ଅନୁରୋଧ
ଅନୁରୋଧ
ମୌସୁମୀ ଗୋ,
ତୁମେ ଗଲା ପରେ ବର୍ଷା ହେଇନି ଆଉ । ମେଘରେ ଭିଜିନି ମୋ ଶରୀର କି, ପୋଛା ହେଇନି ମୋ ଓଦା ମୁଖ ତୁମ ସେ ସ୍ନେହର ଦୂପଟାରେ । ଚପଳା ସମ ଚୋରା ଚାହାଣୀର ଝଲକ ଟିଏ ପାଇନି କି, ତୁମ ସେ ରାଗ, ରୂଷା ଓ ଅଭିମାନ ରୂପକ ବଜ୍ରର ଆଘାତର ଆଭାସ ଟିଏ ମିଳିନି ।
ଉଚ୍ଛୁଳା ପ୍ରୀତିର ବନ୍ୟାରେ ମୋ ହୃଦୟର ନାବ ପୂନର୍ବାର ସମ୍ମୁଖୀନ ହେଇନି କି, ତୋଫାନର ଘୂର୍ଣ୍ଣିରେ ମନ ମୋ ଦୋଳାୟିତ ହେଇନି ।
ତୁମ ଆଗମନର ଦୂତ ଟିକୁ ଜଗାଅ । କୁରାଢୀ ଧାର ର ଆଘାତ ସହି ହୃଦୟର ନାବକୁ ମରାମତି କରିଛି ।
ଅବିଶ୍ୱାସ ଓ କ୍ରୋଧ ରୂପୀ ଛିଦ୍ର ଗୁଡିକ ବୁଜି/ମୁଦି ହେଇ ଯାଇଛି । ମନ ଦରଜାରେ ଝାଉଁଳି ପଡିଥିବା ସୁବାସିତ କୁସୁମଟି ପୂନର୍ବାର ପାଖୁଡା ମେଲି ତୁମ ଅପେକ୍ଷାରେ ଅଛି ପାଛୋଟି ନବାକୁ ।
ମୋ ହୃଦୟକୁ ବିଦାରି ଥିବା ବର୍ଷା ଛିଟା ସଦୃଶ ଖଞ୍ଜରଟି ଥୁଣ୍ଟା ହେଇ ଗଲାଣି । ବିଜୁଳି, ଘଡଘଡି ଓ ଘୂର୍ଣ୍ଣି ମିଶା କାଳି ର ଛିଟାରେ ମୋ ହୃଦୟ ନୌକାରେ ଆଉଥରେ ଲଙ୍ଘିବା ଅନ୍ୟ ଏକ ଗର୍ଜନରତ ସାଗର ।
ସୁବୀଣା ତାନ ଟିର କମ୍ପନକୁ ହୃଦୟରେ ସ୍ପନ୍ଦିତ କରିଛି । ତୁମ ଅଭିମାନୀ ମନଟିକୁ ମୋ ହୃଦୟ ସ୍ପନ୍ଦନର ତାଳରେ ଝୁମେଇବାର କଳା ଟିକୁ ଆପଣେଇ ନେଇଛି ।
ଘନ ଅନ୍ଧାର ବାଦଲର ଛାଇ ତଳେ, ଆକାଶର ବୁକୁ ଚିରି ବିହଙ୍ଗଟିର ରାବ ମୋ କର୍ଣ୍ଣ ରେ ପ୍ରତିଧ୍ୱନ୍ୱିତ ହେଉ ଥିବାର ମନେ ହେଉଛି ।
ବସାଟି ବୋଧହୁଏ ଆଉ ବେଶୀ ଦୂର ନୁହେଁ । ଆଖି ତରାଟି ତା'ର ପ୍ରେମୀଟି ଚାହିଁ ବସିଛି ପାଛୋଟି ନେଇ କୁଣ୍ଢାଇ ପକେଇବାକୁ ।
କିନ୍ତୁ ତୁମେ ? କେଉଁ ରାଇଜରେ ଅଟକି ଯାଇଛ? ଅନ୍ୟ କୋଉ ବାଲୁକା ସ୍ତୁପର ସ୍ପର୍ଶର ଫନ୍ଦରେ ଫସି ଯାଇ ବରଷି ଯାଇନ ତ?
ତେବେ କ'ଣ ହେବ ମୋର ଏ ଅପେକ୍ଷାର ? କାଳବୈଶାଖୀ ର ସାମୟିକ ଝଡ/ସନ୍ତୁଷ୍ଟିରେ ନାବ ଆଗକୁ ଭାସିବ ତ?
ନା, ଅଧା ପଥେ ମରୂଭୂମି ର ଶୁଷ୍କ ବାଲି ଝଡେ ପୋତି ହେଇଯିବ?
ଅଣନିଃଶ୍ୱାସୀ ହେଇ ପ୍ରାଣ ଚାଲି ଯିବା ପୂର୍ବରୁ, ଚଞ୍ଚଳ ତୁମ ପାଉଁଜିର ଛମ୍ ଛମ୍ ଶବ୍ଦରେ ଶିହରଣ ଭରିଦିଅ ମୋ ଶରୀରରେ ।
ଅନ୍ୟଥା, ବିନା ବନ୍ଦନାରେ/ନିମନ୍ତ୍ରଣେ ଶୋକ ପାଳିବାକୁ ଆସିବାକୁ ହେବ ।
ଇତି
.......