Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

NIBEDITA MOHAPATRA

Tragedy

3  

NIBEDITA MOHAPATRA

Tragedy

ଅର୍ନ୍ତଦ୍ବନ୍ଦ୍ବ

ଅର୍ନ୍ତଦ୍ବନ୍ଦ୍ବ

3 mins
400


ଧନେଶ୍ଵର ମଉସାଙ୍କ ଝିଅ ଟୁନି ଭଲପାଇ ବାହା ହୋଇଥିଲେ ସାଗର ଭାଇଙ୍କୁ ନିଜ ପସନ୍ଦରେ । ପୁଅ ସରକାରୀ ଚାକିରି କରିଥିବାରୁ ଆଉ ଝିଅର ଖୁସି ପାଇଁ ମଉସା ମଧ୍ୟ ଅରାଜି ନ ଥିଲେ ଏ ପ୍ରସ୍ତାବରେ । କିନ୍ତୁ ପୁଅ ମା'ଙ୍କର ଝିଅ ପସନ୍ଦ ନ ଥିଲା । କାରଣ ଗୋଟିଏ ଝିଅର ରଙ୍ଗ ଥିଲା କଳା । ତାଙ୍କ ପୁଅ ସାଗର ଯେତିକି ଗୋରା ଆଉ ସୁନ୍ଦର,ଟୁନି ଅପା ସେତିକି କଳା । ପୁଅର ଜିଦ୍ ରେ ବାହାଘର ପାଇଁ ରାଜି ସିନା ହେଇଗଲେ ହେଲ ଗ୍ରହଣ କରିପାରି ନଥିଲେ ବୋହୂକୁ । ସାହୀ ପଡିଶା ଆଉ ବନ୍ଧୁବାନ୍ଧବ ସବୁଠି ବି ସେଇ ଗୋଟିଏ କଥା ପୁଅ ପାଇଁ ଝିଅ କିନ୍ତୁ ଠିକ୍ ହେଲାନି । ସବୁବେଳେ ଏମିତି ଶୁଣି ଶୁଣି ସେ ପୁରା ଅତିଷ୍ଠ ହୋଇପଡିଥିଲେ । ଶେଷରେ ମାଉସୀ ପୁଅକୁ ବୋହୂ ବିରୁଦ୍ଧରେ କହିବା ଆରମ୍ଭ କରି ଦେଇଥିଲେ । ପ୍ରଥମେ ତ ସାଗର ଭାଇ ମାଉସୀଙ୍କ କଥା ଶୁଣୁ ନଥିଲେ । ହେଲେ ପରେ କିନ୍ତୁ ଟୁନି ଅପା ଓ ତାଙ୍କ ମଧ୍ୟରେ ଝଗଡା ଆଉ ମନୋମାଳିନ୍ୟ ଆରମ୍ଭ ହେଇଯାଇଥିଲା । ସବୁବେଳେ ନିଜ ବୋହୂ ବିରୁଦ୍ଧରେ କହିବା ସତେ ଯେମିତି ତାଙ୍କର ଅଭ୍ୟାସରେ ପରିଣତ ହେଇଯାଇଥିଲା । ବାହାଘର ବେଳେ ଧନେଶ୍ଵର ମଉସା ଯୌତୁକ ଦେଇଥିଲେ ମଧ୍ୟ ବାପ ଘରୁ ଅଧିକ ଯୌତୁକ ଆଣିବା ପାଇ ସେମାନେ ଟୁନିଅପା ଉପରେ ଚାପ ପକେଇବା ଆରମ୍ଭ କରି ଦେଇଥିଲେ । ଟୁନିଅପା କିନ୍ତୁ ସବୁ ସହିଯାଉଥିଲା,କାରଣ ସେ ଜାଣିଥିଲା ତା ବାପାଙ୍କର ଏବେ ସେମିତି ସକ୍ଷମତା ନାହିଁ ଯେ ସେ ଏକକାଳିନ ୫୦,୦୦୦ ଟଙ୍କା ଆଉ ଗୋଟେ କାର୍ ଦେଇପାରିବେ । ତଥାପି ଦିନେ କଥା ଛଳରେ ସେ ବାପାଙ୍କୁ ଏ କଥା ଜଣେଇଲା । ମଉସା ବି ସୁବିଧା କରି ଦେବି ବୋଲି କହି ଟୁନି ଅପାକୁ ସାନ୍ତ୍ଵନା ଦେଇଥିଲେ ।

କିଛିଦିନ ଏମିତି କଟିଗଲା । ନା ମଉସା ଟଙ୍କା ଦେଇପାରିଲେ ନା ଟୁନିଅପା ଉପରେ ହେଉଥିବା ଅତ୍ୟାଚାର କମିଲା । ଏ ସବୁ ଭିତରେ ସାଗର ଭାଇଙ୍କ ମା ତାଙ୍କ ବାହାଘର ଅନ୍ୟ ଯାଗାରେ କରିବା ପାଇଁ ଠିକ୍ କରିସାରିଥିଲେ । ସେଥିପାଇଁ ସେମାନେ ଟୁନିଅପାକୁ ଜୀବନରେ ମାରିଦବା ପାଇଁ ନିଷ୍ପତ୍ତି ନେଇଥିଲେ । ଦିନେ ଖରାବେଳ ସମସ୍ତେ ଖାଇ ସାରିବା ପରେ ଟୁନିଅପା ବି ଖାଇ ଶୋଇପଡିଲା ତା ରୁମ୍ ରେ । ତା ଆଖି ଲାଗିଯାଇଥିବା ବେଳେ ହଠାତ୍ ସବୁ ନିରବତାକୁ ଭାଙ୍ଗି ଦେଇଥିଲା କାହାର ଧିର ପାଦ ଶଦ୍ଦ । କିଛି ଭାବିବା ଆଗରୁ କେହି ଜଣେ ତକିଆରେ ଜୋର୍ କରି ଚାପି ଧରିଲା ଟୁନି ଅପାର ମୁହଁକୁ ଓ ଆଉ ଜଣେ ତା ଗୋଡ଼ ଦୁଇଟିକୁ । ବହୁତ ଛାଟି ପିିଟିହେଲା ସେ । ମୁକୁଳିବାକୁ ଶତ ଚେଷ୍ଟା କରି ମଧ୍ୟ ସେ ବିଫଳ ହେଲା । ଶେଷରେ କିଛି ସମୟର କସରତ୍ ପରେ ନିସ୍ତେଜ ହେଇଗଲା ୫'୪"ଲମ୍ବର ଶରୀରଟା । କେହି କିଛି ଜାଣିବା ଆଗରୁ ସେମାନେ ଟୁନି ଅପାର ଶରୀରକୁ ନେଇ ଟାଙ୍ଗିଦେଲ ବାଥ୍ ରୁମ୍ ରେ ଲାଗିଥିବା ଲୁହାରଡ୍ରେ । ଆଉ ସମସ୍ତେ ଚାଲିଗଲେ ନିଜ କାମରେ ।

ସଂନ୍ଧ୍ୟା ବେଳକୁ ଧନେଶ୍ବର ମଉସାଙ୍କୁ ଖବର ଦିଆଗଲା ଟୁନିଅପା ଆତ୍ମହତ୍ୟା କରିଛି । ବିଶ୍ଵାସ କରିପାରିଲେନି ମଉସା । ମା ଛେଉଣ୍ଡ ଝିଅଟି ପିଲାବେଳୁ ଅନେକ କଷ୍ଟ ସହି ବଡ ହେଇଛି;ହେଲେ କେବେ ଭାଙ୍ଗି ପଡିନି । ହେଲେ ଆଜି କଣ ହେଲା ତା'ର । ସେ ଏମିତି ଗୋଟେ ଭୁଲ୍ କରିଲା । ନା ନା ଏମିତି ହେଇ ନ ପାରେ;ଟୁନି ପୁଣି ଆତ୍ମହତ୍ୟା କରିବ !ଏଇଟା ଅସମ୍ଭବ । ଏମିତି ଭାବୁ ଭାବୁ ଧନେଶ୍ବର ମଉସା ଯାଇ ପହଚିଁଲେ ଝିଅ ଘରେ । ସବୁଆଡେ ନିସ୍ତବ୍ଧତା । ବାରଣ୍ତାରେ ଧଳାଚାଦର ଘୋଡେଇ ରଖାଯାଇଛି ଶରୀରଟିଏ । ମଉସା ଚାଦରଟିକୁ ଆଡେଇ ଦେଇ ଦେଖିଲେ ତାଙ୍କ ଗେହ୍ଲି ଝିଅର ମୁହଁ । ନା ଅଛି ଅଭିମାନ ନା କିଛି ଅଭିଯୋଗର ଚିହ୍ନ । ସବୁକିଛି ଶେଷ ହେଇଯାଇଛି । ସବୁଦିନ ପାଇଁ ଶାନ୍ତିରେ ଶୋଇ ଯାଇଛି ସେ । ସେଦିନ ଏ ସବୁ ଘଟଣାକୁ ଦେଖି ଥିବା ଛୋଟ ଝିଅଟି କିଛି ବୁଝି ପାରିନଥିଲା । ଆଉ ଯେବେ ବୁଝିଲା ସେବେ ଠାରୁ ଆଜି ଯାଏଁ ସେ ବିଶ୍ବାସ କରିପାରିନି ଏ ପୁରୁଷ ସମାଜକୁ ।

ଆଜି ଯେତେବେଳେ ବାପା ତା ବାହାଘର ଠିକ୍ କରିସାରିଛନ୍ତି ସେତେବେଳେ ପୂର୍ବର ସେ ସବୁ ସ୍ମୃତି ପୁଣି ମନେ ପଡିଯାଉଛି ତା'ର । ଇଂଜିନିୟର ବିକାଶ ଦାସଙ୍କ ସହ ବାପା ତାର ବାହାଘର ଠିକ୍ କରିଛନ୍ତି । ସେ ବିଶ୍ବାସ କରିପାରୁନି ସତରେ ବିକାଶ ରାଜି ହେଇଛନ୍ତି ଏ ବାହାଘର ପ୍ରସ୍ତାବରେ । ତାର ଶ୍ୟାମଳ ରଙ୍ଗକୁ ତାଙ୍କ ଘର ଲୋକ ପସନ୍ଦ କରିଛନ୍ତି ନା ଯୌତୁକ ଲୋଭରେ ରାଜି ହେଇଛନ୍ତି ସେମାନେ । ବିକାଶ ଆଉ ସାଗର ଭାଇଙ୍କ ଭଳି ବଦଳି ଯିବେନି ତ! ବିଶ୍ବାସରେ ଧରିଥିବା ହାତ ତା ପାଇଁ ଫାଶି ଦଉଡି ସାଜିବନି ତ! ଅନେକ ଅସମାହିତ ପ୍ରଶ୍ନ ଆଜି ତାକୁ ବ୍ୟସ୍ତ ବିବ୍ରତ କରିପକାଉଛି । ହେଲେ କିଏ ଦବ ଏ ସବୁର ଉତ୍ତର?କିଏ ଅବା କରିବ ଏ ଅର୍ନ୍ତଦ୍ବନ୍ଦ୍ବର ସମାଧାନ । ଏ ସବୁ ଭାବୁ ଭାବୁ କେତେବେଳ ସୂର୍ଯ୍ୟ ଦିଗ୍ ବଳୟ ଛୁଇଁଲେଣି ସେ ଜାଣିନି । ଏବେ ବି ନିର୍ବିକାର ଭାବରେ ବଗିଚାର ସେହି ବେତ ଚେୟାର୍ ଉପରେ ବସି ସେ ଖୋଜୁଛି ତା ପ୍ରଶ୍ନର ଉତ୍ତର ଆଉ ଅର୍ନ୍ତଦ୍ବନ୍ଦ୍ବର ସମାଧାନ ।

ନିବେଦିତା ମହାପାତ୍ର

ମୁକୁନ୍ଦ ମିଶ୍ର ନଗର,ପୁରୀ


Rate this content
Log in

Similar oriya story from Tragedy