Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଜହ୍ନମାମୁଁ -20
ଜହ୍ନମାମୁଁ -20
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children

3 Minutes   7.0K    12


Content Ranking

ସଂଚୟର ମହତ୍ୱ 2



ଅନନ୍ତ ପୂର୍ବପରି ଏଥର ମଧ୍ୟ ବାଣୀର ଉତ୍ସାହକୁ ଏତେଟା ଗୁରୁତ୍ୱ ଦେଲା ନାହିଁ, ସେ କହିଲା, “ଘର ତୋଳିବା କିଛି ପିଲାଖେଳ ନୁହେଁ । ଇଟା, ଚୁନ, ସିମେଂଟ, କାଠ ଏମିତି କେତେ ଜିନିଷ କିଣିବାକୁ ପଡିବ । ସେଥିରେ ମଜୁରୀ ପୁଣି ଏବେ ବହୁତ ବଢିଗଲାଣି । ଆମ ପରି ସାଧାରଣ ଲୋକର ଏହି ମହଙ୍ଗା ଯୁଗରେ ଘର କରିବାର ଶକ୍ତି ଆଦୌ ନାହିଁ ।”

ବାଣୀ ଅନନ୍ତର କଥାରେ ପ୍ରତିବାଦ କରି କହିଲା “ତୁମେ ଏପରି କହି ଆଦୌ କୌଣସି ଚେଷ୍ଟା କରୁ ନାହଁ । ପ୍ରଥମେ ଆମ ପାଖରେ ଯେତିକିବି ଟଙ୍କା ଅଛି ସେହିଥିରେ କାନ୍ଥ ଉଠାଇ ଦେବା ତା’ପରେ କାଠ, ଛାତ ବିଷୟରେ ଭାବିବା । ଯେମିତି ହେଉ ପଛେ ମୁଁ ନିଜର ଏକ ଘର ଠିଆ କରାଇବି । ତୁମେ ଚୁପ୍ ହୋଇ ରହିଥିଲେ ରହିଥାଅ ।”

ଅନନ୍ତ କିଛି ନ କହି ସେଠାରୁ ବାହାରିଗଲା । ବାଣୀ ତା’ ପାଖରେ ଯେତିକି ଟଙ୍କା ଥିଲା, ତାକୁ କାଢି ଗଣିଲା । ମିସ୍ତ୍ରୀଙ୍କ ସହିତ ଆଲୋଚନା କରି ଜମିଦାର ଦେଇଥିବା ଜାଗାରେ ନିଅଁ ଖୋଳିବା ପାଇଁ ସେ ବରାଦ ଦେଲା । ଯେହେତୁ ଅନନ୍ତ ଏହି ବିଷୟରେ କିଛି ବି ନ କହି ଚୁପ୍ ରହିଲା, ବାଣୀ ତାକୁ ନ ଜଣେଇ ନିଜ ଚେଷ୍ଟାରେ ଯାହା କିଛିବି ହୋଇ ପାରିବ, ତାହା କାର୍ଯ୍ୟକାରୀ କରିବା ପାଇଁ ଆରମ୍ଭ କଲା ।

ଅଳ୍ପଦିନ ଭିତରେ ନିଅଁ ପଡି କାନ୍ଥ ତୋଳା ହୋଇଗଲା । ଏହାପରେ ବାଣୀ, ଗ୍ରାମରେ ରହୁଥିବା ତା’ର ଭାଇଙ୍କ ନିକଟକୁ କାଠ ପାଇଁ ଖବର ପଠାଇଲା । ଭାଇ ନିଜର ବାଡିରେ ଥିବା ଗଛରୁ କିଛି କାଠ ଯୋଗାଡ କରି ଦେଲେ ଓ ଭଉଣୀର ଉଦ୍ୟମରେ ତାକୁ ସେ ସାହାଯ୍ୟ କଲେ ।

କବାଟ, ଝରକାର ବନ୍ଦୋବସ୍ତ ହୋଇଗଲା । ବାଣୀ ପାଖରେ ଥିବା ସମସ୍ତ ଅର୍ଥ ଖର୍ଚ୍ଚ ହୋଇଗଲା । କିନ୍ତୁ ସେତେବେଳକୁ ଛାତ କାମ ମୋଟେ ହୋଇ ନ ଥାଏ ।

ଏପରି ସ୍ଥିତିରେ ଦିନେ ଅନନ୍ତ ଭୋଜନ ପରେ ବିଶ୍ରାମ ନେଉଥିବା ସମୟରେ ବାଣୀ ତାକୁ କହିଲା ।, “ତୁମର କେହି ବନ୍ଧୁଙ୍କ ଠାରୁ କିଛି ଅର୍ଥ କରଜ ଯୋଗାଡ ହୋଇପାରିବ କି? ଛାତ କାମ ସରିଗଲେ, ଘର ସମ୍ପୂର୍ଣ୍ଣ ହୋଇଗଲା ଜାଣ । ଛାତ ପାଇଁ କେତେ ଖଣ୍ଡ କଡି ବରଗା ଓ ଟାଇଲ୍ ଲୋଡା । ତୁମେ ଏଥିପାଇଁ କିଛି ଅର୍ଥ ଯୋଗାଡ କରିପାରିଲେ ଭାରି ଭଲ ହୁଅନ୍ତା ।”

ଅନନ୍ତ ବିରକ୍ତ ହୋଇ କହି ଉଠିଲା, “ମୁଁ କେତେବେଳେ କାହାକୁ ହାତ ପତାଇବାର ତୁମେ ଦେଖିଛ? ଘରକାମ ପୁରା ହେଲେ ହେଉ, ନ ହେଲେ ନାହିଁ, ମୋର ସମ୍ମାନରେ ଆଂଚ ଆସିବା ପରି କାମ ମୁଁ ଆଦୌ କରିବି ନାହିଁ ।”

ଏହି ଘଟଣାର ଠିକ୍ ଦୁଇଦିନ ପରେ ଗ୍ରାମରୁ ବାଣୀର ଜଣେ ବାନ୍ଧବୀ ସହରକୁ ବୁଲି ଆସିଲେ । ଦୁଇ ବାନ୍ଧବୀ ସୁଖଦୁଃଖ ହେଉଥିବା ସମୟରେ ବାଣୀ ନିଜର ଅଭାବ ଅସୁବିଧା କଥା ତାଙ୍କୁ ଜଣାଇଲା । ସେ କହିଲେ, “ସେଥିପାଇଁ ଆଦୌ ବ୍ୟସ୍ତ ହେବୁ ନାହିଁ । ଆମ ବାଡିରେ ଅନେକ ତାଳଗଛ ଅଛି । କଡି, ବରଗା ପାଇଁ ତାହା ଖୁବ୍ ମଜଭୁତ୍ ହେବ । ମୁଁ ଗ୍ରାମକୁ ଯାଇ ତୋର ଯାହା କିଛିବି ଦରକାର ସେତକ ପଠାଇଦେବି ।” ବାନ୍ଧବୀର ଏଭଳି ପ୍ରତିଶୃତି ପାଇ ବାଣୀ ଟିକେ ଆଶ୍ୱସ୍ତ ହେଲା ।

ଏମିତି ସେହି କାଠରେ ଛାତର କଡି ବରଗା ହୋଇ ଗଲା ସିନା, ମାତ୍ର ଟାଇଲ୍ ଯୋଗାଡ ହୋଇ ନଥାଏ । ତେବେ ବାଣୀ ତା’ର ଉଦ୍ୟମ ସେମିତି ଜାରି ରଖିଥାଏ । ସହରରେ ଥିବା ଟାଇଲ୍ କାରଖାନାରୁ ସେ ଜାଣି ପାରିଲା ଯେ, ତା’ର ମାଲିକ ସବୁ ପଇସା ନ ରଖି କିସ୍ତିରେ ମଧ୍ୟ ଟାଇଲ୍ ବିକିବେ । କିନ୍ତୁ ଏଥିପାଇଁ କିଛି ପରିମାଣର ଅର୍ଥ ଓ ଜଣେ ଜଣାଶୁଣା ଲୋକ ମଧ୍ୟସ୍ଥି ହେବା ନିହାତି ଦରକାର । ବାଣୀ ଏଥିରେ ଖୁବ୍ ଚିନ୍ତିତ ହୋଇ ପଡିଲା । ଅନନ୍ତ କିଛି ନ କହୁଥିଲେ ମଧ୍ୟ ବୀଣାର ସମସ୍ତ କାର୍ଯ୍ୟକଳାପ ପ୍ରତି ତା’ର ତୀକ୍ଷ୍ନ ନଜର ଥାଏ ।

ତା’ ପରଦିନ ସକାଳବେଳା ବାଣୀ କବାଟ ପାଖରେ ବସି ନିଜ କେଶ ସଜାଡୁଥାଏ । ଦେଖିଲା, ଦୂରରୁ ଏକ ଟାଇଲ୍ ବୋଝେଇ ବଳଦଗାଡି ସେହି ଗଳିରେ ଆସୁଛି । କିଛି ସମୟ ପରେ ଗାଡିଟି ଠିକ୍ ତା ଦ୍ୱାର ସମ୍ମୁଖରେ ରହିଲା । ବାଣୀ ଆଶ୍ଚର୍ଯ୍ୟ ହୋଇ ବାହାରକୁ ଆସେ ତ, ଦେଖିଲା, ବଳଦଗାଡି ପଛେ ପଛେ ଅନନ୍ତ ମଧ୍ୟ ଆସିଛି ।

ବାଣୀକୁ ଅବାକ୍ ହୋଇ ଚାହିଁ ରହିଥିବାର ଦେଖି, ଅନନ୍ତ ସ୍ମିତ ହସି କହିଲା, “କ’ଣ ଏପରି ବୋକାଙ୍କ ପରି ଚାହିଁଛ? ଏହି ସବୁ ଟାଇଲ୍ ଆମ ଘରର ଛାତ ପାଇଁ ମୁଁ ଆଣିଛି । ତୁମେ ତ ଏହା ପ୍ରମାଣ କରି ଦେଖାଇଦେଲ ଯେ, ପ୍ରଚେଷ୍ଟା କଲେ ମନୁଷ୍ୟ ପକ୍ଷେ କୌଣସି କାର୍ଯ୍ୟବି ଅସାଧ୍ୟ ନୁହେଁ । ଏବେ ଶେଷ ମୁହୂର୍ତ୍ତରେ ମୁଁ କିଛି ସାହାଯ୍ୟ ନ କରି ଚୁପ୍ ରହିଲେ, ପ୍ରକୃତରେ ଏହା ବଡ ଅନ୍ୟାୟ ହେବ । ତେଣୁ ଡେରିରେ ହେଉ ପଛେ ମୁଁ ମୋର ଦାୟିତ୍ୱ ପ୍ରତି ସଚେତନ ହେଲି ।”

ବାଣୀ ବହୁଦିନରୁ ପତିଙ୍କ ଠାରେ ଏପରି ପରିବର୍ତ୍ତନକୁ ଆଶା କରି ରହିଥିଲା । ତେଣୁ ଅନନ୍ତର ଏଭଳି କଥାଶୁଣି ତା’ର ଆନନ୍ଦର ଆଉ କୌଣସି ସୀମା ରହିଲା ନାହିଁ । ସେ ଖୁସିରେ କହି ଉଠିଲା, “ଘର ତୋଳିବାରେ ତୁମେ ଯଦି ଟିକେ ଆଗରୁ ଏତିକି ସହଯୋଗ କରିଥାଆନ୍ତ, ତେବେ ଭଡା ଘରେ ରହିବାର ଦୁଃଖରୁ ଆମକୁ କେବେଠାରୁ ମିଳି ସାରନ୍ତାଣି ।”

ଅନନ୍ତ ପତ୍ନୀଙ୍କ ଆନନ୍ଦରେ ଭାଗ ନେଇ କହିଲା, “ପ୍ରକୃତରେ ଏପରି ଦୁଃସ୍ଥିତିରୁ ଉଦ୍ଧାର ପାଇଁ ତୁମର ଅବଦାନ ସବୁଠୁ ବେଶୀ, ଯେଉଁ ପତ୍ନୀ, ପତିର ଆୟର ଦୁରୁପଯୋଗ ନ କରି, ସଂଚୟ ମନୋବୃତ୍ତିରେ ପରିବାର ଚଳାଇବେ, ତାଙ୍କର ପରିବାରରେ ଏପରି ଅସାଧ୍ୟ କାର୍ଯ୍ୟ ସାଧନ ହେବା କିଛିବି ଅସମ୍ଭବ କଥା ନୁହେଁ ।”

ଜହ୍ନମାମୁଁ ମହତ୍ୱ ବିଶ୍ରାମ

Rate the content


Originality
Flow
Language
Cover design

Comments

Post

Some text some message..