Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arabinda Rath

Tragedy

3  

Arabinda Rath

Tragedy

କମ୍ବଳ

କମ୍ବଳ

11 mins
992



ଲେଖକ-ଅରବିନ୍ଦ ରଥ

ସେ ବର୍ଷ ଶୀତର ପ୍ରକୋପ ଭୟଙ୍କର ଥିଲା। ପୁରୁଖା ଲୋକଙ୍କ ମତରେ, ବିଗତ କେତେ ବର୍ଷ ଧରି ଏମିତି ଶୀତ ପଡି ନ ଥିଲା। ଦିନବେଳା ସୂର୍ଯ୍ଯଦେବଙ୍କର ନିଷ୍କ୍ରିୟତା ଓ ପଞ୍ଜରା ଥରାଇ ଦେବା ପରି ହେମାଳ ପବନର ପ୍ରାବଲ୍ଯତା ର ଅକୁଣ୍ଠ ସହଯୋଗ ପାଇ, ରାତ୍ରିକାଳରେ ଶୀତ ନିଜର ଭୀଷଣ କାୟା ବିସ୍ତାର କରି ଜନଜୀବନ ଅସ୍ତବ୍ଯସ୍ତ କରିବାରେ କୌଣସି କାର୍ପଣ୍ଯତା ପ୍ରଦର୍ଶନ କରୁ ନ ଥିଲା। ଘନ କୁହୁଡିର ମୋଟା ଆସ୍ତରଣରେ ସହରର ବିଶାଳକାୟ କାୟା ଲୁକ୍କାୟିତ ହୋଇଯାଉଥିଲା। ରାସ୍ତାର ଦୁଇ ପାର୍ଶ୍ବରେ ଜଳୁଥିବା ବିଜୁଳିବତୀ ମାନଙ୍କର ନିଷ୍ପ୍ରଭ ଆଲୋକ, ଜନମାନବ ଶୂନ୍ଯ ରାସ୍ତାକୁ ଆଲୋକ ଦେଖାଇବା ଅପେକ୍ଷା କୁହୁଡିର ଦୁଃର୍ଭେଦ୍ଯ ବଳୟ ମଧ୍ଯରେ ନିଜ ଅସ୍ତିତ୍ବ ଜାହିର କରିବାପାଇଁ ଅଧିକ ଚେଷ୍ଟିତ ଥିବା ପରି ମନେ ହେଉଥିଲା। ସହର ର ବାସିନ୍ଦା ମାନେ ସଞ୍ଜ ବେଳୁ କବାଟ ବନ୍ଦ କରି, ଘରେ ରୁମ୍ ହିଟର ଲଗାଇ ଶୀତବସ୍ତ୍ର ପିନ୍ଧିବା ପରେ ମଧ୍ଯ, ଶୀତର ପ୍ରଚଣ୍ଡ ପ୍ରହାର ରୁ ତ୍ରାହି ପାଇ ପାରୁ ନ ଥିଲେ। ଲାଗୁଥିଲା ସତେକି ଆକାଶରୁ ବରଫ ବର୍ଷା ହେଉଛି। ଘରର କାନ୍ଥ, ଛାତ, ପିଣ୍ଡା, କବାଟ ଝରକା ର ଅବସ୍ଥା ମଧ୍ଯ ତଦୃପ ଥିଲା। ଲାଗୁଥିଲା ସତେ କି ଥଣ୍ଡା ବଳୟରେ ସମସ୍ତେ କବଳିତ। ଯେତେବେଳେ ଥିଲା ବାଲା ଲୋକଙ୍କର ଏପରିି ଅବସ୍ଥା, ଗରିବ ଲୋକଙ୍କ କଥା ପଚାରେ କିଏ। ସହରି ଲୋକମାନେ ଏତେ ଶୀତରେ ଗରମ ପାଣିରେ ହାତ ମାରିବେ କି ନାହିଁ ସନ୍ଦିହାନ ଥିବା ବେଳେ, ଗରିବ ଲୋକେ ବରଫସମ ପାଣିରେ ଗାଧୁଆ, ଶୌଚକ୍ରିୟା ଓ ଅନ୍ଯାନ୍ଯ କର୍ମ କରିବାକୁ ବାଧ୍ଯ ହେଉଥିଲେ। ମୋଟା କମ୍ବଳ ଭିତରେ ଥାଇ ସହରି ଲୋକେ ଶୀତର ପ୍ରକୋପକୁ ପ୍ରତିହତ କରିବାକୁ ଅସମର୍ଥ ଥିବା ବେଳେ, ଗରିବ ଲୋକେ ଛିଣ୍ଡା ହେଁସ ଭିତରେ ଥରିଥରି ନିଜ ଭାଗ୍ଯ କୁ ନିନ୍ଦୁଥିଲେ। ଦାମୀ ସୁରା ର ଆଲିଙ୍ଗନରେ ଚେତନାଶୂନ୍ଯ ହୋଇ ଯାଉଥିବା ଧନୀ ଲୋକ, ରାସ୍ତାରେ ଶସ୍ତା ମଦ ପିଇ ଗରିବ ରିକ୍ସାବାଲାର ଚିତ୍କାର ମଶ୍ରିତ ଗୀତ ଶୁଣି ଭୃକୁଞ୍ଚନ କରି ଉଠୁଥିଲା। କିନ୍ତୁ ସେ ଜାଣି ପାରୁ ନ ଥିଲା ଯେ, ସେ ଚିତ୍କାର ମିଶ୍ରିତ ଗୀତ କୌଣସି ଉପଲବଧି ବା ଆନନ୍ଦ ର ନ ଥିଲା ; ବରଂ ଭୟଙ୍କର ଶୀତର ଦାରୁଣ ପ୍ରହାରକୁ ପ୍ରତିହତ କରିବାର ଏକ ସୁକ୍ଷ୍ମ ପ୍ରୟାସ ଥିଲା।

ଲୋକ ମାନଙ୍କ ମଧ୍ଯରେ କେବଳ ଶୀତ ବିଷୟକ ଚର୍ଚ୍ଚା ଜୋର ଧରିଥିଲା। କାଁ ଭାଁ ଖୋଲି ଥିବା ଚାହା ଦୋକାନ ଆଗରେ ବେଶ୍ ଭିଡ ଜମୁଥିଲା। ଗରିବ ଗୁରୁବା ଲୋକେ ଦେହରେ ଚିରା ଗାମୁଛା ଘୋଡି ହୋଇ କାଠ ଗଣ୍ଡି ଜାଳି ନିଆଁ ପୁଆଁଇ ହେବା ବେଳେ, ଆକାଶକୁ ଚାହିଁ ପ୍ରଶ୍ନ କରୁଥିଲେ-- କେବେ ତ୍ରାହି ମିଳିବ ଏ ହାଡଭଙ୍ଗା ଶୀତରୁ ପ୍ରଭୋ, ରକ୍ଷାକର ଆମକୁ, ନୋହିଲେ ପ୍ରାଣପକ୍ଷୀ ଉଡିଯିବ। ଏ ପ୍ରଶ୍ନ ଶୁଣି ଇଷତ୍ ହସି ଶୀତ କହୁଥିଲା-- ନାଃ, ଏତେ ଶୀଘ୍ର ନୁହଁ, ଯେ ପର୍ଯ୍ଯନ୍ତ ମୋ କରାଳ ରୂପ ସହ ସମସ୍ତଙ୍କର ପରିଚିତି ନ କରାଇଛି, ଅନ୍ତତଃ ସେ ପର୍ଯ୍ଯନ୍ତ ନୁହଁ।

ପ୍ରଚଣ୍ଡ ଥଣ୍ଡା ସତ୍ତ୍ବେ ସେଦିନ ରାତିରେ ଏକ ବାହାଘର ଉତ୍ସବ ରେ ଯୋଗ ଦେବା ପାଇଁ ଶଶିବାବୁଙ୍କୁ ଯିବାକୁ ପଡିଲା। ସ୍ଥାନ ଟି ବେଶୀ ଦୂର ନୁହଁ, କିନ୍ତୁ ଶୀତର ପ୍ରକୋପ ଦେଖି ପତ୍ନୀ ମିତା, ଶଶିବାକୁ ଙ୍କ ସାଙ୍ଗରେ ଯିବାକୁ ମଙ୍ଗିଲେ ନାହିଁ। ଅଗତ୍ଯା ସେ ଏକୁଟିଆ କାର୍ ରେ ଗନ୍ତବ୍ଯସ୍ଥଳ କୁ ଗଲେ। ପୁରୁଣା ବନ୍ଧୁ ମାନଙ୍କ ମେଳରେ ସମୟ କେମିତି ବିତିଗଲା ଜଣା ପଡିଲାନି ଓ ରାତି ପାଖାପାଖି ଦଶ ଟା ବାଜିଗଲା। ସେତିକି ବେଳେ ଘରକୁ ଶୀଘ୍ର ଫେରିବାର ଡାକରା ପାଇ ଶଶିବାକୁ ବିଦାୟ ନେବାକୁ ପ୍ରସ୍ତୁତ ହେବା ସମୟରେ , ପୁରୁଣା ବନ୍ଧୁ ବିଜୁ ଓ ମନୋଜ୍ ତାଙ୍କ ସାଙ୍ଗରେ କାର୍ ରେ ଫେରିବାକୁ ପ୍ରସ୍ତାବ ଦେଲେ। ବାହାରକୁ ଆସି ଦେଖିଲା ବେଳକୁ ଚତ୍ତୁଃପାର୍ଶ୍ବରେ କୁହୁଡିର ଘନ ଆସ୍ତରଣ ଓ ରାସ୍ତାଘାଟ ଜନମାନବଶୂନ୍ଯ। ପରିହାସ ଛଳରେ ବିଜୁ କହିଲେ-- କଣ ଶଶି, ଆଜି ଘରକୁ ଫେରିବା ନା, କେଇ ବୋତଲ ବିଦେଶୀ ସୁରା ନେଇ କୌଣସି ଏକ ହୋଟେଲ ରେ ରାତ୍ରୀଯାପନ କରିବା। ମନୋଜ୍ ମଧ୍ଯ ବିଜୁଙ୍କ କଥାରେ ତାଳ ଦେଇ କହିଲେ-- ହଁ ଶଶି ସେଇଆ ହିଁ କରିବା, ଏ ଶୀତ ରାତିରେ ଘରକୁ ଥରିଥରି ଫରିବା ଅପେକ୍ଷା ହୋଟେଲ୍ ରେ ରହି ଏ ଶୀତ ରାତିର ମଜା ଉଠାଇବା ଟା ବରଂ ଭଲ ହେବ। ଗାଡି ଷ୍ଟାର୍ଟ୍ କରି ଶଶି ହସିହସି କହିଲେ-- ଆରେ ତୁମ ଦୁଇ ଜଣଙ୍କର ପେଟେଣ୍ଟ ମେଡିସିନ୍ ଖାଇବାକୁ ମନ ବଳାଉଛି ନା କଣ? ଏମିତି ଦୁର୍ବୁଦ୍ଧି ମୁଣ୍ଡରେ କାହିଁକି ଜୁଟୁଛି। ଆଉ ଦୁଇ ବର୍ଷ ପରେ ଚାକିରି ରୁ ଅବସର ନେବ, ନିଜ ବୟସ ଭୁଲି କଲେଜ୍ ପିଲାଙ୍କ ପରି କାହିଁକି ହେଉଛ? କିରେ ବିଜୁ - - ତୁ ଭୁଲି ଗଲୁଣି କି, କେମିତି କଲେଜ୍ ରେ ମଦ ପିଇ ପ୍ରିନସିପାଲ୍ କୁ ବାଡେଇ ହାଜତ ମୁହାଁ ହୋଇଥିଲୁ? ଆଉ ମନୋଜ୍ ସେହି ଘଟଣା କୁ ନେଇ ତୁମ ଘରେ କେତେ କାଣ୍ଡ କାରଖାନା ହୋଇଥିଲା ସବୁ ପାଶୋରି ଗଲୁ ନା କଣ? ତିନି ସାଙ୍ଗ ଏକା ବେଳକେ ହସି ଉଠିଲେ। କିଛି ବାଟ ଯିବା ପରେ ଏକ ପାନ ଦୋକାନ ଆଗରେ ଶଶିବାବୁ ଗାଡି ଠିଆ କରି ସିଗାରେଟ୍ ଟାଣି ଯିବାକୁ ଦୁଇ ବନ୍ଧୁଙ୍କୁ ନିମନ୍ତ୍ରଣ ଦେଲେ। ସେତେବେଳକୁ ଆଖପାଖରେ କାଉକୋଇଲି ର ଚିହ୍ନବର୍ଣ୍ଣ ନ ଥିଲା। ସେ ଦୋକାନୀ ଟି ଲଣ୍ଠନ ଆଲୁଅ ରେ ବସି ରାସ୍ତା ଆଡକୁ ଦେଖି ଚାଲିଥିଲା।

– କିରେ ବାବୁ, ଦୋକାନ ବନ୍ଦ କରି ଘରକୁ ନ ଯାଇ ଏତେ ସମୟ ହେଲା ବସିଛୁ ଯେ। ପଚାରିଲେ ବିଜୁ

- - ଆଜ୍ଞା, ଏତିକି ଶୀତ ପଡୁଛି ଯେ ଘର କୁ ଯିବା ସମ୍ଭବ ନୁହଁ। ମୋ ଗାଁଆ ସହରରୁ ପାଞ୍ଚ କିଲୋମିଟର ଦୂର। ସାଇକେଲରେ ଗଲେ ଘରେ ପହଞ୍ଚିଲା ଦେଳକୁ ବରଫ ପାଲଟି ଯାଇଥିବି। ତେଣୁ ଏଇ ଦୋକାନ ରେ ରାତି ରେ ଶୋଇପଡେ।

- - କିନ୍ତୁ ଏମିତି ହାଡ ଭଙ୍ଗା ଶୀତରେ ଦେହରେ ଗାମୁଛା ଖଣ୍ଡେ ପକାଇ ତୁ ରହୁଛୁ କେମିତି? ଆମ ମାନଙ୍କ ଦେହରେ ଜ୍ଯାକେଟ୍, ମୁଣ୍ଡରେ ଟୋପି ଓ ମଫଲର ଦେଲା ପରେ ବି ଶୀତ ସମ୍ଭାଳି ହେଉନି। ତୋ ଦେହଟା କଣ ଇସ୍ପାତ୍ ରେ ଗଢା ଯେ ତୋତେ ଶୀତ ହେଉନି ? ପରିହାସ କରିବା ଢଙ୍ଗରେ ପଚାରିଲେ ମନୋଜ୍।

- - - ନାଇଁ ବାବୁ,ପାଖରେ ପଇସା ନ ଥିଲେ ଦେହ ମନ ସବୁ ପଥର ପାଲଟି ଯାଏ। ଗରିବ ଲୋକ ପାଇଁ ଶୀତ,ବର୍ଷା,ଖରା କେବଳ ଋତୁ ର ନାମ ଯାହା। ଜୀବନ ସାରା କଷ୍ଟ ସହି ସହି ଦେହଟା ଜଡ ପାଲଟି ଗଲାଣି। ଆମକୁ କଣ ଏ ଶୀତ ଡରାଇ ପାରିବ !

ବିଜୁ ଓ ମନୋଜ ସିଗାରେଟ୍ ରେ ଅଗ୍ନୀ ସଂଯୋଗ କରି ଧୂମ୍ର କୁଣ୍ଡଳୀ ମାନ ତିଆର ବାରେ ଲାଗିଲେ। କିନ୍ତୁ ଗମ୍ଭୀର ହୋଇଗଲେ ଶଶିବାବୁ। ଦୋକାନୀ ର କେଇ ପଦ କଥା ତାଙ୍କ ଅନ୍ତରାତ୍ମା କୁ ଦୋହଲାଇ ଦେବା ପରି ଲାଗିଲା। ସେ ନୀରବ ରେ ଗାଡିକୁ ଯିବାକୁ ଉଦ୍ଯତ ହେବାର ଦେଖି ମନୋଜ୍ ଥଟ୍ଟା କରି କହିଲେ-- କଣ ଶଶି, ଲୋକଟାର ଅଭିନୟ ଭରା କଥା ତୁମକୁ ଗମ୍ଭୀର କରି ଦେଲା ନା କଣ? ଆରେ ଏମାନେ ଅଭିନୟ କରିବାରେ ଉସ୍ତାଦ୍। ଟିକେ ଭଲମନ୍ଦ ପଚାରିଲେ ଏମିତି ଭାଷଣ ଦେବେ ଯେ ଶୁଣିବା ଲୋକର ପାଦ ତଳୁ ମାଟି ଖସି ଯିବ। ଶଶି ନିରୁତ୍ତର ରହିଲେ।

ସେତିକି ବେଳକୁ ତାଙ୍କ ନଜର ପଡିଲା ଦୋକାନ ପାଖ ଆଳିଦା ଗଦା ଉପରେ। ଛିଣ୍ଡା କାଗଜ,ଜରି ଓ କନା ର ସ୍ତୁପ ଭିତରେ କେତେଟି କୁକୁର ଙ୍କ ମେଳରେ ଏକ ବୃଦ୍ଧା ଜାକିଜୁକି ହୋଇ ଶୋଇଥିବାର ଦେଖି ସେ ଚମକି ପଡିଲେ। ପ୍ରଥମେ ଭାବିଲେ ବୃ ଦ୍ଧାଟି ମରି ଯାଇଛି ; କିନ୍ତୁ ପାଖକୁ ଯାଇ ନିରେଖି ଦେଖିଲା ବେଳକୁ ସେ ଶୀତରେ ଥରି ଥରି ସେ କାଗଜ ଟୁକୁରା ସବୁ ଦେହ ଉପରେ ଘୋଡାଇବାରେ ବ୍ଯସ୍ତ। କିଛି ଗୋଟେ ରୋଚକ ଦୃଶ୍ଯର ଆଶାରେ ଅନ୍ଯ ଦୁଇ ବନ୍ଧୁ ସେ ସ୍ଥାନ କୁ ଚାଲି ଆସିଲେ।

- - ଆରେ ବାଃ, ବଢିଆ ଦୃ ଶ୍ଯ ତ ! କାଲି ଏ ଫଟୋ କୁ ଫେସବୁକ୍ ରେ ଛାଡି ଦେଲେ କେତେ ଲୋକଙ୍କ ମତାମତ ମିଳିଯିବ। ପ୍ରଶାସନ ର ଅକର୍ମଣ୍ଯତା ର ଏହା ଠାରୁ ବଡ ପ୍ରମାଣ କଣ ହୋଇ ପାରେ! ଉଲ୍ଲସିତ ହୋଇ କହିଲେ ବିଜୁ।

- - ହଁ ସତ କହୁଛ ବିଜୁ, ଏ ବର୍ଷର ଶୀତ ମଣିଷ ଓ କୁକୁରଙ୍କୁ ଏକାକାର କରିଦେଲା ଶୀର୍ଷକ ରେ ରୋଚକ ଖବରଟିଏ ମଧ୍ଯ ପ୍ରକାଶ କରିହେବ ଖବର କାଗଜ ରେ। ଟିକେ ଭଲରେ କେତେ ଟା ଫଟୋ ନିଅ, ଯଦି ପାରୁଛ ସେ ବୁଢୀ କୁ ଉଠାଇ ଦୁଇ ପଦ କଥା ବି ହୋଇଯାଅ। ତା ସାଙ୍ଗରେ ତିନି ସାଙ୍ଗ ସେଲଫି ନେଇଗଲେ, ଆମ ସାଙ୍ଗ ମହଲରେ ପ୍ରମାଣ କରି ପାରିବା ଯେ ଏଇ ବୟସ ରେ ମଧ୍ଯ ଆମେ ରାତି ଅଧରେ ରାସ୍ତା ରେ ବୁଲି ଫୁଟ୍ ପାଥର ଲୋଙ୍କ ସହ ଫଟୋ ଉଠାଇ ପାରୁଛୁ। କେତେ ଗୌରବର କଥା ଥରେ ଭାବି ଦେଖ । ଗଦଗଦ ହୋଇ କହିଗଲେ ମନୋଜ୍।

ପାଖରେ ପାଟି ତୁଣ୍ଡ ଶୁଣି ବୃଦ୍ଧାଟି ଟୁକୁରା କାଗଜ ଓ ଜରି ଭିତରୁ ମୁଣ୍ଡ କାଢି ସେମାନଙ୍କ ଆଡକୁ ଦେଖିଲା। ଗୁରୁଣ୍ଡି ଗୁରୁଣ୍ଡି ପାଖକୁ ଆସି ଥରଥର କଣ୍ଠରେ କହିଲେ-- ବାବୁ ମୁଁ କିଛି ଖାଇନି, ଭୀଷଣ ଭୋକ ଲାଗୁଛି। ଏତେ ଶୀତ ଲାଗୁଛି ଯେ ମୁଁ ସମ୍ଭାଳି ପାରୁନି। ମୋତେ କଣ ଟିକେ ଖାଇବାକୁ ଦିଅ, କମ୍ବଳ ଖଣ୍ଡେ ଦେଲେ ଘୋଡାଇ ହୁଅନ୍ତି।

ଅଧିକା କିଛି କହିବା ଆଗରୁ ମନୋଜ୍ ବୃଦ୍ଧା ହାତ କୁ ଏକ ବିସ୍କୁଟ୍ ପ୍ଯାକେଟ୍ ବଢାଇ ଦେଇ କହିଲେ ନେ ଖାଆ। ଟିକେ ମୁହଁ ଟେକି ହସିଲୁ, ତୋ ଫଟୋ ଟେ ଉଠାଇବି। ସେତିକି ବେଳକୁ ତିନି ଟା କୁକୁର ଛୁଆ ସେ ବୁଢୀ ପାଖରେ ଆସି ଘଷି ହେଲେ ଓ ବୁଢୀ ବିସ୍କୁଟ୍ ପ୍ଯାକେଟ୍ ଖୋଲି ତିନିଟି ବିସ୍କୁଟ୍ ସେମାନଙ୍କ ଆଡକୁ ପକାଇଲା ପରେ ନିଜେ ଖଣ୍ଡେ ଖାଇବାକୁ ଉଦ୍ଯତ ହେଲା। ମନୋଜ୍ ଚିତ୍କାର କରି ଗାଳି ଦେଇ କହିଲେ-- ଚୋରଣୀ ବୁଢୀ କେଉଁଠିକାର, ତୁ ନିଜେ ଭୋକରେ ମରି ଯାଉଛୁ ବୋଲି ତୋତେ ବିସ୍କୁଟ୍ ଦେଲି, ତୁ କୁକୁର ଙ୍କୁ ଦେଉଛୁ? ବୁଢୀ ଡରିଯାଇ ପୁଣି ସେ କାଗଜ ଟୁକୁରା ଭିତରେ ଲୁଚିବାର ପ୍ରୟାସ କଲା। କୁକୁର ମାନେ ମନୋଜ୍ ଆଡକୁ ଚାହିଁ ଭୁକି ବାକୁ ଆରମ୍ଭ କଲେ। ଏସବୁ ଘଟଣା ରେ ମନୋଜ୍ ରାଗିଗଲେ ଓ ବୁଢୀ କୁ ମନଇଚ୍ଛା ଗାଳି ଦେଇ ଗାଡି ପାଖକୁ ଚାଲିଗଲେ। ତାଙ୍କୁ ମନାଇବାକୁ ବିଜୁ ସେ ଯାଗାରୁ ଚାଲିଗଲେ। ଶଶିବାବୁ ନିର୍ମିଶେଷ ନୟନ ରେ ଏସବୁ ଦୃ ଶ୍ଯ ଦେଖି ଚାଲିଥିଲେ। ମନୋଜ୍ ଓ ବିଜୁ ଙ୍କ ଓୌଦ୍ଧତ୍ଯ ଓ ବଡପଣିଆ ତାଙ୍କ ମନରେ ଭୀଷଣ କ୍ରୋଧ ଜାତ କରାଇଥିଲେ ମଧ୍ଯ ସେ ପୁରୁଣା ବନ୍ଧୁତ୍ବର ସମ୍ପର୍କ କୁ ସମ୍ମାନ ଜଣାଇ ନୀରବ ଥିଲେ। ଧିରେ ବୁଢୀ ପାଖକୁ ଯାଇ ପଚାରିଲେ – ଆଉ ବିସ୍କୁଟ୍ ଦେବି? ସେ ଶଙ୍କିତ ଆଖିରେ “ହଁ ଦିଅ” ବୋଲି ଇସାରା ଦେଲା। ଦୋକାନୀ ପାଖରୁ କେଇ ପ୍ଯାକେଟ୍ ବିସ୍କୁଟ୍ ଆଣି ସେ ବୁଢୀ ହାତ କୁ ବଢାଇଦେଲେ। ସେ କୃ ତ୍ଯକୃତ୍ଯ ହୋଇ ଦୁଇ ହାତ ଯୋଡି ଦେଲା। କୁକୁର ମାନେ ମଧ୍ଯ ଲାଞ୍ଜ ହଲାଇ ସେମାନଙ୍କର ଖୁସି ଜାହିର କଲେ।

ଖାଇ ସାରିବା ପରେ ବୁଢୀ ବଡ କଷ୍ଟରେ ଥରି ଥରି କହିଲା-- ବାବୁ, ଏତେ ଥଣ୍ଡାରେ ମୁଁ ମରିଯିବି। ମୋ ପାଖରେ ଚିରା ଶାଢୀ ଖଣ୍ଡିଏ ଛଡା କିଛି ବି ନାହିଁ। ମୋତେ କମ୍ବଳ ଖଣ୍ଡିଏ ଦିଅନ୍ତନି! ତୁମେ ଦେହରେ ଏତେ ପୋଷାକ ପିନ୍ଧିଲା ପରେ ମଧ୍ଯ ତୁମକୁ ଏତେ ଶୀତ ହେଉଛି। ମୋ କଥା ଥରେ ଭାବ ବାବୁ।

ଶଶିବାବୁଙ୍କ ନୀରବତା ର ଅର୍ଥ ବୁଢୀ ବେଶ୍ ବୁଝି ପାରୁଥିଲା। ତେଣୁ ସେ କୁକୁରଙ୍କ ମେଳରେ ପୁଣି ସେହି କାଗଜ ଓ ଜରି ଟୁକୁଡା ତିଆରି ସ୍ତୁପ ଭିତରେ ନିଜକୁ ଲୁଚାଇବାର ଚେଷ୍ଟା ରେ ଲାଗି ପଡିଲା। ପୁଣି ଥରେ ସେ ଦୋକାନୀ ପାଖକୁ ଆସି ଶଶି ବାବୁ ସେ ବୁଢୀ ବିଷୟରେ ଜାଣିବାକୁ ଚେଷ୍ଟା କଲେ। ଦୋକାନୀ ର ସୂଚନା ଅନୁସାରେ କିଛି ଦିନ ତଳେ ବୁଢୀ କୁ ତା ପୁଅ ସହର କୁ ଆଣିଥିଲା ଡାକ୍ତର ଦେଖାଇବାକୁ। କିନ୍ତୁ ଡାକ୍ତର ପାଖକୁ ନ ନେଇ ତା ଦେକାନ ସାମନା ରେ ଛାଡି କେଉଁଆଡେ ଚାଲିଗଲା । ବୁଢୀଟି ମୁର୍ଖ ତେଣୁ ସେ କିଛି ଜାଣି ନ ପାରି ଭାବିଲା ପୁଅ ବୋଧେ ଜରୁରୀ କାମରେ ସହର ଭିତର କୁ ଯାଇଛି, ପୁଣି ତାକୁ ନେଇ ଗାଁଆ କୁ ଫେରିବ। କିନ୍ତୁ ପୁଅର ଅସଲ ଉଦ୍ଦେଶ୍ଯ ଥିଲା ବୁଢୀ ଦାୟିତ୍ବରୁ ନିଜକୁ ମୁକ୍ତ କରିବା। କାଳେ ବୁଢୀର ଦେଖାଶୁଣା କରିବାରେ ଖର୍ଚ୍ଚାନ୍ତ ହେବ ଏହି ଆଶଙ୍କା ରେ ସେ ବୁଢୀ କୁ ସହରରେ ଛାଡି ଚାଲିଗଲା। କିନ୍ତୁ ନିର୍ବୋଧ ବୁଢୀ ଏବେ ମଧ୍ଯ ମନରେ ଆଶା ବାନ୍ଧି ବସିଛି ଯେ ତା ପୁଅ ଆସିବ ଓ ତାକୁ ଡାକ୍ତରଙ୍କୁ ଦେଖାଇ ଗାଁଆକୁ ନେଇଯିବ। ଦିନ ସାରା ସେ ଲୋକଙ୍କୁ ମାଗିି ଯାଚି ଯାହା ପାରେ ଖାଏ। ରାତି ହେଲେ ସେଇ କୁକୁରଙ୍କ ମେଳରେ ଅଳିଆ ଗଦା ପାଖରେ ଶୁଏ। ଦୋକାନୀ ପାଖରୁ ସବୁ ଶୁଣିବା ପରେ ଦୀର୍ଘ ନିଶ୍ବାସ ଛାଡିଲେ ସେ। ତାଙ୍କ ଆଖି ଆଗରେ ନାଚି ଯାଉଥିଲା ଏକ କୃତଘ୍ନ ପୁଅର ମୁହଁ, ଯିଏ ନିଜ ଜନ୍ମକଲା ମାଆର ବିଶ୍ବାସରେ ବିଷ ମିଶାଇ ତାକୁ ଶୀତ କାକର ରାତିରେ କୁକୁରଙ୍କ ମେଳରେ ଶୋଇବାକୁ ବାଧ୍ଯ କରି ଦେଇଛି। ସେ ଉତ୍ତେଜିତ ହୋଇ ଦୋକାନୀ କୁ ପଚାରିଲେ-- ତୁମେ ସବୁ ଦେଖି ଚୁପ୍ ରହିଛ କେମିତି, ତୁମକୁ ଟିକେ ମଧ୍ଯ ଖରାପ ଲାଗୁନି। ସେ ବୁଢୀର ଟିକେ ଯତ୍ନ ନେଲେ କଣ ହୁଅନ୍ତାନି?

ଶଶିବାବୁଙ୍କ କଥା ଶୁଣି ଦୋକାନୀ ଟିକେ ରାଗି ଯାଇ କହିଲା-- ବାବୁ, ବହୁତ ଲୋକ ଭାଷନ ଦେଇ ଚାଲିଯାଆନ୍ତି। ସାହାଯ୍ଯ କରିବା କଥା ଆସିଲେ କିଏ କୁଆଡେ ବାଟ ଭାଙ୍ଗି ଯାଆନ୍ତି ଯେ ସେମାନଙ୍କର ପତ୍ତା ମିଳେନି। ମୋ ଘର ଲୋକଙ୍କୁ ତ ଦୁଇ ବକ୍ତ ଖାଇବାକୁ ଦେଇ ପାରୁନି, ଜଗତ ଉଦ୍ଧାର କରିବି କଣ? ପାଖରେ ମୋର ପଇସା ଥିଲେ ମୁଁ ମଧ୍ଯ ଆପଣଙ୍କ ପରି ଭାଷଣ ଦେଉଥାଆନ୍ତି। ଆପଣ ଯାଆନ୍ତୁ , ମୁଁ ଦୋକାନ ବନ୍ଦ କରିବି। ବେକାର ଟାରେ କାହିଁକି ରାତି ରେ କଳି ତକରାଳ କରୁଛନ୍ତି?

ସେତେବେଳେ ବିଜୁ ଓ ମନୋଜ୍ ଆସି ଶଶିବାବୁଙ୍କୁ ଏକ ପ୍ରକାର ଟାଣିଟାଣି ଗାଡି ପାଖକୁ ନେଇଗଲେ। ଉଭୟଙ୍କର ଆପତ୍ତି ଥିଲା ଯେ, ବେକାର ଲୋକଙ୍କ ଟାଉଟରି କଥାରେ ଏତେ ସମୟ ନଷ୍ଟ କଲା ବେଳକୁ ଥଣ୍ଡାରେ ଅବସ୍ଥା ବେହାଲ ହୋଇ ଗଲାଣି। ତେଣେ ସେମାନଙ୍କ ଘରି ବାରମ୍ବାର ଫୋନ୍ ଆସୁଛି ସେମାନଙ୍କ ବିଳମ୍ବର କାରଣ ଜାଣିବା ପାଇଁ। ଶଶି ଗମ୍ଭୀର ହୋଇ ଗାଡି ଚଲାଇବା ଦେଖି ଉଭୟ ବନ୍ଧୁ ତାଙ୍କୁ ବୁଝାଇବାରେ ଲାଗିଲେ। ଏ ଦୁନିଆ ରେ ସମସ୍ତ ଗରିବ ଲୋକ ଟାଉଟର ଓ ସେମାନେ କିଛି ଫାଇଦା ପାଇବା ଆଶାରେ ମିଛ କାହାଣୀ ମାନ ଶୁଣାଇ ଲୋକଙ୍କ ମନରେ ସେମାନଙ୍କ ପାଇଁ ଦୟା ସୃଷ୍ଟି କରାନ୍ତି ବୋଲି , ଶଶିବାବୁଙ୍କୁ ହୃଦବୋଧ କରାଇବାରେ ଲାଗିଗଲେ।

ଗାଡି ଟି କିଛି ବାଟ ଚାଲିବା ପରେ ଏପଟ ସେପଟ କଥାରେ ଶଶିବାବୁଙ୍କ ମନରେ ପରିବର୍ତ୍ତନ ଆସି ଯାଇଥିଲା ଓ ତିନି ସାଙ୍ଗ ନିଜ ନିଜ ମଧ୍ଯରେ ହସଖୁସି କରି ଗନ୍ତବ୍ଯସ୍ଥଳରେ ପହଞ୍ଚି ଯାଇଥିଲେ। ଘରେ ପଶିଲା ବେଳକୁ ରାତି ବାର ଟା। ସେଦିନ ସବୁଠାରୁ ଅଧିକ ଶୀତ ପଡିଥିଲା ଓ ରୁମ୍ ହିଟର ର ତାତି ମଧ୍ଯ ତେଜହୀନ ଲାଗୁଥିଲା। ପୋଷାକ ବଦଳାଇ ଶଶି ବାବୁ ରୁମ୍ ହିଟର ସାମନା ରେ ବସି ହାତ ଗୋଡ ସେକି ହେବା ବେଳକୁ ମିତା ଗଭୀର ନିଦ ରେ ଶୋଇ ସାରିଥିଲେ। ତେଣୁ ତାଙ୍କ ସହିତ ସେ ବୁଢୀ ବିଷୟରେ କିଛି କଥା ହେବାର ଅବକାଶ ନ ଥିଲା ।

ଶଶିବାବୁ ଘୋଡାଇ ହୋଇ ପଡିଲେ ତାଙ୍କର ଅତି ପ୍ରିୟ କାଶ୍ମୀରୀ କମ୍ବଳ ଟି। ଉଦ୍ଧତ ଶୀତ ର ଗର୍ବଭଞ୍ଜନ କରିବାରେ ତାଙ୍କର ଏହି କମ୍ବଳଟି ଯେ ସମ୍ପୂର୍ଣ୍ଣ ସକ୍ଷମ, ସେ ଏକଥା ଭଲରେ ଜାଣିଥିଲେ। ମିତାଙ୍କ ସହ ବିଭାଘର ହେବା ପରେ ସେମାନେ ଥରେ କାଶ୍ମୀର ବୁଲି ଯାଇଥିଲେ ଓ ସେଠାରୁ ଏହି କମ୍ବଳ ଟି ଆଣିଥିଲେ। କମ୍ବଳଟି ହାଲୁକା ହେଲେ ମଧ୍ଯ ପ୍ରଚଣ୍ଡ ଶୀତ କୁ ପରାହତ କରିବାରେ ସିଦ୍ଧହସ୍ତ ଥିଲା। ତାକୁ ଆପାଦମସ୍ତକ ଘୋଡାଇ କିଛି ସମୟ ରହିଲେ ଦେହରୁ ଝାଳ ବୋହି ଯିବାର ନଜିର ମଧ୍ଯ କିଛି କମ୍ ନ ଥିଲା। ସେ କମ୍ବଳ ରେ କେବଳ ଶଶିବାବୁଙ୍କର ଅଖଣ୍ଡ ଅଧିକାର ଥିଲା ଓ ତାକୁ ପରିବାରର ଅନ୍ଯ କୌଣସି ସଦସ୍ଯ ଛୁଇଁବାର ଦୃଷ୍ଟାନ୍ତ ବିରଳ କହିଲେ ଅତ୍ଯୁକ୍ତି ହେବନାହିଁ। ଶୀତର ପ୍ରବେଶ ସହିତ ସେହି କମ୍ବଳକୁ ଆଲମାରୀରୁ ଆବାହନ କରାଯାଏ ଓ ଶୀତଋତୁର ପ୍ରସ୍ଥାନ ହେବା ପରେ, ଯତ୍ନର ସହିତ ଡ୍ରାଏ ଓ୍ବାସ୍ କରି ଆଲମାରୀ ରେ ରଖି ଦିଆ ଯାଏ। ପାଖାପାଖି ତିରିଶି ବର୍ଷ ଧରି କମ୍ବଳଟି ଏହି ଉପାୟରେ ଶଶିବାବୁଙ୍କ ସେବା ରେ ଲାଗି ଆସିଅଛି। ପରିବାର ର ଅନ୍ଯ ସଦସ୍ଯ ମାନେ ଭଲରେ ଜାଣି ଥିଲେ ଶଶିବାବୁ ଓ ସେହି କମ୍ବଳ ମଧ୍ଯରେ ଥିବା ନିବିଡ ସମ୍ପର୍କ ବାବଦରେ। ତେଣୁ ସେହି କମ୍ବଳର ସୁରକ୍ଷା ଓ ଯତ୍ନ ପାଇଁ ସମସ୍ତେ ସଜାଗ ମଧ୍ଯ ଥିଲେ।

ମୁହଁ ଉପରେ କମ୍ବଳ ଢାଙ୍କି ବିଛଣାରେ ଆଖି ବନ୍ଦ କରି ଶୋଇବାକୁ ଚେଷ୍ଟା କଲେ ଶଶିବାବୁ। କିନ୍ତୁ ତାଙ୍କ ସାମନା ରେ ସେ ବୁଢୀର ମୁହଁ ବାରମ୍ବାର ଚାଲି ଆସୁଥିଲା। କାଗଜର ଅଳିଆ ଗଦା ଭିତରେ କୁକୁରଙ୍କ ମେଳରେ ଜାକିଜୁକି ହୋଇ ବସିଥିବା ସେ ବୁଢୀର ନିରିହ ଆଖି ଦୁଇଟି ତାଙ୍କ ଆଡକୁ ଦେଖିଲା ପରି ତାଙ୍କୁ ଲାଗୁଥିଲା। ସବୁଠାରୁ ଆଶ୍ଚର୍ଯ୍ଯର କଥା ଥିଲା, ଏତେ ବର୍ଷଧରି ତାଙ୍କୁ ଉଷ୍ମତା ଲହରୀ ରେ ଭିଜାଇ ଥିବା କାଶ୍ମୀରୀ କମ୍ବଳର ପରାକାଷ୍ଠା ସେଦିନ କମିଯବା ପରି ଲାଗୁଥିଲା। ଆପାଦ ମସ୍ତକ କମ୍ବଳଲ ଢାଙ୍କିବା ପରେ ମଧ୍ଯ ତାଙ୍କ ଶରୀରରେ ସୀତ ଶିହରଣ ସୃ ଷ୍ଟି କରି ଚାଲିଥିଲା। ସେ ଥରି ଉଠୁଥିଲେ, ଥଣ୍ଡାରେ ମାଢି ରେ କମ୍ପନ ସୃ ଷ୍ଟି ହେଉଥିଲା ଓ ରୋମ ଟାଙ୍କୁରୀ ଉଠୁଥିଲା ଲୋମରାଜି। ରୁମ୍ ହିଟର ର ତାତି ମଧ୍ଯ ଯଥେଷ୍ଟ ନ ଥିଲା ଥଣ୍ଡା ଦୂର କରିବା ପାଇଁ। ଶୀତରେ ଥରି ଉଠୁଥିବା ବୁଢୀର ମୁହଁ ଆଖି ସାମନା କୁ ଆସିବା ମାତ୍ରେ ସେ ନିଜେ ଶୀତରେ ଥରି ଉଠୁଥିଲେ। ଥଣ୍ଡା ପଡି ଯାଉଥିଲା ତାଙ୍କ ହାଡ, ମାଂସ, ଶିରା ପ୍ରଶିରା ଓ ଶରୀର ର ପ୍ରତ୍ଯକ ଟି କୋଷିକା। କର୍ଣ୍ଣ ଗହ୍ବର ରେ ବାରମ୍ବାର ଗୁଞ୍ଜରିତ ହୋଇ ଉଠୁଥିଲା ବୁଢୀ ର କଥା --ବାବୁ, ଏତେ ଥଣ୍ଡାରେ ମୁଁ ମରିଯିବି। ମୋ ପାଖରେ ଚିରା ଶାଢୀ ଖଣ୍ଡିଏ ଛଡା କିଛି ବି ନାହିଁ। ମୋତେ କମ୍ବଳ ଖଣ୍ଡିଏ ଦିଅନ୍ତନି! ତୁମେ ଦେହରେ ଏତେ ପୋଷାକ ପିନ୍ଧିଲା ପରେ ମଧ୍ଯ ତୁମକୁ ଏତେ ଶୀତ ହେଉଛି। ମୋ କଥା ଥରେ ଭାବ ବାବୁ।

ତାଙ୍କୁ ଲାଗିଲା ବିଛଣା ଟି ଧିରେ ଧିରେ ବରଫ ପାଲଟି ଯାଉଛି। ଚାଦର, ଚକିଆ ସବୁ କିଛି ପାଲଟି ଯାଉଛି ବରଫ ର ଏକ ସ୍ତୁପ। ଚତୁଃର୍ଦିଗରେ କେବଳ ବରଫର ସ୍ତୁପ। ହେମାଳ ପବନ ରେ ଦେହର ରକ୍ତ ଜମାଟ ବାନ୍ଧି ଯାଉଛି।

ଓଃ କି ଥଣ୍ଡା..... ମୃ ଦୁ ଚିତ୍କାର କରି ଉଠିଲେ ସେ। ଯଦି ଛାତ ଘର ଭିତରେ ରୁମ୍ ହିଟର୍ ଲଗାଇ, କାଶ୍ମୀରୀ କମ୍ବଳ ଘୋଡାଇ ତାଙ୍କର ଏ ଅବସ୍ଥା, କଣ ହେଉଥିବ ସେ ବୁଢୀର ! ତା ପାଖରେ ତ ଚିରା ଶାଢୀ ଛଡା ଅନ୍ଯ କିଛି ନାହିଁ। ଟୁକୁରା ଜରି କାଗଜ ଓ କୁକୁରଙ୍କ ମେଳ ରେ ସେ କଣ ରୋକି ପାରୁଥିବ ଶୀତ ର ଏ ଦାରୁଣ ପ୍ରହାର କୁ ! ସେ ଶୋଇଥିବା ଭୂଇଁ କଣ ଉଷ୍ମତା ଦେଇପାରୁଥିବ ! ବୁଢୀ ମାଆ କୁ ଶୀତ ରାତି ରେ ମରିବା ପାଇଁ ଛାଡି ଦେଇ କଣ ତା ପୁଅ ଶାନ୍ତି ରେ ଶୋଇ ପାରୁଥିବ?

ସେତିକି ବେଳକୁ ଆଖି ଆଗରେ ନାଚି ଉଠିଲା ମନୋଜ୍ ଓ ବିଜୁଙ୍କର କଟାକ୍ଷ ଭରା ବିଦ୍ରୁପ ହସ ଓ କଥା-- – ସବୁ ଗରିବ ଲୋକ ଟାଉଟର୍। ସେମାନେ କେବଳ ଅନୁକମ୍ପା ପାଇବାକୁ ଅଭିନୟ କରନ୍ତି।

ତାଙ୍କ ମୁଣ୍ଡ ଗୋଳମାଳ ହୋଇ ଯାଉଥିଲା। କିଏ ସତ କହୁଛି କିଏ ମିଛ ସେ କିଛି ବୁଝି ପାରୁ ନ ଥିଲେ। ସେ ଭାବୁଥିଲେ ମନୋଜ୍ ଓ ବିଜୁ ଙ୍କୁ ବୁଢୀର ଦୟନୀୟ ଅବସ୍ଥା କେଉଁ ପ୍ରକାର ରେ ମିଛ ଅଭିନୟ ପରି ଲାଗିଲା। କଡ ଓଲଟାଇ ଦେଖିଲା ବେଳକୁ ମିତା ଗଭୀର ନିଦ୍ରାରେ ଶୋଇଛନ୍ତି। ଶଶିବାବୁଙ୍କ ମନ ଭିତରେ ଅଣଚାସ ପବନ ପରି ବୋହି ଚାଲିଥିବା ଝଡର କିଞ୍ଚିତ୍ ଆଭାସ ସେ ପାଇବାରେ ଅସମର୍ଥ। ଶଶିବାବୁ ହଠାତ୍ ପାଟି କରି ଉଠିଲେ-- ହଁ ମାଆ ତୋତେ ମୁଁ କମ୍ବଳ ଦେବି। ମୋ କାଶ୍ମୀରୀ କମ୍ବଳ ଦେବି।

ଚମକି ଉଠି ପଡିଲେ ମିତା। ସେ କିଛି କହିବା ପୂର୍ବରୁ କମ୍ବଳଟି କାଖରେ ଜାକି ଏକ ରକମ ଦୌଡି ବାହାରକୁ ଚାଲିଗଲେ ଶଶିବାବୁ। ଗାଡି ଷ୍ଟାର୍ଟ କରି ଏକ ମୁହାଁ ହୋଇ ସେ ବୁଢି ପାଖରେ ପହଞ୍ଚିଲେ। ସେତେବେଳକୁ ବୁଢୀ ଶୀତରେ ଅସ୍ତବ୍ଯସ୍ତ ହୋଇ ଗଁ ଗଁ ଡାକ ଛାଡି ଭୂଇଁ ରେ ଗଡି କାନ୍ଦିବାରେ ଲାଗିଥିଲା। ମୋ ପୁଅ କୁଆଡେ ଗଲୁ ରେ, ମୁଁ ଶୀତ ରେ ମରି ଯିବି ରେ କହି ରାହା ଛାଡି ପାଟି କରି ଚାଲିଥିଲା। ଶଶିବାବୁ ବୁଢୀ ପାଖକୁ ଯାଇ ତା ଦେହ ରେ ନିଜର କାଶ୍ମୀରୀ କମ୍ବଳ ଖଣ୍ଡକ ଘୋଡାଇ ଦେଇ କହିଲେ-- ମାଆ ଲୋ, ଚାଲ୍ ଘର କୁ ଯିବା। ତୁ ମୋତେ କମ୍ବଳ ମାଗି ଥିଲୁ ନା,ଏଇ ଦେଖ୍ ତୋ ପାଇଁ ମୁଁ କାଶ୍ମୀରୀ କମ୍ବଳ ଆଣିଛି। ବୁଢୀ କାନ୍ଦ ବନ୍ଦ କରି ବଲବଲ କରି ଶଶିବାବୁଙ୍କ ମୁହଁ କୁ ଚାହିଁ ରହିଥିଲା। ଗାଡି ରେ ବୁଢୀ କୁ ବସାଇଲା ବେଳେ ସେ ଅନୁଭବ କଲେ ଶରୀର ରେ ଉଷ୍ମତା। ସମଗ୍ର ସହର କୁ କବଳିତ କରି ଥରାଇ ଚାଲିଥିବା ପ୍ରଚଣ୍ଡ ଥଣ୍ଡା ବଶୀଭୂତ ହୋଇ ସାରିଥିଲା ଶଶିବାବୁଙ୍କ ମହନୀୟତା ସମ୍ମୁଖରେ ଓ ବାଧ୍ଯ ହୋଇ ତାଙ୍କ ଶରୀର କୁ ଆଚ୍ଛାଦିତ କରିଦେଇ ଥିଲା ଆଶିର୍ବାଦ ରୂପକ ଦୁର୍ଭେଦ୍ଯ ପାଚେରୀ ମଧ୍ଯରେ।

ଶଶିବାବୁଙ୍କ ଅନ୍ତରାତ୍ମା ତାଙ୍କୁ ବିବଶ କଲା ବସ୍ତ୍ର ଓ ଗୃହହୀନ ବୃଦ୍ଧାକୁ ଉଦ୍ଧାର କରିବା ପାଇଁ। ତେବେ ପାଠକ ଗଣ, ଏ ଭୟଙ୍କର ଶୀତରେ ଜର୍ଜରିତ ହେଉଥିବା ଗରିବ ଲୋକଙ୍କୁ ଖଣ୍ଡିଏ ଲେଖାଏ କମ୍ବଳ ଦାନ କରି ସେମାନଙ୍କ ଜୀବନ ବଞ୍ଚାଇବାରେ କାର୍ପଣ୍ଯତା କରିବା, ଆମପାଇଁ କେତେଦୂର ସମୀଚିନ ଆପଣ ମାନେ ବିଚାର କରନ୍ତୁ।

--ସମାପ୍ତ--


Rate this content
Log in

Similar oriya story from Tragedy