Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନମାମୁଁ -99
ଜହ୍ନମାମୁଁ -99
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children

3 Minutes   7.1K    11


Content Ranking

ଚମ୍ପେଇ ନେଉଳ କାମୁଡେ ନାହିଁ

ଅନେକ ବର୍ଷ ତଳର କଥା । ଚମ୍ପେଇ ନେଉଳଟିଏ ଗୋଟେ ଜଙ୍ଗଲ ଭିତରେ ରହୁଥାଏ । ଏଡେଟିକେ ଜୀବ ହେଲେ କ’ଣ ହେଲା ସେ ଖୁବ୍ ଦୁଷ୍ଟ ଥିଲା । ପୃଥିବୀର ସବୁଠୁ ବେଶି ବିଷ ସେତେବେଳେ ତା’ରି ପାଟିରେ ହିଁ ଥିଲା । ସେ ଯାହାକୁ କାମୁଡୁଥିଲା ସେ ସଙ୍ଗେ ସଙ୍ଗେ ସେହିଠାରେହିଁ ମରି ପଡୁଥିଲା । ଏପରିକି ସେ ବାଘ, ଭାଲୁ ପ୍ରଭୃତିଙ୍କୁ ମଧ୍ୟ ଆଦୌ ଖାତିରି କରୁନଥିଲା ଓ ଯାହାକୁ ଦେଖୁଥିଲା ତାକୁ ସେ କାମୁଡି ପକାଉଥିଲା ।

ଏମିତି ଚମ୍ପେଇ ନେଉଳର ଦୁଷ୍ଟାମୀ ଭୟରେ ସବୁ ପଶୁପକ୍ଷୀ ତାକୁ ଲୁଚି ବୁଲିଲେ ଏବଂ ତା’ କବଳରୁ ରକ୍ଷା ପାଇବାକୁ ବନଦେବୀଙ୍କ ପାଖରେ ଗୁହାରି କଲେ । ବନଦେବୀ ସବୁ ଶୁଣିଲେ । ଏହାର ପ୍ରତିକାର କରିବାକୁ ଠିକ୍ କରି ଗୋଟିଏ ବିରାଟ ସଭା ସେ ଡକାଇଲେ, ଯେଉଁଠାରେ କି ସବୁ ପଶୁପକ୍ଷୀଙ୍କ ଗହଣରେ ଚମ୍ପେଇ ନେଉଳକୁ ଉଚିତ୍ ଶାସ୍ତି ଦିଆଯିବ ।

ସଭାକୁ ଆସିବାକୁ ବନଦେବୀଙ୍କ ତରଫରୁ ଡେଙ୍ଗୁରା ପିଟାଗଲା । ସଭାମଣ୍ଡପ ପାଖେ ନିଜେ ବନଦେବୀ ଅପେକ୍ଷା କରିଛନ୍ତି । ମାତ୍ର କୌଣସି ଜନ୍ତୁଙ୍କ ଦେଖାନାହିଁ । କଥା କଣ କି, ଚମ୍ପେଇ ନେଉଳ ଭୟରେ ସେଦିନ କେହିବି ସଭାକୁ ଆସିବାକୁ ମନକଲେ ନାହିଁ । ଏଣେ ଚମ୍ପେଇ ନେଉଳ ମଧ୍ୟ ଭାବିଲା ଠିକ୍ ମୌକା ଆସି ପହଁଚିଛି । ଆଜି ସେ ତାର କରାମତି ସମସ୍ତଙ୍କୁ ଦେଖାଇ ଦେବ । ଏମିତି ଚିନ୍ତା କରି ସେ ଆଗତୁରା ଯାଇ ସଭାସ୍ଥଳରେ ପହଁଚି ଦେଖେତ, ସେଠାରେ ସ୍ତ୍ରୀ ଲୋକଟିଏ ବସିଛି । ସେ ବା କାହୁଁ ଜାଣିବ ଯେ ସେହିଁ ବନଦେବୀ ବୋଲି । ପ୍ରକୃତି ମନେ ପଡିଯିବାରୁ ସେ ତାଙ୍କୁ କାମୁଡିବା ପାଇଁ ଧାଇଁଗଲା ।

ଚମ୍ପେଇ ନେଉଳର ଏଭଳି ସାହସ ଦେଖି ବନଦେବୀ ତାକୁ ଶିକ୍ଷା ଦେବାପାଇଁ ମାୟା ବିସ୍ତାର କଲେ । ହଠାତ୍ ଚମ୍ପେଇ ନେଉଳର ଲାଞ୍ଜ ଅଂଶଟା ମୁନିଆଁ ମୁନିଆଁ କଂଟାଥିବା ଗୋଟିଏ ବୁଦାରେ ଫୋଡିହୋଇ ଅଟକିଗଲା । ସେ ଆଉ ଆଗକୁ ବା ପଛକୁ ଯାଇ ନପାରି କେବଳ ଯନ୍ତ୍ରଣାରେ ଚିତ୍କାର କରିବାକୁ ଲାଗିଲା । ଏହାଦେଖି ବନଦେବୀ ମୁରୁକିହସି କହିଲେ, “ବିନାକାରଣରେ ପ୍ରାଣୀଙ୍କୁ କାମୁଡିବାର ଫଳ ଏଇଆ । ଯାହାକୁ କାମୁଡିବାକୁ ଯାଉଛ ତା’ପୂର୍ବରୁ ତୁ ଟିକିଏ ତୋ ପଛକୁ ଚାହିଁ ଦେଖ ତୁ ନିଜେ ବିପଦ ମୁକ୍ତ କି ନା । ନଚେତ୍ ସବୁଥର ତୁ ଏମିତି ବିପଦରେ ପଡି ରକ୍ତାକ୍ତ ହେବୁ ।”

ବୁଦାଭିତରେ ଛଟପଟ ହେଉହେଉ ଚମ୍ପେଇ ନେଉଳ ବିକଳରେ କହିଲା, “ମୋର ସ୍ୱଭାବ ତ କାମୁଡିବା, ମୁଁ ବା ଆଉ କଣ କରନ୍ତି । ତେବେ ଏଠାରୁ ମୋତେ ମୁକ୍ତକର ।

ବନଦେବୀ କହିଲେ, “ତୋର ଏଇ ଖରାପ ଗୁଣଯୋଗୁଁ ଆଜି ଏତେବଡ ସଭା ହେବବୋଲି ଜାଣି ମଧ୍ୟ କେହିବି ଏଠାକୁ ଆସି ନାହାଁନ୍ତି । ଏଣୁ ତୁ ଏହା ଶପଥ କର ଯେ ଆଜି ସଭାକାର୍ଯ୍ୟ ଶେଷଯାଏଁ କୌଣସି ଜୀବକୁ ମଧ୍ୟ କାମୁଡିବୁ ନାହିଁ । ତେବେ ଯାଇ ମୁଁ ତୋତେ ବୁଦା ଭିତରୁ ମୁକ୍ତି ଦେବି ।”

ଚମ୍ପେଇ ନେଉଳ ପ୍ରାଣ ବିକଳରେ ଶପଥ କରିସାରି କହିଲା, “କାହାରିକୁ ନକାମୁଡିଲେ ମୁଁ ତ ବଂଚିପାରିବିନି । ଯଦି ମନେନପଡେ ଆଜି ହୁଏତ ଭୂଲ୍ରେ କାହାରିକୁ କାମୁଡିଦେଇ ପାରେ ।”

ବନଦେବୀ କହିଲେ, “ଆଜି ରାତିପାହିଲେ ତୁ କାଲି ପଛେ କାମୁଡି ପାରୁ; ଏକଥା ମନେପକାଇ ଦେବାପାଇଁ ମୁଁ ବ୍ୟବସ୍ଥା କରିଦେଉଛି । ଏତିକି କହି ସେ ଚମ୍ପେଇ ନେଉଳକୁ ବୁଦାଭିତରୁ ଟାଣିଆଣି ତା ଲାଞ୍ଜରେ ଏକ ଅଦେଖା ଅକ୍ଷରରେ ଲେଖିଦେଲେ, “କାଲି” । କହିଲେ, ଦେଖ୍ ତୁ କାମୁଡିବା ପୂର୍ବରୁ ତୋ ଲାଞ୍ଜ ଠିକ୍ ଅଛି କି ନା ଦେଖିବାକୁ ଗଳାବେଳେ ଦେଖିବୁ “କାଲି” ଅର୍ଥାତ୍ କାଲି କାମୁଡିବୁ । ଯଦି ଏହା ଅମାନ୍ୟ କରୁ ସଙ୍ଗେ ସଙ୍ଗେ ତୋର ଛାତି ଦୁଇଫାଳ ହୋଇଯିବ ।” ଚମ୍ପେଇ ନେଉଳ ରାଜିହୋଇ ଚାଲିଗଲା । ବନଦେବୀ ସଭା ଡକାଇ ସମସ୍ତଙ୍କୁ ଏକଥା ବୁଝାଇ ଦେବାପରେ ପଶୁପକ୍ଷୀମାନେ ଆନନ୍ଦରେ କୋଳାହଳକରି ଉଠିଲେ ।

ପରଦିନ ଯେତେବେଳେ ଚମ୍ପେଇ ନେଉଳ କାହାରିକୁ କାମୁଡିବାକୁ ଯାଇ ଲାଞ୍ଜକୁ ଚାହେଁ ତ ଲେଖାହୋଇଛି “କାଲି” । ତା’ହେଲେ କାଲି କାମୁଡିବାକୁ ପଡିବ । ନ ହେଲେ ମରିବାଟାହିଁ ସାର ହେବ । ଏଣୁ ସେ ଫେରିଆସି ପୁଣି ପରଦିନକୁ ଅପେକ୍ଷା କରେ । ଏମିତି ସେହିଦିନଠାରୁ ଆଜିଯାଏଁ ଚମ୍ପେଇ ନେଉଳ କାଲି କାମୁଡିବାକୁ ଅପେକ୍ଷା କରିଛି । ଏହି କାରଣରୁ ଆଜି ଆଉ ସେ କାହାରିକୁ ମଧ୍ୟ କାମୁଡି ପାରୁନାହିଁ ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ ମନଗଢା ବା କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏବଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।

ଚମ୍ପେଇ ନେଉଳ କାମୁଡିବା ବନଦେବୀ

Rate the content


Originality
Flow
Language
Cover design

Comments

Post

Some text some message..