Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ମୁଁ
ମୁଁ
★★★★★

© Arabinda Rath

Comedy

11 Minutes   14.6K    14


Content Ranking




ଲେଖା- ଅରବିନ୍ଦ ରଥ



ମହାବଳ ଘର ଆଗରେ ଗାଁଆଟା ଯାକର ମାଇପି ଜମା ହୋଇଛନ୍ତି। ସେ ମୁହଁ କୁ ବିରୁଡି ବିନ୍ଧିଲା ପରି କରି, ଆଗକୁ ପଛକୁ ଚାଲିବାରେ ବ୍ଯସ୍ତ। ହଠାତ୍ ଘର ଭିତରୁ କୁଆଁ କୁଆଁ ଡାକ ଶୁଭିଲା। ଜଣେ କୋତରୀ ବୁଢୀ ପଦାକୁ ଆସି ପାକୁଆ ପାଟିରେ ହସ ଖେଳାଇ, ଶୁଭ ଖବର ଟା ଦେଲା। ଚିତା ର ଗର୍ଭରୁ ମହାବଳର ଉତ୍ତରାଧିକାରୀ ଜନ୍ମ ନେଲା। ମହାବଳ ଖୁସିରେ ଡେଇଁ ପକେଇଲା। ବିଚରା ଦରବୁଢା ହେଲାଣି। ବାହାଘର ହେବାର କୋଡିଏ ବର୍ଷ ପରେ ତା ଘରେ କୁଆଁ ଡାକ ଶୁଭିଲା। ହାତଯୋଡି ମା ତାରିଣୀଙ୍କ ପାଇଁ ନଡିଆ, ଧୂପ ଓ ପାଞ୍ଚ ଟଙ୍କା ଯାଚି, ଗାଁଆ ସାରା ଖବର ଦେବାକୁ ମାଡିଗଲା।

ବାଟ ସାରା ଯିଏ ଦେଖିଲା ଉପଦେଶ ଦେଇ ମହାବଳର କାନ ମୁଣ୍ଡ ଭାଁ ଭାଁ କରିଦେଲେ। କିଏ କହିଲା - ମୁଁ କହୁଥିଲି ପରା ପୁଅ ହବ। ଚିତା ର ପେଟ ଟା ଯେମିତି ଲାଉତୁମ୍ବା ପରି ବଢୁଥିଲା, ଯିଏ ନାଇଁ ସିଏ କହିଦେବ ଯେ ପୁଅ ଜନମ ହେବ। ଆଉ କିଏ କହିଲା –ଆରେ ମହାବଳ ଭାଇ ମୁଁ ତୋତେ କହିଥିଲି ନା, ଚିତା କୁ ଖାଣ୍ଟିଗୁଆ ଘିଅ ସହ ଡାଳିମ୍ବ ମଞ୍ଜି ଭାଜି ଖାଇବାକୁ ଦେ ; ସେତିକି ଦେଲେ ଷଣ୍ଢ ବି ପୁଅ ବେଇ ଦେବ। ପୁଣି କିଏ କହିଲା – ମୁଁ ତୋତେ ସେ କୁକୁଡାଖାଇ ଠାକୁରାଣୀଙ୍କ ପାଖେ ପୁଞ୍ଜେ ଡିମ୍ବ ଭୋଗ ଯାଚିବାକୁ କହି ନ ଥିଲି? ଏବେ ଦେଖ୍ , ତୁ ଡିମ୍ବ ଯାଚିଲୁ ଆଉ ଚିତା ଗର୍ଭରୁ ଗୋଟେ ଡିମ୍ବ ମୁଣ୍ଡିଆ ବାହାରିଲା।

ମହୁଫେଣା ଚାରିପଟେ ମହୁମାଛି ଭିଣିଭିଣି ହେଲା ପରି ଲୋକ ଗୁଡାକ ନାହିଁ ନ ଥିବା ଅବସ୍ଥା କରିଦେଲେ। କିଛି ବାଟ ନ ପାଇ ମହାବଳ କହିଲା-- ଭାଇ ମାନେ, ଆପଣଙ୍କ ସାହାଯ୍ଯ ନ ପାଇଥିଲେ, କଣ ଚିତା ପୁଅ ଟେ ବେଇଥାନ୍ତା? ସବୁ ଆପଣଙ୍କ କୁରୁପା। ସେଇ ଖୁସି ରେ ମୋ ଘରେ ପୁଅ ଏକୋଇଶିଆ ଦିନ ଖାସି ଟାଏ କାଟିବା। କିଛି ବୁଢା, ହଡା ମାନେ ନାକ ଟେକିଲେ। ଗୁମୁରି କହିଲେ-- କେଡେ ଅଲଜ୍ଜା ଟା ହୋ? ତ୍ରିନାଥ ମେଳା କରି ସିରିଣି ବାଣ୍ଟିବା ଭୁଲି, ଖାସି କଟା କଥା କହିଲାଣି। ମାତ୍ର ଟୋକା ଟାକଳିଆ ମାନେ ଚିହିଁକି ଉଠି କହିଲେ-- ହୋଃ ମଉସା, ଏତେ ପଣ୍ଡିତିଆମି ଦେଖାନି ମ.. ଖାସି ଭିଡିବାକୁ ଦାନ୍ତ ନାହିଁ ବୋଲି ତ୍ରିନାଥ ମେଳା ସିରିଣି କଥା ସିନା କହୁଛ? ଦାନ୍ତ ଥିଲା ବେଳେ ପରା ବାଘ, ଭାଲୁଙ୍କୁ ମାରି କି ଚୋବେଇ ପକେଇଛ। ବେଳା ଖରାପ ଦେଖି ବୁଢା ମାନେ ଉପଦେଶ ପେଡି ବନ୍ଦ କରି ବସିଲେ।

ପୁଅ ମୁହଁ ଦେଖି ମହାବଳ ଖୁସିରେ କୁଦା ଟେ ମାରିଲା। ଯାହା ହଉ, ପୁଅ ଟା କେନ୍ଦୁକାଠ ରଙ୍ଗିଆ ହୋଇଛି। ଏମିତି ଚିରାଡ ମାରୁଛି ଯେ କାନ ପରଦା ଫାଟି ଯିବ। ମୁହଁ ର ବେଶି ଭାଗ ଆଖି ଦୁଇଟା ମାଡି ବସିଛି ; ପୁରା ଚକାଡୋଳିଆ ଆଖି। ଶାନ୍ତିରେ ନିଶ୍ବାସ ମାରି, ତା ମୁଣ୍ଡକୁ ଟିକେ ଆଉଁସି ଦେଲା।

ଗାଁଆର ବୁଢା ହଡାଙ୍କ କଥା କୁ ସମ୍ମାନ ଦେଇ ଏକୋଇଶିଆ ଦିନ ତ୍ରିନାଥ ମେଳାର ଆୟୋଜନ ହେଲା ; ସେମାନଙ୍କୁ ସୁଡୁକା ମାରିବାରେ ସୁବିଧା ହେବ ବୋଲି ଲଡୁ,ରସଗୋଲା, ଦେଶୀ କଦଳୀ, ଦହି, ଖାଣ୍ଟି ଗୁଆଘିଅ , କଟା ନଡିଆ, ହିଙ୍ଗୁ, ଗୋଲମରିଚ ପକେଇ ଜବରଦସ୍ତିଆ ସିରିଣି ତିଆର ହେଲା। ଗାଁଆ ପିଲା ସବୁ ମେଳି କରି ଗଲେ ଓ ଭଲ ମାଉଁସିଆ ଖାସିଟେ ବଜାରରୁ ଟେକି ଆଣିଲେ। ମହାବଳ ଆଜି ମୁଣିଖୋଲା ଖର୍ଚ୍ଚ କରୁଛି ; ସାଇ ଭାଇ ମାନେ ସିନା ଶାନ୍ତିରେ ହେଉଡି ମାରିଲେ ପୁଅର ଭାଗ୍ଯ ଦାଉଁ ଦାଉଁ ହୋଇ ଜଳିବ। ପୁରୋହିତ ଆଜ୍ଞା ବି ଜଲଦି ମେଳା ଟା ସାରିଦେଲେ। ମାଉଁସ ବାସ୍ନାରେ ମନ୍ତ୍ର ସବୁ ଓଲଟ ପାଲଟ ହୋଇଗଲେ ବି ଟାଣିଟୁଣି ମେଳା ଖତମ୍ କରିଦେଲେ। ଶେଷରେ ଗିନାଏ ସିରିଣି ଭୋଗ କରି ଉତ୍ପାତିଆ ବୁଢାଙ୍କ ଜିଭରେ ଟିକେ ଟିକେ ଚଟେଇ ଦେଲେ। କିଛି ବୁଢା ପାଟି ପାକୁ ପାକୁ କରି ସିରିଣି ହାଣ୍ଡି ଚାଟି ଖାଲି କରିଦେଇ , କୁଳୁକୁଚା କରିଦେଲେ ଓ ମାଉଁସ ବଢା ଯାଗାରେ ଚକାମାଣ୍ଡି ପାରି ବସିଲେ। କାଳେ ଭୋଗ, ଦାନ୍ତ ସନ୍ଧିରେ ରହିଗଲେ ମାଉଁସ ଭିଡିଲା ବେଳେ ପାପ ଲାଗିବ।

ଅଣ୍ଡିରି, ମାଇପି, ବୁଢା, ଟୋକା ସବୁ ଯାକ ସୁନା ପିଲା ପରି ଧାଡି ବାନ୍ଧି ବସିଗଲେ। ଶାଗୁଣା ମଢ ଭିଡିଲା ପରି, ଖାସି ମାଉଁସ ତକ ଚାହୁଁ ଚାହୁଁ ଉଭାନ୍ ହୋଇଗଲା। ସମସ୍ତେ ନିଜ ସୁବିଧାରେ ନାଲି ପାଣି ବ୍ଯବସ୍ଥା କରିଥିଲେ, ଅଳ୍ପ ସମୟ ଭିତରେ ନାଲିପାଣି ପ୍ରଭାବରେ ଆଖି ନାଲି, କଥା ନାଲି, ହସ ନାଲି ହୋଇଗଲା। ପଣ୍ଡିତେ ବି ସେଥିରୁ ଛାଡ୍ ପାଇବେ କିପରି? ସହରିଆ ପଣ୍ଡିତ, ତେଣୁ ମୁଣି ଭିତରେ “କଳା କୁକୁର ” ବ୍ରାଣ୍ଡର ବିଦେଶୀ ରସ ସଦାବେଳେ ମହଜୁଦ୍। କାଳବେଳା ଦେଖି ସୁଡୁକେ ଚାଟିଦେଲେ ମନ୍ତ୍ର ସବୁ, ବଢିଲା ନଦୀର ଉଛୁଳା ପାଣି ପରି ବୋହି ଆସେ। ମହାବଳ ଦେଖିଲା କେହି ହୋସ୍ ରେ ନାହଁନ୍ତି। ମାଇପି ମଣିଷ ମାନେ, ମରଦଙ୍କ ଅବସ୍ଥା ଦେଖି ଚମ୍ପଟ ମାରିଲେଣି। ସବୁ ସରିଲା ଯେ ପିଲା ଟାର ନାମ ଏତେ ବେଳ ଯାଏ କେହି ବାଛିଲେନି, ଗୁଣୁଗୁଣୁ ହୋଇ ମହାବଳ କହିଲା। ତା କଥା ପଦକ, ଚାଇନା ପଟାକା ଦିହରେ ଦିଆସିଲି ମାରିବା ପରି ଥିଲା। ଟଳଟଳ, ମଳମଳ ହୋଇ ସମସ୍ତେ ନାମକରଣ ବର୍ଷାରେ ଜାଗା ଟା ଭିଜେଇ ପକେଇଲେ।

– ମହାବଳ ଭାଇ, ପୁଅର ନାଁଆ ଟା ଢେଲା ଆଖିଆ ଦେବା। ଦେଖୁନ ତା ଆଖି ଗୁଡାକ କେମିତି ଗାଡି ଚକା ପରି ଦିଶୁଛି।

– ଆରେ ତୁ ଖୁମ୍ବଆଳୁ ଟେ ଜାଣିଛୁ। ତାକୁ ଆମେ କୁହିଁ ପେଟିଆ ଡାକିବା...

– ଧେତ୍ ତେରିକି, ଏଇଟା କଣ ଗୋଟାଏ ନାଁଆ? ତାକୁ ଆମେ କେନ୍ଦୁକାଠିଆ ଡାକିବା।

- - ଆବେ ଯାଃ, ବେକାର ନାଁଆସବୁ। ତାକୁ ଆମେ ବିଲୁଆ ପାଟିଆ ଡାକିଲେ କେମନ୍ତ ହେବ?

– – ଫାଲତୁ କଥା କୁହନି ବେ...ତୁମକୁ ନିଶା ହୋଇ ଗଲାଣି। କଣ ସବୁ କହୁଛ? ତା ନାମ ହେବ ଧିକଜୀବନିଆ। ମୁଁ ଯାହା କହୁଛି ସେଇଟା ଫାଇଲାନ୍। ଆଇ କିଏ କଣ ନାଁଆ ଦେଲେ ବାଡେଇ କି ଟାଙ୍କ ଛୋଟା କରିଦେବି।

ମହାବଳ ଦେଖିଲା ନାଲିପାଣି କଥା କହିବା ଆରମ୍ଭ କଲାଣି। ବେଳ ହୁଁ ସାବଧାନ ନ ହେଲେ ଠେଙ୍ଗା ବାଡି ଆଡକୁ କଥା ପଳେଇବ। ଉପାୟ ନ ପାଇ ପଣ୍ଡିତଙ୍କ ପାଦ ତଳେ କୋଚା ମୋଚା ହୋଇଥିବା କୋଡିଏ ଟଙ୍କା ଟେ ରଖି କହିଲା-- ପଣ୍ଡିତେ ଆଜ୍ଞା, ଆପଣ ନାଁଆ ଟେ ଦିଅନ୍ତୁ। ପଣ୍ଡିତଙ୍କ ଆଖି ସେତେ ବେଳକୁ ସିନ୍ଦୁରଫଟା ଆକାଶ ରଙ୍ଗ ଧାରଣ କଲାଣି। କଳାକୁକୁର ତାଙ୍କ ମୁଣ୍ଡରେ ଡିଆଁ କୁଦା ଆରମ୍ଭ କରିସାରିଥିଲା। ସେ କହିଲେ-- ମୁଁ.......

ସେତିକି କହି ଟଳି ପଡିଲେ। ବଡ କଷ୍ଟରେ ମହାବଳ ଟେକି ନେଇ ତାଙ୍କ ଘରେ ଛାଡିଲା। ଫେରିଲା ପରେ ଚିତା ପଚାରିଲା କଣ ନାଁଆ ଦେଲେ ପଣ୍ଡିତେ? ଦୋ ଦୋ ପାଞ୍ଚ ହୋଇ ମହାବଳ କହିଲା “ମୁଁ”। – – ହଁ ତୁମେ ଯେ, ଆମ ପୁଅର ନାଁଆ କଣ ଦେଲେ? ବ୍ଯସ୍ତ ହୋଇ ପଚାରିଲା ଚିତା। – ଆରେ, ସେଇଟା ପରା ତା ନାଁଆ।

ସେ ଦିନ ର ନାମକରଣ ପର୍ବ ସରିଲା ପରେ ଧରାପୃଷ୍ଠରେ “ମୁଁ” ନାମକ ବାଳକର ବାଲ୍ଯଲୀଳା ଆରମ୍ଭ ହେଲା। ପିଲା ଦିନରୁ ସେ ଭୀଷଣ କଣ୍ଡୁ ପ୍ରବୃତ୍ତିବିଶିଷ୍ଟ ହୋଇଥିଲା। ସାଙ୍ଗସାଥୀ ମାନେ, ସେ ପିଲା ସହ କୁଆଡେ ଗଲେ ବିଧା, ଗୋଇଠା ଖାଇବାରୁ କେବେହେଲେ ତ୍ରାହି ପାଉ ନ ଥିଲେ। କାହା ବାଡିରେ ପଶି ଫଳ ଚୋରେଇଲାଣି ତ, କାହା ରୋଷେଇ ଘରେ ପଶି ହାଣ୍ଡି ଡେକଚି ଚାଟିଚୁଟି ସଫା କରି ଦେଲାଣି। କେତେବେଳେ କୁକୁଡା ଭାଡିରେ ପଶି ଅଣ୍ଡା ଚୋରେଇଲାଣି, ତ କେତେ ବେଳେ କୁକୁଡା ହରଣଚାଳ କରି ହାଡ ଓ ପରସବୁ ଭାଡିରେ ପକେଇଲାଣି। ସେ କେବେ କାହା ହାତରେ ଧରା ପଡେନି। ଯଦି ଲୋକ ତା ସାଙ୍ଗ ମାନଙ୍କୁ ଚୋରି ବିଷୟରେ ପଚାରନ୍ତି, ସେମାନେ କୁହନ୍ତି “ମୁଁ” କରିଛି ଏସବୁ କାମ। ବାସ୍, ସେତିକି ଶୁଣିଲା ପରେ ଲୋକେ ମାଡ ଭରଣେ କୁ ଦୁଇ ଅଣା ହିସାବରେ ଗଦେଇ ପକାନ୍ତି। ପିଲା ଗୁଡା ମାଡ ଖାଇ ରକ୍ତଝୋଳିଆ ହେଲା ବେଳକୁ ଭାବନ୍ତି-- ପିଲା ଟା କି ନାମ ପାଇଛି ଯେ, ତା ନାଁଆ ଧରିଲେ ପିଠିରେ ଆବୁ ବାହାରି ପଡୁଛି। ମନେମନେ “ମୁଁ” ସେ ପଣ୍ଡିତଙ୍କୁ ବହେ ମୁଣ୍ଡିଆ ମାରେ। ତାଙ୍କରି ଦୟାରୁ ସିନା ପ୍ରଭୁ ତାକୁ ଘଣ୍ଟ ଘୋଡେଇ ରଖିଛନ୍ତି।

ଟିକେ ବୁଦ୍ଧି ବଢିବାରୁ ସ୍କୁଲରେ ନାମ ଲେଖାହେଲା। ସେଇଠି ସେ ଜାଣିଲା ତା ନାମ ସହ ଗୋଟେ ସାଙ୍ଗିଆ ବି ଯୋଡା ହୋଇ ଅଛି। ବାପ ମହାବଳ ମୁରୁଖ ଲୋକ, ସାଙ୍ଗିଆ ର କରାମତି ସେ ବା କାହୁଁ ବୁଝିବ। ଟିପ ମାରିମାରି ଜୀବନର ସବୁ ସମୟ ଗଲା। କିନ୍ତୁ ସେ ତ ପାଠ ପଢିବ, କଳା ଘୋଡା ଚଢି ମଧୁବାବୁ ସହ ଲଢିବ। ସେ ଜାଣି ସାରିଥିଲା ଯେ ତାଙ୍କ ସାଙ୍ଗିଆ ଟା ହେଲା ବାଘ।

ସାରେ ପଚାରିଲେ – ପୁଅ ତୁମ ନାମ ଟି କଣ?

– “ମୁଁ”

– ମୁଁ କେତେବେଳେ କହିଲି କି ଆଉ କିଏ ବୋଲି। ସେଇ ତୁମରି ନାମ ଟା ପଚାରୁଛି ପରା। ଟିକେ ଚିଡି କହିଲେ ସାରେ।

– କହିଲି ପରା “ମୁଁ”।

ୟା’ପ ଖେଳୁଛୁ ନାଁ କଣ ? ତୋ ନାଁ ପଚାରିଲା ବେଳକୁ “ମୁଁ”“ମୁଁ” କଣ ହଉଛୁ? ଖନାଟା କିରେ।

ମହାବଳ ଭକ୍ତିରେ ଗଦଗଦ ହୋଇ ସାର୍ ଙ୍କୁ କହିଲା, ସାରେ ମୋ ପୁଅର ନାମ ହେଲା “ମୁଁ”। ସାରେ ମୁଣ୍ଡରେ ହାତ ଦେଇ ବସିଗଲେ। କହିଲେ ଆରେ ଜଗତ ଯାକର ନାଁଆ କଣ ସରିଯାଇଥିଲା କି ଇଏ ଜନମ ହେଲା ବେଳକୁ , ଯେ ତା ନାମ ଟା “ମୁଁ” ଦେଲୁ। ହାଏ ରେ କପାଳ-- – ମୋ ଚଉଦ ପୁରୁଷରେ ଏମିତି ନାଁଆ ଶୁଣିନି। ସେ ଯାହା ହେଉ ନାମ ଲେଖା ସରିଗଲା। ସ୍କୁଲ ଖାତାରେ ଲେଖାହେଲା “ମୁଁ ବାଘ, ପିତା- ମହାବଳ ବାଘ ,ମାତା- ଚିତା ବାଘ, ଗ୍ରାମ- ବାଘୁଆ ପଡା । ସେଦିନ ପିଲା ଟି ବଡ ଖୁସିରେ “ମୁଁ ବାଘ ….....ମୁଁ ବାଘ” ଗୀତ ବୋଲି ଘରକୁ ଫେରିବା ଦେଖାଗଲା। ସ୍କୁଲ୍ ରେ ବହୁତ୍ ବର୍ଷ ପାଠ ଚଷିବା ପରେ ବି ପାଶ୍ ହେବାର କୌଣସି ଲକ୍ଷଣ ନ ଦେଖି, ତଥା “ମୁଁ” ର ଅତ୍ଯାଚାରରେ ଅତିଷ୍ଠ ହୋଇ ହେଡ୍ ସାର୍ “ମୁଁ ବାଘ” କୁ ଭଲ ନମ୍ବର ଦେଇ ପାଶ୍ କରିଦେଲେ। ଯେଉଁ ଦିନ ପିଲା ଟା ସ୍କୁଲ୍ ହତାମାଡିବା ବନ୍ଦ କଲା ହେଡ୍ ସାରଙ୍କ ମନରେ ଅପୂର୍ବ ପ୍ରଶାନ୍ତି ଉକୁଟି ଉଠିଲା। ନିତମ୍ବ ଦେଶରେ ହଳଦି ଟହଟହ ପୂଜ ଭର୍ତ୍ତି ବଥକୁ ଚିପି ଦେଲେ ଯେଉଁ ଅପୂର୍ବ ଶାନ୍ତି ମିଳେ, ସେମିତି ଅନୁଭବରେ ହେଡ୍ ସାରେ ହେଣ୍ଡୁ ମାରି ଘରକୁ ଫେରିଲେ।

କିଛିଦିନ ଭିତରେ “ମୁଁ” କଲେଜ୍ ପଡିଆରେ ଖାତା ଖଣ୍ଡେ ଧରି ବୁଲାଚଲା କଲା। ଏତିକି ଦିନରେ ତାର ରୂପ ଭେକରେ ଯଥେଷ୍ଟ ପରିବର୍ତ୍ତନ ଆସି ଯାଇଥିଲା। କେତେ ଜାତିର ଖାଦ୍ଯ ଖାଇ ଦିହଟା କାଠ ଗଣ୍ଡି ପରି ଶକତିଆ ହୋଇ ସାରିଥିଲା। ଖେଳ କସରତ କରି ହାତ ମାଂଶପେଶୀ ଗୁଡିକ ଗୋବା ଗୋବା ହୋଇ ବାହାରକୁ ଫୁଟି ଉଠୁଥିଲା। ନଳି ପ୍ଯାଣ୍ଟ ସାଙ୍ଗକୁ ଛାତିଚିପା ସାର୍ଟ ତାକୁ ଭାରି ମାନୁଥିଲା। ହାତର ସୁନ୍ଦରବନିଆ ବାଘର ପାଟି ମେଲା ଚିତା କୁଟେଇ, ସାରା ଦୁନିଆ କୁ ଜଣାଉଥିଲା ଯେ ସେ ଗୋଟେ ବାଘ ବୋଲି। ମହାବଳର ପକେଟ୍ ରେ ହଜାର କଣା କରି, ଗୋଟେ ମୋଟର ସାଇକେଲ ବି କିଣି ସାରିଥିଲା। ବାପ ଭାବିଲା – – ପୁଅ କଲିଜ୍ ପଢି ଯିବ। ମଟରସାଇକେଲ ରେ ନ ଗଲେ କାଳେ ମୁଣ୍ଡରେ ପାଠ ପଶିବନି ! କଲେଜ୍ ର ବାକି ପିଲା ଗୁଡା “ମୁଁ” ର ଇତିହାସ ବିଷୟରେ ବେଶୀ ଜାଣି ନ ଥିଲେ। ତେଣୁ ଉପର କ୍ଲାସ୍ ର ବିଛୁଆତିଆ ପିଲା ଗୁଡାକ ତା ସହ କିଛି ଗୋଟେ ଗମାତ କରିବାକୁ ମନ ବଳେଇଲେ। ଜଣେ ପଚାରିଲା

– କିରେ, ତୋ ନାଁଆ ଟା କଣ?

– ମୁଁ ବାଘ।

- - ଆରେ ତୁ ବାଘ ହେଲେ , ମୁଁ ହେଲି ଜଳହସ୍ତୀ। ଶଳା ନାଁଆ ଟା କହୁନୁ।

– - କହିଲି ପରା ମୁଁ ବାଘ। ସେତେବେଳକୁ ପିଲାଟା ମୁଣ୍ଡରୁ ଚୁଟି ରାମ୍ପୁଡିବାକୁ ଆରମ୍ଭ କଲାଣି। ଆଉ ଜଣେ ସବ୍ ଜାନତା ଆସି କହିଲା – ସେ ଫାଲତୁ କଥା କହନି, ନାଁଆ ଟା କହ ନ ହେଲେ ଭୂଇଁ ଚଟେଇ ଦେବି। ଏତିକି କହି “ମୁଁ” ର ବେକରେ ହାତ ପକେଇ ନିଜ ଆଡକୁ ଟାଣି ଆଣିଲା। ଝାଳୁଆ ବେକରୁ ହାତଟା ସଟ୍ କରି ଖସିଗଲା। କିନ୍ତୁ“ମୁଁ” ସେତେ ବେଳକୁ ବାଘ ହେଣ୍ଟାଳ ଛାଡି ପିଲାଟା ଉପରକୁ ଡେଇଁ ପଡିଲା। ଗୋବା ମାଂସପେଶିଆ ହାତରେ ସେ ପିଲାଟାର ମୁହଁରେ ଘଣ୍ଟି ବଜେଇଲା ପରି ଖୋବା ମାନ ଲଦି ଦେଇଗଲା। ଏମିତି ଅଚାନକ ମାଡରେ ପିଲା ଟା ଧୁଳି ଚାଟି ପଡିଲା। ବାକି ସବୁ ପିଲା ଡିଆଁ ଚିରା ମାରି ମଇଦାନ ଛାଡି ଚମ୍ପଟ ମାରିଲେ। ସେଇ ଗୋଟିଏ ଘଟଣା ପରେ “ମୁଁ” କଲେଜ୍ ର ସତସତିକା ବାଘ ହୋଇଗଲା। ଦୁନିଆ ଯାକର ବାତରାମି, ଛୋପରାମି କରି କଲେଜ୍ ରେ ବେଶ୍ ନାମ କମେଇଲା। କାହାକୁ ବାଡେଇଲାଣି ତ, କାହା ଗାଡିର ଚକା କାଟି ଦେଲାଣି। ପିଲା ଦିନେ ଯେମିତି ସବୁ ଯାଗାରୁ ନିର୍ଦ୍ଦୋଷରେ ଖଲାସ୍ ହେଉଥିଲା, ବଡ ଦିନରେ ବି ସେମିତି ହେଲା। ଯଦି କିଏ ପଚାରିଲା - କିଏ ପିଲାଟାକୁ ଏମିତି କକରଛନିଆ କରି ମାରିଛି , ସବୁ ପିଲା ସମବେତ କଣ୍ଠରେ କହୁଥିଲେ “ମୁଁ”। ପ୍ରଶ୍ନକର୍ତ୍ତା ମୁଣ୍ଡରେ ହାତ ଦେଇ ବସି ପଡୁଥିଲା। ଭାଗ୍ଯଟାଣ ହେତୁରୁ କଲେଜ୍ ର ସାର୍ ମାନେ “ମୁଁ”ର ମୁଁତ୍ବ ବିଷୟରେ କିଛି ସୁରାଖ୍ ପାଉ ନ ଥିଲେ।

ସେଦିନ କଲେଜ୍ ରେ ଜଣେ ନୂତନ ଯୁବତୀଙ୍କ ଆବିର୍ଭାବରେ, ପିଲା ମାନେ କୁଣ୍ଡିଆପିଠିଆ କୁକୁର ପରି କୁତୁକୁତେଇ ଗଲେ। ଯୁବତୀଟି ଗୋଇଠିଟେଙ୍ଗା ଚପଲ ମାଡି ଯେତେବେଳେ କଲେଜ୍ ପିଣ୍ଡାରେ ଠୁକୁ ଠୁକୁ କରି ଚାଲିଲା, ପିଲା ଗୁଡା ହୃଦ୍ ଘାତ ହେଲା ପରି ଛାତିରେ ହାତ ଦେଇ ଓଲଟି ପଡିଲେ। ପିଲାମାନଙ୍କର ଦୟନୀୟ ଅବସ୍ଥା ଦେଖି କଲେଜ ପିଅନ କହିଲା-- ଆରେ ପିଲେ ସେମିତି ହୁଅନି। ସେ ପରା ଆମ କଲେଜ୍ ର ନୂଆ ସାହିତ୍ଯ ଦିଦି। ସେ ତୁମମାନଙ୍କର ଗୁରୁ ; ତାଙ୍କୁ ଏମିତି ନଜର ରେ ଦେଖିଲେ ଗଣେଶ ଠାକୁର ଭଙ୍ଗା ଦାନ୍ତରେ ଭୁଷିଦେବେ, ତାଙ୍କ ମୂଷା କାମୁଡି ରକ୍ତଝୋଳିଆ କରିଦେବ। କେବଳ ସେତିକି ନୁହଁ, ମାଆ ସରସ୍ବତୀଙ୍କ ହଂସ ମାନେ ଖୁମ୍ପାଖୁମ୍ପି କରି ମୁଣ୍ଡରୁ ସବୁ ବୁଦ୍ଧି ଓପାଡି ପକେଇବେ। ପିଅନର ତାଗିଦ୍ ଶୁଣି ପିଲା ଗୁଡା କିଳିକିଳା ରାବ ଦେଇ ଜାଗା ଛାଡି ପଳେଇଲେ। କେବଳ ରହିଲା “ମୁଁ”। ମନେମନେ ଭାବୁଥାଏ, ଯଦି କଲେଜ୍ ଦିଦି ମାନେ ଏମିତି ରମ୍ଭା ଉର୍ବଶିଆ ରୂପ ଧାରଣ କରି ପାଠ ପଢେଇବେ, ପିଲା ମାନେ ସାତ ପାଞ୍ଜିରୁ ଯିବା ଟା ଥୟ। ସ୍ଥାନ କାଳ ବିଚାର ନକରି ସେ ସାହିତ୍ଯ ଦିଦିଙ୍କ ଆଗକୁ ଯାଇ କହିଲା-- ହ୍ଯାଲୋ ମ୍ଯାଡାମ୍, ଯାହା ହେଉ ଆପଣ ଆସିଲା ପରେ ପିଲା ମାନଙ୍କର ସାହିତ୍ଯ ପାଠଟା ଜବରଦସ୍ତିଆ ହେବ। ଏତିକିି କହି ସେ ଦିଦିଙ୍କ ହାତ ଟାଣି ନେଇ କରମର୍ଦ୍ଦନ କଲା। ତାତିଲା କଡେଇରେ ପାଣି ଛିଟା ମାରିଲେ ଯେମିତି ଚେଁ ଚେଁ ଡାକ ଦିଏ, ସେମିତି ସାହିତ୍ଯ ଦିଦି ଚେଁ ଚେଁ ରାବ କରି ତା ସାତପୁରୁଷ ଓଝାଳି ପକେଇଲେ। ଶେଷରେ ଗାଲରେ ସରୁ ଚଟକଣି ଟେ ପକେଇ କହିଲେ-- ଅଭଦ୍ର, ଲୋଫର୍ କୋଉଠିକାର। ଗୁରୁ ମାନଙ୍କୁ କେମିତି ସମ୍ମାନ ଦିଆ ଯାଏ ଜାଣିନୁ? ମୁଁ ର ଏ ଅବସ୍ଥା ଦେଖି ବିରୋଧୀ ଗୋଷ୍ଠି ପିଲା ମାନେ ନାକରେ କାଠି ଗଳେଇ ହସି ହସି ଭୂଇଁରେ ଲୋଟିଗଲେ। ମୁଁ ହାତ ଯୋଡି , ମୁହଁରେ କୁଟୀଳିଆ ହସଟେ ଖେଳାଇ କହିଲା-- ଦିଦି ମୋତେ କ୍ଷମା କରିଦେବେ, ପିଲା ଲୋକ ତ ଜାଣି ପାରିଲିନି।

ଅବଶ୍ଯ ତା'ର ଗୁରୁ ମାନଙ୍କ ପାଇଁ ଥିବା ଅହେତୁକ ଭକ୍ତି ସକାଶେ ସେ ଏ କଥା କହି ନଥିଲା, ବରଂ ଅସଲ ଉଦ୍ଦେଶ୍ଯ ଥିଲା ସାହିତ୍ଯ ଦିଦିଙ୍କୁ ପାନେ ଚଖେଇବା। ସେ ଓର ଉଣ୍ଡିବାରେ ଲାଗି ରହିଲା।

ସେଇ କଲେଜ୍ ର ସଦ୍ଯ ନିଶ ଗଜୁରା ଗଣିତ ସାର୍, ଦିଦିଙ୍କ ପଛରେ ଲାଙ୍ଗୁଡ ପରି ଲାଗି ରହିଲେ। କଲେଜ୍ ଭିତରେ, ସାଇକେଲ ଷ୍ଟାଣ୍ଡ ପାଖରେ, ରାସ୍ତା ଉପରେ, କଲେଜ୍ କ୍ଯାଣ୍ଟିନ୍ ରେ ସେ ଦିଦିଙ୍କ ଚାରି ପଟରେ ମହୁମାଛି ପରି ଭିଣିଭିଣି ହୋଇ ଉଡିବୁଲିଲେ। ଦିଦି ପଦେ କଥା ନ କହୁଣୁ, ସେ ହସିହସି ଭୂଇଁରେ ଲୋଟି ପଡୁଥିଲେ। ସବୁ ଦିନ ତାଙ୍କ ଚୁଟି ଗାଛାକ ନୂଆ ରୂପ ଧାରଣ କରୁଥିଲା। କେବେ ସାମ୍ପୋ କରି ଫରଫର ଉଡାଉଥିଲେ, ତ କେବେ ଝିଙ୍କ ପରି ଚୁଟି ଠିଆ କରି ଆସୁଥିଲେ। ଦେହରୁ ସବୁ ଦିନ ନୂଆ ବାସ୍ନା ବାହାରି କଲେଜ୍ ରେ ଖେଦି ଯାଉଥିଲା। କେବେ ମଲ୍ଲୀ ବାସ୍ନା ତ କେବେ ଚମ୍ପା, କେବେ ଚମେଲୀ ତ କେବେ ରଜନୀଗନ୍ଧା। ତାଙ୍କ ଗୁଣକୀର୍ତ୍ତନ ଦେଖି ଅନ୍ଧ ବି କହିଦେବ ଯେ, ସାହିତ୍ଯ ଦିଦି ଙ୍କ ବ୍ଯାକରଣରେ ଘାଇଲା ହୋଇ ସେ ହଗୁମିଫେ( ହରଣ,ଗୁଣନ,ମିଶାଣ,ଫେଡାଣ) ଭୁଲିଗଲେଣି। ସାହିତ୍ଯ ଦିଦିଙ୍କ ଢେଲି ଆଖି ଭିତରେ ପେରେମ ଭାବର ସୂଚନା କିଞ୍ଚିତ୍ କିଞ୍ଚିତ୍ ମିଳୁଥିଲା। ଗଣିତ ସାର୍ ଙ୍କ ସହ ପ୍ରତିଯୋଗିତା କଲା ପରି ସେ ନିତିଦିନ ନୂଆ ରଙ୍ଗର ଶାଢୀ ଘୋଡେଇ ଆସୁଥିଲେ। ହାତରେ ଚୁଡି ମାନଙ୍କର ରଙ୍ଗ ଏଣ୍ଡୁଅ ପରି ବଦଳି ଚାଲୁଥିଲା ଓ ସମଗ୍ର ମୁଖମଣ୍ଡଳ ନାନାଦି ସୌନ୍ଦର୍ଯ୍ଯବର୍ଦ୍ଧନକାରୀ ଲାଲିମା, କାଳିମା, ନେଳିମାରେ ଚହଟି ଉଠୁଥିଲା।

ସେହି କଲେଜର ପ୍ରିନିସିପାଲଙ୍କର ହିଟିଲରିଆ ଗୁଣ ପାଇଁ ସେ ବିଶେଷ ରୂପରେ ପ୍ରସିଦ୍ଧ ଥିଲେ । ପିଲା ତ ପିଲା, ମାଷ୍ଟ୍ର ମାନେ ବି ତାଙ୍କୁ ଭୟ କରୁଥିଲେ। ଏମିତି ପରିସ୍ଥିତି ରେ ଗଣିତ ସାରଙ୍କର ପ୍ରେମ ଗଛଟି ଜଳବିହୁନେ ଗଛ ଜଳିଯିବା ପରି ମିରିକିଟିଆ ଦିଶୁଥିଲା। ସେଦିନ ସାହିତ୍ଯ ଦିଦି କଲେଜ୍ ରେ ପାଠ ପଢାରେ ବ୍ଯସ୍ତ ଥାଆନ୍ତି। “ମୁଁ” ମୁଣ୍ଡରେ ବଦମାସିଆ ବୁଦ୍ଧି ଜନ୍ମ ନେଇ ବାହାରକୁ ଆସିବା ପାଇଁ ବାଡେଇପିଟି ହେଲା। କଣ ହେଲା କେଜାଣି, ଅଚାନକ୍ ସାହିତ୍ଯ ଦିଦି ବୁକୁଫଟା ଚିତ୍କାର କରି ପ୍ରିନିସିପାଲଙ୍କ କୋଠରୀକୁ ପଶିଗଲେ। ତାଙ୍କ ପଛକୁ କଲେଜର ସବୁ ସାର୍ ମାନେ ଘରପୋଡି ଦୃଶ୍ଯ ଦେଖିଲା ପରି ଦଉଡିଲେ। ଘଟଣା କଣ ବୁଝିବାରୁ ଜଣା ଗଲା, କିଏ ଜଣେ ଦୁର୍ବୃତ୍ତ ଦିଦିଙ୍କ ଉପରକୁ କୁକୁର ମଳ ଭର୍ତ୍ତି ଜରି ନିକ୍ଷେପ କରିଛି। ଅଜବ ବାସ୍ନାରେ ନାକ କୁଣ୍ଡେଇ ହେବାରୁ ସେ ନିଜ ଘୋଡା ଲାଞ୍ଜିଆ କେଶରାଶିକୁ ଚାମୁଡି ଦେଖନ୍ତେ, କିଛି ଅତି ଦୁର୍ଗନ୍ଧଯୁକ୍ତ ଚିଟାଳିଆ ଜିନିଷ ଲାଗିଥିବାର ଅନୁମାନ କଲେ। ତାକୁ ଶୁଙ୍ଘି ଶୁଙ୍ଘାଇବା ବେଳକୁ ଦେଖିଲେ କୁକୁର ମଳ ଭର୍ତ୍ତି ଜରି ଚଟାଣରେ ପଡି ତାଙ୍କ ଆଡକୁ ଖତେଇ ହେଉଛି।

ଘଟଣାର ସବିଶେଷ ବୃତ୍ତାନ୍ତ ଶୁଣିବା ପରେ ପ୍ରିନିସିପାଲଙ୍କ ହିଟିଲରିଆ ଆଖି ଯୋଡିକ କମାରଶାଳର ରଡ ନିଆଁ ପରି ଜଳି ଉଠିଲା। ଘଡଘଡିଆ ନାଦରେ ଚତୁର୍ଦ୍ଦିଗ କମ୍ପେଇ, କାହାର ଏତେ ସାହାସ ବୋଲି ପ୍ରଶ୍ନ କଲେ। ସଦ୍ଯ ନିଶ ଗଜୁରା ଗଣିତ ସାର୍ ଜଣଙ୍କ ଭିତରର ପୁରୁଷଟା ଭିଡିମୋଡି ହୋଇ ଉଠିଲା। ତାଙ୍କ ପ୍ରେମ ପାଇଁ ପରୀକ୍ଷାର ବେଳ। ବାକି ସାର୍ ମାନେ ବି ରାଗ ରେ ଧୁକୁଧୁକୁ ହୋଇ ଜଳିବା ଆରମ୍ଭ କରୁଥିଲେ। ସାହିତ୍ଯ ଦିଦିଙ୍କ ଆଖିରୁ ଲୁହର ଝରଣା କୁଳୁକୁଳୁ ନାଦରେ ବୋହି ଯାଉଥିଲା। ଅତି କାନ୍ଦିବା ଫଳରେ ଆଖି ଦୁଇଟି ମାଆବେଙ୍ଗ ପେଟ ପରି ଫୁଲି ଯାଇଥିଲା। କୁକୁରମଳ ଗନ୍ଧ, ରାଗ, ଘୃଣା, ପ୍ରତିଶୋଧ ଓ ବିଫଳ ପ୍ରେମିକର ଅବ୍ଯକ୍ତ ବେଦନାରେ ପ୍ରିନିସିପାଲଙ୍କ କୋଠରୀଟି ଭରି ଯାଇଥିଲା। ଗଣିତ ସାର୍ ବାହାରକୁ ଚାଲି ଗଲେ ଘଟଣା ବିଷୟରେ ଅନୁସନ୍ଧାନ କରିବାକୁ। କିଛି ସମୟ ମଧ୍ଯରେ ରକେଟ୍ ବେଗରେ ଛୁଟି ଆସି କହିଲେ-- ସାର୍ ମୁଁ ତାକୁ ଖୋଜି ପାଇଗଲି, ଯିଏ ଏହି କାଣ୍ଡ ଭିଆଇଛି। ସାହିତ୍ଯ ଦିଦିଙ୍କ ସମେତ ବାକି ସବୁ ଆଶ୍ଚର୍ଯ୍ଯ ହୋଇ ଚାହିଁ ରହିଲେ। କାନ୍ଦରେ ଅଳ୍ପବିରାମ ଦେଇ ସ୍ମିତହସି ସାହିତ୍ଯ ଦିଦି ପଚାରିଲେ କିଏ ସେ? ସମସ୍ତଙ୍କ ମୁହଁରେ ସେଇ ପ୍ରଶ୍ନ-- କିଏ ସେ। କଣ୍ଠ ଝାଡି ଗଣିତ ସାର କହିଲେ-- ପ୍ରିନିସିପାଲ୍ ମହାଶୟ, ସେ ଆଉ କେହି ନୁହଁ ଆମ କଲେଜ୍ ର “ମୁଁ”। ଉତ୍ତର ଶୁଣି ସାହିତ୍ଯ ଦିଦିଙ୍କ ହୃଦୟ ଭିତରଟା ନଡିଆ କୋରଣାରେ କୋରିବା ପରି ହୋଇଗଲା। ସେ ଅବିଶ୍ବାସ, କ୍ଷୋଭ ଓ ଅପମାନ ରେ ଜର୍ଜରିତ ହୋଇ ଆବେଗଭରା କଣ୍ଠରେ କହିଲେ--- ହେ ଭଗବାନ୍, ଏହା କଣ ସତ୍ଯ? ମୁଁ ଏ କଥା ବିଶ୍ବାସ କରି ପାରୁନି। ଗଣିତ ସାର୍ ମୁହଁରେ ବିଜୟସୂଚକ ହସ ଖେଲାଇ କହିଲେ – ସତ କହୁଛି ପରା, ସେ ଦୁର୍ବୁତ୍ତ ଆଉ କେହି ନୁହଁ, ସେ ହେଲା ମୁଁ।

ଅଧିକା କଥା ଶୁଣିବା ପାଇଁ କାହା ପାଖରେ ଧୈର୍ଯ୍ଯ ନ ଥିଲା। କିଛି ସମୟ ପାଇଁ କୋଠରୀ ଭିତରୁ ଢୋ ଢା, ଠୋ ଠା, ଚଟାସ୍ ପଟାସ୍, ସାଇଁ ସାଇଁ, ଘାଇଁ ଘାଇଁ, କଇଁ କଇଁ ଶବ୍ବ ଭାସି ଆସିଲା। କୋଠରୀ ଦ୍ବାର ଖୋଲି ପେଙ୍ଗେଇ ପେଙ୍ଗେଇ ଗଣିତ ସାର୍ ବାହାରିଲେ। ସାର୍ଟ ପ୍ଯାଣ୍ଟ ଚିରି ଯାଇଛି, ଓଠରୁ ପାନ ପିକ ପରି ରକ୍ତ ବୋହି ଆସୁଛି, ଚୁଟି ଗୁଡାକ ଘିଞ୍ଚାଘିଞ୍ଚି ହୋଇ ଅଡୁଆ ସୁତା ପରି ଦିଶୁଛି। ଗାଲ ଦୁଇଟି ପାତି ମାଙ୍କଡ ନିତମ୍ବଦେଶିଆ ରଙ୍ଗ ଧାରଣ କରିଛି ଓ ଆଖିରୁ ଅବିରତ ଅଶୃ ବୋହିଚାଲିଛି। ତଥାପି କହୁଥାନ୍ତି --ସାର୍ ମୋତେ ଥରେ ତ ବିଶ୍ବାସ କରନ୍ତୁ। ସେ ଦୁର୍ବୃତ୍ତ ହେଲା “ମୁଁ”।

ଭିତରୁ ଭାସି ଆସୁଛି ସାହିତ୍ଯ ଦିଦିଙ୍କ ବୁକୁଫଟା ଚିତ୍କାର, ସେ ବାହୁନି ବାହୁନି କାନ୍ଦି କହୁଥାନ୍ତି--- କେତେ ବିଶ୍ବାସ କରୁଥିଲି, ଶେଷରେ ତୁମେ ଏମିତି କାମ କଲ ! ପ୍ରିନିସିପାଲ ମହୋଦୟ କିଛି ବୁଝି ନ ପାରି ପେଚା ପରି ଆଖି କରି ଜଳଜଳ ଚାହିଁଥାନ୍ତି କ୍ରନ୍ଦନରତା ସାହିତ୍ଯ ଦିଦିଙ୍କୁ।

ପାଟିରେ ଗୁଟୁଖାରେ ଢାଳି ଦେଇ “ମୁଁ” କହିଲା ପୁଅର ପ୍ରେମ ଜ୍ବର ଆଜି ଗୋଟେ ଦିନରେ ଉତୁରି ଯାଇଥିବ। ତା ଚେଲା ଚାମୁଣ୍ଡା ଗୁଡା ହିଃ ହିଃ ହସି କହିଲେ-- ସତରେ ଗୁରୁ, ମାନି ଗଲୁ ତୁମକୁ।

*********************************


ତାରିଣୀ ଗୁଆ ଘିଅ ଚକାଡୋଳିଆ

Rate the content


Originality
Flow
Language
Cover design

Comments

Post

Some text some message..