Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Aravinda Das

Others

2  

Aravinda Das

Others

ଟାର୍ଗେଟ ଓ ସର୍ଜିକାଲ ଷ୍ଟ୍ରାଇକ

ଟାର୍ଗେଟ ଓ ସର୍ଜିକାଲ ଷ୍ଟ୍ରାଇକ

4 mins
776



"ବାପା,ଇଣ୍ଡିଆ ସର୍ଜିକାଲ ଷ୍ଟ୍ରାଇକ କରିଛି। ଟିଭି ରେ ଦେଖ।" ପୁଅ ବବଲୁ ବଡପାଟିରେ କହୁଥିଲା।

ଟିଭିକୁ ଅନାଇଥିଲେ ପ୍ରମୋଦ।

ସର୍ଜିକାଲ ଷ୍ଟ୍ରାଇକ କରିଛି ଭାରତ । ପାକିସ୍ଥାନ ଅଧିକୃତ ମାଟିରେ ଧ୍ବଂସ କରିଛି ଆତଙ୍କବାଦୀଙ୍କ ଶିବିର।

ଲୋକେ ଖୁସିରେ ଆତ୍ମହରା । କିଏ ନାଚୁଥିଲା ତ କିଏ ମିଠା ବାଣ୍ଟୁଥିଲା।ଦେଶର ଆତ୍ମସମ୍ମାନ ,ଆତ୍ମଗୌରବ ପାଇଁ ଏମିତି ନିଷ୍ପତ୍ତି ନିହାତି ଦରକାର ବୋଲି ସମସ୍ତେ କହୁଥିଲେ। ଆମ ସୈନ୍ୟମାନଙ୍କ ମୃତ୍ୟୁର ଠିକଣା ଜବାବ ଦେଇଛି ଭାରତ।


 କେତେ ଆତଙ୍କବାଦୀ ମରିଛନ୍ତି, କେଉଁଠି ଆକ୍ରମଣ କରାଯାଇଛି, ପାକିସ୍ଥାନ ସହ ଯୁଦ୍ଧ ହେଲେ ଦେଶର କ'ଣ କ୍ଷତି ହେବ ତାର ତର୍କ ବିତର୍କ ଚାଲିଥିଲା।

"ଯାହା ହେଉ ଆମ ମୃତ ସୈନିକ ମାନଙ୍କ ପରିବାରକୁ ଅନେକ ଶାନ୍ତି ମିଳିଥିବ।",ସ୍ତ୍ରୀ ସ୍ଵାତୀ କହୁଥିଲେ।

ପ୍ରମୋଦ ମନରେ ଖେଳୁଥିଲା ଗୋଟାଏ କଥା।ଦୁଷ୍ଟ ଲୋକଙ୍କ ପାଇଁ ସର୍ଜିକାଲ ଷ୍ଟ୍ରାଇକ ନିହାତି ଦରକାର।ସବୁଜିନିଷକୁ ପରିବାର,ସମାଜ କ'ଣ ଭାବିବ ବୋଲି କଣ ଛାଡିଦିଆଯାଏ ? ନିଜକୁ ସେ ମୃତ ସୈନିକ ର ପରିବାର ସହ ତୁଳନା କରୁଥିଲା ପ୍ରମୋଦ।ଓଡିଶା ବାହାରେ ଚାକିରୀ ଯୋଗୁଁ ,ପରିବାର ଠାରୁ ଦୂରରେ ରୁହନ୍ତି ପ୍ରମୋଦ।


   ଏକ ପାରିବାରିକ ସାମାସ୍ୟା ଉପୁଜିଥିବାରୁ ଛୁଟି ନେଇ ଆସିଛନ୍ତି ପ୍ରମୋଦ।ଫୋନ୍ ରେ ଝିଅ ଓ ସ୍ତ୍ରୀଙ୍କ ସହ କଥା ହେଲାବେଳେ ଜାଣିଥିଲେ କିଛି କଥା ।

ଝିଅ ଟିକି ଜିଦି ଧରିଥିଲା ଯେ ସେ ଆଉ କୋଚିଙ୍ଗ ସେଣ୍ଟର ଯିବନି।

- ପାପା, ମୁଁ ଘରେ ରହି ପଢିବି।କୋଚିଙ୍ଗ ସେଣ୍ଟର ଯିବିନି।

- କାହିଁକି ?ସ୍ଵାତୀ କଣ ହୋଇଛି ?

- ତମ ଝିଅ ର ଢଙ୍ଗ ଜାଣିନ ?କେଉଁ ଟୋକା ତାକୁ କମେଣ୍ଟ ମାରିଲା ଓ କେଉଁ ସାର୍ ତାକୁ କାଳେ କିଛି କହିଲେ ବୋଲି ତମ ଝିଅ ର ଅଭିଯୋଗ ଓ ଜିଦି ଧରିଛି ସେଠିକୁ ଆଉ ପଢିବାକୁ ଯିବନି। ସେ କୋଚିଙ୍ଗ ସେଣ୍ଟର ରେ ପୁଣି ଅନ୍ୟ ଝିଅ ପିଲା ପଢ଼ୁଛନ୍ତି ନା ନାହିଁ ? କେହି ତ ଅଭିଯୋଗ କରୁନାହାନ୍ତି। ପାଠ ନପଢିବାର ର ଏସବୁ କେଵଳ ବାହାନା।

-ମୋତେ କାହିଁକି କିଛି ଜଣାଇନୁ ? ମା, ଟିକି ସତ କହ କଣ ହୋଇଛି।"ପଚାରିଥିଲେ ପ୍ରମୋଦ।

- ମମିକୁ ମୁଁ ସବୁ କହିଛି ପାପା।ହେଲେ ସେ ତ,

ଟିକି ମନେ ପକାଉଥିଲା ସବୁ କଥା।


କୋଚିଙ୍ଗ ସେଣ୍ଟରରୁ ଘରକୁ ଫେରିଲା ବେଳେ ସେଦିନ ବାରମ୍ବାର ଅନ୍ୟମନସ୍କ ହୋଇପଡୁଥିଲା ଟିକି।

ସାଇକେଲଟା ବାଟରେ ରଖି ଟିକେ ନିଶ୍ବାସ ନେଲାବେଳେ ଭାବୁଥିଲା ବରୁଣ ସାରଙ୍କ କଥା।

- ଏଇ ଭିଡ଼ିଓ ଟା କୁ ଭଲକରି ଦେଖେ ; ବୟ ଫ୍ରେଣ୍ଡ ହାତ ଧରି ତୁ କେମିତି ହସି ହସି ଗପୁଛୁ ଓ ଗୋଲାପ ଫୁଲ ଦିଆନିଆ କରୁଛୁ ବୋଲି ଏଇ ଭିଡିଓ ତମ ଘର ଲୋକେ ଦେଖିବେ ,ତୋ ଅବସ୍ଥା କଣ ହେବ ଭାବିଛୁ ?ମୋ ସାଙ୍ଗରେ ଚାଟିଙ୍ଗ କରିବାକୁ ତୋତେ ଆଉ ଭଲ ଲାଗୁନି ?

- ସାର୍ ,ସେ ବଦମାସ ଅବିନାଶ ମୋ ବୟଫ୍ରେଣ୍ଡ ନୁହେଁ।ସେଦିନ ମୁଁ ଘରକୁ ଫେରିଲା ବେଳେ ଜବରଦସ୍ତ ମୋତେ ଗୋଲାପ ଫୁଲ ଦେଇଥିଲା । ଭୟ ଯୋଗୁଁ ମୁଁ କିଛି କହିପାରି ନଥିଲି।ମୁଁ ସତ କହୁଛି ସାର୍।ହେଲେ ଆପଣ କେତେବେଳେ ଏ ଭିଡିଓ କଲେ ?ମୁଁ ପ୍ରିନ୍ସିପାଲଙ୍କୁ କଂପ୍ଲେନ କରିବି।

-କଂପ୍ଲେନ କଲେ ତୁ ନିଜେ ବଦନାମ ହେବୁ।ତମ ଘରଲୋକେ ବଦନାମ ହେବେ।କେହି ତୋତେ ବାହା ହେବେନି।ତୋରି ମୁହଁକୁ ପର୍ଣ୍ଣ ଭିଡିଓରେ ମର୍ଫ୍ କରି ଛାଡ଼ିଦେବି।

 କାନ୍ଦ କାନ୍ଦ ହୋଇଗଲା ଟିକି।ବରୁଣ ସାର୍ ଏତେ ତଳକୁ ଚାଲିଗଲେ ? କୋଚିଙ୍ଗ ସେଣ୍ଟର ର ଆଡମିନିଷ୍ଟର ତଥା ମ୍ୟାଥ୍ ଟିଚର ଭାବେ ବରୁଣ ସାରଙ୍କ ସହ ପରିଚୟ।ଏକ୍ସଟ୍ରା କ୍ଳାସରେ ଡାଉଟ ଥିବା ମ୍ୟାଥ ବୁଝେଇଦିଅନ୍ତି ସାର୍।କେତେ ଭଦ୍ର ଓ ମାର୍ଜିତ ବରୁଣ ସାର୍ !

- ମୋ ଫୋନ୍ ନମ୍ବର ରଖ ଟିକି।ଯେତେବେଳେ ଡାଉଟ ଆସିବ ଫୋନ୍ କରି ବୁଝିନେବୁ।"

   ସାର୍ ମାନଙ୍କ ସହ ନିକଟତର ହେବାକୁ କେଉଁ ଛାତ୍ର,ଛାତ୍ରୀ ନଚାହେଁ ? ଆଉ ଟିନ ଏଜ୍ ରେ ପିଲାମାନଙ୍କ କଥା ହିଁ ଅଲଗା। ଗୋଟେପଟେ ନୂଆ ନୂଆ ଯୌବନର ଉନ୍ମାଦନା ତ ଅନ୍ୟପଟେ ବାପା,ମା ଘର ଲୋକଙ୍କ ଭୟ ତ ଅନ୍ୟପଟେ ପାଠ ପଢ଼ାର ବୋଝ।ସବୁ ପିଲାଙ୍କ ଇଛାହୁଏ ପାଠ ଫାଟ ଛାଡି ଟିକେ ମଉଜ ମସ୍ତି କରିବାକୁ।

ଟିକି ମନରେ ବି ସେମିତି ଭାବନା ଯେ କେବେ ଆସିନି ସେକଥା ନୁହେଁ , ତେବେ ମଧ୍ୟମବର୍ଗୀୟ ରକ୍ଷଣଶୀଳ ପାରିବାରିକ ସଂସ୍କାର ବୋଧେ ତା ଚିନ୍ତା,ଭାବନାରେ ଶିକୁଳି ବାନ୍ଧୁଥିଲା।ବାପା ଓଡିଶା ବାହାରେ ଚାକିରୀ କରନ୍ତି,ଭାରି ରାଗୀ ଓ ସ୍ଟ୍ରିକ୍ଟ। ଟିକେ ଭୁଲ ହେଲେ ଗାଳି । ଘରେ ମମି ଓ ସାନ ଭାଇ।

- ଏମିତି କୌଣସି କାମ କରିବନି , ଯାହା ଦ୍ବାରା ଘର ନାଁ ପଦାରେ ପଡିବ।ସିଧା ଘରୁ ବାହାର କରିଦେବି।"ବାପାଙ୍କ ତାଗିଦ ମନେପଡିଯାଏ ।


  ଆନମନା ହେଲାବେଳେ କେଉଁଠୁ କେଜାଣି ସଂଯମତାର ଗୋଟେ ଅଦେଖା ଆବରଣ ଆବୋରି ବସୁଥିଲା ମନକୁ । ବୋଧହୁଏ ଭୟ ଯୋଗୁଁ। ଅଥଚ ଆଜି ବରୁଣ ସାର୍...

- ମୋର କେହି କିଛି କରିପାରିବେ ନାହିଁ।ସମସ୍ତଙ୍କ ସହ ଭଲ ସମ୍ପର୍କ।ତୋତେ ଫେଲ କରିବାକୁ ବେଶୀ ସମୟ ଲାଗିବନି। ତେଣୁ ମୋ କଥା ମାନି ଯାହା କହୁଛି କର।ଯେତେବେଳେ କଲ କରିବି ଉଠାଇବୁ।।

   ଟିକିର ଦେହ ଝାଳରେ ବୁଡି ଯାଇଥିଲା, ଯଦିଓ ଡିସେମ୍ବର ମାସ ଶୀତୁଆ ସନ୍ଧ୍ୟା ଥିଲା।ମମିକୁ ସବୁକଥା ଆଜି ଖୋଲି କହିଦେଵ । ଗାଳି ଖାଇଲେ ପଛେ ଖାଇବ।

ସାଇକେଲଟା ପେଡାଲ ମାରିଲା ବେଳେ ପୁଣି ମନେ ପଡ଼ିଲା ବରୁଣ ସାରଙ୍କ କଥା,"ଘରେ ଯଦି କହିବୁ ନିଜେ ହଇରାଣ ହେବୁ। ମୋ ସହ ଚ୍ୟାଟିଙ୍ଗ ସହ ଏଇ ଭିଡିଓ ବି ଦେଖାଇବି।

 ଟିକି ମୁଣ୍ଡଟା ଗୋଳମାଳ ହୋଇଯାଉଥିଲା।କାହିଁକି ସେ ହ୍ବାଟ୍ସଅପରେ ଚ୍ୟାଟିଙ୍ଗ କରୁଥିଲା ସେ ବଦମାସ ବରୁଣ ସାରଙ୍କ ସହ ?

   ଘରେ ପହଞ୍ଚି ମମିକୁ ସବୁ ସତ କହିଦେଲା ଟିକି।

- ତୁ ସେମାନଙ୍କୁ ଆଡେଇ ଦେ।ବଦମାସ ପିଲାଙ୍କ କାମ ହେଲା କମେଣ୍ଟ ମାରିବା।ଅନ୍ୟ ମାନଙ୍କୁ ବି କମେଣ୍ଟ କରୁଥିବେ।ତା ବୋଲି ସମସ୍ତେ କଣ ପାଠ ଛାଡ଼ିଦେଉଛନ୍ତି ?ଜୀବନ ସହ କମ୍ପରମାଇଜ କରିବାକୁ ପଡ଼େ।

ବାପା,ବୋଉ ତାକୁ ଗାଳି ଓ ବୁଝାଇବା ପରିବର୍ତ୍ତେ ବରୁଣ ସାରଙ୍କୁ କାହିଁକି ଗାଳି ଦେଉନାହାନ୍ତି କି ଅବିନାଶକୁ ଧମକାଉ ନାହାନ୍ତି ?  

ଟିକି ଭାବୁଥିଲା ଝିଅଟିକୁ ସବୁବେଳେ କମ୍ପରମାଇଜ କରିବାକୁ ହୁଏ ?


ଗୁମ୍ ହୋଇ ବସିଥିଲେ ପ୍ରମୋଦ।

- ଆଉ ଛଅ ମାସ ରହିଲା ଫାଇନାଲ ପରୀକ୍ଷା।ଏତେ ଟଙ୍କା ଦେଇ ଆଡ଼ମିସନ କରାଯାଇଛି।ଟଙ୍କା ବି ବୁଡ଼ିବ ଓ କ୍ୟାରିଅର ବି ଯିବ। "ତମ ଝିଅକୁ ଭଲ କରି ବୁଝାଇ ଦିଅ।"ସ୍ଵାତୀ କହୁଥିଲେ।

- ଆମେ କଲେଜ ଓ ପୋଲିସରେ ଅଭିଯୋଗ କାହିଁକି କରିବାନି ? ଟିକି ପ୍ରଶ୍ନ କରୁଥିଲା।

- ଏଥରେ ତୋର ବଦନାମ।ସମସ୍ତେ ତୋ କ୍ୟାରେକ୍ଟର କୁ ନେଇ ଇୟାଡୁ ସିଆଡୁ କଥା ହେବେ।

    ସ୍ବାତୀଙ୍କ କଥା ଶୁଣି ପ୍ରମୋଦଙ୍କ ମନେପଡୁଥିଲା ପିଲାବେଳ କଥା। ବଡ଼ ଅପା ନାଁରେ କିଏ ଗୋଟେ ବଦମାସ ଟୋକା ଚିଠି ଲେଖି ପଠାଇ ଥିଲା।ଗାଁରେ ବହୁତ କଥା ଉଠିଥିଲା। ବହୁତ ଗାଳି ,ମାଡ଼ ଖାଇଥିଲା ବଡ଼ ଅପା। ତା ପରଦିନ ଆମ୍ବ ତୋଟାରେ ଝୁଲୁଥିଲା ତା ଦେହ।

ଚମକି ପଡିଲେ ପ୍ରମୋଦ। ବାପା ହିସାବରେ ତାଙ୍କ କର୍ତ୍ତବ୍ୟ କଣ ? ଝିଅ ପାଇଁ ଏକ ମେଘନାଦ ପାଚେରୀ ଭଳି ଠିଆ ହେବା ବଦଳରେ ସେ ନିଜେ ପୃଷ୍ଠଭଙ୍ଗ ଦେଉଛନ୍ତି ?କାହାକୁ ଭୟ କରୁଛନ୍ତି ସେ ? କେଉଁ ସମାଜ ?ଆଜି ଟିକି କୁ ବରୁଣ ସାର୍ ଡରାଉଛନ୍ତି, କାଲିକୁ ଆଉ କିଏ ଡରାଇବ।ପିଲାକୁ ଆତ୍ମ ବିଶ୍ବାସ ଦେବା ବଦଳରେ ତାକୁ ସେ ଭୟଭୀତ କରାଉଛନ୍ତି ? ଆତଙ୍କବାଦୀଙ୍କୁ ଡରିଲେ ତ ସେମାନେ ଆହୁରି ଡ଼ରାଇବେ।


 ସେଇ ବରୁଣ ସାରକୁ ପାନେ ଚଖାଇବାକୁ ପଡିବ।ଟିକି ବଦଳରେ , ସେଇ ସାର୍ କୋଚିଙ୍ଗ ସେଣ୍ଟର ଆସିବା ବନ୍ଦ କରିବ ଅନ୍ୟ ଝିଅଙ୍କୁ ବ୍ଲାକମେଲ କରିବାକୁ ବି ଡରିବ ଓ ସେ ବଦମାସ ଅବିନାଶ ବି। ନିଜେ ଟିକିକୁ ସାଙ୍ଗରେ ନେଇ ତାଙ୍କ ଘରକୁ କିମ୍ବା କଲେଜ ନେଇ ଟିକିକୁ କହିବେ ଚପଲ ଖୋଲି ବାଡେଇବା ପାଇଁ ସେଇ ମାଷ୍ଟର କୁ ସମସ୍ତଙ୍କ ସାମ୍ନାରେ। ମାଡ଼ କୁ ମହାଦେବ ଡରନ୍ତି। ଦରକାର ପଡିଲେ ପୋଲିସରେ ଅଭିଯୋଗ ବି କରିବେ। ବାପା ହିସାବରେ ଏତିକି ତ କରିପାରିବେ। ଅନ୍ୟାୟ ର ପ୍ରତିବାଦ ଓ ଜବାବ ମାଗିବା ଆରମ୍ଭ ହେବା ଦରକାର ସ୍ପଷ୍ଟ ଭାବରେ। ପିଲାର ବିଶ୍ବାସ ହେବା ଦରକାର ଯେ ତା ପରିବାର ସର୍ବଦା ତା ସହିତ ଅଛନ୍ତି।


   ପୁଣି ଭାବିଲେ ଟିକି ବଦଳରେ ସେ ବାଡ଼େଇବେ ଓ ଧମକାଇବେ ସେଇ ମାଷ୍ଟରକୁ। ବାପା ହିସାବରେ ପିଲାଙ୍କ ସୁରକ୍ଷା ତାଙ୍କ କର୍ତ୍ତବ୍ୟ। ହଁ ତାଙ୍କୁ ଷ୍ଟ୍ରଙ୍ଗ ହେବାକୁ ପଡିବ।

  ଟିଭି ବନ୍ଦ କରି ଟିକି'ର ହାତ ଧରି କହିଲେ ,"ଚାଲ ଏବେ ମୋ ସାଙ୍ଗରେ।"

- କୁଆଡେ ବାପା ?

- ସର୍ଜିକାଲ ଷ୍ଟ୍ରାଇକ ପାଇଁ।


Rate this content
Log in