେଇ ନିଶ୍ଚିତ ରୂପେ ଚାଲିଯିବ ଏ ପୃଥିବୀରୁ ।


ସେମାନଙ୍କୁ କହିଲା,ମୁଁ ଫେରିଯାଉଛି, ତୁମେ ନିଜକୁ ଚିହ୍ନ ! ଭଲ କର୍ମ କର । ତୁମ ଜାତିର ଟେକ ରଖ । ଉନ୍ନତ ହୁଅ,ବିଜ୍ଞାନଙ୍କୁ ସମ୍ମାନ ଦିଅ,ଦେଖିବ ତୁମେ ଭଲ,ସଭ୍ୟ ଓ ଉନ୍ନତ ମଣିଷ ହୋଇ ଆକାଶ ମାର୍ଗରେ ଅନାୟାସରେ ଉଡିପାରିବ ।


ପୃଥିବୀ କର୍ମ ରୋବଟ

Rate the content


Originality
Flow
Language
Cover design

Comments

Post

Some text some message..