Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଉର୍ମିଳା
ଉର୍ମିଳା
★★★★★

© Rasmi Rekha Tripathy

Thriller

27 Minutes   1.3K    6


Content Ranking

ଉର୍ମିଳା

ରାତିଟା କାହିଁକି ଆସେ କୁହ ତ ? ତୁମ ବିନା ରାତି, ନିଦ ବିନା ରାତି ; ନିଦ ହେଲେ ତୁମେ ଆସନ୍ତ ସ୍ୱପ୍ନରେ l ମିଠା ମିଠା କଥା କହିଥାନ୍ତ, ପୁଣି ଚାଲିଯାଆନ୍ତ, ଆଖି ଖୋଲି ଦେବା ମାତ୍ରେ l ଆଜି ଏ ଆଖିକୁ ଲୁହ ବି ଆସୁନି l  ତୁମେ ସତରେ ବହୁତ ମହାନl ମୁଁ କିନ୍ତୁ ତୁମ ପରି ମହାନ ହେବିନି l ହେବାକୁ ଇଛା ବି କରୁନି l କାହିଁକି କରିବି କୁହ ତ ? ଆଜିକାଲି ମନ ମୋର ବହୁତ ବିଦ୍ରୋହ କରୁଛି l ଯେତେକ ସବୁ ରୁଦ୍ଧ ଆବେଗ, କୋହ ହୋଇ ବାହାରି ଆସିବା ପରିବର୍ତ୍ତେ ପ୍ରତିବାଦ ରୂପେ ପ୍ରତିଫଳିତ ହୋଇ, ମୋ ମନରେ ଚକାଭଉଁରୀ ଖେଳୁଛି l ତୁମେ କଣ ବୁଝିବ କୁହ ତ ?

     ବନବାସ ତ କେବଳ ବଡ ଭାଇ ରାମଚନ୍ଦ୍ରଙ୍କ ପାଇଁ ଥିଲା l ସୀତା ଦିଦି ତା ପତିବ୍ରତାର ଦ୍ୱାହି ଦେଇ ବଡ ଭାଇଙ୍କୁ ମନେଇ ଦେଲା l ତୁମେ ବି ଭ୍ରାତୃଭକ୍ତିର ପରାକାଷ୍ଠା ଦେଖେଇଦେଲ l ମାଆଙ୍କର ଆଦେଶ ଓ ତୁମର ଇଛା ଭିତରେ ମୋ ମନଟି ଯେ କେଉଁଠି ସମାଧିସ୍ଥ ହୋଇଗଲା ବୁଝି ପାରିଛ କି ତୁମେ ? ତୁମେ ତିନି ଜଣ ବନବାସରେ ଚାଲିଗଲ l ମୁଁ ହିଁ ବଳିର ପଶୁ ହୋଇଗଲି l ନା ମୁଁ କାନ୍ଦି ପାରୁଥିଲି, ନା ମୁଁ ମନ ଦୁଃଖ କରିପାରୁଥିଲି l ମନର ଆବେଗ ବି ପ୍ରକାଶ କରିପାରୁନଥିଲି କାହା ଆଗରେ l

     ତୁମେମାନେ ଚାଲିଗଲ l ପୁତ୍ର ଶୋକରେ ଅନ୍ଧ, ପିତା ଦଶରଥ ବି ଆଖି ବୁଜିଲେ l ଭାବିଥିଲି, ପିତାଙ୍କର ମୃତ୍ୟୁ ଖବର ପାଇ ହୁଏତ ତୁମେମାନେ ଫେରି ଆସିବ l କିନ୍ତୁ ଫେରିଲନି ତୁମେମାନେ l ସମସ୍ତଙ୍କ ପାଖରେ ମୋର ଅନେକ ଅନେକ ଅଭିଯୋଗ l ମୋତେ କାହିଁକି ଲାଗୁଛି, ମୋ ପ୍ରତି ବହୁତ ଅନ୍ୟାୟ କରାଯାଇଛି l

     ମୋ ବାପାଙ୍କ ଠାରୁ ଆରମ୍ଭ କରି ତୁମ ପର୍ଯ୍ୟନ୍ତ, ସମସ୍ତେ ଅନ୍ୟାୟ ହିଁ କେବଳ କରିଛ ମୋ ପ୍ରତି l କେଉଁଠୁ ଆରମ୍ଭ କରିବି ? ମୋ ଜନ୍ମରୁ ହିଁ ଆରମ୍ଭ କରେ l ମୋତେ ଲାଗେ ମୋ ଜନ୍ମରୁ ହିଁ ମୁଁ ଅବହେଳିତ l ମୋ ଜନ୍ମ ଇତିହାସ ତ ମୋତେ ହିଁ ଅଜଣା l ଯେମିତି ଅନ୍ୟ ଛୁଆମାନଙ୍କର ପିଲାଦିନ କଟି ଥିଲା, ମୋର ବି ସେମିତି କଟିଛି lକିନ୍ତୁ ସୀତା ଦିଦିକୁ ସବୁବେଳେ ପ୍ରାଧାନ୍ୟ ଦିଆଯାଏ ବୋଲି ମୋ ମନ ଭାରୀ ଦୁଃଖ l କିନ୍ତୁ ପର ମୁହୂର୍ତ୍ତରେ ତାର ଚରିତ୍ରର ଔଜଲ୍ୟ ଆଗରେ ମୁଁ ନତମସ୍ତକ ହୋଇଯାଏ l ବାପା ଯେତେବେଳେ ତାର ସ୍ୱୟମ୍ବରର ସର୍ତ୍ତ ରଖିଥିଲେ, ମନେ ମନେ ମୁଁ ବହୁତ ରାଗି ଯାଇଥିଲି l

 

     ଇଏ କେମିତିଆ ସର୍ତ୍ତ ଯେ ? ଶିବଧନୁ ଯିଏ ଭାଙ୍ଗିବ, ସିଏ ପୁଣି ଦିଦିକୁ ବାହା ହେବ l ତା ମାନେ ଯଦି କୌଣସି ମନ୍ଦ ବ୍ୟକ୍ତି ବି ଯଦି ଶିବଧନୁରେ ଗୁଣ ଟଙ୍କାର କରିବ, ସିଏ ମୋର ସୁନା ପ୍ରତିମା ଭଳି ଦିଦିକୁ ବାହା ହେବ ? ଇଏ କି ପ୍ରକାର ନ୍ୟାୟ ? ମୋ ମନର ଭାବନା ମୁଁ ଦିଦିକୁ କହିଲି l ଦିଦି କିନ୍ତୁ ସୁନ୍ଦର ହସଟିଏ ହସିଦେଲା l ତା ଆଖିର ଚମକ, ଦୃଢ ବିଶ୍ୱାସ ଆଗରେ ନରମି ଯାଇଥିଲି ମୁଁ l ସେ ଆଖି ଯେମିତି କହି ଦେଉଥିଲା, ପୃଥିବୀର ଶ୍ରେଷ୍ଠ ପୁରୁଷ ହିଁ ଶିବଧନୁରେ ଗୁଣ ଦେବ l ଯଦିଓ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର ପୃଥିବୀର ଶ୍ରେଷ୍ଠ ପୁରୁଷ ଥିଲେ, କିନ୍ତୁ ମୋ ଆଖିରେ ତୁମେ ହିଁ ଥିଲ ଶ୍ରେଷ୍ଠତ୍ତମ l ତୁମେ ହିଁ ମୋ ଜୀବନର ଏକ ମାତ୍ର ସଫଳତା l ତୁମକୁ ପାଇବା ପରେ ମୁଁ ମୋ ଜୀବନର ସବୁ ଅବଶୋଷ ଭୁଲି ଯାଇଥିଲି l

     ବେଳେବେଳେ ଗୋଟିଏ ଦୁଃଖ ମୋ ମନକୁ ଖିନ୍ ଭିନ୍ କରିଦିଏ l ତୁମ ପୂର୍ବରୁ ବାପା ଥିଲେ ମୋର ସବୁଠାରୁ ବଡ ଦୁର୍ବଳତା l ଯେତେବେଳେ ଆମମାନଙ୍କୁ ଜନକଙ୍କ ସୁତା ଭାବରେ ପରିଚିତ କରାଯାଏ, ମୋତେ ମୋ ବାପାଙ୍କ ମୁହଁ ଦେଖାଯାଏ l ଦୁଃଖ ଲାଗେ ଏଥିପାଇଁ ଯେ, ମୋ ବାପାଙ୍କ ନାମ ଆସ୍ତେ ଆସ୍ତେ ସମୟର ସୁଅରେ ଲୁଚି ଯାଉଛି l ହୁଏତ ସମୟର ସୁଅରେ ମୋର ବାପା ବୋଲି କେହି ଜଣେ ଥିଲେ, ତାହା କେହି ବି ଜାଣିବେନି l ଶୁଣିଥିଲି, ସମୟ ସବୁ କ୍ଷତକୁ ଭରିଦିଏ l କିନ୍ତୁ ସମୟ ଗଡିଯିବା ସଙ୍ଗେ ସଙ୍ଗେ ମୋର ଏହି କ୍ଷତ ଗଭୀର ହିଁ ହୋଇ ଚାଲିଛି l ତା ସାଙ୍ଗରେ ତୁମର ବିଛେଦ l

     ପୁଷ୍ପବାଟିକାରେ ଯେଉଁଦିନ ତୁମକୁ ଦେଖିଥିଲି,ସେ ଦିନ ହିଁ ମନେ ମନେ ବରି ନେଇଥିଲି ତୁମକୁ l ବଡ ଭାଇହିଁ ଧନୁରେ ଗୁଣ ଦେବେ, ଏହି ବିଶ୍ୱାସ ମୋର ଥିଲା l କିନ୍ତୁ, ଏ ସବୁ ସତ୍ତ୍ୱେ ଏହି ପ୍ରଥା ବିରୁଦ୍ଧରେ ମନ ମୋର ବିଦ୍ରୋହ କରୁଥିଲା l ମୋର ବାହାଘର ବେଳେ କିନ୍ତୁ ଏ ପ୍ରକାର ସର୍ତ୍ତ ରଖାଯିବନି ବୋଲି ମୁଁ ବାପାଙ୍କ ଆଗରେ ନିଶ୍ଚୟ ଜିଦ୍ କରିଥାନ୍ତି l ତୁମକୁ ଦେଖିବା ପରେ ମନରେ ମୋର ଶକ୍ତି ଆସିଲା l ତୁମ ପାଇଁ ମୁଁ ବାପାଙ୍କୁ କହିବି ବୋଲି ଭାବିଥିଲିl ସତେ ଯେମିତି ବାପା ମୋ ମନ କଥା ବୁଝିପାରିଥିଲେ l ମୁଁ କହିବା ପୂର୍ବରୁ ହିଁ ତୁମ ସହିତ ମୋର ବିବାହ ସ୍ଥିର ହୋଇଯାଇଥିଲା l ବାପଘର ଛାଡିବାର ଦୁଃଖ ତୁମକୁ ପାଇବାର ଆନନ୍ଦ ଆଗରେ ମଳିନ ଥିଲା l ଅନ୍ୟ ପକ୍ଷରେ ଆମେ ଚାରି ଭଉଣୀ ଏକାଠି ରହିବାର ଆନନ୍ଦ ମୋ ମନକୁ ପୁରେଇ ଦେଇଥିଲା l କଣ ମୁଁ ଭାବିଥିଲି ଯେ, ମୋର ଏ ଆନନ୍ଦ କେତେ କ୍ଷଣସ୍ଥାୟୀ ! ମାସେ ନୁହେଁ, ବର୍ଷେ ନୁହେଁ, ଦୀର୍ଘ ଚଉଦ ବର୍ଶ ମୋତେ ତୁମ ଠାରୁ ଅଲଗା ହୋଇ ରହିବାକୁ ପଡିଲା l ଭାବିଲେ ଲାଗୁଛି ଗୋଟାଏ ଯୁଗ l ସଧବା ହୋଇ ବି ବୈଧବ୍ୟର ଜୀବନ କାଟିଛି ମୁଁ l ପ୍ରତି ମୁହୂର୍ତ୍ତ ମୋର ଆଶଙ୍କାରେ କଟିଛି l ପ୍ରତିଟି ମୁହୂର୍ତ୍ତ ମରି ମରି ବଞ୍ଚିଛି ମୁଁ l

          ମୁହୂର୍ତ୍ତକରେ କଣ ଯେ ସବୁ ଘଟିଗଲା l ରାତି ପାହିଥିଲେ ବଡଭାଇ ରାଜା ହୋଇଥାନ୍ତେ l ଅଥଚ ସେ ହେଲେ ବନବାସୀ l କ୍ଷଣିକ ଆବେଶର ବଶବର୍ତ୍ତୀ ହୋଇ ମଣିଷ ଯେଉଁ ଭୁଲ କରିଦିଏ, ତାହାର କେତେବଡ ମୁଲ୍ୟ ଦେବାକୁ ପଡେ, ତାହା ମୁଁ କୈକେୟୀ ମାଆଙ୍କୁ ଦେଖି ବୁଝି ପାରୁଛି l ହୁଏତ କେହି ବି ଜାଣିବେନି, ଜାଣିବାର ସୁଯୋଗ ବି ପାଇବେନି l ଯେତେବେଳେ ସମଗ୍ର ଅଯୋଧ୍ୟା ନଗରୀ ନିଦ୍ରୀ ଦେବୀଙ୍କ କୋଳରେ ନିସ୍ତବ୍ଧ ହୋଇଯାଏ, ସେତେବେଳେ ମୁଁ ଶୁଣିଛି, କୈକେୟୀ ମାଆଙ୍କର ଆତ୍ମାର କରୁଣ ଚିତ୍କାର l ତୁମମାନଙ୍କର ଯିବା ପଥକୁ ଚାହିଁ ନୀରବରେ ଲୁହ ଗଡେଇବା ଦେଖିଛି l ସେହି ଲୁହ ମୋ ମନରେ କ୍ରୋଧ ଜାତ କରିଛି l ବହୁତ ବିଷୋଦ୍ଗାର କରିବାକୁ ଇଛା ହୋଇଛି l କିନ୍ତୁ କରିନି l କରିପାରିନି l ତୁମ କଥା ମନକୁ ଆସେ l ଦିନେ ନା ଦିନେ ତ ତୁମେ ଫେରିବ l ସେତେବେଳେ ମୋ ଔଦ୍ଧତ୍ୟରେ ତୁମେ ମର୍ମାହତ ହେବ l ମୁଁ ତୁମକୁ କଷ୍ଟ ଦେବାକୁ ଚାହିଁ ନ ଥିଲି l ତେଣୁ ଚୁପ୍ ରହିଥିଲି l ଏମିତିରେ ଦେଖିବାକୁ ଗଲେ କୈକେୟୀ ମାଆଙ୍କର ଭୁଲ ବା କଣ ଥିଲା ? ହୁଏତ ତୁମେ ଜାଣିନ l ମୁଁ ବି ଜାଣି ନ ଥିଲି l ବଡଭାଇଙ୍କର ବନବାସ କୁଆଡେ ପୂର୍ବ କଳ୍ପିତ ଥିଲା l ଏ ସବୁ ମୁଁ ଜାଣିଲି ବହୁତ ପରେ l

          କିନ୍ତୁ ତୁମକୁ ମୁଁ ଜଣେଇବାକୁ ଚାହୁଁଛି l ସେ ଦିନ ତୁମେ ବି ରାଗିଥିଲ କୈକେୟୀ ମାଆଙ୍କ ଉପରେ l ମୋତେ ବି ରାଗ ଲାଗୁଥିଲା l କିନ୍ତୁ ମୁଁ ଆଶ୍ଚର୍ଯ୍ୟ ମଧ୍ୟ ହେଉଥିଲି l ଯେଉଁ ମାଆ ନିଜ ମାଆ ନ ହୋଇ ମଧ୍ୟ ରାମଚନ୍ଦ୍ରଙ୍କୁ ଏତେ ଭଲ ପାଉଥିଲେ, ସେ କେମିତି ଏତେ ନିଷ୍ଠୁର ହୋଇ ତାଙ୍କୁ ଗାଦିଚ୍ୟୁତ କରି ବନବାସକୁ ପଠେଇଦେବା ପାଇଁ ଅଡି ବସିଥିଲେ ?

          ଭରତ ଭାଇ ଓ ଶତୃଘ୍ନ ମାମୁଁ ଘରେ ଥିଲେ l ତୁମେ ମୋତେ କର୍ତ୍ତବ୍ୟର ଦ୍ୱାହି ଦେଇ ଚୁପ୍ କରେଇଦେଲ ଏବଂ ବଡ ଭାଇଙ୍କ ସଙ୍ଗେ ବଣକୁ ଚାଲିଗଲ l ପୁତ୍ର ଶୋକରେ ପିତା ଆଖି ବୁଜିଲେ l ମାମୁଁ ଘରୁ ଫେରି ମ୍ୟୁହମାନ ହୋଇଗଲେ ଭରତ ଭାଇ l ଏ ସବୁର କାରଣ ତାଙ୍କ ମାଆ ବୋଲି ଜାଣିବା ପରେ କ୍ରୋଧରେ ଅଗ୍ନଶର୍ମା ହୋଇଗଲେ l ତୁମମାନଙ୍କୁ ଫେରାଇ ନ ଆଣିବା ପର୍ଯ୍ୟନ୍ତ ତାଙ୍କର ମୁହଁ ଚାହିଁବେନି ବୋଲି କହିଲେ l ସେତେବେଳେ ମୋ ମନରେ ଆଶାର ଛୋଟ ବୀଜଟିଏ ଅଙ୍କୁରିତ ହେଲା l ମୁଁ ପୁଣି ଥରେ ତୁମ ଫେରି ଆସିବାର ସ୍ୱପ୍ନ ଦେଖିଲି l ସେଇ ଯେ ଏକ ମୁହାଁ ହୋଇ ଯାଇଥିଲ, ଥରଟେ ପଛକୁ ବି ଫେରି ଚାହିଁ ନ ଥିଲ l ତୁମେ କେମିତି ଏମିତ କାମନା ବାସନା ରହିତ ପୁରୁଷଟିଏ ହୋଇପାରିଲ କୁହ ତ ? ମୋତେ କିନ୍ତୁ ବହୁତ କଷ୍ଟ ହୁଏ l ପ୍ରତି ମୁହୂର୍ତ୍ତରେ ମନ ମୋର ତୁମରି ସାନ୍ନିଧ୍ୟ ଚାହେଁ l ତୁମମାନଙ୍କୁ ଫେରାଇ ଆଣିବା ପାଇଁ ଯେଉଁ ଦିନ ଭରତ ଭାଇ ଗଲେ, ସେ ଦିନ ସମଗ୍ର ଅଯୋଧ୍ୟାରେ ଖୁସୀର ଲହରୀ ଖେଳି ଯାଇଥିଲା l ଉତ୍ସବ ମୁଖର ହୋଇ ଯାଇଥିଲା ସମଗ୍ର ଅଯୋଧ୍ୟା ନଗରୀ l ଅନେକ ଦିନ ପରେ ବଡ ମାଆ କୌଶଲ୍ୟା ଓ ମାତା ସୁମିତ୍ରାଙ୍କ ଆଖିରେ ନିଦର ସ୍ପର୍ଶ l ତୁମେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବ, ତୁମେମାନେ ଫେରି ଆସିବାର ଖବର ଶୁଣି ଉଜ୍ଜଳି ଉଠିଥିଲା କୈକେୟୀ ମାଆଙ୍କର ଆଖି l ମୁଁ ଅନୁଭବ କରିଥିଲି ତାଙ୍କ ଖୁସିକୁ l ଆଶ୍ଚର୍ଯ୍ୟ ଲାଗିଲା ମୋତେ l ଜାଣିଛ, ସେ ଆଖିରେ ଅନୁଶୋଚନାର ଭାବ କେବେ ବି ଦେଖିନି ମୁଁ l ଏମିତି କେମିତି ହୋଇ ପାରେ ଯେ ? ଜଣେ ଭୁଲ କରିଛି, ଅଥଚ ପଶ୍ଚାତାପ କରୁନି l ସେ ଆଖିରେ ମୁଁ ପ୍ରିୟଜନଙ୍କ ବିଛେଦର ଦୁଃଖ ଦେଖିଛି, ଅଥଚ ପଶ୍ଟାତାପର ଭାବ ଦେଖିନି କେବେ ବି l କଣ ହୋଇଥାଇ ପାରେ ଏହାର କାରଣ ? ଅବଶ୍ୟ ବହୁତ ପରେ ମୁଁ ଏହାର କାରଣ ଜାଣିଲି ଏବଂ ତା ପରଠୁଁ ଏହି ମହିୟସୀ ମହିଳାଙ୍କ ପ୍ରତି ମନ ମୋର ସମ୍ମାନରେ ଝୁଙ୍କି
ପଡିଥିଲା l

            ସବୁ ଦିନ ପରି ସକାଳ ହେଲା l ଅଯୋଧ୍ୟାର ଗଛ ପତ୍ର ମଧ୍ୟ ନିଜର ଆନନ୍ଦକୁ ପ୍ରକାଶ କରୁଥିଲେ l ଯନ୍ତ୍ରବତ୍ ଚାଲୁଥିବା ଅଯୋଧ୍ୟା ସତେ ଯେମିତି କୌଣସି ଏକ ଯାଦୁକରର କାଉଁରୀ ସ୍ପର୍ଶରେ ଉତ୍ସବ ମୁଖର ହୋଇଯାଇଥିଲା l

          ବହୁତ ଦୂରରୁ ଧୂଳି ଉଡିବା ଦେଖାଗଲା l ହାତରେ ବନ୍ଦାଣ ଥାଳି ଧରି ପୁର ନାରୀ ବାହାରକୁ
ଚାଲିଗଲେ l ମା’ ଓ ବଡ ମା’ଙ୍କର ଆଖିରେ ଲୁହ, ଓଠରେ ହସ l ମୋତେ ବି ବହୁତ ଖୁସି ଖୁସି ଲାଗୁଥିଲା l ବିଛେଦ ପରେ ମିଳନର ଆନନ୍ଦଟା ବହୁତ ମଧୁର l ହଠାତ୍ ନବ ବଧୂର ଲଜ୍ଜ୍ୟା ମାଡିବସିଲା ମୋତେ l ବାହାରକୁ ଯିବା ପରିବର୍ତ୍ତେ, ମୁଁ ପ୍ରବେଶ କଲି କୈକେୟୀ ମାଆଙ୍କର କୋଠରୀରେ l କାହିଁକି ଆସିଲି ମୁଁ ଜାଣେନା l କିନ୍ତୁ ନ ଆସିଥିଲେ, ଗୋଟିଏ ବଡ ସତ୍ୟ ଉହ୍ୟ ହୋଇ ରହିଯାଇଥାନ୍ତା l

          ତୁମମାନେ ବନବାସ ଯିବା ଦିନଠୁଁ କୈକେୟୀ ମାଆଙ୍କ କୋଠରୀ, ଉଆସର ସମସ୍ତଙ୍କ ପାଇଁ ପରିତ୍ୟକ୍ତ ହୋଇଯାଇଥିଲା l ମନ୍ଥରାକୁ ତ ଉଆସରୁ ତଡି ଦିଆଯାଇଥିଲା l ଏଣୁ ଏକଲା କୈକେୟୀ ମାଆ ନୀରବରେ ଜଳୁଥିଲେ ସବୁ ଦିନ l

          ବାପାଙ୍କର ମୃତ୍ୟୁ ତଥା ପୁତ୍ର ଶୋକରେ ମ୍ୟୁହମାନ ବଡ ମାଆ କୌଶଲ୍ୟା ତଥା ମାଆ ସୁମିତ୍ରା, କୈକେୟୀ ମାଆଙ୍କର କଥା ଭୁଲି ଯାଇଥିଲେ ଯେମିତି l ଏମିତିରେ ତ ସେ ଦୁହେଁ କୈକେୟୀ ମାଆଙ୍କୁ ବହୁତ ଆଗରୁ କ୍ଷମା କରି ଦେଇଥିଲେ l କେବଳ କ୍ଷମା ଦେଇ ନ ଥିଲେ ଅନ୍ୟ ପୁରବାସୀ l ମୁଁ ବି କଣ କ୍ଷମା କରି ପାରିଥିଲି କି ତାଙ୍କୁ ? ରାତି ରାତି ଲୁହରେ ଭିଜି ଗଲା ବେଳେ, କେତେ ଯେ ଅଭିଶାପ ମୁଁ ତାଙ୍କୁ ନ ଦେଇଛି l ଆଜି ବି ଭାବିଲେ ନିଜ ପ୍ରତି ଘୃଣା ଆସେ l

          ଝରକା ପାଖରେ ଠିଆ ହୋଇଥିଲେ କୈକେୟୀ ମାଆ l ଆଖି ଯାଇ ଲାଖି ଯାଇଥିଲା କେଉଁ ଦୂର ଦିଗନ୍ତରେ l ଆଶ୍ଚର୍ଯ୍ୟ ହୋଇଗଲି ସେ ଆଖିରେ ପ୍ରତୀକ୍ଷାର ବ୍ୟାକୁଳତା ଦେଖି l କାହା ପାଇଁ ପ୍ରତୀକ୍ଷା ? ଯେଉଁ ପୁଅକୁ ନିଷ୍ଠୁର ମାଆ ଚଉଦ ବର୍ଷ ବନବାସ ପଠେଇ ଦେଇ ପାରେ, ସେଇ ମାଆ ଆଖିରେ ପ୍ରତୀକ୍ଷାର ବ୍ୟାକୁଳତା ? ଏଥିରେ ସତ କେଉଁଟା ଏବଂ ଛଳନା କେଉଁଟା ? ଏଇ ନାରୀ ରାତି ରାତି ନୀରବରେ ଗୁମୁରିବା ମୁଁ ଶୁଣିଛି l ତଥାପି ମନରେ ମୋର ନ୍ଦ୍ୱନ୍ଦ l ଦୂରରେ ଧୂଳି ଉଡିବା ଦେଖି ଉଜ୍ଜ୍ୱଳି ଉଠିଲା ଆଖି ତାଙ୍କର l ହଠାତ୍ ଗଛ କାଟିବା ଭଳି ପଡିଗଲେ ସେ l କଣ ହେଲା କିଛି ବୁଝିବା ପୂର୍ବରୁ ମୁଁ ତାଙ୍କୁ ତୋଳି ଧରିଥିଲି l ଏଣେ ମନ ପକ୍ଷୀ ମୋର ଅପେକ୍ଷା କରୁଥିଲା ତୁମର ପାଦ ଶବ୍ଦକୁ l ଅନେକ ଯତ୍ନ କରିବା ପରେ କୈକେୟୀ ମାଆ ଚେତନା ଫେରି ପାଇଲେ ଓ ହଠାତ୍ ମୋତେ ଧରି ଲୁହର ଶ୍ରାବଣ ବୁହେଇ ଦେଲେ l ମୁଁ କିଛି ବୁଝିବା ଆଗରୁ ତଳୁ ଶୁଭିଲା କ୍ରନ୍ଦନର ରୋଳ l ଏ କାନ୍ଦ ଖୁସିର କି ଦୁଃଖର ମୁଁ ବୁଝି ପାରୁ ନ ଥିଲି l ଝର୍କା ପାଖକୁ ଦଉଡି ଗଲି ମୁଁ l ପ୍ରବଳ ଜନଗହଳି ଭିତରେ ହଠାତ୍ ମୁଁ ଭରତ ଭାଇଙ୍କୁ ତୁମେ ବୋଲି ଭ୍ରମରେ ପଡିଗଲି l କିନ୍ତୁ ନିମିଷକ ମଧ୍ୟରେ ତୁଟିଗଲା ଭ୍ରମ ମୋର l ସମଗ୍ର ପୃଥିବୀଟା ଘୁରୁଥିଲା ମୋ ଚାରି ପାଖରେ l ଏ କି ବେଶ ହୋଇଛି ଭରତ ଭାଇଙ୍କର ? ସେ ଯେ କେତେବେଳେ ରାଜପୋଷାକ ତ୍ୟାଗ କରି ବନବାସୀ ବେଶ ଧାରଣ କରିଛନ୍ତି l ମସ୍ତକରେ ତାଙ୍କର ବଡଭାଇଙ୍କର ପବିତ୍ର କଠଉ l ଆଖିରେ ଲୁହ ଭର୍ତ୍ତି l ମୋତେ ଆଉ ବୁଝିବାକୁ ବାକି
ରହିଲାନି l ମୋ ଆଖିର ଲୁହ ସବୁ ଶୁଖି ଯାଇଥିଲା l କାନ୍ଦିବାକୁ ଇଛା କରି ମଧ୍ୟ ମୁଁ କାନ୍ଦି ପାରୁ ନ ଥିଲି l କେତେ କାନ୍ଦିବି ଯେ ? ପଥର ହୋଇଯାଇଥିଲି ମୁଁ l ବୁଲି ଚାହିଁଲି କୈକେୟୀ ମାଆଙ୍କୁ l ମନରେ ଭରି ରହିଥିଲା ଘୃଣା l ବିଷୋଦ୍ଗାର କରିବା କରିବା ପୂର୍ବରୁ ମନେ ପଡିଲା ତୁମ କଥା l ମନକୁ ଶାନ୍ତ କରିବାକୁ ଚେଷ୍ଟା କଲି ମୁଁ l ହଠାତ୍ ମନେ ପଡିଲା କୈକେୟୀ ମାଆ କାଲି ଠାରୁ କିଛି ବି ଖାଇ ନାହାନ୍ତି l ମୋ କର୍ତ୍ତବ୍ୟ ବିଷୟରେ ସଚେତନ ହୋଇଗଲି ମୁଁ l ଦାସୀ ହାତରେ ଫଳ ରସ ମଗେଇଲି l କୈକେୟୀ ମାଆଙ୍କୁ ଉଠେଇବାକୁ ଯାଇ ଅନୁଭବ କଲି ତାଙ୍କ ଦେହରେ ଜ୍ଜର ଭର୍ତ୍ତି l ଖଇ ଫୁଟୁଛି ଦେହରେ l କାହାକୁ କିଛି ଜଣେଇବା ଅପେକ୍ଷା ରାଜ ବୈଦ୍ୟଙ୍କୁ ଖବର ଦେବା ଉଚିତ୍ ମନେ କଲି ମୁଁ l ରାଜ ବୈଦ୍ୟ ଆସି ଔଷଧ ଦେଇଗଲେ ଏବଂ ରାତି ସାରା ତାଙ୍କୁ ଜଗି ବସିବା ପାଇଁ ଆଦେସ ଦେଇଗଲେ l ମୁଁ ବୋହୁରୁ ମାଆରେ ରୂପାନ୍ତରିତ ହୋଇଗଲି l ଘୁମନ୍ତ କୈକେୟୀ ମାଆ ମୋତେ ଗୋଟିଏ ନିଷ୍ପାପ ଛୁଆ ଭଳି ଲାଗିଲେ l ତାଙ୍କ ମୁଣ୍ଡକୁ ଆଉଁସି ଦେଲି l  କୈକେୟୀ ମାଆ କିଛି ବିଳିବିଳେଇ ହେଉଥିଲେ l ସେ କଥାର ସାରମର୍ମ ବୁଝିବା ପରେ ଆକାଶରୁ ଖସି ପଡିଲି ମୁଁ l ମୁଁ ଆଗରୁ ହିଁ ଅନୁମାନ କରୁଥିଲି, ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର କୌଣସି ଏକ ଅବତାର ପୁରୁଷ l ଆଜି କିନ୍ତୁ ନିଶ୍ଚିନ୍ତ ହୋଇଗଲି l ବନବାସ କୁଆଡେ ବଡଭାଇଙ୍କର ହିଁ ଯୋଜନା ଥିଲା ଏବଂ କୈକେୟୀ ମାଆ ଥିଲେ ଏକ ମାଧ୍ୟମ ମାତ୍ର l ଅନ୍ଧ ଭଳି ଭଲ ପାଉଥିଲେ ସେ ବଡ ଭାଇଙ୍କୁ l ଏହାର ସୁଯୋଗ ନେଇ ବଡ ଭାଇ କୈକେୟୀ ମାଆଙ୍କୁ ସତ୍ୟବଦ୍ଧ କରେଇଥିଲେ ଏବଂ ସବୁ ନିନ୍ଦା ଅପମାନଙ୍କୁ ମୁଣ୍ଡରେ ଧରି ବଡ ଭାଇଙ୍କୁ ବନବାସୀ କରାଇଥିଲେ ମାଆ କୈକେୟୀ l ଆପେ ଆପେ ମୁଁ ନତମସ୍ତକ ହୋଇଗଲି, ଏହି ମହିୟସୀଙ୍କ ନିକଟରେ ଏବଂ ତୁମ ନିକଟରେ ମଧ୍ୟ l ମୁଁ ଯଦି ତୁମ ସାଙ୍ଗରେ ବଣକୁ ଯାଇଥାନ୍ତି, ତେବେ ଏ ଗୁଢ ସତ୍ୟର ଉଦ୍ଘାଟନ କରିଥାନ୍ତି କିପରି ?

          ଶୁଣିଥିଲି ଯେ, ଯେତେବେଳେ ସବୁ କିଛି ସରିଗଲା ବୋଲି ମନେ ହୁଏ, ସେତେବେଳେ ହିଁ ସବୁ କିଛି ଆରମ୍ଭ ହୋଇଥାଏ l କିନ୍ତୁ ମୋ ଦୁନିଆ ତୁମ ପାଖରୁ ଆରମ୍ଭ ହୋଇ ତୁମ ପାଖରେ ହିଁ ସ୍ଥିର ହୋଇ ଯାଇଥିଲା l ରାତିର ଚୁପ୍ ଚାପ୍ ପ୍ରହରରେ ଯେତେବେଳେ ସବୁକିଛି ଚୁପ୍ ଚାପ୍ ପଡି ଯାଇଥାଏ, ଅଯୋଧ୍ୟାର ଘରମାନଙ୍କରୁ ଭାସି ଆସେ, ଚୁଡିର ରୁଣଝୁଣ ଶବ୍ଦ l ଦମ୍ପତ୍ତିମାନଙ୍କର ମିଛ ରାଗ ଅଭିମାନର ମଧୁର ଆୱାଜ, ପୁଣି ମିଠା ମିଠା ହସ, କୋରିଦିଏ ଛାତିକୁ ମୋର l ଦୀର୍ଘଶ୍ୱାସରେ ଭରିଯାଏ ମନ ମୋର l ମୋ ଦୀର୍ଘଶ୍ୱାସର ଧ୍ୱନି କିନ୍ତୁ ମଳିନ ପଡିଯାଏ, ମାଣ୍ଡବୀ ଓ ଶ୍ରୁତକିର୍ତ୍ତୀଙ୍କ ଦୀର୍ଘଶ୍ୱାସ ଭିତରେ l ପତି ପାଖରେ ଥାଇ ମଧ୍ୟ ପତି ସୋହାଗରୁ ବଞ୍ଚିତ ସେମାନେ l

          ତୁମେ ତ ଭରତ ଭାଇଙ୍କ ଉପରେ ରାଗୁଥିଲ l ତୁମେ ବନବାସରେ ଯାଇ ବନବାସୀ ହୋଇଛ l କିନ୍ତୁ ଭରତ ଭାଇ ଓ ଶତୃଘ୍ନ ଯେତେବେଳେ ବଳ୍କଳ ପିନ୍ଧି, ଫଳାହାର କରି ଶୁଖିଲା ଚଟାଣଟାରେ ଶୋଇ ଯାଆନ୍ତି, ମନ ମୋର ହାହାକାର କରି ଉଠେ l ତୁମ ଭାଇମାନଙ୍କ ଭିତରେ ଏ ଗୁଣଟି ମୋତେ ବହୁତ ଭଲ ଲାଗେ l ଖୁସୀର ଦିନକୁ ଯେମିତି ଏକାଠି ଉପଭୋଗ କର, ଦୁଃଖରେ ବି ସେମତି ଏକ ହୋଇଯାଅ l ଅବଶ୍ୟ ଏ ଦୃଷ୍ଟିରୁ ମୁଁ ମୋ ଭଉଣୀମାନଙ୍କ ପାଇଁ ବି ଗର୍ବିତ l ମାଣ୍ଡବୀ, ଶ୍ରୁତକିର୍ତ୍ତୀଙ୍କ ଜୀବନଧାରାରେ ବି ପ୍ରତିଫଳିତ ହେଉଛି ତୁମମାନଙ୍କର ଜୀବନଧାରା l ତଥାପି ବି ଇର୍ଷାର ସୂକ୍ଷ୍ମ କଣ୍ଟାଟିଏ କ୍ଷତାକ୍ତ କରିଦିଏ ମନକୁ ମୋର l

          ମାଆ, ବଡ ମାଆ ଓ କୈକେୟୀ ମାଆ ତ ଜୀବନର ନିଷ୍ଠୁର ସତ୍ୟକୁ ମାନିନେବା ପାଇଁ ବାଧ୍ୟ l ହୁଏତ ସେ ସତ୍ୟକୁ ମାନି ନେଇ ବାପାଙ୍କ ମୃତ୍ୟୁ ପରେ ବଞ୍ଚି ରହିଛନ୍ତି ସେମାନେ l ସୀତା ଦିଦି, ମାଣ୍ଡବୀ ଓ ଶ୍ରୁତକିର୍ତ୍ତୀ ତ ଯାହା ହେଲେ ବି ସେମାନଙ୍କ ସ୍ୱାମୀ ଦେବତାଙ୍କ ପାଖରେ ଅଛନ୍ତି l ମୋ ପରି ଦୁର୍ଭାଗ୍ୟ କାହାର ହୋଇଛି
କୁହ ତ ?

          ତୁମେ ମୋତେ କର୍ତ୍ତବ୍ୟର ଦ୍ୱାହି ଦେଇ ଅଟକେଇ ଦେଲ l ମୋ ପ୍ରତି କଣ ତୁମର କିଛି କର୍ତ୍ତବ୍ୟ
ନ ଥିଲା ? ଯଦି ସୀତା ଦିଦି ବଡ ଭାଇଙ୍କ ସହ ଯାଇ ପାରିଲା, ମୁଁ କାହିଁକି ତୁମ ସହ ଯିବାରୁ ବଞ୍ଚିତ ହେଲି ? ତୁମର ପସନ୍ଦ ନାପସନ୍ଦ ମୋ ଅପେକ୍ଷା କଣ ସୀତା ଦିଦି ବେଶୀ ଜାଣିବ ? ଅବଶ୍ୟ ସିଏ ତୁମକୁ ନିଜ ଭାଇ ଠୁଁ ବି ଅଧିକା ସ୍ନେହ ଦିଏ l ତୁମେ ବି ତାକୁ କେତେ ଭକ୍ତି କର ମୁଁ ଜାଣିଛି l ଯଦି ବଡ ଭାଇ ନିଜର କର୍ତ୍ତବ୍ୟ ସାଧନ ପାଇଁ କୈକେୟୀ ମାଆଙ୍କୁ ବନବାସ ବର ମାଗିନେଲେ, ସେଥିରେ ତୁମକୁ କାହିଁକି ସାମିଲ କଲେ, ମୁଁ ବୁଝି ପାରୁନି l ଏ ଜନ୍ମରେ ତ କାହାରିକୁ କଷ୍ଟ ଦେବା କଥା ମନେ ପଡୁନି ମୋର l ହୁଏତ ପୂର୍ବ ଜନ୍ମରେ କାହାକୁ କଷ୍ଟ ଦେଇ ଥିବି l ସେଥିପାଇଁ ଏ ଜନ୍ମରେ ତୁମଠୁଁ ଅଲଗା ହୋଇ ରହିବାକୁ ପଡିଲା ମୋତେ l ଭଗବାନଙ୍କର ଏ ପ୍ରକାର ନ୍ୟାୟ କିନ୍ତୁ ଭଲ ଲାଗେନି ମୋତେ l ଯେଉଁ ଜନ୍ମର କର୍ମ ଫଳ ସେଇ ଜନ୍ମରେ ହିଁ ଦେଇ ଦେଲେ କଣ ହୁଅନ୍ତାନି ? ଛାଡ l ଯେଉଁ ଗୁଢ ରହସ୍ୟକୁ କେହି ବି କେହି କେବେ ବି ଜାଣି ପାରିନାହାନ୍ତି, ତାକୁ ମୁଁ କଣ ବା ଜାଣି ପାରିବି ?

          ଏବେ କେବଳ ମୋର ଗୋଟିଏ କାମ l କୈକେୟୀ ମାଆଙ୍କର ଯତ୍ନ ନେବା l କିନ୍ତୁ ସିଏ ବି କୋଉ ଭାରୀ କାମ ଯେ ? ଧନସମ୍ପଦର ପ୍ରାଚୁର୍ଯ୍ୟ ଭିତରେ ଜନ୍ମ ନେବା ବି ଏକ ଅଭିଶାପ ଯେ l ଉଆସର ଦାସୀ ପରିବାରି ସମସ୍ତେ ସୁଖରେ ନିଦ୍ରା ଯାଉଛନ୍ତି l ମାଣ୍ଡବୀ, ଶ୍ରୁତକିର୍ତ୍ତୀଙ୍କ ଆଖିରେ ମଧ୍ୟ ଅଚିନ୍ତା ନିଦ l ଅଥଚ ମୋ ଆଖିରୁ ଯେମିତି ନିଦ ହଜିଯାଇଛି l କିଛି ଭାରୀ କାମ କଲେ ନିଦ ଲାଗନ୍ତା l ମନକୁ ଭୁଲେଇବା ପାଇଁ ମୁଁ ଯେତେବେଳେ ରୋଷେଇ ଘରକୁ ଯାଏ, ରାନ୍ଧୁଣିଆମାନେ ସତେ ଯେମିତି ଆକାଶରୁ ଖସି ପଡନ୍ତି l ଅନେକ ରାଣ ନିୟମ ପକେଇ ବିଶ୍ରାମ କକ୍ଷକୁ ପଠେଇଦିଅନ୍ତି l ମାଣ୍ଡବୀ, ଶ୍ରୁତକିର୍ତ୍ତୀ ମଧ୍ୟ ମୋତେ ବିଶ୍ରାମ କକ୍ଷରୁ ବାହାରିବାକୁ ଦିଅନ୍ତି ନାହିଁ l ସମସ୍ତଙ୍କର ଉପେକ୍ଷା ସହି ହେବ l କିନ୍ତୁ ଦୟା ! ଏହି ଗୋଟିଏ ଶବ୍ଦକୁ ମୁଁ ବହୁତ ଘୃଣା କରେ l ମୁଁ ଜଳି ଜଳି ମରିବାକୁ ପସନ୍ଦ କରିବି, କିନ୍ତୁ କାହାର ଦୟାରେ ବଞ୍ଚିବା ବହୁତ କଷ୍ଟ l ମୋତେ ମୋର ପାଲଟା ଲୁଗା ବି ଧୋଇବାକୁ ପଡେନା l ଦାସୀ ପରିବାରିଙ୍କୁ ହୁଏତ ମୋର ପଦବୀର ସୁଯୋଗ ନେଇ ଦବେଇ ଦିଅନ୍ତି l ମୁଁ ଯେ ରାଜଜେମା ଏବଂ ଅନ୍ୟ ଏକ ରାଜ ପରିବାରର କୂଳବଧୁ l ମୋର ଆଦେଶ ଅମାନ୍ୟ କରିବ, ଏପରି ସାହସ କାହାର ଅଛି ? କିନ୍ତୁ ମାଆମାନଙ୍କର ଆଦେଶ ଯେ ଆଗ୍ରାହ୍ୟ କରି ହୁଏନା l ପୁଣି ଏ ପଟେ କୈକେୟୀ ମାଆ ପ୍ରତିଟି ମୁହୂର୍ତ୍ତରେ ମୋର ସାନ୍ନଧ୍ୟ ଖୋଜୁଛନ୍ତି l ତାଙ୍କୁ ତ କେବେ ବି ଅବହେଳା କରାଯାଇପାରେନା l ଭାବେ, ଏମିତି କଷ୍ଟ ପାଇବା ଅପେକ୍ଷା ମରିଯିବାଟା ଭଲ l ବେଳେବେଳେ ଆତ୍ମହତ୍ୟା କରିବାକୁ ଇଛା ହୁଏ l ଏ କେମିତିକା ଜୀବନ ଯେ ? ଯନ୍ତ୍ରବତ୍ ପରିଚାଳିତ ହେଉଛି ଏହି ଅଯୋଧ୍ୟା ନଗରୀ l ଦୁଃସହ ହୋଇଗଲାଣି, ଏହି ଯାନ୍ତ୍ରିକ ଜୀବନ କାଟିବା l ଛୁଆଟିଏ ହେଲେ ଥାଆନ୍ତା କି ? ସମୟ କଟି ଯାଆନ୍ତା l  ଆଜି କାଲି ମାଆ ଡାକ ଶୁଣିବା ପାଇଁ ପ୍ରାଣ ଆତୁର ହୋଇ ଯାଉଛି l ଛୁଆର ଯତ୍ନ ନେବା, ତାକୁ ମଣିଷ ପରି ମଣିଷଟିଏ କରିବାର ସ୍ୱପ୍ନରେ ମାଆର ସମୟ କୁଆଡେ ଚାଲିଯାଏ ଜଣା ପଡେନା l ନିଜ ଜୀବନର ଅଧୁରା ସ୍ୱପ୍ନକୁ ସାକାର କରିବା ପାଇଁ ମଣିଷ ଖୋଜେ ଛୁଆଟିଏ l ଅଥଚ ଏ ନଅରରେ ଛୁଆଟିଏ ନାହିଁ l ଦାସୀ ପରିବାରିଙ୍କ ଛୁଆମାନଙ୍କ ପାଇଁ ନଅରର ଦ୍ୱାର ନିଷିଦ୍ଧ l ନଅରର ଏରୁଣ୍ଡି ଡେଇଁ , ସେମାନେ କେବେ ନଅର ଭିତରକୁ ପଶିବାକୁ ସାହସ କରି ନାହାନ୍ତି କି, ମୋର ରାଜକୀୟ ମର୍ଯ୍ୟାଦାର ଖୋଳପାଟିକୁ ବାହାର କରି ଦେଇ ମୁଁ ସେମାନଙ୍କୁ ଆପଣେଇବାକୁ ଆଗେଇ ଯାଇ ପାରିନି l କେବଳ ଝର୍କା ପାଖରେ ଠିଆ ହୋଇ ସେମାନଙ୍କର ବାଳ ଲୀଳା ଉପଭୋଗ କରିଛି l

          ମନରେ ତ ଡର ଭୟ ସବୁ ଦିନ ଥାଏ l ସେ ଦିନ କିନ୍ତୁ ମନଟା କାହିଁକି ବସି ବସି ଯାଉଥିଲା l କୋଉଠି କିଛି ଗୋଟାଏ ଅଘଟଣ ଘଟିଛି ବୋଲି ମନ କହୁଥିଲା l ବୃନ୍ଦାବତୀଙ୍କ ପାଖରେ ଦୀପ ଜାଳିଲି ମୁଁ l କୈକେୟୀ ମାଆଙ୍କ ପାଖକୁ ଗଲି l ସିଏ ବି ଅସ୍ଥି ହେଉ ଥିଲେ l ରାତି କେତେ ହେବ କେଜାଣି ? ସକାଳକୁ ମୁଁ ଅପେକ୍ଷା କରୁଛି l ଆଜି କାଲି ରାତିରେ ବହୁତ ଡର ଲାଗେ l ସମୟ ଯେତେ ସରି ସରି ଯାଉଛି, ମନର ଉତ୍କଣ୍ଠା ସେତେ ବଢି ବଢି ଯାଉଛି l ସେଦିନ ରାତିଟା କିନ୍ତୁ କେମିତି ଗୋଟାଏ ଅସ୍ୱାଭାବିକ ଲାଗୁଥିଲା l ସତେ ଯେମିତି ରାତିଟା ଅସରନ୍ତି ହୋଇଯାଇଥିଲା l ମୋର ଆଶଙ୍କା ଅମୂଳକ ନ ଥିଲା l ସତୀ ଅନସୂୟାଙ୍କ ଆସନ୍ନ ବୈଧବ୍ୟ କାଟିବା ପାଇଁ ସେ ଦିନ ସାତ ରାତି ମିଶି ଗୋଟିଏ ରାତି ହୋଇଯାଇଛି l ଯଦି ସେମିତି ହୋଇ ନ ଥାନ୍ତା, ହନୁମାନ କଣ ସୁଦୂର ଲଙ୍କାରୁ ହିମାଳୟ ଆସି ଗନ୍ଧମାର୍ଦନ ନେଇ ପାରିଥାନ୍ତେ ନା, ତୁମେ ବଞ୍ଚିଥାଆନ୍ତ l ମନେ ମନେ ଅନସୂୟାଙ୍କୁ ଧନ୍ୟବାଦ ଦେଲି ମୁଁ l ଯୁଗେ ଯୁଗେ ଏହିପରି ସତୀମାନଙ୍କ ଯୋଗୁଁ ସିନା ତିଷ୍ଠି ରହିଛି ଏହି
ସଂସାର l ସେହି ସତୀଙ୍କୁ ମୁଁ ଦେଖିନି l କିନ୍ତୁ ତାଙ୍କ ଚରଣ ତଳେ ମୋର କୋଟି ନମସ୍କାର l ସେ ଦିନର କଥା ନ କହିଲେ ମୋର ଏହି ଆତ୍ମ ସମୀକ୍ଷା ଯେ ଅଧା ହୋଇ ରହିଯିବ l

          ସେ ଦିନର ସେ କାଳ ରାତ୍ରି l ରାତ୍ରି ବଢିବା ସଙ୍ଗେ ସଙ୍ଗେ ମୋ ମନର ଅସ୍ଥିରତା ବଢି ବଢି ଚାଲିଥିଲା l କିଛି ସମୟ ବିଛଣାରେ ପଡି ରହିବା ପରେ ମୁଁ ଝର୍କା ପାଖକୁ ଆସିଲି l ହଠାତ୍ ଗୋଟିଏ ଅଦ୍ଭୁତ ଦୃଶ୍ୟ ମୋ ଆଖିରେ ପଡିଲା l ମାଙ୍କଡାକୃତି ଜୀବଟିଏ ପର୍ବତ ଆକୃତିର କିଛି ଗୋଟାଏ ଧରି ଆକାଶ ପଥରେ ଯାଉଛି l ମୁହଁରେ ତାର ଶ୍ରୀରାମ ଧ୍ୱନି l ମୁଁ କିଛି ବୁଝିବା ପୂର୍ବରୁ ଅଯୋଧ୍ୟାର ସୈନ୍ୟମାନେ ତାଙ୍କୁ ନେଇ ଭରତ ଭାଇଙ୍କ ପାଖକୁ ଆସି ସାରିଥିଲେ l ପରେ ଜାଣିଲି ଯେ, ସେ ହେଉଛନ୍ତି ହନୁମାନ l ଏ ହେଉଛନ୍ତି ସେହି ହନୁମାନ, ଯିଏ କି ସୂର୍ଯ୍ୟଙ୍କୁ ଗିଳି ଦେବାକୁ ବସିଥିବା ବେଳେ ଅଭିଶାପଗ୍ରସ୍ତ ହୋଇ ନିଜର ଅନ୍ତର୍ନିହିତ ଶକ୍ତି ବିଷୟରେ ବିସ୍ମୃତ ହୋଇଥିଲେ l ତାଙ୍କୁ ଠାରୁ ତୁମ ବନବାସ ଜୀବନର ସମ୍ୟକ୍ ବିବରଣୀ ଜାଣିବାକୁ ପାଇଲି l ଶର୍ବରୀ ମୋକ୍ଷ ଠାରୁ ଆରମ୍ଭ କରି ସୁଗ୍ରୀବ ଉଦ୍ଧାର, ମାରୀଚ ବଦ୍ଧ ଠାରୁ ଆରମ୍ଭ କରି ସୀତା ହରଣ ପର୍ଯ୍ୟନ୍ତ l ଗୋଟିଏ ମୁହୂର୍ତ୍ତ ମୁଁ ସୀତା ଦିଦିର ବିପଦ ବିଷୟରେ ଭୁଲି ରାଗି ଯାଇଥିଲି ବଡ ଭାଇଙ୍କ ଉପରେ l

          ନିଜେ ଏକ ପତ୍ନୀ ବ୍ରତ ପାଳନ କରିବେ l ଅଥଚ ତୁମକୁ ପଠେଇଦେବେ ସୁନ୍ଦରୀ ସୂର୍ପଣଖାକୁ l ଅବଶ୍ୟ ମୋର ତୁମ ଉପରେ ପୁରା ଭରସା ଅଛି l ତଥାପି ମଣିଷ ମନ ତ l ଯଦି ଚହଲି ଯାଇଥାନ୍ତା, ମୋ ଅବସ୍ଥା କଣ ହୋଇଥାନ୍ତା ? ବଡ ଭାଇ କଣ ସେତେବେଳେ ଏ କଥା ବିଚାର କରିଥିଲେ ? ସେ ଏପରି କଥା କହିପାରିଲେ କେମିତି ? ମୁଁ ଆଗରୁ କହିଛି ନା, ମୋ ଆଖିରେ ତୁମେ ହିଁ ଶ୍ରେଷ୍ଠ ପୁରୁଷ l ଏବଂ ସୂର୍ପଣଖାର ନାକ – କାନ ଛେଦନ କରି ତୁମେ ମୋର ଏହି ଧାରଣାକୁ ବିଶ୍ୱାସରେ  ପରିଣତ କରି ଦେଇଥିଲ l ବଡ ଭାଇଙ୍କ ପାଖରେ ତ ସୀତା ଦିଦି ଥିଲା l କିନ୍ତୁ ତୁମେ, ଦୀର୍ଘ ଦିନ ମୋ ଠାରୁ ଦୂରେଇ ରହି ମଧ୍ୟ ଅନ୍ୟ ସ୍ତ୍ରୀ ପ୍ରତି ଆକୃଷ୍ଟ ହୋଇନ, ତାହା ହିଁ ତୁମର ଶ୍ରେଷ୍ଠ ପୁରୁଷତ୍ୱର ପରିଚୟ ଦିଏ l

          ହଠାତ୍ ସୀତା ଦିଦିର ବିପଦ କଥା ମନକୁ ଆସିଲା ମୋର l ସୁନାନାକି ଦିଦି ମୋର କେମିତ କାଟୁଥିବ, ସେହି ଅସୁରମାନଙ୍କ ଗହଣରେ ? ରାବଣ ଏତେ ବଡ ଜ୍ଞାନୀ ବୋଲି ଶୁଣିଥିଲି l ତାଙ୍କର ଏପରି ଚିତ୍ତ ଭ୍ରମ ହେଲା କିପରି ? ମୋତେ ଦୟା ଲାଗୁଥିଲା ମନ୍ଦୋଦରୀଙ୍କ ପ୍ରତି l  ସ୍ୱାମୀ ଠାରୁ ଅଲଗା ରହିବା ସହ୍ୟ କରି
ହେବ l କିନ୍ତୁ ସ୍ୱାମୀ ଯଦି ଅନ୍ୟ ସ୍ତ୍ରୀ ପ୍ରତି ଆକୃଷ୍ଟ ହୁଏ--------------- ? ଦୁଃସହ ହୋଇଯିବ ଜୀବନ l ମନେ ମନେ ତୁମକୁ ତଥା ଭଗବାନଙ୍କୁ ଧନ୍ୟବାଦ ଦେଉଥିଲି ମୁଁ l

          ତୁମ କଥା ଶୁଣୁ ଶୁଣୁ କେତେବେଳେ ଯେ ମୁଁ ଆସି ବାହାରେ ନଅରବାସୀଙ୍କ ଗହଣରେ ଠିଆ ହୋଇଯାଇଛି, ମୁଁ ଜାଣିପାରିନି l ମୁଁ ଭୁଲି ଯାଇଥିଲି ଯେ, ମୁଁ ରାଜବଧୂ l ମୋ ପାଖରେ ଏ ପ୍ରକାର ଦୁର୍ବଳତା ଶୋଭା ପାଏନା l ଏପରି ହେଲେ ସାଧାରଣ ସ୍ତ୍ରୀ ଲୋକ ଓ ମୋ ଭିତରେ ଫରକ କଣ ରହିବ ଯେ ? କିନ୍ତୁ ରାଜବଧୂର କଣ ମନ ନାହିଁ ? ସେ କଣ ସବୁ ଭାବନାର ଉର୍ଦ୍ଧ୍ୱରେ ? ତା ମନ କଣ କେବେ ଆଲୋଡିତ
ହେବନି ? ଯଦି ସେମିତ ନ ହୋଇଥାନ୍ତା, ତେବେ ତୁମର ବିପଦ ଶୁଣି ମୁଁ କାହିଁକି ଚେତନା ଶୂନ୍ୟ ହୋଇ ଗଲି ? କେତେ ସମୟ ମୁଁ ଚେତନା ଶୂନ୍ୟ ହୋଇଥିଲି ଜାଣେନା l କିନ୍ତୁ ଚେତନା ଫେରି ପାଇବା ପରେ ମନ ମୋର ବ୍ୟାକୁଳିତ ହେବାକୁ ଲାଗିଲା l ମୁଁ ସବୁ କିଛି ଭୁଲି ଯାଇ ହନୁମାନଙ୍କୁ ଅନୁରୋଧ କଲି ତୁମକୁ ବଞ୍ଚେଇ ଦେବା ପାଇଁ l ହନୁମାନ ବଡ ଭାଇଟିଏ ପରି ଆଶ୍ୱାସନା ଦେଉଥିଲେ l ଆଉ କିଏ ତ ଆଶ୍ୱାସନା ଦେବା ଅବସ୍ଥାରେ ନ ଥିଲେ l ତୁମେ ଯେ ସମସ୍ତଙ୍କର ନୟନ ପିତୁଳା l ତୁମେ ମୃତବତ୍ ପଡିଥିବ ଶୁଣି କିଏ କେମିତି ଧୈର୍ଯ୍ୟ ଧରି ରହି ପାରିବ ଯେ ? କଣ ହୋଇଥିବ ତେଣେ ବଡଭାଇଙ୍କର ଅବସ୍ଥା ? କିଛି ସମୟ ପରେ ଭରତ ଭାଇ ପ୍ରକୃତିସ୍ଥ ହୋଇ ହନୁମାନଙ୍କୁ ତୁରନ୍ତ ଯିବା ପାଇଁ ଅନୁମତି ଦେଲେ l ଆକାଶ ପଥରେ ବିନ୍ଦୁଟିଏ ହୋଇ ଅଦୃଶ୍ୟ ହୋଇଯିବା ପର୍ଯ୍ୟନ୍ତ ମୁଁ ହନୁମାନଙ୍କୁ ଚାହିଁ ରହିଥିଲି l ମଣିଷ ଯେତେବେଳେ ସବୁ ଆଡୁ ନିରାଶ ହୋଇଯାଏ, ଭଗବାନଙ୍କ ଶରଣ ପଶେ l ମୁଁ ବା ବାଦ୍ ପଡିଥାନ୍ତି କେମିତି ? ଦେବୀଙ୍କ ମନ୍ଦିରରେ ପ୍ରବେଶ କଲି l ଦୀପ ଜଳୁଥିଲା ଦାଉ ଦାଉ ହୋଇ l ଦେବୀଙ୍କ ଆଖିକୁ ଚାହିଁଲି l ସେଇ ଆଖିରେ ଆଶ୍ୱାସନାର ଝଲକ ମୋ ମନରେ ପ୍ରତ୍ୟୟ ସୃଷ୍ଟି କଲା l ମୋ ମନ କହୁଥିଲା, ତୁମର କିଛି ବି ହେବନି l ତୁମ ଆଉ ମୋ ଭିତରେ ଥିବା ମନର ସମ୍ପର୍କକୁ ମୁଁ ଅନୁଭବ କରିଛି l ଆମର ନୂଆ ନୂଆ ବାହାଘର ହୋଇଥାଏ l ସେ ଦିନ ମାଆମାନଙ୍କୁ ତଥା ବାପାଙ୍କୁ ଫଳ ଦେବା ପାଇଁ ମୁଁ ଫଳ କାଟୁଥିଲି l ହଠାତ୍ ଅନ୍ୟମନସ୍କ ହୋଇଯିବାରୁ ଛୁରୀ ବାଜି ହାତ କଟିଗଲା ମୋର l ପାଖରେ ସୀତା ଦିଦି, ମାଣ୍ଡବୀ ତଥା ଶ୍ରତକିର୍ତ୍ତୀ ଥିଲେ l ସେମାନେ କଣ ହେଉଛି କିଛି ବୁଝିବା ପୂର୍ବରୁ ତୁମେ ଆସି ମୋ ହାତକୁ ଚିପି ଧରିଥିଲ l ସେମାନେ ମୋ ଭଉଣୀ, ଅଥଚ ସେମାନେ କିଛି ଜାଣିପାରିଲେନି l କିନ୍ତୁ କିଛି ଅଘଟଣ ଘଟିଛି ବୋଲି ତୁମେ ଜାଣିପାରିଲ l ଏଇଥିରୁ ମୁଁ ଅନୁଭବ କରିଛି ଆମ ଭିତରେ ମନର ସମ୍ପର୍କଟା କେତେ ଗଭୀର l ସେହି ଗଭୀରତାର ଦ୍ୱାହି ଦେଇ ହିଁ ମୁଁ ନିଶ୍ଚିତ ଥିଲି ଯେ, ତୁମର କିଛି ବି କ୍ଷତି ହେବନି l ତଥାପି ବି ମନରେ କୋହ ଉଠୁଥିଲା l ଆଖିର ଲୁହ ବାଧା ମାନୁ ନ ଥିଲା l ହଠାତ୍ କୈକେୟୀ ମାଆ ବ୍ୟସ୍ତ ହୋଇ ଉଠି ବସିଲେ l ଆଖିର ଲୁହ ପୋଛି ପାଖରେ ଯାଇ ବସିଲି ତାଙ୍କର l ମୋତେ କ୍ଷମା ମାଗୁ ମାଗୁ ବିକଳ ହୋଇ କାନ୍ଦୁଥିଲେ ସିଏ l ଏବେ କିନ୍ତୁ ସିଏ କାନ୍ଦିଲେ ମୋତେ ଅପରାଧୀ ଅପରାଧୀ ଲାଗେ l ବିଚାରୀ କିଛି ଭୁଲ ନ କରି ମଧ୍ୟ ସମସ୍ତଙ୍କର ଆକ୍ରୋଶର ଶରବ୍ୟ l ସତେ କଣ ଭବିଷ୍ୟତ ଉତ୍ତରାଧିକାରୀମାନେ ତାଙ୍କର ଏ ତ୍ୟାଗ କଥା ବୁଝିପାରିବେ ? ଆଉ ସମ୍ଭାଳି ପାରିଲିନି ମୁଁ l ତାଙ୍କର ଏ ତ୍ୟାଗ କଥା ମୁଁ ଜାଣିଛି ବୋଲି ତାଙ୍କୁ ଜଣେଇଦେଲି l ସ୍ତବ୍ଧ ହୋଇଗଲେ ସିଏ l ଶେଷରେ ମୋତେ ପ୍ରତିଜ୍ଞାବଦ୍ଧ କରେଇଦେଲେ ଏ କଥା କାହାରିକୁ ନ କହିବା ପାଇଁ l ମୋତେ କିନ୍ତୁ ଗଳା ଫଟାଇ ଚିତ୍କାର କରି ସମସ୍ତଙ୍କୁ କହିଦେବା ପାଇଁ ଇଛା ହେଉଥିଲା l କିନ୍ତୁ ମୁଁ ଯେ ସୂର୍ଯ୍ୟ ବଂଶର ବୋହୁ l ପ୍ରତିଜ୍ଞା ପାଳନ ସୂର୍ଯ୍ୟବଂଶୀମାନେ ପୃଥିବୀ ପ୍ରସିଦ୍ଧ l ତେବେ ସେହି ବଂଶର କୁଳବଧୂ ହୋଇ ମୁଁ କିପରି ସତ୍ୟ ଭଙ୍ଗ କରିଥାନ୍ତି ? ବେଳେବେଳେ ସାଧାରଣ ହୋଇଯିବା ପାଇଁ  ବହୁତ ଇଛା ହୁଏ l ରାଜ ପରିବାରର ସମସ୍ତ ଶୃଙ୍ଖଳକୁ ଭାଙ୍ଗିଦେବା ପାଇଁ ମନ ହୁଏ l ମଣିଷର ସବୁ ଇଛା ଯଦି ପୁରଣ ହୋଇଯାଆନ୍ତା, ତେବେ ଦୁଃଖ ବୋଲି କିଛି ରହନ୍ତା କାହିଁକି ?  ତଥାପି ବି ଭାବେ, ଯାହା ହେଇଛି ଭଲ ପାଇଁ ହେଇଛି l ମୁଁ ଯଦି ତୁମ ସହ ବଣକୁ ଯାଇଥାନ୍ତି, ତେବେ କୈକେୟୀ ମାଆଙ୍କର ଏତେ ବଡ ତ୍ୟାଗ କଥା ଉନ୍ମୋଚିତ ହୋଇଥାନ୍ତା କିପରି ? ତଥାପି ବି ବୁଝେଇ ପାରେନି ମନଟାକୁ l ମନଟାକୁ ବୁଝେଇ ପାରେନି ବୋଲି ହିଁ ସେହି ଦେବୀଙ୍କର ଆଶ୍ରୟ ନିଏ l ଦେବୀଙ୍କ ମନ୍ଦିରକୁ ଚାହିଁଲି ମୁଁ l ଦୀପ ସେମିତି ଜଳୁଥିଲା l ଝର୍କା ଦେଇ ବାଳ ଅରୁଣଙ୍କର ସ୍ନିଗ୍ଧ କିରଣ ସତେ ଅବା ଆଶୀର୍ବାଦ ଢାଳୁଥିଲା ମୋ ଉପରେ l ମୋ ମନ କହୁଥିଲା, ତୁମେ ଉଠି ବସିବଣି l

          ଦିନେ ଦିନେ ମନ ମୋର ବିଦ୍ରୋହ କରି ଉଠେ l କିନ୍ତୁ ପର ମୁହୂର୍ତ୍ତରେ ମନକୁ ମୋର ଶାନ୍ତ କରି ନେଉଥିଲି l ଆଜି ବି ସେ କାଳ ରାତ୍ରୀ କଥା ମନେ ପଡିଲେ ଶିହରୀ ଉଠୁଛି ଦେହ l ସତୀ ଅନସୂୟାଙ୍କ ଦୟା ଯଦି ନ ହୋଇଥାନ୍ତା, କଣ ଯେ ହୋଇଥାନ୍ତା ମୋ ଅବସ୍ଥା ? ସତରେ ମହାନ ସେ ନାରୀ l ଜଣେ ନାରୀ ସ୍ୱାମୀର ଇଛା ପୂରଣ ପାଇଁ ସ୍ୱାମୀକୁ ବେଶ୍ୟା ଘରେ ଛାଡି ଦେଇ ପାରେ l ଆଉ ଜଣେ ନାରୀ ସତୀତ୍ୱର ମର୍ଯ୍ୟାଦା ରଖି, ବ୍ରହ୍ମା, ବିଷ୍ଣୁ ତଥା ମହେଶ୍ୱରଙ୍କୁ ତିନୋଟି ଶିଶୁରେ ପରିଣତ କରି ସ୍ତନ୍ୟପାନ କରାଇପାରେ l  ସେହି ସତୀ ନାରୀମାନଙ୍କ ପାଇଁ ତ ତିଷ୍ଠି ରହିଛି ଏହି ସଂସାର l ସେହି ପରି ନାରୀମାନଙ୍କର କଥା କଣ ବ୍ୟର୍ଥ ଯିବ ? ପତିଙ୍କ ଜୀବନ ରକ୍ଷା ପାଇଁ ଯେଉଁ ନାରୀ ସାତ ରାତିକୁ ଏକ ରାତିରେ ପରିଣତ କରିଦେଇ ପାରେ, ସେହି ନାରୀଙ୍କ ଚରଣରେ ମୋର ପ୍ରଣାମ l ସୂର୍ଯ୍ୟଙ୍କ ଆବର୍ତ୍ତମାନରେ ଯେତେବେଳେ ସାରା ସଂସାର ତ୍ରାହି ତ୍ରାହି ଡାକୁଥିଲା, ସେତେବେଳେ ମୁଁ ଭାବୁଥିଲି, ରାତିଟା ବଡ ହୋଇଯାଉ ଏବଂ ହନୁମାନ ତୁମ ପାଖରେ ପହଞ୍ଚିବା ପୂର୍ବରୁ ରାତି ନ ପାହୁ l ସତରେ ବି ରାତି ପାହି ନ ଥିଲା l

ରୋଗଗ୍ରସ୍ତ ସ୍ୱାମୀର ଇଛାକୁ ସମ୍ମାନ ଦେଇ ସେହି ନାରୀ ବ୍ରାହ୍ଣଣ କୌଶିକଙ୍କର ପତ୍ନୀ ତାଙ୍କୁ ନେଇ ବୈଶ୍ୟା ଘରକୁ ଯିବା ବେଳେ, କୌଣସି କାରଣରୁ ଦଣ୍ଡ ପାଉଥିବା ମାଣ୍ଡବ୍ୟ ଋଷିଙ୍କ ଦେହରେ ଧକ୍କା ହୋଇ ତାଙ୍କ ରୋଷ ତଥା ଅଭିଶାପର ଶୀକାର ହୋଇଥିଲେ l ଋଷି ଅଭିଶାପ ଅନୁଯାୟୀ ରାତି ପାହିଲେ ବ୍ରାହ୍ମଣ କୌଶିକଙ୍କର ମୃତ୍ୟୁ ହେବ l କିନ୍ତୁ ସେ ଯେ ସତୀ ନାରୀ l ସେ ନିଜର ସତୀତ୍ୱ ବଳରେ ସୂର୍ଯ୍ୟଙ୍କର ଉଦୟ ହିଁ ବନ୍ଦ କରିଦେଲେ l ରାତି ସରୁ ନ ଥିଲା l ସଂସାରରେ ଭାଳେଣୀ ପଡିଗଲା l  ଶେଷରେ ଦେବତାମାନଙ୍କ ଅନୁରୋଧରେ ସାଧ୍ୱୀ ଅନସୂୟା ଆସି କୌଶିକ ବ୍ରାହ୍ମଣଙ୍କ ପତ୍ନୀଙ୍କୁ ବୁଝାଇ ଥିଲେ ଓ ସୂର୍ଯ୍ୟଙ୍କୁ ଉଦୟ ହେବକୁ ଦେଇ ଥିଲେ l କେବଳ ସେତିକି ନୁହେଁ, କୌଶିକଙ୍କୁ ମାଣ୍ଡବ୍ୟ ଋଷି ଦେଇଥିବା ଅଭିଶାପକୁ ବି ଦୂରେଇ ନେବାକୁ ସକ୍ଷମ ହୋଇଥିଲେ ଓ ତାଙ୍କ ପତ୍ନୀଙ୍କର ବୈଧବ୍ୟ କଟିଯାଇଥିଲା l  ଏବଂ ସେହି ବ୍ରାହ୍ମଣ ପତ୍ନୀଙ୍କ ସତ୍ ନିଷ୍ଠା ପରୋକ୍ଷରେ ତୁମର ସହାୟ ହୋଇଥିଲା ଓ ତୁମେ ସୁସ୍ଥ ହୋଇଥିଲ l ସେହି ନାରୀ ମୋର ଚିର ନମସ୍ୟ, ଯିଏ କି ନିଜର ବୈଧବ୍ୟକୁ ହଟେଇବା ସହ ମୋର ଚୁଡି ଓ ସିନ୍ଦୂର ବଞ୍ଚେଇବାରେ ସକ୍ଷମ ହୋଇଥିଲେ l

ଭାବି ନ ଥିଲି ଏ ଚଉଦ ବର୍ଷ କଟିଯିବ ବୋଲି l ତୁମେ ନ ଥିଲ  ବୋଲି ତ ସମୟ ଅଟକି ଯାଇ ନ
ଥିଲା l ସଂସାରରେ ସବୁ ଯଥା ରୀତି ଚାଲିଛି l ଯେଉଁ ଦିନ ଚଉଦ ବର୍ଷ ପୁରିଗଲା, ସେ ଦିନ ତୁମ ଆସିବାକୁ ମୁଁ ଚାହିଁ ରହିଥିଲି l ମୁଁ  କହିଲେ ଭୁଲ ହେବ l ଆମେ ସମସ୍ତ ଅଯୋଧ୍ୟାବାସୀ ତୁମ ଆସିବା ପଥକୁ ଚାହିଁ ରହିଥିଲୁ l କେବଳ ବ୍ୟତିକ୍ରମ ଥିଲେ କୈକେୟୀ ମାଆ l ମୋତେ ବି ଆଶ୍ଚର୍ଯ୍ୟ ଲାଗୁଥିଲା l ଯିଏ ସବୁଦିନ ତୁମମାନଙ୍କ ଆସିବା ପଥକୁ ନିର୍ନିମେଷ ନୟନରେ ଚାହିଁ ରହୁଥିଲା, ଆଜି ତା ଆଖିରେ ପ୍ରତୀକ୍ଷାର ବ୍ୟକୁଳତା ନାହିଁ ! ଆଖି ଦୁଇଟି କେମିତି ଅସମ୍ଭବ ଭାବରେ ସ୍ଥିର l ମୋତେ ଡର ଲାଗିଲା l ମୁଁ ଯାଇ ଆସ୍ତେ ତାଙ୍କ କାନ୍ଧ ଉପରେ ହାତ ରଖିଲି l ଚମକି ଚାହିଁଲେ ସେ l ଆଖିରେ କିଛି ଗୋଟାଏ ଭୁଲ କରିବାର ଭାବ l କୈକେୟୀ ମାଆ କଣ ବା ଭୁଲ କରିପାରନ୍ତି ? ମୋତେ ଲାଗିଲା ସେ ମୋତେ କିଛି ଗୋଟାଏ ଲୁଚେଇବାର ଚେଷ୍ଟା କରୁଛନ୍ତି l ହାତକୁ ଟାଣି ଆଣିଲି l ଆଜିକାଲି ତାଙ୍କ ଉପରେ ମୁଁ ଜୋର୍ ଦେଖାଏ l ହୁଏତ ସମୟର ସୁଅରେ ଏ ଅଧିକାରଟା ସିଏ ମୋତେ ଦେଇଛନ୍ତି l ହାତରେ ତାଙ୍କର ଗୋଟାଏ ଲଡୁ ଥିଲା l ଆଶ୍ଚର୍ଯ୍ୟ ଲାଗିଲା ମୋତେ l ଦୀର୍ଘ ଚଉଦ ବର୍ଷ ହେଲା, ମୁଁ ବାଧ୍ୟ ନ କଲେ, ଯିଏ ଦାନାଟିଏ ବି ପାଟିକୁ ନେଉ ନ ଥିଲେ, ସିଏ ପୁଣି ସ୍ୱଇଛାରେ ଲଡୁଟିଏ
ଧରିଛନ୍ତି l ହଠାତ୍ ଷଷ୍ଠ ଇନ୍ଦ୍ରିୟ ମୋର ଜାଗ୍ରତ ହୋଇଗଲା l ଏଇଟା ଆଉ ବିଷ ଲଡୁ ନୁହେଁ ତ ? ତୀବ୍ର ଦୃଷ୍ଟିରେ ଚାହିଁଲି ମାଆଙ୍କୁ l ଅପରାଧ ଧରା ପଡିଯିବାର ଗ୍ଲାନିରେ  ଭାଙ୍ଗି  ପଡିଲେ କୈକେୟୀ ମାଆ l ଆଖିରେ ଲୁହ ତାଙ୍କର ଲହଡି ଭାଙ୍ଗୁଥିଲା l କେତେ ଅଭିମାନର ଏ ଲୁହ ଥିଲା ବୁଝିପାରିଲି ମୁଁ l ସତରେ କଣ ବଡ ଭାଇ ତାଙ୍କର ଏ ତ୍ୟାଗର ମୂଲ୍ୟ ରଖିବେ ? ସତରେ କଣ ବଡ ଭାଇ ପ୍ରଥମେ ଆସି କୈକେୟୀ ମାଆଙ୍କ ପାଦ ଧୂଳି ନେବେ ? ସନ୍ଦେହରେ ଭରି ଉଠିଥିଲା ମନ ମୋର l ଯଦି ସେମିତି ନ ହୁଏ, ତେବେ କାହା ପାଇଁ କୈକେୟୀ ମାଆ ଜୀବନ ଧରି ରହିବେ ? ଭୁଲ ହେଲେ ବି କୈକେୟୀ ମାଆଙ୍କ ଏ ପଦକ୍ଷେପକୁ ସ୍ୱାଗତ କଲି ମୁଁ l ମୁଁ ବି ତ ଦିନେ ଆତ୍ମହତ୍ୟା କରିଦେବି ବୋଲି ଭାବୁଥିଲି l ସେ ବହୁତ ଦିନ ତଳର କଥା l ଭରତ ଭାଇ ତୁମମାନଙ୍କୁ ଫେରାଇ ଆଣିବାରେ ବ୍ୟର୍ଥ ହେବା ପରେ ମନ ମୋର ଭାଙ୍ଗି ଚୁରମାର୍ ହୋଇ ଯାଇଥିଲା l ସେ ଦିନ ମିଥିଳାରୁ ମାଆ ଓ ବାପା ବି ଆସିଥିଲେ l ମାଆ ତାଙ୍କ ସହ ଜନକ ପୁରୀ ଯାଇ କିଛି ଦିନ ବୁଲି ଆସିବା ପାଇଁ ଅନୁରୋଧ କରୁଥିଲେ l ହୁଏତ ମନ ପରିବର୍ତ୍ତନ ହୋଇ ଯିବ l କିନ୍ତୁ ଯେତେବେଳେ ଜାଣିଲେ ଯେ, ତୁମ ବିନା ମୋ ପାଇଁ ଅଯୋଧ୍ୟା ଯାହା, ଜନକପୁରୀ ବି ସେୟା, ସେତେବେଳେ ଚୁପ୍ ହୋଇଗଲେ l ମୋ ମୁଣ୍ଡରେ ହାତ ରଖିଲେ l ସେ ହାତ ମୋ ମନରେ ଆଣିଥିଲା ପ୍ରତ୍ୟୟ l ତଥାପି ବି ସେଦିନ ମୁଁ ଆତ୍ମହତ୍ୟା କରି ଦେବି ବୋଲି ନିଷ୍ପତ୍ତି ନେଇଥିଲି l ମାଆ କିନ୍ତୁ ମୋ ଉପରେ ତୀକ୍ଷ୍ମ ନଜର ରଖିଥିଲେ l ମାଆ ସିଏ ମୋର l ମୋର ମନ କଥା ତାଙ୍କ ବ୍ୟତୀତ କିଏ ବା ଅଧିକ ଜାଣିପାରିବ ? ମୋ କୋଠରୀରେ ମୁଁ କାନ୍ଥକୁ ଚାହିଁ ଶୋଇ ରହିଥିଲି l ମାଆ ଆସି ବସିଲେ ପାଖରେ ମୋର l ଆସ୍ତେ କରି କହିଲେ, ମାଆରେ ‘ମଣିଷ ଯେଉଁ ଦୁଃଖ ପାଇଁ ଆତ୍ମହତ୍ୟା କରେ, ପୁଣି ଥରେ ଜନ୍ମ ନେଇ ସେ ଦୁଃଖରେ ହିଁ ଘାଣ୍ଟି ହୁଏ l ’ ସ୍ତବ୍ଧ ହୋଇଯାଇଥିଲି ମୁଁ l ହୁଏତ ମାଆର ମାନେ ଏୟା l କିଛି ନ କହିଲେ ବି ଛୁଆର ମନ କଥା ଜାଣି ପାରେ ସିଏ l କେତେ ବଡ ବିପତ୍ତିରୁ ମୋତେ ବଞ୍ଚାଇ ଦେଇଥିଲେ ମାଆ ମୋତେ ସେ ଦିନ l କିନ୍ତୁ ଆଜି ଇଛା କରି ବି ମୁଁ କୈକେୟୀ ମାଆଙ୍କୁ ଛାଡି ଯାଇ ପାରୁ ନ ଥିଲି l ଝର୍କା ପାଖରେ ଠିଆ ହୋଇ ତୁମମାନଙ୍କ ଆସିବା ଦିଗକୁ ଚାହିଁ ଥିଲି l କିଛି ମୁହୂର୍ତ୍ତ ମୁଁ ବୋଧେ ଆତ୍ମ ବିସ୍ମୃତ ହୋଇ ଯାଇଥିଲି l କେତେବେଳେ ବଡ ଭାଇ ଆସି କୈକେୟୀ ମାଆଙ୍କ ପାଦ ତଳେ ବସି ଯାଇଛନ୍ତି, ମୁଁ ଜାଣିପାରିନି l ବାହାରେ ସ୍ତବ୍ଧ ଅଯୋଧ୍ୟାବାସୀ l ଏ କେମିତି ସମ୍ଭବ ହୋଇପାରେ  ? ଯେଉଁ ମାଆ ଲାଗି ଏତେ ଘଟଣା ହେଲା, ସେଇ ମାଆକୁ ରାମଚନ୍ଦ୍ର ଆଗ ଯାଇ ଦେଖା ଦେବେ ? ଝର୍କାର ଯେଉଁ ପାଖରେ ମୁଁ ଠିଆ ହୋଇଥିଲି, ସେଠି ମୋତେ କେହି ଦେଖିପାରିବେନି, ଅଥଚ ମୁଁ ସମସ୍ତଙ୍କୁ ଦେଖିପାରିବି l କବାଟ ଭିତରୁ ବନ୍ଦ ଥିଲା l ହୁଏତ ସେୟା ହିଁ କୈକେୟୀ ମାଆଙ୍କ ନିର୍ଦ୍ଦେଶ ଥିଲା l ବଡ ଭାଇ କୈକେୟୀ ମାଆଙ୍କ କୋଳରେ ମୁଣ୍ଡ ରଖିଥିଲେ l କୈକେୟୀ ମାଆ ପରମ ଆନନ୍ଦରେ ସାଉଁଳି ଦେଉଥିଲେ ମୁଣ୍ଡ ତାଙ୍କର l

ମୁହୂର୍ତ୍ତ ସବୁକୁ ଯଦି ହାତରେ ରଖି ହୁଅନ୍ତା, ତେବେ ଏହି ମୁହୂର୍ତ୍ତଟିକୁ ମୁଁ ସାଉଁଟି ରଖିଥାନ୍ତି ମୋ ହାତ ମୁଠାରେ l କିନ୍ତୁ ଏହା କଣ ସମ୍ଭବ ? ଏଣୁ ଏହି ମୁହୂର୍ତ୍ତଟିକୁ ମୁଁ ମୋ ହୃଦୟ ଭିତରେ ସାଇତି ରଖିଲି l ମୁଁ ଭାବୁଥିଲି ମୋତେ କିଏ ଦେଖି ନାହାନ୍ତି l କିନ୍ତୁ ବଡ ଭାଇ ଆସି ମୋ ମୁଣ୍ଡରେ ହାତ ରଖିବା ପରେ ମୋର ଭ୍ରମ ଭାଙ୍ଗିଗଲା l ସେ ଯେ ଅବତାର ପୁରୁଷ l ତାଙ୍କ ଆଖିରୁ କେହି କେବେ କଣ ଲୁଚି ପାରିବ ? ତାଙ୍କ ପାଦ ତଳେ ପ୍ରଣାମ କଲି l ହଠାତ୍ ଦୁଇ ଟୋପା ଲୁହ ଆସି ପଡିଲା ମୋ ଉପରେ l ବଡ ଭାଇ କାନ୍ଦୁଥିଲେ l ହୁଏତ ସେଇ ଲୁହ ହିଁ କହୁଥିଲା, ମୁଁ ତୋ ପ୍ରତି ବହୁତ ଅନ୍ୟାୟ କରିଛି ରେ ମାଆ ! ମୋ ମନର ଜ୍ଜ୍ୱଳନ ଥମିଗଲା l ଟୋପାଏ ଲୁହର କେତେ ଶକ୍ତି ସତରେ ? ମୋ ମନ କଥା ଜାଣିବା ପରି ବଡ ଭାଇ ମୋତେ ଅନୁମତି ଦେଉଥିଲେ ବାହାରକୁ ଯିବା ପାଇଁ l ମନ ଚାହୁଁଥିଲା, ଦୌଡି ଚାଲିଯିବା ପାଇଁ l କିନ୍ତୁ  ପାଦ ଦୁଇଟିକୁ କେଉଁ ଏକ ଅଦୃଶ୍ୟ ଶକ୍ତି ବାନ୍ଧି ରଖିଥିଲା l ଆସ୍ତେ କରି କବାଟ ଖୋଲିଲି ମୁଁ l ସାମ୍ନାରେ ସୀତା ଦିଦି l ସବୁଦିନ ପରି ଆଜି ବି ମୋତେ ଆଉଜେଇ ନେଲା ଛାତିରେ ତାର l ଧୈର୍ଯ୍ୟର ବାଲିବନ୍ଧ ଭୁଷୁଡି ପଡିଥିଲା ମୋର l ଏତେ ଦିନର ରୁଦ୍ଧ ଅଭିମାନ ଲୁହ ହୋଇ ବାହାରି ଆସିଲା l ଅନେକ ସମୟ କାନ୍ଦିବା ପରେ ଶାନ୍ତ ହୋଇଗଲି ମୁଁ l  ଲଜ୍ଜ୍ୟା ବି ଲାଗିଲା ମୋତେ l ସେମାନଙ୍କ ପାଇଁ ଅନ୍ୟମାନେ ବି ତ ଅପେକ୍ଷା କରିଛନ୍ତି l ମୁଁ ଆଡେଇ ହୋଇ ଠିଆ ହୋଇ ଗଲି l କୈକେୟୀ ମାଆଙ୍କ ଆଶୀର୍ବାଦ ନେବା ପାଇଁ ଦିଦି ସହିତ ତୁମେ ମଧ୍ୟ କୋଠରୀ ଭିତରେ ପ୍ରବେଶ କଲ l ଗୋଟିଏ ମୁହୂର୍ତ୍ତ ପାଇଁ ତୁମ ଆଖି ସହ ମିଶିଗଲା ମୋ ଆଖି l ନବବଧୂର ଲଜ୍ଜ୍ୟା ଭରିଗଲା ମନରେ ମୋର l

          ଦିନର କୋଳାହଳ ଥମିଯିବା ପରେ, ମୁଁ ତୁମକୁ ଅପେକ୍ଷା କରିଥିଲି, ଆମ କୋଠରୀରେ l ଚଉଦ ବର୍ଷ ଅପେକ୍ଷା କରିଥିଲି l କିନ୍ତୁ ଏବେ ଚଉଦ ମୁହୂର୍ତ୍ତ ବିଳମ୍ବ ବି ସହି ହେଉ ନଥିଲା l କେଜାଣି କେତେ ସମୟ ପରେ ତୁମେ ଆସିଲ l ତୁମ ଅଭୟ ବନ୍ଧନୀ ଭିତରେ ମୁଁ ମୋର ବିଗତ ଚଉଦ ବର୍ଷର ଜ୍ଜ୍ୱଳନ ଭୁଲି ଯାଇଥିଲି l ତୁମେ ଚଉଦ ବର୍ଷର ଧାରା ବିବରଣୀ ଦେଉଥିଲ l ଆଶ୍ଚର୍ଯ୍ୟ ଲାଗୁଛି l ରାଜପ୍ରାସାଦର ମୋହକୁ ତ୍ୟାଗ କରି ଦେଇଥିବା ଦିଦି ମୋର କେମିତି ପଡିଗଲା ସୁନା ହରିଣୀର ମୋହରେ ? ମାରୀଚ ବଦ୍ଧ ଠାରୁ ଆରମ୍ଭ କରି ସୀତା ଉଦ୍ଧାର ଯାଏଁ ସମସ୍ତ କାହାଣୀ ମୋ ମନରେ କମ୍ପନ ସୃଷ୍ଟି କରୁଥିଲା l କିନ୍ତୁ ଯେତେବେଳେ ତୁମେ ସୂର୍ପଣଖା କଥା କହିଲ, ମୋ ମନ ଇର୍ଷାରେ ଜଳିଗଲା l ନିଜ ସ୍ୱାମୀ ମୁହଁରୁ ଅନ୍ୟ ନାରୀର ସୌନ୍ଦର୍ଯ୍ୟ ପ୍ରଶଂସା କେଉଁ ସ୍ତ୍ରୀ ସହିପାରିବ ଯେ ? ମୋ ଭିତର କ୍ରୋଧକୁ ଦମନ କରି ନ ପାରି, ମୁଁ କହିଲି, ବାହା ହୋଇ ଗଲନି ତାକୁ ? କେଇଟା ମୁହୂର୍ତ୍ତ ପାଇଁ ମୁଁ ସାଧାରଣ ନାରୀଟିଏ ପାଲଟି ଯାଇଥିଲି l ତୁମେ ବି କେଉଁ କମ୍ ଯେ ? କିଛି ନ ଘଟିବା ପରି କହିଲ, ପ୍ରସ୍ତାବଟା କିଛି ମନ୍ଦ ନ ଥିଲା ଯେ l ବାସ୍ ଏତିକି କଥା ହିଁ ଜ୍ଜ୍ୱଳନ୍ତ ନିଆଁରେ ଘିଅ ପକେଇ ଦେଲା l ଅତିଶୟ ଅଭିମାନରେ ମୁଁ କାନ୍ଦି ପକେଇବା ବେଳକୁ, ତୁମେ ମୋତେ ନିବିଡ ଆବେଶରେ ବାନ୍ଧୁ ବାନ୍ଧୁ କହିଥିଲ, ‘ମୁଁ କଣ ସତରେ ଏମିତି ? ତୁମ ସହ ମଜା କରୁଥିଲି l ତୁମେ ସତ ଭାବି ଦେଲ ? ଏତିକି ମାତ୍ର ବିଶ୍ୱାସ ମୋ ଉପରେ ?’ ଲଜ୍ଜ୍ୟାରେ ଭାଙ୍ଗି ପଡିଲି ମୁଁ l ରାତିଟା କେତେ ଶୀଘ୍ର ପାହିଗଲା ଜଣା ପଡିଲାନି ଜମା l

          ବଡ ଭାଇଙ୍କର ଅଭିଷେକ ହେଲା l ଚାରିଆଡେ ଖୁସିର ଲହରି ଖେଳୁଥିଲା l ଏଥର ଭାବୁଥିଲି ଆମ ଜୀବନରେ ଶାନ୍ତି ଫେରି ଆସିଲା l କିନ୍ତୁ ଭାବିଦେଲେ ଯଦି ସବୁ ଠିକ୍ ହୋଇ ଯାଉଥାନ୍ତା, ତେବେ ଦୁଃଖ ରହିଲା କେଉଁଠି ? କିନ୍ତୁ ଦୁଃଖ ଯେ ଏହି ରାଜ ବଂଶର ଚିର ସହଚର l ନହେଲେ କଣ ସାମାନ୍ୟ ଏକ ଘଟଣାରେ ସୀତା ଦିଦି ରାଜ୍ୟାନ୍ତର ହୋଇଥାନ୍ତା ? ଯେଉଁ ଦିନ ଜଣା ପଡିଲା, ସୀତା ଦିଦି ଅନ୍ତଃସତ୍ତ୍ୱା, ସମଗ୍ର ନଗରୀରେ ଖୁସୀର ଲହରୀ ଖେଳି ଯାଇଥିଲା l ମାଣ୍ଡବୀ, ଶ୍ରୁତକିର୍ତ୍ତୀ ଓ ମୁଁ ଖୁସୀରେ ଆତ୍ମହରା ହୋଇଥିଲୁ l କେତେ ଯୁଗ ପରେ ଏ ଉଆସରେ ଛୁଆ ଖେଳିବ l କିନ୍ତୁ ବିଧିର ବିଧାନ ଥିଲା ଅନ୍ୟ ପ୍ରକାର l ଛଦ୍ମବେଶୀ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର ନିଶାର୍ଦ୍ଧରେ ନଗର ଭ୍ରମଣ କରୁଥିବା ବେଳେ, ଧୋବା ଧୋବଣୀଙ୍କ କଳି ଶୁଣୁଥିଲେ l ସୀତା, ରାକ୍ଷସ ନଗରୀରେ କିଛି ଦିନ କଟେଇଥିବା ସତ୍ତ୍ୱେ ରାଜା ରାମଚନ୍ଦ୍ର ତାଙ୍କୁ ଗ୍ରହଣ କରିଥିଲେ l ଅଥଚ, ଧୋବଣୀ ଗୋଟିଏ ଦିନ ବାପଘରକୁ ଚାଲି ଯାଇଥିବା ଯୋଗୁଁ ଧୋବା ତାକୁ ଘରୁ ବାହାର କରି ଦେଉଛି l ଏ କେମିତିକା ନ୍ୟାୟ ? ପଚାରୁଥିଲା ଧୋବଣୀ l

          ବିଚରା ଧୋବଣୀ l ସେ କଣ ଜାଣି ନ ଥିଲା, ଅଗ୍ନି ପରୀକ୍ଷା ଦେଇ ସାରିବା ପରେ ହିଁ ସୀତା ଦିଦିକୁ ବଡ ଭାଇ ଗ୍ରହଣ କରିଥିଲେ l

          ତୁମେ ଯେତେବେଳେ ଏହି କଥା କହିଥିଲ, ମୋତେ ବହୁତ ରାଗ ଲାଗିଥିଲା l ଏ କେମିତିକା ନ୍ୟାୟ ? କଣ ପାଇଁ ଯୁଗେ ଯୁଗେ ନାରୀମାନଙ୍କୁ ହିଁ ଅଗ୍ନି ପରୀକ୍ଷାର ସମ୍ମୁଖୀନ ହେବାକୁ ପଡେ ? ତା ଅପେକ୍ଷା ବରଂ ଭଲ, ସ୍ୱାମୀ ଠାରୁ ଅଲଗା ହୋଇ ରହିବା l

          ମୁଁ କଣ ଜାଣିଥିଲି, ମୋର ଏହି ଭାବନା ସତରେ ପରିଣତ ହୋଇଯିବ ଏବଂ ମୋର ସୁକୁମାରୀ ଦିଦି ପୁଣି ଏକ ବନବାସର ସମ୍ମୁଖୀନ ହେବ ?

          ଧୋବାଧୋବଣୀଙ୍କ କଳି ବଡ ଭାଇଙ୍କ ମନରେ ଭାବାନ୍ତର ସୃଷ୍ଟି କଲା l ପ୍ରଜାଙ୍କ ମନରେ ପ୍ରତ୍ୟୟ ଆଣିବା ପାଇଁ ସେ ତୁମକୁ ଆଦେଶ ଦେଲେ ଦେବୀ ସୀତାଙ୍କୁ ଦେଶାନ୍ତର କରିବା ପାଇଁ l ସବୁବେଳେ ତୁମକୁ ଏପରି ସବୁ କାମରେ ଭାଇ କାହିଁକି ଲଗାନ୍ତି, ମୁଁ ଜାଣିପାରେନି l କିନ୍ତୁ, ଯେଉଁ ଦିନ ଜାଣିବାକୁ ପାଇଲି, ବଡ ଭାଇ ବି ବନବାସର ଜୀବନ କଟାଉଛନ୍ତି, ରାଗ ମୋର ଶାନ୍ତ ହୋଇଗଲା l

          ରାଜ୍ୟରେ ଶୃଙ୍ଖଳା ଫେରି ଆସିଲା l ରାଜ୍ୟର ଆମଦାନୀ ଅଧିକ ହେଲା l ପ୍ରଜାମାନଙ୍କ ମୁହଁରେ ହସ ଫେରିଲା l କିନ୍ତୁ ରାଜପ୍ରାସାଦରେ ଆଉ ସୀତା ଦିଦିର ଛୁଆର ବାଲ୍ୟ ଲୀଳା ଦୃଶ୍ୟମାନ ହେଲା ନାହିଁ l ତିନି ମାଆ ଦୁଃଖର ଘେରି ଭିତରେ ଖୁସୀର ଅଭିନୟ କରୁଥିଲେ ମାତ୍ର l

          ଏ ଭିତରେ କେତେ ବର୍ଷ ବିତିଗଲା ଜଣା ପଡିଲାନି l ସୀତା ଦିଦିର ଛୁଆଟି ବି କେତେ ବଡ ହୋଇ ଯିବଣି l କୁଳଗୁରୁଙ୍କ ପରାମର୍ଶରେ ବଡଭାଇ ରାଜସୂୟ ଯଜ୍ଞର ଆୟୋଜନ କରିଥିଲେ l ରାଜରାଣୀ ସୀତାଙ୍କ ଆବର୍ତ୍ତମାନରେ ସୁବର୍ଣ୍ଣ ସୀତା ରଖି ଯଜ୍ଞ କାର୍ଯ୍ୟ ସମାପନ କରିବା ନିଷ୍ପତ୍ତି ନିଆଗଲା l ପ୍ରଜାମାନଙ୍କ କଥା କହି ପାରିବିନି, କିନ୍ତୁ ମୋ ସମେତ ଅଧିକାଂଶ ପ୍ରାସାଦବାସୀ ଏହି ନିଷ୍ପତ୍ତିରେ ଖୁସୀ ନ ଥିଲେ l

          ଯଜ୍ଞ ଘୋଡା ସହ ତୁମେ ପୃଥିବୀ ଭ୍ରମଣ କରି ଫେରି ଆସିଲ l ବାଲ୍ମୀକି ଆଶ୍ରମରେ ଦୁଇଟା ଛୁଆ ତୁମର ଯଜ୍ଞ ଘୋଡାକୁ ଅଟକେଇ ତୁମକୁ ଓ ହନୁମାନଙ୍କୁ କାବୁ କରିଥିଲେ ବୋଲି ଶୁଣିଲି l ଶେଷରେ ତାଙ୍କ ମାଆଙ୍କ ଆଦେଶ କ୍ରମେ ତୁମମାନଙ୍କୁ ସେମାନେ ମୁକ୍ତ କଲେ l ତୁମେ ପାଟିରେ କିଛି ନ କହିଲେ ମଧ୍ୟ ତୁମର ମୁହଁ କହି ଦେଉଥିଲା ଯେ, ସେହି ମାଆ ହେଉଛି ମୋର ସୀତା ଦିଦି ଏବଁ ଛୁଆ ଦୁଇଟି ମୋ ସୀତା ଦିଦିର l ମୋ ସୀତା ଦିଦି ତାହା ହେଲେ ଜମଜ ସନ୍ତାନର ଜନନୀ ହୋଇଛି l

          ଯଜ୍ଞ ଦିନ ଋଷି ବାଲ୍ମୀକିଙ୍କ ସହ ସେହି ଛୁଆ ଦୁଇଟା ଆସିଥିଲେ l ସେମାନଙ୍କର ନାମ ଲବ ଓ କୁଶ l ଆଢୁଆଳରୁ ସେମାନଙ୍କୁ ଦେଖି, ସେମାନଙ୍କ ପରିଚୟ ବିଷୟରେ ମୁଁ ସ୍ଥିର ନିଶ୍ଚିତ ହୋଇ ଯାଇଥିଲି l ଅନ୍ୟମାନେ ମଧ୍ୟ କିଛି କିଛି ସନ୍ଦେହ କରୁଥିଲେ  l ମାଆମାନେ କହୁଥିଲେ, ବଡ ଭାଇ କୁଆଡେ ଛୁଆ ବେଳେ ଠିକ୍ ଏମିତି ଦେଖା ଯାଉଥିଲେ l ଦେଖା ଯିବେନି କେମିତି ଯେ ? ସେମାନେ ତ ମୋ ବଡଭାଇଙ୍କର ଅଂଶ l ସେମାନେ ସୁଲଳୀତ କଣ୍ଠରେ ବାଲ୍ମୀକି ରଚିତ ରାମାୟଣ ଗାନ କଲେ l ଏ ହେଉଛନ୍ତି ସେହି ଋଷି, ଯିଏକି ଦସ୍ୟୁ ରତ୍ନାକର ନାମରେ କୁଖ୍ୟାତ ଥିଲେ l ତାଙ୍କର ଦୌରାତ୍ମ୍ୟରେ ଥର ହର ହେଉଥିଲା ଧରା l ଡକାୟତି କରିବା, ଜୀବନ ହାନି କରିବା ତାଙ୍କ ପାଇଁ ସହଜ ସାଧ୍ୟ ଥିଲା l ଦିନେ ଦେବ ଋଷି ନାରଦ ତାଙ୍କର ଶୀକାର ହୋଇ ଥିଲେ l ନାରଦଙ୍କୁ ସିଏ ଲୁଟପାଟ୍ କରିବା ପୂର୍ବରୁ ନାରଦ ତାଙ୍କୁ କହିଥିଲେ, ଥରେ ଯାଇ ଘରେ ପଚାରିବା ପାଇଁ , ଯେ ସିଏ ଯେଉଁ ପାପ କରୁଛନ୍ତି, ପରିବାରର ଭରଣ ପୋଷଣ ପାଇଁ, ସେହି ପାପର ଭାଗିଦାର କିଏ ହେବ ତାଙ୍କ ସହ l ବାପା, ମାଆ, ସ୍ତ୍ରୀ, ଛୁଆ ସମସ୍ତେ ମନା କଲେ ଓ ସମସ୍ତେ କହିଲେ ସିଏ ତାଙ୍କର କର୍ତ୍ତବ୍ୟ କରୁଛନ୍ତି l କିନ୍ତୁ ସେଥିପାଇଁ ବା ତାଙ୍କର କୁକର୍ମ ପାଇଁ ଅନ୍ୟମାନେ କାହିଁକି ପାପ ମୁଣ୍ଡେଇବେ l ବାସ୍ ଚୈତନ୍ୟ ଉଦୟ ହେଲା ଦସ୍ୟୁ ରତ୍ନାକର ମନରେ l ଜାତ ହେଲ ବୈରାଗ୍ୟ l ଧାଇଁ ଆସିଲା ସେ ନାରଦ ମୁନିଙ୍କ ନିକଟକୁ l ନାରଦ ତାକୁ ପାପ କ୍ଷୟର ସରଳ ମନ୍ତ୍ର ରାମ ନାମ ଜପିବା ପାଇଁ କହିଲେ l କିନ୍ତୁ ତାର ପାପର ଭାରା ଏତେ ବେଶୀ ଥିଲା ଯେ, ସେ ରାମ ନାମ ଉଚ୍ଚାରଣ କରି ପାରିଲା ନାହିଁ l ଋଷି ତାକୁ ମରା ଜପିବା ପାଇଁ କହିଲେ l ମରା ମରା ଜପି ଜପି ସେ ରାମ ନାମ ଉଚାରଣ କଲେ ଅନେକ କାଳ ପରେ l ସେତେବେଳକୁ ତାଙ୍କର ଘୋର ପରିବର୍ତ୍ତନ l ତାଙ୍କ ଉପରେ ଉଇ ହୁଙ୍କା ବା (ବଲ୍ମୀକ) ମାଡି ଯାଇଥିଲା l ତେଣୁ ସେ ପରିଚିତ ହେଲେ ବାଲ୍ମୀକି ନାମରେ l

          ସେହି ବାଲ୍ମୀକି ରଚିତ ରାମାୟଣ ଗାନ ସେହି ପିଲା ଦୁଇଟି କରୁଥିବା ବେଳେ ବଡ ଭାଇ ବାରମ୍ବାର ଆଖି ପୋଛିବା ମୋ ଦୃଶ୍ୟରୁ ଅନ୍ତର ହୋଇ ନ ଥିଲା l ଶେଷରେ ଋଷିଙ୍କ ଠାରୁ ପିଲା ଦୁଇଟିଙ୍କର ପରିଚୟ ପାଇବା ପରେ ବଡ ଭାଇ ଆନନ୍ଦରେ ସେମାନଙ୍କୁ କୋଳାଗ୍ରତ କଲେ ଓ ଋଷିଙ୍କର ଆଦେଶ କ୍ରମେ ସୀତାଙ୍କୁ ଫେରାଇ ଆଣିବା ପାଇଁ ତୁମକୁ ଆଦେଶ ଦେଲେ l

          ଦେବୀ ସୀତା ଆସି ପାଦ ଦେଲେ ଯଜ୍ଞ ସ୍ଥଳୀରେ l ତାଙ୍କ ମୁହଁରୁ କେମିତି ଗୋଟାଏ ତେଜ ବାହାରୁ
ଥିଲା l ମାତୃତ୍ୱର ମହିମାରେ ଗରୀୟାନ୍ ଦେଖା ଯାଉଥିଲେ ସେ l କିଏ ସେଇ ପାତକିନୀ, ଯିଏ କି ମୋର ଏହି ଦେବୀ ପ୍ରତିମା ପରି ଦିଦି ଦେହରେ କଳଙ୍କ ଲଗେଇ ଦେଇଥିଲା ? ସମସ୍ତ ରାଜ୍ୟବାସୀ ହର୍ଷୋତଫୁଲ୍ଲ ଦେଖା ଯାଉଥିଲେ l କିନ୍ତୁ ଏ କଣ ? ପୁଣି ଥରେ ବଡ ଭାଇଙ୍କର ବଜ୍ର ନିର୍ଘୋଷ ଆଦେଶ l ଦେବୀ ସୀତାଙ୍କୁ ପୁଣି ଥରେ ଅଗ୍ନି ପରୀକ୍ଷାର ସମ୍ମୁଖୀନ ହେବାକୁ ପଡିବ, ସମସ୍ତଙ୍କର ସାମ୍ନାରେ ନିଜର ସତୀତ୍ୱର ପ୍ରମାଣ ଦେବା ପାଇଁ l

          ଲଜ୍ଜ୍ୟାରେ ମୁଣ୍ଡ ମୋର ତଳକୁ ହୋଇଗଲା l ମନେମନେ ମୁଁ ଭାବୁଥିଲି, ଏ ଧରିତ୍ରୀ ବିଦାରିତ ହୋଇ ଯାଆନ୍ତା କି ? ନାରୀ ଜାତିକୁ ଏପରି ଚରମ ଅପମାନ ଦେବା ପୁରୁଷ ସବୁ ଲୀନ ହୋଇ ଯାଆନ୍ତେ ପାତାଳ ଗର୍ଭରେ l କିନ୍ତୁ ଘଟଣା ଘଟିଲା ଅଲଗା ପ୍ରକାରେ l

          ଅପମାନିତା ଦିଦି ମୋର କରୁଣ କଣ୍ଠରେ ଧରିତ୍ରୀ ମାତାକୁ ପ୍ରାର୍ଥନା କରୁଥିଲା, ତାକୁ ତା କୋଳରେ ସବୁ ଦିନ ପାଇଁ ଆଶ୍ରୟ ଦେବା ନିମନ୍ତେ l ତା ମନ କଥା ବୁଝିବା ପରି ଧରିତ୍ରୀ ମାଆ ବିଦୀର୍ଣ୍ଣ ହୋଇଗଲା ଓ କୋଳେଇ ନେଲା ଦିଦିକୁ ମୋର l ସବୁ ଦିନ ପାଇଁ ଲୁଚି ଗଲା ଦିଦି ମୋର  ମୋ ଧୈର୍ଯ୍ୟର ବାଲି ବନ୍ଧ ଭୁଷୁଡି ପଡିଥିଲା l ଏହି ତଥାକଥିତ ପୁରୁଷ ସମାଜ ବିରୁଦ୍ଧରେ ମନ ମୋର ବିଦ୍ରୋହ କରୁଥିଲା l କିନ୍ତୁ ମୁଁ ମନେ ମନେ ଜଳୁଥିଲା ସିନା କିଛି ବି କରିପାରିବାର ସାହସ କରିପାରୁ ନ ଥିଲି l

          ଦିଦି ସହିତ ମୋ ଜୀବନର ସବୁ ଉଦ୍ଦାମତା ଚାଲିଗଲା l ଆଜା ବଡ ଭାଇ କାନ୍ଦୁ ଥିଲେ l କିନ୍ତୁ ସେ ଲୁହ ଭିତରେ ମୁଁ ଦୁଃଖର ଜ୍ଜ୍ୱଳନ ପରିବର୍ତ୍ତେ ଅହମିକାର ଛିଟା ଦେଖୁଥିଲି l ପୁଣି ଥରେ ଜଳି ଉଠିଲା ମନ ମୋର l କିନ୍ତୁ ଜଳିବା ବ୍ୟତୀତ ମୁଁ ଆଉ କିଛି ବି କରି ପାରିବି ନାହିଁ l ଆଜିଠୁଁ ଆଉ ଏ ଲେଖନୀ ବି ଚାଲିବନି l ଏମତି ଜଳୁଥିବି ଏ ଦେହରେ ଜୀବନ ଥିବା ପର୍ଯ୍ୟନ୍ତ ଏବଂ କାମନା କରୁଛି, ଏମିତି ଗୋଟାଏ ଦିନ ଆସୁ, ଯେଉଁ ଦିନ କି ନାରୀ ସମାଜ ଏହି ତଥାକଥିତ ପୁରୁଷକୈନ୍ଦ୍ରିକ ସମାଜ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପାଇଁ ସମର୍ଥ ହେବ l ସେଠି ଯଦି ଦେବୀ ସୀତାଙ୍କୁ ଅଗ୍ନିପରୀକ୍ଷା ଦେବା ପାଇଁ ପଡେ, ତେବେ ରାମ ଓ ଲକ୍ଷ୍ଣଣଙ୍କୁ ମଧ୍ୟ ଅଗ୍ମିପରୀକ୍ଷା ଦେବାକୁ ପଡିବ…………..l

ରଶ୍ମି ରେଖା ତ୍ରିପାଠୀ

         

 

 

         

 

ଉର୍ମିଳା ପୁରୁଷୋତ୍ତମ ବାଲ୍ମୀକି ରାମଚନ୍ଦ୍ର ସୀତା କୈକେୟୀ ଅନସୂୟା.......

Rate the content


Originality
Flow
Language
Cover design

Comments

Post

Some text some message..