Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଭିନ୍ନ ଏକ ଏକଲବ୍ୟ
ଭିନ୍ନ ଏକ ଏକଲବ୍ୟ
★★★★★

© Chinmoyee Mohanty

Abstract Inspirational

4 Minutes   7.3K    17


Content Ranking

କବି ସମ୍ମିଳନୀ ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ପ୍ରତିଷ୍ଠିତ କବି ମାନଙ୍କ ଗହଣରେ ପ୍ରଥମ ଥର ପାଇଁ କବିତା ପଢିବାର ସୁଯୋଗ ପାଇ ମାଇକ୍ରୋଫୋନ୍ ସାମନାରେ ଛିଡା ହେଇଥିଲା ଭାଷା । ଭାଷା ପଟ୍ଟନାୟକ। ଛାତିର ସ୍ପନ୍ଦନ ଖୁବ୍ ବଢିଯାଇଥିଲା ତା'ର। ଆଗରେ ଭରପୁର ଅଡିଟୋରିୟମ୍। ମନକୁ ସ୍ଥିର କରି ଶାଢୀକୁ ଟିକିଏ ସଜାଡି ନେଲା। ଥରିଉଠୁଥିବା ପାଦ ଦୁଇଟିକୁ ଦୃଢ ଭାବରେ ଭିଡି ରଖିବାକୁ ଚେଷ୍ଟା କରି ଗଳା ଝାଡି ସ୍ୱରକୁ ପରିଷ୍କାର କଲା। ତା' କଣ୍ଠସ୍ୱରରେ କୁଆଡ଼େ ଗୋଟେ ନିଆରା ମିଠାପଣ ଥାଏ ବୋଲି ଅନେକ ପ୍ରଶଂସା ଶୁଣିଛି ସିଏ। ସହଜ ହେଇଯାଇ ନିଜକୁ ପ୍ରସ୍ତୁତ କରିନେଲା ଭାଷା। ଘୋଷକଙ୍କ ଘୋଷଣା ପରେ ଆରମ୍ଭ ହେଲା କବିତା ପାଠର ପର୍ବ।ଅକ୍ଷର ସବୁ କେମିତି ଝାପସା ଦିଶୁଥିଲେ ଭାଷାକୁ। ଛେପ ଢୋକି ଏକା ନିଶ୍ୱାସରେ କବିତାଟି ପଢିପକେଇଲା।ଦର୍ଶକ ମାନଙ୍କ କରତାଳିରେ ଶବ୍ଦାୟିତ ହେଇଉଠିଲା ଏତେବେଳ ଯାଏ ବାଧ୍ୟ ପିଲାମାନଙ୍କ ଭଳି ଚୁପଚାପ୍ ନୀରବତା ଅବଲମ୍ବନ କରିଥିବା ଅଡିଟୋରିୟମ୍ ଟା। ବହିଯାଉଥିବା ଝାଳକୁ ରୁମାଲରେ ପୋଛି ପକେଇ, ଦୀର୍ଘ ନିଶ୍ୱାସ ପକେଇଲା ଭାଷା। ମନେମନେ ଈଶ୍ଵରଙ୍କ ଉଦ୍ଦେଶ୍ୟରେ ପ୍ରଣତି ଜଣାଉଥିଲା। ଯାହାହେଉ ଭରି କୁରୁସଭାରେ ଯେମିତି ଭୟ ଆଉ ଆଶଙ୍କାର ଦୁଃଶାସନ କବଳରୁ ରକ୍ଷା ପାଇଯାଇଥିବା କ୍ଳାନ୍ତ ପାଞ୍ଚାଳୀ ସିଏ !!

ଷ୍ଟେଜ୍ ଉପରୁ ଓହ୍ଲେଇ ଆସି ଅଡିଟୋରିୟମ୍ ର ଗୋଟାଏ କଣରେ, କେହି ଦେଖି ନ ପାରିବା ଭଳି ଗୋଟିଏ ଜାଗା ବାଛିନେଇ ବସିପଡିଲା। ଖୁବ୍ ବିରକ୍ତ ଲାଗୁଥିଲା ସମ୍ମିଳନୀର ଆୟୋଜକ ଏବଂ କର୍ମକର୍ତ୍ତା ମାନଙ୍କ ଉପରେ।ସବୁଠୁ ପ୍ରଥମରେ ତା' ନାଟା ଘୋଷଣା କରିବା କ'ଣ ଦରକାର ଥିଲା ଯେ...

ବାପରେ...କି ଭୟଙ୍କର ପରୀକ୍ଷା ତା' ପାଇଁ !! ଏବେ ଦର୍ଶକ ମାନଙ୍କ ସହିତ ବସି ବେଶ୍ ଆଶ୍ୱସ୍ତି ଅନୁଭବ କରୁଥିଲା ସେ। ଜଣେ ଜଣେ କରି କବି ମାନେ ସୁନ୍ଦର ରିଦିମ୍ ରେ ନିଜ ନିଜର କବିତା ଆବୃତ୍ତି କରୁଥିଲେ। ଭାରି ଭଲ ଲାଗୁଥିଲା ଶୁଣିବାକୁ। ସୁନ୍ଦର ଶବ୍ଦ ସଂଯୋଜନା, ଭାବର ଗାମ୍ଭୀର୍ଯ୍ୟରେ ଭରପୁର କବିତା ଗୁଡିକ ଆଗରେ ନିଜକୁ ଖୁବ୍ ଛୋଟ ମନେ କରୁଥିଲା ସିଏ। କବିତା ପାଠ ଶେଷ ହେବା ପରେ, ଆରମ୍ଭ ହେଲା କବିତା ଗୁଡିକର ସମୀକ୍ଷା।ତା' ନିଜ କବିତାର ସମୀକ୍ଷା ମନ୍ତ୍ର ମୁଗ୍ଧ ହେଇ ଶୁଣିଲା ବେଳେ ତାକୁ ଲାଗୁଥିଲା, ତା' ଶବ୍ଦ ମାନେ ସତେଯେମିତି ଜୀବନ୍ୟାସ ପାଇ ତା ଆଗରେ ଛିଡା ହେଇ ଯାଉଛନ୍ତି। ସେ ବିଶ୍ୱାସ କରି ପାରୁ ନଥିଲା। ତା' ଆଖି ଆଗରେ ସତେଜ ହେଇଉଠୁଥିଲା ତା'ର ଅତୀତ।

ଭାଷା ସେତେବେଳେ ପଢୁଥାଏ ଗାଁ ସ୍କୁଲରେ, ଅଷ୍ଟମ ଶ୍ରେଣୀରେ। ଖରାଦିନ ସକାଳୁଆ ସ୍କୁଲ। ଛୁଟି ପରେ ଘରକୁ ଆସି ଖାଇଦେଇ ବ୍ୟାଗ ଧରି ପୁଣି ବାହାରି ଗଲା ସ୍କୁଲକୁ...ଗଣିତ ସାର୍ ଅଗଣି ମହାପାତ୍ରଙ୍କ ଟିୟୁସନକୁ। ଚାରିଖଣ୍ଡ ଗାଁରେ ସାରଙ୍କର ଭାରି ନାଁ। ବାପାଙ୍କର ଚାକିରୀ କଟକରେ। ସିଏ ରହୁଥିଲେ କଟକରେ। ବାପାଙ୍କର ଭାଷାକୁ ନେଇ ଅନେକ ସ୍ୱପ୍ନ। ଗାଁ ସ୍କୁଲରୁ ପାଠପଢା ସରିବା ପରେ,କଟକ ନେଇ ଭଲ କଲେଜ୍ ରେ ପଢେଇବେ ଆଉ ତାକୁ ଡାକ୍ତରଟିଏ କରିବେ। ତେଣୁ ଅଗଣି ସାରଙ୍କୁ ତା' ଗଣିତ ପଢାର ଦାୟିତ୍ୱ ଦେଇଥିଲେ। ଟିୟୁସନରେ ପହଞ୍ଚିଲା ବେଳକୁ ଅଗଣି ସାର୍ ଗାମୁଛା ଖଣ୍ଡିଏ ପିନ୍ଧି ସ୍କୁଲ୍ ର ପକ୍କା ବାରଣ୍ଡାରେ ତାଙ୍କ ଧଳା ଧୋତି ଆଉ ହାଫସାର୍ଟ ସଫାକରୁଥିଲେ। ହାତରେ ସନଲାଇଟ୍ ସାବୁନ। ସନ୍ତର୍ପଣରେ ରୁମ୍ ଭିତରକୁ ଗଲା ଭାଷା। ସାର୍ ଦେଇଥିବା ଅଙ୍କ ପିଲାମାନେ ଖୁବ୍ ମନଦେଇ କଷୁଥିଲେ। ଅଗଣି ସାରଙ୍କ ବେତମାଡ ଖାଇ ଖାଇ ଗଣିତ ପାଇଁ ମନ ଭିତରେ ତା'ର ସୃଷ୍ଟି ହେଇଥିଲା ଭୟ ଯେତିକି ,ତାଠୁ ଅଧିକ ଘୃଣା। ଅଙ୍କ କରିବା ବଦଳରେ ଆରମ୍ଭ କଲା କବିତା ଟିଏ ଲେଖିବା ପାଇଁ। ପ୍ରଥମ କବିତାର ପ୍ରଥମ ପ୍ରକାଶ। ଦୁନିଆର ଆଲୋକ ଦେଖୁ ନ ଦେଖୁଣୁ,କଅଁଳ ଦରଫୁଟା ଫୁଲଟିଏ କୀଟଦ୍ରଂଷ୍ଟ ହେଲାଭଳି ଭାଷା ସାମନା କଲା ସାରଙ୍କର ନିର୍ମମ ବର୍ବରତାର। ଅଙ୍କ ଖାତାରେ ଅଙ୍କ ବଦଳରେ କବିତା ଦେଖି ସାରଙ୍କ ଆଖି ଦୁଇଟା ଜଳୁଥିଲା ରଡନିଆଁ ଭଳି। ସବୁ କ୍ରୋଧର ଶୀକାର ହେଲା ଭାଷା। ତା' ପାଟି ଭିତରେ ସନଲାଇଟ୍ ସାବୁନଟାକୁ ଚାପିଧରି, ତାଙ୍କ ଲମ୍ବା ବେତରେ ପାହାର ପରେ ପାହାର ପିଟି ଚାଲିଥିଲେ ଅଗଣି ସାର୍ ।" ପାଠ ପଢା ନ ହେଇ ଏଇ ବୟସରୁ କବିତା ଲେଖା ଆରମ୍ଭ ହେଇ ଗଲାଣି ! ଛି..ଛି..ଏ ପିଲାଟା ତିନିପାଞ୍ଜିରୁ ଗଲା। ଆଉ କି ପାଠ ପଢିବ ଇଏ ?" ବୁଝି ପାରୁ ନଥିଲା ଭାଷା। କବିତା ଲେଖିବା କ'ଣ ଏତେବଡ ଅପରାଧ !! ମାଡରେ ଦେହ ସାରା ନୋଳା ବସି ଗଲାଣି। ଆଖିରେ ଚାରି ମେଘ ଏକାଠି ହେଇ ବର୍ଷି ଚାଲିଛନ୍ତି। ଅନ୍ୟ ପିଲାମାନେ ଆବାକ୍। ଆଉ ସହି ପାରିଲାନି ଭାଷା। ଦୌଡି ଦୌଡି ପଳେଇ ଆସିଲା ଘରକୁ।ବାପା ସେଦିନ ଆସିଥାନ୍ତି ଗାଁକୁ। ଭାଷା ର ଅବସ୍ଥା ଦେଖି ବାପା ବୋଉ ଭୀଷଣ ଡରିଗଲେ। ତା' ମୁହଁରେ କେବଳ ଗୋଟିଏ କଥା...

କବିତା ଲେଖିବା କ'ଣ ଭୁଲ୍ ବାପା..ତମେ ତ କହିଥିଲ,ପାଠ ପଢିବା ସାଙ୍ଗେ ସାଙ୍ଗେ କିଛି ଏକଷ୍ଟ୍ରା ଆକଟିଭିଟିଜ୍ ନିହାତି ରହିବା ଦରକାର। ତାହେଲେ ମୁଁ ଭୁଲ୍ କଲି କୋଉଠି ??"

ସାରଙ୍କର ଏ ଭଳି ଆଚରଣରେ ଭୀଷଣ ବିରକ୍ତ ହେଇଥିଲେ ବାପା।ନିଷ୍ପତ୍ତି ନେଇଥିଲେ, ଅଗଣି ସାରଙ୍କ ପାଖରେ ପାଠପଢା ବନ୍ଦ। ତାର ଏଇ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବା ପାଇଁ ସେଇ କବିତାଟିକୁ ବାପା ନେଇ ପ୍ରଜାତନ୍ତ୍ର ଖବରକାଗଜର ମୀନାବଜାରରେ ପ୍ରକାଶିତ କରାଇଥିଲେ। ଅଗଣି ସାର୍ ଖବର କାଗଜରେ କବିତାଟି ପଢିଥିଲେ କି ନାହିଁ କେଜାଣି.. ସେଇ କବିତାଟି ଏବେବି ଭାଷା ସାଇତି ରଖିଛି।

ସେଇଦିନଠୁ ତା'ର ଜିଦ୍ ବି ବଢିଯାଇଥିଲା କବିତା ଲେଖିବା ପାଇଁ। ଭାଷା ଭାବୁଥିଲା, ସେଦିନ ଯଦି ସେ ଗୁରୁଙ୍କର ଆଦେକୁ ମାନି ନେଇ କବିତା ଲେଖା ଛାଡି ଦେଇ ଥାଆନ୍ତା, ତାହେଲେ ଏକଲବ୍ୟ ବୁଢା ଆଙ୍ଗୁଠି କାଟି ଗୁରୁଦକ୍ଷିଣା ଦେଇ, ସବୁଦିନପାଇଁ ଯେମିତି ଅସହାୟ ବୀରତ୍ୱକୁ ଆଦରିନେଲା, ସେମିତି କବିତା ଲେଖାରୁ ସେ ବି ବଞ୍ଚିତ ହେଇ ତା ସୃଜନ ପ୍ରତିଭାକୁ ହରେଇ ବସିଥାଆନ୍ତା। ତା ସୃଜନୀକୁ ବଳି ଦେଇଥାଆନ୍ତା ଅଗଣି ସାରଙ୍କ କ୍ରୋଧ ଅଗ୍ନିର ମହାଯଜ୍ଞରେ। ସିଏ କିନ୍ତୁ ପାଲଟିଗଲା ଭିନ୍ନ ଏକ ଅମାନିଆ ଏକଲବ୍ୟ।

କୌଣସି ସ୍ଵୀକୃତି,ପ୍ରଶଂସା, କରତାଳି ଏ ସବୁର ଆବଶ୍ୟକତା ସେ ଅନୁଭବ କରୁ ନଥିଲା। ସେ ଭାବୁଥିଲା,ସିଏ ଆଜି କର୍ଣ୍ଣ, ଅର୍ଜୁନ,ଜୟଦ୍ରଥ ଭଳି ଯୋଦ୍ଧା ମାନଙ୍କ ସହିତ ସମକକ୍ଷ ହେଇ ଠିଆ ହେଇ ପାରିଛି ,ଆଜିର ଏ ଯୁଦ୍ଧ ଭୂମିରେ। ଯୁଦ୍ଧ ଭୂମି ନୁହେଁ ତ ଆଉ କ'ଣ !! ହାରିବା ଜିତିବା ତ ସମୟ କହିବ।

ବାପା,ଅଗଣି ସାର୍ ଏମାନେ କେବେଠୁ ହଜି ଗଲେଣି ସମୟ ସୁଅରେ। ବାପା ଥିଲେ, ଆଜି ଫାଟି ପଡୁଥାଆନ୍ତେ ଗର୍ବରେ। ଆଉ ଦ୍ରୋଣାଚାର୍ଯ୍ୟଙ୍କ ଭଳି କଳଙ୍କିତ ଗୁରୁମାନେ??

କିଛି ଭାବିପାରୁନଥିଲା ଭାଷା। ଆଖି କୋଣରେ ତା'ର ଜକେଇ ଆସିଥିଲା ଲୁହ। ଅନ୍ୟମନସ୍କତାର ଅଗନା ଅଗନି ବନସ୍ତରେ ଘୁରି ବୁଲୁଥିଲା ସିଏ। ଅଡିଟୋରିୟମ୍ ର କେୟାରଟେକର୍ ହଲେଇ ଦେଇଥିଲା ତାକୁ।" ମାଡାମ୍, ଫଙ୍କସନ ସରିଗଲାଣି। ଲୋକମାନେ ଚାଲିଗଲେଣି। ଆପଣ ଏକା ଏକା ଶୋଇପଡିଥିଲେ ନା କ'ଣ ! ମୁଁ ପରା ହଲ୍ ବନ୍ଦ୍ କରିବି।" "ଆରେ ସତେ ତ ! ୟା ଭିତରେ ଏତେ ସମୟ ହେଇଗଲାଣି !! ସରି..."

ଭାଷା ଅଗଣି ସାର ଏକଲବ୍ୟ

Rate the content


Originality
Flow
Language
Cover design

Comments

Post

Some text some message..