ଅନୁଭୂତି - ୧୧ ( ବିଚରା ବିଡିଓ )
ଅନୁଭୂତି - ୧୧ ( ବିଚରା ବିଡିଓ )
ପୁରୁଣା କଥାଟେ ମନେ ପଡୁଛି । ଭାବୁଥିଲି ଲେଖିବି କି ନାହିଁ । ପରେ ସ୍ଥିର କଲି ମୁଁ ଲେଖିବି । ଆମର ତ ସମୟ ସରିଲାଣି । ନୂଆ ପିଢି ଯେଉଁ ମାନେ ଆସିଗଲେଣି ସେମାନେ ଅନ୍ତତଃ ତାହା ଜାଣିଲେ ସାବଧାନ ହେଇ ଦାୟୀତ୍ବ ନୀର୍ବାହ କରିବେ ଫଳରେ ଜନସାଧାରଣ କିଛି ସୁଫଳ ପାଇ ପାରିବେ ସେମାନଙ୍କର ସେବାରୁ । ଏହି ଉଦ୍ଦେଶ୍ୟ ନେଇ ମୁଁ ମୋର ଅନୁଭୂତି ପ୍ରକାଶ କରୁଛି । ଏମିତି ଏକ ବର୍ଷା ର ଦିନ ଥିଲା । ଝିପ୍ ଝିପ୍ ବର୍ଷା ଲାଗି ରହିଥିଲା ପୂର୍ବ ଦିନରୁ । ଚାରିଆଡେ ପାଣି । ଜିଲ୍ଲାପାଳ ପହଞ୍ଚି ସାରିଥାଆନ୍ତି ଆମ ଅଫିସ୍ରେ ବର୍ଷା ଜନିତ ସମସ୍ୟାର ସମୀକ୍ଷା ପାଇଁ । ବ୍ଲକକୁ ଜିଲ୍ଲାପାଳ ଆସିବା ଖବରଟି ମଲ୍ଲିଫୁଲ ବାସନା ପରି ଚାରିଆଡେ ଚହଟି ସାରିଥାଏ । ମୁଁ ଯଦିଓ ବି ମୋ ଅଫିସ୍ର ମୂଖ୍ୟ କାର୍ଯ୍ୟନିର୍ବାହୀ ତଥାପି ମୋତେ ଏହି ଖବରଟି ଜଣାନଥିଲା କି ଜିଲ୍ଲାପାଳ ଆସିବେ ସମୀକ୍ଷା ପାଇଁ । ହୁଏତ ଜିଲ୍ଲାପାଳ ସେହି ଭଳି କିଛି ଚାହିଁଥିବେ କି ମୁଁ ତାଙ୍କର ଆସିବା ଖବର ଯେପରି ନଜାଣିପାରେ । ଯାହାହେଉ ଜିଲ୍ଲାପାଳ ପହଞ୍ଚିବା ପରେ ମୋତେ ଅଫିସ୍ରେ ବସିଥିବାର ଦେଖି ସାମାନ୍ୟ ଆଶ୍ଚର୍ଯ୍ୟ ପ୍ରକଟ କଲେ । ଜିଲ୍ଲାପାଳଙ୍କ ସହିତ ଗୁନ୍ଥିହେଇ ଆସିଥିବା କିଛି ଲୋକମାନେ, ଯିଏ ନିଜକୁ ତଥାକଥିତ ସାମ୍ବାଦିକ ବୋଲି ଜିଲ୍ଲାପାଳଙ୍କ ନିକଟରେ ପରିଚୟ ସୃଷ୍ଟି କରି ସାରିଥିଲେ, ମଧ୍ୟ ଆଶ୍ଚର୍ଯ୍ୟ ହେଇଗଲେ । ସେମାନଙ୍କ ଭିତରେ ଯୁକ୍ତିତର୍କର ଏକ ଗୁଞ୍ଜରଣ ମୋ କାନରେ ପଡୁଥାଏ । ମୁଁ ଅବଶ୍ୟ ବୁଝୁ ନଥିଲି କି ସେମାନେ ମୋତେ ଶୁଣେଇବା ଭଳି କଥା ହେଉଥିଲେ କି ଜିଲ୍ଲାପାଳ ମହୋଦୟଙ୍କ ସହିତ ଆସିଥିବାରୁ ସାମାନ୍ୟ ଉନ୍ମତ୍ତ ହେଇଯାଇଥିଲେ । ମୋର ଜଣେ ସହକର୍ମୀ ମୋତେ ଖବର ଦିଆଇଲେ ଯେ ସେ ଅଞ୍ଚଳର କିଛି ଲୋକ ଜିଲ୍ଲାପାଳଙ୍କ ଆଗରେ ଫେରାଦ ହେଇଥିଲେ କି ମୁଁ ଅଫିସରେ ରହୁନାହିଁ ତେଣୁ ବର୍ଷାଜନିତ ଯେଉଁ ସମସ୍ୟା ଉପୁଜିଛି ତାହା ସମାଧାନ ହେବା ପରିବର୍ତ୍ତେ ଏକ ଭୟଙ୍କର ରୂପକୁ ରୂପାନ୍ତରିତ ହେବାକୁ ଯାଉଛି । ମୋତେ ଆଉ ଅବୁଝା ରହିଲାନି ଜିଲ୍ଲାପାଳ ଏତେ ସକାଳୁ କାହିଁକି ଆସି ପହଞ୍ଚି ଯାଇଥିଲେ ଆମ ଅଫିସ୍ରେ ।
ଯେଉଁ ଖଳ ପ୍ରକୃତିର ଲୋକମାନେ ଜିଲ୍ଲାପାଳଙ୍କୁ ମୋ ବିରୁଦ୍ଧରେ ବିଭ୍ରାନ୍ତ କରି ସଫଳ ହେଲେ ନାହିଁ ସେମାନେ ଅନ୍ୟ ଏକ ଚାଲ୍ ଖେଳିବକୁ ଚେଷ୍ଟା କଲେ । ସେମାନେ ଆସିଥିବା କିଛି ସାମ୍ବାଦିକ ବନ୍ଧୁଙ୍କୁ ବିଭିନ୍ନ ଉପାୟରେ ମତେଇ ମୁଁ ଜାଣିବା ପୂର୍ବରୁ ପାଖରେ ଥିବା ଏକ ଗାଁ କୁ ନେଇଗଲେ ଏବଂ ସେହି ଗାଁର କୋଠଘରର ବାରଣ୍ଡାରେ ଶୋଇଥିବା ଜଣେ ଅସହାୟ ମହିଳାଙ୍କୁ ଦେଖେଇ ସେ ଯେ ଅନାହାର ଜନିତ ମୃତ୍ୟୁ ପ୍ରତ୍ୟାସୀ ବୋଲି ସେମାନଙ୍କ ମନରେ ଭ୍ରମ ସୃଷ୍ଟି କରେଇବାରେ ସକ୍ଷମ ହେଲେ । ସାମ୍ବାଦିକ ମାନେ ଉତ୍ସାହିତ ହେଇ ପଡିଲେ । କ୍ୟାମେରା ଚାଲିଲା । କିଛି ନିଜ ଲୋକଙ୍କର ବାଇଟ୍ ପାଇଁ ବୁମ୍ ପ୍ରସ୍ତୁତ ହେଇଗଲା । ନିଷ୍କର୍ଷ ହେଲା ସରକାରୀ ଅଧିକାରୀଙ୍କ ନାକତଳେ ଜଣେ ଅସହାୟ ମହିଳା ଅନହାରରେ ରୋଗଗ୍ରସ୍ତ ଅବସ୍ଥାରେ ପଡିରହିଥିଲେ ବି ପ୍ରଶାସନ ର ଅବହେଳା ପାଇଁ ମୃତ୍ୟୁ ଅପେକ୍ଷାରେ ପଡିରହିଛନ୍ତି । ସେହି ଗାଁରେ ଅନେକ ସରକାରୀ କାର୍ଯ୍ୟ ଗ୍ରାମବାସୀଙ୍କ ସହାୟତାରେ କରାଯାଇ ପାରିଥିଲା । ତେଣୁ ଆମ ପ୍ରତି ଅଧିକ ଜନ ସମର୍ଥନ ଥିଲା ସେହି ଗ୍ରାମରେ । କିଛି ଗ୍ରାମବାସୀ ଏକାଠି ହେଇ ସାମ୍ବାଦିକଙ୍କର ଏଭଳି ଏକ ପ୍ରୟାସକୁ ବିରୋଧ କଲେ । ତାଙ୍କର କ୍ୟାମେରା ଓ ବୁମ୍ ଆଦି ଛଡେଇ ନେଲେ । ପୋଲିସ୍ ଖବର ପାଇ ସେ ଗାଁ ରେ ପହଞ୍ଚିଲେ । ପୋଲିସ ମଧ୍ୟସ୍ଥତାରେ ଗ୍ରାମବାସୀ ସାମ୍ବାଦିକ ମାନଙ୍କୁ ତାଙ୍କର ସାଜ-ସରଞ୍ଜାମ ସହିତ ଛାଡିଦେଲେ । ସେହି ଗ୍ରାମର ଜଣେ ସ୍ବେତ୍ସାସେବୀ ଏ କଥା ମୋତେ ମୋବାଇଲ୍ ମାଧ୍ୟମରେ ଜଣେଇ ସାରିଥିଲେ ।
ଏହି ବିଷୟ ପ୍ରଚାର ହେବା ଆଗରୁ ମୁଁ ମୋ ସହକର୍ମୀ ମାନଙ୍କୁ ପଠାଇ ସେହି ମହିଳାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାକୁ ନେବାର ବନ୍ଦୋବସ୍ତ କରି ସାରିଥାଏ । ଡାକ୍ତରଙ୍କ ଠାରୁ ଜାଣିବାକୁ ମିଳିଲା ମହିଳା ଜଣଙ୍କ ଜଣେ ସ୍ତନ କର୍କଟରେ ଆକ୍ରାନ୍ତ ରୋଗୀ ଏବଂ ସେ ସେହି ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଦୁଇଦିନ ତଳେ ସେ ସୁସ୍ଥ ଅନୁଭବ କରିବାରୁ ଗାଁ କୁ ଯାଇଥିଲେ । ଏହାପରେ ଆମର ମନୋବଳ ବଢି ଯାଇଥାଏ । ସାମ୍ବାଦିକ ମାନେ ଗ୍ରାମବାସୀଙ୍କ ଦ୍ବାରା ହେଇଥିବା ହିନସ୍ତାକୁ ଭୁଲି ନଥାଆନ୍ତି । ସେମାନେ ଜିଲ୍ଲାପାଳଙ୍କୁ ମୋ ଉପସ୍ଥିତିରେ ଘଟଣାଟିକୁ ତିଳ କୁ ତାଳ କରି ବର୍ଣ୍ଣନା କଲେ ଏବଂ ଜୋର ଦେଇ କହିଲେ ଯେ ମୋ ପ୍ରରୋଚନାରେ ଗ୍ରାମବାସୀ ସେମାନଙ୍କୁ କିପରି ହିନସ୍ତା କଲେ । କଥାରେ କହନ୍ତି ଚୂଡା କୁ ଗୁଡ ସାକ୍ଷୀ । ପୁର୍ବ ବର୍ଣ୍ଣିତ ଖଳ ଲୋକ ମାନେ ମୁଣ୍ଡ ଟୁଙ୍ଗାରି ସାମ୍ବାଦିକ ମାନଙ୍କୁ ସମର୍ଥନ କରି ଚାଲିଲେ । ସେମାନେ ଜାଣି ନଥିଲେ ଯେ ସେହି ମହିଳାଙ୍କୁ ପୁନର୍ବାର ଡାକ୍ତରଖାନାରେ ଭର୍ତ୍ତି କରା ସରିଲାଣି ।
ଜିଲ୍ଲାପାଳ ଚିନ୍ତିତ ହେଲେ । ବିରକ୍ତ ହେଲେ ସତେ ଯେମିତି ମୋ ଚାକିରୀଟା ଖାଇଦେବେ । ମୋତେ ବିରୋଧ କରୁଥିବା ଲୋକମାନଙ୍କ ମୁହଁରେ ସ୍ମିତ ହାସ୍ୟ ଫୁଟି ଉଠିଲା । ଖୁସିରେ ତାଙ୍କ ଭିତରେ ପାନ ଦିଆ ନିଆ ଚାଲିଲା । ମୁଁ ଏବଂ ମୋର ସହକର୍ମୀ କେତେଜଣ ଚୋରଙ୍କ ପରି ଠିଆ ହେଇଥାଉ । ଜିଲ୍ଲାପାଳ ତାଙ୍କର ଗାଳି ମଝିରେ ତାଙ୍କ ବାହାଦୂରୀର ଗାଥା ମଧ୍ୟ ପଞ୍ଚ୍ କରୁଥାଆନ୍ତି । ମୋ କାନରେ ସହକର୍ମୀମାନେ କହି ଚାଲି ଥାଆନ୍ତି ସଠିକ୍ ଘଟଣାଟି ଜିଲ୍ଲାପାଳଙ୍କୁ କହିଦେବା ପାଇଁ । କିନ୍ତୁ ଯେଭଳି ଅନର୍ଗଳ ଗାଳି ଚାଲିଥାଏ ସେ ଭିତରେ ଫାଙ୍କା ମିଳୁନଥାଏ ଅସଲ କଥାଟି କହିବାକୁ । ମୁଁ ଫୋନ କରି ଡାକ୍ତରଙ୍କୁ କିନ୍ତୁ କହି ସାରିଥାଏ ଯେ ସେହି ମହିଳା ରୋଗୀଙ୍କର ସମସ୍ତ ତଥ୍ୟ ନେଇ ସେ ଜିଲ୍ଲାପାଳଙ୍କ ସହିତ ତୁରନ୍ତ ଆଲୋଚନା କରନ୍ତୁ । ମୋ କହିବା ଅନୁସାରେ ଡାକ୍ତର ବାବୁ ସେହି ମହିଳାଙ୍କର ରୋଗର କୁଣ୍ଡଳୀ ହାତରେ ଧରି ଆସି ଆମ ଅଫିସ୍ରେ ପହଞ୍ଚିଗଲେ ।
ଡାକ୍ତର ବାବୁ ଙ୍କୁ ମୁଁ ଜିଲ୍ଲାପାଳଙ୍କ ସହିତ ପରିଚୟ କରେଇଦେଲି । ଡାକ୍ତର ବାବୁ କହିଲେ ଯେ ଚର୍ଚ୍ଚିତ ଭଦ୍ର ମହିଳା ବ୍ଲକ ପ୍ରଶାସନ ଅନୁରୋଧରେ ତାଙ୍କ ପାଖରେ ଗତ ମାସରୁ ଚିକିତ୍ସିତ ହେଉଥିଲେ । ଦୁଇଦିନ ତଳେ ସେ ଡାକ୍ତରଖାନାରୁ ଲୁଚି ପଳେଇଗଲେ । ତାଙ୍କୁ ଖୋଜା ଯାଉଥିଲା ଏବଂ ଆଜି ତାଙ୍କୁ ଠାବ କଲାପରେ ପୁଣି ବ୍ଲକ ଗାଡିରେ ନେଇ ଡାକ୍ତରଖାନାରେ ପହଞ୍ଚାଯାଇଛି । ସେ ଜଣେ କ୍ୟାନ୍ସର୍ ରୋଗୀ । ତାଙ୍କର ଚିକିତ୍ସା ପାଇଁ ଅନ୍ୟ ସ୍ବତନ୍ତ୍ର ସୁବିଧା ଥିବା ଡାକ୍ତରଖାନାକୁ ନିଆଯିବା ଦରକାର । ତାଙ୍କ ପରିବାରର କେହି ସେ ଦିଗରେ ଆବଶ୍ୟକ ପଦକ୍ଷେପ ନେଉ ନାହାନ୍ତି । ସେ ଯନ୍ତ୍ରଣା ଯୋଗୁଁ ବ୍ୟସ୍ତ ହେଉଛନ୍ତି । ଜିଲ୍ଲାପାଳ ତୁରନ୍ତ ସେହି ଗାଁକୁ ଥାଟ ପଟୁଆରରେ ଗଲେ , ଜାଣିବା ପାଇଁ କି ପ୍ରକୃତ ଘଟଣାଟି କଅଣ । ସତରେ ତାଙ୍କୁ ବ୍ଲକ ତରଫରୁ ଆବଶ୍ୟକ ସାହାର୍ଯ୍ୟ ଯୋଗାଇ ଦିଆ ଯାଇଛିକି ନାହିଁ । କାରଣ ଜିଲ୍ଲାପାଳ କିଛି ଖଳ ଲୋକଙ୍କ ଦ୍ବାରା ବ୍ଲକ ପ୍ରଶାସନ ବିରୁଦ୍ଧରେ ପୂର୍ବରୁ ପ୍ରରୋଚିତ ହେଇ ସାରିଥିଲେ ।
ଗାଁ ରେ ପଚରାଉଚୁରା ପରେ ଜଣାଗଲା ଉକ୍ତ ଭଦ୍ର ମହିଳା ଜଣଙ୍କର ପୁଅଟିଏ ରହୁଛି ସେହି ଗାଁରେ କିନ୍ତୁ ସେ ତଙ୍କ ସ୍ବାମୀଙ୍କର ମୃତ୍ୟୁ ପରେ ଦ୍ବିତୀୟ ବିବାହ କରି ସେହି ପିଲାକୁ ଅନାଥ କରିଦେଇଥିବାରୁ ସେ ପୁଅ ବର୍ତ୍ତମାନ ତାଙ୍କ ପ୍ରତି କୌଣସି ସହାନୁଭୁତି ଦେଖାଏ ନାହିଁ । ମହିଳାଙ୍କର ପ୍ରଥମ ସ୍ବାମୀ ଙ୍କ ମୃତ୍ୟୁପରେ ଯେହେତୁ ତାଙ୍କର ସମସ୍ତ ସ୍ଥାବର ସମ୍ପତ୍ତି ମହିଳାଙ୍କ ନାମରେ ଦରଜ ହେଇ ସାରିଥିଲା ତେଣୁ ସେ ସରକାରୀ ବିପିଏଲ ତାଲିକାରେ ଆସୁନଥିଲେ । ଏଣେ ଦ୍ବିତୀୟ ବିବାହ କରିଥିବାରୁ ପ୍ରଥମ ସ୍ବାମୀଙ୍କର ସମ୍ପତ୍ତି ଉପରୁ ସେ ତାଙ୍କର ଦାବୀ ବସ୍ତୁତଃ ହରେଇ ସାରିଥିଲେ । ତେଣୁ ମହିଳା ଜଣକ କୌଣସି ସରକାରୀ ସୁବିଧା ମଧ୍ୟ ପାଇ ପାରୁନଥିଲେ । ଗ୍ରାମବାସୀ କେତେବେଳେ କେମିତି ତାଙ୍କୁ ଖାଇବା ପିଇବାକୁ ଦେଇ ସେବା ଶୁଶ୍ରୂଷା ଯୋଗାଉଥିଲେ । ମହିଳା ଜଣକ ତେଣୁ ନିଜ ଭାଗ୍ୟ କୁ ଆଦରି ପଡି ରହିବା ଛଡା ତାଙ୍କ ପାଖରେ ଅନ୍ୟ କିଛି ଉପାୟ ନଥିଲା ।
ଜିଲ୍ଲାପାଳ ପୁଣି ଡାକ୍ତରଖାନାକୁ ଯାଇ ଉକ୍ତ ମହିଳାଙ୍କୁ ସାକ୍ଷାତ କରିବାକୁ ଚାହିଁଲେ । କାରଣ ସେ ନିଜେ ମଧ୍ୟ ସାଙ୍ଗରେ ଧରି ଆସିଥିବା ତଥାକଥିତ ସାମ୍ବାଦିକ ବନ୍ଧୁ ଓ ସହଯୋଗୀଙ୍କର କଟାକ୍ଷରେ ବିବ୍ରତ ହୋଇ ପଡୁଥିଲେ । ଅବଶ୍ୟ ବିବ୍ରତ ହେବାର କାରଣ ମଧ୍ୟ ଥିଲା । ମୋର ଯାହା ମନେ ପଡୁଛି ସେତେବେଳେ ଏକ ନିର୍ଦ୍ଦେଶନାମା ଥିଲା କି ଯେଉଁ ଅଞ୍ଚଳରେ ଅନାହାର ମୃତ୍ୟୁ କିମ୍ବା ଏହି ପ୍ରକାରର କୌଣସି ଅଘଟଣ ଘଟେ ତେବେ ଜିଲ୍ଲାପାଳ ସେଥିପାଇଁ ନିଜେ ଦାୟୀ ରହିବେ । ତେଣୁ ସେ ଡରି ଯାଇଥିଲେ କି ଯଦି ଗଣ ମାଧ୍ୟମରେ ପ୍ରଚାର ହେଇଯିବ ହୁଏତ ତାଙ୍କ ଜିଲ୍ଲାପାଳ ଚୌକି ପଳେଇବ । ତେଣୁ ନିଜ କୁ ରକ୍ଷା କରିବାକୁ ଯାଇ ସେ ତାଙ୍କ ବନ୍ଧୁକ ରଖିଦେବାକୁ କାନ୍ଧଟିଏ ଖୋଜି ଲାଗିଥିଲେ । ସେ ବୋଧହୁଏ ଭାବୁଥିଲେ କି ମୋ କାନ୍ଧଟି ତାଙ୍କ ଉଦ୍ଦେଶ୍ୟ ପୁରଣ କରିଦେଇପାରିବ । କିନ୍ତୁ ଗ୍ରାମବାସୀ ଏ ସବୁ ପାଖରେ ରହି ତଦାରଖ କରୁଥିବାରୁ ସେ ହୁଏତ ସାହାସ କଲେନି ।
ସ୍ଥାନୀୟ ଥାନା ଅଧିକାରୀ, ଡାକ୍ତରବାବୁ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ପିଡିତା ମହିଳାଙ୍କର ବୟାନ ଲିପିବଦ୍ଧ କରାଗଲା । ପ୍ରତିଟି ପ୍ରଶ୍ନର ଉତ୍ତରରେ ଜିଲ୍ଲାପାଳ ସ୍ପଷ୍ଟ କରିଦେବାକୁ ଚାହୁଁଥିଲେ କି ଉଚିତ୍ ସମୟରେ ତାଙ୍କୁ ବ୍ଲକରୁ ଏହି ଘଟଣା ସମ୍ପର୍କରେ ଅବଗତ କରାଯାଇନି ଏବଂ ସେ ଧନ୍ୟବାଦ ଦେବାକୁ ଚାହୁଁଥିଲେ ସେହି ଚକ୍ରାନ୍ତକାରୀ ଖଳ ଲୋକଙ୍କୁ ଯେଉଁମାନେ ଅଘଟଣ ଘଟିଯିବା ପୂର୍ବରୁ ଅନ୍ତତଃ ତାଙ୍କୁ ଅବଗତ କରିଛନ୍ତି ଏ ବାବଦରେ । ପରିସ୍ଥିତି ଆମ ଆୟତ୍ତ ରେ ନଥିବାରୁ ଆମେ ବ୍ଲକର ସମସ୍ତ କର୍ମଚାରୀ ଚୁପଚାପ ଛିଡା ହେଇଥାଉ । କିଛି ଗ୍ରାମବାସୀ ଯେଉଁମାନେ ପ୍ରଶାସନକୁ ସବୁବେଳେ କାର୍ଯ୍ୟ ସଂପାଦନରେ ସାହାଯ୍ୟ କରିଥାଆନ୍ତି ସେମାନେ ଏ ସବୁ ଅନୁମାନ କରିନେଇ ଜିଲ୍ଲାପାଳଙ୍କୁ ତଥାକଥିତ ଅଭିଯୋଗ କାରୀଙ୍କ କାରନାମା ବିଷୟରେ ଉଲ୍ଲେଖ କରିବାକୁ ଆରମ୍ଭ କରିଦେଲେ । ଅବସ୍ଥା ଧୀରେ ଧୀରେ ଅସମ୍ଭାଳ ହେଲାପରି ଅନୁଭବ କଲାପରେ ଜିଲ୍ଲାପାଳଙ୍କର ସାମ୍ବାଦିକ ବନ୍ଧୁମାନେ ତଥା ଅଭିଯୋଗକାରୀ ଗଣ ସେ ସ୍ଥାନ ଛାଡି ସମସ୍ତଙ୍କ ନଜର ଆଢୁଆଳରେ ଲୁଚିଛପି ଚାଲିଗଲେ । ଜିଲ୍ଲାପାଳ ଏକଲା ପଡିଗଲେ ଯଦିଓ ଆମେ ସମସ୍ତେ ବ୍ଲକ କର୍ମଚାରୀ ସେଠାରେ ଉପସ୍ଥିତ ରହିଥିଲୁ ତଥାପି ଜିଲ୍ଲାପାଳ ଆମକୁ ବିଶ୍ବାସକୁ ନେଇ ପାରୁନଥିଲେ । ଜିଲ୍ଲାପାଳ ଯେଉଁ ଭାଷାରେ ଆମକୁ ଗାଳି ଦେଇଥିଲେ ଟିକିଏ ପୂର୍ବରୁ ଆମ ଦାୟୀତ୍ବହୀନତା ପାଇଁ ସେଥିରେ କର୍ମଚାରୀ ମାନେ ଗଭୀର ଭାବରେ ରାଗି ଯାଇଥିଲେ । ସେମାନେ ବରଂ ଏ ତାମସା ଦେଖିବାକୁ ଠିଆ ହେଇଥିଲେ । ମୁଁ ଅନୁଭବ କଲି ଯଦି ଏହି ଘଟଣାକୁ ତୁରନ୍ତ ଶେଷ କରାନଯାଏ ତେବେ ପ୍ରଶାସନର ମର୍ଯ୍ୟଦା ଉପରେ ଆଞ୍ଚ ଆସିପାରେ । ତେଣୁ ମୁଁ ଜିଲ୍ଲାପାଳଙ୍କୁ ଗ୍ରାମବାସୀଙ୍କ ଘେର ଭିତରୁ ବହାର କରି ବ୍ଲକ ଅଫିସ୍ ରେ ବାକିଆ ତଦନ୍ତ କରିବା କହି ବ୍ଲକ ଅଫିସ୍ କୁ ନେଇ ଆସିଲି । ଜିଲ୍ଲାପାଳ ପ୍ରକୃତିସ୍ଥ ହେବାପରେ ସଦର ମହକୁମାକୁ ଫେରି ଯାଇଥିଲେ । କିଛି ଦିନ ପରେ ମୁଁ ଖବର ପାଇଲି ସେଦିନର ଘଟଣା ପାଇଁ ସରକାର ମୋ ନାମରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଲେଣି ।
( ସମାପ୍ତ)