sushama Parija

Tragedy


3  

sushama Parija

Tragedy


ଅଦିନ ଝଡ

ଅଦିନ ଝଡ

5 mins 15.6K 5 mins 15.6K

ସଜନୀ ଅସ୍ତ ବ୍ୟସ୍ତ ହୋଇ ଖାଲି ଦାଣ୍ଡ ଦୁଆରକୁ ବାରି ଦୁଆର ହେଉଥିଲା। ଆଜିକୁ ଚାରି ଦିନ ହୋଇଗଲା ମନୁଆଁ ଫେରିନି ଘରକୁ । ଏମିତି ଏତେ ଦିନ ଧରି ସେ କେବେ ଘର ଛାଡ଼ି ବାହାରେ ରହିନି । ମନଟା ଦକଦକ ହେଉଥିଲା ସଜନୀର। ମନୁଆଁ ଗୋଟିଏ ବୋଲି ପୁଅ ସଜନୀ ଆଉ ରାହାସଙ୍କର । ରାହାସ ଟ୍ରଲି ରିକ୍ସା ଟାଣେ ,ସଜନୀ ବାସନ ମଜା ଘର ପୋଛା କାମକରେ , ଯାହା ରୋଜଗାର ହୁଏ ମାସକ କଷ୍ଟେମଷ୍ଟେ ଚଳିଯାଏ। ଭଲ ମନ୍ଦ ପୂନିଅଁ ପର୍ବରେ ମାଲିକ ଘର ନୂଆ ଲୁଗାପଟା ଦିଅନ୍ତି, ଯାତ୍ରା ଖର୍ଚ୍ଚ ଦିଅନ୍ତି କୌଣସି ମତେ ଗୁଜୁରାଣ ମେଣ୍ଟି ଯାଏ। ହାତରେ ଦି ପଇସା ରଖି ହୁଏନାହିଁ କିନ୍ତୁ ଅଭାବ ପଡେ ନାହିଁ। ବାହାଘରର ବରଷଟିଏ ନପୁରୁଣୁ ଯାଆ ଦେଢଶୁରଙ୍କ ଗଞଣା ସହି ନପାରି ରାହାସକୁ ନିଜେ ପ୍ରବର୍ତ୍ତେଇ ଥିଲା ସଜନୀ ସୁଦୂର ଅନୁଗୁଳ ଜିଲ୍ଲାର ଡଅଁରା ଗାଁରୁ କଟକ ଜିଲ୍ଲାର ଚାଉଳିଆ ଗଞ୍ଜ ଆସି କର୍ମ ସଂସ୍ଥାନ ଖୋଜିବା ଲାଗି । ତା'ର ଲେଖାଯୋଖାର ଭଉଣୀଟିଏ ରହୁଥିଲା ଚାଉଳିଆଗଞ୍ଜର ଅପାଣିଆ ବସ୍ତିରେ । ଭଉଣୀର ସ୍ଵାମୀଟି ଟ୍ରଲି ଚଳାଉଥିଲା ଆଉ ଭଉଣୀଟି ଝାଡୁ ପୋଛା କାମକରି ବେଶ୍ ଦି ପଇସା ରୋଜଗାର କରୁଥିଲା । ସେଇ ସୁତ୍ରରୁ ଖବର ପାଇ ସଜନୀ ବି ଚାହୁଁଥିଲା ରାହାସ ଗାଁର ଦିନ ମଜୁରିଆ କାମ ଛାଡି ସହର ଯାଇ ତା' ଭିଣୋଇ ଭଳିଆ ଟ୍ରଲି ଚଳାଇ ବେଶି ପଇସା ରୋଜଗାର କରୁ । ତା' ପିଲା ଛୁଆ ଭଲରେ ଚଳନ୍ତୁ।

ଏଠି ଗାଁରେ ରହି ଅଭାବରେ ସଢି ସଢି ଦିନ କାଟିବାକୁ ଚାହୁଁ ନଥିଲା ସଜନୀ । କଟକ ଆସିଲା ପରେ ତା' ଭଉଣୀ ରହୁଥିବା ବସ୍ତିରେ ଘରଟିଏ ଠିକ୍ କରିଦେଇଥିଲା ତା'ପାଇଁ ଆଉ ଦୁଇଟି ଘର ମଧ୍ୟ ଠିକ୍ କରି ଦେଇଥିଲା ସଜନୀ କାମ କରିବା ଲାଗି । ରାହାସ ତା' ଭିଣୋଇ ସହିତ ମାଲଗୋଦାମରେ ଲାଗି ଯାଇଥିଲା ଟ୍ରଲି ଚଲେଇବା କାମରେ। ସୁରୁଖୁରୁରେ ଦିନ ଗଡି ଚାଲିଥିଲା ।

ବର୍ଷକ ପରେ ତାଙ୍କ କୋଳ ପୂର୍ଣ୍ଣ କରି ଆସିଥିଲା ମନୁଆଁ । ମନୁଆଁର ଡଉଲଡାଉଲ ଚେହେରା ଦେଖି ମନ ପୁରି ଯାଉଥିଲା ଦୁଇ ପ୍ରାଣୀଙ୍କର। ବାପା ମାଆଙ୍କର ସ୍ନେହ ଆଦର ପାଇ ଦିନକୁ ଦିନ ଚନ୍ଦ୍ର କଳା ପରି ବଢୁଥିଲା ମନୁଆଁ। ଝିଅଟିଏ ଆସିଲେ ସଂସାର ପୂର୍ଣ୍ଣ ହେବ ବୋଲି ସଜନୀ ଚାହୁଁଥିଲେ ମଧ୍ୟ ଆଉତ ସନ୍ତାନସନ୍ତତି ହୋଇ ନଥିଲା ତାଙ୍କର। ତେଣୁ ତାଙ୍କର ସବୁ ସ୍ନେହ ଶ୍ରଦ୍ଧା ଅଜାଡି ହୋଇ ପଡିଥିଲା ମନୁଆଁ ଉପରେ । ମନୁଆଁକୁ ସେମାନେ ଭଲ ସ୍କୁଲରେ ପାଠ ପଢାଉଥିଲେ , ଭଲ ପୋଷାକ ପତ୍ର ପିନ୍ଧାଉଥିଲେ , ଭଲ ଭଲ ଜିନିଷ ଖାଇବାକୁ ଦେଉଥିଲେ । ସେମାନଙ୍କର ଉଦ୍ଦେଶ୍ୟ ଥିଲା ମନୁଆଁ ଭଲ ପାଠ ପଢି ଭଲ ମଣିଷଟିଏ ହେଉ। ଭଲ ଚାକିରି ବାକିରୀକରି ବାବୁମାନଙ୍କ ପରି ଜୀବନ ଯାପନ କରୁ , ତାଙ୍କ ଭଳିଆ ଖଟିଖିଆ ମଜୁରିଆ ନ ହେଉ । ସେଥିଲାଗି ସଜନୀ ତାକୁ ବସ୍ତି ପିଲାମାନଙ୍କ ସହିତ ମିଳାମିଶା କରିବା ଲାଗି ଦେଉ ନଥିଲା । ଭଲ ସାର୍ ଦେଖି ଟିଉସନ ଦେଉଥିଲା ଯଦ୍ୱାରା ସେ ସ୍କୁଲ ରେ ଭଲ ନମ୍ବର ରଖି ପାସ୍ କରିବ । ଭଲ କଲେଜରେ ପଢି ବଡ ଚାକିରୀ କରିବ, ତାଙ୍କ ଦୁଃଖ ସରିବ ।

ମାଟ୍ରିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ କଟକ କଲେଜରେ ନାମ ଲେଖାଇଲା ମନୁଆଁ। ବାପା ଭଳି ସୁନ୍ଦର ସୁଗଠିତ ଶରୀର ଆଉ ମାଆ ଭଳି ତୋଫା ରଙ୍ଗ ଆଣିଥିଲା ସେ। ଦିନକୁ ଦିନ ଚନ୍ଦ୍ର କଳା ପରି ବଢୁଥିଲା ଆଉ ତା’ ସହିତ ବଢୁଥିଲା ତା'ର ସୁନ୍ଦର ଶରୀର । ସେ ଏବେ ବଡ ଘରର ପିଲା ଭଳି ଦିଶୁଥିଲା । ତେଣୁ ଅନେକ ବଡବଡିଆ ଘରର ପିଲା ମାନେ ତା'ସହିତ ବନ୍ଧୁତା କରିବାକୁ ଲାଗିଲେ । ସେମାନଙ୍କର ସାଥିରେ ମିଶି ସେ କ୍ରିକେଟ ଖେଳୁଥିଲା, ସିନେମା ଦେଖୁଥିଲା, ବଡ ବଡ ହୋଟେଲରେ ଖାଉଥିଲା । ଧୀରେ ଧୀରେ ସେମାନଙ୍କର ଜୀବନ ଶୈଳୀରେ ଅଭ୍ୟସ୍ତ ହେବାକୁ ଲାଗିଥିଲା ସେ । ଘର ଖାଦ୍ୟକୁ ଆଉ ଭଲ ପାଉ ନଥିଲା , ବସ୍ତିରେ ରହିବାକୁ ପସନ୍ଦ କରୁନଥିଲା । ଘରୁ ସାଇକେଲ୍ ନେଇ କଲେଜ ଯାଉଛି ବୋଲି କହି ଯାଉଥିଲା ସତ କିନ୍ତୁ ତା ସାଙ୍ଗ ମାନଙ୍କ ଘରେ ସାଇକେଲ ରଖି ଦେଇ ତାଙ୍କ ବାଇକ୍ ପଛରେ ବସି କଲେଜ ଯାଉଥିଲା । କ୍ରମେ କ୍ରମେ ପରିବାର ପାଖରୁ ଦୂରେଇ ଯାଇ ସାଙ୍ଗ ମାନଙ୍କର ନିକଟତର ହେବାକୁ ଲାଗିଥିଲା ମନୁଆଁ । ରାହାସ ତ ବଡି ଭୋରରୁ ଉଠି ବାହାରି ଯାଉଥିଲା ମାଲଗୋଦାମ ହେଲେ ସଜନୀ ମନୁଆଁ ଭିତରେ ଏସବୁ ପରିବର୍ତ୍ତନ ଦେଖି ଶଙ୍କି ଯାଉଥିଲା । ସେ ଭାବୁଥିଲା ତା'ପୁଅ ଅବାଟକୁ ଚାଲି ଯାଉନାହିଁ ତ ? ବଡବଡିଆ ପିଲାଙ୍କ ସାଙ୍ଗ ହେଲା ଠିକ୍ ହେଲେ ସେମାନଙ୍କର ଆଦତ୍ ଆପଣେଇବା କ'ଣ ଠିକ୍ କଥା ? ଆରେ ବାବୁ ଆମେ ହେଲୁ ଖଟିଖିଆ ମଜୁରିଆ ଲୋକ , ଆମ ଓଜନ ଦେଖି ଆମେ ଚଳିବା କଥା , କାହାକୁ ଦେଖି ଭାସି ଯିବା କ'ଣ ଭଲ କଥା । ସେ କଥା ଥରେ ଦି ଥର ମନୁଆଁକୁ ବୁଝାଇବାକୁ ଚେଷ୍ଟା କରିଥିଲା ସଜନୀ । ହେଲେ ମନୁଆଁ ବିଗିଡି ଯାଇଥିଲା ତା' ଉପରେ। ନାଲି ଆଖି ଦେଖାଇ ମାଡି ଆସିଥିଲା ତା'ଆଡକୁ ।ପୁଅର ରାଗ ଦେଖି ଚୁପ ରହିବାକୁ ବାଧ୍ୟ ହୋଇଥିଲା ସେ ।

କ୍ରମେ କ୍ରମେ ମନୁଆର ଔଦ୍ଧତ୍ୟ ବଢିବାରେ ଲାଗିଥିଲା । କଲେଜ ନିର୍ବାଚନ ହେଉ କି ଦୁଇ ବିପକ୍ଷ ଦଳଙ୍କର ଗଣ୍ଡଗୋଳ ହେଉ ସବୁଥିରେ ତା'ନାଁଟା ଆଗରେ ରହୁଥିଲା । ବଡ ବଡ ଲୋକ ମାନେ ମଧ୍ୟ ତା'ର ସାହାଯ୍ୟ ନେବାକୁ ଲାଗିଥିଲେ ଯେ କୌଣସି ସମସ୍ୟାର ସମାଧାନ ପାଇଁ। ବି.ଏ ପରୀକ୍ଷାରେ ଫେଲ୍ ହେଲା ପରେ ମଧ୍ୟ ସେ କଥା ସେ ଘରେ କହି ନଥିଲା ବରଂ ମିଛରେ କହିଥିଲା ଯେ ସିଏ ଗୋଟାଏ ପ୍ରାଇଭେଟ୍ କମ୍ପାନୀରେ ଚାକିରି ପାଇଯାଇଛି ବୋଲି । ଅଳ୍ପ ପାଠ ପଢିଥିବା ସଜନୀ କିମ୍ବା ରାହାସ ତା'ର ଏ ମିଛକୁ ବୁଝିବାର ଅବକାଶ ହିଁ ନଥିଲା ।ଏବେ ସେ ଦାମୀ ବୁଲେଟ୍ ଗାଡ଼ି ଧରି ବୁଲୁଥିଲା , ଦାମୀକା ପୋଷାକ ପିନ୍ଧୁଥିଲା , ରାତିରେ ଖୁବ୍ ଡେରିରେ ଫେରୁଥିଲା କିମ୍ବା ମୋଟେ ଫେରୁନଥିଲା । ଘରେ ଥାଇ ମଧ୍ୟ ତା'ର ଉପସ୍ଥିତି ଜଣା ପଡୁନଥିଲା । ବାପ ମାଆଙ୍କୁ ଆଡ ଆଖିରେ ଚାହୁଁ ନଥିଲା । ପକେଟରେ ସବୁବେଳେ ପୁଳା ପୁଳା ଟଂକା ଧରି ବୁଲୁଥିଲେ ମଧ୍ୟ ସଜନୀ କି ରାହାସ ହାତକୁ ଟଙ୍କାଟିଏ ଦେଉନଥିଲା । ତା'ର ହାବଭାବ ରଙ୍ଗଢଙ୍ଗ ଦେଖି ଭୟଭୀତ ହୋଇ ପଡୁଥିଲା ସଜନୀ । ଜନ୍ମ କଲା ପୁଅର ମୋହ ମଧ୍ୟ ଛାଡି ପାରୁନଥିଲା । ଦିନ ସାରା ଖଟିଖଟି ସରିବା ପରେ ମନୁଆଁ ଘରକୁ ନ ଫେରିବା ଯାଏ ତା'କୁ ନିଦ ହେଉନଥିଲା । ଏବେ ପ୍ରାୟ ସବୁ ଦିନ ମନୁଆଁ ଘରକୁ ଫେରିଲା ବେଳକୁ ତା'ପାଦ ଏଠି ବୋଲି ସେଠି ପଡୁଥାଏ, କେବେ ପୋଷାକ ଉତ୍ତାରି ଶୁଏ ତ କେତେବେଳେ ସେମିତି ପୋଷାକ ପିନ୍ଧି ଶୋଇଯାଏ ।

ଅକୁହା ଦୁଃଖରେ ଛାତି ଫାଟି ଯାଏ ସଜନୀର। ଗୋଟିଏ ବୋଲି ପୁଅ ତାଙ୍କର, ଏକୋଇର ବଳା ବିଶିକେଶନ। ତା'ର ଏଇ ଦୁରବସ୍ଥା ଦେଖି ସେ ସହି ପାରେନାହିଁ କି କାହାରିକୁ କହିପାରେ ନାହିଁ। ଆଖି ଲୁହକୁ ଆଖିରେ ମାରି ଦିନ କାଟେ। ବାହାର କବାଟରେ ଜୋର୍ ଜୋର୍ ଠକ୍ ଠକ୍ କରି କାହାର ବାଡେଇବା ଶବ୍ଦ ଶୁଣି ଚେତା ପଶିଲା ସଜନୀର।

ସାରାରାତି ସେ ଏଇ ବାରଣ୍ଡାରେ ନିଜ ଅଜାଣତରେ ବସି ରହିଛି । ସକାଳ ହେବାକୁ ଆହୁରି ଅନେକ ସମୟ ବାକି ଅଛି । ଏତେ ବେଳଟାରେ କିଏ ଗୋଟାଏ ଏମିତି କବାଟ ବାଡେଇ ଚାଲିଛି ଭାବିଭାବି ନିଦ ମଳମଳ ଆଖିରେ କବାଟଟା ଖୋଲି ଦେଲା ସଜନୀ । ସାମନାରେ ପୋଲିସ୍ ପୋଷାକ ପିନ୍ଧା ଲୋକ ଦି ଜଣଙ୍କୁ ଦେଖି ହଡବଡେଇ ଗଲା ସେ । ସେ କିଛି କହିବା ପୂର୍ବରୁ ତାଙ୍କ ଭିତରୁ ଜଣେ କହିଲା '' ଏଇଟା ମନୁଆଁ ମାନେ ମନୋଜ ନାୟକର ଘର ତ ? ତମେ ତା'ର ମା ' କି ? ତା'ର ବାପା କାଇଁ ? ତମେ ଦି’ ଜଣ ଥାନାକୁ ଚାଲ । ବଡ ବାବୁ ଡାକୁଛନ୍ତି ''। ଭୟରେ ଗୋଡ ହାତ ପାଣି ହୋଇ ଯାଉଥିଲା ସଜନୀର। ଥର ଥର ହୋଇ ଘର ଭିତରକୁ ଯାଇ ରାହାସକୁ ନିଦରୁ ଉଠାଇଲା ସେ। କହିଲା '' ହେଇଟି ଶୁଣୁଛ , ମନୁଆଁ ବୋଧହୁଏ କାହାକୁ ମାଡ ପିଟ୍ କରିଛି ନା କ'ଣ। ଥାନା ବାବୁ ଡାକିଛନ୍ତି ଆମ ଦୁଇଜଣଙ୍କୁ। ଚାଲ ଯିବା ''।

ଧଡପଡ ହୋଇ ଉଠି ପଡିଲା ରାହାସ । ଗାମୁଛାଟାକୁ କାନ୍ଧରେ ପକାଇ ସଜନୀ ସାଥିରେ ପୋଲିସ୍ ବାବୁଙ୍କ ପଛେ ପଛେ ଗଲା ଥାନାକୁ। ସେଠି ବଡ ବାବୁଙ୍କୁ ଜୁହାର ହେବାରୁ ସେ ସେମାନଙ୍କୁ ନେଇ ଗଲେ ଆଉ ଗୋଟିଏ ଘରକୁ। ସେଠାରେ ଗୋଟିଏ ଅଖା ବସ୍ତା ଥୁଆ ହୋଇଥିଲା ବନ୍ଧା ବନ୍ଧି ହୋଇ । ବଡ ବାବୁଙ୍କ ନିର୍ଦ୍ଦେଶରେ ସାଙ୍ଗରେ ଆଣିଥିବା ପୋଲିସ୍ ଜଣକ ବସ୍ତାଟିକୁ ଖୋଲି ଦେଲେ। ରକ୍ତ ଜୁଡ଼ୁବୁଡ଼ୁ ମଣିଷ ଶରୀରଟିଏ ଗଳି ପଡିଲା ସେଥିରୁ । ତା' ର ପିନ୍ଧି ଥିବା ପୋଷାକ ଦେଖି ଚମକି ପଡିଲା ରାହାସ । ଗୋରା ତକତକ ବଳିଷ୍ଠ ଶରୀରର ବାଁ ହାତରେ ଥିବା କଳା ଜାଇଟିକୁ ଦେଖି ' ମୋ ପୁଅ ଲୋ ' ବୋଲି ଚିତ୍କାର କରି ଟଳି ପଡ଼ିଲା ସଜନୀ ........। ଅଦିନ ଝଡରେ ଉଜୁଡ଼ି ଯାଇଥିଲା ତା' ସଂସାର।।


Rate this content
Originality
Flow
Language
Cover Design